ମିଳୁ ନ ଥିବା ‘କଡ଼ି’

ସାଧାରଣତଃ ଡିଟେକ୍‌ଟିଭ୍‌ମାନେ ଯେତେବେଳେ କୌଣସି ଏକ ମାମଲାର ଅନୁସନ୍ଧାନ କରନ୍ତି, ସେତିକି ବେଳେ ସେମାନେ ତା ଆଖପାଖରେ ଘଟିଥିବା ବିଭିନ୍ନ ଘଟଣାଗୁଡ଼ିକୁ ଗୋଟିଏ ଗୋଟିଏ ‘କଡ଼ି’ ଭାବେ ଖଞ୍ଜି ଶିକୁଳିଟିଏ ତିଆରି କରିବାର ଉଦ୍ୟମ କରନ୍ତି। ଶିକୁଳିଟି ସ˚ପୂର୍ଣ୍ଣ ହୋଇଗଲେ କାରଣ ଓ ପରିଣାମ ସହିତ ମାମଲାଟି ଉନ୍ମୋଚିତ ହୋଇଯାଏ। କିନ୍ତୁ ଯଦି ସେହି ଶିକୁଳିରେ ଗୋଟିଏ ‘କଡ଼ି’ ନ ମିଳେ, ତେବେ ଶିକୁଳିଟି ଅସ˚ପୂର୍ଣ୍ଣ ରହି ମାମଲାଟିକୁ ଅସମାହିତ କରି ରଖେ। ସେହି ପରିପ୍ରେକ୍ଷୀରେ କରୋନା ପାନ୍‌ଡେମିକ୍‌ ଘନଘଟାକୁ ବର୍ଷାଧିକ କାଳ ବିତି ଯାଇଥିବା ସ୍ଥଳେ କୋଭିଡ୍‌-୧୯ ଭୂତାଣୁର ଉତ୍ପତ୍ତିକୁ ନେଇ ଚାଲିଥିବା ଅନୁସନ୍ଧାନରେ ଗୋଟିଏ ‘କଡ଼ି’ ଏ ପର୍ଯ୍ୟନ୍ତ ଅଲଭ୍ୟ ହୋଇ ରହି ଏଭଳି ପ୍ରଶ୍ନମାନ ଉତ୍‌ଥାପନ କଲାଣି, ଯାହାର ଉତ୍ତର ଇଙ୍ଗିତ କରିଥାଏ ଯେ ଏହାର ଆବିର୍ଭାବ ପ୍ରାକୃତିକ କାରଣରୁ ନ ହୋଇ ମନୁଷ୍ୟଜନିତ। ଉଲ୍ଲେଖଯୋଗ୍ୟ ଯେ କରୋନା ପାନ୍‌ଡେମିକ୍‌ର ପ୍ରାରମ୍ଭ କାଳରେ ଏହାର ଉତ୍ପତ୍ତିର କାରଣ ସ˚ପୂର୍ଣ୍ଣ ପ୍ରାକୃତିକ ବୋଲି ଦର୍ଶାଯାଇ ବାଦୁଡ଼ିକୁ ହିଁ ସନ୍ଦିଗ୍‌ଧ ଅପରାଧୀ ଭାବେ ଛିଡ଼ା କରାଇ ଦିଆଯାଇଥିଲା, ଯେଉଁ ଧାରଣା ଏ ପର୍ଯ୍ୟନ୍ତ ମୁଖ୍ୟତଃ ବଳବତ୍ତର ହୋଇ ରହିଛି। କିନ୍ତୁ ଏହି ଧାରଣା ଆଧାରରେ ଅନୁସନ୍ଧାନକୁ ଆଗକୁ ବଢ଼ାଇଲେ ଶିକୁଳିଟିର ଗୋଟିଏ କଡ଼ି ନ ଥିବା ସ୍ପଷ୍ଟ ହୋଇଥାଏ, ଏବ˚ ତା’ ସହିତ ପଶ୍ଚାତ୍‌ ଅବଲୋକନରେ ଏହି ନିରୁଦ୍ଦିଷ୍ଟ କଡ଼ି ପଛରେ ରହିଥିବା ରହସ୍ୟ ମଧୢ ଉନ୍ମୋଚିତ ହେବା ଭଳି ଲାଗିଥାଏ।

ତେବେ ପ୍ରଶ୍ନ ହେଲା ଏହି ମିଳୁ ନ ଥିବା କଡ଼ିଟି କ’ଣ? ବୁଝାଇ କହିଲେ ଏହା ଏହିପରି: ବାଦୁଡ଼ି ଠାରେ ରହିଥିବା ଯେଉଁ ଭୂତାଣୁ ଏହି ସ˚କ୍ରମଣର କାରଣ ବୋଲି ବିଚାର କରାଯାଇଥାଏ; ସେହି ଭୂତାଣୁ ଓ ମଣିଷ ଶରୀରରେ ପ୍ରବେଶ କରି ବର୍ତ୍ତମାନ ସ˚କ୍ରମଣର ଲହରି ଖେଳାଉଥିବା କରୋନା ଭୂତାଣୁ ‘କୋଭିଡ୍‌-୧୯’ ମଧୢରେ ଏଭଳି ଏକ ଅତ୍ୟନ୍ତ ସୂକ୍ଷ୍ମ ପ୍ରଭେଦ ରହିଛି, ଯାହା ଫଳରେ ବାଦୁଡ଼ି ଶରୀରରୁ ସିଧାସଳଖ ମଣିଷ ଶରୀରକୁ ପ୍ରବେଶ କରି ଏହା ରୋଗ ସୃଷ୍ଟି କରିପାରିବ ନାହିଁ। ତେଣୁ ସେଭଳି କ୍ଷେତ୍ରରେ ବାଦୁଡ଼ି ଶରୀରର ଭୂତାଣୁ ନିଜ ଠାରେ ଥିବା ସେହି ସୂକ୍ଷ୍ମ ପ୍ରଭେଦକୁ ଦୂର କରି ମନୁଷ୍ୟକୁ ସ˚କ୍ରମଣ କରିବାର ସାମର୍ଥ୍ୟ ହାସଲ କରିବାକୁ ହେଲେ ଆଉ ଏକ ମଧୢବର୍ତ୍ତୀ ପ୍ରାଣୀର ଶରୀରରେ ପ୍ରବେଶ କରି ନିଜ ଠାରେ ରୂପାନ୍ତରଣ ଘଟାଇବା ଆବଶ୍ୟକ। ଏହିଠାରେ ପ୍ରଶ୍ନ ଉଠିଥାଏ ଯେ ‘କୋଭିଡ୍‌-୧୯’ କ୍ଷେତ୍ରରେ ଏହି ମଧୢବର୍ତ୍ତୀ ପ୍ରାଣୀଟି କିଏ? ଉଲ୍ଲେଖଯୋଗ୍ୟ ଯେ ଭୂତାଣୁର ଉତ୍ପତ୍ତି ରହସ୍ୟ ଭେଦ କରିବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପକ୍ଷରୁ ଗଠନ କରାଯାଇଥିବା ଅନୁସନ୍ଧାନ ଟିମ୍‌ ମଧୢ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିରବ ରହିଛି। ସୁତରା˚, ଏହି ମର୍ମରେ ‘ବୁଲେଟିନ୍‌ ଅଫ୍‌ ଆଟମିକ୍‌ ସାଇନ୍‌ଟିଷ୍ଟ୍‍ସ’ ନାମକ ଏକ ପୃଥିବୀ ପ୍ରସିଦ୍ଧ ପତ୍ରିକାରେ ତତ୍ତୁଲ୍ୟ ପ୍ରସିଦ୍ଧ ବିଜ୍ଞାନଧର୍ମୀ ସ୍ତମ୍ଭର ଲେଖକ ନିକୋଲସ୍‌ େଵଡ୍‌ଙ୍କ ମତ ହେଲା, ଏହି ମିଳୁ ନ ଥିବା କଡ଼ି ହିଁ ପ୍ରମାଣ କରିଥାଏ ଯେ ଏହି ଭୂତାଣୁଟି ଆଦୌ କୌଣସି ମଧୢବର୍ତ୍ତୀ ପ୍ରାଣୀର ଶରୀର ଦେଇ ଯାଇନାହିଁ; ବର˚ ତାର ଏହି ସୂକ୍ଷ୍ମ ରୂପାନ୍ତରଣ ଘଟିଛି ଏକ ଗବେଷଣାଗାରରେ। ସେ କହିଥାନ୍ତି ଯେ ଆଜିକୁ ପନ୍ଦର ବର୍ଷ ତଳେ ‘ସାର୍ସ‌୍‌’ ସ˚କ୍ରମଣ କାଳରେ ମାତ୍ର ଚାରି ମାସ ଭିତରେ ବାଦୁଡ଼ି ଓ ମନୁଷ୍ୟ (ଅଧିକା˚ଶ କରୋନା ଭୂତାଣୁର ଭଣ୍ତାର ହେଉଛି ବାଦୁଡ଼ି) ମଧୢରେ ରହିଥିବା ମଧୢବର୍ତ୍ତୀ ପ୍ରାଣୀଟି ‘ସିଭେଟ୍‌’ (ବିରାଡ଼ି ଜାତୀୟ) ଏବ˚ ‘ମର୍ସ’ (୨୦୧୨) ସ˚କ୍ରମଣ କାଳରେ ତାହା ‘ଓଟ’ ବୋଲି ସାବ୍ୟସ୍ତ ହୋଇ ଯାଇଥିଲା। ଏହି ପରିପ୍ରେକ୍ଷୀରେ ଏହି ପାନ୍‌ଡେମିକ୍‌ ଦେଢ଼ ବର୍ଷରୁ ଅଧିକ କାଳ ପୃଥିବୀ ଉପରେ ରାଜୁତି କରିସାରିଥିବା ଏବ˚ ଇତି ମଧୢରେ ଜୀବ ବିଜ୍ଞାନ ଗବେଷଣାରେ ଅତ୍ୟନ୍ତ ଚମକପ୍ରଦ ଅଗ୍ରଗତି ଘଟି ସାରିଥିବା ସତ୍ତ୍ବେ ଏହି ରହସ୍ୟମୟ ମଧୢବର୍ତ୍ତୀ ପ୍ରାଣୀଟି ଏ ଯାବତ୍‌ ଅନାବିଷ୍କୃତ ହୋଇ ରହିବା କେବଳ ବିସ୍ମୟକର ନୁହେଁ, ଅସମ୍ଭବ ଭଳି ବୋଧ ହୋଇଥାଏ। ସୁତରା˚, ଯାହା ବୋଧଗମ୍ୟ ତାହା ହେଲା ଏଭଳି ମଧୢବର୍ତ୍ତୀ ପ୍ରାଣୀଟିଏ ଆଦୌ ନାହିଁ ଏବ˚ ଭାଇରସର ରୂପାନ୍ତରଣ ଘଟିଛି ଏକ ‘ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ରେ, ଯାହା ଦୈବାତ୍‌ ଲିକ୍‌ ହୋଇ ଯାଇ ମନୁଷ୍ୟ ସମାଜରେ ପ୍ରବେଶ କରି ଅଭୂତପୂର୍ବ ସ˚କ୍ରମଣର ଘନଘଟା ସୃଷ୍ଟି କରିଛି। ସେହି ଦୃଷ୍ଟିରୁ ବିଚାର କଲେ ପ୍ରଶ୍ନ ଉଠେ ଯେ ଉହାନ ଠାରେ ପୃଥିବୀର ଅନ୍ୟତମ ସର୍ବାଧିକ ଅଗ୍ରଗଣ୍ୟ ଭୂତାଣୁ ଗବେଷଣା କେନ୍ଦ୍ର ‘ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ର ଅବସ୍ଥିତି ଏବ˚ ଉହାନ ଠାରେ କରୋନା ସ˚କ୍ରମଣର ପ୍ରଥମ ଉଦାହରଣ ମିଳିବା କ’ଣ କେବଳ ମାତ୍ର ଏକ ସ˚ଯୋଗ?

ପୁଣି ନିକୋଲସ େଵଡ୍‌ଙ୍କ ଏଭଳି ସନ୍ଦେହ ଦୃଢ଼ୀଭୂତ ହେବା ପଛରେ ନିହିତ କାରଣ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଏହି ପାନ୍‌ଡେମିକ୍‌ର ପ୍ରାରମ୍ଭ କାଳରେ ଅନେକ ଭୂତାଣୁ ତତ୍ତ୍ବବିତ୍‌ (ନୋବେଲ ପୁରସ୍କାର ପ୍ରାପ୍ତ ଅତ୍ୟନ୍ତ ବିଶିଷ୍ଟ ଜୀବ ବିଜ୍ଞାନୀଙ୍କ ସମେତ) ଭାଇରସର ‘ଜେନୋମ୍‌’ ଅନୁଶୀଳନ କରି କହିଥିଲେ ଯେ ଭାଇରସଟି କୌଣସି ପରୀକ୍ଷାଗାରରୁ ଖସି ଆସିଥିବାର ସମ୍ଭାବନାକୁ ନଜରଅନ୍ଦାଜ କରା ଯାଇପାରିବ ନାହିଁ। କିନ୍ତୁ ସେହି ସମୟରେ ଦେଖିବାକୁ ମିଳିଥିଲା ଯେ ଏଭଳି ସନ୍ଦେହ ଉଦ୍ରେକ ହେବା ମାତ୍ରକେ ପୃଥିବୀର ଅନ୍ୟତମ ସର୍ବାଧିକ ସମ୍ମାନାସ୍ପଦ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦ ଲାନ୍‌ସେଟ୍‌’ରେ (୨୦୨୦, ଫେବ୍ରୁଆରି ୧୯) ପ୍ରଖ୍ୟାତ ଏବ˚ ପ୍ରଭାଭଶାଳୀ ଭାଇରୋଲୋଜିଷ୍ଟ ପିଟର ଡାସଜାକ୍‌ଙ୍କ ନେତୃତ୍ବରେ ଅନେକ ଭୂତାଣୁ ବିଜ୍ଞାନୀ ଏହାକୁ ତତ୍‌କ୍ଷଣାତ୍‌ ଖାରଜ କରି ଦେଇଥିଲେ। ନିକୋଲସ୍‌ େଵଡ୍‌ କହିଥାଆନ୍ତି ଯେ ଏଭଳି ଉଦ୍ୟମ ଯେତିକି ନିରୀହ ପ୍ରତୀୟମାନ ହୋଇଥାଏ, ସେତିକି ନୁହେଁ। କାରଣ ପିଟର ଡାସଜାକ୍‌ ‘ଇକୋ ହେଲ୍‌ଥ ଆଲାୟନ୍‌ସ’ ନାମକ ଯେଉଁ ଅନୁଷ୍ଠାନର ପ୍ରେସିଡେଣ୍ଟ୍‌ ତାହା ‘ଉହାନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ରେ ବିପୁଳ ଅର୍ଥ କରୋନା ଭୂତାଣୁ ସମ୍ବନ୍ଧୀୟ ଗବେଷଣାରେ ବିନିଯୋଗ କରିଥାଏ। କହିବା ବାହୁଲ୍ୟ ଯେ ପିଟର ଡାସଜାକ ଓ ତାଙ୍କ ସତୀର୍ଥ ଅନେକ ଭାଇରୋଲୋଜିଷ୍ଟଙ୍କ ପ୍ରଭାବ ଏଭଳି ବ୍ୟାପକ ଓ ଗଭୀର ଯେ ତାଙ୍କ ମତକୁ ଅତିକ୍ରମ କରିବାର ସାମର୍ଥ୍ୟ ଓ ସାହସ ଅତି କମ୍‌ ଭୂତାଣୁ ବିଜ୍ଞାନୀଙ୍କ ଥିବା ସମ୍ଭବ।

ଏଠାରେ ଆଉ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଗବେଷଣାଗାରରେ ନୂଆ ନୂଆ କରୋନା ଭୂତାଣୁମାନ ସୃଷ୍ଟି କରାଯିବା କୌଣସି ନୂଆ କଥା ନୁହେଁ। ଉଦାହରଣ ସ୍ବରୂପ ୨୦୧୫ରେ ନେଦରଲାଣ୍ଡର ଭୂତାଣୁ ବିଜ୍ଞାନୀମାନେ ମୂଷାଙ୍କ ଶରୀରରୁ ଗୋଟିଏ ଜାତିର କରୋନା ଭୂତାଣୁ ନେଇ ଅତ୍ୟନ୍ତ ସୂକ୍ଷ୍ମ କୌଶଳ ପ୍ରୟୋଗ କରି ତହିଁରେ ବିରାଡ଼ି ଶରୀରରୁ ଆହୃତ ଆଉ ଏକ ଜାତିର କରୋନା ଭୂତାଣୁରେ ଥିବା ‘ସ୍ପାଇକ୍‌ ପ୍ରୋଟିନ୍‌’ ସ˚ଯୋଗ କରି ଏଭଳି ଏକ ନୂତନ ପ୍ରକାର କରୋନା ଭୂତାଣୁ ସୃଷ୍ଟି କରି ପାରିଥିଲେ, ଯାହା ମୂଷାଙ୍କ ଶରୀରରେ ରହି ସେମାନଙ୍କ କୌଣସି କ୍ଷତି କରୁ ନ ଥିବା ବେଳେ ବିରାଡ଼ିମାନଙ୍କ ଶରୀରକୁ ସ˚କ୍ରମଣ କରି ସେମାନଙ୍କୁ ନିର୍ବ˚ଶ କରି ପକାଇବାର ସାମର୍ଥ୍ୟ ରଖିଥିଲା। ତେବେ, ଏହାର ଅର୍ଥ ନୁହେଁ ଯେ ପରୀକ୍ଷାଗାରରେ ବିଭିନ୍ନ ପ୍ରକାର ବିପଜ୍ଜନକ କରୋନା ଭୂତାଣୁ ପ୍ରସ୍ତୁତ କରିବା ପଛରେ କୌଣସି ଦୁରଭିସନ୍ଧି ଥାଇପାରେ। ଏଭଳି ଗବେଷଣା ପଛରେ ନିହିତ ଉଦ୍ଦେଶ୍ୟ ଯେ ‘ଜୁନୋଟିକ୍‌’ ଭାଇରସମାନଙ୍କ ସମ୍ବନ୍ଧରେ ନୂତନ ଜ୍ଞାନ ଆହରଣ କରିବା ସହିତ ସ˚କ୍ରମଣର ବିପଦରୁ ମାନବ ସମାଜକୁ ଦୂରେଇ ରଖିବାର ମାର୍ଗ ପ୍ରସ୍ତୁତ କରିବା, ତାହା ଗ୍ରହଣ କରିବାକୁ ହେବ। ଏହି ସ˚ଦର୍ଭରେ କରୋନା ପାନ୍‌ଡେମିକ୍‌ ଆରମ୍ଭ ହେବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏକ ସାକ୍ଷାତକାରରେ ପିଟର ଡାସଜାକଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ସେହି ସାକ୍ଷାତକାରରେ ସେ ସ୍ବୀକାର କରିଥିଲେ ଯେ ଉହାନ ପରୀକ୍ଷାଗାରରେ ଶହେ ସରିକି ଏଭଳି ଅତି ବିପଜ୍ଜନକ କରୋନା ଭାଇରସ ପ୍ରସ୍ତୁତ ହୋଇ ରହିଛନ୍ତି, ଯାହା ସାର୍ସ-୧ର ‘ମନୋକ୍ଲୋନାଲ ଆଣ୍ଟିବଡ଼ି’କୁ ବା ଯେ କୌଣସି ପ୍ରତିଷେଧକକୁ ପରାସ୍ତ କରିବାକୁ ସମର୍ଥ। ଏହାର ପ୍ରତିକ୍ରିୟାରେ ପ୍ରଶ୍ନକର୍ତ୍ତା ଯେତେବେଳେ ଏଭଳି ବିପଜ୍ଜନକ ଗବେଷଣାର ଆବଶ୍ୟକତା ନେଇ ପ୍ରଶ୍ନ କରିଥିଲେ, ଡାସଜାକ୍‌ କହିଥିଲେ ଯେ ଏହାର ଉଦ୍ଦେଶ୍ୟ କରୋନା ଭାଇରସ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିବା!

କହିବାରେ ଦ୍ବିଧା ନାହିଁ ଯେ ହୁଏ’ତ ପିଟର ଡାସଜାକ୍‌ ଯାହା କହିଛନ୍ତି ତହିଁରେ ସତ୍ୟତା ରହିଛି। କିନ୍ତୁ କଥା ହେଲା ପରୀକ୍ଷାଗାରରେ ଭଳି କି ଭଳି ଭୂତାଣୁ ପ୍ରସ୍ତୁତ କରିବାର ବୁଦ୍ଧି ଓ ସମାର୍ଥ୍ୟ ରଖିଥିବା ଡାସଜାକଙ୍କ ଭଳି ବୈଜ୍ଞାନିକ ଏହା ସମ୍ଭବତଃ ପାଶୋରି ଗଲେ ଯେ ନିଖୁଣ ଭାଇରସକୁ ପ୍ରସ୍ତୁତ କରୁଥିବା ମନୁଷ୍ୟ କିନ୍ତୁ ଏମିତି ତ୍ରୁଟି ଓ ଛିଦ୍ରଯୁକ୍ତ ଯେ ସେମାନଙ୍କ ଅଭିସନ୍ଧି ବା ଅସତର୍କତା ବା ଅପରିଣାମଦର୍ଶିତା କାରଣରୁ ଦି‌େନ ନା ଦିନେ ଏହି ଭୂତାଣୁ ପରୀକ୍ଷାଗାରର ଦୁର୍ଭେଦ୍ୟ ସୁରକ୍ଷା ବଳୟ ଅତିକ୍ରମ କରି ମୁକ୍ତ ହେବ ଓ ମନୁଷ୍ୟ ସମାଜରେ ପ୍ରଳୟ ରଚନା କରିବ!

ସମ୍ବନ୍ଧିତ ଖବର