ଅମୃତାଙ୍କ ଆତ୍ମା

ପଞ୍ଜାବର ପ୍ରସିଦ୍ଧତମା ସାରସ୍ବତ କନ୍ୟା ତଥା ଦେଶର ସର୍ବଶ୍ରେଷ୍ଠ ସାହିତ୍ୟିକମାନଙ୍କ ମଧ୍ୟରୁ ଅନ୍ୟତମ ଅମୃତା ପ୍ରୀତମ୍‌ଙ୍କର ଯେତେବେଳେ ତାଙ୍କର ଜୀବନସଙ୍ଗୀ (ସ୍ବାମୀ ନୁହନ୍ତି) ତାଙ୍କଠାରୁ ବୟସରେ ସାତ ବର୍ଷ ସାନ ଚିତ୍ରକର ଇମ୍‌ରୋଜ୍‌ଙ୍କ ସହିତ ପ୍ରଥମ ସାକ୍ଷାତ ଅବିଳମ୍ବେ ଗଭୀର ପ୍ରେମରେ ପରିଣତ ହେଲା, ଅନୁଭୂତିହୀନ ତରୁଣ ଇମ୍‌ରୋଜ୍‌ଙ୍କୁ ଏହି ସମ୍ପର୍କରୁ ମୁକୁଳିବା ପାଇଁ ଅମୃତା ପ୍ରଥମେ ଏକ ସୁଯୋଗ ଦେଇଥିଲେ। ସେ ଇମ୍‌ରୋଜ୍‌ଙ୍କୁ ଯାଇ ବାହାର ଦୁନିଆ ଦେଖିବା ପରେ ଇଚ୍ଛା ହେଲେ ତାଙ୍କ ପାଖକୁ ଫେରିବାକୁ ନିଷ୍ପତ୍ତି ନେବା ପାଇଁ ଉପଦେଶ ଦେଇଥିଲେ। ଇମ୍‌ରୋଜ୍‌ ତତ୍‌କ୍ଷଣାତ୍ ଅମୃତାଙ୍କ ଚତୁର୍ଦ୍ଦିଗରେ ସାତ ଘେରା ଘୂରି ଯାଇ ଅମୃତାଙ୍କୁ କହିଲେ ଯେ ସେ ସମଗ୍ର ଦୁନିଆ ଦେଖିଦେଲେ ଏବଂ ଏବେ ସେ ଅମୃତାଙ୍କ ସମ୍ମୁଖରେ ହାଜର ହୋଇ ଘୋଷଣା କରୁଛନ୍ତି ଯେ ସେ ହେଉଛନ୍ତି ସମ୍ପୂର୍ଣ୍ଣ ରୂପେ ଅମୃତାଙ୍କର।

୨୦୦୫ରେ ୮୬ ବର୍ଷ ବୟସରେ ଅମୃତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଦୁହେଁ ବିବାହ ନ କରି ଏକତ୍ର ବାସ କରୁଥିଲେ ଏବଂ ଏବେ ୯୫ ବର୍ଷୀୟ ଇମ୍‌ରୋଜ୍‌ ନିଃସଙ୍ଗ ଜୀବନ ବିତାଉଛନ୍ତି। ମୃତ୍ୟୁ ଶଯ୍ୟାରେ ଅମୃତା ଇମ୍‌ରୋଜ୍‌ଙ୍କ ଉଦ୍ଦେଶ୍ୟରେ ତାଙ୍କର ଯେଉଁ ଶେଷ କବିତା ରଚନା କରିଥିଲେ, ପଞ୍ଜାବୀ ଭାଷାରେ ତାହାର ଶୀର୍ଷକ ଥିଲା: ‘ମୈ ତୈନୁ ଫେର୍ ମିଲାଙ୍ଗୀ’ (ମୋର ତୁମର ପୁଣି ଭେଟ ହେବ)।

ଯଦି ପଞ୍ଜାବର ଏହି କିଂବଦନ୍ତି ପାଲଟିଥିବା ‘ସଙ୍ଗ-ବାସ ସମ୍ପର୍କ’ (ଇଂରେଜୀରେ କୁହାଯାଉଥିବା ଭଳି- ‘ଲିଭ୍-ଇନ୍ ରିଲେସନ୍‌ସିପ୍‌’) ମାମଲା ଏବେ କୌଣସି କାରଣରୁ ବିଚାର ପାଇଁ ପଞ୍ଜାବ ଓ ହରିଆନା ହାଇକୋର୍ଟ ସମ୍ମୁଖରେ ପେସ୍ ହୁଅନ୍ତା, ତା’ହେଲେ ହାଇକୋର୍ଟ କେତେଦୂର ତାଙ୍କ ରାୟରେ କହନ୍ତେ, ‘‘ଏଭଳି ସଙ୍ଗ-ବାସ ସମ୍ପର୍କ ନା ସାମାଜିକ ଦୃଷ୍ଟିରୁ, ନା ନୈତିକ ଦୃଷ୍ଟିରୁ ଗ୍ରହଣୀୟ’’, ତାହା ଚିରଦିନ ଏକ ଅସମାହିତ ପ୍ରଶ୍ନ ହୋଇ ରହିବ। କିନ୍ତୁ ଦୁଇ ସପ୍ତାହ ତଳେ ସେଇ ହାଇକୋର୍ଟର ଏକ ଜଣିକିଆ ବିଚାରପତି ବେଞ୍ଚ୍ ଏକ ଅଖ୍ୟାତ ସଙ୍ଗ-ବାସୀ ଯୋଡ଼ିଙ୍କ ସମ୍ପର୍କିତ ଏକ ମାମଲାର ବିଚାର କରି ଯେଉଁ ରାୟ ପ୍ରଦାନ କରିଛନ୍ତି, ସେଇଥିରୁ ହିଁ ଉପରୋକ୍ତ ମନ୍ତବ୍ୟ ଉଦ୍ଧାର କରାଯାଇଛି।

ଆବେଦନକାରୀ ପ୍ରେମୀ ଯୁଗଳ ଗୁଲ୍‌ଜା କୁମାରୀ ଏବଂ ଗୁରବିନ୍ଦର ସିଂହଙ୍କର ପ୍ରେମ ଅମୃତା-ଇମ୍‌ରୋଜ୍‌ଙ୍କ ପ୍ରେମ ପରି ଗଭୀର କି ନୁହେଁ, ତାହା ଜଣା ନାହିଁ, କିନ୍ତୁ ଯାହା ଜଣା ଅଛି ତାହା ହେଲା, ସେମାନେ ସଙ୍ଗ-ବାସକୁ ଅମୃତା-ଇମ୍‌ରୋଜ୍‌ଙ୍କ ଭଳି ଏକ ସ୍ଥାୟୀ ବ୍ୟବସ୍ଥାରେ ପରିଣତ କରିବାକୁ ଉଦ୍ଦେଶ୍ୟ ରଖି ନାହାନ୍ତି ଏବଂ ଖୁବ୍ ଶୀଘ୍ର ତାହାକୁ ବିବାହରେ ରୂପାନ୍ତରିତ କରିବାକୁ ଚାହାନ୍ତି ବୋଲି ଅଦାଲତଙ୍କୁ ଜଣାଇଛନ୍ତି। ବର୍ତ୍ତମାନ ପାଇଁ ସ୍ବଇଚ୍ଛାରେ ଏକତ୍ର ବାସ କରୁଥିବା ଏହି ସାବାଳକ ଯୁବକ-ଯୁବତୀ ଦ୍ବୟ ଯୁବତୀଙ୍କ ପରିବାର ତରଫରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରୁଛନ୍ତି ବୋଲି ଜଣାଇ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ପାଇଁ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମାନ୍ୟବର ହାଇକୋର୍ଟ ସେମାନଙ୍କର ଏହି ଆବେଦନକୁ ଖାରଜ କରି ଦେଇ ମନ୍ତବ୍ୟ ଦେଇଛନ୍ତି ଯେ ଆବେଦନକାରୀ ଯୋଡ଼ି ଏହି ଆବେଦନର ଛଦ୍ମବେଶରେ ସେମାନଙ୍କର ସଙ୍ଗ-ବାସ ସମ୍ପର୍କ ପାଇଁ ଅଦାଲତଙ୍କର ଅନୁମୋଦନ ମୋହର ହାସଲ କରିବାକୁ ହିଁ ଚାହୁଁଛନ୍ତି।

ଏହି ରାୟର ସାମାନ୍ୟ ତର୍ଜମା କଲେ ଯାହା ଜଣାପଡ଼େ, ତାହା ହେଲା ମାନ୍ୟବର ବିଚାରପତି ସଙ୍ଗ-ବାସୀ ସମ୍ପର୍କକୁ ନାପସନ୍ଦ କରୁଥିବାରୁ, ଆବେଦନକାରୀଙ୍କର ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଅମଙ୍ଗ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ରାୟଟି ଦେଖିଲେ ମନେହୁଏ ସତେ ଯେପରି ଅଦାଲତଙ୍କ ଦୃଷ୍ଟିରେ ପରସ୍ପରକୁ ଭଲ ପାଉଥିବା ଦୁଇ ଜଣ ସାବାଳକ ବିବାହ ନ କରି କିମ୍ବା ବିବାହ ପୂର୍ବରୁ ଯଦି ନିଜ ପିତାମାତାଙ୍କ ବାସସ୍ଥଳୀ ବାହାରେ କୌଣସି ସ୍ଥାନରେ ଏକତ୍ର ବାସ କରନ୍ତି, ତାହା ଅବୈଧ ବିବେଚିତ ହେବ। ସୂଚନା ଯୋଗ୍ୟ ଯେ ଏଭଳି ଏକତ୍ର ବାସ କରୁଥିବା କୌଣସି ଯୋଡ଼ିଙ୍କୁ ବଳପୂର୍ବକ ପରସ୍ପରକୁ ଭଲ ପାଇବାରୁ ନିବୃତ୍ତ କରିବା ପାଇଁ କିମ୍ବା ସେମାନଙ୍କର ଏକତ୍ର ବାସରେ ବାଧା ଦେବା ପାଇଁ କାହାର ହେଲେ ବି ଆଇନଗତ ଅଧିକାର ନାହିଁ। କାରଣ ସଙ୍ଗ-ବାସୀ ଦ୍ବୟ କେବଳ ପ୍ରେମ କରିବା ଦ୍ବାରା କିମ୍ବା ଏକତ୍ର ବାସ କରିବା ଦ୍ବାରା ଆଇନ ଦ୍ବାରା ଆପରାଧିକ ବିବେଚିତ କୌଣସି କାର୍ଯ୍ୟ କରିନଥାନ୍ତି।

ଅଦାଲତଙ୍କ ନିକଟରେ ଯେଉଁ ଆବେଦନ ପେସ୍ କରାଯାଇଥିଲା, ତାହା ଜୀବନ ପ୍ରତି ବିପଦ ଥିବା ଦୁଇଜଣ ନିରପରାଧ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ଏକ ପ୍ରାର୍ଥନା ଥିଲା। ଅନ୍ୟ ଦୃଷ୍ଟିରେ ଦେଖିଲେ ସମ୍ଭାବ୍ୟ ହତ୍ୟାକାଣ୍ଡ ଭଳି ଅପରାଧ ଘଟିବାକୁ ନ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ଲାଗି ହିଁ ଏହି ଆବେଦନ ମାଧ୍ୟମରେ ଅଦାଲତଙ୍କୁ ଅନୁରୋଧ କରାଯାଇଥିଲା। କାରଣ ସୁରକ୍ଷା ଅଭାବରୁ ସଙ୍ଗ-ବାସୀ ଦ୍ବୟ ଯୁବତୀଙ୍କ ପରିବାର ଦ୍ବାରା ଯଦି ହତ୍ୟାର ଶିକାର ହୁଅନ୍ତି, ତାହା ଉତ୍ତର ଭାରତରେ ଦେଖାଯାଉଥିବା ଏକ ନିୟମିତ ଅପରାଧ ଧାରାର ଅଂଶରେ ପରିଣତ ହେବ, ଯାହାର ନାମ ହେଉଛି ‘ମର୍ଯ୍ୟାଦା ହତ୍ୟା’ ବା ଇଂରେଜୀରେ ‘ଅନର୍ କିଲିଙ୍ଗ୍’। ତେଣୁ ଅଦାଲତ ଯେଉଁ ଆବେଦନକୁ ଖାରଜ କରି ଦେଇଛନ୍ତି, ତାହା ବାସ୍ତବରେ ‘ଅନର୍ କିଲିଙ୍ଗ୍’ ଘଟିବାକୁ ନ ଦେବା ପାଇଁ ଏକ ଆବେଦନ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ- ଯାହା ପ୍ରତି ଅଦାଲତ ଆଖି ବୁଜି ଦେଇଛନ୍ତି।

ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯେଉଁ ଦିନ ଜଣେ ମାନ୍ୟବର ବିଚାରପତି ଏହି ସଙ୍ଗ-ବାସ-ବିରୋଧୀ ରାୟ ଦେଲେ, ଠିକ୍ ତା’ ପର ଦିନ ସେଇ ହାଇକୋର୍ଟର ଅନ୍ୟ ଜଣେ ମାନ୍ୟବର ବିଚାରପତି ମଧ୍ୟ ଆଉ ଏକ ଅନୁରୂପ ମାମଲାରେ ଆବେଦନକୁ ଖାରଜ କରି ଦେଇ ସମ୍ପୃକ୍ତ ସଙ୍ଗ-ବାସୀ ଦ୍ବୟଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ମନା କରିଦେଲେ। ଯାହା ଚିନ୍ତାଜନକ, ତାହା ହେଲା, ଅଳ୍ପ ଦିନ ତଳେ ସେଇ ପଞ୍ଜାବ ଓ ହରିଆନା ହାଇକୋର୍ଟର ଅନ୍ୟ ଜଣେ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ସୁଧୀର ମିତ୍ତଲ ଅନ୍ୟ ଏକ ଅନୁରୂପ ମାମଲା‌ର ବିଚାର କରି ଏକ ବିପରୀତ ଆଭିମୁଖ୍ୟ ପ୍ରଦର୍ଶନ କରି ଆବେଦନକାରୀ ସଙ୍ଗ-ବାସୀ ଦ୍ବୟଙ୍କୁ ସୁରକ୍ଷା ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦେଶର ସାଧାରଣ ନାଗରିକମାନଙ୍କ ପାଇଁ ଏହା ଚରମ ଅସ୍ବସ୍ତି ସୃଷ୍ଟି କରିଥାଏ। କାରଣ, ଉପରୋକ୍ତ ରାୟମାନଙ୍କରେ ଥିବା ଏଭଳି ତାରତମ୍ୟ ଦେଖି ଜଣାପଡ଼େ ଯେ ଦେଶର ଆଇନ ଅପେକ୍ଷା ନିର୍ଦ୍ଦିଷ୍ଟ ବିଚାରପତିଙ୍କର ବ୍ୟକ୍ତିଗତ ଆଭିମୁଖ୍ୟ ଉପରେ ହିଁ ମାମଲାର ଭାଗ୍ୟ ନିର୍ଭର କରିଥାଏ। ଜଷ୍ଟିସ୍ ମିତ୍ତଲ ତାଙ୍କ ରାୟରେ ସ୍ପଷ୍ଟ କରି ଦେଇଥିଲେ ଯେ ସଙ୍ଗ-ବାସୀ ସମ୍ପର୍କ ଦେଶର କୌଣସି ଆଇନର ବିରୋଧାଚରଣ କରିନଥାଏ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକ ସାମ୍ବିଧାନିକ ଅଦାଲତ ଭାବରେ ନାଗରିକର ମୌଳିକ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା ହେଉଛି ଯେ କୌଣସି ହାଇକୋର୍ଟର ସାମ୍ବିଧାନିକ ଦାୟିତ୍ବ। ଉପରେ ବର୍ଣ୍ଣିତ ରାୟ ଦ୍ବୟ ଯୋଗୁଁ ନାଗରିକର ବଞ୍ଚିବାର ମୌଳିକ ଅଧିକାର ପ୍ରତି ସୃଷ୍ଟି ହୋଇଥିବା ବିପଦ ତେଣୁ ଗୁରୁତର ସାମ୍ବିଧାନିକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ।
ପରିଶେଷରେ, ପଞ୍ଜାବ ଓ ହରିଆନା ହାଇକୋର୍ଟଙ୍କର ପ୍ରେମୀ-ଯୁଗଳମାନଙ୍କ ପ୍ରତି ଏତାଦୃଶ ଅବିଚାର ପ୍ରଦର୍ଶନ ଯଦି କାହାକୁ ସର୍ବାଧିକ ବ୍ୟଥିତ କରୁଥିବ, ତାହା ହେଉଛି ପରପାରିରେ ଥିବା ‘ପଞ୍ଜାବ ରତ୍ତନ’ ଅମୃତା ପ୍ରୀତମ୍‌ଙ୍କର ଦରଦୀ ଆତ୍ମା!

ସମ୍ବନ୍ଧିତ ଖବର