ପରିଚିତ ସନ୍ଥ

ଏକ ଇ˚ରେଜୀ ଆପ୍ତ ବାକ୍ୟ ‘ନୋନ୍‌ ଡେଭିଲ ଇଜ୍‌ ବେଟର ଦ୍ୟାନ୍‌ ଅନ୍‌ନୋନ୍‌ ସେଣ୍ଟ୍‌’( ପରିଚିତ ସୈତାନ ଅଜଣା ସନ୍ଥ ଠାରୁ ଭଲ)କୁ ଖୁବ୍‌ ମନଯୋଗ ସହକାରେ ଅନୁସରଣ କରୁଥିବା ଅସ˚ଖ୍ୟ ଲୋକଙ୍କୁ ବର୍ତ୍ତମାନ ଦେଖିବାକୁ ମିଳୁଛି, ଯେଉଁମାନେ କରୋନା ଟିକା ନେବା କଥା ଶୁଣିଲେ ଛାନିଆରେ ଗାଁ ଛାଡ଼ି ପଳାୟନ କରୁଛନ୍ତି ବା ଜଙ୍ଗଲରେ ଆତ୍ମଗୋପନ କରୁଛନ୍ତି ବା ନଦୀ ମଧୢକୁ କୁଦି ପଡୁଛନ୍ତି! ଗଲା ୧୦ ତାରିଖରେ ଏହି ସମ୍ବାଦପତ୍ରରେ ପ୍ରକାଶିତ ‘ଟିକା ଭୟରେ ଗାଁ ଲୋକ ଛୁ’ ଶୀର୍ଷକ ବହନକାରୀ ଖବରରେ ପଢ଼ିବାକୁ ମିଳିଛି ଯେ ରାୟଗଡ଼ା ଜିଲ୍ଲାର କୈଳାସପୁର ପଞ୍ଚାୟତର ଚ˚ପାକଣା ଗାଁର ଅଧିବାସୀମାନେ ଗ୍ରାମକୁ ସ˚ପୂର୍ଣ୍ଣ ପରିତ୍ୟକ୍ତ କରି ପଳାୟନ କରିଥିଲେ। ତେବେ, କେବଳ ଆମ ରାଜ୍ୟରେ ନୁହେଁ, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହରିଆଣା ଭଳି କେତେକ ରାଜ୍ୟରେ ମଧୢ ଅନୁରୂପ ଘଟଣାମାନ ଘଟିଛି। ଏହା ପ୍ରଶାସନ ଲାଗି ଏକ ବିବ୍ରତକର ଆହ୍ବାନ ରୂପେ ଆବିର୍ଭୂତ ହୋଇଥିବା ସତ୍ତ୍ବେ ଏଥିରେ ଯେ ବିସ୍ମିତ ହେବାର ବିଶେଷ କାରଣ ନାହିଁ, ତାହା କହିବା ଅନାବଶ୍ୟକ।

ଏହା ମଧୢ ସତ ଯେ କୌଣସି ମହାମାରୀ ସମୟରେ ତ୍ରାଣକର୍ତ୍ତା ରୂପେ ଆବିର୍ଭୂତ ହୋଇଥିବା ପ୍ରତିଷେଧକଗୁଡ଼ିକୁ ଗ୍ରହଣ କରିବାରେ ତୀବ୍ର କୁଣ୍ଠା ପ୍ରକାଶର ଏକ ଦୀର୍ଘ ଇତିହାସ ଆମ ଦେଶରେ ରହିଛି, ଯାହା ପଛରେ ନିହିତ ଥାଏ ଅଜ୍ଞତା, ଅସଚେତନତା, ଅନ୍ଧବିଶ୍ବାସ, ସନ୍ଦେହ ଏବ˚ ଭୟର ଏକ ସମ୍ମିଶ୍ରଣ। ଏପରିକି ମହାତ୍ମା ଗାନ୍ଧୀଙ୍କ ଭଳି ଜଣେ ଅତ୍ୟନ୍ତ ଦୂରଦ୍ରଷ୍ଟା ଓ ସଚେତନ ବ୍ୟକ୍ତି ମଧ୍ୟ ବସନ୍ତ ଟିକାର ତୀବ୍ର ବିରୋଧୀ ଥିଲେ; ଯେଉଁ ମନୋଭାବ ୧୯୨୯ ମସିହାରେ ‘ନବଜୀବନ’ ପତ୍ରିକା’ରେ ପ୍ରକାଶିତ ମଣିଲାଲ ଓ ସୁଶୀଳା ଗାନ୍ଧୀଙ୍କୁ ଲିଖିତ ତାଙ୍କ ପତ୍ରରେ ଦେଖିବାକୁ ମିଳିଥାଏ। ତାଙ୍କର ଏ ବିରୋଧର ଆଧାର ଥିଲା ଧର୍ମ ବିଶ୍ବାସରେ; କାରଣ ବସନ୍ତ ଟିକା ଲାଗି ଗୋ-ବସନ୍ତ ଦ୍ବାରା ଆକ୍ରାନ୍ତ ଗୋରୁଙ୍କ ଫୋଟକାର ପୂଜକୁ ବ୍ୟିବହାର କରାଯାଉଥିଲା। ଉଲ୍ଲେଖନୀୟ ଯେ କରୋନା ପାନ୍‌ଡେମିକ୍‌ର ପ୍ରଥମ ତରଙ୍ଗ ଭାରତୀୟ ଗ୍ରାମାଞ୍ଚଳକୁ ବିଶେଷ ସ୍ପର୍ଶ କରି ନ ଥିଲା; ଯାହା ଦ୍ବିତୀୟ ତରଙ୍ଗ ଦ୍ବାରା ସା˚ଘାତିକ ଭାବେ ମଗ୍ନ ହୋଇଯାଇଛି ଏବ˚ ଏହାର ଭୟାବହତା ସମସ୍ତ କଳ୍ପନାକୁ ଅତିକ୍ରମ କରିଯାଇଛି। ତା’ ସତ୍ତ୍ବେ ଗ୍ରାମାଞ୍ଚଳରେ କୋଭିଡ୍‌ ପରୀକ୍ଷା ବା ଟିକା ନେବା ନେଇ ତୀବ୍ର କୁଣ୍ଠା ଓ ପ୍ରତିରୋଧ ପ୍ରକାଶ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଏହା ପଛରେ ନିହିତ କାରଣଗୁଡ଼ିକ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ।

ଏହା ସମସ୍ତଙ୍କୁ ଜଣା ଯେ ଏହି ପାନ୍‌ଡେମିକ୍‌ ସୃଷ୍ଟି ହେବାର ମାତ୍ର ନଅ ମାସ ମଧୢରେ ଭ୍ୟାକ୍‌ସିନ୍‌ମାନ ଉଦ୍ଭାବିତ ହୋଇ ବିଶ୍ବର ବିଭିନ୍ନ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା। କିନ୍ତୁ ସେହି ସମୟରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନଙ୍କ ସମେତ ଅନେକ ବିଶିଷ୍ଟ ବିଶେଷଜ୍ଞ ଏତେ ଚଞ୍ଚଳ ଏଭଳି ଏକ ସମ୍ଭାବନା ନେଇ ଘୋର ସନ୍ଦେହ ପ୍ରକଟ କରିଥିଲେ। ଏହାର କାରଣ ଭାବେ ଯାହା ଦର୍ଶାଯାଉଥିଲା, ତାହା ହେଉଛି ଏହା ଯେ ଏକ ଭ୍ୟାକ୍‌ସିନ ମନୁଷ୍ୟ ଜାତି ଲାଗି ବ୍ୟବହାରଯୋଗ୍ୟ ହେବା ସକାଶେ ସ˚ପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ହେବା ପୂର୍ବରୁ ତାକୁ ଯେଉଁ ଭଳି ବିଭିନ୍ନ ସ୍ତରୀୟ ମାନବ ପରୀକ୍ଷଣର ଘାଟି ଅତିକ୍ରମ କରିବାକୁ ପଡ଼ିଥାଏ, ତାହା ଗବେଷଣାଗାରରୁ ବଜାରକୁ ତା’ର ଯାତ୍ରାକୁ ଖୁବ୍‌ ଦୀର୍ଘ (ଅତି କମ୍‌ରେ ପାଞ୍ଚ ବର୍ଷ) କରିଥାଏ; ସୁତରା˚, କରୋନା ଭ୍ୟାକ୍‌ସିନ୍‌କୁ ଯଥା ସମ୍ଭବ ଶୀଘ୍ର ଉପଲବ୍‌ଧ କରାଇବା ଲାଗି ଏହି ସ˚ପୂର୍ଣ୍ଣ ପ୍ରକରଣରେ ପରିଦୃଷ୍ଟ ହୋଇଥିବା ଅବିଶ୍ବସନୀୟ ବେଗ ତଥା ଅନେକ ସ୍ଥଳରେ କେତେକ ପ୍ରୋଟୋକଲ୍‌କୁ ଏଡ଼ାଇ ଯିବାର ବାଧୢବାଧକତା କାରଣରୁ ଟିକାକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ସାରା ପୃଥିବୀରେ ଅଳ୍ପ ବହୁତେ ଭ୍ୟାକ୍‌ସିନର ଦକ୍ଷତା ଓ ପାର୍ଶ୍ବ ପ୍ରତିକ୍ରିୟା ଆଦି ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏବ˚ ସେହି ସମୟରେ ବିଭିନ୍ନ ସାମାଜିକ ଗଣମାଧୢରେ ସୃଷ୍ଟ ଗୁଜବ ଓ ଭ୍ରମାତ୍ମକ ତଥ୍ୟର ଝଡ଼ ଅନେକ ସଚେତନ ଓ ବିଜ୍ଞ ବ୍ୟକ୍ତିଙ୍କ ଧାରଣାକୁ ମଧୢ ଦୋହଲାଇ ଦେଇଥିଲା। ତେବେ, ଆମ ଦେଶରେ ଗଲା ପାଞ୍ଚ ମାସ ଧରି ଧାରାବାହିକ ଭାବେ ଟିକାକରଣ କାର୍ଯ୍ୟକ୍ରମ ଚାଲି ଏହି କୁଣ୍ଠାକୁ ନିଷ୍ପ୍ରଭ କରିଥିବା ସତ୍ତ୍ବେ କେତେକ ଗ୍ରାମାଞ୍ଚଳରେ ଏହା ଏବେ ସୁଦ୍ଧା ଦୃଢ଼ମୂଳ ହୋଇ ରହିଥିବା ଦେଖିବାକୁ ମିଳୁଛି।

ଅବଶ୍ୟ, ଏହା ସତ ଯେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଦ୍ବାରା କରୋନା ଏକ ପାନ୍‌ଡେମିକ୍‌ ବୋଲି ଘୋଷିତ ହେବା ପରେ ବିଭିନ୍ନ ସାମାଜିକ ଗଣମାଧୢମ ମଞ୍ଚରେ କାର୍ଯ୍ୟରତ ‘ଫ୍ୟାକ୍ଟ ଚେକର‌୍‌’ମାନେ ତହିଁରେ ପ୍ରସାରିତ ହେଉଥିବା ଗୁଜବ ଏବ˚ ଭ୍ରମାତ୍ମକ ତଥ୍ୟମାନକୁ ନିର୍ମୂଳ କରିବାରେ ଲାଗିଛନ୍ତି; କିନ୍ତୁ ସେମାନଙ୍କ ମଧୢରେ ବିଷୟ-ବିଶେଷଜ୍ଞମାନଙ୍କ ଅନୁପସ୍ଥିତି ହେତୁ ଅନେକ ଛଦ୍ମବେଶୀ ଅସତ୍ୟ ଓ ଗୁଜବ ସେମାନଙ୍କ ହାତରୁ ନିସ୍ତାର ପାଇ ସ˚ଶୟ ସୃଷ୍ଟି କରିବା ଅବ୍ୟାହତ ରଖିଛନ୍ତି। ଏହି ସନ୍ଦର୍ଭରେ ଏକ ମତ ପ୍ରକାଶ ପାଇଥାଏ ଯେ ସାମାଜିକ ଗଣମାଧୢମରୁ କେବଳ ଭ୍ରମାତ୍ମକ ତଥ୍ୟର ଉନ୍ମୂଳନ ଯଥେଷ୍ଟ ନୁହେଁ, ତା’ ସହିତ ଯାହା ଆବଶ୍ୟକ ତାହା ହେଲା ସେହି ସ୍ଥନରେ ସତ୍ୟକୁ ସ୍ଥାପନ କରାଯିବା। ଏହି ପରିପ୍ରେକ୍ଷୀରେ ଗଲା ୭ ତାରିଖରେ ‘ବ୍ଲୁମ୍‌ବର୍ଗ’ରେ ପ୍ରକାଶିତ ଏକ ଆଲେଖ୍ୟରେ ଲେଖିକା ଫାଏ ଫ୍ଲାମ୍‌ ଏକ ଉଦାହରଣ ସହିତ କହିଛନ୍ତି କିଭଳି ଭାରତର ଏକ ବାଳିବା ବିଦ୍ୟାଳୟ ସହିତ ସ˚ଶ୍ଳିଷ୍ଟ ଜଣେ ସମାଜ କର୍ମୀ ଗୁଜବ ପ୍ରସୂତ ଭୟରେ ଆଚ୍ଛନ୍ନ କେତେକ ଝିଅଙ୍କ ଠାରେ ଚରମ ଟିକା-କୁଣ୍ଠା ଦେଖିବାକୁ ପାଇଥିଲେ, ଯେତେବେଳେ କି ସେହି ଅଞ୍ଚଳରେ ଅସ˚ଖ୍ୟ ଲୋକ ପ୍ରତିଦିନ କରୋନା ଦ୍ବାରା ପୀଡ଼ିତ ହେଉଥିଲେ ଏବ˚ ମୃତ୍ୟୁମୁଖରେ ମଧୢ ପଡୁଥିଲେ। ସେହି ଝିଅମାନଙ୍କ ମନରୁ ଭ୍ରମାତ୍ମକ ଧାରଣା ଦୂର କରି ଠିକ ତଥ୍ୟ ପ୍ରଦାନ କରାଯିବା ପରେ ଯାଇ ସେମାନଙ୍କ ମନରୁ କୁଣ୍ଠା ଦୂର ହୋଇଥିଲା ଓ ସେମାନେ ଟିକା ନେଇଥିଲେ।

କହିବା ବାହୁଲ୍ୟ ଯେ କରୋନା ଭଳି ଏକ ଅଭୂତପୂର୍ବ ପାନ୍‌ଡେମିକ୍‌ ଅସ˚ଖ୍ୟ ସାଧାରଣ ଲୋକଙ୍କୁ ନିତାନ୍ତ ଭାଗ୍ୟାଶ୍ରୟୀ କରି ପକାଇଛି, ଯେଉଁଠି କରୋନାରେ ପୀଡ଼ିତ ହେବା ବା ତହିଁରୁ ବର୍ତ୍ତିଯିବା ଭାଗ୍ୟ ଉପରେ ନିର୍ଭର କରେ ବୋଲି ସେମାନେ ଗ୍ରହଣ କରିସାରିଛନ୍ତି। ଏଭଳି ଏକ ସ୍ଥିତିରେ ଟିକା ଯେ ଏକ ଭାଗ୍ୟ ପରିବର୍ତ୍ତନକାରୀ ଭୂମିକାରେ ଅବତୀର୍ଣ୍ଣ; ଏ କଥା ମଧୢ ସେମାନଙ୍କୁ ହୃଦ୍‌ବୋଧ କରାଯିବା ଜରୁରୀ। ଏହି କାର୍ଯ୍ୟ ଲାଗି ବିଭିନ୍ନ ଗ୍ରାମ ବା ଗୋଷ୍ଠୀର ପ୍ରଭାବଶାଳୀ ନେତା ବା ମୁରବି ସ୍ଥାନୀୟ ବ୍ୟକ୍ତିଙ୍କ ସାହାଯ୍ୟ ନିଆଯାଇପାରେ, ଯେଉଁମାନଙ୍କ ଆହ୍ବାନ ଭ୍ୟାକ୍‌ସିନ ପ୍ରତି ଥିବା ବିଶ୍ବାସର ଅଭାବକୁ ଦୂର କରିପାରେ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଆଗା ଖାଁଙ୍କ ଡାକରା ପରେ ସାରା ପୃଥିବୀରେ ତାଙ୍କର ଅସ˚ଖ୍ୟ ଅନୁଗାମୀ କୋଭିଡ୍‌ ଟିକା ନେବାର କୁଣ୍ଠା ପରିତ୍ୟାଗ କରିଛନ୍ତି। ୨୦୦୦ ମସିହା ପର ଠାରୁ ଆମ ଦେଶରେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତ ଗତିମାନ ହେବା ପଛରେ ନିହିତ କାରଣ ହେଉଛି ବିଭିନ୍ନ ଗୋଷ୍ଠୀର ନେତା ଓ ମୁରବିମାନଙ୍କ ଦ୍ବାରା ସନ୍ଦେହର ଧୂମପଟଳ ପରିଷ୍କାର କରିବାର ନିରନ୍ତର ଉଦ୍ୟମ, ଯାହାକୁ ଏକ ସମର୍ଥ ଉପାୟ ଭାବେ ସରକାର ଗ୍ରହଣ କରିଥିଲେ।

ରାୟଗଡ଼ା ଜିଲ୍ଲାର ଚ˚ପାକଣା ଗାଁରେ ମଧୢ ମୁରବିମାନଙ୍କ ମାଧୢମରେ ଗ୍ରାମବାସୀଙ୍କୁ ସଚେତନ କରାଯିବାର ଉଦ୍ୟମ କରାଯାଇଥିଲା, ଯହିଁରେ ସେମାନେ ଟିକା ନେବା ଲାଗି ପ୍ରଥମେ ସମ୍ମତି ମଧୢ ପ୍ରଦାନ କରିଥିଲେ। କିନ୍ତୁ ଟିକା ନେବା ଦିନ ହିଁ ସେମାନେ ଗାଁ ଛାଡ଼ି ପଳାୟନ କରିଥିଲେ। ଏହା ଦର୍ଶାଇଥାଏ ଯେ ଉପାନ୍ତ ଅଞ୍ଚଳରେ ବା ଦୁର୍ଗମ ଗ୍ରାମାଞ୍ଚଳରେ ଲୋକଙ୍କ ଠାରେ କୋଭିଡ୍‌ ପରୀକ୍ଷା ପ୍ରତି ବା ଟିକା ପ୍ରତି ବା ଚିକିତ୍ସା ପ୍ରତି ଯେଉଁ ବିଶ୍ବାସ ହାନି ପରିଦୃଷ୍ଟ, ତାହା ପ୍ରକାରାନ୍ତରେ ପ୍ରଶାସନ ପ୍ରତି ସେମାନଙ୍କ ବିଶ୍ବାସରେ ଅଭାବର ଚିହ୍ନ। ଏହି ବିଶ୍ବାସର ଅଭାବ ଦୂରୀଭୂତ ହେବା ଏକାନ୍ତ ଜରୁରୀ; ଯାହା କେବଳ ସମ୍ଭବ ପ୍ରଶାସନ ଦ୍ବାରା ସେମାନଙ୍କ ବିଶ୍ବାସ ଜିଣିବାର ନିରନ୍ତର ଉଦ୍ୟମରେ। ତାହା ହେଲେ ଯାଇ ଭ୍ୟାକ୍‌ସିନ ଏକ ପରିଚିତ ସନ୍ଥରେ ପରିଣତ ହେବ ଓ ସୈତାନର କବଳରୁ ରକ୍ଷା କରିବାର ବାଟ ଫିଟାଇବ।

ସମ୍ବନ୍ଧିତ ଖବର