ଈଶ୍ବର ଅଛନ୍ତି ନା ନାହାନ୍ତି? ଜଣେ ବୁଦ୍ଧିମାନ ବ୍ୟକ୍ତି ଏ ପ୍ରଶ୍ନର କିଭଳି ଉତ୍ତର ଦେବା ଉଚିତ୍ ହେବ? ସପ୍ତଦଶ ଶତାବ୍ଦୀର ମହାନ୍ ଫରାସୀ ଦାର୍ଶନିକ ସ୍ବଳ୍ପାୟୁ ବ୍ଲେଜ୍ ପାସ୍କାଲ୍ ମଧୢ ଥିଲେ ଜଣେ ବିଚକ୍ଷଣ ଗଣିତଜ୍ଞ ତଥା ଧର୍ମ ତତ୍ତ୍ବବିତ୍। ତାଙ୍କର ଗାଣିତିକ ମସ୍ତିଷ୍କରୁ ତେଣୁ ଏ ପ୍ରଶ୍ନର ଉତ୍ତର ବାହାରିବା ସ୍ବାଭାବିକ୍ ଥିଲା। ଯଦି ଏହି ପ୍ରଶ୍ନର ସଠିକ୍ ଉତ୍ତରକୁ ନେଇ ଏକ ଜୁଆଖେଳର ଆୟୋଜନ କରାଯାଏ (ଏକ କ୍ରିକେଟ୍ ମ୍ୟାଚ୍ର ସଠିକ ଫଳାଫଳକୁ ନେଇ ଜୁଆ ଖେଳିଲା ଭଳି) ତେବେ ଖେଳାଳିମାନେ ସେମାନେ ଦେବାକୁ ଯାଉଥିବା ଉତ୍ତରଜନିତ ଲାଭକ୍ଷତିର ସମ୍ଭାବନାକୁ ତଉଲ କରି ନିଜର ଉତ୍ତର ଦେବେ।
ଈଶ୍ବର ଅଛନ୍ତି କି ନାହାନ୍ତି- ଏହି ପ୍ରଶ୍ନର ଦୁଇଟି ସାମ୍ଭାବ୍ୟ ଉତ୍ତର ହେଲା: ‘ହଁ’ ବା ‘ନା’। ପାସ୍କାଲ୍ ହିସାବ କରି ଦେଖିଲେ ଯେ, ‘ହଁ’ କହି ଭୁଲ୍ ସାବ୍ୟସ୍ତ ହେଲେ ଖେଳାଳି ଜଣକ ଯେଉଁ କ୍ଷତିର ସମ୍ମୁଖୀନ ହେବ, ‘ନା’ କହି ଭୁଲ୍ ସାବ୍ୟସ୍ତ ହେଲେ ତା’ର ଠାରୁ ବହୁଗୁଣ ଅଧିକ କ୍ଷତିର ସମ୍ମୁଖୀନ ହେବ। କାରଣ ତୁମେ ଯଦି ‘ଈଶ୍ବର ଅଛନ୍ତି’ ବୋଲି କୁହ ଏବ˚ ଠିକ୍ ସାବ୍ୟସ୍ତ ହୁଅ, ତାହେଲେ ମୃତ୍ୟୁ ପରେ ତୁମେ ମୋକ୍ଷ ଏବ˚ ଚିର ଆନନ୍ଦ ଲାଭ କରିବ; ଯଦି ଭୁଲ୍ ସାବ୍ୟସ୍ତ ହୁଅ ତେବେ ତୁମର କିଛି କ୍ଷତି ଘଟିବ ନାହିଁ। ଅପରପକ୍ଷେ ତୁମେ ଯଦି ‘ଈଶ୍ବର ନାହାନ୍ତି’ ବୋଲି କୁହ ଏବ˚ ଠିକ୍ ସାବ୍ୟସ୍ତ ହୁଅ, ତେବେ ତୁମର ଲାଭ ହେବ ନାହିଁ କି କ୍ଷତି ହେବନାହିଁ; କିନ୍ତୁ ତମେ ଯଦି ଭୁଲ୍ ସାବ୍ୟସ୍ତ ହୁଅ, ତେବେ ମୃତ୍ୟୁ ପରେ କ୍ରୋଧିତ ଈଶ୍ବର ତୁମକୁ ଚିର ଯନ୍ତ୍ରଣାମୟ ନର୍କକୁ ପଠାଇ ଦେବା ନିଶ୍ଚିତ। ତେଣୁ ‘ଈଶ୍ବର ନାହାନ୍ତି’ କହିବା ଅପେକ୍ଷା ‘ଈଶ୍ବର ଅଛନ୍ତି’ କହିବା ବହୁଗୁଣ ଅଧିକ ନିରାପଦ ଓ ଲାଭପ୍ରଦ।
ଭାରତରେ ନିକଟ ଭବିଷ୍ୟତରେ ଚୀନା କରୋନା ଭୂତାଣୁ ଜନିତ କୋଭିଡ୍ ମହାମାରୀର ତୃତୀୟ ଲହର ଆସିବା ନିଶ୍ଚିତ ବୋଲି ଭବିଷ୍ୟତବାଣୀ କରିଥିବା ବୈଜ୍ଞାନିକମାନେ ପାସ୍କାଲ୍ଙ୍କର ଏହି ଜୁଆଖେଳ ନିୟମ ଦ୍ବାରା ଜାଣତରେ କିମ୍ବା ଅଜାଣତରେ ପ୍ରଭାବିତ ହୋଇଥିବା ପରି ମନେହୁଏ। କୋଭିଡ୍ର ଲହରକୁ ଯଦି ଈଶ୍ବରଙ୍କ ସ୍ଥାନରେ ରଖାଯାଏ, ତେବେ ‘ଈଶ୍ବର ନାହାନ୍ତି’ ଭଳି ଭାରତରେ ଦ୍ବିତୀୟ ଲହର ଆସିବ ନାହିଁ ବୋଲି ଭବିଷ୍ୟବାଣୀ କରି ତା’ର ପରାଭବ ସ୍ବରୂପ ଦୁର୍ନାମ ଅର୍ଜନ କରି ସେଥିରୁ ଶିକ୍ଷା ଲାଭ କରିଥିବା ବୈଜ୍ଞାନିକମାନେ ବର୍ତ୍ତମାନ କହିବା ଆରମ୍ଭ କରିଛନ୍ତି- ‘ଈଶ୍ବର ଅଛନ୍ତି’ ଅର୍ଥାତ୍ କୋଭିଡ୍ର ତୃତୀୟ ଲହରୀ ମାଡ଼ି ଆସିବା ନିଶ୍ଚିତ। ଯଦି ଆଗାମୀ ଦିନମାନଙ୍କରେ ସତକୁ ସତ ତୃତୀୟ ଲହରୀ ଦେଖାଦିଏ, ତେବେ ସେମାନଙ୍କର ବୃତ୍ତିଗତ ପତିଆରାରେ ବୃଦ୍ଧି ଘଟିବ; ଆଉ ଯଦି ସେମାନଙ୍କ ଭବିଷ୍ୟବାଣୀ ଭୁଲ୍ ପ୍ରମାଣିତ ହୋଇ କୋଭିଡ୍ର ତୃତୀୟ ଲହର ଆଦୌ ଦେଖା ନଦିଏ, ତେବେ ଦେଶବାସୀଙ୍କ ପାଇଁ ତାହା ଯେଉଁ ଚରମ ଆଶ୍ବସ୍ତି ଆଣି ଦେବ, ତାହାର ଆନନ୍ଦମୟ ପ୍ରଭାବରେ ସେମାନେ ଏ ଭବିଷ୍ୟବାଣୀ କଥା ଭୁଲିଯିବେ। ତେଣୁ ଭବିଷ୍ୟବକ୍ତା ମାନଙ୍କର କୌଣସି କ୍ଷତି ଘଟିବ ନାହିଁ।
ବୋଧହୁଏ ଏଇଭଳି ପାସ୍କାଲ୍ ସୁଲଭ ଜୁଆ ଗଣିତ ଅନୁସରଣ କରି ଗତ ବୁଧବାର ଦିନ କେନ୍ଦ୍ର ସରକାରଙ୍କର ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କେ ବିଜୟ ରାଘବନ ଦେଶବାସୀଙ୍କୁ ସତର୍କ କରାଇ ଦେଇଥିଲେ ଯେ ଯଦିବା ତୃତୀୟ ଲହରର ଆବିର୍ଭାବର ନିର୍ଦ୍ଦିଷ୍ଟ ସମୟ କିଛି ହେବ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ କୋଭିଡ୍ର ତୃତୀୟ ଲହରର ଆବିର୍ଭାବ ଅନିବାର୍ଯ୍ୟ। ଏଭଳି ଭବିଷ୍ୟବାଣୀ କରିବା ପଛରେ ନିହିତ ଥିବା କେତେକ ବିଜ୍ଞାନଭିତ୍ତିକ କାରଣମାନ ଉଲ୍ଲେଖ କରିବାକୁ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ଭୁଲି ନାହାନ୍ତି, ଯେଉଁଭଳି ଭାରତରେ ଦ୍ବିତୀୟ ଲହର ଆସିବ ନାହିଁ ବୋଲି ଭବିଷ୍ୟବାଣୀ କରିଥିବା ବୈଜ୍ଞାନିକମାନେ ମଧୢ ଭୁଲି ନଥିଲେ; ଯେମିତି ବନାରସ ହିନ୍ଦୁ ୟୁନିଭର୍ସିଟିର ଜେନେଟିକ୍ସ ପ୍ରଫେସର ଏଇ ମାତ୍ର ପ୍ରାୟ ଠିକ୍ ତିନିମାସ ତଳେ କରିଥିଲେ। ସେ ସମୟରେ ଜାତୀୟ ଗଣମାଧୢମରେ ପ୍ରସାରିତ ସମ୍ବାଦ ଅନୁସାରେ ସମ୍ପୃକ୍ତ ପ୍ରଫେସର ଜ୍ଞାନେଶ୍ବର ଚୌବେଙ୍କ ନେତୃତ୍ବରେ ଅନୁସନ୍ଧାନ କରୁଥିବା ବିଶ୍ବବିଦ୍ୟାଳୟର ସାଇଟୋଜେନେଟିକ୍ସ ଲାବରେଟରିର ଏକ ଟିମ୍ ଦେଶର ଅନ୍ୟ କେତେକ ବିଶ୍ବବିଦ୍ୟାଳୟମାନଙ୍କର ଅନୁରୂପ ଟିମ୍ମାନଙ୍କ ସହିତ ମିଳିତ ଅନୁସନ୍ଧାନ ଓ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ଭାରତରେ କୋଭିଡ୍ର ଦ୍ବିତୀୟ ଲହର ଦେଖା ନଦେବା ପଛରେ ସମ୍ପୂର୍ଣ୍ଣ ବିଜ୍ଞାନ ସମ୍ମତ କାରଣ ରହିଛି।
ଭାରତରେ ସେପ୍ଟେମ୍ବର, ୨୦୨୦ରେ କୋଭିଡ୍ର ପ୍ରଥମ ଲହର ଶୀର୍ଷ ଛୁଇଁ ସେ ମାସ ଶେଷ ଆଡ଼କୁ ଦୈନିକ ପ୍ରାୟ ଏକ ଲକ୍ଷ ସ˚କ୍ରମଣ ହୋଇଥିବା ବେଳେ ଫେବ୍ରୁଆରି ୨୦୨୧ ବେଳକୁ ତାହା ଦୈନିକ ପ୍ରାୟ ୧୧,୦୦୦ ମାତ୍ରକୁ ଖସି ଆସିବା ଦେଖାଯାଇଥିଲା। ପ୍ରଫେସର ଚୌବେ କହିଥିଲେ ଯେ ଏହାହିଁ ହେଉଛି ପ୍ରମାଣ ଯେ କରୋନା ଭୂତାଣୁର ପ୍ରସାର ଶୃଙ୍ଖଳ ଛିନ୍ନ ହୋଇଯାଇଛି ଓ ଏହା ଆଉ ଲହର ସୃଷ୍ଟି କରିପାରିବ ନାହିଁ। ତାଙ୍କ ଟିମ୍ ଆବିଷ୍କାର କରିବା ଦାବି କରିଥିଲା ଯେ ଭାରତରେ ପ୍ରତି ତୃତୀୟ କିମ୍ବା ଚତୁର୍ଥ ଲୋକଠାରେ କୋଭିଡ୍ ସ˚କ୍ରମଣକୁ ପ୍ରତିହତ କରିବାପାଇଁ ଆବଶ୍ୟକ ଆଣ୍ଟିବଡ଼ି ସୃଷ୍ଟି ହୋଇସାରିଛି ଏବ˚ ଦେଶ ଏକ ଗୋଠ ପ୍ରତିରୋଧିନୀ ବା ‘ହର୍ଡ ଇମ୍ୟୁନିଟି’ ହାସଲ କରିବା ଦିଗରେ ଦ୍ରୁତ ଭାବରେ ଆଗେଇ ଚାଲିଛି। ଦେଶରେ ଅଧିକା˚ଶ ଲୋକଙ୍କ ଠାରେ ରୋଗ ପ୍ରତିରୋଧିନୀ ଶକ୍ତି ସୃଷ୍ଟି ହୋଇ ସାରିଥିବାରୁ କରୋନା ଭୂତାଣୁ ଆଶ୍ରୟସ୍ଥଳୀ ହରାଇ ତା’ର ପ୍ରସାର ଶୃଙ୍ଖଳ ଛିଣ୍ତି ଛିଣ୍ତି ଯାଇଛି। ଗବେଷକମାନେ ପୁଣି ଆବିଷ୍କାର କରିଥିବା ଦାବି କରି ଥିଲେ ଯେ ଭାରତୀୟମାନେ ବହନ କରୁଥିବା ‘ଏସିଇ୨’ ନାମକ ଏକ ଜିନ୍ର ପରିବର୍ତ୍ତିତ ସ˚ସ୍କରଣ ଯୋଗୁଁ ସେମାନେ କରୋନା ଭୂତାଣୁର ସ˚ସ୍ପର୍ଶରେ ଆସିଲେ ମଧୢ ରୋଗରେ ପଡୁନଥିଲେ।
ଏ ସବୁକୁ ମିଥ୍ୟା ପ୍ରମାଣିତ କରି ବର୍ତ୍ତମାନ ଯେଉଁ ଭଳି କରାଳ ମୂର୍ତ୍ତି ଧରି କୋଭିଡ୍ର ଦ୍ବିତୀୟ ଲହରର ଦେଶରେ ଆବିର୍ଭାବ ଘଟିଛି ସେଥିରେ ଦୈନିକ ସ˚କ୍ରମଣ ସେପ୍ଟେମ୍ବରର ଶୀର୍ଷ ହାରର ଚାରିଗୁଣରୁ ଅଧିକ ହୋଇସାରିଛି। ବିଜୟ ରାଘବନ୍ ଏବେ କହିଲେଣି ଯେ ଉଭୟ ଟିକାଦାନ ଜନିତ ତଥା ଭାରତୀୟମାନଙ୍କର ପ୍ରାକୃତିକ ପ୍ରତିରୋଧିନୀ ଶକ୍ତିର ସମ୍ମୁଖୀନ ହୋଇ କରୋନା ଭୂତାଣୁ ତାହାକୁ ଅତିକ୍ରମ କରିବା ପାଇଁ ନିଜ ଠାରେ ଆବଶ୍ୟକ ପରିବର୍ତ୍ତନମାନ ଘଟାଇ ତୃତୀୟ ଲହର ସୃଷ୍ଟି କରିବାକୁ ସଜବାଜ ହେଉଛି। ତାଙ୍କର ବୁଧବାରର ଏହି ସତର୍କବାଣୀ ଦେଶବ୍ୟାପୀ କୋକୁଆ ଭୟ ସୃଷ୍ଟି କରିବା ପରେ ବୋଧହୁଏ ସରକାରଙ୍କ ଠାରୁ ଚେତାବନୀ ପାଇ ଶୁକ୍ରବାର ଦିନ ବିଜୟ ରାଘବନ୍ ଆମକୁ ସାନ୍ତ୍ବନା ଦେବାକୁ ଯାଇ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ଯେ ସରକାର ଯଦି କଠୋର ପଦକ୍ଷେପମାନ ଗ୍ରହଣ କରନ୍ତି ଏବ˚ ଜନସାଧାରଣ ଯଦି ସମସ୍ତ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତି, ତା’ହେଲେ ଚୀନା କରୋନାର ତୃତୀୟ ଲହରକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇ ହେବ। ସତେ ଯେମିତି ଏକଥା କାହାକୁ ଜଣାନଥିଲା!
ଆମ ବୈଜ୍ଞାନିକମାନଙ୍କର କରୋନା ସହିତ ଏଭଳି ପାସ୍କାଲ ସୁଲଭ ଜୁଆଖେଳ ଆମ ପାଇଁ ଯେଉଁ ସନ୍ଦେଶ ବହନ କରି ଥାଏ, ତାହା ହେଲା- ମୁହୂର୍ତ୍ତକ ପାଇଁ ମଧୢ ସତର୍କତା ହୁଗୁଳା କର ନାହିଁ!