ପୁରୁଷ ଭରସା!

ବ୍ରିଟେନ୍‌ରେ ଭିକ୍ଟୋରିଆ ଯୁଗ ତଥା ଊନବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ରଚିତ ବର୍ଣ୍ଣାଡ୍‌ ଶ’ଙ୍କର ‘ଅସୁଖକର ନାଟକ’ ତ୍ରୟ ମଧ୍ୟରୁ ଅନ୍ୟତମ ଥିଲା ‘ମିସେସ୍ ୱାରେନ୍‌ସ ପ୍ରଫେସନ୍’ (‘ଶ୍ରୀମତୀ ୱାରେନ୍‌ଙ୍କ ପେସା’)। ନାଟକରେ ଠାଏ କାହାଣୀର କେନ୍ଦ୍ରୀୟ ଚରିତ୍ର ମିସେସ୍ ୱାରେନ୍ ତତ୍‌କାଳୀନ ଶଠତାପୂର୍ଣ୍ଣ ରକ୍ଷଣଶୀଳ ବ୍ରିଟିସ୍ ସମାଜରେ ଜଣେ ନାରୀ ସମ୍ମୁଖୀନ ହେଉଥିବା ଅସ୍ତିତ୍ବ ସଂକଟର ବର୍ଣ୍ଣନା କରି ପ୍ରଦାନ କରିଥିବା ସଂଳାପ ଥିଲା ଏହିପରି: ‘‘ଜଣେ ନାରୀ ନିଜ ପାଇଁ ରୁଚିସମ୍ପନ୍ନ ଭାବରେ ଚଳିବା ନିମିତ୍ତ ଆବଶ୍ୟକ ସମ୍ବଳ ଯୋଗାଡ଼ କରିବାର ଏକମାତ୍ର ବାଟ ହେଉଛି ସେ ଏପରି କୌଣସି ପୁରୁଷ ପାଇଁ ଭଲ ହେବା ଯାହାର ବଦଳରେ ତା’ ପାଇଁ ଭଲ ହେବାର କ୍ଷମତା ଥିବ।’’ ଏହି ‘ଭଲ ହେବା’ ବିବାହ ଭିତରେ ହୋଇପାରେ ବା ବିବାହ ବାହାରେ ହୋଇପାରେ।

ମିସେସ୍ ୱାରେନ୍‌ଙ୍କର ଏହି ଉକ୍ତିର ତାତ୍ପର୍ଯ୍ୟ ଥିଲା ଅର୍ଥନୈତିକ ସ୍ବାଧୀନତା ହାସଲ କରିନଥିବା ସେ ସମୟର ନାରୀମାନଙ୍କ ପାଇଁ ସ୍ବାଚ୍ଛନ୍ଦ୍ୟରେ ବଞ୍ଚିବା ନିମିତ୍ତ ପୁରୁଷମାନଙ୍କ ଉପରେ ନିର୍ଭର କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା। ଶ’ ଯଦିବା ସେ ସମୟର ବ୍ରିଟିସ୍ ସମାଜକୁ କଟାକ୍ଷ କରି ଏହି ନାଟକ ରଚନା କରିଥିଲେ, ସମକାଳୀନ ପୃଥିବୀର ସମସ୍ତ ସମାଜରେ ନାରୀମାନେ ଯେ ସେଇ ଏକାପ୍ରକାର ଅସ୍ତିତ୍ବ ସଂକଟର ସମ୍ମୁଖୀନ ହେଉଥିଲେ, ଏହା ସୂଚାଇବା ଅନାବଶ୍ୟକ।

ମିସେସ୍ ୱାରେନ୍ ତାଙ୍କର ସେଇ ମର୍ମବେଦନା ପ୍ରକାଶ କରିବା ପରେ ଇତି ମଧ୍ୟରେ ପ୍ରାୟ ଗୋଟିଏ ସମ୍ପୂର୍ଣ୍ଣ ଶତାବ୍ଦୀ ଓ ଆଉ ଏକ ଶତାବ୍ଦୀର ଏକ ଚଉଠ ଅତିକ୍ରାନ୍ତ ହୋଇ ଗଲାଣି। ଏହି ଦୀର୍ଘ କାଳଖଣ୍ଡ ମଧ୍ୟରେ ପୃଥିବୀରେ ମାନବ ସମାଜରେ ଯେଉଁ କେତେକ ସ୍ବାଗତଯୋଗ୍ୟ ପରିବର୍ତ୍ତନ ଘଟିଛି, ସେଥିମଧ୍ୟରୁ ବୋଧହୁଏ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ନାରୀମାନେ ଅଧିକରୁ ଅଧିକ ସଂଖ୍ୟାରେ ଘରର ଚାରିକାନ୍ଥ ମଧ୍ୟରୁ ବାହାରି ବିଭିନ୍ନ କ୍ଷେତ୍ରରେ ଅର୍ଥକରୀ ବୃତ୍ତି ଗ୍ରହଣ କରି ପୁରୁଷ ଉପରେ ଅର୍ଥନୈତିକ ନିର୍ଭରଶୀଳତାରୁ ମୁକ୍ତି ଲାଭ କରିବା। ଭୌଗୋଳିକ ସ୍ଥିତି, ରାଜନୈତିକ ବ୍ୟବସ୍ଥା ଓ ଏପରିକି ଧର୍ମବିଶ୍ବାସ ନିର୍ବିଶେଷରେ ଅଧିକାଂଶ ଦେଶରେ ଏହି ଧାରା ଅନିବାର୍ଯ୍ୟ ଭାବରେ ଆଗେଇ ଚାଲିଥିଲା- ଏ ପର୍ଯ୍ୟନ୍ତ। ପୃଥିବୀରେ ଚୀନା କରୋନାର ଆବିର୍ଭାବ ପର୍ଯ୍ୟନ୍ତ। ଏଥିରେ ସନ୍ଦେହ ନାହିଁ ଯେ ପୃଥିବୀ ସାରା ନିଯୁକ୍ତି କ୍ଷେତ୍ରରେ ନାରୀ, ପୁରୁଷ ଉଭୟ ଏହି ପୀତ ଆତଙ୍କ ଦ୍ବାରା ଘୋର କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି, କିନ୍ତୁ ଯାହା ମିସେସ୍ ୱାରେନ୍‌ଙ୍କ ଚିନ୍ତା ବଢ଼ାନ୍ତା, ତାହା ହେଲା ନାରୀମାନେ ପୁରୁଷମାନଙ୍କ ଅପେକ୍ଷା ଅଧିକ କ୍ଷତିଗ୍ରସ୍ତ ହେବା।

ଚୀନା କରୋନାଜନିତ କୋଭିଡ୍-୧୯ ପାଣ୍ଡେମିକ୍ ପୃଥିବୀକୁ କବଳିତ କରିବା ପରେ ପ୍ରାୟ ଦଶମାସ ତଳେ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ କନ୍‌ସଲ୍‌ଟାନ୍‌ସି ସଂସ୍ଥା ‘ମ୍ୟାକ୍‌କିନ୍‌ସି’ ଏ ସମ୍ପର୍କରେ କରିଥିବା ଏକ ଅନୁଶୀଳନରୁ ଯଦି ଏହି ବିଶ୍ବବ୍ୟାପୀ ପଶ୍ଚାତ୍‌ମୁଖୀ ଧାରା ସ୍ପଷ୍ଟ ହୋଇ ଏକ ଅସ୍ବସ୍ତି ଭାବ ସୃଷ୍ଟି କରିଥିଲା, ବର୍ତ୍ତମାନ ଅନ୍ୟ ଏକ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ କନ୍‌ସଲ୍‌ଟାନ୍‌ସି ‘ଡେଲଏଟ୍‌’ ସମ୍ପାଦନ କରିଥିବା ଭାରତ ସମ୍ପର୍କିତ ଏକ ଅନୁରୂପ ଅନୁଶୀଳନରୁ ଯେଉଁ ଚିତ୍ର ଆମ ସମ୍ମୁଖକୁ ଆସିଛି, ତାହା ସେଇ ଅସ୍ବସ୍ତି ଭାବକୁ ଆମ ପାଇଁ ଏକ ଜାତୀୟ ଚିନ୍ତାରେ ପରିଣତ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ‘ମ୍ୟାକ୍‌କିନ୍‌ସି’ କରିଥିବା ଆନ୍ତର୍ଜାତିକ ସର୍ବେକ୍ଷଣରୁ ଜାଣିବାକୁ ପାଇଥିଲା ଯେ କୋଭିଡ୍-୧୯ ମହମାରୀ ଯୋଗୁଁ ପୁରୁଷମାନଙ୍କର ନିଯୁକ୍ତି ବ୍ୟାହତ ହେବା ସମ୍ଭାବନା ତୁଳନାରେ ମହିଳାମାନଙ୍କ ନିଯୁକ୍ତି ବ୍ୟାହତ ହେବା ସମ୍ଭାବନା ହେଉଛି ପ୍ରାୟ ଦୁଇ ଗୁଣ (୧.୮ ଗୁଣ) ଅଧିକ। ପୃଥିବୀରେ ମୋଟ ନିଯୁକ୍ତିରେ ମହିଳାମାନଙ୍କ ଅଂଶ ୩୯ ଶତାଂଶ ହୋଇଥିବା ବେଳେ କୋଭିଡ୍ ଯୋଗୁଁ ଯେଉଁମାନେ ନିଯୁକ୍ତି ହରାଇଛନ୍ତି, ସେମାନଙ୍କ ମଧ୍ୟରୁ କିନ୍ତୁ ୫୪ ଶତାଂଶ ହେଉଛନ୍ତି ମହିଳା।

‘ମ୍ୟାକ୍‌କିନ୍‌ସି’ର ଅନୁସନ୍ଧାନକାରୀମାନେ ଆବିଷ୍କାର କରିଥିବା ମହିଳାମାନେ ସମ୍ମୁଖୀନ ହୋଇଥିବା ଏହି ଅତ୍ୟଧିକ କ୍ଷତିର କାରଣ ହେଉଛି, ଏହି ଚୀନା ଭୂତାଣୁ ଆକ୍ରାନ୍ତ ରୋଗୀମାନେ ଯେଉଁ ଅବୈତନିକ ସେବାଶୁଶ୍ରୂଷା ଆବଶ୍ୟକ କରିଥାନ୍ତି, ତାହା ଯୋଗାଇବାର ଦାୟିତ୍ବ ମୁଖ୍ୟତଃ ପରିବାରର ମହିଳା ସଦସ୍ୟମାନଙ୍କ ଉପରେ ପଡ଼ିଥାଏ। ତେଣୁ ମହିଳାମାନେ ଯେଉଁ କ୍ଷେତ୍ରରେ ନିଯୁକ୍ତ ହୋଇଥାନ୍ତୁ ନା କାହିଁକି, ସେମାନେ କୋଭିଡ୍ ଯୋଗୁଁ କର୍ମ କ୍ଷେତ୍ରରେ ଅନୁପସ୍ଥିତ ରହିବାର ସମ୍ଭାବନା ଏହି କାରଣରୁ ଅଧିକ ହୋଇଥାଏ। ‘ମ୍ୟାକ୍‌କିନ୍‌ସି’ ତା’ର ରିପୋର୍ଟରେ କହିଛି ଯେ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଥିବା କୋଭିଡ୍ ଜନିତ କ୍ଷତିରେ ଦେଖାଯାଉଥିବା ଏହି ଲିଙ୍ଗଗତ ବୈଷମ୍ୟରେ ସୁଧାର ଆଣିବା ପାଇଁ ଯଦି ପଦକ୍ଷେପ ନିଆ ନ ଯାଏ, ତା’ହେଲେ ୨୦୩୦ ସାଲ ସୁଦ୍ଧା ପୃଥିବୀର ମୋଟ ‘ଜିଡିପି’ ବୃଦ୍ଧିରେ ପ୍ରାୟ ଏକ ଟ୍ରିଲିଅନ୍ ଡଲାର୍‌ର କ୍ଷତି ଘଟିବ। ଅର୍ଥାତ୍ କୋଭିଡ୍ ଯୋଗୁଁ ପୁରୁଷମାନେ ଯେଉଁ ହାରରେ ନିଯୁକ୍ତି ହରାଉଛନ୍ତି, ମହିଳାମାନେ ମଧ୍ୟ ଯଦି କେବଳ ସେତିକି ହାରରେ ହିଁ ନିଯୁକ୍ତି ହରାନ୍ତେ, ତେବେ ୨୦୩୦ରେ ‘ବିଶ୍ବ ଜିଡିପି’ରେ ବୃଦ୍ଧି ଆଉ ଏକ ଟ୍ରିଲିଅନ୍ ଡଲାର୍ ଅଧିକ ହୁଅନ୍ତା।

ଏହି ପୃଷ୍ଠଭୂମିରେ ‘ଡେଲଏଟ୍’ କରିଥିବା ସର୍ବେକ୍ଷଣରେ ଦେଖାଯାଇଛି ଯେ ଆନ୍ତର୍ଜାତିକ ସ୍ତରରେ ମହିଳା ଉତ୍ତରଦାତାମାନଙ୍କ ମଧ୍ୟରୁ ୬୬ ଶତାଂଶ କୋଭିଡ୍ ଯୋଗୁଁ ପରିବାର ପରିଚାଳନା ବୋଝ ସେମାନଙ୍କୁ ଅତିରିକ୍ତ ଭାବରେ ଅଧିକ ବହନ କରିବାକୁ ପଡୁଛି ବୋଲି କହିଥିବା ବେଳେ ଭାରତରେ ୭୮ ଶତାଂଶ ମହିଳା ଉତ୍ତରଦାତାମାନେ ଅନୁରୂପ ମତାମତ ପ୍ରକାଶ କରିଛନ୍ତି। ସେହିପରି ଆନ୍ତର୍ଜାତିକ ସ୍ତରରେ ୪୨ ଶତାଂଶ ମହିଳା ଉତ୍ତରଦାତା କୋଭିଡ୍ ଯୋଗୁଁ ସେମାନଙ୍କ କ୍ୟାରିଅର୍‌ରେ ଆଶାନୁରୂପ ଅଗ୍ରଗତି ଘଟି ପାରୁନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଭାରତରେ ସେମାନଙ୍କର ଅନୁପାତ ହେଉଛି ୫୭ ଶତାଂଶ।

ଏକ ଅସ୍ବାଭାବିକ ସମୟରେ ନିଯୁକ୍ତିଦାତା ବା ବସ୍‌ମାନେ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ କାର୍ଯ୍ୟ ସର୍ତ୍ତାବଳୀ ପ୍ରତି ଯଥାସମ୍ଭବ ନମନୀୟ ଆଭିମୁଖ୍ୟ ପ୍ରଦର୍ଶନ କରିବା ଉଚିତ ମନେ ହୋଇଥାଏ। ବିଶେଷ କରି ମହିଳା କର୍ମଚାରୀମାନେ ଏହି ସମୟରେ ଅତିରିକ୍ତ ଚାପର ସମ୍ମୁଖୀନ ହେଉଥିବାରୁ, ବସ୍‌ମାନେ ସେମାନଙ୍କ ପ୍ରତି ଅଧିକ କୋହଳ ଆଭିମୁଖ୍ୟ ପୋଷଣ କରିବା ଉଚିତ, ଯାହା ଫଳରେ ସେମାନେ ନିଯୁକ୍ତି ତ୍ୟାଗ କରିବାକୁ ବାଧ୍ୟ ହେବେ ନାହିଁ। ‘ଡେଲଏଟ୍’ ସର୍ବେକ୍ଷଣରେ କିନ୍ତୁ ଆନ୍ତର୍ଜାତିକ ମହିଳା ଉତ୍ତରଦାତାଙ୍କ ଅନୁପାତ ତୁଳନାରେ କମ୍ ଭାରତୀୟ ମହିଳା ଉତ୍ତରଦାତାମାନେ ସେମାନଙ୍କ ବସ୍‌ମାନେ ଏଥିରେ ସେମାନଙ୍କୁ ସମ୍ବେଦନଶୀଳ ହୋଇ ସାହାଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।

ଭାରତରେ ସରକାରଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ନିଯୁକ୍ତିଦାତାମାନଙ୍କ ପାଇଁ ଏହି ରିପୋର୍ଟ ଏକ ସତର୍କ ଘଣ୍ଟି ଭଳି। ବେଳ ଥାଉଣୁ ଯଦି ମହିଳାମାନେ ସମ୍ମୁଖୀନ ହେଉଥିବା ଏହି କୋଭିଡ୍ ଅନ୍ୟାୟରେ ସୁଧାର ଅଣା ନଯାଏ, ତେବେ କ୍ରମେ ସେମାନେ ପଶ୍ଚାତ୍ ଗତି କରି ପୁଣି ମିସେସ୍ ୱାରେନ୍‌ଙ୍କ ସେଇ ଅସ୍ତିତ୍ବ ସଂକଟଗ୍ରସ୍ତ ଦୁନିଆରେ ପ୍ରବେଶ କରିବାକୁ ବାଧ୍ୟ ହେବେ, ଯେଉଁଠି ପୁରୁଷମାନେ ହିଁ ହେବେ ସେମାନଙ୍କର ବଞ୍ଚି ରହିବା ପାଇଁ ଏକମାତ୍ର ସାହାରା।

ସମ୍ବନ୍ଧିତ ଖବର