ମାତ୍ର କିଛି ଦିନ ତଳେ େଵବ୍ ପତ୍ରିକା ‘ଦ ପ୍ରିଣ୍ଟ’ରେ ପ୍ରକାଶିତ ହୋଇଥିବା ଏକ ମର୍ମବେଦନା ସୃଷ୍ଟିକାରୀ ଫଟୋରେ ଦେଖିବାକୁ ମିଳିଥିଲା, କିଭଳି ଜଣେ ଯୁବକ ଏକ ଗଛ ଉପରେ ମଞ୍ଚା ବାନ୍ଧି କ୍ବାରାଣ୍ଟାଇନ୍ରେ ଜୀବନ କାଟୁଛନ୍ତି। ଯୁବକ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ନଲକୋଣ୍ତା ଜିଲ୍ଲାସ୍ଥିତ ଏକ କ୍ଷୁଦ୍ର ଗାଁ କୋଥାନନ୍ଦିକୋଣ୍ତାର ଅଧିବାସୀ, ଯେଉଁ ଗ୍ରାମର ଲୋକ ସ˚ଖ୍ୟା ମାତ୍ର ୩୬୦ ଏବ˚ ସେମାନେ ସମସ୍ତେ ନିତାନ୍ତ ଦରିଦ୍ର ଆଦିବାସୀ ସ˚ପ୍ରଦାୟର। ଉଲ୍ଲେଖନୀୟ ଯେ ଯୁବକ ଜଣକ ଜଣେ ଗ୍ରାଜୁଏଟ୍, ଯିଏ ହାଇଦ୍ରାବାଦରେ ତାଙ୍କ କଲେଜ ବନ୍ଦ ହୋଇଯିବା ହେତୁ ଗାଁକୁ ଚାଲି ଆସିଥିଲେ। ସୁତରା˚, କରୋନା ପଜିଟିଭ୍ ବୋଲି ଜଣାପଡ଼ିବା ପରେ ସେ ଗୋଟିଏ ମାତ୍ର ପ୍ରକୋଷ୍ଠ ବିଶିଷ୍ଟ ତାଙ୍କ ପାରିବାରିକ ଗୃହକୁ ତ୍ୟାଗ କରି ଗଛ ଉପରେ ପୃଥକ୍ ବାସରେ ରହିବାକୁ ବାଧୢ ହୋଇଛନ୍ତି। ଗଣମାଧୢମର ସୂତ୍ରରୁ ଜଣାପଡ଼ିଥାଏ ଯେ ସେହି ଗ୍ରାମ ଯେଉଁ ଡାକ୍ତରଖାନାରୁ ଯତ୍-ସାମାନ୍ୟ ଚିକିତ୍ସା ସୁବିଧା ଲାଭ କରିବାର ଆଶା ରଖିଥାଏ, ତାହା ସେଠାରୁ ୩୦ କିଲୋମିଟର ଦୂରରେ। ସ˚ପ୍ରତି ଭାରତର ଗ୍ରାମାଞ୍ଚଳରେ କରୋନା ମହାମାରୀର ସ˚କ୍ରମଣ ଅତ୍ୟନ୍ତ ବିପଜ୍ଜନକ ଭାବେ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ଉପରେ ପ୍ରଦତ୍ତ ଉଦାହରଣଟି ଏକ ପ୍ରତିନିଧିମୂଳକ ଚିତ୍ର ପ୍ରଦାନ କରିଥାଏ, ଯହିଁରେ ଏକ ଅତ୍ୟନ୍ତ ଦୁର୍ବଳ ଚିକିତ୍ସା ସେବା ଭିତ୍ତିଭୂମି ଧାରଣ କରିଥିବା ଭାରତର ଦରିଦ୍ର ଗ୍ରାମାଞ୍ଚଳର ଅସହାୟତା ଦିଶିଥାଏ।
କହିବା ନିଷ୍ପ୍ରୟୋଜନ ଯେ କରୋନାର ପ୍ରଥମ ତରଙ୍ଗ କାଳରେ ସ˚କ୍ରମଣର ସୁଅ ମୁଖ୍ୟତଃ ବଡ଼ ବଡ଼ ସହରାଞ୍ଚଳରେ ଦୃଶ୍ୟମାନ ହୋଇଥିଲା। ସେହି ସମୟରେ ସେହି ସବୁ ସହରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ଗାଁକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହି କାରଣରୁ ଯଦିଓ ପ୍ରାରମ୍ଭିକ ଭାବେ କେତେକ ଜିଲ୍ଲାରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟାରେ ବୃଦ୍ଧି ଘଟିଥିଲା, ଆମ ରାଜ୍ୟ ଭଳି କିଛି ରାଜ୍ୟ ଏକ ସମୟୋଚିତ ପ୍ରାକ୍ ପ୍ରସ୍ତୁତି ସ୍ବରୂପ ଗ୍ରାମାଞ୍ଚଳରେ କ୍ବାରାଣ୍ଟାଇନ୍ ଗୃହର ବ୍ୟବସ୍ଥା ତଥା ଏଭଳି ସ୍ଥିତିର ପରିଚାଳନା ଲାଗି ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ଭଳି ପଦକ୍ଷେପମାନ ନେଇ ପରିସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ଯିବାକୁ ଦେଇ ନ ଥିଲେ। କିନ୍ତୁ ସ˚ପ୍ରତି ଦ୍ବିତୀୟ ତରଙ୍ଗ କାଳରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଲକ୍ଷଣମାନ ପ୍ରଦର୍ଶନ କଲାଣି। ଏ ପ୍ରସଙ୍ଗରେ ଗଣମାଧୢମରେ ପ୍ରକାଶିତ ସୂଚନା ଅନୁସାରେ ବର୍ତ୍ତମାନ ଆମ ରାଜ୍ୟରେ ଦୈନିକ ଯେତିକି ସ˚କ୍ରମିତ ବାହାରୁଛନ୍ତି, ସେମାନଙ୍କ ମଧୢରୁ ପ୍ରାୟ ୫୬ ପ୍ରତିଶତ ଗ୍ରାମାଞ୍ଚଳର। ଯଦିଓ ସରକାରଙ୍କ ଦ୍ବାରା ପ୍ରଦତ୍ତ ହିସାବ ଅନୁସାରେ ଆମ ରାଜ୍ୟରେ ୧୬,୧୨୨ଟି କୋଭିଡ୍ ଶଯ୍ୟା ଏବ˚ ୫୬ଟି ଆଇସିୟୁ ବିଦ୍ୟମାନ, ତଥାପି ବିଭିନ୍ନ ସ୍ଥାନରେ ଶଯ୍ୟାଭାବରୁ ଅନେକ ଲୋକ ମୃତ୍ୟୁବରଣ କରୁଥିବା ଭଳି ସମ୍ବାଦ ମଧୢ ଆସିବାରେ ଲାଗିଛି।
ଏହି ପରିପ୍ରେକ୍ଷୀରେ ଯେଉଁ ସବୁ କାରଣ ଦ୍ବିତୀୟ ତରଙ୍ଗର ପ୍ରକୋପକୁ ପ୍ରଥମ ତରଙ୍ଗ ଠାରୁ ଅଧିକ ଭୟାବହ ଓ ଜଟିଳ କରିଥାଏ, ତାହା ହେଲା ଦୁଇଟି ତରଙ୍ଗର ମଧୢବର୍ତ୍ତୀ କାଳରେ ଭୂତାଣୁଟି ବିବର୍ତ୍ତିତ ହୋଇ ଧାରଣ କରିଥିବା ବିପଜ୍ଜନକ ରୂପ, ଯାହା ଫଳରେ ନିଜ ଘରେ ପୃଥକ୍ ବାସରେ ରହି ଆରୋଗ୍ୟ ହେବାର ସମ୍ଭାବନା ଯଥେଷ୍ଟ କମିଯାଇଛି; ଭାଇରସର ନୂଆ ଷ୍ଟ୍ରେନ୍ର ପ୍ରାଦୁର୍ଭାବ ହେତୁ ବଞ୍ଚି ରହିବା ବା ସୁସ୍ଥ ହେବା ଲାଗି ଅମ୍ଳଜାନ, ଡାକ୍ତରଖାନା ଶଯ୍ୟା, ଆଇସିୟୁ ଏବ˚ ଭେଣ୍ଟିଲେଟର ଆଦିର ଆବଶ୍ୟକତା ଅଧିକ ବୃଦ୍ଧି ପାଇଛି। ଏହି ସ˚ଦର୍ଭରେ ଏକ ପରିସ˚ଖ୍ୟାନ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ‘ନେସନାଲ ହେଲ୍ଥ ପ୍ରୋଫାଇଲ୍-୨୦୧୯’ ର ଏହି ପରିସ˚ଖ୍ୟାନ ଦର୍ଶାଇଥାଏ ଯେ ଭାରତରେ ପ୍ରାୟ ୬୫ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବାସ କରୁଥିବା ବେଳେ ଦେଶର ସରକାରୀ ଡାକ୍ତରଖାନାରେ ଉପଲବ୍ଧ ଶଯ୍ୟାର ମାତ୍ର ୩୭ ପ୍ରତିଶତ ଗ୍ରାମାଞ୍ଚଳରେ ଉପଲବ୍ଧ। ଏହା ଆଧାରରେ ହିସାବଟି କହିଥାଏ ଯେ ଭାରତରେ ପ୍ରତି ୧୦,୦୦୦ ଗ୍ରାମବାସୀଙ୍କ ଲାଗି ମାତ୍ର ୩.୨ଟି ଶଯ୍ୟା ରହିଛି। ସୁତରାଂ, କହିବା ବାହୁଲ୍ୟ ଯେ ଏହି ଆବଶ୍ୟକତା ପୂରଣ କରିବା ଲାଗି ଭାରତୀୟ ଗ୍ରାମାଞ୍ଚଳରେ ଉପଲବ୍ଧ ଚିକିତ୍ସା ସେବା ଭିତ୍ତିଭୂମି କୌଣସି ରୂପେ ସମର୍ଥ ହୋଇ ପାରିବ ନାହିଁ। ଏହା ସହିତ ଗ୍ରାମାଞ୍ଚଳର ଦାରିଦ୍ର୍ୟ, ଅଶିକ୍ଷା, ଅସଚେତନତା, କୁସ˚ସ୍କାର ଏବ˚ ଏକ କ୍ଷୁଦ୍ର ଗୃହର ପରିସରରେ ଅଧିକ ବ୍ୟକ୍ତି ବାସ କରିବାର ବାଧୢବାଧକତା ହେତୁ ଗ୍ରାମାଞ୍ଚଳରେ କରୋନା ସ˚କ୍ରମଣ ଯେ ଏକ ନୂତନ ଆହ୍ବାନ ସୃଷ୍ଟି କରିଛି ସେ ନେଇ କୌଣସି ଦ୍ବିରୁକ୍ତି ନାହିଁ।
ଏହି ପରିପ୍ରେକ୍ଷୀରେ ନିକଟରେ ‘ପ୍ରଶ୍ନମ’ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣର ରିପୋର୍ଟ ମଧୢ ବିଶେଷ ପ୍ରଣିଧାନଯୋଗ୍ୟ। ତହିଁରୁ ପ୍ରାପ୍ତ ସୂଚନା କହିଥାଏ ଯେ ଏବେ ମଧୢ ପ୍ରାୟ ୭୫ ପ୍ରତିଶତ ଭାରତୀୟ ‘କୋଵିନ୍’ ଆପ୍ ବ୍ୟବହାର କରି ଟିକା ନେବାର ଧାରା ଭିତରକୁ ପ୍ରବେଶ କରିବାର ବାଗ ଜାଣନ୍ତି ନାହିଁ। କହିବା ବାହୁଲ୍ୟ ଯେ ଏଭଳି ଲୋକଙ୍କ ସ˚ଖ୍ୟା ଗ୍ରାମାଞ୍ଚଳରେ ହିଁ ସର୍ବାଧିକ। ଏହି ଦୃଷ୍ଟିରୁ ବିଚାର କଲେ ହୃଦ୍ବୋଧ କରି ହୁଏ ଯେ ଏକ ନୂତନ ଚିନ୍ତନ ଆଧାରରେ ପ୍ରତିକାର ବ୍ୟବସ୍ଥା କରାଯିବା ନିିତାନ୍ତ ଜରୁରୀ।
ସୁତରା˚, ଏଭଳି ସ୍ଥିତିକୁ ସମ୍ଭାଳିବା ଲାଗି ତୁରନ୍ତ ସେନା ବାହିନୀର ସହାୟତା ଲୋଡ଼ା ଯିବା ଆବଶ୍ୟକ ବୋଲି ଅନେକ ବିଶେଷଜ୍ଞ ମତ ପ୍ରଦାନ କରିଥାଆନ୍ତି। କହିବା ଅନାବଶ୍ୟକ ସ˚କଟର ମୁକାବିଲା କରିବା କ୍ଷେତ୍ରରେ ସାଧାରଣ ପ୍ରଶାସନ ତୁଳନାରେ ସେନା ବାହିନୀ ଅଧିକ ପ୍ରଶିକ୍ଷିତ, ସଜାଗ ଓ ପ୍ରସ୍ତୁତ ହୋଇ ରହିଥାଏ ଏବ˚ ଏଭଳି କାର୍ଯ୍ୟକୁ ଦକ୍ଷତାର ସହିତ ସ˚ପାଦନ କରିବାର ସାମର୍ଥ୍ୟ ସେନବାହିନୀର ଡି.ଏନ୍.ଏ.ରେ ରହିଛି। ତା’ ସହିତ ସେନାବାହିନୀ ପାଖରେ ଅଧିକ ଯାନବାହନ, ‘ସ୍କିଲ୍ ଓ ଲଜିିଷ୍ଟିକ୍ସ’ ତଥା ଆପତ୍କାଳୀନ ବ୍ୟୟ ସକାଶେ ପାଣ୍ଠି ଉପଲବ୍ଧ। ଆବଶ୍ୟକ ହେଲେ ସ୍ବଳ୍ପ ସମୟ ଭିତରେ ‘ଫିଲ୍ଡ ହସପିଟାଲ’ ଛିଡ଼ା କରାଇ ଦେବାର ସାମର୍ଥ୍ୟ କେବଳ ସେନବାହିନୀ ଠାରେ ହିଁ ରହିଛି। ନିକଟରେ ଦେଶ ସମ୍ମୁଖୀନ ହେଉଥିବା ଅମ୍ଳାଜାନ ସଙ୍କଟକୁ ପ୍ରତିହତ କରିବାରେ ଭାରତୀୟ ବିମାନ ବାହିନୀର ଅବଦାନ ବିଶେଷ ସ୍ମରଣୀୟ, ଯହିଁରେ ଖୁବ୍ ଅଳ୍ପ ସମୟ ମଧ୍ୟରେ ବିଦେଶରୁ ଅମ୍ଳଜାନ ଆଣି ଦେଶରେ ପହଞ୍ଚା ଯାଇ ପାରିଥିଲା। ଏହା ସହିତ ଭାରତୀୟ ସେନା ନିକଟରେ ଚିକିତ୍ସକଙ୍କ ଏକ ବାହିନୀ ରହିଛି, ଯେଉଁମାନେ ଅତ୍ୟନ୍ତ ପ୍ରତିକୂଳ ସ୍ଥିତିରେ ଚିକିତ୍ସା ସେବା ପ୍ରଦାନ କରିବାରେ ଦକ୍ଷ, ଯାହା ଭାରତର ନିଭୃତ ଗ୍ରାମାଞ୍ଚଳରେ କିଛି ନା କିଛି କରୋନା ଚିକିତ୍ସା ସେବା ଉପଲବ୍ଧ କରାଇ ଦେଇପାରେ।
ଦୁଃଖର ସହିତ ଏହା ସ୍ବୀକାର କରିବାକୁ ହୋଇଥାଏ ଯେ ଗ୍ରାମାଞ୍ଚଳର ଅସ˚ଖ୍ୟ ଲୋକ ଏକ ଉନ୍ନତ ଜୀବନ ଓ ଜୀବିକା ବା ଆୟ ଲାଗି ସହରକୁ ଗମନ କରୁଥିବା ସତ୍ତ୍ବେ କରୋନାର ପ୍ରଥମ ତରଙ୍ଗ କାଳରେ ଯେଉଁ ଶିକ୍ଷା ମିଳିଥିଲା, ତାହା ହେଉଛି ସହର ଏମାନଙ୍କୁ ଆୟ ଦେଇ ପାରେ; ବସା ଘରଟିଏ ଦେଇପାରେ; କିନ୍ତୁ (ଏଭଳି ସ˚କଟ କାଳରେ) ଆଶ୍ରୟ ପ୍ରଦାନ କରି ନ ଥାଏ। ଦ୍ବିତୀୟ ତରଙ୍ଗ ଏବେ ଅନ୍ତ ଫାଡ଼ି ଯାହା ଦେଖାଇ ଦେଇଛି ତାହା ହେଲା ଦାରିଦ୍ର୍ୟ, ଅସଚେତନତା, କୁସ˚ସ୍କାର ଓ ଅପପୁଷ୍ଟି ଭଳି କାରଣରୁ ଭାରତର ଯେଉଁ ଅ˚ଶଟି (ଗ୍ରାମାଞ୍ଚଳ) ଅଧିକ ଗୁରୁତର ଭାବେ ବ୍ୟାଧିଗ୍ରସ୍ତ ଓ ସର୍ବଦା ଚିକିତ୍ସା ସେବା ଲୋଡ଼ିଥାଏ, ସେଠାରେ ଡାକ୍ତର ଅନୁପସ୍ଥିତ ଏବ˚ ଚିକିତ୍ସା ସେବା ଭିତ୍ତିଭୂମିର ଏକାନ୍ତ ଅଭାବ। ତେଣୁ କରୋନାର ଦ୍ବିତୀୟ ତରଙ୍ଗ କାଳରେ ଗ୍ରାମାଞ୍ଚଳର ଅସହାୟତା ନଗ୍ନ ଭାବେ ପ୍ରଦର୍ଶିତ ହେବା ଅନିବାର୍ଯ୍ୟ। ପ୍ରାୟ ସମସ୍ତେ ଅବଗତ ଯେ ଶାସନ ଓ ପ୍ରଶାସନରେ ଯେଉଁମାନେ ବିକାଶର ମାନଚିତ୍ର ତିଆରି କରନ୍ତି, ସେମାନେ ସହରରେ ରହୁଥିବାରୁ ତାକୁ ସହର କୈନ୍ଦ୍ରିକ କରି ଦିଅନ୍ତି। ଏଭଳି ସ୍ଥିତିରେ ଏକ ବିଡ଼ମ୍ବନା ହେଲା ଗାଁ ଛାଡ଼ି ସହରରେ ସ୍ବଚ୍ଛନ୍ଦ ଜୀବନ ଅତିବାହିତ କରୁଥିବା ଅଧିକା˚ଶ ପ୍ରଭାବଶାଳୀ ବ୍ୟକ୍ତିଙ୍କ କର୍ଣ୍ଣ ଗହ୍ବରରେ ଗାଁର ଡାକ ପ୍ରବେଶ କରି ନ ଥାଏ। ଅନ୍ତତଃ କରୋନାର ଦ୍ବିତୀୟ ତରଙ୍ଗ ଏଥିରେ ପରିବର୍ତ୍ତନ ଆଣୁ। ଗାଁର ଡାକ ସହରକୁ ଶୁଭୁ।