ଗତ ମାସ ଶେଷ ସମୟରେ ଦେଶବ୍ୟାପୀ ସମସ୍ତ କିସମର ଗଣମାଧ୍ୟମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଯେଉଁ ଭଳି ଶତମୁଖ ହେବା ଦେଖାଯାଇଥିଲା, ତାହା ସ୍ବାଧୀନ ଭାରତର ରାଜନୈତିକ ଇତିହାସରେ ପ୍ରଥମ। ଏହା ସର୍ବଜନ ବିଦିତ ଯେ ଜାତୀୟ ଚେତନାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ହେଉଛନ୍ତି ଜଣେ ସୁସଂସ୍କୃତ, ବିଦ୍ବାନ, ମାର୍ଜିତ-ବ୍ୟକ୍ତିତ୍ବ ସମ୍ପନ୍ନ ରାଜନେତା ରୂପେ ଏକ ଅପ୍ରତିଦ୍ବନ୍ଦ୍ବୀ ସ୍ଥାନର ଅଧିକାରୀ। ଘଟଣାକ୍ରମେ ଏବେ ପର୍ଯ୍ୟବେକ୍ଷକମାନଙ୍କୁ ଯାହା ଚମତ୍କୃତ କରିଥିଲା, ତାହା ଥିଲା ମୁଖ୍ୟମନ୍ତ୍ରୀଙ୍କର ଏତାଦୃଶ ବ୍ୟକ୍ତିତ୍ବ ସହିତ ମିଶିଯାଇଥିବା ଉଚ୍ଚ ଶ୍ରେଣୀର ରାଜନୈତିକ ପରିପକ୍ବତା, ଯେଉଁ କାରଣରୁ ଏହି ସମ୍ବାଦପତ୍ରର ମଇ ୨୯ ତାରିଖ ସଂସ୍କରଣର ପ୍ରଥମ ପୃଷ୍ଠା ବହନ କରିଥିବା ଏ ସମ୍ପର୍କିତ ସମ୍ବାଦର ପୃଷ୍ଠାବ୍ୟାପୀ ଶିରୋନାମା ଥିଲା: ‘ଦେଶ ଦେଖିଲା ନୂଆ ରାଜନୀତି’।

Advertisment

ଅନ୍ଧାର ଆଲୁଅକୁ ଅଧିକ ଶାଣିତ କଲା ଭଳି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଚରଣକୁ ଯାହ‌ା ଚମକପ୍ରଦ ଭାବରେ ପ୍ରଶଂସନୀୟ କରି ତୋଳିଥିଲା, ତାହା ଥିଲା ସମାନ ପ୍ରସଙ୍ଗରେ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ପ୍ରଦର୍ଶନ କରିଥିବା ଏହାର ସମ୍ପୂର୍ଣ୍ଣ ବିପରୀତ ଆଚରଣ। ଗଣମାଧ୍ୟମରେ ସେଥିଯୋଗୁଁ ଏହାକୁ ‘ଦୁଇଟି ମୁଖ୍ୟମନ୍ତ୍ରୀଙ୍କ କାହାଣୀ’ ଶିରୋନାମା ତଳେ ପ୍ରସାର କରାଯିବା ଦେଖା ଯାଇଥିଲା। ଘଟଣାଟି ଏବେ ଏପରି ଜଣାଶୁଣା ହୋଇସାରିଛି ଯେ ଏହାର ଏଠାରେ ବିଶଦ ବର୍ଣ୍ଣନା ଅନାବଶ୍ୟକ। ଚୁମ୍ବକରେ କହିଲେ: ପ୍ରଧାନମନ୍ତ୍ରୀ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତାଙ୍କର ସର୍ବୋଚ୍ଚ ଅମଲାମାନଙ୍କୁ ସାଙ୍ଗରେ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ, କିନ୍ତୁ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଶୁଣି ଅଧ ଘଣ୍ଟା ବିଳମ୍ବରେ ସମ୍ମିଳନୀ କକ୍ଷରେ ପହଞ୍ଚିଥିଲେ ଓ କୌଣସି ଆଲୋଚନା ନକରି ସାଙ୍ଗେ ସାଙ୍ଗେ କକ୍ଷ ତ୍ୟାଗ କରି ପଳାଇଥିଲେ; ଓଡ଼ିଶା ମୁଖ୍ୟମନ୍ତ୍ରୀ କୋଭିଡ୍-୧୯ ଭଳି ଜାତୀୟ ବିପତ୍ତି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଅଧିକ ଆର୍ଥିକ ବୋଝ ସୃଷ୍ଟି ନକରିବା ଉଦ୍ଦେଶ୍ୟରେ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ଠାରୁ କୌଣସି ସାହାଯ୍ୟ ଚାହିଁ ନଥିଲେ, କିନ୍ତୁ ବଙ୍ଗ ମୁଖ୍ୟମନ୍ତ୍ରୀ ଝଡ଼ ଭଳି ବୈଠକ ତ୍ୟାଗ କରି ଚାଲିଯିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ୨୦,୦୦୦ କୋଟି ଟଙ୍କାର ସାହାଯ୍ୟ ମାଗିଥିବା ଏକ ଦାବିପତ୍ର ଧରାଇ ଦେଇଥିଲେ। କେବଳ ସେତିକି ନୁହେଁ, ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଳାପନ୍ ବନ୍ଦ୍ୟୋପାଧ୍ୟାୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁସରଣ କରି ତାଙ୍କ ପଛେ ପଛେ ସେଠାରୁ ଚାଲିଯାଇଥିଲେ, ଯାହା ଏବେ ଏକ ବଡ଼ ବିବାଦର କେନ୍ଦ୍ର ବିନ୍ଦୁ ପାଲଟିଛି।

ମମତା ବାନାର୍ଜୀଙ୍କ ଏପରି ବେପରୁଆ, ଖାପ ଛଡ଼ା ଆଚରଣକୁ ନବୀନ ପଟ୍ଟନାୟକଙ୍କ ରୁଚିପୂର୍ଣ୍ଣ, ଦାୟିତ୍ବ ସମ୍ପନ୍ନ, ମାର୍ଜିତ ଏବଂ ପରିପକ୍ବ ଆଚରଣ ସହିତ ସ୍ବାଭାବିକ ଭାବରେ ତୁଳନା କରାଯାଉଛି। ନବୀନଙ୍କ ଆଚରଣ କେବଳ ମମତା ନୁହନ୍ତି, ଦେଶର ସମସ୍ତ ରାଜନେତା, ବିଶେଷକରି କ୍ଷମତାସୀନ ରାଜନେତାମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି ବୋଲି ବ୍ୟାପକ ମତ ପ୍ରସାର ଲାଭ କରିଛି। ତେବେ ଯଦି କେହି ପରିଶ୍ରମୀ ସାମ୍ବାଦିକ ଚେଷ୍ଟା କରନ୍ତି, ସେ ଉତ୍ତରାଧିକାର ସୂତ୍ରରେ ନବୀନଙ୍କ ପରୋକ୍ଷ ସମ୍ପର୍କ ଥିବା ଆଉ ଏକ ଉଦାହରଣ ମଧ୍ୟ ଆବିଷ୍କାର କରିପାରିବେ, ଯାହାର ଅନୁସରଣ କରିବା ମମତାଙ୍କ ପାଇଁ ଉପରୋକ୍ତ ପ୍ରସଙ୍ଗରେ ଆହୁରି ଅଧିକ ଉପଯୋଗୀ ହୋଇଥା’ନ୍ତା।

ଘଟଣାଟି ହେଉଛି ନବୀନଙ୍କ ପ୍ରସିଦ୍ଧ ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ର କରି। ହୁଏ’ତ ଅନେକ ବରିଷ୍ଠ ନେତା ଓ ଅମଲା ବିଭିନ୍ନ ଅବସରରେ ଏ ଘଟଣାଟିର ବର୍ଣ୍ଣନା ଯାହାଙ୍କ ମୁଖରୁ ଶୁଣିବାକୁ ପାଇଥିବେ, ସେ ହେଉଛନ୍ତି ସେ ସମୟରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସରକାରୀ ସଚିବ ପଦରେ ଆସୀନ ଥିବା ଦିବଂଗତ ପ୍ୟାରୀମୋହନ ମହାପାତ୍ର। ଘଟଣାଟି ଏହିପରି। ପ୍ରଧାନମନ୍ତ୍ରୀ ଥା’ନ୍ତି ଭି.ପି. ସିଂହ। ତାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଥାଏ ‘ନେସନାଲ୍ ଡେଭଲପ୍‌ମେଣ୍ଟ କାଉନ୍‌ସିଲ୍’ (‘ରାଷ୍ଟ୍ରୀୟ ବିକାଶ ପରିଷଦ’)ର ବୈଠକ, ଯେଉଁଠି ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥା’ନ୍ତି। ସେଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କର ସଚିବଙ୍କ ସହ ମଧ୍ୟ ଉପସ୍ଥିତ ଥିଲେ। ଜଣେ କୁହାଳିଆ ତୁଙ୍ଗ କ୍ୟାବିନେଟ୍ ମନ୍ତ୍ରୀ (ନାମ ଗୋପନ ରଖାଯାଉଛି) ମଞ୍ଚରେ ଛିଡ଼ା ହୋଇ ଅନର୍ଗଳ ଭାଷଣ ଦେଇ ଚାଲିଥାନ୍ତି। ମନ୍ତ୍ରୀଜଣକ ସ୍ବଭାବ ସୁଲଭ ଢଙ୍ଗରେ ନିଜର ସେଇ ଭାଷଣଟିକୁ ଏକ ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ରାଜନୈତିକ ଭାଷଣରେ ପରିଣତ କରି ଦେଇଥାନ୍ତି। ତାହା ଅବିଳମ୍ବେ ବିଜୁବାବୁଙ୍କର ଧୈର୍ଯ୍ୟଚ୍ୟୁତି ଘଟାଇଲା। ସେ ନିଜ ଆସନରୁ ଉଠିପଡ଼ି ବକ୍ତାଙ୍କୁ ଲକ୍ଷ୍ୟ କରି ଇଂରେଜୀରେ ଯାହା କହିଲେ, ତାହାର ସାରାଂଶ ହେଲା- ‘ମୂର୍ଖ ମର୍କଟ, ବକୱାଜ ବନ୍ଦ କର୍।’ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତା’ପରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧନ କରି ସେଇ ଇଂରେଜୀରେ ପ୍ରଶ୍ନ କଲେ- ‘ତୁମ ଖୁଆଡ଼ରେ ତୁମେ କି କି ପ୍ରକାର ଜୀବଜନ୍ତୁ ରଖିଛ?’ ତା’ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଦେଲେ ଯେ ସେ ବୈଠକ ତ୍ୟାଗ କରି ଚାଲିଯାଉଛନ୍ତି ଏବଂ ପ୍ରସ୍ଥାନ ଦ୍ବାର ଦିଗରେ ଅଗ୍ରସର ହେବାକୁ ଆରମ୍ଭ କଲେ।

ସଚିବ ପ୍ୟାରୀମୋହନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁସରଣ କଲେ। କେତେ ପାଦ ଯିବା ପରେ ବିଜୁବାବୁ ପଛକୁ ଚାହିଁ ଏହା ଦେଖିବା ମାତ୍ରେ ପ୍ୟାରୀ ମହାପାତ୍ରଙ୍କୁ ତାଙ୍କର ସ୍ବଭାବସୁଲଭ ଆତ୍ମୀୟତାପୂର୍ଣ୍ଣ ଶୈଳୀରେ ତାଗିଦ୍ କଲେ- ‘ତୁ କୁଆଡ଼େ ଆସୁଛୁ? ତୁ ମୋର ପ୍ରତିନିଧିତ୍ବ କରି ବୈଠକରେ ଉପସ୍ଥିତ ରହ ଓ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କର।’ ଦେଶର ଜଣେ ଉଚ୍ଚତମ ରାଷ୍ଟ୍ର-ନାୟକ ଭାବରେ ବିଜୁ ପଟ୍ଟନାୟକଙ୍କ କିମ୍ବଦନ୍ତିମୂଳକ ଉଚ୍ଚତା ଯେ କେବଳ ତାଙ୍କର ଦର୍ଶନୀୟ ଶାରୀରିକ ଉଚ୍ଚତାରେ ସୀମିତ ନଥିଲା, ତାହାର ଅନେକ ପ୍ରମାଣ ମଧ୍ୟରୁ ଏହା ହେଉଛି ବିଶେଷ ପ୍ରଚାର ଲାଭ କରି ନଥିବା ଗୋଟିଏ।
ଏଥିରେ ସନ୍ଦେହ ନାହିଁ ଯେ ଯଦି ମଇ ୨୮ ତାରିଖ ଦିନ କଲେଇକୁଣ୍ଡା ଠାରେ ମମତା ବାନାର୍ଜୀଙ୍କ ସ୍ଥାନରେ ବିଜୁ ପଟ୍ଟନାୟକ ଥା’ନ୍ତେ, ତା’ହେଲେ ନିଜର ବସ୍‌ଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଳାପନ୍ ବନ୍ଦ୍ୟୋପାଧ୍ୟାୟ ଯେତେବେଳେ ତାଙ୍କୁ ଅନୁସରଣ କରି ବୈଠକ ତ୍ୟାଗ କରିବାକୁ ଉଦ୍ୟତ ହେଲେ, ସେତେବେ‌େଳ ବିଜୁବାବୁ ତାଙ୍କୁ ବୈଠକରେ ଉପସ୍ଥିତ ରହି ନିଜର ଦାୟିତ୍ବ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥା’ନ୍ତେ। କାରଣ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ‘ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ’ (‘ନେସନାଲ୍ ଡିଜାଷ୍ଟର୍ ମ୍ୟାନେଜ୍‌ମେଣ୍ଟ୍ ଅଥରିଟି’)ର ଅଧ୍ୟକ୍ଷ ଏବଂ ନିଜର ସେଇ ସାମ୍ବିଧାନିକ ଓ ବୈଧାନିକ ଦାୟିତ୍ବ ନିର୍ବାହର ଅଂଶସ୍ବରୂପ ସେ ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ରାଜ୍ୟ ଗସ୍ତରେ ଆସିଥିଲେ। ଉଭୟ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସେଠାରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତିର ଏକ ବାସ୍ତବ ଚିତ୍ର ପ୍ରଦାନ କରିବା ସେମାନଙ୍କର ପ୍ରଶାସନିକ, ବୈଧାନିକ ତଥା ନୈତିକ ଦାୟିତ୍ବ। ଏଥିରେ କେହି ଖିଲାପ କଲେ ସେଥିପାଇଁ ଆଇନରେ ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି।

ଯଦି ସଂକୀର୍ଣ୍ଣ ରାଜନୈତିକ କାରଣରୁ ମମତା ବାନାର୍ଜୀ ବୈଠକରେ ଉପସ୍ଥିତ ରହିବା ପାଇଁ ଚାହିଁଲେ ନାହିଁ, ତାଙ୍କର ମୁଖ୍ୟ ସଚିବଙ୍କୁ ମଧ୍ୟ ସାଙ୍ଗରେ ନେଇ ପଳାଇବା ତାଙ୍କର ଘୋର ଅପରିପକ୍ବତାର ପରିଚୟ ଦିଏ। ଏ ଦୁହିଁଙ୍କର ଅପରିଣାମଦର୍ଶୀ ଆଚରଣ ଯୋଗୁଁ ଯେଉଁମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଓ ସମ୍ଭାବନା ରହିଛି, ସେମାନେ ହେଉଛନ୍ତି ସେ ରାଜ୍ୟର ବାତ୍ୟା ବିପନ୍ନ ଜନସାଧାରଣ। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଅବହେଳା ଯୋଗୁଁ ଯଦି ପଶ୍ଚିମ ବଙ୍ଗ ଯଥେଷ୍ଟ କେ‌ନ୍ଦ୍ରୀୟ ସାହାଯ୍ୟ ନପାଏ, ତେବେ ଏ ଦୁଇ ତୁଙ୍ଗ ନେତା ଓ ଅମଲାଙ୍କ ଜୀବନ‌ ଶୈଳୀରେ ତିଳେମାତ୍ର ଆଞ୍ଚ ଆସିବ ନାହିଁ, ଚରମ ଦୁର୍ଦଶା ଯେଉଁମାନେ ଭୋଗିବେ, ସେମାନେ ହେଉଛନ୍ତି ବାତ୍ୟାରେ ଚୂଲି ଚାଳ ହରାଇଥିବା ଅସଂଖ୍ୟ ସାଧାରଣ ପରିବାର ମାନ।