କିଂବଦନ୍ତି ଅନୁସାରେ ୧୭୮୯ ସାଲରେ କୌଣସି ଏକ ସମୟରେ ଫ୍ରାନ୍ସର ସମ୍ରାଟ ଷୋଡ଼ଶ ଲୁଇଙ୍କର ରାଣୀ ମେରି ଆଣ୍ଟୋଇନେଟ୍ଙ୍କୁ ଯେତେବେଳେ ଅବଗତ କରାଗଲା ଯେ ତାଙ୍କର ପ୍ରଜାମାନେ ଖାଇବାକୁ ରୁଟି ପାଉ ନାହାନ୍ତି, ବାସ୍ତବତା ସହିତ ଆଦୌ ପରିଚିତ ନଥିବା ରାଣୀ ଉତ୍ତର ଦେଲେ: ‘‘ସେମାନେ ତେବେ କେକ୍ ଖାଆନ୍ତୁ।’’ ଏଭଳି ସମ୍ବେଦନହୀନ ମନ୍ତବ୍ୟ ରାଣୀଙ୍କୁ ସେ ସମୟର ଅବକ୍ଷୟମୁଖୀ ରାଜତନ୍ତ୍ରର ଏକ ଘୃଣିତ ପ୍ରତୀକରେ ପରିଣତ କରି ପ୍ରଜାମାନଙ୍କ ମଧ୍ୟରେ କୁହୁଳୁଥିବା ବିଦ୍ରୋହକୁ ଅବିଳମ୍ବେ ଫରାସୀ ବିପ୍ଳବରେ ପରିଣତ କଲା। ଯାହା ପ୍ରତ୍ୟେକ ସ୍କୁଲ୍ ଛାତ୍ରକୁ ଜଣା, ବିଦ୍ରୋହୀମାନଙ୍କ ଗିଲୋଟିନ୍ରେ ଶେଷକୁ ରାଣୀଙ୍କ ମୁଣ୍ଡ କାଟ ହୋଇଥିଲା। ଏବେ ମେରି ଆଣ୍ଟୋଇନେଟ୍ଙ୍କର ସେଇ ହୃଦୟହୀନ ଉପଦେଶର ଏକ ସାମାନ୍ୟ ପରିବର୍ତ୍ତିତ ସଂସ୍କରଣ ଭଳି ମନେ ହେଉଥିବା ଏକ ଉପଦେଶ ଦେଖିବାକୁ ମିଳିଛି, ଯାହା ଜୀବ ଅଧିକାର କ୍ଷେତ୍ରରେ ସକ୍ରିୟ ଆମେରିକୀୟ ଏନ୍ଜିଓ ‘ଦି ପିପୁଲ୍ ଫର୍ ଦି ଏଥିକାଲ୍ ଟ୍ରିଟ୍ମେଣ୍ଟ୍ ଅଫ୍ ଆନିମଲ୍ସ’ (‘ପେଟା’) ଅଯାଚିତ ଭାବରେ ପ୍ରଦାନ କରିଛି ପ୍ରସିଦ୍ଧ ଭାରତୀୟ ଦୁଗ୍ଧ ଉତ୍ପାଦନକାରୀ ସମବାୟ ସଂସ୍ଥା ‘ଅମୂଲ’କୁ।
ଭାରତରେ ଘରେ ଘରେ ସୁପରିଚିତ ‘ଅମୂଲ’ ହେଉଛି ଦୁଗ୍ଧ ଚାଷୀମାନଙ୍କର ଏକ ସଫଳ ସମବାୟ ସଂସ୍ଥା, ଯାହା ପ୍ରାୟ ୧୦ କୋଟି ଦୁଗ୍ଧ ଚାଷୀମାନଙ୍କର ଜୀବନ ଜୀବିକା ସହିତ ଓତପ୍ରୋତ ଭାବେ ଜଡ଼ିତ। ‘ପେଟା’ର ନାମକରଣରୁ ଯାହା ସ୍ପଷ୍ଟ ହୋଇଥାଏ, ସମସ୍ତ ପ୍ରାଣୀମାନଙ୍କ ପ୍ରତି ‘ନୈତିକ ଆଚରଣ’ ପ୍ରଦର୍ଶନ କରିବା ହେଉଛି ଏହି ସଂଗଠନର ଆଦର୍ଶ। ଏହି ପ୍ରାଣୀ-ପ୍ରେମୀ ସଂଗଠନ ଏବେ ‘ଅମୂଲ’ ସଂଗଠନର ମୁଖ୍ୟ ପରିଚାଳକ ଆର୍ ଏସ୍ ସୋଧିଙ୍କୁ ଏକ ଚିଠି ଲେଖି ଉପଦେଶ ଦେଇଛି ଯେ ‘ଅମୂଲ’ ଗୋ-ଦୁଗ୍ଧ ଉତ୍ପାଦନ ପରିତ୍ୟାଗ କରି ସୋୟାବିନ୍, ଓଟ୍ ଆଦି ଶସ୍ୟରୁ ପ୍ରସ୍ତୁତ ହେଉଥିବା ଅଧିକ ଲାଭଜନକ କୃତ୍ରିମ ଦୁଗ୍ଧ ବା ତଥାକଥିତ ‘ଭେଗାନ୍ ମିଲ୍କ’ ଉତ୍ପାଦନରେ ନିଜର ସମସ୍ତ ସମ୍ବଳ ବିନିଯୋଗ କରୁ। ଫ୍ରାନ୍ସର ସାଧାରଣ ନାଗରିକମାନେ ଭୋକ ଉପାସରେ କାଳ କାଟିବା ନେଇ ମେରି ଆଣ୍ଟୋଇନେଟ୍ଙ୍କର ଯେମିତି କୌଣସି ଯାଏ ଆସେ ନଥିଲା, ‘ଅମୂଲ’ ଯଦି ଏଭଳି ଦିଗ ପରିବର୍ତ୍ତନ କରେ, ସେଥିଯୋଗୁଁ ତା’ ଉପରେ ନିର୍ଭର କରୁଥିବା କୋଟି କୋଟି ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପିଲାଛୁଆ ଭୋକ ଉପାସରେ ପଡ଼ିବା ନେଇ ସେମିତି ‘ପେଟା’ର କିଛି ଯାଏ ଆେସ ନାହିଁ।
‘ପେଟା’ର ଏଭଳି ଉପଦେଶ ଅନେକଙ୍କୁ ରହସ୍ୟମୟ ମନେ ହୋଇ ପାରୁଥାଏ; କିନ୍ତୁ ଏହି ରହସ୍ୟ ଖୋଲିବାର ଚାବି ନିହିତ ଅଛି ସେମାନେ ପ୍ରସାର କରିବାକୁ ଉଦ୍ୟମ କରୁଥିବା କୃତ୍ରିମ ଦୁଗ୍ଧ- ‘ଭେଗାନ୍ ମିଲ୍କ’ରେ। ‘ଭେଗାନ୍’ମାନେ ପ୍ରାଣୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଶୋଷଣମୁକ୍ତ କରିବା ଉଦ୍ଦେଶ୍ୟରେ କୌଣସି ବି ପ୍ରାଣୀଜାତ ପଦାର୍ଥ ସହିତ କୌଣସି ହେଲେ ସମ୍ପର୍କ ରଖନ୍ତି ନାହିଁ: ଦୁଗ୍ଧ ଏକ ପ୍ରାଣୀଜାତ ପଦାର୍ଥ ହୋଇଥିବାରୁ, ସେମାନେ ‘ଅମୂଲ’କୁ ଏହି ତଥାକଥିତ ଗୋ-ଶୋଷଣ କ୍ଷେତ୍ରରୁ ଅପସରି ଯିବା ପାଇଁ ଏଭଳି ଉପଦେଶ ଦେଇଛନ୍ତି।
ମନୁଷ୍ୟ ମନରେ ଜୀବମାନଙ୍କ ପ୍ରତି ଦୟା ଭାବ ରହିବାରେ କୌଣସି ଅସ୍ବାଭାବିକତା ନାହିଁ। ଗୌତମ ବୁଦ୍ଧଙ୍କ ଠାରୁ ଆରମ୍ଭ କରି ତାଙ୍କର ଅନୁଗାମୀ ଦାର୍ଶନିକ ସୋପେନ୍ହାଉଅର୍ଙ୍କ ପର୍ଯ୍ୟନ୍ତ ମନୁଷ୍ୟକୁ ଏହାର ଗୁରୁତ୍ବ ବୁଝାଇବାକୁ ଚେଷ୍ଟା କରି ଆସିଛନ୍ତି। ସୋପେନ୍ହାଉଅର୍ ତ ବୁଦ୍ଧଙ୍କ ଠାରୁ ପାଦେ ଆଗକୁ ଯାଇ ମତ ପୋଷଣ କରିଥିଲେ ଯେ ମନୁଷ୍ୟ କୌଣସି ଏକ ପ୍ରାଣୀ ପ୍ରତି ଦୟା ଭାବ ବା କରୁଣା ପ୍ରଦର୍ଶନ କରିବା ବେଳେ ନିଜକୁ ସମ୍ପୃକ୍ତ ପ୍ରାଣୀଟି ସହିତ ଏକ ଓ ଅଭିନ୍ନ ବୋଲି ବିଚାର କରିବା ଉଚିତ। ଭେଗାନ୍ମାନଙ୍କୁ ସେମାନଙ୍କ ଆଭିମୁଖ୍ୟ ଅନୁସାରେ ଏଣୁ ଆମେ ଦୁଇ ଶ୍ରେଣୀରେ ବିଭକ୍ତ କରିପାରିବା: ବୁଦ୍ଧ-ପନ୍ଥୀ ଓ ସୋପେନ୍ହାଉଅର୍-ପନ୍ଥୀ। ବୁଦ୍ଧ-ପନ୍ଥୀମାନେ ସର୍ବଦା ପ୍ରାଣୀମାନଙ୍କ ପ୍ରତି ଦୟାଶୀଳ ଆଚରଣ ପ୍ରଦର୍ଶନ କରିବାକୁ ଚାହାନ୍ତି- ସେମାନେ ବଳଦକୁ ହଳ କାର୍ଯ୍ୟରେ ଲଗାଇବେ, କିନ୍ତୁ ତାକୁ ଯେପରି ଆଦୌ କଷ୍ଟ ନହୁଏ, ତାହା ନିଶ୍ଚିତ କରିବେ... ଇତ୍ୟାଦି। ସୋପେନ୍ହାଉଅର୍-ପନ୍ଥୀମାନେ କିନ୍ତୁ ବଳଦକୁ ମନୁଷ୍ୟର କୌଣସି ହେଲେ କାର୍ଯ୍ୟରେ ଆଦୌ ନିୟୋଜିତ କରିବେ ନାହିଁ। ପ୍ରାଣୀ-ପ୍ରେମୀମାନଙ୍କ ଭାଷାରେ ବୁଦ୍ଧ-ପନ୍ଥୀମାନଙ୍କୁ କୁହାଯାଏ- ମଙ୍ଗଳାକାଙ୍କ୍ଷୀ ବା ‘ୱେଲ୍ଫେଆରିଷ୍ଟ୍’ ଏବଂ ସୋପେନ୍ହାଉଅର୍-ପନ୍ଥୀମାନଙ୍କୁ କୁହାଯାଏ ଉଚ୍ଛେଦବାଦୀ ବା ‘ଆେବାଲିସନିଷ୍ଟ୍’। ଯାହା ଏହି ନାମକରଣ ସୂଚାଇଥାଏ, ମଙ୍ଗଳାକାଙ୍କ୍ଷୀମାନେ ଗୋପାଳନ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଚାହିଁବେ ନାହିଁ, ସେମାନେ ଗାଈଗୋରୁ ମଇଁଷିମାନଙ୍କର ଉପଯୁକ୍ତ କଷ୍ଟହୀନ ଲାଳନପାଳନ ନିଶ୍ଚିତ କରିବାକୁ ନିଜର ଲକ୍ଷ୍ୟ ରୂପେ ଗ୍ରହଣ କରିଥାନ୍ତି। ଅପରପକ୍ଷେ ଉଚ୍ଛେଦବାଦୀମାନେ ଗୋପାଳନର ସମ୍ପୂର୍ଣ୍ଣ ଉଚ୍ଛେଦ ଚାହାନ୍ତି। ‘ଅମୂଲ’କୁ ‘ପେଟା’ ଦେଇଥିବା ଉପଦେଶ ହେଉଛି ସ୍ପଷ୍ଟ ରୂପେ ଏହି ଉଚ୍ଛେଦବାଦୀ ଶ୍ରେଣୀର।
‘ପେଟା’ ସେଫଇ ଦେଇ କହିଛି ଯେ ପୃଥିବୀରେ ବର୍ତ୍ତମାନ ‘ଭେଗାନ୍’ ଦୁଗ୍ଧ ପ୍ରତି ଚାହିଦା ବୃଦ୍ଧି ପାଇବାରେ ଲାଗିଛି; ତେଣୁ ‘ଅମୂଲ’ ଭଳି ଏକ ଦୁଗ୍ଧ-ଉତ୍ପାଦନକାରୀ ବ୍ୟବସାୟର ଭବିଷ୍ୟତ୍କୁ ସୁରକ୍ଷିତ କରିବାକୁ ହେଲେ ସେ ସଂସ୍ଥା ଗୋ-ଦୁଗ୍ଧ ଉତ୍ପାଦନରୁ ଓହରି ଆସି ସୋୟା ମିଲ୍କ ଭଳି ନକଲି ଦୁଗ୍ଧ ଉତ୍ପାଦନରେ ଲାଗିଯିବା ଉଚିତ। ‘ଅମୂଲ’ ଯଦି ଏଭଳି ପଦକ୍ଷେପ ନିଏ, ତେବେ ଦୁଇଟି ଗୋଷ୍ଠୀର ଅବସ୍ଥା କ’ଣ ହେବ, ସେ ସମ୍ପର୍କେର ‘ପେଟା’ ସମ୍ପୂର୍ଣ୍ଣ ନିରବ ଓ ଉଦାସୀନ। ଗୋଟିଏ ହେଲେ- ଦେଶର କୋଟି କୋଟି ଗୋ-ମହିଷାଦି ଗୃହପାଳିତ ପଶୁ। ସେମାନଙ୍କ ଠାରୁ ଯଦି କୌଣସି ଆୟ ନମିଳେ, ସେମାନଙ୍କର ରକ୍ଷଣାବେକ୍ଷଣ କିଏ କରିବ? କିପରି କରିବ? କାହିଁକି କରିବ? ଅନ୍ୟ ଗୋଷ୍ଠୀଟି ହେଲେ- ଦୁଗ୍ଧ ଚାଷୀ ଅର୍ଥାତ୍ ଗୋପାଳନ ଉପରେ ନିର୍ଭର କରି ଚଳୁଥିବା କୋଟି କୋଟି କ୍ଷୁଦ୍ର ଓ ଭୂମିହୀନ ଲୋକ। ‘ପେଟା’ କ’ଣ ଏମାନଙ୍କୁ ସମସ୍ତଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦେଇ ସେମାନଙ୍କର ରୋଜଗାରକୁ ସୁରକ୍ଷା ଦେବ?
ଏ ଦୁଇ ଗୋଷ୍ଠୀ ବାଦ୍ ଆଉ ଏକ ତୃତୀୟ ଗୋଷ୍ଠୀ ମଧ୍ୟ ରହିଛନ୍ତି- ଦୁଗ୍ଧ ଉପଭୋକ୍ତାମାନେ, ଯେଉଁମାନେ ସର୍ବଦା ଗୋରସକୁ ପ୍ରଧାନ ପୁଷ୍ଟିକର ଆହାର ରୂପେ ବିଚାର କରି ଆସିଛନ୍ତି (‘କୁକ୍କୁଟ ମୁଣ୍ଡରେ ଅଛଇ ଚୂଳ, ଦୁଗ୍ଧ ପାନ କଲେ ବଢ଼ଇ ବଳ’)। ଧନୀ, ଦରିଦ୍ର, ମଧ୍ୟବିତ୍ତ- ସବୁ ଶ୍ରେଣୀର ପହୁଞ୍ଚ ଭିତରେ ଥାଇ ଗୋ-ଦୁଗ୍ଧ ସମାଜର ପୁଷ୍ଟି ଆବଶ୍ୟକତା ପୂରଣ କରିଥାଏ। ଏକ ଫେସନ୍ରେ ପରିଣତ ହେବାକୁ ଆରମ୍ଭ କରିଥିବା ‘ଭେଗାନ୍’ ଦୁଗ୍ଧ ମହଙ୍ଗା ହୋଇଥିବାରୁ କେବଳ ସ୍ବଚ୍ଛଳ ବର୍ଗଙ୍କ ପହୁଞ୍ଚ ଭିତରେ ରହିଛି, ଯେପରି କେକ୍ କେବଳ ଫ୍ରାନ୍ସର ସ୍ବଚ୍ଛଳ ବର୍ଗଙ୍କ ପହୁଞ୍ଚ ମଧ୍ୟରେ ଥିଲା। ଏ କଥା କିନ୍ତୁ ମେରି ଆଣ୍ଟୋଇନେଟ୍ଙ୍କୁ ଜଣା ନଥିଲା, ଯେମିତି ସୋୟା ଦୁଗ୍ଧ ସାଧାରଣ-ଆୟ ବର୍ଗଙ୍କ ପହୁଞ୍ଚ ମଧ୍ୟରେ ନାହିଁ ବୋଲି ‘ପେଟା’ର କର୍ମକର୍ତ୍ତାମାନଙ୍କୁ ଜଣା ନାହିଁ।
ତେବେ ଆମେରିକୀୟ ସଂସ୍ଥା ‘ପେଟା’କୁ ଯାହା ନିଶ୍ଚିତ ରୂପେ ଜଣାଥିବ, ତାହା ହେଲା ସୋୟା ଦୁଗ୍ଧ ଭଳି ଭେଗାନ୍ ଦୁଗ୍ଧର ପ୍ରସାର ଘଟିଲେ ଯେଉଁମାନେ ସର୍ବାଧିକ ଲାଭବାନ ହେବେ ସେମାନେ ହେଉଛନ୍ତି ସୋଧି କହିଥିବା ଭଳି ଜିନ୍ ରୂପାନ୍ତରିତ (ଜିଏମ୍) ସୋୟା ବିକ୍ରି କରୁଥିବା ବିଶାଳ ଧନୀ ବହୁଦେଶୀୟ କମ୍ପାନି ମାନେ। ତେଣୁ ‘ଅମୂଲ’କୁ ‘ପେଟା’ର ‘ଅପୃଷ୍ଟେ ବହୁ ଭାଗତେ’ ଉପଦେଶ ଏହି ଏନ୍ଜିଓ ଉକ୍ତ କମ୍ପାନିମାନଙ୍କର ଏକ ଏଜେଣ୍ଟ୍ ହୋଇଥିବା ଭଳି ଧାରଣା ସୃଷ୍ଟି କରିଥାଏ।