ଅବଜ୍ଞା!

୨୦୧୯ ମସିହାରେ ଅନୁଷ୍ଠିତ ଭାରତୀୟ ବିଜ୍ଞାନ କ˚ଗ୍ରେସର ବାର୍ଷିକ ଅଧିବେଶନରେ ଯୋଗ ଦେଇ ଆନ୍ଧ୍ର ବିଶ୍ବବିଦ୍ୟାଳୟର କୁଳପତି ତଥା ‘ଇନ୍‌ଅର୍ଗାନିକ୍‌ କେମିଷ୍ଟ୍ରି’ର ପ୍ରଫେସର ଜି. ନାଗେଶ୍ବର ରାଓ କହିଥିଲେ ଯେ ମହାଭାରତର କୌରବ ଶତ ଭ୍ରାତାଙ୍କ ଜନ୍ମ ‘ଷ୍ଟେମ୍‌ ସେଲ୍‌’ ପଦ୍ଧତିରେ ହୋଇଥିବା ସମ୍ଭବ ଏବ˚ ରାମାୟଣର ଲଙ୍କା ନରେଶ ରାବଣଙ୍କ ପାଖରେ ଅତି କମ୍‌ରେ ୨୪ ପ୍ରକାର ବ୍ୟୋମଯାନ ଥିଲା ଯେଉଁଗୁଡ଼ିକର ଉଡ଼ାଣ ଓ ଅବତରଣ ଲାଗି (ବର୍ତ୍ତମାନର) ଶ୍ରୀଲଙ୍କା ଠାରେ ଅନେକ ବିମାନ ବନ୍ଦରମାନ ମଧୢ ରହିଥିଲା। ସେହି ସମ୍ମିଳନୀରେ କେ.ଜେ. କୃଷ୍ଣନ ନାମଧାରୀ ତାମିଲନାଡୁର ଜଣେ ବିଜ୍ଞାନ-ବିଦ୍ବାନ ଉପସ୍ଥାପନ କରିଥିବା ତତ୍ତ୍ବଟି କହିଥିଲା ଯେ ଆଇଜାକ ନିଉଟନ ଓ ଆଇନଷ୍ଟାଇନଙ୍କ ଦ୍ବାରା ପ୍ରମାଣିତ ତତ୍ତ୍ବଗୁଡ଼ିକ ଭ୍ରମାତ୍ମକ ହୋଇଥିବାରୁ ନାକଚ ଯୋଗ୍ୟ; ଯାହାକୁ ମାଧୢାକର୍ଷଣ ତରଙ୍ଗ ବୋଲି ଆଜି କୁହାଯାଉଛି, ତାହା ଅଚିରେ ଭାରତର ପ୍ରଧାନ ମନ୍ତ୍ରୀଙ୍କ ନାମରେ ନାମିତ ଏକ ତରଙ୍ଗ ରୂପେ ପରିଚିତ ହେବ। ଯେହେତୁ ସେହି ସମ୍ମିଳନୀଟି କୌଣସି ପୁରାଣବିତ୍‌ମାନଙ୍କ ସମାଗମ ସ୍ଥଳ ନ ଥିଲା; ଯେଉଁଠି ଭାରତୀୟ ପୁରାଣମାନଙ୍କରେ ବର୍ଣ୍ଣିତ ବିଭିନ୍ନ ବିଷୟର ତର୍ଜମା କରାଯାଇ ଆନୁମାନିକ ଭାବେ ବୈଜ୍ଞାନିକତା ରୋପଣ କରାଯିବାର ଉଦ୍ୟମ ହୋଇଥିଲା। ତାହା ଥିଲା ଭାରତର ଅତି ଉଚ୍ଚ ଦର୍ଜାର ବୈଜ୍ଞାନିକ ଓ ଗବେଷକମାନଙ୍କ ସମାବେଶ, ଯେଉଁଠି ସେମାନେ ତଟସ୍ଥ ହୋଇ ଏହି ଦୁଇ ସତୀର୍ଥଙ୍କ ବ୍ୟାଖ୍ୟାନ ଶୁଣିଥିଲେ। କହିବା ବାହୁଲ୍ୟ ଯେ ବିଜ୍ଞାନ କ˚ଗ୍ରେସରେ ସର୍ବଦା ଶୁଣିବାକୁ ମିଳୁଥିବା ଗମ୍ଭୀର ବୈଜ୍ଞାନିକ ଚିନ୍ତନ ପ୍ରସୂତ ସ˚ଦର୍ଭ ପରିପ୍ରେକ୍ଷୀରେ ଏହି ଉପସ୍ଥାପନା ଦ୍ବୟ ଥିଲେ ଆଧୁନିକ ବିଜ୍ଞାନ ଓ ଗବେଷଣା ପ୍ରତି ଅବଜ୍ଞା। ଏହି ପୃଷ୍ଠଭୂମିରେ ଯଦି ସ˚ପ୍ରତି ଭାରତ ସାମନା କରୁଥିବା କୋଭିଡ୍‌ର ଅତ୍ୟନ୍ତ ଭୟାବହ ଦ୍ବିତୀୟ ତରଙ୍ଗ ସ˚ପର୍କରେ ବିଚାର କରାଯାଏ, ତେବେ ଯାହା ସ୍ପଷ୍ଟ ହେବ, ତାହା ହେଲା ବିଜ୍ଞାନ, ଗବେଷଣା ଓ ବିଚକ୍ଷଣ ବୈଜ୍ଞାନିକଙ୍କ ପ୍ରତି ଏହି ଅବଜ୍ଞାର ଧାରା ଜାରି ରହିଥିବାରୁ ଆଜି ପରିଣାମ ଏଭଳି ସା˚ଘାତିକ ହୋଇଛି।

୨୦୨୦ ମସିହା ସେପ୍‌ଟେମ୍ବର ମାସରେ ଯେତେବେଳେ ଭାରତରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟାରେ କ୍ରମାଗତ ହ୍ରାସ ଘଟି ସାଧାରଣ ଭାବେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ କରୋନା ପଳାୟନମାନ, ସେତିକି ବେଳେ ପୃଥିବୀର ସର୍ବାଧିକ ସମ୍ମାନାସ୍ପଦ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦ ଲାନ୍‌ସେଟ୍‌’ରେ ପ୍ରକାଶିତ ‘କୋଭିଡ୍‌ ଇନ୍‌ ଇଣ୍ତିଆ: ଦ ଡେଞ୍ଜର୍ସ ଅଫ୍‌ ଫଲ୍‌ସ ଅପ୍‌ଟିମିଜମ’ ବା ‘ଭାରତରେ କୋଭିଡ୍‌: ମିଛ ଆଶାବାଦର ବିପଦ’ ଶୀର୍ଷକ ସ˚ପାଦକୀୟ (ସେପ୍ଟେମ୍ବର ୨୬) ଆମ ଦେଶ ଉପରେ ଝା˚ପି ପଡ଼ିବା ଲାଗି ଉଦ୍ୟତ ଏକ ଦ୍ବିତୀୟ ତରଙ୍ଗ ସମ୍ବନ୍ଧରେ ଚେତାବନୀ ଦେଇଥିଲା। କିନ୍ତୁ ତାହାକୁ ସରକାରଙ୍କ ଦ୍ବାରା ସ˚ପୂର୍ଣ୍ଣ ରୂପେ ନଜରଅନ୍ଦାଜ କରି ଦିଆଗଲା। ଚଳିତ ବର୍ଷ ଜାନୁଆରିରେ ସରକାରଙ୍କ ନିଜସ୍ବ ‘ନେସନାଲ ସାଇଣ୍ଟିଫିକ୍‌ ଟାସ୍କ୍‌ ଫୋର୍ସ‌୍‌ ଅନ୍‌ କୋଭିଡ୍‌-୧୯’ ତାଙ୍କର ବୈଠକ ବନ୍ଦ କରି ଦେଲେ। ତା’ ପରେ ମାର୍ଚ୍ଚ ମାସରେ ‘ଇଣ୍ତିଆନ ସାର୍ସ‌୍‌ କୋଭ-୨ ଜେନୋମିକ୍‌ସ କନସର୍ଟିଅମ’ ବା ‘ଆଇ.ଏନ.ଏସ.ଏ.ସି.ଓ.ଜି.’ ଦ୍ବାରା ପ୍ରସ୍ତୁତ ରିପୋର୍ଟକୁ ସରକାର ଗୁରୁତ୍ବ ପ୍ରଦାନ କଲେ ନାହିଁ, ଯାହା ଅତ୍ୟନ୍ତ ମାରାତ୍ମକ ଭୂତାଣୁ ଷ୍ଟ୍ରେନ୍‌ ବାବଦରେ ଚେତାଇ ଦେଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିବା ଏକ ଖୋଲା ପତ୍ରରେ ସ୍ବାକ୍ଷର କରି ଶତାଧିକ ବୈଜ୍ଞାନିକ ଭାଇରସର ଅତ୍ୟନ୍ତ ଘାତକ ସ˚କ୍ରମଣଶୀଳତା ବିଷୟରେ ଜଣାଇ ଆଇ.ସି.ଏମ.ଆର. ଦ୍ବାରା ପ୍ରଦତ୍ତ ସୂଚନା ବା ‘ଡାଟା’ ସେମାନଙ୍କ ତର୍ଜମା ଲାଗି ଉପଲବ୍‌ଧ କରାଇବାକୁ ଅନୁରୋଧ କରିଥିଲେ ସୁଦ୍ଧା, ଚିଠିଟି ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ଦ୍ବାରା ଏକ ସ୍ବୀକୃତି ପତ୍ର ଛଡ଼ା ଆଉ କିଛି ଲାଭ କରି ନ ଥିଲା। କହିବା ନିଷ୍ପ୍ରୟୋଜନ ଯେ ବୈଜ୍ଞାନିକ, ଜନ ସ୍ବାସ୍ଥ୍ୟ ଗବେଷକ ଏବ˚ ଚିକିତ୍ସାବିତ୍‌ମାନଙ୍କ ପ୍ରତି ଯଦି ଉଚିତ ସମୟରେ କର୍ଣ୍ଣପାତ କରାଯାଇ ଥାଆନ୍ତା, ତେବେ ହୁଏ’ତ ଆଜି ସ୍ଥିତି ଭିନ୍ନ ପ୍ରକାରେ ଦିଶି ଥାଆନ୍ତା।

ଏହି ପରିପ୍ରେକ୍ଷୀରେ ଉଲ୍ଲେଖ କରାଯାଇପାରେ କି ଭାରତରେ ପ୍ରାକ୍‌ ସ୍ବାଧୀନତା କାଳରେ ମଧୢ ବୈଜ୍ଞାନିକ ଭିତ୍ତିରେ ଡାଟା ସ˚ଗ୍ରହର ଏକ ବଳିଷ୍ଠ ଦକ୍ଷତା ଦେଖିବାକୁ ମିଳିଥିଲା। ବିଶିଷ୍ଟ ବୈଜ୍ଞାନିକ ପି.ସି. ମହାଲୋନବିସ ଏବ˚ ପି.ଭି. ସୁଖାତ୍ମେ ମିଳିତ ଭାବେ ସରକାରଙ୍କ ସହିତ କାର୍ଯ୍ୟ କରି ‘ରାଣ୍ତମ୍‌ ସା˚ପଲି˚’ (ଅନିର୍ଦ୍ଦିଷ୍ଟ ନମୁନା ସ˚ଗ୍ରହ) ପଦ୍ଧତିରେ ‘ଡାଟା’ ସ˚ଗ୍ରହ କରିବା ଓ ସାଇତି ରଖିବାର ଯେଉଁ ସମର୍ଥ ଭିତ୍ତିଭୂମିଟିଏ ପ୍ରସ୍ତୁତ କରିଥିଲେ, ତାହା ଥିଲା ପୃଥିବୀର ବୃହତ୍ତମ ତଥା ଅଦ୍ବିତୀୟ ଏବ˚ ‘ଜାତୀୟ ନମୁନା ସର୍ବେକ୍ଷଣ’ ବା ‘ନେସନାଲ ସେ˚ପଲ ସର୍ଭେ’ର ମୂଳଦୁଆ। ଉଳ୍ଲେଖନୀୟ ଯେ ଏଭଳି ଅନେକ ‘ଡାଟାବେସ୍‌’ ଆଧାରରେ ଯୋଜନା ପ୍ରସ୍ତୁତ କରି ଆମ ଦେଶ ପୋଲିଓ, ଯକ୍ଷ୍ମା ଓ ଏଡ୍‌ସ ଭଳି ଅତ୍ୟନ୍ତ ମାରାତ୍ମକ ସ˚କ୍ରାମକ ବ୍ୟାଧିର ସଫଳ ମୁକାବିଲା କରିପାରିଛି। କିନ୍ତୁ ସ˚ପ୍ରତି କରୋନା ପାନ୍‌ଡେମିକ୍‌ ପରିପ୍ରେକ୍ଷୀରେ ଅସ˚ଖ୍ୟ ଅଭିଯୋଗ ଆସିଥାଏ ଯେ ସରକାରଙ୍କ ପକ୍ଷରୁ କୋଭିଡ୍‌ ସୂଚନାକୁ ଅବଦମନ କରିବାର ପ୍ରୟାସ ହେଉଛି, ଯାହା ଫଳରେ ଭାରତର ଭାବମୂର୍ତ୍ତି ଅପେକ୍ଷାକୃତ କମ୍‌ ମଳିନ ଦିଶିବ। ଏକ ଉଦାହରଣ ସ୍ବରୂପ ଯେଉଁ ଏକ ନିର୍ଦ୍ଦିଷ୍ଟ ଅବଧିରେ ଦିଲ୍ଲୀର ଶ୍ମଶାନରେ ଶବ ଦାହର ସ˚ଖ୍ୟା ସହସା ୧୬ ପ୍ରତିଶତ ବୃଦ୍ଧି ପାଇଥିବା ବିଷୟ ବିଭିନ୍ନ ଗଣମାଧୢମରେ ପ୍ରକାଶିତ ହୋଇଥିଲା, ସେହି ସମୟ ଖଣ୍ତରେ ଦିଲ୍ଲୀରେ କୋଭିଡ୍‌ ମୃତ୍ୟୁ ସ˚ଖ୍ୟା ଅତ୍ୟନ୍ତ ନଗଣ୍ୟ ବୋଲି ଦର୍ଶାଯାଇଥିଲା। ଯଦିଓ ଏହା ସତ ଯେ ବିଭିନ୍ନ ସ˚ଦର୍ଭରେ ସ˚ଗୃହୀତ ‘ଡାଟା’କୁ ବକ୍ରତା ପ୍ରଦାନ କରି ଅଥବା ‘ଡାଟା’ ସ˚ରଚନାରେ ବିକୃତି ଘଟାଇ ୨୦୦୦ ମସିହା ଠାରୁ ବିଭିନ୍ନ ସରକାରଙ୍କ ଦ୍ବାରା ଖାଦ୍ୟାଭାବ, ଅପପୁଷ୍ଟି, ଶିଶୁ ବା ମାତା ମୃତ୍ୟୁ ହାର, ଦାରିଦ୍ର୍ୟ ସୀମାରେଖା ନିମ୍ନରେ ଥିବା ଜନସ˚ଖ୍ୟା ଆଦି ବିଷୟରେ ସୁହାଇଲା ଭଳି ଚିତ୍ର ଉପସ୍ଥାପନ କରା ଯାଇଆସୁଛି, କୋଭିଡ୍‌ ସ˚କ୍ରମଣ ସଂଦର୍ଭରେ ଏଭଳି ଉଦ୍ୟମ ଯେ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇଛି, ତାହା ହୃଦ୍‌ବୋଧ କରିହୁଏ।

ସାଧାରଣତଃ ବୈଜ୍ଞାନିକ ବା ଗବେଷକମାନେ ନିରବ ସାଧକ ହୋଇଥିବା ସ୍ଥଳେ ରାଜନେତା ଏବ˚ ସାଧାରଣ ଜନତା ପ୍ରଗଳ୍‌ଭ ଏବ˚ କୋଳାହଳପ୍ରିୟ ହୋଇ ଥାଆନ୍ତି। ତେବେ କୋଭିଡ୍‌ ପାନ୍‌ଡେମିକ୍‌ କାଳରେ ଭୂତାଣୁର ସ˚କ୍ରମଣ ଓ ମାରକ କ୍ଷମତାକୁ ଦୃଷ୍ଟିରେ ରଖି ଏବ˚ ଏହାର ବିବର୍ତ୍ତିତ ରୂପ କିଭଳି ଦାରୁଣ ବିପର୍ଯ୍ୟୟର ଘନଘଟା ସୃଷ୍ଟି କରିପାରେ, ତାହାକୁ ଆଗୁଆ ଦେଖି ପାରି ଅନେକ ଗବେଷକ ନିରବତାର ବଳୟ ମଧୢରୁ ବାହାରି ଆସି ଆମ ସମସ୍ତଙ୍କୁ ଏ ବାବଦରେ ଚେତାଇ ଦେବାରେ ବ୍ୟାପୃତ ହୋଇଥିଲେ। କିନ୍ତୁ ବିଡ଼ମ୍ବନା ଯେ ସାରା ପୃଥିବୀରେ ଦୃଷ୍ଟିଗୋଚର ହୋଇଥିବା ଭଳି ଭାରତରେ ମଧୢ ଏହି ପାନ୍‌ଡେମିକ୍‌ ସମୟରେ ବିଜ୍ଞାନର ରାଜନୀତୀକରଣ ହେବା ସହିତ କେତେକ ବୈଜ୍ଞାନିକ ସେମାନଙ୍କ ବ୍ୟକ୍ତିଗତ ରାଜନୈତିକ ଆଦର୍ଶକୁ ଗୁରୁତ୍ବ ପ୍ରଦାନ କରି ଏହି ସ˚କ୍ରମଣକୁ ଭିନ୍ନ ରୂପେ ବ୍ୟାଖ୍ୟା କରିଛନ୍ତି; ଯାହା ଅହେତୁକ ସ˚ଶୟ ମଧ୍ୟ ସୃଷ୍ଟି କରିଛି। ଏବ˚ ଏହି ପ୍ରକରଣରେ ଦୁର୍ଭାଗ୍ୟଜନକ ଭାବେ ସରକାରଙ୍କୁ ସୁହାଇବା ଭଳି ଅନେକ ବୈଜ୍ଞାନିକ ମତ ଗୁରୁତ୍ବ ଲାଭ କରିଥିବା ବେଳେ ଅନେକ ଯଥାର୍ଥ ମତ ବିଲୁପ୍ତି ଗର୍ଭକୁ ନିକ୍ଷେପିତ ହୋଇଛି। ଏଭଳି ଅବଜ୍ଞା ଅନେକ ବୈଜ୍ଞାନିକ ଓ ଗବେଷକଙ୍କୁ ହତାଶ କରିଥିବ ଏବ˚ ପୁନଶ୍ଚ ସେମାନେ ନିଜ ନିରବ ସାଧନା ମଧୢକୁ ଫେରିଯାଇ ଭ୍ୟାକସିନ ଓ ଔଷଧ ନିର୍ମାଣରେ ମଗ୍ନ ହୋଇଥିବେ। କିନ୍ତୁ ସେମାନଙ୍କୁ ଅବଜ୍ଞା କରାଯିବାର ପରିଣାମକୁ ଆମେ ସମସ୍ତେ ଏବେ ସାମନା କରୁଛୁ।

ସମ୍ବନ୍ଧିତ ଖବର