ଉଚ୍ଚତା ବୃଦ୍ଧିର ପ୍ରଚେଷ୍ଟା

ପ୍ରାୟ ବର୍ଷକ ତଳେ ‘ସଦ୍‌ଗୁରୁ’ ଭାବେ ପ୍ରଖ୍ୟାତ ଜଗଦୀଶ ବାସୁଦେବ ଭାଗ ନେଇଥିବା ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଭିଡିଓ ସାମାଜିକ ଗଣମାଧୢମରେ ଆବିର୍ଭୂତ ହୋଇଥିଲା, ଯହିଁରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଯେହେତୁ ‘ଆଲୋପାଥି’ ଚିକିତ୍ସା ପଦ୍ଧତି ରୋଗର ମୂଳକୁ ପ୍ରବେଶ ନ କରି ମୁଖ୍ୟତଃ ଲକ୍ଷଣଗୁଡ଼ିକ ଉପରେ ନିର୍ଭର କରି ନିଦାନ ଓ ଔଷଧ ପ୍ରଦାନ କରିଥାଏ, ଏହା ଖୁବ୍‌ ସମ୍ଭବ ଯେ ‘କୃତ୍ରିମ ବୁଦ୍ଧିମତ୍ତା’ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ) କ୍ଷେତ୍ରରେ ହେଉଥିବା ଦ୍ରୁତ ବିକାଶ ପରିପ୍ରେକ୍ଷୀରେ ଜଣେ ରୋଗୀ ଗୁଗୁଲ (ଆଲେକ୍‌ସା)କୁ ତା’ର ରୋଗ ବିଷୟରେ ପଚାରି ଦେଇ ତତ୍‌କ୍ଷଣାତ୍‌ ସମ୍ଭାବ୍ୟ ପ୍ରତିକାରର ସୂତ୍ର ପାଇଯିବ। ତହିଁରେ ସେ ଏକ ଅନୁମାନ ମଧୢ କରିଥିଲେ ଯେ ଏମିତି ହେଲେ ସମ୍ଭବତଃ ଆଗାମୀ ୨୫ ବର୍ଷ ମଧ୍ୟରେ ପୃଥିବୀର ସମସ୍ତ ମେଡିକାଲ କଲେଜ (ଆଲୋପାଥିକ) ବନ୍ଦ ହୋଇଯାଇପାରେ। ଏଠାରେ ଆଶା କରିବା ଉଚିତ ଯେ ସଦ୍‌ଗୁରୁଙ୍କ ଭଳି ଜଣେ ଅତ୍ୟନ୍ତ ପ୍ରାଜ୍ଞ ଏକ ହାଲୁକା ପରିବେଶରେ ଏଭଳି ଏକ ମନ୍ତବ୍ୟ ପ୍ରଦାନ କରିଥିବେ। କାରଣ ଯଦିଓ ଏହା ସତ୍ୟ ଯେ ଆଲୋପାଥି ଚିକିତ୍ସାରେ ପ୍ରଥମେ ରୋଗୀର ଲକ୍ଷଣକୁ ଦୂର କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥାଏ, ତାହା କିନ୍ତୁ ସେତିକିରେ ସୀମିତ ରହି ନ ଥାଏ। ଉଦାହରଣ ସ୍ବରୂପ କୌଣସି ବ୍ୟକ୍ତିଙ୍କ ମୁଣ୍ତ ବିନ୍ଧୁଥିଲେ ତାଙ୍କୁ ତୁରନ୍ତ ଯନ୍ତ୍ରଣାମୁକ୍ତ କରିବା ସକାଶେ ଜଣେ ‘ଆଲୋପାଥି’ ଡାକ୍ତର କୌଣସି ଏକ ‘ପେନ୍‌ କିଲର‌୍‌’ ପ୍ରଦାନ କରିପାରନ୍ତି; କିନ୍ତୁ ଯଦି ସେ ଆଶା କରିଥିବା ଭଳି ସମୟ ସୀମା ମଧୢରେ ମୁଣ୍ତ ବିନ୍ଧା ନ କମେ, ତେବେ ସେ ଗଭୀର ଅନୁସନ୍ଧାନ ଆରମ୍ଭ କରି ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷାର ପରାମର୍ଶ ଦେଇଥାଆନ୍ତି; ଯହିଁରୁ ଏହି ଲକ୍ଷଣ ପଛରେ ଥିବା ପ୍ରକୃତ କାରଣ ଉଦ୍‌ଘାଟିତ ହୁଏ ଏବ˚ ଔଷଧ ବା ଶଲ୍ୟ ଚିକିତ୍ସା ଦ୍ବାରା କାରଣଟିର ଉନ୍ମୂଳନ କରାଯାଇ ରୋଗୀକୁ ଆରୋଗ୍ୟ କରାଯାଇପାରେ।

କହିବା ନିଷ୍ପ୍ରୟୋଜନ ଯେ ଅତ୍ୟନ୍ତ ଉଚ୍ଚକୋଟୀର ତଥା ନିରନ୍ତର ଓ ସଘନ ବୈଜ୍ଞାନିକ ଗବେଷଣା କାରଣରୁ ହିଁ ‘ଆଲୋପାଥି’ ଆଜି ପୃଥିବୀର ମୁଖ୍ୟ ସ୍ରୋତୀୟ ଚିକିତ୍ସା ପଦ୍ଧତିରେ ପରିଣତ ହୋଇଛି, ଯାହାକୁ ଗୁରୁତ୍ବହୀନ ବୋଲି ଦର୍ଶା ଯାଇ ନ ପାରେ। ଏହି ଦୃଷ୍ଟିରୁ ଗଲା ଶନିବାର ଦିନ ବାବା ରାମଦେବଙ୍କ ଏକ ଭିଡିଓ ସାମାଜିକ ଗଣମାଧୢମରେ ଆବିର୍ଭୂତ ହେବା ଏବ˚ ତହିଁରେ ‘ଆଲୋପାଥି’ ଚିକିତ୍ସା ଏବ˚ ଚିକିତ୍ସକମାନଙ୍କ ପ୍ରତି ସେ ପ୍ରଦାନ କରିଥିବା କେତେକ ମନ୍ତବ୍ୟ ପ୍ରସାରିତ ହେବା ପରେ ଏକ ବିବାଦ ଜନ୍ମ ନେଇଛି ଏବ˚ ‘ଇଣ୍ତିଆନ୍‌ ମେଡିକାଲ ଆସୋସିଏସନ୍‌’ ବା ‘ଆଇ.ଏମ୍‌.ଏ.’ ପକ୍ଷରୁ ଏହାର ତୀବ୍ର ନିନ୍ଦା କରାଯିବା ସହିତ ଏହି ପ୍ରସିଦ୍ଧ ଯୋଗ ଗୁରୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରାଯାଇଛି।

ଅବଶ୍ୟ, ଏହି ସ˚ଦର୍ଭରେ ପାତଞ୍ଜଳି ଅନୁଷ୍ଠାନ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରି କୁହାଯାଇଛି ଯେ ବାବା ରାମଦେବଙ୍କ ବକ୍ତବ୍ୟ ପ୍ରସଙ୍ଗ ବହିର୍ଭୂତ ଭାବେ ଉପସ୍ଥାପିତ ହୋଇଛି ତଥା ଆଧୁନିକ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନବୋଧ ରହିଛି। ତେବେ, ‘ଆଇ.ଏମ୍‌.ଏ.’ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରତିବାଦ ପତ୍ରରେ ଯେଉଁ ଗଭୀର ମର୍ମଦାହ ଦେଖିବାକୁ ମିଳିଥାଏ, ତାହା ପଛରେ ରହିଛି ଏହି ଅତ୍ୟନ୍ତ କଠିନ ସମୟରେ ସମଗ୍ର ରାଷ୍ଟ୍ରରେ କୋଭିଡ୍‌ ଚିକିତ୍ସାରେ ସମର୍ପିତ ଥିବା ଅସ˚ଖ୍ୟ ଡାକ୍ତରଙ୍କ ତ୍ୟାଗ ଏବ˚ ଆତ୍ମୋତ୍ସର୍ଗ; ଯହିଁରେ କେବଳ କରୋନାର ଏହି ଦ୍ବିତୀୟ ତରଙ୍ଗ କାଳରେ ୪୨୦ ଜଣ ଡାକ୍ତରଙ୍କ ପ୍ରାଣହାନି ଘଟି ସାରିଲାଣି। ‘ଆଇ.ଏମ୍‌.ଏ.’ର ମତାନୁସାରେ ଯୋଗ ଗୁରୁଙ୍କ ଏଭଳି ମନ୍ତବ୍ୟ କୋଭିଡ୍‌ ବିରୋଧରେ ସ˚ଘର୍ଷ ଚଳାଇଥିବା ଅସ˚ଖ୍ୟ ଡାକ୍ତର ଏବ˚ ଚିକିତ୍ସା ସେବା ପ୍ରଦାନକାରୀଙ୍କ ପ୍ରତି ଘୋର ଅବମାନନା ଓ ‘ଆଳୋପାଥି’ ସମ୍ବନ୍ଧରେ ବିଭ୍ରାନ୍ତି ଓ ସନ୍ଦେହ ସୃଷ୍ଟିର ପ୍ରୟାସ। କହିବା ବାହୁଲ୍ୟ ଯେ ବିଶ୍ବରେ ସର୍ବତ୍ର ‘ଆଲୋପାଥି’ ହିଁ ରୋଗ ଚିକିତ୍ସାର ମୁଖ୍ୟ ପଦ୍ଧତି ରୂପେ ଅନୁସୃତ ହୋଇ ଆସୁଛି, ଯାହା ଏହି କରୋନା ପାନ୍‌ଡେମିକ୍‌ କାଳରେ ଲକ୍ଷ ଲକ୍ଷ ରୋଗୀଙ୍କ ଲାଗି ଏକ ମାତ୍ର ଆଶ୍ରୟରେ ପରିଣତ ହୋଇଛି।

‘ଆଲୋପାଥି’ ଚିକିତ୍ସା ପଦ୍ଧତି ଏଭଳି ସାର୍ବଜନୀନ ହେବା ପଛରେ ଯାହା ନିହିତ ରହିଛି, ତାହା ହେଲା ଏହି କ୍ଷେତ୍ରରେ ଚାଲୁ ରହିଥିବା ଅତ୍ୟନ୍ତ ଉଚ୍ଚକୋଟୀର ବୈଜ୍ଞାନିକ ଗବେଷଣା। କଳ୍ପନାତୀତ ଭାବେ ଉଚ୍ଚ ମାନର ପରୀକ୍ଷାଗାରରେ ସର୍ବାଧୁନିକ ପ୍ରଯୁକ୍ତିର ପ୍ରୟୋଗ ସହିତ ଉଚ୍ଚାଙ୍ଗ ଗବେଷଣାଗୁଡ଼ିକରୁ ଯେଉଁ ଔଷଧ ଓ ପ୍ରତିଷେଧକମାନ ସୃଷ୍ଟି ହେବାରେ ଲାଗିଛି, ତାହା ପୃଥିବୀକୁ ବିଭିନ୍ନ ମାରାତ୍ମକ ରୋଗ ଓ ମହାମାରୀ ଆଦି କବଳରୁ ମୁକ୍ତ ରଖିବାରେ ସହାୟକ ହୋଇଛି। କୋଭିଡ୍‌ ପାନ୍‌ଡେମିକ୍‌ ବେଳେ ବର୍ଷକରୁ କମ୍‌ ସମୟ କାଳ ମଧୢରେ ପ୍ରାୟ ନଅଟି ପ୍ରତିଷେଧକ ଉଭା ହୋଇ କରୋନାକୁ ପରାସ୍ତ କରିବାର ସମ୍ଭାବନା ସୃଷ୍ଟି କରିବା ହେଉଛି ଏହି ଚିକିତ୍ସା ବିଜ୍ଞାନର ଶକ୍ତି ଓ ସାମର୍ଥ୍ୟର ପ୍ରମାଣ। ସୁତରା˚, ଏହି ଚିକିତ୍ସା ପଦ୍ଧତିକୁ ନୀଚା ଦର୍ଶାଇବା ଯେ ଅଯୌକ୍ତିକ, ତହିଁରେ ସନ୍ଦେହ ନାହିଁ।

ତେବେ, ଏହା ମଧୢ ସତ ଯେ ଆବେଦନ ଓ ଆଭିମୁଖ୍ୟ ଦୃଷ୍ଟିରୁ ଭିନ୍ନ ହେଲେ ମଧୢ ଏକ ଚିକିତ୍ସା ବିଜ୍ଞାନ ଏବ˚ ପଦ୍ଧତି ଭାବେ ଆୟୁର୍ବେଦର ସାମର୍ଥ୍ୟ ମଧୢ ପ୍ରଣିଧାନଯୋଗ୍ୟ। ସତ କହିଲେ ଆୟୁର୍ବେଦ କେବଳ ମାତ୍ର ଏକ ଚିକିତ୍ସା ପଦ୍ଧତି ବା ଶାସ୍ତ୍ର ନୁହେଁ; ଏହା ଏକ ଦର୍ଶନ; ଯାହା ଏକ ପ୍ରକୃତି ଅନୁକୂଳ ଜୀବନଚର୍ଯ୍ୟାକୁ ଅନୁସରଣ କରିଥାଏ; ପ୍ରକୃତି ପ୍ରଦତ୍ତ ଔଷଧୀୟ ଗୁଳ୍ମ ଓ ଅନ୍ୟାନ୍ୟ ଜୈବ ତତ୍ତ୍ବକୁ ଔଷଧର ଉପାଦାନ ଭାବେ ଗ୍ରହଣ କରିଥାଏ; ଏବ˚ ଏ ସବୁକୁ ଅତିକ୍ରମ କରି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭାବେ ଏକ ସୁସ˚ହତ ଜୀବନଶୈଳୀ ବିଷୟରେ ମଧୢ କହିଥାଏ; ଯାହାର ମୂଳାଧାର ହେଉଛି ସମ୍ୟକ ଆହାର, ସମ୍ୟକ ବ୍ୟାୟାମ ଏବ˚ ସମ୍ୟକ ନିଦ୍ରା। କହିବା ବାହୁଲ୍ୟ ଯେ ଯେଉଁ ଯୋଗ ଓ ପ୍ରାଣାୟାମ ପ୍ରାଚୀନ ଓ ପାର˚ପରିକ ଭାରତୀୟ ଆୟୁର୍ବିଜ୍ଞାନର ଏକ ଅ˚ଶ ଏବ˚ ଯାହା ସ˚ପ୍ରତି ସାରା ବିଶ୍ବରେ ଆଦୃତ ଏବ˚ ଗୃହୀତ ହେବାରେ ଲାଗିଲାଣି, ଅନେକ ସ୍ଥାନରେ ‘ଆଲୋପାଥିକ’ ଡାକ୍ତରମାନଙ୍କ ରୋଗୀ ପରାମର୍ଶ ‘ପ୍ରୋଟୋକଲ’ ବା ଧାରାରେ ପ୍ରବେଶ କଲାଣି। ଆମ ଦେଶର ଅନାଦି କାଳରୁ ଏ ଯାବତ୍‌ ପ୍ରତ୍ୟେକ ପରିବାର ସାଧାରଣ ରୋଗଗୁଡ଼ିକରେ ଘରୋଇ ଉପଚାର ଭାବେ ଯେଉଁ ଚେର, ମୂଳ ଓ ପତ୍ରାଦିର ବ୍ୟବହାର କରନ୍ତି, ତା’ର ଆଧାର ଆୟୁର୍ବେଦ। କିନ୍ତୁ ବିଡ଼ମ୍ବନାଟି ହେଉଛି ‘ଆୟୁର୍ବେଦ’ ଚିକିତ୍ସା ପଦ୍ଧତିରେ ନିହିତ ଥିବା ଶକ୍ତିକୁ ଅଧିକ ଉଜାଗର ଏବ˚ ପ୍ରଶସ୍ତ କରିବା ଲାଗି ଯେଉଁଭଳି ଉଚ୍ଚକୋଟୀର ଓ ବିଜ୍ଞାନ ସମ୍ମତ ଗବେଷଣାର ଆବଶ୍ୟକତା ରହିଛି, ତାହା ଦେଖିବାକୁ ମିଳି ନ ଥାଏ।

ସୁତରା˚, ଆଜି ପର୍ଯ୍ୟନ୍ତ ଏହା ଏକ ପୁରୁଣାକାଳିଆ ବୈଦ୍ୟ -କୈନ୍ଦ୍ରିକ ଚିକିତ୍ସା ପଦ୍ଧତି ରୂପେ ବିବେଚିତ ହେବାରେ ଲାଗିଛି। ସୁତରା˚, ଏହାର ସୁଯୋଗ ନେଇ ଅନେକ ବ୍ୟକ୍ତି ‘ଆୟୁର୍ବେଦ’ ନାମରେ ଉଦ୍ଭଟ ଚିକିତ୍ସା ପଦ୍ଧତିମାନର ପ୍ରସାର ଘଟାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ସହିତ ସେମାନଙ୍କ ସ୍ବାସ୍ଥ୍ୟଗତ କ୍ଷତି ସାଧନ ମଧୢ କରୁଛନ୍ତି, ଯାହା ପ୍ରକୃତରେ ‘ଆୟୁର୍ବେଦ’ର ସମ୍ମାନରେ ଆଞ୍ଚ ଆଣିଥାଏ। ତେବେ, ସ˚ପ୍ରତି ଅନେକ ଉଚ୍ଚ ଶିକ୍ଷିତ ଯୁବକଯୁବତୀ ଆୟୁର୍ବେଦ ଅଧୢୟନ କରିବା ଲାଗି ଆଗ୍ରହ ପ୍ରକାଶ କଲେଣି। ତେଣୁ ଏହି କ୍ଷେତ୍ରରେ ଉଚ୍ଚକୋଟୀର ଗବେଷଣା ଲାଗି ପଥ ଉନ୍ମୁକ୍ତ ହେବା ଆବଶ୍ୟକ, ଯାହା ଏହି ଶାସ୍ତ୍ରର ପ୍ରକୃତ ଶକ୍ତି ଓ ସାମର୍ଥ୍ୟକୁ ପ୍ରାମାଣିକ ଭାବେ ପ୍ରଦର୍ଶନ କରିପାରିବ। ଏଭଳି ଗବେଷଣା କ୍ଷେତ୍ରରେ ଉଭୟ ସରକାରୀ ଓ ଘରୋଇ ସ˚ସ୍ଥାଙ୍କ ଉଦ୍ୟମ ଓ ଅର୍ଥ ବିନିଯୁକ୍ତ ହେବା ଜରୁରୀ। କିନ୍ତୁ ତାହା କରା ନ ଯାଇ ଯଦି ‘ଆଲୋପାଥି’କୁ କେବଳ କ୍ଷୁଦ୍ର ବୋଲି ଦର୍ଶାଇ ଆୟୁର୍ବେଦକୁ ଉଚ୍ଚତର କରିବାର ପ୍ରୟାସ କରାଯାଏ, ତେବେ ହାସ୍ୟାସ୍ପଦ ହେବା ହିଁ ସାର ହେବ।

କହିବା ନିଷ୍ପ୍ରୟୋଜନ ଯେ ମନୁଷ୍ୟର ନିରାମୟତା ଲାଗି ଉଭୟ ପ୍ରାଚୀନ ଓ ନୂତନ ସବୁ ପ୍ରକାର ଚିକିତ୍ସା ପଦ୍ଧତି ସହାବସ୍ଥାନ କରିବା ଉଚିତ। ପରସ୍ପର ଠାରୁ ଉପଯୋଗୀ ତତ୍ତ୍ବ ଆହରଣ କରି ଏହି ପଦ୍ଧତି ଓ ବିଦ୍ୟା ନିଜକୁ ସମୃଦ୍ଧ କରିପାରିବେ। ତେବେ, ଯାହା ଆବଶ୍ୟକ, ତାହା ହେଉଛି ପ୍ରତ୍ୟେକ ଚିକିତ୍ସା ପଦ୍ଧତି ଅତ୍ୟନ୍ତ ଉତ୍କୃଷ୍ଟ ବିଜ୍ଞାନଭିତ୍ତିକ ଗବେଷଣା ମାଧ୍ୟମରେ ସମୟୋପଯୋଗୀ ହେବା ସହିତ ଆପଣା ଉଚ୍ଚତା ବୃଦ୍ଧିର ପ୍ରଚେଷ୍ଟା କରିବା ଉଚିତ; ଯାହା ସମଗ୍ର ମାନବ ଜାତିର କଲ୍ୟାଣ ସାଧନ କରିପାରିବ।

ସମ୍ବନ୍ଧିତ ଖବର