‘10’ ନମ୍ବର ଯନ୍ତା

ଏକଦା ଏକ ହାସ୍ୟ କବି ସମ୍ମିଳନୀରେ ଜଣେ ଲୋକପ୍ରିୟ କବିଙ୍କୁ ନିଜ ରଚିତ ଏକ କବିତା ଆବୃତ୍ତି କରିବା ଦେଖା ଯାଇଥିଲା, ଯାହାର ଶୀର୍ଷକ ଥିଲା: ‘10’। ଇ˚ରେଜୀରେ ‘ଟେନ୍‌’। କବିତାଟିର ବିଷୟବସ୍ତୁ ଥିଲା ସେ ଓ ତାଙ୍କ ପତ୍ନୀଙ୍କ ମଧୢରେ ଥିବା ଅସରନ୍ତି ବିରୋଧାଭାସ ସବୁର ଘୋର ହାସ୍ୟୋଦ୍ଦୀପକ ବର୍ଣ୍ଣନା। କବିତାର ଶୀର୍ଷକରୁ ହିଁ ସେମାନଙ୍କ ମଧୢରେ ଥିବା ବିରୋଧାଭାସ ତାଲିକାର ଆରମ୍ଭ ହୋଇଥାଏ। ‘ଟେନ୍‌’ର ପ୍ରଥମ ଅଙ୍କଟି ଏକ ଶୀର୍ଣ୍ଣକାୟ ବାଡ଼ି ହୋଇଥିବା ବେଳେ ଦ୍ବିତୀୟ ଅଙ୍କଟି ଏକ ପୃଥୁଳ ଉଦର ଭଳି ହୋଇଥାଏ। ମଞ୍ଚରେ ଛିଡ଼ା ହୋଇ କବିତା ପାଠ କରୁଥିବା କବି ଜଣକ ଧାରଣ କରିଥିବା ପତଳା ଶରୀର ‘ଟେନ୍‌’ର ଏହି ବାଡ଼ିଟିର ପ୍ରତିନିଧିତ୍ବ କରିଥାଏ ଏବ˚ ସେଠାରେ ଉପସ୍ଥିତ ନଥିବା ତାଙ୍କର ପତ୍ନୀଙ୍କ ମେଦବହୁଳ ଶରୀର ‘ଟେନ୍‌’ର ମଣ୍ତଳାକାର ଦ୍ବିତୀୟ ଅଙ୍କଟିର ପ୍ରତିନିଧିତ୍ବ କରିଥାଏ ବୋଲି କବି ତାଙ୍କ କବିତାରେ ସ୍ପଷ୍ଟ କରି ଦେଇଥିଲେ।

ଦର୍ଶକମାନଙ୍କ ହାସ୍ୟରୋଳ ସୂଚାଉଥିଲା ଯେ ସେମାନେ କବିତାଟିକୁ ବେଶ୍‌ ଉପଭୋଗ କରୁଥିଲେ। ଯଦି ସେମାନଙ୍କ ମଧୢରେ କବିଙ୍କ ସହଧର୍ମିଣୀ ଉପସ୍ଥିତ ଥିବେ, ବୋଧହୁଏ ସେ ଲାଜ ଲାଜ ହୋଇ ଏହି ଉପଭୋଗରେ ଅ˚ଶ ଗ୍ରହଣ ମଧୢ କରିଥିବେ। ଏଠାରେ କଳ୍ପନା କରାଯାଉ ଯେ ଚିତ୍ରଟି ହେଉଛି ଏହାର ଠିକ୍‌ ବିପରୀତ, ଅର୍ଥାତ୍‌ କବି ଜଣକ ବହୁତ ମୋଟା ଏବ˚ ତାଙ୍କର ପତ୍ନୀ ହେଉଛନ୍ତି ତନୁପାତଳୀ। ତାହେଲେ ଏହି କବିତାଟି ଆଦୌ ରଚିତ ହୁଅନ୍ତା ନାହିଁ ଏବ˚ ଯଦିବା ରଚିତ ହୋଇ ମଞ୍ଚରେ ପଠିତ ହୁଅନ୍ତା, ତେବେ ବି ଦର୍ଶକମାନଙ୍କ ମଧୢରେ ଏପରି ହାସ୍ୟରୋଳ ସୃଷ୍ଟି କରନ୍ତା ନାହିଁ। ଏହାର କାରଣ ସମସ୍ତଙ୍କୁ ଜଣା। ନାରୀର ଶରୀର ପୃଥୁଳ ହୋଇଗଲେ ଯେଉଁ ଭଳି ଏକ ବିକୃତି ରୂପେ ବିବେଚିତ ହୋଇଥାଏ ଏବ˚ ଥଟ୍ଟା ପରିହାସ, କଟାକ୍ଷ, ବ୍ୟଙ୍ଗର ବସ୍ତୁ ପାଲଟିଯାଏ (ଯାହାକୁ ଇ˚ରେଜୀରେ କୁହାଯାଏ- ‘ଫ୍ୟାଟ୍‌ ସେମିଙ୍ଗ୍‌’), ଜଣେ ପୁରୁଷ କ୍ଷେତ୍ରରେ ପ୍ରାୟ ସେଭଳି ଘଟିନଥାଏ।

ପୃଥିବୀର ପ୍ରତ୍ୟେକ ସମାଜରେ ନାରୀମାନେ ଏହି କ୍ରୂର ଲିଙ୍ଗ ବିଦ୍ବେଷର ଶିକାର ହୋଇଥିବା ବେଳେ, ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଭାରତରେ ମଧୢ ଏହା ବ୍ୟାପକ ଓ ଗଭୀର ହୋଇଥିବା ସାବ୍ୟସ୍ତ ହୋଇଥାଏ। ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ସ˚ସ୍ଥା ‘ଫର୍ଟିସ୍‌ ହେଲ୍‌ଥ କେଆର‌୍‌’ ଦ୍ବାରା ଦେଶର ୨୦ଟି ବଡ ବଡ ସହରରେ କରାଯାଇଥିବା ଏହି ସର୍ବେକ୍ଷଣ ଅନୁସାରେ ଏଥିରେ ଅ˚ଶ ଗ୍ରହଣ କରିଥିବା ମହିଳା ଉତ୍ତରଦାତ୍ରୀମାନଙ୍କ ମଧୢରୁ ଏକ ଉଚ୍ଚା ୮୪ ଶତା˚ଶ ପ୍ରକାଶ କରିଥିଲେ ଯେ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ବହୁ ଅଧିକ ନିଜର ମୋଟାପଣ ପାଇଁ ‘ଶାରୀରିକ ବ୍ୟଙ୍ଗ’ର ଶିକାର ହୋଇଥାନ୍ତି। ଯାହା ଅତ୍ୟନ୍ତ ବେଦନା ଦାୟକ, ତାହା ହେଲା ସେମାନଙ୍କ ମଧୢରୁ ୩୦ ଶତା˚ଶରୁ ଅଧିକ ଉତ୍ତରଦାତ୍ରୀମାନେ ସେମାନଙ୍କର ଶାରୀରିକ ଆକୃତି ଯୋଗୁଁ ବାହାର ଦୁନିଆର ସାମନା କରିବା ପାଇଁ କୁଣ୍ଠିତ ହୋଇଥାନ୍ତି ବୋଲି ପ୍ରକାଶ କରିଥିଲେ।

ଏଭଳି ଲିଙ୍ଗ-ଗତ ଅନ୍ୟାୟ ତ ଘୋର ଦୁର୍ଭାଗ୍ୟଜନକ, ଏଥିରେ କୌଣସି ସନ୍ଦେହ ନାହିଁ; ଯାହା ଆହୁରି ଅଧିକ ଚିନ୍ତାଜନକ, ତାହା ହେଲା, ଏହି ଅନ୍ୟାୟର ଶିକାର ହେଉଥିବା ଏହି ମହିଳାମାନଙ୍କ ମଧୢରୁ ୯୫ ଶତା˚ଶ ଏହା ମଧୢ କହିଛନ୍ତି ଯେ ଯେଉଁମାନେ ସେମାନଙ୍କୁ ଏଭଳି ନିର୍ଯାତନା ଦେଇଥାନ୍ତି ସେମାନେ ଅନୁଭବ କରନ୍ତି ନାହିଁ ଯେ ଏହାଦ୍ବାରା ସେମାନେ କିଛି ଅସ୍ବାଭାବିକ କାର୍ଯ୍ୟ କରୁଛନ୍ତିି- ଅର୍ଥାତ୍‌ ‘ମୋଟୀକୁ ମୋଟୀ’ କହିବା ହେଉଛି ସମ୍ପୂର୍ଣ୍ଣ ସ୍ବାଭାବିକ। ଏଭଳି ମାନସିକତା ଯେଉଁ ସମାଜତାତ୍ତ୍ବିକ ପ୍ରକ୍ରିୟାର ଅ˚ଶ, ତାହା ହେଲା, ସମାଜ ନାରୀ ଶରୀର ପାଇଁ ଏକ ଆଦର୍ଶ ଆକୃତି ସ୍ଥିର କରିଛି, ଯାହା ମୂର୍ତ୍ତିକଳାରୁ ଚିତ୍ରକଳା ପର୍ଯ୍ୟନ୍ତରେ, ସିନେମାରୁ ଟେଲିଭିଜନ୍‌ ପର୍ଯ୍ୟନ୍ତରେ ସ୍ବୀକୃତି ଲାଭ କରିଥାଏ ଯେତିକି, କାବ୍ୟ କବିତାରୁ ଗଳ୍ପ ଉପନ୍ୟାସ ପର୍ଯ୍ୟନ୍ତରେ ମର୍ଯ୍ୟାଦା ଲାଭ କରିଥାଏ ସେତିକି। ନାରୀ ଶରୀର ପ୍ରତି ଏଭଳି ଅସ୍ବାଭାବିକ ଦୃଷ୍ଟିଭଙ୍ଗୀ ପ୍ରାୟ ପ୍ରତ୍ୟେକ ସମାଜରେ ଏପରି ସ୍ଥାୟୀତ୍ବ ଲାଭ କରିଛି ଯେ କେବଳ ପୁରୁଷମାନେ ନାରୀ ଶରୀର ପ୍ରତି ଏହି ଅତ୍ୟକ୍ତ କଷ୍ଟକର ମାନଦଣ୍ତ ପ୍ରୟୋଗ କରନ୍ତି, ତାହା ନୁହେଁ, ଖୋଦ୍‌ ନାରୀମାନେ ମଧୢ ଏହା ହାସଲ କରିବା ପାଇଁ ପ୍ରାଣପଣେ ଲାଗିଥାନ୍ତି ଏବ˚ ଏଥିରୁ ବିଚ୍ୟୁତି ଘଟିଲେ ସେଥିପାଇଁ ନିଜକୁ ଦୋଷୀମନେ କରିଥାନ୍ତି।

ଏଭଳି ସାମାଜିକ ବିକୃତି ଯେ କେବଳ ଭାରତରେ ସୀମିତ ନୁହେଁ, ତାହାର ଏକ ପ୍ରମାଣ ଦେଖିବାକୁ ମିଳେ ଗତ ମାସରେ ମର୍ଯ୍ୟାଦାଜନକ ଆମେରିକୀୟ ଅର୍ଥନୈତିକ ଗବେଷଣା ସ˚ସ୍ଥା ‘ନେସନାଲ ବ୍ୟୁରୋ ଅଫ୍‌ ଇକନୋମିକ୍‌ ରିସର୍ଚ୍ଚ’ (‘ଏନ୍‌ବିଇଆର‌୍‌’) ଦ୍ବାରା ପ୍ରକାଶିତ ଏକ ଗବେଷଣା ନିବନ୍ଧରେ। ମେଦବହୁଳତାକୁ ଏକ ଗୁରୁତର ବିଶ୍ବବ୍ୟାପୀ ସ୍ବାସ୍ଥ୍ୟ ସମସ୍ୟା ରୂପେ ପ୍ରଦର୍ଶିତ କରିଥିବା ଏହି ଗବେଷଣା ପତ୍ରର ପ୍ରକାଶିତ ସାରା˚ଶର ଶେଷରେ ପ୍ରଦାନ କରାଯାଇଥିବା ମନ୍ତବ୍ୟ ଏଠାରେ ଉଦ୍ଧାରଯୋଗ୍ୟ: ‘‘ବିବାହିତ ଦମ୍ପତିମାନେ ତେଣୁ ଗୋଟିଏ କଥାରେ ଏକମତ ଯେ ପତିଙ୍କୁ କାର୍ଯ୍ୟକ୍ଷମ (ଫିଟ୍‌) ରଖିବା ଅପେକ୍ଷା ପତ୍ନୀଙ୍କୁ ପାତଳୀ ରଖିବା ହେଉଛି ବହୁ ଅଧିକ ମୂଲ୍ୟବାନ୍‌’’। ହଠାତ୍‌ ମନେ ହୋଇପାରେ ଯେ ଲିଙ୍ଗଗତ ଅନ୍ୟାୟମାନ ଭରି ହୋଇ ରହିଥିବା ଭାରତ ଭଳି କୌଣସି ଏକ ତୃତୀୟ ବିଶ୍ବ ଦେଶ, ଯେଉଁଠି ନାରୀମାନଙ୍କୁ କେବଳ ଏକ ଉପଭୋଗ୍ୟ ବସ୍ତୁ ରୂପେ ବିଚାର କରାଯାଏ, କୁ ଲକ୍ଷ୍ୟ କରି ଏହି ମନ୍ତବ୍ୟ ପ୍ରଦାନ କରାଯାଇଛି। ସତ୍ୟ କିନ୍ତୁ ହେଉଛି ଏହାର ସମ୍ପୂର୍ଣ୍ଣ ବିପରୀତ। ସମ୍ପୃକ୍ତ ଦେଶଟି ହେଉଛି ପୃଥିବୀର ସର୍ବାଧିକ ବିକଶିତ ଓ ସର୍ବାଧିକ ଉଦାର ରୂପେ ବିବେଚିତ ଦେଶମାନଙ୍କ ମଧୢରେ ଅଗ୍ରଗଣ୍ୟ-ସୁଇଜର‌୍‌ଲାଣ୍ତ!

ଅନେକ ସମୟରେ ନାରୀ ଶରୀରର ପତଳା ଆକୃତିକୁ ପ୍ରଦାନ କରାଯାଉଥିବା ଏଭଳି ମାତ୍ରାଧିକ ଗୁରୁତ୍ବ ଏକ ଅବାଞ୍ଛିତ ବିଡ଼ମ୍ବନାକୁ ଜନ୍ମ ଦେବା ଦେଖାଯାଇଥାଏ: ସମ୍ପୃକ୍ତା ନାରୀର ଶୁଭଚିନ୍ତକମାନେ ହିଁ ତାପାଇଁ ଅବିରତ ‘ଶାରୀରିକ ଲଜ୍ଜା’ ସୃଷ୍ଟି କରିଚାଲିଥାନ୍ତି। ଉଦ୍ଦେଶ୍ୟ, ନାରୀଟି ନିଜର ଆହାର ନିୟନ୍ତ୍ରଣ କରି, ଦୈହିକ କସରତ୍‌ କରି ନିଜର ଆକୃତିକୁ ସାମାଜିକ ଅନୁମୋଦନପ୍ରାପ୍ତ ଛାଞ୍ଚ ମଧୢରେ ଆବଦ୍ଧ ରଖିବ। ସମୟ ସମୟରେ ଏହି ଶୁଭଚିନ୍ତକକୃତ ବିଡ଼ମ୍ବନା ଆଉ ଏକ ନିଷ୍ଠୁର ବିଡ଼ମ୍ବନା ସୃଷ୍ଟି କରିଥାଏ: ଏଭଳି ‘ଫ୍ୟାଟ୍‌ ସେମିଙ୍ଗ୍‌’ର ନିଶାଣ ହୋଇଥିବା ନାରୀମାନେ ଏହାଦ୍ବାରା ଏପରି ହୀନମନ୍ୟତା ଓ ହତାଶାର ଶିକାର ହୋଇଥାନ୍ତି ଯେ ସେମାନେ ପ୍ରତିଶୋଧ ନେବା ଭଳି ଆହୁରି ବେଲଗାମ୍‌ ଖାଇବାରେ ଲାଗନ୍ତି ଓ ଆହୁରି ମୋଟା ହେବାରେ ଲାଗନ୍ତି।

ବିପଦ ସେତିକିରେ ସୀମିତ ରହେ ନାହିଁ। ସେମାନଙ୍କ ମଧୢରୁ ଅନେକ ମାନସିକ ଅବସାଦରୁ ଆରମ୍ଭ କରି ଆହାର ବିକୃତି, ଆତ୍ମପ୍ରତ୍ୟୟ କ୍ଷୟ ଏବ˚ ଏପରିକି ଆତ୍ମହତ୍ୟା ପ୍ରବଣତା ପର୍ଯ୍ୟନ୍ତର ସମ୍ମୁଖୀନ ହେବା ଦେଖାଯାଇଥାଏ। ଏଥିରୁ ଯେଉଁ ଆତ୍ମଗ୍ଳାନି ସୃଷ୍ଟି ହୋଇଥାଏ, ତାହାର ପ୍ରଭାବରେ ଅନ୍ୟାନ୍ୟ ଭିନ୍ନ ପରିପ୍ରେକ୍ଷୀରେ ମଧୢ ସମ୍ପୃକ୍ତା ମହିଳାମାନେ ମେଦ ବୃଦ୍ଧିକୁ ନିଜର ଦୋଷ ବୋଲି ଗ୍ରହଣ କରିନେବା ଭଳି, ଅନ୍ୟ କୌଣସି ଅଘଟଣକୁ ବି ନିଜର ଦୋଷ ବୋଲି ଗ୍ରହଣ କରି ନେଇଥାନ୍ତି, ଯଦିବା ପ୍ରକୃତ ସତ୍ୟ ତାହା ହୋଇନଥାଏ। ଅନ୍ୟ ଭାଷାରେ କହିଲେ ନାରୀମାନେ ଏକ ‘10’ ନମ୍ବର ଯନ୍ତାରେ ପଡ଼ିଛନ୍ତି ଏବ˚ ସେମାନଙ୍କୁ ମୁକୁଳାଇବା ଦାୟିତ୍ବ ସମାଜର ଯେତିକି, ଯନ୍ତାରେ ପଡ଼ିଥିବା ସେଇ ନାରୀମାନଙ୍କର ମଧୢ ସେତିକି।

ସମ୍ବନ୍ଧିତ ଖବର