ସୁଶୀଳ ସୁଶୀଳ?

୨୦୧୭ ମସିହାରେ ଅନୁଷ୍ଠିତ ହୋଇଥିବା ଜାତୀୟ କୁସ୍ତି ପ୍ରତିଯୋଗିତା ଉପରେ ଯେଉଁମାନେ ନଜର ରଖିଥଲେ, ସେମାନେ ୭୪ କିଲୋଗ୍ରାମ ବିଭାଗର ମଲ୍ଲଯୁଦ୍ଧ ଶୃଙ୍ଖଳା ଯେଉଁଭଳି ଭାବେ ସମାପ୍ତ ହୋଇଥିଲା, ତହିଁରେ ଅତ୍ୟନ୍ତ ବିସ୍ମିତ ହୋଇଥିଲେ। କାରଣ ଦେଖିବାକୁ ମିଳିଥିଲା ଯେ ସେହି ବର୍ଗରେ ଅବତୀର୍ଣ୍ଣ ହୋଇଥିବା ଭାରତର ମହାନତମ ମଲ୍ଲଯୋଦ୍ଧା ସୁଶୀଳ କୁମାର (ଦୁଇଟି ଅଲିିିମ୍ପିକ୍‌ସ ପଦକ ଏବ˚ ଗୋଟିଏ ବିଶ୍ବ ଚା˚ପିଅନ୍‌ସିପ୍‌ର ସ୍ବର୍ଣ୍ଣ ପଦକ ବିଜେତା)ଙ୍କ ସମ୍ମୁଖୀନ ହେବା ଲାଗି ଫୁଲ୍‌କାରେ ପ୍ରବେଶ କରିଥିବା ପ୍ରବୀଣ କୁମାର ନାମକ ପହେଲଵାନ କୌଣସି ଦାଓପେଁଚର ଉଦ୍ୟମ ନ କରି ତାଙ୍କ ପାଦ ଛୁଇଁ ତହିଁରୁ ଓହରି ଯାଇଥିଲେ; ସେହି ଭଳି ସେମି ଫାଇନାଲରେ ସଚ୍ଚିନ ରାଠି ନାମଧାରୀ ଅନ୍ୟ ଜଣେ ମଲ୍ଲଯୋଦ୍ଧା ତତ୍ତୁଲ୍ୟ ସମ୍ମାନ ପ୍ରଦର୍ଶନ ପୂର୍ବକ ସୁଶୀଳ କୁମାରଙ୍କ ଲାଗି ଫାଇନାଲକୁ ଉନ୍ନୀତ ହେବାର ମାର୍ଗ ଉନ୍ମୁକ୍ତ କରି ଦେଇଥିଲେ, ଯେଉଁଠି ପ୍ରତିପକ୍ଷ ପ୍ରବୀଣ ରାଣା ନିଜ ଜାନୁରେ ପାଇଥିବା ଆଘାତକୁ କାରଣ ଭାବେ ଦର୍ଶାଇ ପ୍ରତିଦ୍ବନ୍ଦ୍ବିତାରେ ଅନୁପସ୍ଥିତ ରହି ସୁଶୀଳ କୁମାରଙ୍କୁ ଏକ ‘ଵାକ୍‌ ଓଭର’ ପ୍ରଦାନ କରିଥିଲେ। ସେହି ସମୟରେ ଯଦିଓ ଅନେକ କୁସ୍ତିିପ୍ରେମୀ ଏହାକୁ ଭାରତୀୟ କୁସ୍ତିର ଦୃଢ଼ମୂଳ ପର˚ପରାରେ ନିହିତ ଥିବା ବରିଷ୍ଠ-କନିଷ୍ଠ ଏବ˚ ଗୁରୁ-ଶିଷ୍ୟ ସ˚ପର୍କ ଆଧାରୀ ମୂଲ୍ୟବୋଧର ଏକ ପ୍ରତିଫଳନ ବୋଲି ଅଭିହିତ କରିଥିଲେ, ଅନେକ ସନ୍ଦେହୀ ଦର୍ଶକ ଏହା ପଛରେ ଏକ ଅଭିସନ୍ଧିମୂଳକ କାରଣକୁ ବାରି ପାରି ସେମାନଙ୍କ ସହିତ ଏକମତ ହୋଇ ନ ଥିଲେ।

ଉଲ୍ଲେଖନୀୟ ଯେ ଏହି ସନ୍ଦେହୀମାନଙ୍କ ଆଶଙ୍କାକୁ ସାବ୍ୟସ୍ତ କଲା ଭଳି ଘଟଣାଟିଏ ଅଚିରେ ସେହି ବର୍ଷର ଶେଷ ଭାଗ ଆଡ଼କୁ ଘଟିଥିଲା, ଯହିଁରେ ୨୦୧୮ ‘କମନୱେଲ୍‌ଥ’ ଟୁର୍ନାମେଣ୍ଟ ସକାଶେ ମଲ୍ଲଯୋଦ୍ଧା ଚୟନ ଲାଗି ପୁନର୍ବାର ସୁଶୀଳ କୁମାର ଏବ˚ ପ୍ରବୀଣ ରାଣାଙ୍କୁ ମୁହାଁମୁହିଁ ହେବାକୁ ପଡ଼ିଥିଲା। ଏହି ଥର କିନ୍ତୁ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ଏବ˚ ତହିଁରେ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧୢରେ କିଞ୍ଚିତ ତିକ୍ତତା ମଧୢ ଦୃଷ୍ଟିଗୋଚର ହୋଇଥିଲା। ତେବେ ତା’ ପରେ ଯାହା ଘଟିଥିଲା, ତାହା ସୁଶୀଳ କୁମାରଙ୍କ ସୁନାମକୁ ଧୂମାଚ୍ଛାଦିତ କରି ପକାଇଥିଲା, କାରଣ ତାଙ୍କ କେତେକ ଅନୁଗାମୀ ପହେଲୱାନ ପ୍ରବୀଣ ରାଣାଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁ ମାମଲା ପୁଲିସ ଠାରେ ପହଞ୍ଚିଥିଲେ ମଧୢ ସୁଶୀଳଙ୍କ ପ୍ରଭାବ ହେତୁ ସମ୍ଭବତଃ କ୍ରମେ ଉତ୍ତାପ ହରାଇ ନିଶ୍ଚିହ୍ନ ହୋଇଯାଇଥିଲା। ସୁତରା˚, ସୁଶୀଳ କୁମାରଙ୍କ ପ୍ରତି ସମ୍ମାନ କାରଣରୁ ନୁହେଁ ବର˚ ତାଙ୍କ ପ୍ରତି ଭୟ କାରଣରୁ ଜାତୀୟ କୁସ୍ତି ପ୍ରତିଯୋଗିତାରୁ ମଲ୍ଲଯୋଦ୍ଧାମାନେ ଓହରି ଯାଇଥିଲେ ବୋଲି ସ˚ଶୟୀମାନେ ବହନ କରିଥିବା ଧାରଣା ଏହା ଦ୍ବାରା ବଳ ପାଇଥିଲା। ସ˚ପ୍ରତି ଏହି ଧାରଣା ଆହୁରି ଅଧିକ ଦୃଢ଼ୀଭୂତ ହୋଇଛି ଯେତେବେଳେ ଦେଖିବାକୁ ମିଳିଛି ଯେ ଭାରତର ଏହି ସର୍ବୋତ୍ତମ ଆଥଲେଟ୍‌ ତଥା ପଦ୍ମଶ୍ରୀ ସମ୍ମାନ ଦ୍ବାରା ଭୂଷିତ ପହେଲଵାନ ଜଣେ ସଙ୍ଗୀ ମଲ୍ଲଯୋଦ୍ଧାଙ୍କ ହତ୍ୟା ମାମଲାରେ ପ୍ରତ୍ୟକ୍ଷ ଭାବେ ସ˚ପୃକ୍ତ ଥିବା ଅଭିଯୋଗରେ ପ୍ରାୟ ମାସେ କାଳ ଫେରାର ରହିବା ପରେ ଗିରଫ ହୋଇଛନ୍ତି। କେବଳ ସେତିକି ନୁହେଁ, ଏହି ମାମଲା‌େର ସେ ଜଡ଼ିତ ନୁହନ୍ତି ବୋଲି କହୁଥିବା ସତ୍ତ୍ବେ ଛତ୍ରଶାଳ କୁସ୍ତି ଷ୍ଟାଡିଅମ ବାହାରେ ଘଟିଥିବା ଏହି ଘଟଣାର ଏକ ଭିଡିଓ ଗଲା ଗୁରୁବାର ଦିନ ଆତ୍ମପ୍ରକାଶ କରି ତାଙ୍କର ଭୂମିକାକୁ ଦିବାଲୋକ ଭଳି ସ୍ପଷ୍ଟ କରି ଦେଇଛି। ସେହି ଦୃଷ୍ଟିରୁ ସୁଶୀଳ କୁମାରଙ୍କ ଭଳି ଜଣେ ତାରକାଙ୍କ ପତନ ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ବୋଲି ମନେ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଅଧିକା˚ଶ କ୍ରୀଡ଼ା ବିଶେଷଜ୍ଞଙ୍କ ମତରେ ୨୦୧୨ ମସିହାରେ ସୁଶୀଳ କୁମାର ଲଣ୍ତନ ଅଲି˚ପିକ୍‌ସ୍‌ରେ ରୌପ୍ୟ ପଦକ ଜିଣିବା ସହିତ ତାଙ୍କ ଉତ୍କର୍ଷର ଶୀର୍ଷରେ ପହଞ୍ଚି ଯାଇଥିଲେ; ଯେଉଁଠାରୁ ପରବର୍ତ୍ତୀ କାଳରେ କେବଳ ତାଙ୍କର ଅବରୋହଣ ହିଁ ଅନିବାର୍ଯ୍ୟ ଥିଲା। କିନ୍ତୁ ହୁଏ’ତ ତାହା ଗ୍ରହଣ କରିବାକୁ ସେ ପ୍ରସ୍ତୁତ ନ ଥିଲେ, ଯେଉଁ କାରଣରୁ ତାଙ୍କର ବୟସାଧିକ୍ୟ (କୁସ୍ତି ଭଳି କ୍ରୀଡ଼ା ସକାଶେ) ତଥା ଶାରୀରିକ ଶିଥିଳତା ସତ୍ତ୍ବେ ସେ ସମସ୍ତ ଟୁର୍ନାମେଣ୍ଟରେ ଭାଗ ନେବାକୁ ବଦ୍ଧପରିକର ହୋଇଯାଇଥିଲେ। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା, ଯେତେବେଳେ ରିଓ ଅଲି˚ପିକ୍‌ସ୍‌ରେ ଭାଗ ନେବା ଲାଗି ସେ ଅଯୋଗ୍ୟ ଘୋଷିତ ହେଲେ ଏବ˚ ତାଙ୍କ ସ୍ଥାନରେ ଯୋଗ୍ୟ ବିବେଚିତ ହୋଇଥିବା ନରସି˚ହ ଯାଦବଙ୍କୁ ଏହାର କିଛି ଦିନ ପରେ ଏକ ବିବାଦୀୟ ପରିସ୍ଥିତିରେ ‘ନିଷିଦ୍ଧ ଶକ୍ତି ବର୍ଦ୍ଧକ ଔଷଧ’ ସେବନର ଅଭିଯୋଗରେ ଚାରି ବର୍ଷ ଲାଗି ମଲ୍ଲଯୁଦ୍ଧ ପ୍ରତିଦ୍ବନ୍ଦ୍ବିତାରୁ ବହିଷ୍କାର କରିଦିଆଗଲା। ସ˚ପ୍ରତି ଏହି ମାମଲା ଅଦାଲତରେ ବିଚାରାଧୀନ, ଯହିଁରେ ନରସି˚ହ ଅଭିଯୋଗ କରିଛନ୍ତି ଯେ ଏକ ସୁପରିକଳ୍ପିତ ଷଡ୍‌ଯନ୍ତ୍ର ଭାବେ ସୁଶୀଳ କୁମାରଙ୍କ କୌଣସି ଅନ୍ତରଙ୍ଗ ବ୍ୟକ୍ତି ତାଙ୍କ ଖାଦ୍ୟ ବା ପାନୀୟରେ ଏଭଳି ନିଷିଦ୍ଧ ଔଷଧ ମିଶ୍ରଣ କରିଛନ୍ତି।

ତେବେ, ଏହି ତାରକାଙ୍କ ପତନର ପ୍ରକରଣ କେବଳ ଏତିକିରେ ସୀମିତ ନାହିଁ; ଅଭିଯୋଗ ହୋଇଥାଏ ଯେ ସୁଶୀଳ କୁମାର ଛତ୍ରଶାଳ ଷ୍ଟାଡିଅମ ଠାରୁ ଆରମ୍ଭ କରି ‘ଇଣ୍ତିଆନ୍‌ ରେସଲି˚ ଫେଡେରେସନ’ ପର୍ଯ୍ୟନ୍ତରେ କୁସ୍ତି ବା ମଲ୍ଲଯୁଦ୍ଧ ସହିତ ସ˚ଶ୍ଳିଷ୍ଟ ପ୍ରାୟ ସମସ୍ତ ଅନୁଷ୍ଠାନକୁ ଆପଣା କର୍ତ୍ତୃତ୍ବାଧୀନ କରିବାର ହୀନ ଉଦ୍ୟମ ଆରମ୍ଭ କରି ଦେଇଥିଲେ, ଯେଉଁ କାରଣରୁ ଏକଦା ତାଙ୍କର ଘନିଷ୍ଠ ବନ୍ଧୁ ତଥା ସମତୁଲ ଯଶଧାରୀ ମଲ୍ଲଯୋଦ୍ଧା ଯୋଗେଶ୍ବର ଦତ୍ତଙ୍କ ସହିତ ତାଙ୍କର ମନୋମାଳିନ୍ୟ ମଧୢ ଘଟିଛି। ପୁଣି ଯାହା ସର୍ବାଧିକ ଗର୍ହିତ ତାହା ହେଲା ମଲ୍ଲଯୋଦ୍ଧା ସମର୍ଥକଙ୍କ ଏକ ଗ୍ୟାଙ୍ଗ ଗଠନ କରି ସୁଶୀଳ କୁମାର ବିଭିନ୍ନ ସନ୍ଦିଗ୍‌ଧ କାର୍ଯ୍ୟରେ ଲିପ୍ତ ହେବା; ଯହିଁରେ ବିପୁଳ ଅର୍ଥ ବଦଳରେ ବିଭିନ୍ନ ବିବାଦରେ ମଧୢସ୍ଥତା କରିବା ବା ଅନଧିକାର ଭାବେ କବ୍‌ଜାରେ ରହିଥିବା ଘରଗୁଡ଼ିକୁ ମୁକ୍ତ କରିବା ବା ବାହୁ ବଳର ପ୍ରଭାବ ବିସ୍ତାର କରି ବିଭିନ୍ନ ଠିକାଦାରି ହାସଲ କରିବା ଆଦି ଅନ୍ତର୍ଭୁକ୍ତ। ଏ ସବୁ ଅବଲୀଳା କ୍ରମେ ତାଙ୍କୁ ଆପରାଧିକ ଦୁନିଆର ଅନ୍ଧ ଗହ୍ବର ମଧୢକୁ ଶୋଷି ନେଇଥିଲା। ଏ ସ˚ପର୍କରେ ‘ଲିଫ୍‌ଲେଟ୍‌’ ନାମକ ଏକ ପତ୍ରିକାରେ ପ୍ରକାଶିତ ଏକ ଆଲେଖ୍ୟରେ ଜନୈକ ମଲ୍ଲଯୋଦ୍ଧା ଲେସ୍‌ଲେ ଜାଭିଅର ନିଜ ଅନୁଭୂତି ଆଧାରରେ ପ୍ରକାଶ କରିଛନ୍ତି ଯେ ଏହି କ୍ରୀଡ଼ା ଶୃଙ୍ଖଳାକୁ ପ୍ରବେଶ କରୁଥିବା ଯୁବକମାନଙ୍କ ମଧୢରୁ ଖୁବ୍‌ କମ୍‌ ଶୀର୍ଷକୁ ଯାଇ ଯଶ ଓ ଅର୍ଥ ଅର୍ଜନ କରିପାରନ୍ତି; ସୁତରା˚, ଅଧିକା˚ଶ ସେମାନଙ୍କର ବାହୁ ବଳର ଆଶ୍ରୟ ନେଇ ବାଉନ୍‌ସର ଭାବେ ବା କୌଣସି ରାଜନେତାଙ୍କ ଅଙ୍ଗରକ୍ଷୀ ରୂପେ ନିଯୁକ୍ତ ହୁଅନ୍ତି ଅଥବା ଅର୍ଥ ବଦଳରେ ବିବାଦୀୟ ମାମଲାମାନର ବଳ ପୂର୍ବକ ସମାଧାନ କରନ୍ତି। ଜାଭିଅର କହିଛନ୍ତି ଯେ ଅନେକ ସମୟରେ ବରିଷ୍ଠ ପହେଲଵାନମାନେ ସ୍ବୟ˚ ଅର୍ଥ ଗ୍ରହଣ କରି ନିଜ ଚେଲା ପହେଲଵାନମାନଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରିଥାଆନ୍ତି, ଯେଉଁଥିରେ ଏହି କ୍ରୀଡ଼ାରେ ନିହିତ ଥିବା ଗୁରୁ-ଶିଷ୍ୟ ପର˚ପରାକୁ ଅତ୍ୟନ୍ତ ଅନୁରକ୍ତିର ସହିତ ଅନୁସରଣ କରୁଥିବା ଚେଲା ଲାଗି ପ୍ରତିବାଦ କରିବା ବା ଅରାଜି ହେବାର ସୁଯୋଗ ହିଁ ରହି ନ ଥାଏ।

ଯେଉଁମାନେ ସୁଶୀଳ କୁମାରଙ୍କ ଅସୁମାରି ଟେଲିଭିଜନ ବା ଭିଡିଓ ସାକ୍ଷାତକାରମାନ ଦେଖିଛନ୍ତି, ସେମାନେ ତାଙ୍କୁ ଜଣେ ଅତ୍ୟନ୍ତ ମୃଦୁ ଭାଷୀ ଏବ˚ ବିବେକୀ ବ୍ୟକ୍ତି ଭାବେ ପାଇଥାଆନ୍ତି। ତେଣୁ ତାଙ୍କର ଏଭଳି ସ୍ଖଳନ ଅନେକଙ୍କ ଲାଗି ଅତ୍ୟନ୍ତ ବିସ୍ମୟକର ହେବା ସହିତ ଅଗଣିତ ସ୍ତାବକଙ୍କୁ ମୁହ୍ୟମାନ କରିଛି। କିନ୍ତୁ ଯେଉଁମାନେ ମନୁଷ୍ୟର ମନସ୍ତତ୍ତ୍ବ ସ˚ପର୍କରେ କିଞ୍ଚିତ ଧାରଣା ରଖନ୍ତି, ସେମାନେ ଅବଗତ ଯେ ଯଶ ବା ପ୍ରସିଦ୍ଧି ଜଣେ ବ୍ୟକ୍ତିକୁ ଯେଉଁଭଳି ରାତାରାତି ଅତ୍ୟନ୍ତ ଉଚ୍ଚାସନରେ ବସାଇ ଆଲୋକ ଉଦ୍‌ଭାସିତ କରିପକାଏ, ତହିଁରେ ସେ ନିଜର ବିବେଚନାବୋଧକୁ କାଏମ ରଖି ସ୍ଥିର ଓ ସ୍ଥିତପ୍ରଜ୍ଞ ରହିବା ଦୁରୂହ ବ୍ୟାପାର ହୋଇପଡ଼େ। ଯେଉଁ କ୍ରୀଡ଼ା ସୁଶୀଳଙ୍କୁ ଯଶ, ଅର୍ଥ ଓ ପ୍ରତିଷ୍ଠା ପ୍ରଦାନ କରିଥିଲା, ସେହି ‘ମଲ୍ଲଯୁଦ୍ଧ’ ଠାରୁ ସେ ନିଜକୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ସମ୍ଭବତଃ ମନେ କରିଥିବେ, ଯାହା ତାଙ୍କୁ ଦିଗଭ୍ରଷ୍ଟ କରି ପକାଇଥିବ। କେବଳ ସେତିକି ନୁହେଁ, ପ୍ରସିଦ୍ଧିର ଆଲୋକ ହଟିଯାଇ ପୁଣି ଏକ ଉତ୍ତେଜନାବିହୀନ ଓ ଅନେକ ସମୟରେ ଅସ୍ତିିତ୍ବହୀନ ସାଧାରଣ ଜୀବନ ଜିଇବା ଏଭଳି ଯଶୋବନ୍ତମାନଙ୍କ ଲାଗି ଆହୁରି କଷ୍ଟପ୍ରଦ ହୋଇପଡ଼େ। ସେଥି ଲାଗି ସୁଶୀଳ କୁମାରଙ୍କ କ୍ଷେତ୍ରରେ ଯାହା ଘଟିଛି, ତାହା ଅନ୍ୟାନ୍ୟ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଠାରେ ଦୃଶ୍ୟମାନ ହୋଇଛି, ଯେଉଁମାନେ ଅପରାଧ କରିଛନ୍ତି, ଡ୍ରଗ୍‌ସର ଶିକାର ହୋଇଛନ୍ତି ଏବ˚ ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା ମଧୢ କରିଛନ୍ତି। ସେଥି ଲାଗି ସମ୍ଭବତଃ ସୁଶୀଳ କୁମାର ଆଉ ପୂର୍ବ ଭଳି ସୁଶୀଳ ହୋଇ ରହିପାରିଲେ ନାହିଁ।

ସମ୍ବନ୍ଧିତ ଖବର