ସୁଖ ଓ ଭୋକ

ଊନବିଂଶ ଶତାବ୍ଦୀର ଲାଜକୁଳା, ଋଷିପ୍ରତିମ ବ୍ରିଟିସ୍ ଅର୍ଥନୀତିଜ୍ଞ ଫ୍ରାନ୍‌ସିସ୍ ୟିସିଡ୍ରୋ ଏଜ୍‌ୱର୍ଥ ଅର୍ଥଶାସ୍ତ୍ର ପ୍ରତି ଆକର୍ଷିତ ହେବାର କାରଣ ନ ଥିଲା, କୌଣସି ନିର୍ଦ୍ଦିଷ୍ଟ ମତବାଦର ପ୍ରସାର କିମ୍ବା ଅର୍ଥନୀତିକୁ ଠିକଣା ବାଟରେ ଆଗେଇବା ପାଇଁ ଦିଗ୍‌ଦର୍ଶନ ପ୍ରଦାନ; ତାଙ୍କ ପାଇଁ ଅର୍ଥଶାସ୍ତ୍ରର ଏକମାତ୍ର ଆକର୍ଷଣ ଥିଲା ଏହି ଶାସ୍ତ୍ରର ସଂଖ୍ୟା ଓ ପରିମାଣ ଆଦି ସହିତ ଘନିଷ୍ଠ କାରବାର। ଗଣିତରେ ଅସାମାନ୍ୟ ପାରଦର୍ଶିତା ଥିବା ଏଜ୍‌ୱର୍ଥ ବିଶ୍ବାସ କରୁଥିଲେ ଯେ ଅର୍ଥଶାସ୍ତ୍ରର ଏହି ଚରିତ୍ର ଯୋଗୁଁ ଅର୍ଥଶାସ୍ତ୍ରକୁ ଗଣିତରେ ରୂପାନ୍ତରିତ କରି ଦେଇ ହେବ, ଯାହା ତାକୁ ଏକ କଠିନ ବିଜ୍ଞାନରେ ପରିଣତ କରିବ।

୧୮୮୧ରେ ପ୍ରକାଶିତ ତାଙ୍କର କ୍ଷୁଦ୍ର ପୁସ୍ତକ ‘ମାଥେମାଟିକାଲ୍ ସାଇକିକ୍‌ସ’ରେ ସେ ଏହା ହିଁ ହାସଲ କରିବାକୁ ଚେଷ୍ଟା କରିଥିଲେ। ଦାର୍ଶନିକ ଜେରେମି ବେନ୍ଥାମ୍‌ଙ୍କୁ ଅନୁସରଣ କରି ଏଜ୍‌ୱର୍ଥ ଏଥିରେ ପ୍ରଦର୍ଶିତ କରିବାକୁ ଚାହିଥିଲେ ଯେ ପ୍ରତ୍ୟେକ ମନୁଷ୍ୟ ହେଉଛି ଏକ ‘ସୁଖ-ସନ୍ଧାନ ଯନ୍ତ୍ର’। ସମାଜରେ ଉପଲବ୍‌ଧ ମୋଟ ସୁଖରୁ ଭାଗ ପାଇବା ପାଇଁ ଏହି ‘ସୁଖ-ସନ୍ଧାନ ଯନ୍ତ୍ର’ମାନେ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରିଥାନ୍ତି। ଏଜ୍‌ୱର୍ଥ ଗଣିତଶାସ୍ତ୍ରର ଅନ୍ୟତମ ସୂକ୍ଷ୍ମ ହତିଆର ‘ଡିଫରେନ୍‌ସିଆଲ୍ କାଲ୍‌କୁଲସ୍‌’ ପ୍ରୟୋଗ କରି ପ୍ରଦର୍ଶିତ କରିଥିଲେ ଯେ ଯଦି ଅର୍ଥନୀତିରେ ନିଖୁଣ ପ୍ରତିଯାଗିତା ବିରାଜମାନ କରୁଥାଏ, ତେବେ ପ୍ରତ୍ୟେକ ‘ସୁଖ-ସନ୍ଧାନ ଯନ୍ତ୍ର’ମାନଙ୍କର ପରସ୍ପର ମଧ୍ୟରେ ଅବାଧ ପ୍ରତିଯୋଗିତା ପ୍ରତ୍ୟେକ ସୁଖ-ସନ୍ଧାନୀ ପାଇଁ ସର୍ବାଧିକ ସମ୍ଭବ ସୁଖ ନିଶ୍ଚିତ କରିବ।

କିନ୍ତୁ କେହି କେହି ପ୍ରଶ୍ନ କରିପାରନ୍ତି ଯେ ସମାଜରେ ମୂଳରୁ ଆୟ ଓ ସମ୍ପଦର ବଣ୍ଟନ ଅସମତୁଲ ହୋଇଥିବା ଯୋଗୁଁ ପ୍ରତିଯୋଗିତା ନିଖୁଣ ହୋଇ ପାରିବ ନାହିଁ- ଧନୀ ତା’ର ସମ୍ବଳ-ପ୍ରାଚୁର୍ଯ୍ୟ ବଳରେ ସମାଜର ସୁଖ ଭାଣ୍ଡରେ ହାତ ପୂରାଇ ଅଧିକ ସୁଖ ଝାମ୍ପି ନେବ ଓ ଗରିବ ସମ୍ବଳ ଅଭାବରୁ କମ୍ ପରିମାଣର ସୁଖ ହାସଲ କରିପାରିବ। ଏଜ୍‌ୱର୍ଥଙ୍କ ପାଇଁ ଏହା କିନ୍ତୁ ଆଦୌ ଏକ କଠିନ ପ୍ରଶ୍ନ ନଥିଲା; ତାଙ୍କ ପାଖରେ ଏହାର ଏକ ସରଳ ସମାଧାନ ଉପଲବ୍‌ଧ ଥିଲା। ତାଙ୍କ ମତରେ ଦରିଦ୍ରମାନଙ୍କର ସୁଖ-ସନ୍ଧାନ ଦକ୍ଷତା ସୀମିତ ହୋଇଥିବାରୁ ସେମାନଙ୍କର ଏଥିପାଇଁ କମ୍ ସମ୍ବଳ ଆବଶ୍ୟକ ହୋଇଥାଏ ଏବଂ ଅପର ପକ୍ଷେ ଧନୀମାନଙ୍କର ଏହି ଦକ୍ଷତା ଅଧିକ ହୋଇଥିବାରୁ ସେମାନଙ୍କର ବହୁ ଅଧିକ ସମ୍ବଳ ଆବଶ୍ୟକ ହୋଇଥାଏ। (ଅନ୍ୟ ପ୍ରକାରେ କହିଲେ ଜଣେ ଭିକାରି ହାତରେ କୋଟିଏ ଟଙ୍କା ପଡ଼ିଲେ ସେ ତାକୁ ଖର୍ଚ୍ଚ କରିବାର ବାଟ ପାଇବ ନାହିଁ; କିନ୍ତୁ ଜଣେ ଧନୀକ ହାତରେ ଶହେ କୋଟି ଟଙ୍କା ପଡ଼ିଲେ, ତାକୁ ଖର୍ଚ୍ଚ କରିବାର ଏତେ ବାଟ ଜଣା ଯେ, ତାହା ତାକୁ ନିଅଣ୍ଟ ହେବ।) ଅର୍ଥାତ୍ ଧନୀକ, ସମ୍ଭ୍ରାନ୍ତ ‘ସୁଖ-ସନ୍ଧାନ ଯନ୍ତ୍ର’ମାନ ଦରିଦ୍ର, ନିମ୍ନବର୍ଗ ‘ସୁଖ-ସନ୍ଧାନ ଯନ୍ତ୍ର’ମାନଙ୍କ ଠାରୁ ବହୁ ଅଧିକ ଦକ୍ଷ ହୋଇଥାନ୍ତି। ଏହି କାରଣରୁ ଯଦି ସମାଜର ପ୍ରତ୍ୟେକ ସଦସ୍ୟର ସୁଖ ସର୍ବାଧିକ ହେବା ଅର୍ଥାତ୍ ସମାଜର ସାମଗ୍ରିକ ସୁଖ ସର୍ବାଧିକ ହୋଇଥିବା ଆମର ଲକ୍ଷ୍ୟ ହୋଇଥାଏ, ତା’ହେଲେ ସମାଜରେ ଆୟ ଓ ସମ୍ପଦର ବଣ୍ଟନରେ ବୈଷମ୍ୟ ରହିବା ଆବଶ୍ୟକ।

ଏଜ୍‌ୱର୍ଥଙ୍କର ଏହି ଉଦ୍ଭଟ ଯୁକ୍ତି ଶ୍ରେଣୀ ଗୃହରେ ବେଶ୍ ଚମକ ସୃଷ୍ଟି କରିଥିଲେ ମଧ୍ୟ ବାସ୍ତବବାଦୀ ଅର୍ଥନୀତିଜ୍ଞମାନଙ୍କ ଠାରେ ଘୋର ଅସ୍ବସ୍ତି ସୃଷ୍ଟି କରିଥିଲା। ଉଦାହରଣ ସ୍ବରୂପ ତାଙ୍କର ସମସାମୟିକ ଅନ୍ୟ ଜଣେ ଅର୍ଥନୀତିଜ୍ଞ ହେନ୍‌ରୀ ସିଜ୍‌ୱିକ୍ କ୍ରୋଧାନ୍ବିତ ହୋଇ ମନ୍ତବ୍ୟ କରିଥିଲେ ଯେ ତାଙ୍କୁ କେତେ ସୁଖ ଉପଲବ୍‌ଧ ହେବାକୁ ଯାଉଛି, ତାହା ହିସାବ କରି ସେ ରାତ୍ରିଭୋଜନ କରି ନ ଥିଲେ, ତାଙ୍କୁ ଭୋକ ଲାଗୁଥିବାରୁ ହିଁ ସେ ରାତ୍ରିଭୋଜନ କରିଥିଲେ। ଏକ ଅର୍ଥନୈତିକ ବୈଷମ୍ୟପୂର୍ଣ୍ଣ ସମାଜ ଗଠନ ମାଧ୍ୟମରେ ଅର୍ଥନୀତିକୁ ଅଣ-ମାନବୀୟ କରିବା ପାଇଁ ଏଜ୍‌ୱର୍ଥଙ୍କ ଏଭଳି ଉଦ୍ୟମ ସିଜ୍‌ୱିକ୍‌ଙ୍କୁ ସେ ସମୟରେ ଯେଉଁଭଳି ବିବ୍ରତ କରିଥିଲା, ଚୀନା କରୋନା ଜନିତ କୋଭିଡ୍-୧୯ ସଂକଟ ଦେଶ ଭିତରେ ଓ ଦେଶ-ଦେଶ ମଧ୍ୟରେ ସୃଷ୍ଟି କରିବାକୁ ଯାଉଥିବା ଘୋର ଅର୍ଥନୈତିକ ବୈଷମ୍ୟ ସମାଜକୁ ଅଣ-ମାନବୀୟ କରି ନିକଟ ଭବିଷ୍ୟତ୍‌ରେ ଯେଉଁ ଅସ୍ଥିରତା ଆବିର୍ଭାବର ସମ୍ଭାବନା ସୃଷ୍ଟି କରିଛି, ସେ ନେଇ ବର୍ତ୍ତମାନ ସମୟର ଜଣେ ଖ୍ୟାତନାମା ଅର୍ଥନୀତିଜ୍ଞ ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ନୋରିଏଲ୍ ରୋବିନି ସେଇଭଳି ବିବ୍ରତ ଭାବ ପ୍ରକାଶ କରିବା ଦେଖାଯାଇଛି।

ଜଣାଶୁଣା କେନ୍‌ସ-ବାଦୀ ରୋବିନି ଅଳ୍ପଦିନ ତଳେ ପ୍ରଦାନ କରିଥିବା ଏକ ଚିନ୍ତା ଉଦ୍ରେକକାରୀ ମନ୍ତବ୍ୟ ଥିଲା ଏହିପରି: ‘‘କୋଭିଡ୍ ସଂକଟ ଦେଶ ଭିତରେ ଓ ଦେଶ-ଦେଶ ମଧ୍ୟରେ ବୈଷମ୍ୟ ବୃଦ୍ଧି କରାଇବାର ଦୃଢ଼ ସମ୍ଭାବନା ରହିଛି। ଦୁର୍ବଳ ବର୍ଗମାନେ ଯେତେ ଅଧିକ ଅବହେଳିତ ହୋଇ ପଡ଼ି ରହିବେ, ଭବିଷ୍ୟତ୍‌ରେ ସାମାଜିକ, ରାଜନୈତିକ ଏବଂ ଆନ୍ତର୍ଜାତିକ ଅସ୍ଥିରତା ଭଳି ବିପଦ ବୃଦ୍ଧି ପାଇବାର ସମ୍ଭାବନା ସେତେ ଅଧିକ ହେବାକୁ ଲାଗିବ।’’ ସିଜ୍‌ୱିକ୍‌ଙ୍କ ଭାଷା ବ୍ୟବହାର କଲେ କୁହାଯାଇ ପାରିବ ଯେ କୋଭିଡ୍ ଯୋଗୁଁ ସମାଜରେ ଅର୍ଥନୈତିକ ବୈଷମ୍ୟ ଯେତେ ବୃଦ୍ଧି ପାଇବ, ସେ‌େତ ଅଧିକରୁ ଅଧିକ ସଂଖ୍ୟକ ଲୋକ ଯେ ସୁଖରୁ ବଞ୍ଚିତ ହେବେ, ତାହା ନୁହେଁ, ସେମାନେ ନିଜର କ୍ଷୁଧା ନିବାରଣ ପାଇଁ ଆବଶ୍ୟକ ରାତ୍ରିଭୋଜନରୁ ବଞ୍ଚିତ ହୋଇ ଖାଲି ପେଟରେ ବିଛଣାକୁ ଯିବେ। ଏକ ଗଣତନ୍ତ୍ରରେ ଯଦି ଏଭଳି ବୁଭୁକ୍ଷୁଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲେ, ତା’ହେଲେ ସମାଜରେ କିଭଳି ଅସ୍ଥିରତା ସୃଷ୍ଟି ହେବ ଏବଂ ତା’ର ଅନ୍ତିମ ପରିଣତି କ’ଣ ହୋଇପାରେ, ତାହା ପୃଥିବୀର ସର୍ବାଧିକ ସକ୍ରିୟ ଗଣତନ୍ତ୍ରରେ ବାସ କରୁଥିବା ଭାରତୀୟମାନଙ୍କୁ ବୁଝାଇବା ଅନାବଶ୍ୟକ।

ଏହି ପୃଷ୍ଠଭୂମିରେ ଏବେ ‘ସେଣ୍ଟ୍ରାଲ୍ ଷ୍ଟାଟିଷ୍ଟିକାଲ୍ ଅର୍ଗାନା‌ଇଜେସନ୍’ (‘ସିଏସ୍‌ଓ’) ଦ୍ବାରା ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଭାରତୀୟ ଅର୍ଥନୀତିରେ କି ପ୍ରକାର ଅବସ୍ଥା ବିରାଜମାନ କରୁଛି, ଦେଖାଯାଉ। ୨୦୨୦-୨୧ ବିତ୍ତ ବର୍ଷରେ କେବଳ କୃଷି ଏବଂ କିଛି ମାତ୍ରାରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନକୁ ଛାଡ଼ି ଦେଲେ ଅର୍ଥନୀତିର ଅନ୍ୟ ସମସ୍ତ କ୍ଷେତ୍ରର ଚିତ୍ର ଶୋଚନୀୟ ହୋଇଥିବା ଦେଖାଯାଇଛି (କୃଷିରେ ଅଭିବୃଦ୍ଧି ହାର ୩.୬ ଶତାଂଶ ହୋଇଥିବା ବେଳେ ଶକ୍ତି କ୍ଷେତ୍ରରେ ବୃଦ୍ଧି ହାର ହୋଇଛି ୧.୯ ଶତାଂଶ)। ଅପରପକ୍ଷେ ବିଗତ ବିତ୍ତ ବର୍ଷରେ ବାଣିଜ୍ୟ କ୍ଷେତ୍ରରେ ଘଟିଥିବା ସଂକୋଚନ ହାର ହୋଇଛି (-)୧୮.୨ ଶତାଂଶ; ନିର୍ମାଣ ଶିଳ୍ପରେ ସଂକୋଚନ ହାର ହୋଇଛି (-) ୮.୬ ଶତାଂଶ; ଖଣି କ୍ଷେତ୍ରରେ ସଂକୋଚନ ହାର ହେଉଛି (-) ୮.୫ ଶତାଂଶ; ଏବଂ ଶିଳ୍ପ ଉତ୍ପାଦନ ବା ମାନୁଫାକ୍‌ଚରିଙ୍ଗ୍ କ୍ଷେତ୍ରରେ ଘଟିଥିବା ସଂକୋଚନ ହାର ହେଉଛି (-) ୭.୨ ଶତାଂଶ।

ବୋଧ ହୁଏ ଏହା କାହାରିକୁ ଅଜଣା ନଥିବ ଯେ ଏହି ନିର୍ଦ୍ଦିଷ୍ଟ କ୍ଷେତ୍ରମାନଙ୍କରେ ହିଁ ଦେଶର ଅଧିକାଂଶ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକମାନେ ନିଯୁକ୍ତି ଲାଭ କରିଥାନ୍ତି। ଦ୍ବିତୀୟ କୋଭିଡ୍ ଲହର ଯୋଗୁଁ ଏହି କ୍ଷେତ୍ରମାନଙ୍କରେ ପ୍ରାଣ ସଞ୍ଚାର ଆଶା ବିତ୍ତ ବର୍ଷ ସରିବା ବେଳକୁ ସମ୍ପୂର୍ଣ୍ଣ ମଉଳି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସମଗ୍ର ବିତ୍ତ ବର୍ଷରେ ଅର୍ଥନୀତିରେ (-) ୭.୩ ଶତାଂଶ ସ୍ଖଳନ ଘଟିଥିବା ସତ୍ତ୍ବେ, ‌େଶଷ ଚଉଠରେ ଯେଉଁ ୩.୭ ଶତାଂଶ ବୃଦ୍ଧି ଘଟିବା ଦେଖାଦେଇଛି, ତାହା ଯେ ଉପରୋକ୍ତ ଆହତ କ୍ଷେତ୍ରମାନଙ୍କର କୌଣସି ଉପକାର କରିନାହିଁ, ତାହା ସ୍ପଷ୍ଟ। ନିଯୁକ୍ତି ଓ ଆୟ ହରାଇଥିବା ଏଇ କ୍ଷେତ୍ରମାନଙ୍କର ଅଗଣିତ ସଦସ୍ୟମାନଙ୍କୁ ବୃହତ୍ତର ଅର୍ଥନୀତିରେ ସାମିଲ କରାଇ ସେମାନଙ୍କ ମଧ୍ୟରେ ବୃଦ୍ଧି ପାଇ ଚାଲିଥିବା ଅସ୍ଥିରତା ଦୂର କରିବାର ଏକମାତ୍ର ବାଟ ହେଉଛି ସେଇ ବାଟ, ଯାହାକୁ ବିତ୍ତମନ୍ତ୍ରୀ ସୀତାରମଣ ଏ ଯାଏଁ ଏଡ଼ାଇ ଚାଲିଛନ୍ତି: କେନ୍‌ସୀୟ ରାଜକୋଷୀୟ ପ୍ରୋତ୍ସାହନ ବା ‘ଫିସ୍‌କାଲ୍ ଷ୍ଟିମ୍ୟୁଲସ୍’, ଯାହା ମଧ୍ୟ ହେଉଛି ରୋବିନିଙ୍କ ନିଦାନ। ସମାଜର କେତେକ ଅଂଶ ସୁଖ ସନ୍ଧାନରେ ମାତିଥିବା ବେଳେ ଆଉ ଏକ ବିଶାଳ ଅଂଶକୁ ଭୋକରେ ଆଉଟୁପାଉଟୁ ହେବାକୁ ଛାଡ଼ିଦେବା ଘୋର ବିପଜ୍ଜନକ!

ସମ୍ବନ୍ଧିତ ଖବର