ବାତ୍ୟା-ବିମର୍ଶ

୧୯୯୯ ମସିହାରେ ଓଡ଼ିଶା ଯେଉଁ ଅକଳ୍ପନୀୟ ଭାବେ ଭୟାବହ ବାତ୍ୟାର ସମ୍ମୁଖୀନ ହୋଇଥିଲା, ତା’ର କ୍ଷୟକ୍ଷତି ସମ୍ବନ୍ଧରେ ରଏଟର୍ସ ସମ୍ବାଦ ସରବରାହ ସ˚ସ୍ଥାର ଜନୈକ ସାମ୍ବାଦିକ ଲେଖିଥିଲେ ଯେ ସମ୍ଭବତଃ ଏହା ପରେ ଓଡ଼ିଶା ତଟର ମାନଚିତ୍ର ସବୁ ଦିନ ଲାଗି ବଦଳି ଯାଇପାରେ। କାରଣ ଓଡ଼ିଶାର ଅତ୍ୟନ୍ତ ଦୀର୍ଘ ସାମୁଦ୍ରିକ ବାତ୍ୟାର ଇତିହାସରେ ଏହି ସର୍ବାଧିକ ଭୀଷଣ ବାତ୍ୟା ଦ୍ବାରା କୂଳ ଲଂଘିଥିବା ସମୁଦ୍ର ରାଜ୍ୟର ତଟୀୟ ରେଖାକୁ ଚିହ୍ନି ନ ହେଲା ଭଳି କ୍ଷୟ କରି ଦେଇଥିବ ବୋଲି ସାମ୍ବାଦିକ ଧରି ନେଇଥିଲେ। ସମସ୍ତଙ୍କ ସ୍ମରଣରେ ଥିବ ଯେ ଏହି ମହାବାତ୍ୟାରେ ପ୍ରାୟ ୧୦,୦୦୦ ଲୋକଙ୍କ ପ୍ରାଣହାନି ଘଟିଥିଲା। ଯଦିଓ ଏହା ପୂର୍ବରୁ ବଙ୍ଗୋପସାଗରରେ ନିୟମିତ ଭାବେ ସୃଷ୍ଟ ଅନେକ ସାମୁଦ୍ରିକ ବାତ୍ୟା ଓଡ଼ିଶା ତଟକୁ ଆକ୍ରମଣ କରିଥିଲା; କିନ୍ତୁ ୧୯୯୯ ମହାବାତ୍ୟାର ପରବର୍ତ୍ତୀ କାଳରୁ ହିଁ ଆମ ରାଜ୍ୟ ସାମୁଦ୍ରିକ ବାତ୍ୟାର ମୁକାବିଲା ଓ ପରିଚାଳନାରେ ଯେଉଁ ଭଳି ଅନ୍ତର୍ନିହିତ ଶକ୍ତିର ବିକାଶ ସମ୍ଭବ କରି ପାରିଛି, ତାହାକୁ ଉଦାହରଣୀୟ ବୋଲି ହିଁ କୁହାଯାଇପାରେ। ଏହି ପୃଷ୍ଠଭୂମିରେ ଗଲା ବୁଧବାର ଦିନ ଆମ ରାଜ୍ୟର ଭୂଭାଗ ଅତିକ୍ରମ କରି ବ୍ୟାପକ କ୍ଷୟକ୍ଷତି ସାଧନ କରିଥିବା ‘ୟାସ’ ନାମକ ସାମୁଦ୍ରିକ ବାତ୍ୟା ସଂଦର୍ଭରେ ଏକ ସ˚କ୍ଷିପ୍ତ ବାତ୍ୟା-ବିମର୍ଶ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ମୂଳରୁ ବଙ୍ଗୋପସାଗର କାହିଁକି ସାମୁଦ୍ରିକ ଝଡ଼ଗୁଡ଼ିକର ଉତ୍ପତ୍ତି ଓ ଚାରଣଭୂମି ହୋଇ ରହି ଆସିଛି ସେ ନେଇ ପାଣିପାଗ ବିଶେଷଜ୍ଞମାନେ ଅନେକ କାରଣ ସହିତ ବିଦ୍ୟମାନ ଅଛନ୍ତି। ସେହି ପରିପ୍ରେକ୍ଷୀରେ ଆଜିକୁ ୨୫୦ ବର୍ଷ ତଳେ ଅର୍ଥାତ୍ ୧୮୭୧ ମସିହା, ଜୁନ୍‌ ୨୩ ତାରିଖରେ ଆନ୍ତର୍ଜାତିକ ଖ୍ୟାତିସ˚ପନ୍ନ ବିଜ୍ଞାନ ପତ୍ରିକା ‘ନେଚର‌୍‌’ରେ ପ୍ରକାଶିତ ଏକ ନିବନ୍ଧରେ ମାଡ୍ରମ ନାମକ ଜଣେ ବ୍ରିଟିସ୍‌ ବିଶେଷଜ୍ଞ ଦର୍ଶାଇଥିଲେ ଯେ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରୁ ପ୍ରବାହିତ ହେଉଥିବା ଦୁଇ ‘ଟ୍ରେଡ୍‌ ଵିଣ୍ତ୍‌’ ବା ‘ବାଣିଜ୍ୟ ବାୟୁ’ ବଙ୍ଗୋପସାଗର ଉପରେ ବିଷୁବ ରେଖାର ଉତ୍ତର ବା ଦକ୍ଷିଣରେ ମିଳିତ ହୋଇ ଏକ ଘୂର୍ଣ୍ଣିବଳୟ ଲାଗି ଆବଶ୍ୟକ ପଟ୍ଟଭୂମି ସୃଷ୍ଟି କରି ସାମୁଦ୍ରିକ ଝଡ଼ର କାରଣ ହୋଇଥାଆନ୍ତି। ସମ୍ଭବତଃ ବ୍ରିଟିସ୍‌ ଉପନିବେଶୀୟ ସରକାର ଭାରତୀୟ ପୂର୍ବ ତଟରେ ବାରମ୍ବାର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହେଉଥିବାରୁ ଏହି ବ୍ରିଟିସ୍‌ ପାଣିପାଗ ବିଜ୍ଞାନୀ ଏ ସଂପର୍କିତ ଅନୁମାନମୂଳକ ନିବନ୍ଧଟିଏ ରଚନା କରିଥିବେ। ତେବେ, ଏହି ନିବନ୍ଧ ପ୍ରକାଶିତ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତର ଅତ୍ୟନ୍ତ ଦୀର୍ଘ ସମୟ ଖଣ୍ଡ ମଧ୍ୟରେ ପୃଥିବୀର ଉତ୍ତପ୍ତୀକରଣ ପ୍ରକ୍ରିୟା ସହିତ ଅନ୍ୟାନ୍ୟ ଅନେକ ପାରିବେଶିକ ପରିବର୍ତ୍ତନ ସଂଘଟିତ ହୋଇ ବଙ୍ଗୋପସାଗରରେ ସାମୁଦ୍ରିକ ବାତ୍ୟାର ସ˚ଖ୍ୟା ଏବ˚ ଭୀଷଣତାରେ ଆଶାତୀତ ଭାବେ ଦ୍ରୁତ ବୃଦ୍ଧି ପାଇ ଚାଲିଛି।

ଏକ ହିସାବ ଅନୁସାରେ ସାରା ପୃଥିବୀରେ ସ˚ଘଟିତ ହୋଇଥିବା ୩୫ଟି ସର୍ବାଧିକ ଭୟାବହ ସାମୁଦ୍ରିକ ବାତ୍ୟା ମଧୢରୁ ୨୬ଟି ହୋଇଛି ବଙ୍ଗୋପସାଗରରେ ଏବ˚ ମ୍ୟାମାର, ବାଂଲାଦେଶ ଠାରୁ ଆରମ୍ଭ କରି ଭାରତର ସ˚ପୂର୍ଣ୍ଣ ପୂର୍ବ ଉପକୂଳକୁ ଏଭଳି ବାତ୍ୟା ଆକ୍ରାନ୍ତ କରିବାରେ ଲାଗିଛି। ୨୦୦୮ରେ ‘ନର୍ଗିସ’ ନାମକ ଏକ ଅତ୍ୟନ୍ତ ଭୀଷଣ ବାତ୍ୟା ମ୍ୟାମାରରେ ଇରାୱାଡ଼ି ତ୍ରିକୋଣଭୂମି ଅଞ୍ଚଳରେ ଯେଉଁ ଭୟାବହ ତାଣ୍ଡବ ରଚନା କରିଥିଲା, ତହିଁରେ ୧ ଲକ୍ଷ ୩୮ ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ତେବେ ଏହା ମଧ୍ୟ ସତ ଯେ ବଙ୍ଗୋପସାଗରର ତଟାଞ୍ଚଳଗୁଡ଼ିକରେ ବାରମ୍ବାର ଏଭଳି ବାତ୍ୟାମାନର ଆବିର୍ଭାବ ଘଟିବା ତଥା ବିଜ୍ଞାନ ଓ ପ୍ରଯୁକ୍ତିରେ ବିକାଶ ବଳରେ ପ୍ରାୟ ସପ୍ତାହକ ପୂର୍ବରୁ ବାତ୍ୟାଗୁଡ଼ିକର ଗତିିପଥ ଏବଂ ଭୂ-ଭାଗ ସ୍ପର୍ଶ କରିବାର ସମ୍ଭାବନା ଥିବା ସ୍ଥାନ ସଂପର୍କରେ ଏକ ଧାରଣା ସୃଷ୍ଟି କରାଯାଇ ପାରୁଥିବା କାରଣରୁ ଧନଜୀବନ କ୍ଷୟକ୍ଷତିର ପରିମାଣକୁ ଅନେକାଂଶରେ ହ୍ରାସ କରାଯାଇ ପାରିଛି।

ସେହି ଦୃଷ୍ଟିରୁ ଗଲା ୨୦୧୯ ଏବଂ ୨୦୨୦ରେ ‘ଫଣି’ ଏବଂ ‘ଅମ୍ଫାନ’ ଭଳି ଅତି ଭୀଷଣ ବାତ୍ୟା ବେଳେ ଅତ୍ୟନ୍ତ ଠିକ ପୂର୍ବାନୁମାନ କରାଯାଇପାରିଥିଲା। ତେବେ, ‘ୟାସ’ ବେଳକୁ ଏହି ପୂର୍ବାନୁମାନ କିଞ୍ଚିତ ଦ୍ବନ୍ଦ୍ବାତ୍ମକ ସାବ୍ୟସ୍ତ ହୋଇ ସଂଶୟ ସୃଷ୍ଟି କରିଥିଲା, ଯାହା ରାଜ୍ୟବାସୀଙ୍କ ଉଦ୍‌ବେଗର ପାରଦକୁ ଉଚ୍ଚତାରେ ରଖିଥିଲା। କହିବା ବାହୁଲ୍ୟ ‌େଯ ଏହି ବାତ୍ୟାର ବ୍ୟାପକ ଭୀଷଣତାକୁ ନେଇ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ଏବଂ ଯାହାକୁ ଆଧାର କରି ଗଣମାଧ୍ୟମର ଶିରୋନାମା ଅତ୍ୟନ୍ତ ଆତଙ୍କ ଉଦ୍ରେକକାରୀ ବାତାବରଣ ସୃଷ୍ଟି କରିଥିଲେ, ସେଭଳି ନ ହୋଇ ୟାସ କମ୍‌ ଭୀଷଣ ହେବା ଯଦିଓ ଅତ୍ୟନ୍ତ ସାନ୍ତ୍ବନା ପ୍ରଦାୟକ ହୋଇଛି, ତେବେ ‘ତା’ର ଗତି ଓ ପ୍ରକୃତି ଶେଷ କ୍ଷଣ ପର୍ଯ୍ୟନ୍ତ ଯେଉଁଭଳି ଭାବେ ପାଣିପାଗ ବିଶେଷଜ୍ଞମାନଙ୍କୁ ସ˚ଶୟରେ ରଖିଥିଲା, ତାକୁ ଏକ ମଡେଲ ଭାବେ ଗ୍ରହଣ କରି ଅଧିକ ଅନୁଶୀଳନ କରାଯିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ଏକମତ ହେଉଛନ୍ତି। ଯଦି କୌଣସି କାରଣରୁ ଏକ ସାମୁଦ୍ରିକ ବାତ୍ୟା ଏଭଳି ମନମୁଖୀ ଆଚରଣ ପ୍ରଦର୍ଶନ କରିବାର ସମ୍ଭାବନା ସୃଷ୍ଟି କରେ, ତେବେ ଏକ ଗଭୀର ଅନୁଧ୍ୟାନ ବଳରେ ହିଁ ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ବାହାର କରାଯାଇ ପାରିବ। ସଂପ୍ରତି ଏହି ବାତ୍ୟା ପ୍ରଭାବରେ ସୃଷ୍ଟ ମାତ୍ରାଧିକ ବର୍ଷା ଓ ଝଡ଼ ଦ୍ବାରା ସୃଷ୍ଟ ଉଚ୍ଚ ଜୁଆର ହେତୁ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛନ୍ତି। ପୁଣି ପୂର୍ଣ୍ଣିମାକାଳୀନ ଜୁଆରିଆ ସମୁଦ୍ର ତଟ ଲଂଘିଥିବା ଜଳକୁ ଫେରିଯିବାକୁ ଦେଉନାହିଁ। ଏଭଳି ସ୍ଥଳେ ଜଳବନ୍ଦୀ ସ୍ଥାନରେ ଏକ ଲମ୍ବା ସମୟ ଲାଗି ରିଲିଫ୍‌ ଯୋଗାଣ ପହଞ୍ଚାଇବା ସହିତ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ଅତ୍ୟନ୍ତ ଜରୁରୀ। କହିବା ବାହୁଲ୍ୟ ଯେ କରୋନା ମୁକାବିଲା ଲାଗି ସ˚ଘର୍ଷ କରୁଥିବା ଜିଲ୍ଲା ପ୍ରଶାସନଗୁଡ଼ିକ ସକାଶେ ଏହା ଏକ ବିଶାଳ ଦ୍ବୈତ ଆହ୍ବାନ ସଦୃଶ। ତେବେ, ଏ ସବୁ ସମସ୍ୟାର ସଫଳ ମୁକାବିଲା ହିଁ ଓଡ଼ିଶାକୁ ତା’ର ସାମର୍ଥ୍ୟ ପ୍ରତିପାଦନ କରିବା ଲାଗି ପୁଣି ଏକ ସୁଯୋଗ ପ୍ରଦାନ କରିଛି, ଯହିଁରେ ରାଜ୍ୟକୁ ତାର ଦକ୍ଷତା ପ୍ରଦର୍ଶନ କରିବାକୁ ହେବ।

ଏହି ପରିପ୍ରେକ୍ଷୀରେ ୧୮୮୭ ମସିହା ମେ ମାସ ୨୫ ତାରିଖରେ ଓଡ଼ିଶା ଉପକୂଳରେ ସ˚ଘଟିତ ଏକ କରୁଣ ସାମୁଦ୍ରିକ ଦୁର୍ଘଟଣା ଉପରେ ଆଲୋକପାତ କରାଯାଇପାରେ। ସେହି ସମୟରେ ଅସ˚ଖ୍ୟ ବଙ୍ଗୀୟ ଶ୍ରଦ୍ଧାଳୁ ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର ଅଭିଳାଷ ପୋଷଣ କରୁଥିବାରୁ ଓଡ଼ିଶା ଏବ˚ ବଙ୍ଗଳା ମଧୢରେ ରେଳ ଚଳାଚଳର ସୁବିଧା କରିବା ଲାଗି ତତ୍କାଳୀନ ବ୍ରିଟିସ୍‌ ସରକାର ଠାରେ ପ୍ରବଳ ଦାବି ଉପସ୍ଥାପନ କରାଯାଉଥିଲା, ଯାହାକୁ ଉପନିବେଶୀୟ ସରକାର କର୍ଣ୍ଣପାତ କରୁ ନ ଥିଲା। ତେବେ ଏହାର ସୁଯୋଗ ନେଇ ବଙ୍ଗୀୟ ଶ୍ରଦ୍ଧାଳୁମାନଙ୍କୁ ପୁରୀ ନେବା ଆଣିବା କରିବା ଲାଗି କଲିକତାରୁ ଚାନ୍ଦବାଲି ପର୍ଯ୍ୟନ୍ତ ଷ୍ଟିମର ଚଳାଚଳ ଆରମ୍ଭ ହୋଇ ଯାଇଥିଲା। ସେହି ସମୟରେ ୭୨୦ ଜଣ ଯାତ୍ରୀ ଓ ୩୦ ଜଣ କର୍ମଚାରୀଙ୍କୁ ନେଇ କଲିକତା ଛାଡ଼ିଥିବା ‘ସାର ଜନ ଲରେନ୍‌ସ’ ନାମକ ଏକ ଜାହାଜ ଚାନ୍ଦବାଲି ନିକଟରେ ଏକ ଭୟାବହ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇ ସଲିଳ ସମାଧି ଲାଭ କରିଥିଲା, ଯହିଁରେ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ। ଘଟଣାର ଦୁଇ ଦିନ ପରେ ଆଉ ଏକ ଷ୍ଟିମର ଏହି ହତଭାଗ୍ୟ ଜାହାଜର ଭଗ୍ନାବଶେଷ ଓ ତା’ ପାଖ‌େର ଭାସମାନ ମୃତ ଶରୀରଗୁଡ଼ିକୁ ଆବିଷ୍କାର କରିବା ପରେ ହିଁ ଏଭଳି ଏକ ଦୁର୍ଘଟଣା ସମ୍ବନ୍ଧରେ ଜଣାପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରାୟ ସମସ୍ତ ଯାତ୍ରୀ ଥିଲେ ସ˚ଭ୍ରାନ୍ତ ବଙ୍ଗୀୟ ପରିବାରର ମହିଳା ଏବ˚ କେତେକ ବ୍ରିଟିସ୍‌ ପଦସ୍ଥ ଅଧିକାରୀ।

ଉଲ୍ଲେଖଯୋଗ୍ୟ ଯେ ଏହି ଦୁର୍ଘଟଣା ପରେ ହିଁ ଓଡ଼ିଶାରେ ରେଳପଥ ଲାଗି ମାର୍ଗ ସୁଗମ ହୋଇଥିଲା। ସେହି ଦୃଷ୍ଟିରୁ ବିଚାର କଲେ କୁହାଯାଇପାରେ ଯେ ୧୯୯୯ ମସିହାର ମହାବାତ୍ୟା ମଧୢ ଥିଲା ଓଡ଼ିଶା ଲାଗି ଏକ ମୋଡ଼ ପରିବର୍ତ୍ତନକାରୀ କ୍ଷଣ। ୧୮୮୭ର ବାତ୍ୟାଜନିତ ଦୁର୍ଘଟଣା ଯେମିତି ଆମ ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ଲାଗି ପଥ ପ୍ରସ୍ତୁତ କରିଥିଲା, ସେହିଭଳି ୧୯୯୯ ମସିହା ମହାବାତ୍ୟାର ଦାରୁଣ ଆଘାତ ଆମ ରାଜ୍ୟର ପ୍ରଶାସନ ଓ ବ୍ୟବସ୍ଥାରେ ଏଭଳି ଏକ ଅନ୍ତର୍ନିହିତ ଶକ୍ତିର ବିକାଶ କରିଛି ଯେ ପରବର୍ତ୍ତୀ କାଳରେ ସ˚ଘଟିତ ହୋଇଥିବା ଅନେକ ଅତ୍ୟନ୍ତ ଭୀଷଣ ବାତ୍ୟାରେ ଅନତିକ୍ରମ୍ୟ ସ୍ତରୀୟ ପୂର୍ବ ପ୍ରସ୍ତୁତି ବଳରେ ଜନ ଜୀବନ ହାନିକୁ ପ୍ରାୟ ଶୂନ୍ୟରେ ରଖାଯିବା ସମ୍ଭବପର ହୋଇ ପାରିଛି। ଏଭଳି ବିରଳ ସାମର୍ଥ୍ୟ ଲାଗି ଆମ ରାଜ୍ୟ ସମଗ୍ର ବିଶ୍ବରେ ପୁରସ୍କୃତ, ସମ୍ମାନିତ ଏବ˚ ପ୍ରଶ˚ସିତ ମଧ୍ୟ ହୋଇ ପାରିଛି। ୟାସ ସ˚ଦର୍ଭରେ ମଧୢ ସେହି ସାମର୍ଥ୍ୟ ଦୃଷ୍ଟିଗୋଚର ହୋଇଛି। ସମ୍ଭବତଃ ଡାରଵିନଙ୍କ ବିବର୍ତ୍ତନବାଦ ତତ୍ତ୍ବ ଅନୁସାରେ ଆମ ରାଜ୍ୟ ପ୍ରଶାସନ ‘ସର୍ଭାଇଭାଲ୍‌ ଅଫ୍‌ ଦ ଫିଟେଷ୍ଟ୍’ (ସର୍ବାଧିକ ଯୋଗ୍ୟ ହିଁ ତିଷ୍ଠି ରହିବ) ନିୟମାନୁସାରେ ଏକ ବିରଳ ଦକ୍ଷତା ହାସଲ କରିସାରିଛି।

ସମ୍ବନ୍ଧିତ ଖବର