ଏକ ଲଘୁ କଥାରୁ ପ୍ରସଙ୍ଗଟିର ପ୍ରାରମ୍ଭ କରାଯାଉ। ଥରେ କିଛି ବଡ଼ ଅପରାଧୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାର କଥା ହେଲା। ସେଥି ଲାଗି ଘଟଣା ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯେଉଁ ସରକାରୀ ବାବୁମାନେ କାଗଜପତ୍ର ଧରି ବସିଥିଲେ, ସେମାନଙ୍କ ପାଖରେ ଜଣେ ତରୁଣ ପହଞ୍ଚି ନିଜକୁ ଜଣେ ଅପରାଧୀ ବୋଲି ଜଣାଇ ଆତ୍ମସମର୍ପଣ କରିବାର ଇଚ୍ଛା ପ୍ରକଟ କରନ୍ତେ ସରକାରୀ ବାବୁମାନେ ତାର ଅପରାଧର ସ˚ଖ୍ୟା ବିଷୟରେ ଜିଜ୍ଞାସା କଲେ। ତରୁଣଟି ମାତ୍ର ଚାରିଟି ଅପରାଧ କରିଥିବା ଶୁଣି ସେମାନେ ତାକୁ ଆତ୍ମସମର୍ପଣ କରିବା ଲାଗି ଅଯୋଗ୍ୟ ବୋଲି କହି ଫେରାଇ ଦେବା ସହିତ କହିଥିଲେ ଯେ କେବଳ ଚାଳିଶରୁ ଅଧିକ ଅପରାଧ କରିଥିବା ଅପରାଧୀମାନେ ଆତ୍ମସମର୍ପଣ କରିବେ; ତୁମେ ଅନ୍ତତଃ ସେତିକିଟି ଅପରାଧ କରି ସାରି ଆସ। କହିବା ଅନାବଶ୍ୟକ, ଏହି ସ୍ତମ୍ଭର ଅଧିକା˚ଶ ପାଠକପାଠିକା ବୁଝି ସାରିବେଣି ଯେ ଆମ ଦେଶର ସରକାରୀ ଅମଲାତନ୍ତ୍ର ନିୟମ ଦ୍ବାରା ଅନୁବନ୍ଧିତ ରହି କାର୍ଯ୍ୟ କରିବାର ପ୍ରବଣତା ଦ୍ବାରା ଅନେକ ସମୟରେ କିଭଳି ଉଦ୍ଭଟ ପରିସ୍ଥିତି ସୃଷ୍ଟି କରିଥାଏ ତାହା ଦର୍ଶାଇବାକୁ ଯାଇ ଏହି ଲଘୁ କଥାଟିର ଆଶ୍ରୟ ନିଆଯାଇଛି। କିନ୍ତୁ କେବଳ ସେତିକି ନୁହେଁ ଭାରତୀୟ ଅମଲାତନ୍ତ୍ରର ଏଭଳି ଆଭିମୁଖ୍ୟ ତାହାର କାର୍ଯ୍ୟକୁ କି˚ବଦନ୍ତୀୟ ମନ୍ଥରତା ପ୍ରଦାନ କରିବା ସହିତ ତାହା ଅପାରଗ ବୋଲି ଲା˚ଛନାର ଶିକାର ମଧୢ ହୋଇଥାଏ; ଏହା ସହିତ ଅନେକ ଅଯଥା ନିୟମର ଜଟିଳ ବ୍ୟୂହ ଦୁର୍ଭେଦ୍ୟ ହେବା ସହିତ ଦୁର୍ନୀତିକୁ ମଧୢ ପ୍ରଶ୍ରୟ ଦେଇଥାଏ। ସ˚ପ୍ରତି କୋଭିଡ୍‌ ପରିଚାଳନାରେ ଦୃଶ୍ୟମାନ ହୋଇଥିବା ବିଭିନ୍ନ ପ୍ରକାର ଅବ୍ୟବସ୍ଥା, ବିଭ୍ରାନ୍ତି, ଗୋଳମାଳିଆ ପରିସ୍ଥିତି ଇତ୍ୟାଦି ପଛରେ ଯେ ଏଭଳି ଅମଲାତାନ୍ତ୍ରିକ ମନୋବୃତ୍ତି ପରିଲକ୍ଷିତ ହେଉଛି, ତାହା ସ୍ପଷ୍ଟ; କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଭଳି ସାଂଘାତିକ ପରିସ୍ଥିତିରେ ମଧ୍ୟ ଚିରାଚରିତ ଭାବେ ତ୍ରୁଟିବିଚ୍ୟୁତିର ଉତ୍ତର ଦାୟିତ୍ବ ନେବା ସକାଶେ କେହି ଉପଲବ୍‌ଧ ନାହାନ୍ତି।

Advertisment

ଉଲ୍ଲେଖନୀୟ ଯେ ଭାରତରେ କୋଭିଡ୍‌ ପାନ୍‌ଡେମିକ୍‌ ଜନିତ କଳ୍ପନାତୀତ ଦୁଃସ୍ଥିତିର ମୁକାବିଲା ଓ ପରିଚାଳନା ଲାଗି ‘କୋଭିଡ୍‌ ଇଣ୍ତିଆ ନେସନାଲ ଟାସ୍କ ଫୋର୍ସ‌୍‌’ ନାମକ ବାହିନୀ ବିଦ୍ୟମାନ, କିନ୍ତୁ ତାହାର ଉପସ୍ଥିତି ଏବ˚ ଦୃଶ୍ୟମାନତା ବର୍ତ୍ତମାନର ଭୟାବହ ପରିସ୍ଥିତି କାଳରେ ମଧୢ ପ୍ରାୟ ଶୂନ୍ୟ ତୁଲ୍ୟ। ଏହି ଟାସ୍କ୍‌ ଫୋର୍ସ‌୍‌ର ସଦସ୍ୟ ଗଣ ବା ମୁଖ୍ୟଙ୍କ ସ˚ପର୍କରେ ସୂଚନା ବା ତଥ୍ୟର ଅଭାବ ଏହାର ପ୍ରଭାବଶୂନ୍ୟତାକୁ ଦର୍ଶାଇଥାଏ। ସୁତରା˚, ସ˚ପ୍ରତି ଯେତେବେଳେ ଭାରତ ଦ୍ରୁତ ବର୍ଦ୍ଧମାନ ସ˚କ୍ରମିତଙ୍କ ସ˚ଖ୍ୟା, ଅମ୍ଳଜାନର ଉତ୍କଟ ଅଭାବ, ଡାକ୍ତରଖାନାରେ ଶଯ୍ୟାର ଅଭାବ, ଟିକାକରଣ କେନ୍ଦ୍ରରେ ଭ୍ୟାକସିନର ଅଭାବ ଭଳି ଅତ୍ୟନ୍ତ ଉଦ୍‌ବେଗଜନକ ସମସ୍ୟା ଦ୍ବାରା ଜର୍ଜରିତ, ସେତିକି ବେଳେ କୌଣସି ଏକ ନିର୍ଦ୍ଦିଷ୍ଟ ଉତ୍ସରୁ ଏକ ଅଧିକୃତ ସ୍ବର ଶୁଣିବାକୁ ମିଳି ନ ଥାଏ, ଯାହା କୋଭିଡ୍‌ ପରିଚାଳନାକୁ ଏକ ନିର୍ଦ୍ଦିଷ୍ଟ ଦିଗ ପ୍ରଦାନ କରିବା ସହିତ ଭୟାର୍ତ୍ତ ଭାରତୀୟମାନଙ୍କୁ ଆଶ୍ବାସନା ପ୍ରଦାନ କରନ୍ତା। ଅଥଚ, ତାହା ପରିବର୍ତ୍ତେ ଗଣମାଧୢମରେ ଯାହା ସବୁ ପ୍ରକାଶ ପାଉଛି, ତାହା ଅତ୍ୟନ୍ତ ନୈରାଶ୍ୟଜନକ। ସୁତରାଂ, ଏ ପ୍ରସଙ୍ଗରେ ଦୁଇଟି ଉଦାହରଣ ପ୍ରଦାନ କରାଯାଇପାରେ।

ନିକଟରେ ଭାରତୀୟ ବେସାମରିକ ଏବ˚ ସାମରିକ ବିମାନଗୁଡ଼ିକ ଦ୍ବାରା ବିଦେଶରୁ ବିପୁଳ ପରିମାଣର ଅମ୍ଳଜାନ ଆଣି ଭାରତ ଭୂମିରେ ଉପଲବ୍‌ଧ କରାଗଲା। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଆମଦାନି ଓ କଷ୍ଟମ୍‌ ସମ୍ବନ୍ଧୀୟ ନିୟମକୁ ଅତିକ୍ରମ କରି ନ ପାରିବାରୁ ସେ ସବୁ ପ୍ରାୟ ସପ୍ତାହେ କାଳ ସେଠାରେ ପଡ଼ି ରହିଲେ, ଯେତେବେଳେ ଦେଶର ବିଭିନ୍ନ ଅ˚ଶରେ ଅମ୍ଳଜାନ ଅଭାବରୁ ହଜାର ହଜାର ଶ୍ବାସରୁଦ୍ଧ କରୋନା ସ˚କ୍ରମିତ ଏକ ଅତ୍ୟନ୍ତ ହୃଦୟବିଦାରକ ପରିସ୍ଥିତିର ସାମନା କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ଯଦି ଅର୍ଥ ମନ୍ତ୍ରଣାଳୟର ହସ୍ତକ୍ଷେପ ଦ୍ବାରା କେତେକ ନିୟମରେ ପରିବର୍ତ୍ତନ ଘଟା ଯାଇ ନ ଥାଆନ୍ତା, ତେବେ ଅମ୍ଳଜାନର ସମ୍ଭାର ସେଠାରୁ ମୁକ୍ତି ପାଇବା ଲାଗି ଆହୁରି କିଛି ଦିନ ଗଡ଼ି ଯାଇଥାଆନ୍ତା। ଦ୍ବିତୀୟଟି ହେଲା କେତେକ ଗଣମାଧୢମରେ ପ୍ରକାଶିତ ସମ୍ବାଦ ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ପ୍ରାୟ ୧୦,୦୦୦ରୁ ଅଧିକ ଭେଣ୍ଟିଲେଟର୍‍ର ଦୃଷ୍ଟାନ୍ତ; ଯେତେବେଳେ କି ଭାରତର ବିଭିନ୍ନ ଅଞ୍ଚଳରେ ଗୁରୁତର ଭାବେ ଅସୁସ୍ଥ କରୋନା ରୋଗୀ ଭେଣ୍ଟିଲେଟର‌୍‌ ସୁବିଧା ଅଭାବରୁ ପ୍ରାଣପାତ କରୁଛନ୍ତି।

ଉଲ୍ଲେଖ କରାଯାଇପାରେ କି ଯେ ଗଲା ବର୍ଷ ଜୁନ୍‌ ମାସରେ ‘ପିଏମ୍‌ କେୟାର ଫଣ୍ତ୍‌’ ପକ୍ଷରୁ ବିଭିନ୍ନ ରାଜ୍ୟ ସରକାରଙ୍କୁ ଭେଣ୍ଟିଲେଟରମାନ କିଣି ମହଜୁଦ ରଖିବା ଲାଗି ଅର୍ଥ ଯୋଗାଇ ଦିଆଯାଇଥିଲା। ସେହି ସମୟରେ କ୍ରୟ କରାଯାଇଥିବା ଭେଣ୍ଟିଲେଟରଗୁଡ଼ିକ ମଧୢରୁ ଅନେକ ଅବ୍ୟବହୃତ ହୋଇ ନୂଆ ଭଳି ପଡ଼ି ରହିଛନ୍ତି; ଏପରିକି ଅନେକ ଭେଣ୍ଟିଲେଟରର ପ୍ୟାକି˚ ମଧୢ ଏ ଯାବତ୍‌ ଖୋଲା ଯାଇ ନାହିଁ। ଏ ସ˚ପର୍କରେ ଉପଲବ୍‌ଧ ସୂଚନା ଅନୁସାରେ ରାଜସ୍ଥାନରେ ୧୫୦୦ଟି, ପଞ୍ଜାବରେ ୨୯୦ଟି, କର୍ଣ୍ଣାଟକରେ ୬୦୦ଟି ଏବ˚ ବିହାରରେ ୨୦୭ଟି ଭେଣ୍ଟିଲେଟର ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି ଏବ˚ ଗଣମାଧୢମର ତଥ୍ୟ ଅନୁଯାୟୀ ପ୍ରାୟ ସବୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଏହିଭଳି ଅବ୍ୟବହୃତ ଭେଣ୍ଟିଲେଟରମାନ ପଡ଼ି ରହିଛି। ତେବେ, ଏଭଳି ସ୍ଥିତି ଲାଗି ପ୍ରାୟ ଯେଉଁ ଗୋଟିଏ କାରଣ ପ୍ରଦାନ କରାଯାଉଛି, ତାହା ହେଲା ସରକାରୀ ଡାକ୍ତରଖାନାଗୁଡ଼ିକରେ ଏହାକୁ ଚଳାଇବା ଲାଗି ଯୋଗ୍ୟ ଟେକ୍‌ନିସିଆନ ନାହାନ୍ତି। ଅଥଚ ବାସ୍ତବତାଟି ହେଲା, ପ୍ରଶିକ୍ଷିତ ମେଡିକାଲ ଟେକ୍‌ନିସିଆନଙ୍କ ଅଭାବ ଆମ ଦେଶରେ ନାହିଁ; ଯେଉଁମାନେ ବିଭିନ୍ନ ଘରୋଇ ହାସପାତାଲରେ ଦକ୍ଷତାର ସହିତ କାର୍ଯ୍ୟ କରି କୋଭିଡ୍‌ ସ˚କ୍ରମଣ କାଳରେ ଆପଣା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ସୁତରାଂ, ଏଭଳି ସ୍ଥିତି ଯେ ନିରୁଦ୍‌ବିଗ୍ନ ସ୍ଥାଣୁତାଜନିତ, ତାହା କହିବା ନିଷ୍ପ୍ରୟୋଜନ ମାତ୍ର।

ଏତିକି ବେଳେ ଅନେକ ବିଶେଷଜ୍ଞଙ୍କ ପକ୍ଷରୁ ଏକ ମତ ପ୍ରକାଶ ପାଇଥାଏ କି କୋଭିଡ୍‌ ପରିଚାଳନାର ଟାସ୍କ ଫୋର୍ସ‌୍‌ର ନେତୃତ୍ବ ବର୍ତ୍ତମାନର କେନ୍ଦ୍ର ସଡ଼କ ପରିବହନ ଓ ହାଇ‌େୱ ବିଭାଗର ମନ୍ତ୍ରୀ ନୀତୀନ ଗଡ଼କାରୀଙ୍କୁ ପ୍ରଦାନ କରାଯିବା ଉଚିତ। ସେମାନେ ମତ ଦେଇଥାନ୍ତି ଯେ ୨୦୨୦ ମସିହାର କରୋନା ସ˚କ୍ରମିତ ଭାରତରେ ତାଙ୍କ ମନ୍ତ୍ରଣାଳୟ ସଡ଼କ ଯୋଗାଯୋଗ କ୍ଷେତ୍ରରେ ଯେଉଁ ଉତ୍କୃଷ୍ଟ ଉପଲବ୍‌ଧି ହାସଲ କରିପାରିଛି, ତାହା ଉଦାହରଣୀୟ ହେବା ସହିତ ସ˚ସଦରେ ଉଭୟ ଶାସକ ଓ ବିରୋଧୀ ସା˚ସଦମାନଙ୍କ ଦ୍ବାରା ଉଚ୍ଛ୍ବସିତ ପ୍ରଶ˚ସାର ପାତ୍ର ହୋଇଛି; ଯେଉଁ କାରଣରୁ ସେ ଭାରତର ସର୍ବାଧିକ ଦକ୍ଷ ମନ୍ତ୍ରୀ ରୂପେ ସ୍ବୀକୃତ ଏବଂ ଯିଏ ନିଜର ନୂତନ ଓ ସ୍ବତନ୍ତ୍ର ଚିନ୍ତାଧାରା, କାର୍ଯ୍ୟ କରିବାର ଓ କରାଇବାର ପାରଙ୍ଗମତା, ଅମଲାତନ୍ତ୍ରରେ ନୂତନ ସ୍ଫୂର୍ତ୍ତି ସ˚ଚାର କରିବାର ସାମର୍ଥ୍ୟ ତଥା ପୁ˚ଜି ଯୋଗାଡ଼ ଓ ପରିଚାଳନାର ଦକ୍ଷତା ଲାଗି ପ୍ରସିଦ୍ଧ। ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବେଳେ ମୁମ୍ବାଇ- ପୁଣେ ଏକ୍‌ସପ୍ରେସ ହାଇେଵ ଭଳି ଏକ ବିଶ୍ବ ସ୍ତରୀୟ ସଡ଼କ ସ˚ଯୋଗର ଭିତ୍ତିିଭୂମି ପ୍ରସ୍ତୁତ କରିପାରିବା ତାଙ୍କର ଦକ୍ଷତାର ଏକ ପ୍ରାରମ୍ଭିକ ପରିଚୟ ଥିଲା, ଯାହା ସେ କେନ୍ଦ୍ର ମନ୍ତ୍ରୀ ହେବା ପରେ ଅଧିକ ସୁଦୃଢ଼ କରିଛନ୍ତି। ଏ ସ˚ଦର୍ଭରେ ମତ ପ୍ରଦାନ କରି ଏଚ୍‌.ଡବ୍ଲୁ. ନ୍ୟୁଜର ମୁଖ୍ୟ ସ˚ପାଦକ ତଥା ସ୍ତମ୍ଭକାର ସୁଜିତ ନାୟାର କହନ୍ତି କୋଭିଡର ଘନଘଟା କାଳରେ ଏହି ଦାୟିତ୍ବ ଗଡ଼କାରୀଙ୍କୁ ପ୍ରଦାନ କରା ନ ଯିବା ହେଉଛି ବ୍ୟାଟି˚ ବିପର୍ଯ୍ୟୟ ବେଳେ ସଚିନ ତେନ୍ଦୁଲକରଙ୍କୁ ପଡ଼ିଆ ବାହାରେ ବସାଇ ରଖାଯିବା ସହିତ ସମାନ। କହିବା ବାହୁଲ୍ୟ ଯେ କୋଭିଡ୍‌-୧୯ ଏକ ଅତ୍ୟନ୍ତ ମାରାତ୍ମକ ଭୂତାଣୁ ହୋଇଥିବାରୁ ଏହାର ମୁକାବିଲା ଲାଗି ଆବଶ୍ୟକ ଜଣେ ଦକ୍ଷ ଓ କ୍ଷମତାସ˚ପନ୍ନ ପରିଚାଳକ।