‘ଗଲଓ୍ୱାନ’କୁ ବର୍ଷେ

ଆସନ୍ତା କାଲି ଗଲଓ୍ୱାନ ଉପତ୍ୟକାରେ ଚୀନ ଓ ଭାରତ ମଧ୍ୟରେ ସ˚ଘଟିତ ହୋଇଥିବା ରକ୍ତାକ୍ତ ସ˚ଘର୍ଷ ଗୋଟିଏ ବର୍ଷ ପୂରଣ କରିବାକୁ ଯାଉଛି; ଯେଉଁ ଘଟଣାଟି ପରେ ଏକ ଅତ୍ୟନ୍ତ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇ ଏହି ଦୁଇ ଦେଶକୁ ଏକ ଯୁଦ୍ଧର ଦ୍ବାରବନ୍ଧରେ ଛିଡ଼ା କରାଇ ଦେଇଥିଲା। ଉଭୟ ଦେଶର ସୈନିକମାନେ ଆଠ ମାସରୁ ଅଧିକ କାଳ ଧରି ମୁହାଁମୁହିଁ ଛିଡ଼ା ହୋଇ ରହିବା ପରେ ଏକ ରାଜିନାମା ସମ୍ଭବ ହୋଇଥିଲା; ଯାହା ଫଳରେ ବାସ୍ତବ ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରି ଉତ୍ତର-ପୂର୍ବ ଲଦାଖରେ ଆସ୍ଥାନ ଜମାଇ ବସିଥିବା ଅନୁପ୍ରବେଶକାରୀ ଚୀନା ସୈନିକମାନେ ପଛକୁ ହଟିଥିଲେ। ଉଭୟ ଦେଶ ନିଜ ନିଜ ସୈନ୍ୟ ଓ ଯୁଦ୍ଧ ସର˚ଜାମ ଆଦି ଅପସାରଣ କଲା ବେଳେ ଯଦିଓ ଆଶା ସୃଷ୍ଟି ହୋଇଥିଲା ଯେ ସେଠାରେ ଉତ୍ତେଜନା ପ୍ରଶମିତ ହୋଇ ପରିସ୍ଥିତି ମୋଟାମୋଟି ସ୍ବାଭାବିକ ହେବ; ଅନେକ ବିଶେଷଜ୍ଞ ସେ ନେଇ ସନ୍ଦିହାନ ଏବ˚ ଭାରତ ସକାଶେ ଚିନ୍ତାଶୂନ୍ୟ ହେବା ଲାଗି ଅବସର ବର୍ତ୍ତମାନ ସୁଦ୍ଧା ଆସିନାହିଁ ବୋଲି ସେମାନଙ୍କ ମତ।

ଗଲା ବର୍ଷ ଯେଉଁ ସମୟରେ ସମଗ୍ର ବିଶ୍ବ କରୋନା ପାନ୍‌ଡେମିକ୍‌ର ପ୍ରଥମ ତରଙ୍ଗ ଦ୍ବାରା ଅଣନିଃଶ୍ବାସୀ ହୋଇ ପଡ଼ିଥିଲା, ସେତିକି ବେଳେ ଭାରତ ପକ୍ଷରୁ କୌଣସି ଉତ୍ତେଜନା ସୃଷ୍ଟି କରାଯାଇ ନ ଥିବା ସତ୍ତ୍ବେ ଚୀନ କାହିଁକି ଅତର୍କିତ ଭାବେ ବାସ୍ତବ ସୀମାରେଖାକୁ ଅତିକ୍ରମ କରି ଏକ ଯୁଦ୍ଧମୟ ପରିସ୍ଥିତି ସୃଷ୍ଟି କରିଥିଲା, ତା’ର ପ୍ରକୃତ ରହସ୍ୟ ଏବେ ମଧୢ ଭେଦ କରାଯାଇ ପାରିନାହିଁ। ତେବେ, ଏହା ପଛରେ ଯେଉଁ କେତେକ ସମ୍ଭାବନା ନିହିତ, ତନ୍ମଧୢରୁ ପ୍ରମୁଖଟି ହେଲା ଚୀନ ନିଜକୁ ବିଶ୍ବର ଅପ୍ରତିଦ୍ବନ୍ଦ୍ବୀ ମହାଶକ୍ତି ରୂପେ ପ୍ରତିଷ୍ଠା କରିବାକୁ ଖୁବ୍ ଉଦ୍‌ଗ୍ରୀବ ହୋଇ ପଡ଼ିଥିବା ବେ‌େଳେ ଭାରତ ନାମକ ତା’ର ଏହି ବିଶାଳ ପଡ଼ୋଶୀ ରାଷ୍ଟ୍ରଟି ସେହି ପଥରେ ଏକ କଣ୍ଟକ ରୂପେ ପ୍ରତିଭାତ ହେବା। ଏହି ସ୍ତମ୍ଭର ପାଠକପାଠିକାମାନଙ୍କ ସ୍ମରଣରେ ଥିବ କିଭଳି ସେହି ସମୟରେ କୋଭିଡ୍‌ ପାନ୍‌ଡେମିକ୍‌ ଦ୍ବାରା ପ୍ରପୀଡ଼ିତ ଭାରତ ଚୀନ ଅତିକ୍ରମଣର ସମୁଚିତ ଜବାବ ଦେଇଥିଲା ଓ ତା’ର ଦୃଢ଼ ଏବ˚ ବିଶାଳ ସୈନ୍ୟ ବଳକୁ ଚୀନ ସେନାବାହିନୀ ସମ୍ମୁଖରେ ଦୀର୍ଘ କାଳ ଧରି ଛିଡ଼ା କରାଇ ନିଜର ଅନତିକ୍ରମ୍ୟ ଶକ୍ତିର ମଧ୍ୟ ପ୍ରଦର୍ଶନ କରିପାରିଥିଲା। କେବଳ ସେତିକି ନୁହେଁ, ଚୀନ୍‌ର ଜିଦି ହେତୁ ବିଭିନ୍ନ ସ୍ତରରେ ଚାଲିଥିବା ଆଲୋଚନା ଫଳପ୍ରସୂ ହୋଇ ପାରୁ ନ ଥିବା ବେଳେ ଭାରତୀୟ ସେନାବାହିନୀ ଦ୍ବାରା ଅତ୍ୟନ୍ତ ଚତୁର ରଣନୈତିକ ପଦକ୍ଷେପ ସ୍ବରୂପ ଖୁବ୍‌ ସନ୍ତର୍ପଣରେ କୈଳାସ ଶିଖର ଦଖଲ କରାଯିବା ଏବ˚ ସେହି ଉଚ୍ଚତାରୁ ଲଦାଖ ସମତଳରେ ମୁତୟନ ଚୀନା ସୈନିକମାନଙ୍କୁ ନିଶାଣ କରାଯାଇ ଚୀନ୍‌କୁ ଏକ ଅସହଜ ଏବ˚ ଦୁର୍ବଳ ପରିସ୍ଥିତିରେ ପକାଯିବା ଚୀନ୍‌କୁ ସୈନ୍ୟ ଅପସାରଣ ରାଜିନାମାକୁ ଆସିବାକୁ ବାଧୢ କରିଥିଲା। ସେହି ଦୃଷ୍ଟିରୁ ଅନେକ ଚୀନା ବିଶେଷଜ୍ଞ ମତ ପ୍ରଦାନ କରିଥାଆନ୍ତି ଯେ ଦ୍ବି-ପାକ୍ଷିକ ରାଜିନାମାର ସର୍ତ୍ତାନୁଯାୟୀ ଭାରତ କୈଳାସ ଶିଖର ଛାଡ଼ିବା ବୁଦ୍ଧିମାନ ରଣନୀତିର ପରିଚୟ ପ୍ରଦାନ କରି ନ ଥାଏ। କାରଣ ଭବିଷ୍ୟତ୍‌ରେ ଚୀନ କୈଳାସ ଶିଖର ଦଖଲରୁ ହିଁ ଭାରତ ବିରୋଧରେ ସାମରିକ ଅଭିଯାନ ପ୍ରାରମ୍ଭ କରିବାର ଆଶଙ୍କା ରହିଛି।

ତେବେ, ବାସ୍ତବ ନିୟନ୍ତ୍ରଣ ରେଖା ଅତିକ୍ରମଣର କାରଣ ଯାହା ବି ଥାଉ ନା କାହିଁକି, ଚୀନ କାହିଁକି କୋଭିଡ୍‌ ପାନ୍‌ଡେମିକ୍‌ କାଳରେ ଏହା କଲା ବୋଲି ପ୍ରଶ୍ନର ଉତ୍ତରରେ ପୂର୍ବତନ ରାଷ୍ଟ୍ରଦୂତ ଟି.ପି. ଶ୍ରୀନିବାସନ ଯାହା କହିଥାଆନ୍ତି, ତାହା ବିଶେଷ ପ୍ରଣିଧାନଯୋଗ୍ୟ। ‘ଟାଇମ୍‌ସ ନାଓ’ ସହିତ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେହି ସମୟରେ କୋଭିଡ୍‌ ଦ୍ବାରା ବ୍ୟତିବ୍ୟସ୍ତ ଯୁକ୍ତରାଷ୍ଟ୍ର ଆମେରିକା ଭାରତର ପକ୍ଷ ନେବା ଲାଗି ସମର୍ଥ ହେବ ନାହିଁ ବୋଲି ଜାଣି ଚୀନ ଏଭଳି କରିଥିଲା। ନିଜର ଏହି ଯୁକ୍ତିକୁ ପ୍ରମାଣ କରିବାକୁ ଯାଇ ସେ ୧୯୬୨ ମସିହାରେ ଚୀନ କରିଥିବା ଭାରତ ଆକ୍ରମଣର ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। ସେହି ସମୟରେ ଯୁକ୍ତରାଷ୍ଟ୍ର ଆମେରିକା କ୍ୟୁବା ସ˚କଟରେ ଲିପ୍ତ ରହି ଅନ୍ୟାନ୍ୟ ଘଟଣା ଉପରୁ ଦୃଷ୍ଟି ହଟାଇ ଆଣିଥିଲା। ଯେଉଁ ଦିନ କ୍ୟୁବା ସ˚କଟର ଅବସାନ ଘଟିଲା, ଚୀନ ସେହି ଦିନ ଯୁଦ୍ଧ ବନ୍ଦ କରି ନିଜ ଦଖଲରେ ରଖିଥିବା ଅଧିକା˚ଶ ଭାରତୀୟ ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରି ଦେଇଥିଲା। ସୁତରା˚ ଏହା ଯେ ଏକ ସୁପରିକଳ୍ପିତ ଆକ୍ରମଣ ଥିଲା, ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ୧୯୬୨ ଏବ˚ ୨୦୨୦ ମଧୢରେ ଥିବା ସମୟ ଖଣ୍ତରେ ଭାରତୀୟ ସୈନିକ ସାମର୍ଥ୍ୟରେ ଘଟିଥିବା ଅଭୂତପୂର୍ବ ପରିବର୍ତ୍ତନ ବାବଦରେ ସମ୍ଭବତଃ ଚୀନ ଠିକଣା ଆକଳନ କରିପାରି ନ ଥିଲା, ଯାହା ତାକୁ ଏହି ପରିପ୍ରେକ୍ଷୀରେ ଏକ ପ୍ରକାର ହାର ମାନିବାକୁ ବାଧୢ କରିଛି। କିନ୍ତୁ କେତେକ ବିଶେଷଜ୍ଞ ଆଶଙ୍କା ପ୍ରକଟ କରନ୍ତି ଯେ ଭବିଷ୍ୟତ୍‌ରେ ଏଭଳି ସ୍ଥିତି ଉପୁଜିପାରେ; ଏବ˚ ତାହା ହେଲେ ଚୀନ ତା’ର ବିମାନ ଓ ନୌ ବାହିନୀ ଉପରେ ଅଧିକ ନିର୍ଭରଶୀଳ ହୋଇପାରେ। ସେହି ସନ୍ଦର୍ଭରେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଚୀନ ଦ୍ବାରା ଅନେକ ହେଲିପ୍ୟାଡ୍‌ ନିର୍ମାଣ ଓ ସେହି ସ୍ଥାନରେ ଚୀନା ବିମାନ ବାହିନୀ ଦ୍ବାରା ସମରାଭ୍ୟାସ ଏଭଳି ଆଶଙ୍କାକୁ ଦୃଢ଼ କରିଥାଏ।

ଇତିମଧୢରେ ଚୀନ୍‌ର ସରକାରୀ ଇ˚ରେଜୀ ମୁଖପତ୍ର ଭାବେ ଖ୍ୟାତ ‘ଗ୍ଲୋବାଲ୍‌ ଟାଇମ୍‌ସ’ରେ ପ୍ରକାଶିତ ଏକ ରିପୋର୍ଟରେ ଅନେକ ଚୀନା ବିଦ୍ବାନ ଆଶଙ୍କା ପ୍ରକଟ କରିଛନ୍ତି ଯେ ସ˚ପ୍ରତି କରୋନାର ଭୟାବହ ଦ୍ବିତୀୟ ତରଙ୍ଗଜନିତ ଆଭ୍ୟନ୍ତରୀଣ ଅସ୍ଥିରତାରୁ ନଦୃଷ୍ଟି ଏଡ଼ାଇବା ଲାଗି ଭାରତ ପକ୍ଷରୁ ଚୀନ ସୀମାନ୍ତରେ ଉତ୍ତେଜନା ସୃଷ୍ଟି କରାଯିବାର ସମ୍ଭାବନା ରହିଛି। କିନ୍ତୁ ଏ ପରିପ୍ରେକ୍ଷୀରେ ‘ଦ ଇଉରେସିଆନ୍‌ ଟାଇମ୍‌ସ’ରେ ପ୍ରକାଶିତ ଏକ ଆଲେଖ୍ୟ ଏହାର ଖଣ୍ଡନ କରି କହିଛି ଯେ ବର୍ତ୍ତମାନ ଭାରତ ତୁଳନାରେ ଚୀନ ବର˚ ଅଧିକ ଅସ୍ବସ୍ତିକର ପରିସ୍ଥିତିରେ ରହିଛି। ‘କୋଭିଡ୍‌ ୧୯’ ଭୂତାଣୁଟି ଉହାନ ପରୀକ୍ଷାଗାରରୁ ଲିକ୍‌ ହୋଇ ଏହି ପାନ୍‌ଡେମିକ୍‌ ସୃଷ୍ଟି କରିଥିବା ଧାରଣା ଏବେ ବଦ୍ଧମୂଳ ହେବା ସହିତ ଚୀନ ଏହା ଜାଣିଥିବା ସତ୍ତ୍ବେ ଅବଶିଷ୍ଟ ବିଶ୍ବକୁ ସତର୍କ କରାଇବା ପରିବର୍ତ୍ତେ କାର୍ପେଟ୍ ତଳେ ତାହା ଢାଙ୍କି ଦେବାର ଉଦ୍ୟମ କରିଥିବା ବିଷୟ ମଧୢ କ୍ରମେ ପ୍ରମାଣିତ ହେବାରେ ଲାଗିଛି। ସୁତରା˚, ଗଲା ବର୍ଷ ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ସକାଶେ ଗଢ଼ି ଉଠିଥିବା ଚତୁର୍ଦେଶୀୟ ସ˚ଗଠନ ‘କ୍ବାଡ୍’ ଅଧିକ ରାଷ୍ଟ୍ରର ସମର୍ଥନ ଲାଭ କରିବାର ଆଶା ଉଜ୍ଜ୍ବଳ ହେଲାଣି। ଏହି ପରିପ୍ରେକ୍ଷୀରେ ଚୀନ୍‌ର ବିବ୍ରତବୋଧ ମଧୢ ଦୃଶ୍ୟମାନ ହୋଇଛି। ‘କ୍ବାଡ୍‌’କୁ ସମର୍ଥନ ନ କରିବାକୁ ବା˚ଲାଦେଶକୁ ପରାମର୍ଶ ଦେବା ଠାରୁ ପ୍ରାରମ୍ଭ କରି ଦଶଟି ‘ଆସିଆନ୍‌’ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ ଆୟୋଜନ କରିବା ପର୍ଯ୍ୟନ୍ତରେ ଚୀନ ଆତ୍ମରକ୍ଷା ଲାଗି ଉଦ୍ୟମ ପ୍ରାରମ୍ଭ କରିଛି। ତେବେ, ରାଜନୈତିକ ତଥା ଭୌଗୋଳିକ ସାମ୍ରାଜ୍ୟବାଦୀ ଚରିତ୍ରକୁ ସ୍ପଷ୍ଟ କରି ତାଇଵାନ, ହ˚କ˚, ଜାପାନ ଆଦି ଦେଶ ପ୍ରତି ଆକ୍ରମଣାତ୍ମକ ମନୋଭାବ ଏବ˚ ଆର୍ଥିକ ସାମ୍ରାଜ୍ୟବାଦୀ ଚରିତ୍ରକୁ ପ୍ରାଞ୍ଜଳ କରି କାନାଡା, ଅଷ୍ଟ୍ରେଲିଆ ଓ ଇଟାଲି ଆଦି ରାଷ୍ଟ୍ରରେ ଗୋପନୀୟ ଭାବେ ବିଭିନ୍ନ ବ୍ୟାଙ୍କ୍‌ ଓ କ˚ପାନିର ଅଧିଗ୍ରହଣ ଭଳି କାର୍ଯ୍ୟ ଚୀନ୍‌କୁ ଏକ ବିଶ୍ବାସ-ଅଯୋଗ୍ୟ ରାଷ୍ଟ୍ର ରୂପେ ଚିହ୍ନିତ କଲାଣି। ‘ଦ ଇଉରେସିଆନ୍‌ ଟାଇମ୍‌ସ’ର ଆଲେଖ୍ୟଟି କହେ ଏଭଳି ଏକ ସ୍ଥିତିରେ ଆକ୍ରମଣ ହିଁ ଆତ୍ମରକ୍ଷାର ଏକ କୌଶଳ ଭାବେ ଗ୍ରହଣ କରି ଚୀନ ଯଦି ପୁନର୍ବାର ଭାରତ ସହିତ ସ˚ଘାତ ଆରମ୍ଭ କରେ, ତେବେ ବିସ୍ମିତ ହେବାର କାରଣ ନାହିଁ।

ଚୀନା ବିଷୟ ବିଶେଷଜ୍ଞମାନେ କହନ୍ତି ଯେ ଭାରତ ଯେ ପର୍ଯ୍ୟନ୍ତ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଭିତ୍ତିଭୂମିଗତ ବିକାଶ ଲାଗି ନିର୍ମାଣ କାର୍ଯ୍ୟ ଅବାଧରେ କରିପାରି ନାହିଁ, ସେ ପର୍ଯ୍ୟନ୍ତ ପରିସ୍ଥିତି ସ୍ବାଭାବିକ ହୋଇଛି ବୋଲି ଆଶା କରାଯାଇ ନ ପାରେ। ସୁତରା˚, ବର୍ତ୍ତମାନ ଯାହା ଭାରତ ଲାଗି ଏକମାତ୍ର ଧେୢୟ ହେବା ଉଚିତ, ତାହା ହେଉଛି ଅଖଣ୍ତ ସଜାଗତା।

ସମ୍ବନ୍ଧିତ ଖବର