ଅଦୃଶ୍ୟ ‘ଦାଦା’

ଏହି ଶୀର୍ଷକ ଦେଖି ଯଦି ଏହି ସ୍ତମ୍ଭର କୌଣସି ପାଠକ-ପାଠିକା ମନରେ ଧରି ନେଇଥିବେ ଯେ ଏଠାରେ ଅଦୃଶ୍ୟ କୋଭିଡ୍‌ ଭୂତାଣୁ ବିଷୟରେ ଆଲୋଚନା କରାଯାଉଛି, ତେବେ ସେମାନେ ଭ୍ରାମାତ୍ମକ ସାବ୍ୟସ୍ତ ହେବେ। କିନ୍ତୁ ଏଠାରେ ମଧୢ ଏକ ଅଦୃଶ୍ୟ ମହା ବଳଶାଳୀ ଅପଶକ୍ତି ବିଷୟରେ ଆଲୋଚନା କରାଯାଇଛି, ଯାହା ଅଚିରେ ସାରା ପୃଥିବୀ ଲାଗି ନୂତନ ମୁଣ୍ତ ବ୍ୟଥାର କାରଣ ହୋଇପାରେ। ଯେଉଁମାନେ ଯୁକ୍ତରାଷ୍ଟ୍ର ଆମେରିକାରେ ଗଲା ୭ ତାରିଖ ଦିନ ଘଟି ଯାଇଥିବା ଏକ ସ˚କଟ ବିଷୟରେ ଅବଗତ ଥିବେ, ସେମାନେ ଏହି ଅଦୃଶ୍ୟ ଅପଶକ୍ତିି ବିଷୟରେ ଠଉରେଇ ସାରିବେଣି। ତେବେ ଯେଉଁମାନେ ଏ ସ˚ପର୍କରେ ଜାଣି ନ ଥିବେ, ସେମାନଙ୍କ ସକାଶେ ଆମେରିକାରେ ଘଟିଥିବା ଘଟଣାଟିର ଏକ ପୃଷ୍ଠଭୂମି ପ୍ରଦାନ କରିବା ସହିତ ଏହି ସ˚କଟ ସମ୍ବନ୍ଧରେ କିଞ୍ଚିତ ଆଲୋଚନା କରାଯିବା ଆବଶ୍ୟକ ବୋଲି ମନେ ହୋଇଥାଏ।

ଘଟଣାର ପୃଷ୍ଠଭୂମି ଏହିପରି: ଯୁକ୍ତରାଷ୍ଟ୍ର ଆମେରିକାର ସର୍ବବୃହତ୍‌ ଡିଜେଲ ଏବ˚ ପେଟ୍ରୋଲ ଯୋଗାଣକାରୀ ସ˚ସ୍ଥା ‘କଲୋନିଆଲ ପାଇପ ଲାଇନ୍‌’ ହଠାତ୍‌ ଗଲା ୭ ତାରିଖ ଦିନ ତାର କାର୍ଯ୍ୟ ସ˚ପୂର୍ଣ୍ଣ ବନ୍ଦ କରିଦେଲା। କହିବା ଅନାବଶ୍ୟକ ଯେ ଏହା ଫଳରେ ଆଟଲାଣ୍ଟିକ୍‌ ମହାସାଗର ତଟବର୍ତ୍ତୀ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବ ଭାଗରେ ହାହାକାର ଖେଳିଗଲା(ଯେଉଁଠି ନ୍ୟୁୟର୍କ ମହାନଗରୀ ଅବସ୍ଥିତ), କାରଣ ଗାଡ଼ିମଟର ଠାରୁ ଆରମ୍ଭ କରି ବିମାନ ପର୍ଯ୍ୟନ୍ତର ଚଳାଚଳ ହିଁ ଆମେରିକାର ଧମନୀରେ ରକ୍ତ ପ୍ରବାହ ପରି ସେଠାକାର ଜୀବନକୁ ଧରି ରଖିଥାଏ। ଇନ୍ଧନର ଏଭଳି ସହସା ଅନୁପଲବ୍‌ଧତା କାରଣରୁ ଲୋକେ ପ୍ରାଣ ବିକଳରେ ଅଧିକ ଇନ୍ଧନ କିଣି ଗଚ୍ଛିତ କରିବାକୁ ବସିଲେ; ପେଟ୍ରୋଲ ପ˚ପ୍‌ ସାମନାରେ ଏଭଳି ଭିଡ଼ ଓ ଲମ୍ବା ଧାଡ଼ି ଦେଖିବାକୁ ମିଳିଲା, ଯାହା ପୂର୍ବରୁ କେବେ ହେଲେ ଦେଖିବାକୁ ମିଳି ନ ଥିଲା।

ପରିସ୍ଥିତି ଏଭଳି ଶୋଚନୀୟ ହୋଇ ପଡ଼ିଲା ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଜନସାଧାରଣଙ୍କୁ ଶାନ୍ତ ରହିବାକୁ ନିବେଦନ କଲେ। ତେବେ ସମସ୍ତଙ୍କୁ ଆଶ୍ବସ୍ତ କରି ଗଲା ବୁଧବାର ଦିନ ‘କଲୋନିଆଲ୍‌ ପାଇପ୍‌ ଲାଇନ୍‌’ ପୁଣି ତାର କାର୍ଯ୍ୟ ଆରମ୍ଭ କରିଛି ଏବ˚ ରାଷ୍ଟ୍ରପତି ବାଇଡେନ୍‌ ସ୍ବୟ˚ ଏହି ଖବର ଦେଶବାସୀଙ୍କୁ ଜଣାଇଛନ୍ତି। ତେବେ ୫୫୦୦ ମାଇଲ୍‌ ଦୀର୍ଘ ଏହି ପାଇପ୍‌ ଲାଇନ ଯାହା ଆମେରିକାର ଅର୍ଧାଧିକ ଇନ୍ଧନ ଚାହିଦା ମେଣ୍ଟାଇ ଥାଏ, କାର୍ଯ୍ୟକ୍ଷମ ହୋଇ ସାରିଥିଲେ ସୁଦ୍ଧା ସର୍ବତ୍ର ଇନ୍ଧନ ପହଞ୍ଚି ସ୍ବାଭାବିକ ଅବସ୍ଥା ଫେରିବାକୁ ଆହୁରି ଅନେକ ଦିନ ଲାଗିଯାଇପାରେ।

ତେବେ କଥା ହେଲା, ହଠାତ୍‌ ‘କଲୋନିଆଲ୍‌ ପାଇପ୍‌ ଲାଇନ୍‌’ ତାର ସମସ୍ତ କାର୍ଯ୍ୟ ହଠାତ୍‌ ବନ୍ଦ କରିଦେଲା କାହିଁକି? ତାର କାରଣ ହେଲା ହଠାତ୍‌ ‘କଲୋନିଆଲ୍‌ ପାଇପ୍‌ ଲାଇନ୍‌’ କ˚ପାନିର ‘େଵବ୍‌ ସାଇଟ୍‌’ରେ ଏକ ‘ମାଲେଵର‌୍‌’(କ˚ପ୍ୟୁଟର ଭାଇରସ୍‌ ତୁଲ୍ୟ)ର ଆବିର୍ଭାବ ଘଟି ଏକ ବିପୁଳ ପରିମାଣର ‘ଦାଦା ବଟି’ ଦାବି କରିଥିଲା; ଯେଉଁ କାରଣରୁ ଏହି ‘ମାଲେଵର’କୁ ‘ରାନସମ ମାଲେଵର‌୍‌’ ବୋଲି କୁହାଯାଉଛି। ସୁତରା˚, କ˚ପାନି ତୁରନ୍ତ ପାଇପ ଲାଇନ୍‌କୁ ବନ୍ଦ କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଦେଲେ, ଯାହା ହୋଇ ନ ଥିଲେ କ˚ପାନିର କଂପ୍ୟୁଟର ନେଟ୍‌ୱାର୍କ‌୍ ବ୍ୟବସ୍ଥା ଭୁଶୁଡ଼ି ପଡ଼ି ଅକଳ୍ପନୀୟ କ୍ଷତିର କାରଣ ହୋଇଥାଆନ୍ତା। ତେବେ, କ˚ପାନି ପକ୍ଷରୁ ପୁନଶ୍ଚ କାର୍ଯ୍ୟ ଆରମ୍ଭ ହେବା ପରେ ମଧ୍ୟ ସମସ୍ୟାର ସମାଧାନ ଦିଗରେ ସେମାନେ କେଉଁ ପଦକ୍ଷେପ ନେଇଛନ୍ତି; ସେ ନେଇ ଘୋର ନିରବତା ଅବଲମ୍ବନ କରାଯାଉଛି। ତେବେ, ‘ଵାଲ ଷ୍ଟ୍ରିଟ୍‌ ଜର୍ନାଲ’ ଏବ˚ ‘ନ୍ୟୁୟର୍କ ଟାଇମ୍‌ସ’ରେ ପ୍ରକାଶିତ ସମ୍ବାଦ ଅନୁଯାୟୀ ‘କଲୋନିଆଲ୍‌ ପାଇପ ଲାଇନ୍‌’ ଏହି ‘ଦାଦା ବଟି’ ମାଗିଥିବା ସ˚ସ୍ଥାକୁ ୫ ନିୟୁତ ଡଲାର ଦେଇ ତା’ କବଳରୁ ମୁକ୍ତି ପାଇଛି; ପୁଣି ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା ଏହି ଅର୍ଥ ଦେଣନେଣ କାରବାରର ଚିହ୍ନ ଯେମିତି ଆଦୌ ନ ରହେ, ସେଥି ଲାଗି ଡିଜିଟାଲ ମୁଦ୍ରା ‘ବିଟ୍‌ କଏନ୍‌’ର ସାହାଯ୍ୟ ନିଆଯାଇଛି।

ଉଲ୍ଲେଖଯୋଗ୍ୟ ଭାବେ ‘ହ୍ବାଇଟ୍‌ ହାଉସ୍‌’ ପକ୍ଷରୁ ଗଣମାଧୢମରେ ପ୍ରକାଶିତ ଏଭଳି ସମ୍ବାଦକୁ ନାକଚ କରାଯାଇ ନାହିଁ, କିନ୍ତୁ କୁହାଯାଇଛି ଯେ ଏଭଳି କାରବାର ଯଦି ଲୁଚାଛପାରେ ହୋଇଥାଏ, ତେବେ ତାହା ଔଚିତ୍ୟ ବାହାରେ। ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ଯେ ଯେଉଁ ସ˚ସ୍ଥା ଏଭଳି ‘ଦାଦା’ ଗିରି ପ୍ରଦର୍ଶନ କରିଛି, ତାହା ନିଜକୁ ‘ଡାର୍କ ସାଇଡ୍‌’(ଅନ୍ଧକାର ଦିଗ) ବୋଲି ଅଭିହିତ କରିଛି। ସନ୍ଦେହ କରାଯାଉଛି ଯେ ରୁଷିଆରୁ ବା ପୂର୍ବତନ ସୋଭିଏତ୍‌ ବ୍ଳକ୍‌ ଅନ୍ତର୍ଗତ କୌଣସି ରାଷ୍ଟ୍ରରୁ ଏଭଳି କାଣ୍ତ ଘଟାଯାଇଛି। ଏହି ସ˚ଦର୍ଭରେ ଏଭଳି ଖବର ମଧୢ ପ୍ରକାଶିତ ହୋଇଛି ଯେ ‘ଡାର୍କ ସାଇଡ୍‌’ ଦ୍ବାରା ପୂର୍ବରୁ ଵାସି˚ଟନ ଡି.ସି. ପୁଲିସ ବିଭାଗର େଵବ୍‌ ସାଇଟ୍‌’କୁ ମଧ୍ୟ ହ୍ୟାକି˚ କରାଯାଇ ସାରିଛି। ଏହି ପ୍ରକରଣରେ ଯାହା ଉଦ୍‌ବେଗଜନକ, ତାହା ହେଲା ‘ଡାର୍କ ସାଇଡ୍‌’ ପାଖରେ ଏବେ ଵାସି˚ଟନ ଡିସି ପୁଲିସ ବିଭାଗର ୨୨ ଗିଗା ବାଇଟ୍‌ ପରିମାଣର ଅତ୍ୟନ୍ତ ବିଶାଳ ସୂଚନା ଓ ତଥ୍ୟ ଉପଲବ୍‌ଧ, ଯାହାର ମନ୍ଦ ବ୍ୟବହାର ପୁଲିସ ବିଭାଗ ଲାଗି ଏକ ଅତ୍ୟନ୍ତ ଅପ୍ରୀତିକର ଆହ୍ବାନ ସୃଷ୍ଟି କରିପାରେ। ଏହି ପରିପ୍ରେକ୍ଷୀରେ ସ୍ମରଣ କରାଯାଇ ପାରେ କି ଗଲା ଅକ୍ଟୋବର ମାସରେ ମହାରାଷ୍ଟ୍ର ବିଦ୍ୟୁତ୍‌ ଗ୍ରୀଡ୍‌ ହଠାତ୍‌ ସ˚ପୂର୍ଣ୍ଣ ଅଚଳ ହୋଇ ଯାଇ ଅଭୂତପୂର୍ବ ଭାବେ ବେଶ୍‌ କେଇ ଘଣ୍ଟା ଧରି ମୁମ୍ବାଇ ମହାନଗରୀକୁ ସ˚ପୂର୍ଣ୍ଣ ଅନ୍ଧକାର ମଧୢକୁ ଠେଲି ଦେଇଥିଲା। ସେହି ସମୟରେ ଲଦାଖ ଠାରେ ଭାରତୀୟ ସେନା ଆଖି ଡୋଳାକୁ ଆଖି ଡୋଳା ମିଶାଇ ଚୀନା ସୈନିକମାନଙ୍କ ସାମନା କରୁଥିଲେ। ଅଚିରେ ଜଣା ପଡ଼ି ଯାଇଥିଲା ଯେ ଚୀନର ଏକ ସାାଇବର ହ୍ୟାକି˚ ଦଳ ମହାରାଷ୍ଟ୍ର ବିଦ୍ୟୁତ୍‌ ବିଭାଗର େଵବ୍‌ ସାଇଟ୍‌ ଭିତରକୁ ପ୍ରବେଶ କରି ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବାରେ ସଫଳ ହୋଇଥିଲା।

ତେବେ ପ୍ରଣିଧାନଯୋଗ୍ୟ ଯେ ଅଦୃଶ୍ୟ ଭାବେ ରହି ଏଭଳି କାର୍ଯ୍ୟ କରିବାକୁ ସକ୍ଷମ ସ˚ସ୍ଥା ବା ସଂଗଠନ ଉପରେ ଅପାତତଃ ସହସା କୌଣସି ପ୍ରତିକ୍ରିୟାମୂଳକ କାର୍ଯ୍ୟାନୁଷ୍ଠାନ କରାଯିବା ଅସମ୍ଭବ। ସୁତରା˚, ଏବେ ଏଭଳି ସମ୍ଭାବନାମାନ ଉଭା ହେଲେଣି, ଯହିଁରେ ବିନା ରକ୍ତପାତରେ ବା ବିନା ଗୁଳିଗୋଳା ଶବ୍ଦରେ କୌଣସି ରାଷ୍ଟ୍ର ଉପରେ ଆକ୍ରମଣ ଭିଆଇ ତା’ର ଅନ୍ତଃ ସ୍ଥଳରେ ଆଘାତ ପହଞ୍ଚା ଯାଇପାରେ। ପୁନଶ୍ଚ, ଏହି ଆକ୍ରମଣ କୌଣସି ରାଷ୍ଟ୍ର ଦ୍ବାରା ସିଧାସଳଖ ଭାବେ କରା ନ ଯାଇ ତା’ ଦ୍ବାରା ପ୍ରାୟୋଜିତ କୌଣସି ସ˚ସ୍ଥା ମାଧୢମରେ ମଧୢ କରାଯାଇପାରେ। କେବଳ ସେତିକି ନୁହେଁ, କୌଣସି ଦୁଷ୍ଟ ସ˚ଗଠନ ଇଚ୍ଛା କଲେ ଓ ଅନୁରୂପ ଦକ୍ଷତା ହାସଲ କଲେ ଅର୍ଥ ଲାଭ ଲାଗି ହେଉ ବା ଅନ୍ୟାନ୍ୟ କୌଣସି ହୀନ ସ୍ବାର୍ଥ ସାଧନ ଲାଗି ହେଉ, ଏଭଳି ଆକ୍ରମଣ କରିପାରେ। ସୁତରା˚, ଏଭଳି ସ୍ଥିତିରେ ପୃଥିବୀର ରାଷ୍ଟ୍ରଗୁଡ଼ିକ ସେମାନଙ୍କ ସାର୍ବଭୌମ ଅଖଣ୍ତତା ଅକ୍ଷୁଣ୍ଣ ରହିଥିବା ସତ୍ତ୍ବେ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହୋଇପାରନ୍ତି।

କହିବା ବାହୁଲ୍ୟ ଯେ ଏଭଳି ଅପଶକ୍ତିମାନଙ୍କ ମୁକାବିଲା କରିବା ଲାଗି ବିଭିନ୍ନ ରାଷ୍ଟ୍ର ଅତ୍ୟନ୍ତ ଦକ୍ଷତା ସ˚ପନ୍ନ ପ୍ରତିରୋଧକ ବ୍ୟବସ୍ଥା ଆରମ୍ଭ କଲେଣି। ବିକଶିତ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ଗବେଷଣାରେ ବିପୁଳ ଅର୍ଥ ମଧୢ ବ୍ୟୟ କରୁଛନ୍ତି। କିନ୍ତୁ ଏହା ମଧୢ ପାଶୋରି ଯିବା ଉଚିତ ନୁହେଁ ଯେ ଯେଉଁ ବ୍ୟକ୍ତିବିଶେଷ ବା ସ˚ସ୍ଥା ଏଭଳି ଅନ୍ତର୍ଘାତୀ କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେମାନେ ମଧୢ ଅତ୍ୟନ୍ତ ବିଚକ୍ଷଣ; ଏବ˚ କୁହାଯାଉଛି ଯେ ସେମାନେ ‘ପତ୍ରେ ପତ୍ରେ ଚାଲିବା’ ଭଳି ଚତୁରତା ରଖିଥାନ୍ତି।

ସା˚ପ୍ରତିକ ପୃଥିବୀ ପ୍ରାୟ ସବୁ କ୍ଷେତ୍ରରେ ସୂଚନା ପ୍ରଯୁକ୍ତି ଉପରେ ସ˚ପୂର୍ଣ୍ଣ ନିର୍ଭରଶୀଳ ହୋଇ ପଡ଼ିଛି। ଏଭଳି ସ୍ଥଳେ ପୃଥିବୀକୁ ଅଚଳ କରି ଦେବା ପାଇଁ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ଯେ ସମର୍ଥ, ସେମିତି ସନ୍ଦେଶ ସେମାନେ ପ୍ରେରଣ କଲେଣି। ଏହା ଦ୍ବାରା ଏକ ନୂଆ ପ୍ରକାର ଅଦୃଶ୍ୟ ଆତଙ୍କବାଦ ସୃଷ୍ଟି ହେବାର ଆଶଙ୍କା ରହିଛି। କିଏ ଜାଣିଲା ପାଞ୍ଚ ନିୟୁତ ଡଲାର ଦାବି କରିଥିବା ଏହି ଅଦୃଶ୍ୟ ‘ଦାଦା’ ବା ତାର ସମଭାବାପନ୍ନ ଗୋଷ୍ଠୀ କ୍ରମେ ଅଧିକ ଆସ୍ପର୍ଦ୍ଧା ଜୁଟାଇ ଅଦୃଶ୍ୟ ଆତଙ୍କବାଦୀରେ ପରିଣତ ହୋଇ ପୃଥିବୀର ଅନେକ ଗୁରୁତର କ୍ଷତି ନ ଘଟାଇବ!

ସମ୍ବନ୍ଧିତ ଖବର