ଟିକା-ଟିପ୍‌ପଣୀ

ଭାରତ ପୃଥିବୀର ବୃହତ୍ତମ ଟିକା ଉତ୍ପାଦନକାରୀ ରାଷ୍ଟ୍ରରୂପେ ଏଯାଏଁ ଗର୍ବ କରି ଆସୁଥିଲା। ଏବେ ମଧୢ ତା’ର ସେଇ ସ୍ଥାନ ବଜାୟ ରହିଛି। ଚୀନା କରୋନାର ମୁକାବିଲା ପାଇଁ ଟିକା ଉତ୍ପାଦନରେ ଭାରତ ଏବେ ବି ଅଗ୍ରଣୀ ସ୍ଥାନରେ ରହିଛି। କିନ୍ତୁ ଏହି ଭୟଙ୍କର ଭୂତାଣୁର ଦ୍ବିତୀୟ ଲହର ଏଠାରେ ସବୁକିଛି ଯେ ଓଲଟ ପାଲଟ କରି ଦେଇଛି, ଓ ତା’ ସହିତ କାଲି ପର୍ଯ୍ୟନ୍ତ ଅପରିମିତ ମନେ ହେଉଥିବା ଭାରତର ଟିକା ଶକ୍ତିକୁ ହୀନବୀର୍ଯ୍ୟ କରି ଦେଇଛି, ତାହାର ଏକ ସୂଚୀବିଦ୍ଧ ପ୍ରମାଣ ଦେଖିବାକୁ ମିଳିଥିଲା ଗତ ଶୁକ୍ରବାର ଦିନ ହାଇଦ୍ରାବାଦ୍‌ଠାରେ ଯେତେବେଳେ ରୁଷିଆରୁ ଆମଦାନି କରାଯାଇଥିବା ‘ସ୍ପୁଟ୍‌ନିକ୍‌-ଭି’ କୋଭିଡ୍‌ ଟିକାର ପ୍ରଥମ ପାନ ଏକ ପାଇଲଟ୍‌ ପ୍ରୋଜେକ୍ଟର ଅ˚ଶ ସ୍ବରୂପ ଜଣେ ବ୍ୟକ୍ତିଙ୍କ ଠାରେ ପ୍ରୟୋଗ କରାଯାଇଥିଲା। ପ୍ରାଥମିକ ଅବସ୍ଥାରେ ଆ˚ଶିକ ଆମଦାନି ମାଧୢମରେ ଏବ˚ ପରବର୍ତ୍ତୀ ସମୟରେ ଛ’ଟି ଅ˚ଶୀଦାର ଉତ୍ପାଦନକାରୀଙ୍କ ମିଳିତ ଉଦ୍ୟମରେ ଭାରତରେ ପରିଶେଷରେ ୨୫ କୋଟି ପାନ ଏହି ରୁଷୀୟ ଟିକା ଉପଲବ୍‌ଧ ହେବାକୁ ଯାଉଥିବାର ସୂଚନା ମିଳିଛି। ଏହା ଯେ ଏକ ଅତ୍ୟନ୍ତ ସମୟୋଚିତ ଘଟଣା, ତାହା କହିବା ବାହୁଲ୍ୟ ମାତ୍ର।

ଭାରତର ବିଶାଳ ଜନସ˚ଖ୍ୟାକୁ ଏହି ଜୈବ ଚୀନା ଆତଙ୍କରୁ ସୁରକ୍ଷିତ ରଖିବାର ବର୍ତ୍ତମାନ ଯାଏ ଉପଲବ୍‌ଧ ଏକମାତ୍ର ଉପାୟ ହେଉଛି ଟିକାକରଣ (କୋଭିଡ୍‌ର ଫଳପ୍ରଦ ଚିକିତ୍ସା ପାଇଁ ଔଷଧ -ଟିକା ନୁହେଁ- ଆବିଷ୍କାର ହେବାର ସମ୍ବାଦ ପ୍ରକାଶ ପାଉଛି, କିନ୍ତୁ ତାହା ରୋଗୀଙ୍କ ପାଖରେ କେବେ ପହଞ୍ଚିବ, ଜଣାନାହିଁ)। ଏଥିପାଇଁ ଦେଶରେ ଯେତିକି ପାନ ଟିକାର ଆବଶ୍ୟକତା ରହିଛି, ତାହା ପୂରଣ ନିମିତ୍ତ ଆମ ପାଖରେ ଯେ ଯଥେଷ୍ଟ ଟିକା ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ। ସେଇ କାରଣରୁ ଅନେକ ରାଜ୍ୟରେ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ପାଇଁ (ଯେମିତି ୧୮-୪୫ ବର୍ଷ ବୟସ ସୀମା ମଧୢସ୍ଥ) ଟିକାକରଣ ସାମୟିକ ଭାବେ ବନ୍ଦ କରି ଦିଆଯିବା ଦେଖାଯାଉଛି।

ଦେଶରେ ଟିକା ଅଭାବ ସମ୍ବନ୍ଧରେ ସମସ୍ତ ପ୍ରକାର ଗଣମାଧୢମରୁ ଆରମ୍ଭ କରି ତୁଣ୍ତବାଇଦ ପର୍ଯ୍ୟନ୍ତରେ ଯେଉଁ ସମସ୍ତ ଅନୁମାନ ଓ କଳ୍ପନା ଜଳ୍ପନା ପ୍ରସାରିତ ହେବାରେ ଲାଗିଛି, ତାହା ଅଗଣିତ ଲୋକଙ୍କୁ ଶଙ୍କାକୁଳ ଅବସ୍ଥାରେ ପକାଇଛି। ଏହି ପରିପ୍ରେକ୍ଷୀରେ ସାର୍ବଜନୀନ ନିର୍ଭରଯୋଗ୍ୟ ସୂତ୍ରରୁ ଆହରଣ କରାଯାଇଥିବା ଏ ସମ୍ପର୍କିତ ତଥ୍ୟମାନଙ୍କୁ ଭିତ୍ତି କରି ପରିସ୍ଥିତିର ଏକ ପ୍ରକୃତ ଚିତ୍ର ପାଇବାକୁ ଚେଷ୍ଟା କରିବା ଅପ୍ରାସଙ୍ଗିକ ହେବ ନାହିଁ। ଚିତ୍ରଟି ପ୍ରାୟ ଏହିପରି ହେବ।

ଭାରତର ମୋଟ ଜନସ˚ଖ୍ୟା ବର୍ତ୍ତମାନ ହେବ ପ୍ରାୟ ୧୩୫ କୋଟି। ଏଥିରେ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ବଙ୍କ ଅନୁପାତ ହେଉଛି ୭.୫ ଶତା˚ଶ, ବା ସେମାନଙ୍କର ସ˚ଖ୍ୟା ହେଉଛି ପ୍ରାୟ ୧୦ କୋଟି। ଜନସ˚ଖ୍ୟାରେ ୪୫-୫୯ ବର୍ଷ ବୟଃସୀମାରେ ଥିବା ଲୋକଙ୍କ ଅନୁପାତ ହେଉଛି ୧୮ ଶତା˚ଶ, ବା ସେମାନଙ୍କର ସ˚ଖ୍ୟା ହେଉଛି ପ୍ରାୟ ୨୪ କୋଟି। ଜନସ˚ଖ୍ୟାରେ ୩୦-୪୪ ବର୍ଷ ବୟଃସୀମା ମଧୢସ୍ଥମାନଙ୍କର ଅନୁପାତ ହେଉଛି ୨୦ ଶତା˚ଶ, ବା ସେମାନଙ୍କର ସ˚ଖ୍ୟା ହେଉଛି ପ୍ରାୟ ୨୭ କୋଟି। ଜନସ˚ଖ୍ୟାରେ ୧୮-୨୯ ବର୍ଷ ବୟଃସୀମା ମଧୢରେ ଥିବା ଯୁବକ ଯୁବତୀମାନଙ୍କର ଅନୁପାତ ହେଉଛି ୧୪.୫ ଶତା˚ଶ, ବା ସେମାନଙ୍କର ସ˚ଖ୍ୟା ହେଉଛି ପ୍ରାୟ ୧୯ କୋଟି। (ବର୍ତ୍ତମାନ ଟିକା ନେବାପାଇଁ ଯୋଗ୍ୟ ଘୋଷିତ ହୋଇଥିବା କିନ୍ତୁ ଟିକା ଅଭାବର ସମ୍ମୁଖୀନ ହୋଇଥିବା ୧୮-୪୪ ବୟଃସୀମା ମଧୢସ୍ଥଙ୍କ ଅନୁପାତ ହେଉଛି ଜନସ˚ଖ୍ୟାର ୩୪.୫ ଶତା˚ଶ ବା ସେମାନଙ୍କର ସ˚ଖ୍ୟା ହେଉଛି ପ୍ରାୟ ୪୬ କୋଟି)।

ଏ ସମସ୍ତ ବୟସ ଶ୍ରେଣୀ ବିଭାଜନକୁ ଆଡ଼େଇ ଦେଇ ଯଦି ୧୮ ବର୍ଷରୁ ଊର୍ଦ୍ଧ୍ବ ଜନସ˚ଖ୍ୟାର ସମସ୍ତଙ୍କୁ ଟିକାଦାନ କରିବା କଥା ଚିନ୍ତା କରାଯାଏ, ଯାହା ହେଉଛି ବର୍ତ୍ତମାନ ବସ୍ତୁତଃ ସରକାରଙ୍କର ଲକ୍ଷ୍ୟ, ତେବେ ସେମାନଙ୍କର ମୋଟ ସ˚ଖ୍ୟା ହେବ ୮୦ କୋଟି। ଏମାନଙ୍କୁ ପ୍ରତ୍ୟେକଙ୍କୁ ଦୁଇ ପାନ ଲେଖାଏଁ ଟିକା ଦେବା ପାଇଁ ତେଣୁ ଆବଶ୍ୟକ ହେବ ୧୬୦ କୋଟି ପାନ ଟିକା। ଧରାଯାଉ ଆମେ ୮ ମାସରେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିବା। ତାହେଲେ ଆମ ପାଖରେ ପ୍ରତି ମାସରେ ୨୦ କୋଟି ପାନ ଟିକା ଉପଲବ୍‌ଧ ହେବା ଦରକାର। ଏହା ତୁଳନାରେ ଆମର ବର୍ତ୍ତମାନର ଟିକା ଉତ୍ପାଦନ କ୍ଷମତା କିଭଳି ଅଛି ଦେଖାଯାଉ। ଭାରତର ଦୁଇ ଟିକା ଉତ୍ପାଦନକାରୀଙ୍କ ମଧୢରୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମାସକୁ ୬ କୋଟି ପାନ ‘କୋଭିସିଲ୍‌ଡ’ ଟିକା ଉତ୍ପାଦନ କରୁଥିବା ବେଳେ, ଭାରତ ବାୟୋଟେକ୍‌ ଉତ୍ପାଦନ କରୁଛି ମାସକୁ ମାତ୍ର ଏକ କୋଟି ପାନ ‘କୋଭାକ୍‌ସିନ୍‌’ ଟିକା। ଯଦି ଜାତିସ˚ଘର ‘କୋଭାକ୍‌ସ’ ଉଦ୍ୟମକୁ ଭାରତର ପ୍ରତିଶ୍ରୁତିବଦ୍ଧ ଆବଣ୍ଟନ ଏବ˚ ବାଣିଜ୍ୟିକ ରପ୍ତାନିକୁ ସମ୍ପୂର୍ଣ୍ଣ ବାତିଲ୍‌ କରି ଦିଆଯାଏ, ତେବେ ବି ଏହି ମିଳିତ ଟିକା ପରିମାଣ ଆମର ମାସିକ ଆବଶ୍ୟକତାର ମାତ୍ର ପ୍ରାୟ ଏକ-ତୃତୀୟା˚ଶ ହିଁ ପୂରଣ କରିପାରିବ।

ଉଭୟ ଉତ୍ପାଦନକାରୀ ସେମାନଙ୍କର ଉତ୍ପାଦନ କ୍ଷମତା ସମ୍ପ୍ରସାରିତ କରିବା ପାଇଁ ଆରମ୍ଭ କରିଥିବା ଉଦ୍ୟମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଆରମ୍ଭ କରିବ ଯାଇ ଆସନ୍ତା ଜୁଲାଇ ପରେ। ହୁଏତ ଜୁନ୍‌ ମଧୢ ଭାଗରେ ସେମାନେ ଆ˚ଶିକ କାର୍ଯ୍ୟକ୍ଷମ ହୋଇପାରନ୍ତି। ହୁଏତ ଅଗଷ୍ଟ ବେଳକୁ ଉଭୟ କମ୍ପାନି ପ୍ରତ୍ୟେକ ୧୦ କୋଟି ପାନ ଲେଖାଏଁ ଟିକା ଉତ୍ପାଦନ କରିବାକୁ ସକ୍ଷମ ହେବେ। ସେ ପର୍ଯ୍ୟନ୍ତ ଆମକୁ ମାସକୁ ୫-୬ କୋଟି ପାନ ଟିକା ଉପଲବ୍‌ଧ ହୋଇଚାଲିବ (କେନ୍ଦ୍ର/ରାଜ୍ୟ, ସରକାରୀ/ବେସରକାରୀ, ଟିକା ଦର ଆଦିକୁ ବିଚାରକୁ ନ ନେଇ)। ଆମେ ଏଯାବତ୍‌ ଦେଶରେ ମୋଟ ପ୍ରାୟ ୧୮ କୋଟି ପାନ ଟିକାଦାନ କରିପାରିଛୁ। ତେଣୁ ପୂର୍ବ ହିସାବ ଅନୁସାରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁୁ ଟିକା ଦେବା ପାଇଁ ଆମକୁ ଆହୁରି ୧୪୨ କୋଟି ପାନ ଟିକା ଦାନ କରିବାକୁ ହେବ। ଯଦି ପାଠ ଅନୁସାରେ ‘ହର୍ଡ ଇମ୍ୟୁନିଟି’ ସୃଷ୍ଟି ପାଇଁ ଯଥେଷ୍ଟ ଏମାନଙ୍କ ମଧୢରୁ କେବଳ ୭୫ ଶତା˚ଶକୁ ଟିକା ଦାନ କରାଯାଏ, ତେବେ ବି ଆମର ୧୨୦ କୋଟି ପାନ ଟିକା ଆବଶ୍ୟକ ହେବ। ଅର୍ଥାତ୍‌ ଆମକୁ ଆଉ ୧୦୨ କୋଟି ପାନ ଟିକା ଦରକାର, ଯାହା ଉତ୍ପାଦନ କରିବା ପାଇଁ ପାଞ୍ଚ ମାସ ଦରକାର ହେବ।

ଯେହେତୁ ଅଗଷ୍ଟ ସୁଦ୍ଧା ଆମେ ଆଉ ପ୍ରାୟ ୨୦ କୋଟି ପାନ ଟିକାଦାନ କରିପାରିବା, ତା’ପରେ ଆମର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଆବଶ୍ୟକ ହେବ ଆଉ ୮୨ କୋଟି ପାନ ଟିକା। ନୂତନ ଉତ୍ପାଦନ କ୍ଷମତା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପରେ ଏଥିପାଇଁ ଲାଗିବ ଚାରିମାସ ସମୟ- ଅର୍ଥାତ୍‌ ବର୍ଷ ଶେଷ ସୁଦ୍ଧା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଭାରତରେ ଯଥେଷ୍ଟ ଟିକା ଉତ୍ପାଦିତ ହେଉଥିବା ଉଚିତ। ଅବଶ୍ୟ ପୂର୍ବବର୍ଣ୍ଣିତ କାରଣ ଯୋଗୁଁ ଏହାର ଏକ ଅ˚ଶ ଭାରତ ବାହାରକୁ ମଧୢ ପ୍ରେରିତ ହୋଇପାରେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆତଙ୍କିତ ଜନସାଧାରଣଙ୍କ ପାଇଁ ଏ ବିଳମ୍ବ ଅସହନୀୟ ହେବ ନାହିଁ ତ? ଏବ˚ ସେମାନଙ୍କୁ ସୁରକ୍ଷା ପ୍ରଦାନକୁ ତ୍ବରାନ୍ବିତ କରିବା ପାଇଁ କେବଳ ଆତ୍ମନିର୍ଭରତା ଅନୁସରଣ ନ କରି ବିଦେଶରୁ ଟିକା ଆମଦାନି କରିବା ଉଚିତ କି ନୁହେଁ? ଏ ଉଭୟ ପ୍ରଶ୍ନର ଉତ୍ତର ହେଉଛି ଯେ- ‘ହଁ’, ଭାରତରେ ‘ସ୍ପୁଟ୍‍ନିକ୍‌’ର ଆବିର୍ଭାବ ତାହା ସାବ୍ୟସ୍ତ କରିଛି। ତାକୁ ଅନୁସରଣ କରି ଅନ୍ୟ ବିଦେଶୀ ଟିକା ମାନ ଯେତେ ଶୀଘ୍ର ଏଠାରେ ପହଞ୍ଚିବେ, ସେତେ ଶୀଘ୍ର ଆମେ ଚୀନା କରୋନା କବଳରୁ ମୁକ୍ତି ପାଇବା।

ସମ୍ବନ୍ଧିତ ଖବର