ଘଷିତଳ ଘାସ
ଗତ ସପ୍ତାହରେ ଭାରତ ସରକାରଙ୍କର ଟେଲିକମ୍ ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ସରକାର ଦେଶରେ ଛ’ମାସ ପାଇଁ ୫ଜି ଟେକ୍ନୋଲୋଜିର ପ୍ରୟୋଗ ଓ ବ୍ୟବହାର ସମ୍ବନ୍ଧିତ ପରୀକ୍ଷା ଚଳାଇବା ନିମିତ୍ତ କେତେଗୁଡ଼ିଏ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନିମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏମାନଙ୍କ ମଧୢରେ ଏମ୍ଟିଏନ୍ଏଲ, ଜିଓ ପ୍ଲାଟ୍ଫର୍ମ୍ସ, ଭୋଡାଫୋନ୍, ଆଇଡିଆ ଓ ଏଆର୍ଟେଲ୍ ଆଦି କମ୍ପାନିମାନ ଅନ୍ତର୍ଭୁକ୍ତ। ବିଭିନ୍ନ ଦେଶର କମ୍ପାନିମାନେ ଏହି ଅନୁମୋଦିତ ତାଲିକାରେ ସ୍ଥାନ ପାଇଥିଲେ ହେଁ, ଗୋଟିଏ ହେଲେ ବି ଚୀନା କମ୍ପାନିକୁ ଏଥିପାଇଁ ଅନୁମତି ଦିଆ ଯାଇନାହିଁ।
ଏହି କମ୍ପାନିମାନେ ସେମାନଙ୍କର ପରୀକ୍ଷା ଚଳାଇବା ପାଇଁ କେଉଁ କେଉଁ କମ୍ପାନିମାନଙ୍କ ଦ୍ବାରା ପ୍ରସ୍ତୁତ ଉପକରଣ ଓ ଜ୍ଞାନକୌଶଳ ବ୍ୟବହାର କରିପାରିବେ, କେନ୍ଦ୍ର ସରକାର ତାହା ମଧ୍ୟ ନିର୍ଦ୍ଦିଷ୍ଟ କରି ଦେଇଛନ୍ତି। ଏଗୁଡ଼ିକ ହେଲେ ଏରିକ୍ସନ୍ (ସ୍ବିଡେନ୍), ନୋକିଆ (ଫିନ୍ଲାଣ୍ତ), ସାମ୍ସଙ୍ଗ୍ (ଦକ୍ଷିଣ କୋରିଆ), ଏବ˚ ସି-ଡଟ୍ (ଭାରତ)- ଚୀନା କମ୍ପାନିମାନେ ଏ ତାଲିକାରୁ ମଧୢ ବାଦ୍ ପଡ଼ିଛନ୍ତି। ନିଜ ଦ୍ବାରା ବିକଶିତ ଘରୋଇ ଜ୍ଞାନକୌଶଳ ବ୍ୟବହାର କରି ଏହି ପରୀକ୍ଷା ଚଳାଇବାକୁ ଭାରତର ଜିଓ ପ୍ଲାଟ୍ଫର୍ମକୁ ମଧୢ ଅନୁମତି ପ୍ରଦାନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଟେଲିକମ୍ ମନ୍ତ୍ରଣାଳୟ ତା’ର ବିଜ୍ଞପ୍ତିରେ କୌଣସି ଚୀନା କମ୍ପାନିକୁ ବାଦ୍ ଦିଆଯିବା ଘୋଷଣା କରି ନଥିଲେ ମଧୢ କିମ୍ବା ଚୀନ୍ର ନାମ ଧରି ନ ଥିଲେ ମଧୢ ତାଲିକାରେ ଜଳଜଳ ହୋଇ ଦେଖାଯାଉଥିବା ଦୁଇଟି ବିଶାଳ ଶୂନ୍ୟସ୍ଥାନ କାହାର ଅନୁପସ୍ଥିତି ଯୋଗୁଁ ସୃଷ୍ଟି ହୋଇଛି, ତାହା କାହାକୁ ଅଜଣା ନୁହେଁ। ସେ ଦୁଇ ଅନୁପସ୍ଥିତ କମ୍ପାନି ହେଉଛନ୍ତି ଚୀନର ‘ହୁଆେଵ’ ଏବ˚ ‘ଜେଡ୍ଟିଇ’। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ୨୦୧୯ ଡିସେମ୍ବରରେ ଭାରତ ସରକାର ଦେଶରେ ୫ଜି ପରୀକ୍ଷାରେ ହୁଆେଵକୁ ଭାଗ ନେବାକୁ ଅନୁମତି ଦେଇଥିବା ବେଳେ ଏବ˚ ଏଇମାତ୍ର ଗତ ବର୍ଷ ଏ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଭାଗ ନେଇ ନିଜର ମତବ୍ୟକ୍ତ କରିବା ଅବସରରେ ଭାରତର ଦ୍ବିତୀୟ ବୃହତ୍ତମ ଟେଲିକମ୍ ଅପରେଟର୍ ଏଆର୍ଟେଲ୍ର ମାଲିକ ସୁନୀଲ ମିତ୍ତଲ୍ ‘ହୁଆେଵ’ର ଉପକରଣ ମାନ ଏରିକ୍ସନ୍ ଓ ନୋକିଆ ଠାରୁ ଢେର୍ ଉତ୍କୃଷ୍ଟତର କହି ‘ହୁଆେଵ’ର ଭୂରି ଭୂରି ପ୍ରଶ˚ସା କରିଥିବା ପରିପ୍ରେକ୍ଷୀରେ ବର୍ତ୍ତମାନ ଏହି ଚୀନା କମ୍ପାନିମାନଙ୍କର ବହିଷ୍କାର ହୁଏତ କାହାକୁ କାହାକୁ ବେଖାପ୍ ମନେ ହେଉଥାଇପାରେ। କିନ୍ତୁ ଏହି ବହିଷ୍କାର କାର୍ଯ୍ୟାନୁଷ୍ଠାନର ମୁଖ୍ୟ ନିଶାଣ ‘ହୁଆେଵ’କୁ କେନ୍ଦ୍ର କରି ନିକଟ ଅତୀତରେ ସୃଷ୍ଟି ହୋଇଥିବା ଆନ୍ତର୍ଜାତିକ ସନ୍ଦେହ ଓ ଅସ୍ବସ୍ତି ଉପରେ ଯେଉଁମାନେ ନଜର ରଖିଥିବେ, ସେମାନେ ଏହାଦ୍ବାରା ତିଳେ ମାତ୍ର ଆଶ୍ଚର୍ଯ୍ୟ ହେବେ ନାହିଁ।
ବାସ୍ତବ ପକ୍ଷେ ଗତ ମଙ୍ଗଳବାର ଦିନ ଭାରତ ନେଇଥିବା ଏହି ପଦକ୍ଷେପ ଏଥି ପୂର୍ବରୁ ଅନୁରୂପ ନିଷ୍ପତ୍ତି ନେଇଥିବା ଆମେରିକା, ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ନେଇଥିବା ପଦକ୍ଷେପକୁ ଅନୁସରଣ କରିଛି। ଅତୀତରେ ହୁଆେଵ ପ୍ରତି ଏକ ଆନ୍ତର୍ଜାତିକ ବିରୋଧ ଭାବ ସୃଷ୍ଟି ହେବାର ମୁଖ୍ୟ କାରଣ ଥିଲା ଏହି କମ୍ପାନି ତା’ର ଉପକରଣମାନଙ୍କର ଲୁକ୍କାୟିତ ଗୁପ୍ତଚର କୌଶଳ ଦ୍ବାରା ସମ୍ପୃକ୍ତ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଗୋପନୀୟ ତଥ୍ୟମାନ ସ˚ଗ୍ରହ କରି ଚୀନ୍ ସରକାରଙ୍କୁ ପ୍ରେରଣ କରିଥାଏ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରିଥିବା ଅଭିଯୋଗ ମାନ। କିନ୍ତୁ ‘ହୁଆେଵ’କୁ ଅସ୍ପୃଶ୍ୟ କରାଯିବାର ଯଥାର୍ଥତା ଏତିକିରେ ସୀମିତ ନୁହେଁ। ଯେତେବେଳେ ଅନ୍ୟ ଦେଶମାନେ ୫ଜି ଟେକ୍ନୋଲୋଜି ବିଷୟରେ ଚିନ୍ତା କରିବା ଆରମ୍ଭ ହିଁ କରିନଥିଲେ, ସେତେବେଳ ଠାରୁ ଚୀନ୍ ସରକାର ପୃଥିବୀର ପ୍ରମୁଖ ୫ଜି ଶକ୍ତି ରୂପେ ଆବିର୍ଭୁତ ହେବାର ଯୋଜନା ଆରମ୍ଭ କରି ଦେଇଥିଲା। ବିଶାଳ ସବ୍ସିଡ଼ି ଓ ଟିକସ ରିହାତି ପ୍ରଦାନ କରି ଚୀନ୍ ସରକାର ଏହି ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ହୁଆେଵକୁ ଛିଡ଼ା କରାଇଥିଲା। ଏହି ଯୋଜନାବଦ୍ଧ ଉଦ୍ୟମର ଫଳସ୍ବରୂପ ଅନ୍ୟ ପ୍ରତିଦ୍ବନ୍ଦ୍ବୀ କମ୍ପାନିମାନେ ୫ଜି ଟେଲିକମ୍ର ଥଳକୂଳ ପାଇବା ପୂର୍ବରୁ ହୁଆେଵ ୫ଜି ମୋବାଇଲ୍ ଫୋନ୍ ହାଣ୍ତସେଟ୍ରୁ ଆରମ୍ଭ କରି ରେଡ଼ିଓ ଟାଵାର ପର୍ଯ୍ୟନ୍ତ ସମସ୍ତ କିସମର ୫ଜି ସମ୍ପର୍କିତ ଉପକରଣ ଓ ସେବା ଯୋଗାଇବାରେ ଆଧିପତ୍ୟ ହାସଲ କରି ନେଲା।
ସେତିକି ନୁହେଁ, ନିଜେ ପାଉଥିବା ସରକାରୀ ସହାୟତା ବଳରେ ହୁଆେଵ ବିଭିନ୍ନ ଦେଶରେ ଏହି ସମସ୍ତ ୫ଜି ସେବା ଓ ଉପକରଣମାନ ଏତେ ଶସ୍ତାରେ ଯୋଗାଇ ଚାଲିଲା ଯେ ଅନ୍ୟ କମ୍ପାନିମାନେ, ତା ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ସକ୍ଷମ ହେଲେ ନାହିଁ। ଅବସ୍ଥା ଏପରି ହେଲା ଯେ ‘ହୁଆେଵ’ ଓ ‘୫ଜି’ ଏକାର୍ଥବୋଧକ ଶବ୍ଦ ରୂପେ ପରିଗଣିତ ହେବାକୁ ଆରମ୍ଭ କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନିକଟ ଭବିଷ୍ୟତରେ ପ୍ରତ୍ୟେକ ଦେଶର ନିରାପତ୍ତା ବ୍ୟବସ୍ଥାରୁ ଆରମ୍ଭ କରି ଅର୍ଥନୈତିକ ବ୍ୟବସ୍ଥା, ସାମାଜିକ ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟ ବ୍ୟବସ୍ଥା ଆଦି ପର୍ଯ୍ୟନ୍ତରେ ୫ଜି ଏକ ଅବିଚ୍ଛେଦ୍ୟ ଉପାଦାନରେ ପରିଣତ ହେବାକୁ ଯାଉଥିବା ବେଳେ ଏକ ଏକଛତ୍ରବାଦୀ ଅବିଶ୍ବାସୀ ନୀତିହୀନ ବିଶାଳ କମ୍ୟୁନିଷ୍ଟ ଦେଶର ଏକଚାଟିଆ ନିୟନ୍ତ୍ରଣରେ ଏହାକୁ ଛାଡ଼ିଦେବା ଯେ ଆଦୌ ନିରାପଦ ନୁହେଁ, ପୃଥିବୀର ଗୁରୁତ୍ବପୂର୍ଣ୍ଣ ଦେଶମାନେ କ୍ରମେ ତାହା ଦୃଦୟଙ୍ଗମ କରିବାକୁ ଲାଗିଲେଣି।
ଏଠାରେ ସୂଚନାଯୋଗ୍ୟ ଯେ ଏକ ନୂତନ ପ୍ରବିଧିର ଯେତେବେଳେ ବିଶ୍ବବ୍ୟାପୀ ପ୍ରସାର ଘଟେ, ବିଭିନ୍ନ ବ୍ୟବହାରକାରୀମାନେ କ୍ରମେ ଏକ ସାଧାରଣ ମାନକ ବା ଷ୍ଟାଣ୍ତାର୍ଡ ପାଳନ କରିଥାନ୍ତି, ଯାହା ଫଳରେ ବ୍ୟବହାରରେ ତାଳମେଳ ବ୍ୟାହତ ହୁଏ ନାହିଁ। ୫ଜିର ପ୍ରସାରରେ ଯଦି ହୁଆେଵର ଏକଚାଟିଆ ଆଧିପତ୍ୟ ରହେ, ତେବେ ହୁଆେଵ ହିଁ ଏହି ଷ୍ଟାଣ୍ତାର୍ଡର ରୂପରେଖ ଦେବ। ଅର୍ଥାତ୍ ଆସନ୍ତା କାଲିର ମାନବ ସଭ୍ୟତା ହୁଆେଵ ଅର୍ଥାତ୍ ଚୀନ ସରକାର ଅର୍ଥାତ୍ ଚୀନା କମ୍ୟୁନିଷ୍ଟ ପାର୍ଟି ଦ୍ବାରା ନିୟନ୍ତ୍ରିତ ହେବ। ଭାରତରେ ପ୍ରବେଶ କରିବା ହୁଆେଵ ପାଇଁ ଏହି ଦିଗରେ ଏକ ବିଶାଳ ପଦକ୍ଷେପ ହୁଅନ୍ତା। ଶହେ ତିରିଶ କୋଟି ଲୋକସ˚ଖ୍ୟା ବିଶିଷ୍ଟ ପୃଥିବୀର ଏହି ଦ୍ବିତୀୟ ଜନବହୁଳ ରାଷ୍ଟ୍ର ଦ୍ରୁତ ଡିଜିଟାଲକରଣ ଦିଗରେ ଆଗେଇ ଚାଲିଛି। ଏଭଳି ଏକ ଦେଶରୁ ବାସନ୍ଦ ହେବା ଏହି ଚୀନା କମ୍ପାନି ପାଇଁ ପୃଥିବୀର ଏକ ପଞ୍ଚମା˚ଶ ଲୋକଙ୍କ ଠାରୁ ବାସନ୍ଦ ହେବା ଭଳି।
ଭାରତର ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ ଘଟି ଏହି ବାସନ୍ଦ ନୀତିକୁ ଜନ୍ମ ଦେବା ପଛରେ ଅବଶ୍ୟ ଯେଉଁ ତତ୍କାଳିକ କାରଣ ନିହିତ ଅଛି, ତାହା ହେଲା ସୀମାନ୍ତରେ ଚୀନ୍ ଘଟାଇ ଥିବା ଅନୁପ୍ରବେଶ। ଏବେ ତ ଏକ ସନ୍ଦେହ ଦାନା ବାନ୍ଧିବାକୁ ଆରମ୍ଭ କଲାଣି ଯେ ସାରା ପୃଥିବୀକୁ ପ୍ରଳୟ ଆତଙ୍କର ସମ୍ମୁଖୀନ କରାଇଥିବା କରୋନା ଭୂତାଣୁ ହେଉଛି ଚୀନ୍ର ଜୈବିକ ଯୁଦ୍ଧ ପାଇଁ ପ୍ରସ୍ତୁତିର ଏକ ଅ˚ଶ- ଗବେଷଣାଗାର ପ୍ରସୂତ ଏକ ଭୂତାଣୁ। ଏଭଳି ଏକ ଦେଶକୁ ୫ଜି ଭଳି ଏକ ସନ୍ଧି ସ୍ଥଳ ପ୍ରବିଧିଠାରୁ ଦୂରେଇ ରଖିବା କେବଳ ନିରାପତ୍ତା କିମ୍ବା ଅର୍ଥନୈତିକ ଦୃଷ୍ଟିରୁ ଯଥାର୍ଥ, ତାହା ନୁହେଁ, ନୈତିକତା ଦୃଷ୍ଟିରୁ ମଧୢ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ।
ଶୋଇ ପଡ଼ିଥିବା ଘାସ ଉପରୁ ଘଷି ଫଡ଼ା ଉଠିଯିବା ପରେ ନୂତନ ଘାସ କଅଁଳିବା ଭଳି, ହୁଆେଵର ଛାୟା ଅପସାରିତ ହେବା ପରେ ତା’ର ସୁପ୍ତ ପ୍ରତିଦ୍ବନ୍ଦ୍ବୀଙ୍କ ଠାରେ ପୁଣି ପ୍ରାଣ ସଞ୍ଚାର ଘଟିବ ଏବ˚ ଏକ ସୁସ୍ଥ ପ୍ରତିଯୋଗିତା ୫ଜିକୁ ଏକ ବିପଜ୍ଜନକ ଶୋଷଣକାରୀ ଟେକ୍ନୋଲୋଜିରେ ପରିଣତ ହେବାରୁ ରକ୍ଷା କରିବ।