ମେରୁଦଣ୍ଡୀ ସାମ୍ବାଦିକ

ଏହା ସମ୍ଭବ ଯେ ଏହି ସ୍ତମ୍ଭର ଅନେକ ପାଠକପାଠିକା ହମିଦ ମିରଙ୍କ ସ˚ପର୍କରେ ଅବଗତ ନ ଥିବେ ଅଥବା ସେମାନଙ୍କ ମଧୢରୁ ଅନେକ ଗଲା ଦେଢ଼ ସପ୍ତାହ ମଧୢରେ ଶିରୋନାମା ମଣ୍ତନ କରିଥିବା କେତେକ ଖବର ଉପରେ ନଜର ବୁଲାଇ ଆଣିଲା ବେଳେ ଏହି ନାମ ସହିତ ହୁଏ’ତ ସାମନାସାମନି ହୋଇ ଯାଇଥିବେ। ତେବେ, ସେ ଯାହା ହେଉ; ହମିଦ ମିର ହେଉଛନ୍ତି ପାକିସ୍ତାନର ଜନୈକ ଅଗ୍ରଗଣ୍ୟ ସାମ୍ବାଦିକ ଯାହାଙ୍କୁ ବିଶ୍ବ ସ୍ତରରେ ସୁପରିଚିତ ଅନ୍ୟତମ ସର୍ବାଧିକ ଖ୍ୟାତିସ˚ପନ୍ନ ଏସୀୟ ସାମ୍ବାଦିକ ଭାବେ ମଧୢ ବର୍ଣ୍ଣନା କରାଯାଇପାରେ; ଯିଏ କେବଳ ପ୍ରସିଦ୍ଧ ଓ ସମ୍ମାନାସ୍ପଦ ନୁହନ୍ତି, ଅତ୍ୟନ୍ତ ଲୋକପ୍ରିୟ ମଧୢ (ତାଙ୍କର ଟ୍ବିଟର ଅନୁଗାମୀଙ୍କ ସ˚ଖ୍ୟା ୬ ନିୟୁତରୁ ଅଧିକ); ଯାହାଙ୍କ ସ୍ପଷ୍ଟ, ନିର୍ଭୀକ ତଥା ସ˚ସ୍ଥାନ ବା ‘ଏସ୍‌ଟାବ୍ଲିସ୍‌ମେଣ୍ଟ୍‌’ ବିରୋଧୀ ଆଭିମୁଖ୍ୟ ତାଙ୍କୁ ପାକିସ୍ତାନ ସରକାର ଏବ˚ ମିଲିଟାରିର ଚକ୍ଷୁଶୂଳ କରି ରଖିଆସିଛି; ଏବ˚ ଯିଏ ସ˚ପ୍ରତି ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ ଦୀର୍ଘ କାଳ ଧରି ମିଲିଟାରିର ଆଧିପତ୍ୟ ତଳେ ରହି ଏକ ଭଗ୍ନସ୍ତୂପରେ ପରିଣତ ହୋଇ ସାରିଥିବା ପାକିସ୍ତାନର ଗଣତନ୍ତ୍ରରେ ଯଦି କୌଣସି କ୍ଷେତ୍ରରେ ଏକ ଆଲୋକ ବର୍ତ୍ତିକା କ୍ଷୀଣ ଭାବେ ପ୍ରଜ୍ଜ୍ବଳିତ ହୋଇ ରହିଛି, ତେବେ, ତାହା ହେଉଛି ସାମ୍ବାଦିକତାର କ୍ଷେତ୍ର, ଯହିଁରେ ତାକୁ ଲିଭି ଯିବାରୁ ବଞ୍ଚାଇ ରଖିଛନ୍ତି ତାଙ୍କ ଭଳି କେତେକ ମୁଷ୍ଟିମେୟ ସାମ୍ବାଦିକ। ଏହି ପରିପ୍ରେକ୍ଷୀରେ ହମିଦ ମିରଙ୍କୁ କେନ୍ଦ୍ର କରି ଉଠିଥିବା ବିବାଦର ଝଡ଼ ଉପରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଶ˚ସିତ ବିବାଦର ସୂତ୍ରପାତ ହୁଏ ଗଲା ମେ ୨୮ ତାରିଖ ଦିନ ଇସଲାମାବାଦର ପ୍ରେସ୍‌ କ୍ଲବ୍‌ରେ ଆୟୋଜିତ ଏକ ପ୍ରତିବାଦ ସଭାରେ; ଯେଉଁଠାରେ ସାମ୍ବାଦିକ, ଜନ-ବିଦ୍ବାନ, ସମାଜ କର୍ମୀ ଓ ବୁଦ୍ଧିଜୀବୀମାନଙ୍କ ଉପସ୍ଥିତିରେ ହମିଦ ମିର ଏକ କ୍ଷୁଦ୍ର ଭାଷଣ ପ୍ରଦାନ କରିଥିଲେ। ପ୍ରକାଶ ଥାଉ କି ପାକିସ୍ତାନର ଜଣେ ଯୁବ ସାମ୍ବାଦିକ ଆସାଦ ଅଲ୍ଲୀ ତୁର୍‌ଙ୍କ ବାସଭବନରେ ପଶି କେତେକ ସଶସ୍ତ୍ର ବ୍ୟକ୍ତି ତୁର୍‌ଙ୍କୁ ଆକ୍ରମଣ କରିବା ଏବ˚ ନିର୍ଯାତନା ଦେବା ବିରୋଧରେ ଏହି ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ସେଠାରେ ହମିଦ ମିରଙ୍କ ବକ୍ତବ୍ୟ ସିଧାସଳଖ ପାକିସ୍ତାନର ମିଲିଟାରି ବିରୋଧରେ ଉଦ୍ଦିଷ୍ଟ ଥିଲା ଏବ˚ ତାଙ୍କ ବକ୍ତବ୍ୟ ଥିଲା ଏହିପରି: ସେମାନଙ୍କ (ପାକିସ୍ତାନ ସେନା) ପାଖରେ ବନ୍ଧୁକ ଏବ˚ ଟ୍ୟାଙ୍କ୍‌ ଅଛି, ଯେଉଁଗୁଡ଼ିକୁ କଳଙ୍କି ଖାଇବାରୁ ରକ୍ଷା କରିବା ଲାଗି ସେମାନେ ସେଗୁଡ଼ିକୁ ସାମ୍ବାଦିକମାନଙ୍କ ବିରୋଧରେ ବ୍ୟବହାର କରୁଛନ୍ତି; ସାମ୍ବାଦିକମାନଙ୍କ ଘର ଭିତରେ ପ୍ରବେଶ କରି ଆକ୍ରମଣ କରୁଛନ୍ତି; କିନ୍ତୁ ଭୁଲିଗଲେ ହେବ ନାହିଁ ଯେ ସାମ୍ବାଦିକମାନେ ମଧୢ ସେମାନଙ୍କ (ମିଲିଟାରି) ଘର ଭିତରକୁ ପଶି ଗୃହର ଅଭ୍ୟନ୍ତରରେ ଲୁଚି ରହିଥିବା ସତ୍ୟକୁ ପ୍ରଘଟ କରି ଦେଇ ପାରିବେ; କେଉଁ ଜେନେରାଲଙ୍କ ପତ୍ନୀ କାହା ଉପରକୁ ଗୁଳି ଚଳାଇଲେ ଏବ˚ ଗୁଳି କାହାକୁ ଲାଗିଲା ଏବଂ ତାହା ପଛରେ କେଉଁ ‘ଜେନେରାଲ ରାଣୀ’ଙ୍କ ଭୂମିକା ଅଛି, ସେ ସମସ୍ତ ବିଷୟ ସାମ୍ବାଦିକମାନଙ୍କୁ ଜଣା।

କହିବା ବାହୁଲ୍ୟ ଯେ ଏଭଳି ଏକ ବକ୍ତବ୍ୟରେ କୌଣସି ନାମର ଉଲ୍ଲେଖ ନ ଥିଲେ ସୁଦ୍ଧା ତହିଁରେ ଏଭଳି ଅନେକ କିଛି ସ୍ପଷ୍ଟ ଇଙ୍ଗିତ ବିଦ୍ୟମାନ ଥିଲା, ଯାହା ପାକିସ୍ତାନ ମିଲିଟାରିକୁ ରୁଷ୍ଟ କରିଥିବା ସ୍ବାଭାବିକ ମାତ୍ର। ସୁତରା˚, ତାହାର ପ୍ରମାଣ ସ୍ବରୂପ ତତ୍‌କ୍ଷଣାତ୍‌ ପାକିସ୍ତାନର ସର୍ବାଧିକ ଲୋକପ୍ରିୟ ଚ୍ୟାନେଲ ‘ଜିଓ ଟିଭି’ ଦ୍ବାରା ତାର ତାରକା ସାମ୍ବାଦିକ ହମିଦ ମିରଙ୍କୁ ତାଙ୍କ ଦ୍ବାରା ପ୍ରସ୍ତୁତ ସର୍ବାଧିକ ଜନପ୍ରିୟ କାର୍ଯ୍ୟକ୍ରମ ‘କ୍ୟାପିଟାଲ ଟକ୍‌’ରୁ ନିଷେଧ କରି ଦିଆଗଲା। ଉଲ୍ଲେଖନୀୟ ଯେ ଏ ଯାବତ୍‌ ଏକ ନିର୍ଭୀକ ଚ୍ୟାନେଲ ରୂପେ ନିଜକୁ ପ୍ରମାଣିତ କରି ଆସିଥିବା ‘ଜିଓ ଟିଭି’ ଏହି ବିବାଦ ଦ୍ବାରା ସୃଷ୍ଟ ଚାପକୁ ସମ୍ଭବତଃ ବରଦାସ୍ତ କରିବାରେ ସକ୍ଷମ ହୋଇନାହିଁ।

ତେବେ, ଏ ସ˚ଦର୍ଭରେ ପାଠକପାଠିକାଙ୍କ ମନରେ ‘ଜେନେରାଲ ରାଣୀ’ଙ୍କ ପରିଚୟ ଏବ˚ ତାଙ୍କୁ ନେଇ ହମିଦ ମିରଙ୍କ ବୟାନ କାହିଁକି ପାକିସ୍ତାନର ‘ମିଲିଟାରି ଏସ୍‌ଟାବ୍ଲିସମେଣ୍ଟ’ରେ ତୁମୁଳ ଝଡ଼ ସୃଷ୍ଟି କରିଛି; ସେ ନେଇ ଏକ ଜିଜ୍ଞାସା ଜାତ ହୋଇଥିବା ସ୍ବାଭାବିକ। ସୁତରା˚, ସେ ସମ୍ବନ୍ଧରେ ଏକ ସ˚କ୍ଷିପ୍ତ ବିବରଣୀ ଆବଶ୍ୟକ ହୋଇଥାଏ।

‘ଜେନେରାଲ ରାଣୀ’ ହେଉଛନ୍ତି ଅକଲିମ ଅଖତାର ନାମକ ଜଣେ ରୂପସୀ, ଯିଏ ଗଲା ସପ୍ତମ ଦଶକରେ ପାକିସ୍ତାନର ନାଇଟ୍‌ କ୍ଲବ୍‌ରୁ ଉଠି ତତ୍କାଳୀନ ପାକିସ୍ତାନ ସେନାଧୢକ୍ଷ ତଥା ରାଷ୍ଟ୍ରପତି ୟାହ୍ୟା ଖାଁଙ୍କ ପ୍ରେୟସୀରେ ପରିଣତ ହୋଇ ପାରିଥିଲେ ଏବ˚ ସେହି ସୌଜନ୍ୟରୁ ପ୍ରଚୁର ବିତ୍ତ ଏବ˚ କ୍ଷମତାର ଅଧିକାରିଣୀ ମଧୢ ହୋଇଥିଲେ। ଜନ ମୁଖରେ ‘ଜେନେରାଲ ରାଣୀ’ ଭାବେ ପରିଚିତ ଏହି ମହିଳା ସେହି ସମୟରେ ଥିଲେ ପାକିସ୍ତାନର ସର୍ବାଧିକ କ୍ଷମତାସ˚ପନ୍ନଙ୍କ ମଧ୍ୟରେ ଅନ୍ୟତମ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୟାହ୍ୟା ଖାଁଙ୍କ ଶାସନ କାଳରେ ପାକିସ୍ତାନ ପକ୍ଷ ଛେଦନର ଦୁର୍ଦଶା ଭୋଗିଥିଲା, ଯହିଁରେ ତାକୁ ପୂର୍ବ-ପାକିସ୍ତାନକୁ ହରାଇବାକୁ ପଡ଼ିଥିଲା। କହିବା ବାହୁଲ୍ୟ ଯେ ତାହା ଥିଲା ପାକିସ୍ତାନର ଉତ୍ପତ୍ତି ପରବର୍ତ୍ତୀ ଇତିହାସର ସର୍ବାଧିକ କଳଙ୍କମୟ ଅଧୢାୟ। କେବଳ ସେତିକି ନୁହେଁ, ସେହି ସମୟ ଖଣ୍ତରେ ପାକିସ୍ତାନ ମିଲିଟାରିର ଉଚ୍ଚ ସ୍ତରରେ ପରିଲକ୍ଷିତ ଦୁର୍ନୀତି ଓ ଯୌନାଚାର ସଂଦର୍ଭ ଆଜି ଲୋକକଥାର ସ୍ବରୂପ ପରିଗ୍ରହଣ କରିଛି। ତେବେ, ହମିଦ ମିରଙ୍କ ବକ୍ତବ୍ୟରେ ସ୍ଥାନିତ ‘ଜେନେରାଲ ରାଣୀ’ ମେଟାଫର୍‌ ବା ରୂପକଳ୍ପଟି ସମ୍ଭବତଃ ଏକ ରହସ୍ୟମୟ ଗୁଳିକାଣ୍ତରେ ଆହତ ହୋଇ ଚିକିତ୍ସିତ ହୋଇଥିବା ବର୍ତ୍ତମାନର ଆଇ.ଏସ୍‌.ଆଇ. ମୁଖ୍ୟ ଲେଫ୍‌ଟନାଣ୍ଟ ଜେନେରାଲ ଫୈଜ ହମିଦଙ୍କ ଆଡ଼କୁ ଇଙ୍ଗିତ କରିଥାଏ; ଯିଏ ତାଙ୍କ ଘରେ ନିଜ ମହିଳା ସଙ୍ଗୀଙ୍କ ସହିତ ଥିବା ବେଳେ ପତ୍ନୀଙ୍କ ଦ୍ବାରା ଗୁଳି ଖାଇଥିବା ସନ୍ଦେହ କରାଯାଇଥାଏ। ସୁତରା˚, ହମିଦ ମିରଙ୍କ ବକ୍ତବ୍ୟ ଯେ ଆଇ.ଏସ୍‌.ଆଇ.ର ଏକ ଅତ୍ୟନ୍ତ ସ୍ପର୍ଶକାତର ମର୍ମ-ସ୍ଥଳରେ ଆଘାତ ପହଞ୍ଚାଇଥିବ, ତାହା କହିବା ବାହୁଲ୍ୟ ମାତ୍ର।

ଅତ୍ୟନ୍ତ ସ୍ବାଭାବିକ ଭାବେ ହମିଦ ମିରଙ୍କୁ ପାକିସ୍ତାନ ପରିତ୍ୟାଗ କରି ଅନ୍ୟତ୍ର ଚାଲିଯିବା ସକାଶେ ତାଙ୍କ ଶୁଭାକା˚କ୍ଷୀମାନେ ପରାମର୍ଶ ପ୍ରଦାନ କରୁଛନ୍ତି। ଏହାର ଉତ୍ତରରେ ହମିଦ ମିର ନିଜେ ରଚନା କରିଥିବା ଏକ ଆଲେଖ୍ୟ(ଜୁନ ୩)ରେ ତାହା କରିବାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏଠାରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା, ତାଙ୍କର ନିର୍ଭୀକ ସାମ୍ବାଦିକତା ଲାଗି ସେ ପୂର୍ବରୁ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ୨୦୧୪, ଏପ୍ରିଲ ମାସରେ କରାଚୀ ବିମାନବନ୍ଦର ଠାରେ ଅଜ୍ଞାତ ଆତତାୟୀମାନଙ୍କ ଦ୍ବାରା ସେ ଛଅଟି ଗୁଳିର ଶିକାର ହୋଇଥିଲେ, ଯହିଁରୁ ଦୁଇଟି ଗୁଳି ଏ ଯାବତ୍‌ ତାଙ୍କ ଶରୀରରେ ରହିଥିବା ବିଷୟ ସେ ତାଙ୍କ ଆଲେଖ୍ୟରେ ପ୍ରକାଶ କରିଛନ୍ତି। ସେହିଭଳି ୨୦୧୨ ମସିହାରେ ତାଙ୍କ କାର‌୍‌ରେ ଏକ ବୋମା ଖଞ୍ଜାଯାଇଥିଲା, ଯହିଁରୁ ମଧୢ ସେ ବର୍ତ୍ତି ଯାଇଥିଲେ। କିନ୍ତୁ ଏହା ସତ୍ତ୍ବେ ସେ ନିର୍ଭୀକ ସାମ୍ବାଦିକତାରୁ ଓହରି ନ ଯିବା ତାଙ୍କ ଚରିତ୍ରର ଏକ ପରିଚୟ ପ୍ରଦାନ କରିଥାଏ।

ଗଲା ତିନି ଦଶକ ମଧୢରେ ପାକିସ୍ତାନରେ ୧୪୦ ଜଣ ସାମ୍ବାଦିକ ‘ଏସ୍‌ଟାବ୍ଲିସ୍‌ମେଣ୍ଟ’ ଦ୍ବାରା ହତ୍ୟାକାଣ୍ତର ଶିକାର ହୋଇଥିବା ପରିପ୍ରେକ୍ଷୀରେ ସେଠାରେ ଏକ ବୃହଦା˚ଶ ସାମ୍ବାଦିକ ସରକାର ଓ ସେନାର ବଶମ୍ବଦରେ ପରିଣତ ହୋଇଥିବାରେ ବିସ୍ମିତ ହେବାର କୌଣସି କାରଣ ନାହିଁ। ସେହି ବର୍ଗ ଇତିମଧୢରେ ଆସାଦ ଅଲ୍ଲୀ ତୁରଙ୍କ ଅଭିଯୋଗକୁ ମିଥ୍ୟା ଏବ˚ ହମିଦ ମିରଙ୍କୁ ନାଟକବାଜ ବୋଲି ବର୍ଣ୍ଣନା କଲେଣି। କିନ୍ତୁ ଏହି ବିବାଦର ଘନଘଟା ଭିତରେ ଅନେକ ସମ୍ବାଦପତ୍ର ଏହାକୁ ନେଇ ପ୍ରକାଶ କରିଥିବା ସମ୍ବାଦରେ ଯେଉଁ ଶିରୋନାମା ରଖିଛନ୍ତି, ତାହାର ମର୍ମ ହେଲା ପାକିସ୍ତାନ ସାମ୍ବାଦିକତାରେ ଏବେ ମେରୁଦଣ୍ତ ଗଜୁରିଛି। ହମିଦ ମିରଙ୍କ ଭାଷା ଅନୁସାରେ ପାକିସ୍ତାନରେ ଏକ ‘ସ˚କର ଜାତୀୟ ସରକାର’ (ମିଲିଟାରି, ଆଇ.ଏସ୍‌.ଆଇ. ଓ ଗଣତନ୍ତ୍ରର ମିଶ୍ରଣ) ଚାଲିଛି; ଯାହା ସମସ୍ତ ପ୍ରକାର ସ୍ଖଳନ ଲାଗି ଦାୟୀ। କିନ୍ତୁ ଭୁଲି ଗଲେ ହେବ ନାହିଁ ଯେ ଏହି ‘ସ˚କର ଜାତୀୟ ସରକାର’ ହିଁ ହମିଦ ମିର ଓ ତାଙ୍କ ଭଳି ସାମ୍ବାଦିକ ବ୍ୟାପୃତ ଥିବା ମେରୁଦଣ୍ତୀ ସାମ୍ବାଦିକତାକୁ ଜନ୍ମ ଦେଇଛି।

ସମ୍ବନ୍ଧିତ ଖବର