ଦେଶର ଅଧାରୁ ଅଧିକ ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିବା ସଂକଟଗ୍ରସ୍ତ କୃଷିକ୍ଷେତ୍ର ପାଇଁ ଏନ୍‌ଡିଏ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ସବୁଠାରୁ ବଡ଼ ଘୋଷଣା ହେଲା କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କ ବଜେଟ୍‌ ଭାଷଣରେ ଘୋଷଣା କରିଛନ୍ତି ଯେ, ଉତ୍ପାଦନ ଖର୍ଚ୍ଚର ୫୦ ପ୍ରତିଶତ ଅଧିକରେ ବା ଦେଢ଼ଗୁଣରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯିବ। ବିଗତ ଗୋଟିଏ ଦଶନ୍ଧିରୁ ଅଧିକ କାଳ ଧରି ଦେଶର ଚାଷୀକୁଳ ଏହା ଦାବି କରି ଆସୁଥିଲେ। ତେବେ ବିଡ଼ମ୍ବନାର ବିଷୟ ହେଲା ଏମ୍‌ଏସ୍‌ପି ବୃଦ୍ଧି ନେଇ ଘୋଷଣାରେ ଚାଷୀ ସେମାନଙ୍କ ଦାବି ପୂରଣ ହେବା ଦେଖି ପାରୁନାହିଁ। ବଜେଟ୍‌ ଘୋଷଣା ନେଇ ଚାଷୀଙ୍କ ମଧ୍ୟରେ ଆଶା ଅପେକ୍ଷା ଅଧିକ ଆଶଙ୍କା ପ୍ରକାଶ ପାଇଛି। କାରଣ, ଏମ୍‌ଏସ୍‌ପିର ଗଣିତ କ’ଣ ହେବ ସେ ନେଇ କୌଣସି ସ୍ପଷ୍ଟତା ନାହିଁ। ଯାହା ଘୋଷଣା ନେଇ ଚାଷୀଙ୍କ ମନରେ ସନ୍ଦେହ ଓ ବିଭ୍ରାନ୍ତି ସୃଷ୍ଟି କରୁଛି। ଇତିମଧ୍ୟରେ ଦୁଇଦିନ ବିତି ଯାଇଥିଲେ ସୁଦ୍ଧା ବିଭ୍ରାନ୍ତି ଦୂର ସକାଶେ ଏମ୍‌ଏସ୍‌ପି ଗଣିତର ସୂତ୍ର ତଥାପି ସରକାର ସ୍ପଷ୍ଟ କରି ନାହାନ୍ତି। ଫଳତଃ ଚାଷୀକୁଳର ଆଶଙ୍କା ଘନୀଭୂତ ହେବା ସହ ସରକାରଙ୍କ ଘୋଷଣାର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଚଉଦ ନିର୍ବାଚନ ପ୍ରଚାର ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ ଦଳ ସରକାରକୁ ଆସିଲେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଲାଗି ଏମ୍‌ଏସ୍‌ ସ୍ୱାମୀନାଥନ୍‌ କମିସନ୍‌ଙ୍କ ସୁପାରିସକୁ କାର୍ଯ୍ୟକାରୀ କରାଯିବ। ୨୦୦୬ରେ ସ୍ୱାମୀନାଥନ୍‌ କମିସନ୍‌ଙ୍କ ସୁପାରିସ ଥିଲା- ବିହନ, ସାର, କୀଟନାଶକ, ମଜୁରି, କୃଷକ ପରିବାରର ପାରିଶ୍ରମିକ, ଜମିର ଭଡ଼ା, ଖଜଣା ଓ ଋଣ ଉପରେ ସୁଧ ଆଦି ଯାବତୀୟ ସମସ୍ତ ଖର୍ଚ୍ଚକୁ ମିଶାଇଲେ ଯେଉଁ ପରିମାଣ ହେବ, ତାହାକୁ ‘ଉତ୍ପାଦନ ଖର୍ଚ୍ଚ’ ଭାବେ ବିଚାର କରାଯିବ। କମିସନ୍‌ଙ୍କ ଭାଷାରେ ଏହା ‘କମ୍ପ୍ରିହେନ୍‌ସିଭ୍‌ କଷ୍ଟ୍‍’। କୃଷି ଖର୍ଚ୍ଚ ଓ ଦର ନିର୍ଦ୍ଧାରଣ କମିସନ୍‌ (ସିଏସିପି) ଭାଷାରେ ଏହା ‘ସି-୨’। ଏହି ସି-୨ର ୫୦ ପ୍ରତିଶତ ଅଧିକରେ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର ହେବା କଥା। କୌଣସି ଶିଳ୍ପରେ ଯେଉଁ ସୂତ୍ରରେ ‘ରିଟର୍ଣ୍ଣ’ର ହିସାବ କରାଯାଇଥାଏ, ସ୍ୱାମୀନାଥନ୍‌ କମିସନ ମଧ୍ୟ ସେହି ସୂତ୍ର ଅନୁଯାୟୀ ଚାଷୀଙ୍କ ପାଇଁ ଚାଷରୁ ‘ରିଟର୍ଣ୍ଣ’ର ଆକଳନ ପାଇଁ ସୁପାରିସ କରିଥିଲେ। ତେବେ ସ୍ୱାମୀନାଥନ୍‌ କମିସନ୍‌ଙ୍କ ସୁପାରିସ ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ଧାରଣା ଦେଉଛନ୍ତି। ଅଥଚ, କମିସନ୍‌ଙ୍କ ଦ୍ୱାରା ନିର୍ଧାରିତ ‘କମ୍ପ୍ରିହେନ୍‌ସିଭ୍‌ କଷ୍ଟ୍‍’ ବା ସି-୨କୁ ଉତ୍ପାଦନ ଖର୍ଚ୍ଚ ଭାବେ ଗ୍ରହଣ କରି ତା’ରି ଆଧାରରେ ଏମ୍‌ଏସ୍‌ପି ସ୍ଥିର ହେବ ବୋଲି ସ୍ପଷ୍ଟ ଘୋଷଣା କରିନାହାନ୍ତି। ଫଳରେ ଆଶଙ୍କା ହେବା ସ୍ୱାଭାବିକ ଯେ, ‘କମ୍ପ୍ରିହେନ୍‌ସିଭ୍‌ କଷ୍ଟ୍‍’ ଆଧାରରେ ଏମ୍‌ଏସ୍‌ପି ଧାର୍ଯ୍ୟ ନକରି, ସରକାର ଆଉ କିଛି ନୂଆ ଗଣିତ କିଂବା ସୂତ୍ର ଉଦ୍ଭାବନ କରିପାରନ୍ତି। କିଂବା ବର୍ତ୍ତମାନ ଯେଉଁ ସୂତ୍ରରେ ଉତ୍ପାଦନ ଖର୍ଚ୍ଚର ହିସାବ କରାଯାଉଛି, ତାହାକୁ ଅପରିବର୍ତ୍ତିତ ରଖିବେ।

ବର୍ତ୍ତମାନ ସିଏପିସିର ହିସାବ ଅନୁଯାୟୀ ଏକ୍‌ଚୁଆଲ୍‌ କଷ୍ଟ (ଏ-୨)+ ଫ୍ୟାମିଲି ଲେବର (ଏଫ୍‌ଏଲ୍‌)= ଉତ୍ପାଦନ ଖର୍ଚ୍ଚ। ଆକ୍‌ଚୁଆଲ୍‌ କଷ୍ଟ୍‍ (ଏ-୨)ର ଅର୍ଥ ସାର, ବିହନ, କୀଟନାଶକ, ମଜୁରି ବାବଦ ଖର୍ଚ୍ଚ ଏବଂ ଏଫଏଲ୍‌ର ଅର୍ଥ କୃଷକ ପରିବାର ପାରିଶ୍ରମିକ। ଉଲ୍ଲେଖନୀୟ ହେଲା ଏ-୨+ ଏଫଏଲ୍‌ ଆଧାରରେ ଉତ୍ପାଦନ ଖର୍ଚ୍ଚ ଓ ସ୍ୱାମୀନାଥନ୍‌ କମିସନ୍‌ଙ୍କ ସୂତ୍ର ସି-୨ ଆଧାରରେ ଉତ୍ପାଦନ ଖର୍ଚ୍ଚ ପରିମାଣ ମଧ୍ୟରେ ବିରାଟ ପାର୍ଥକ୍ୟ ରହିଛି। ଉଦାହରଣ ସ୍ୱରୂପ ସିଏପିସିଙ୍କ ହିସାବ ଅନୁଯାୟୀ ଗତ ରବି ଋତୁରେ ଗୋଟିଏ କ୍ୱିଣ୍ଟାଲ ଗହମ ପାଇଁ ଏ-୨+ ଏଫ୍‌ଏଲ୍‌ ସୂତ୍ର ଆଧାରରେ ଉତ୍ପାଦନ ଖର୍ଚ୍ଚ ୮୧୭ ଟଙ୍କା ଅଟକଳ କରାଯାଇଥିଲା। ଅନ୍ୟପକ୍ଷରେ ସି-୨ ଆଧାରରେ ଉତ୍ପାଦନ ଖର୍ଚ୍ଚ ଥିଲା ଗହମ କ୍ୱିଣ୍ଟାଲ ପିଛା ହାରାହାରି ୧,୨୫୬ ଟଙ୍କା। ସି-୨+ ଏଫ୍‌ଏଲ୍‌କୁ ଆଧାର କରି ୫୦ ପ୍ରତିଶତ ଅଧିକରେ ଗହମର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୨୨୫ ଟଙ୍କା ଓ ସି-୨ ଆଧାରରେ ୧୮୮୪ ଟଙ୍କା ହେବ। ଗତ ରବିରେ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୧,୭୩୫ ଟଙ୍କା ଧାର୍ଯ୍ୟ ହୋଇଥିଲା। ଅର୍ଥାତ୍‌ ସି-୨ ଆଧାରରେ ଏମ୍‌ଏସ୍‌ପି ଠାରୁ କମ୍‌। ଅଥଚ, ବଜେଟ୍‌ ଭାଷଣରେ ଅର୍ଥମନ୍ତ୍ରୀ ଦାବି କରିଥିଲେ ଯେ, ରବିରେ ସବୁ କୃଷିଜାତ ସାମଗ୍ରୀର ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ୫୦ ପ୍ରତିଶତ ଅଧିକରେ ଧାର୍ଯ୍ୟ କରାଯାଇଛି।

ଅର୍ଥମନ୍ତ୍ରୀଙ୍କ ଏହି ଦାବିରୁ ହିଁ ସ୍ୱତଃ ସନ୍ଦେହ ହେଉଛି ଯେ ସ୍ୱାମୀନାଥନ୍‌ କମିସନ୍‌ଙ୍କ ସୁପାରିସ ଅନୁଯାୟୀ ସରକାର ‘ସି-୨’କୁ ‘ଉତ୍ପାଦନ ଖର୍ଚ୍ଚ’ ଭାବେ ଗ୍ରହଣ କରି ନାହାନ୍ତି। ଜାତୀୟ ସ୍ତରରେ ଖରିଫ ଧାନର କ୍ୱିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚ ଏ-୨+ ଏଫ୍‌ଏଲ୍‌ ସୂତ୍ରରେ ଥିଲା ୧,୧୧୭ ଓ ସି-୨ ସୂତ୍ର ଅନୁଯାୟୀ ୧୪୮୪ ଟଙ୍କା। ଏ-୨+ ଏଫ୍‌ଏଲ୍‌ ଆଧାରରେ କ୍ୱିଣ୍ଟାଲ୍‌ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୬୭୫ ଟଙ୍କା ୫୦ ପଇସା ଓ ସି-୨ ଭିତ୍ତିରେ ୨୨୨୬ ଟଙ୍କା ହେବା କଥା। କିନ୍ତୁ ଖରିଫରେ ସରକାର ଘୋଷଣା କରିଥିବା ଧାନର ସହାୟକ ମୂଲ୍ୟ ଥିଲା କ୍ୱିଣ୍ଟାଲ ପିଛା ୧୫୫୦ ଟଙ୍କା। ଏବେ ଯଦି ସରକାର ସି-୨କୁ ଉତ୍ପାଦନ ଖର୍ଚ୍ଚ ଭାବେ ଗ୍ରହଣ ନ କରନ୍ତି, ତେବେ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁ ଚାଷୀଙ୍କୁ କୌଣସ ଲାଭ ମିଳିବ ନାହିଁ। ଅତି ବେଶିରେ ପ୍ରତି କ୍ୱିଣ୍ଟାଲରେ ୧୨୫ ଟଙ୍କା ଅଧିକ ମିଳିବ। କିନ୍ତୁ ତାହା ସି-୨ ଆଧାରିତ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ୪୭୫ ଟଙ୍କା କମ୍‌ ମିଳିବ। ଏମିତିରେ ଚାଷୀର ଆୟ ବଢ଼ିବ କେମିତି? ଋଣ ବୋଝ କମିବ କେମିତି? ଏକ ପେସା ଭାବେ ଚାଷ ପୋଷାଇବ କେମିତି? ତେଣୁ ଯଦି ସରକାର ସ୍ୱାମୀନାଥନ୍‌ କମିସନ୍‌ଙ୍କ ଏମ୍‌ଏସ୍‌ପି ଗଣିତକୁ ଅଣଦେଖା କରି ବର୍ତ୍ତମାନର ସୂତ୍ର ଅନୁଯାୟୀ ଏମ୍‌ଏସ୍‌ପି ହିସାବ ଅପରିବର୍ତ୍ତିତ ରଖନ୍ତି, ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପଛର ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ନାହିଁ।

ଯଦି ପ୍ରକୃତରେ ସରକାର ସଙ୍କଟଗ୍ରସ୍ତ କୃଷିର ପୁନରୁଦ୍ଧାର, ଦୁର୍ଦଶାଗ୍ରସ୍ତ ଚାଷୀଙ୍କ କଲ୍ୟାଣ ଚାହାନ୍ତି ଓ ଏମ୍‌ଏସ୍‌ପି ବୃଦ୍ଧି ନିଷ୍ପତ୍ତି ପଛରେ ଆନ୍ତରିକତା ଅଛି, ତେବେ ସ୍ୱାମୀନାଥନ୍‌ କମିସନ୍‌ଙ୍କ ସୂତ୍ରକୁ ଗ୍ରହଣ କରନ୍ତୁ। ‘ସି-୨’ (‘କମ୍ପ୍ରିହେନ୍‌ସିଭ୍‌ କଷ୍ଟ୍‍’)ର ୫୦ ପ୍ରତିଶତ ଅଧିକରେ ଏମ୍‌ଏସ୍‌ପି ଧାର୍ଯ୍ୟ କରାଯିବା ଏକାନ୍ତ ଆବଶ୍ୟକ। ଆଉ ଏକ ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟତା ଆବଶ୍ୟକ। ଜାତୀୟ ସ୍ତରରେ ଧାର୍ଯ୍ୟ ହେଉଥିବା ହାରାହାରି ଉତ୍ପାଦନ ଖର୍ଚ୍ଚ ଏବଂ ବିଭିନ୍ନ ରାଜ୍ୟର ଉତ୍ପାଦନ ଖର୍ଚ୍ଚ ମଧ୍ୟରେ ତାରତମ୍ୟ ରହିଛି। ଏ ପରିପ୍ରେକ୍ଷୀରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଏକ ସ୍ପଷ୍ଟ ନୀତି ରହିବା ଉଚିତ। ଉଦାହରଣ ସ୍ୱରୂପ ଜାତୀୟ ସ୍ତରରେ ଏ-୨+ ଏଫ୍‌ଏଲ୍‌ ଓ ସି-୨ ସୂତ୍ର ଅନୁଯାୟୀ ଧାନର ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ଯଥାକ୍ରମେ ୧୧୧୭ ଓ ୧୪୮୪ ଟଙ୍କା। କିନ୍ତୁ ଓଡ଼ିଶାରେ ସରକାରୀ ଆକଳନ ଅନୁଯାୟୀ ଗୋଟିଏ କ୍ୱିଣ୍ଟାଲ ଧାନ ଉତ୍ପାଦନ ବାବଦ ଖର୍ଚ୍ଚ ହାରାହାରି ୨୩୪୪ ଟଙ୍କା। ଏହି ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ ଦାବି କରି ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। କେବଳ ଓଡ଼ିଶା ନୁହେଁ, ଆଉ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଧାନ ଉତ୍ପାଦନ ବାବଦ ଖର୍ଚ୍ଚ ଜାତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚଠାରୁ ଅଧିକ କିଂବା କମ୍‌। ତେଣୁ ରାଜ୍ୟଓ୍ଵାରୀ ଉତ୍ପାଦନ ଖର୍ଚ୍ଚକୁ ବିଚାରକୁ ନେଇ ଏକ ସର୍ବମାନ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଲାଗି କସରତ ହେବା ଉଚିତ, ଯେମିତି କୌଣସି ରାଜ୍ୟର ଚାଷୀ କ୍ଷତିଗ୍ରସ୍ତ ନ ହୁଅନ୍ତି।

କୃଷି ଉତ୍ପାଦନ ଖର୍ଚ୍ଚର ୫୦ ପ୍ରତିଶତ ଅଧିକରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଲାଗି କେନ୍ଦ୍ର ସରକାରଙ୍କ ନୀତିଗତ ନିଷ୍ପତ୍ତି ନିଶ୍ଚିତ ଭାବେ ଯୁଗାନ୍ତକାରୀ ଓ ସ୍ୱାଗତଯୋଗ୍ୟ। କିନ୍ତୁ ଏହାର କାର୍ଯ୍ୟକାରିତା, ବିଶେଷକରି ଏମ୍‌ଏସ୍‌ପି ଧାର୍ଯ୍ୟ ସଂକ୍ରାନ୍ତ ଗଣିତ ତଥା ସୂତ୍ର ନେଇ ଆହୁରି ଅଧିକ ସ୍ପଷ୍ଟତାର ଆବଶ୍ୟକତା ରହିଛି। ଯେ ପର୍ଯ୍ୟନ୍ତ ସ୍ପଷ୍ଟତା ନ ଆସିବ, ସେ ପର୍ଯ୍ୟନ୍ତ ଏମ୍‌ଏସ୍‌ପି ବୃଦ୍ଧି ଘୋଷଣା ଚାଷୀଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ମନେ ହେଉଥିବ।