ଏକ, ଦୁଇ, ତିନି

ରିଚାର୍ଡ ସ୍ଲାଭିନ ବା ରାଧାନାଥ ସ୍ବାମୀ (ଗୌଡ଼ୀୟ ବୈଷ୍ଣବ ପର˚ପରାରେ ଦୀକ୍ଷିତ ହୋଇ ଭାରତରେ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ)ଙ୍କ ଏକ ବକ୍ତବ୍ୟ କହିଥାଏ ଯେ ଜନସ˚ଖ୍ୟା ବିସ୍ଫୋରଣ ଏକ ସମସ୍ୟା ନୁହେଁ; ତେବେ, ସେହି ଜନଗଣ କ’ଣ କରୁଛନ୍ତି ତା’ରି ଉପରେ ସମସ୍ୟା ନିର୍ଭର କରେ। ଏହା ବୁଝିବାରେ କୌଣସି ଅସୁବିଧା ନାହିଁ ଯେ ଏକ ବିଶାଳ ଜନସ˚ଖ୍ୟା ଯଦି କୌଣସି ଅରାଜକ କାର୍ଯ୍ୟରେ ଲିପ୍ତ ରହେ, ତାହା ରାଷ୍ଟ୍ର ବା ସମାଜ ଲାଗି ଏକ ବିପର୍ଯ୍ୟୟରେ ପରିଣତ ହୁଏ; କିନ୍ତୁ ତା’ର ବିପରୀତରେ ସେହି ବର୍ଗ ଦ୍ବାରା କୌଣସି ଗଠନମୂଳକ କାର୍ଯ୍ୟ ରାଷ୍ଟ୍ର ଲାଗି ବିପୁଳ ସ˚ପଦ ସୃଷ୍ଟି କରିପାରେ। ଏହି ପରିପ୍ରେକ୍ଷୀରେ ଚୀନର କମ୍ୟୁନିଷ୍ଟ ପାର୍ଟି ସରକାର ଦ୍ବାରା ସ˚ପ୍ରତି ସେ ଦେଶର ଜନ୍ମ ନିୟନ୍ତ୍ରଣ ନୀତିରେ ଅଣାଯାଇଥିବା ପରିବର୍ତ୍ତନ ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ, ଯହିଁରେ ଚୀନା ଦ˚ପତିମାନଙ୍କୁ ଅବାଧରେ ତିନିଟି ସନ୍ତାନ ଉପୁଜାଇବା ଲାଗି ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଏ ଯାବତ୍‌ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର ହୋଇ ରହିଥିଲେ ହେଁ ଚୀନରେ ଶିଶୁ ଜନ୍ମ ହାରରେ ଧାରାବାହିକ ଅବନତି ଘଟି ଆଗାମୀ ୨୦୩୦ ମସିହା ସୁଦ୍ଧା ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ଭାରତ ଦ୍ବାରା ସ୍ଥାନଚ୍ୟୁତ ହେବାର ସମ୍ଭାବନା ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ ଏକ ବିସ୍ମୟ ବିଜଡ଼ିତ ପ୍ରଶ୍ନ ଉଠିଥାଏ ଯେ ବିଶାଳ ଜନସ˚ଖ୍ୟାର ବୋଝ ଭାରତ ଲାଗି ଉଦ୍‌ବେଗର କାରଣ ହୋଇଥିବା ବେଳେ ଚୀନ ତା’ର ଜନସ˚ଖ୍ୟା ହାରରେ ବୃଦ୍ଧି ଘଟାଇବାକୁ କାହିଁକି ବ୍ୟାକୁଳ? ଏହାର ଉତ୍ତର ଖୋଜା ଯିବା ଆବଶ୍ୟକ।

ସ୍ମରଣ କରାଯାଇପାରେ କି ୧୯୮୦ ମସିହାରେ ଡେଙ୍ଗ୍‌ ଜିଆଓପିଙ୍ଗଙ୍କ ଶାସନ କାଳରେ ଚୀନ ସରକାର ଦ˚ପତି ପିଛା ଗୋଟିଏ ମାତ୍ର ସନ୍ତାନର ନୀତି ନିର୍ଦ୍ଧାରଣ କରିଥିଲେ, ଯାହାର ଉଲ୍ଲ˚ଘନ ବିପୁଳ ଅର୍ଥ-ଦଣ୍ତ, ଚାକିରି ହରାଇବା ଏବ˚ ମହିଳାଙ୍କ କ୍ଷେତ୍ରରେ ବଳପୂର୍ବକ ଗର୍ଭପାତ ଭଳି କାର୍ଯ୍ୟାନୁଷ୍ଠାନମାନରେ ପରିଲକ୍ଷିତ ହୋଇଥିଲା। ଏହାର ଲାଭ ସ୍ବରୂପ ୧୯୮୦ ମସିହାରୁ ୨୦୧୦ ମସିହା ମଧୢରେ ଚୀନ ଜନସ˚ଖ୍ୟାର ଏକ ବିଶାଳ ଅ˚ଶ ସେମାନଙ୍କ ଯୌବନରେ ପଦାର୍ପଣ କରି ଆପଣା ପରିଶ୍ରମ ଦ୍ବାରା ଚୀନର ଅର୍ଥନୀତିକୁ ଗଢ଼ି ତୋଳିବାରେ ସମର୍ଥ ହୋଇଥିଲେ। ଏହି ବିଶାଳ ଯୁବ ବର୍ଗ ସାହାଯ୍ୟରେ ଚୀନ ଏକ ଶସ୍ତା ଶ୍ରମ ବଳର ସୁବିଧା ଲାଭ କରିଥିଲା ଏବ˚ ଅତ୍ୟନ୍ତ ଶସ୍ତାରେ ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରି ସମଗ୍ର ପୃଥିବୀର ଯୋଗାଣ ପାର୍ଶ୍ବକୁ କରାୟତ୍ତ କରିବା ସହିତ ବଜାରର ଥାକଗୁଡ଼ିକୁ ଅକ୍ତିଆର କରି ନେଇଥିଲା। କିନ୍ତୁ ସ˚ପ୍ରତି ସେହି ଯୁବକମାନେ ପରିଣତ ବୟସରେ ଉପନୀତ ଏବଂ ଉତ୍ପାଦନ କ୍ଷେତ୍ରରୁ ଅପସୃୟମାନ ହେବାରେ ଲାଗିଛନ୍ତି; ଏବ˚ ସେମାନଙ୍କ ସ୍ଥାନ ପୂରଣ କରିବା ଲାଗି ଗଲା ଅଷ୍ଟମ ଦଶକରୁ କୃଶକାୟ ହୋଇ ଚାଲିଥିବା ଚୀନା ପରିବାରଗୁଡ଼ିକ ମାନବ ସମ୍ବଳ ଯୋଗାଇବାକୁ ଅସମର୍ଥ। କେବଳ ସେତିକି ନୁହେଁ, ସ˚ପ୍ରତି ଚୀନ ଜନସ˚ଖ୍ୟାରେ ଏକ ବିଶାଳ ଅ˚ଶ ପ୍ରାୟ ୨୬ କୋଟି ସ˚ଖ୍ୟକ ବୃଦ୍ଧଙ୍କ ଦଖଲରେ, ଯାହା ଚୀନାମାନଙ୍କ ହାରାହାରି ପରମାୟୁ ୬୮ ବର୍ଷ (୧୯୮୦ ମସିହା)ରୁ ବୃଦ୍ଧି ପାଇ ବର୍ତ୍ତମାନର ୭୮ ବର୍ଷରେ ପହଞ୍ଚିବା ଦ୍ବାରା ସମ୍ଭବ ହୋଇଛି। ଏକ ଆକଳନ ଅନୁସାରେ ୨୦୨୫ ମସିହା ସୁଦ୍ଧା ବୃଦ୍ଧଙ୍କ ସ˚ଖ୍ୟା ଚୀନା ଜନସ˚ଖ୍ୟାର ୨୦ ପ୍ରତିଶତ ହୋଇଯିବ, ଯେଉଁମାନେ ନିଜକୁ ବିଭିନ୍ନ କାର୍ଯ୍ୟରୁ ଦୂରେଇ ରଖି ଜାତୀୟ ଆୟରେ ବିଶେଷ ଯୋଗଦାନ ରଖିବେ ନାହିଁ।

କିନ୍ତୁ ଏବେ ଯେଉଁ ବିଡ଼ମ୍ବନାଟି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି; ତାହା ହେଲା ଚୀନା ଦ˚ପତିମାନେ ଅଧିକ ସନ୍ତାନ ଉତ୍ପନ୍ନ କରିବା ଲାଗି ବୋଧହୁଏ ଆଉ ଆଗ୍ରହୀ ହୋଇ ନ ପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଉତ୍ପାଦନଶୀଳ ଜନସ˚ଖ୍ୟାରେ ଲଗାତାର ହ୍ରାସ ଲକ୍ଷ୍ୟ କରି ଉଦ୍‌ବିଗ୍ନ ଚୀନ ସରକାର ୨୦୧୫ ମସିହାରୁ ଦ˚ପତି ପିଛା ‘ଗୋଟିଏ ସନ୍ତାନ ନୀତି’ରେ ପରିବର୍ତ୍ତନ ଘଟାଇ ସେହି ସ˚ଖ୍ୟାକୁ ଦୁଇକୁ ବୃଦ୍ଧି କରିଥିଲେ। କିନ୍ତୁ ଚୀନ ଜନସାଧାରଣ ଏଥିପ୍ରତି ବୀତସ୍ପୃହ ରହିବାରୁ ସନ୍ତାନ ଜନ୍ମର ହାରରେ ବିଶେଷ ଉନ୍ନତି ଦେଖିବାକୁ ମିଳିନାହିଁ। ଏହା ପଛରେ ଯେଉଁ ପ୍ରମୁଖ କାରଣଗୁଡ଼ିକ ନିହିତ, ସେଗୁଡ଼ିକ ହେଲା ‘ଗୋଟିଏ ମାତ୍ର ସନ୍ତାନ’ ନୀତି ହେତୁ ସନ୍ତାନ ଜନ୍ମ କରିବା ଭଳି ବୟସ ବର୍ଗରେ କମ୍‌ ସ˚ଖ୍ୟକ ଯୁବତୀ ପ୍ରବେଶ କରୁଛନ୍ତି, ଯାହା ଫଳରେ ସନ୍ତାନ ଜନ୍ମ ହାରରେ ଅବନତି ପରିଲକ୍ଷିତ ହୋଇଛି। ଏହି ସମ୍ବନ୍ଧରେ ଚୀନର ଇ˚ରେଜୀ ଦୈନିକ ‘ଗ୍ଲୋବାଲ୍‌ ଟାଇମ୍‌ସ’ରେ ଗଲା ଜାନୁଆରି ମାସରେ ପ୍ରକାଶିତ ଏକ ସମ୍ବାଦ କହିଥାଏ ଯେ ସନ୍ତାନ ଜନ୍ମ ଦେବା ଲାଗି ବୟଃ ପ୍ରାପ୍ତ ହେଉଥିବା ଯୁବତୀଙ୍କ ସ˚ଖ୍ୟାରେ ପ୍ରତି ବର୍ଷ ପ୍ରାୟ ୫ ନିୟୁତ ହ୍ରାସ ଘଟୁଛି; ଦ୍ବିତୀୟରେ ଶିଶୁମାନଙ୍କୁ ଲାଳନପାଳନ କରିବା ସା˚ପ୍ରତିକ ଚୀନରେ ଏଭଳି ବ୍ୟୟସାପେକ୍ଷ ହୋଇ ପଡ଼ିଛି ଯେ ଚୀନା ଦ˚ପତିମାନେ ଆଉ ପରିବାରର କଳେବର ବୃଦ୍ଧି ସକାଶେ ଆଗ୍ରହୀ ନୁହନ୍ତି, ଯାହାର ପ୍ରମାଣ ମିଳିଛି ‘ତିନିଟି ସନ୍ତାନ ନୀତି’ ପରିପ୍ରେକ୍ଷୀରେ ଚୀନର ସାମାଜିକ ଗଣମାଧୢମ ମଞ୍ଚ ‘ଵିବୋ’ (ଟ୍ବିଟର ଭଳି)ରେ ଆବିର୍ଭୂତ ହୋଇଥିବା ଜନସାଧାରଣଙ୍କ ଅସ˚ଖ୍ୟ ପ୍ରତିକ୍ରିୟାରେ; ଯେଉଁଥିରେ ମାତ୍ରାଧିକ ଅର୍ଥ ବ୍ୟୟ କାରଣରୁ ଅଧିକ ସନ୍ତାନ ଜନ୍ମ ପ୍ରତି ଚୀନା ଯୁବ ବର୍ଗର ବିମୁଖତା ପରିଲକ୍ଷିତ ହୋଇଥାଏ। ତା’ ସହିତ ଏହା ବି ହୋଇପାରେ ଯେ ଦୀର୍ଘ କାଳ ଧରି କଠୋର କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ଥିବା ‘ଗୋଟିଏ ସନ୍ତାନ ନୀତି’ ସମ୍ଭବତଃ ଚୀନ ଦ˚ପତିମାନଙ୍କୁ ହଠାତ୍‌‌ ଅଧିକ ସନ୍ତାନ ଉତ୍ପନ୍ନ କରିବାର ମାନସିକ ପ୍ରସ୍ତୁତି ପ୍ରଦାନ କରିପାରୁ ନ ଥିବ। ଇତିମଧୢରେ ଚୀନା ମହିଳାମାନଙ୍କ ପ୍ରଜନନ ହାରରେ ମଧ୍ୟ ଏକ ଉଦ୍‌ବେଗଜନକ ହ୍ରାସ ଲକ୍ଷ୍ୟ କରାଯାଇଛି। ଏକ ପରିସଂଖ୍ୟାନ ଅନୁସାରେ ସେଠାକାର ଉତ୍ପାଦନଶୀଳ ମାନବ ସମ୍ବଳ କ୍ଷେତ୍ରରେ ସୃଷ୍ଟି ହେବାକୁ ଯାଉଥିବା ଶୂନ୍ୟ ସ୍ଥାନ ପୂରଣ କରିବା ଲାଗି ମହିଳାଙ୍କ ପ୍ରଜନନ ହାର ୨.୧ ହେବା ଆବଶ୍ୟକ; ଯାହା ଏବେ ମାତ୍ର ୧.୩ରେ ସୀମିତ ରହିଛି। ସୁତରାଂ, ଏହା ସ୍ପଷ୍ଟ ଯେ ଏହି ସବୁ କାରଣରୁ ଚୀନ ସରକାର ଏବେ ଉଦ୍‌ବିଗ୍ନ ।

ଏହି ପରିପ୍ରେକ୍ଷୀରେ ଭାରତ ଯେ ଏକ ଉତ୍ସାହଜନକ ସ୍ଥିତିରେ ରହିଛି, ତାହା କହିବା ଅନାବଶ୍ୟକ। କାରଣ ବର୍ତ୍ତମାନ ସର୍ବାଧିକ ଉତ୍ପାଦନଶୀଳ ଓ କର୍ମକ୍ଷମ ବୟସ ବର୍ଗ (୧୫ରୁ ୨୯ ବର୍ଷ)ରେ ଭାରତର ଜନସ˚ଖ୍ୟାର ପ୍ରାୟ ୩୩ ପ୍ରତିଶତ ଅନ୍ତର୍ଭୁକ୍ତ, ଯାହା ପୃଥିବୀର ଯେ କୌଣସି ରାଷ୍ଟ୍ର ତୁଳନାରେ ସର୍ବାଧିକ। ସୁତରା˚, ଭାରତର ଜନସ˚ଖ୍ୟାର ଗଢ଼ଣ ସ˚ପ୍ରତି ଏଭଳି ଚମକପ୍ରଦ ସ୍ଥିତିରେ ଯେ ଏହାର ଠିକଣା ପରିଚାଳନା ଦ୍ବାରା ରାଷ୍ଟ୍ର ଲାଗି ଏକ ମହାର୍ଘ ମାନବ ସମ୍ବଳର ସୃଷ୍ଟି ସମ୍ଭବ ହୋଇ ପାରିବ। ତେବେ, ଏହା ସତ ଯେ ଭାରତରେ ମଧୢ ଜନସ˚ଖ୍ୟା ବୃଦ୍ଧି ହାରରେ ହ୍ରାସ ପରିଲକ୍ଷିତ ହେଉଛି। କିନ୍ତୁ ତାହା କୌଣସି ଆଇନର ବାଧୢବାଧକତା ହେତୁ ନୁହେଁ, ବର˚ ସାମାଜିକ ସଚେତନତା ହେଉଛି ଏହାର କାରଣ। କିନ୍ତୁ ଏହାର ବିପରୀତରେ ଚୀନରେ ଯାହା ଦେଖିବାକୁ ମିଳୁଛି, ତାହା ହେଲା ରାଷ୍ଟ୍ରର ଭାଗ୍ୟ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଜନସ˚ଖ୍ୟା ବୃଦ୍ଧିକୁ ନିଜ ହାତ ମୁଠାରେ ରଖିବାଲାଗି ଚୀନା ସରକାରଙ୍କ ଏକ ଅପରିଣାମଦର୍ଶୀ ଉଦ୍ୟମ। ସୁତରା˚, ତା’ର ଫଳ ମଧୢ ଚୀନକୁ ଭୋଗିବାକୁ ପଡ଼ିପାରେ। ନିକଟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏକ ବକ୍ତବ୍ୟ କହିଥାଏ ଯେ ଉଚ୍ଚତର ଗବେଷଣା ଓ ବୈଜ୍ଞାନିକ ବିକାଶ ସକାଶେ ଚୀନ ତା’ର ନିଜସ୍ବ ଏକ ‘ପ୍ରତିଭା ପ˚ଜି’ ସୃଷ୍ଟି କରିବାକୁ ଚାହେ; ଯାହା କେବଳ ଅଧିକ ସନ୍ତାନ ଉତ୍ପାଦନ ଦ୍ବାରା ସମ୍ଭବ। କିନ୍ତୁ ଯଦି ଚୀନୀୟ ଦ˚ପତିମାନେ ଏ ଦିଗରେ କୌଣସି ଉତ୍ସାହ ପ୍ରଦର୍ଶନ ନ କରନ୍ତି, ତେବେ ଏହା ଅସମ୍ଭବ ନୁହେଁ ଯେ ସେଠାକାର ଏକଛତ୍ରବାଦୀ ସରକାର ‘ତିନିଟି ସନ୍ତାନ ଜନ୍ମ ନୀତି’କୁ ବାଧୢତାମୂଳକ କରିଦେଇ ପାରନ୍ତି। ସୁତରା˚, ଚୀନା ଦ˚ପତିମାନେ ସେମାନଙ୍କ ପରିବାରର ଯୋଜନା କଲା ବେଳେ ସର୍ବଦା ସ˚ଶୟରେ ରହିବା ଅବଧାରିତ; ସେମାନେ ଏକ ନା ଦୁଇ ନା ତିନି; ଏଭଳି ସ˚ଖ୍ୟାର ଗୋଲକ ଧନ୍ଦା ଭିତରେ ଧନ୍ଦି ହୋଇ ରହିବେ।

ସମ୍ବନ୍ଧିତ ଖବର