ଯୁଦ୍ଧ-ଡାକରା!

ବର୍ଷାଧିକ କାଳ ଧରି ପୃଥିବୀ ସାରାର ଦେଶମାନଙ୍କର ଅର୍ଥନୀତିକୁ ବିଧ୍ବସ୍ତ କରି ଚାଲିଥିବା ଚୀନା କରୋନା ସେ ସମସ୍ତ ଦେଶମାନଙ୍କର ସରକାର ଉପରେ ଅସହନୀୟ ବିତ୍ତୀୟ ବୋଝ ଲଦି ଦେଇଛି। ଗଣ ବେକାରି ଓ ଆୟ ହାନିର ଶିକାର ହୋଇଥିବା ଦେଶବାସୀଙ୍କୁ ଉଦ୍ଧାର କରିବାର ଦାୟିତ୍ବ ସ୍ବାଭାବିକ ଭାବରେ ଦେଶର ସରକାରଙ୍କ ଉପରେ ପଡ଼ିଛି; କିନ୍ତୁ ଏହି ନୂତନ ଓ ଅତିରିକ୍ତ ବୋଝ ବହନ କରିବା ପାଇଁ ଯେଉଁ ଆକାରର ସମ୍ବଳ ଆବଶ୍ୟକ, ତାହା ସାଧାରଣ ସମୟରେ ନିୟମିତ ଭାବରେ ବ୍ୟବହାର କରାଯାଉଥିବା ସୂତ୍ର ମାନଙ୍କରୁ ସଂଗ୍ରହ ହୋଇ ପାରିବା ସମ୍ଭବ ନୁହେଁ। ଅଧିକାଂଶ ଦେଶର ସରକାର ଏଥି ଯୋଗୁଁ ବଜାରରୁ ବିପୁଳ ପରିମାଣର ଋଣ ଉଠାଇ ଏବଂ/କିମ୍ବା ନୋଟ୍ ଛପାଇ ଖର୍ଚ୍ଚ କରିବାରେ ଲାଗିଛନ୍ତି। ଏହି ବାଟ କିନ୍ତୁ ବିପଦ ସଂକୁଳ- ଏଥି ଯୋଗୁଁ ଜାତୀୟ ଋଣ ବୋଝ ବୃଦ୍ଧି ପାଇବ ଏବଂ ଦେଶରେ ମୁଦ୍ରାସ୍ଫୀତି ମୁଣ୍ଡ ଟେକିବ। ବିକାଶଶୀଳ ଦେଶମ‌ାନେ ଯେତିକି ଏହି ସଂକଟର ସମ୍ମୁଖୀନ, ବିକଶିତ ଦେଶମାନେ ମଧ୍ୟ ସେତିକି ଏହାର ସମ୍ମୁଖୀନ।

ସେମାନେ ତେଣୁ ଏହି ସଂକଟରୁ ମୁକୁଳିବା ପାଇଁ ଏପରି କୌଣସି ଏକ ନୂତନ ଉପାୟ ଖୋଜିବାରେ, ଅର୍ଥାତ୍ ସମସ୍ୟାର ସମାଧାନ ପାଇଁ ଏକ ‘ମ୍ୟାଜିକ୍ ବୁଲେଟ୍’ ଖୋଜିବାରେ ଲାଗିଛନ୍ତି। ଏବଂ ଯେଉଁ ଭଳି ପ୍ରଚାର ହେଉଛି, କେହି କେହି ମନେ କରିପାରନ୍ତି ଯେ ଜୁନ୍ ୫ରେ ଅନୁଷ୍ଠିତ ‘ଜି-୭’ଦେଶମାନଙ୍କର ବିତ୍ତମନ୍ତ୍ରୀମାନଙ୍କ ସମ୍ମିଳନୀ ଓ ତା’ ପରେ ପରେ ଜୁନ୍ ୧୧-୧୩ରେ ଅନୁଷ୍ଠିତ ସେଇ ସାତଟି ବିକଶିତ ଦେଶମାନଙ୍କର ରାଷ୍ଟ୍ର ମୁଖ୍ୟମାନଙ୍କ ଶୀର୍ଷ ସମ୍ମିଳନୀରେ ଗୃହୀତ ହୋଇଥିବା ଏକ ପ୍ରସ୍ତାବ ହେଉଛି ସେଇ ସମସ୍ତେ ଉଣ୍ଡାଳି ହେଉଥିବା ‘ମ୍ୟାଜିକ୍ ବୁଲେଟ୍’।
ଅବଶ୍ୟ ଏକ ଦେଶରେ ଦେଖା ଯାଉଥିବା ଘୋର ଅର୍ଥନୈତିକ ବୈଷମ୍ୟର ଅନ୍ତ ଘଟାଇବା ପାଇଁ ସରକାରଙ୍କ ହାତରେ ଖର୍ଚ୍ଚ କରିବା ଲାଗି ଆବଶ୍ୟକ ସମ୍ବଳ କିପରି କେବଳ ଗୋଟିଏ ମାତ୍ର ସୂତ୍ରରୁ ମିଳି ପାରିବ, ସେପରି ଏକ ମ୍ୟାଜିକ୍ ବୁଲେଟ୍‌ର ସନ୍ଧାନ ଉଦ୍ୟମ ଅର୍ଥଶାସ୍ତ୍ରର ଇତିହାସରେ ନୂଆ ନୁହେଁ। ଅନେକ ଏପରି ଉଦାହରଣ ମଧ୍ୟରୁ ଏଠାରେ ଦୁଇଟି ବିଶେଷ ଦୃଷ୍ଟି ଆକର୍ଷଣକାରୀ ଉଦାହରଣ ଉପସ୍ଥାପନ କରାଯାଇପାରେ। ଗୋଟିଏ ହେଉଛି ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଆମେରିକାରେ ଘୋର ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅର୍ଥନୀତିଜ୍ଞ ହେନ୍‌ରି ଜର୍ଜ‌୍ଙ୍କ ଦ୍ବାରା ପ୍ରଦତ୍ତ ଏକ ଚରମ ପ୍ରସ୍ତାବ। ଅର୍ଥଶାସ୍ତ୍ରର ପୂରା ଇତିହାସରେ ହେନ୍‌ରି ଜର୍ଜ‌୍ଙ୍କ ସମତୁଲ୍ୟ ଆଉ କେହି ସେଭଳି ଅଣ ପାରମ୍ପରିକ, ରୋମାଞ୍ଚକର ଚରିତ୍ର ଦେଖା ଯାଇ ନାହାନ୍ତି (ସେ ବାଲ୍ୟ କାଳରୁ ବିଭିନ୍ନ ସମୟରେ ଅବଲମ୍ବନ କରିଥିବା ବୃତ୍ତିମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା- ‘ହିନ୍ଦୁ’ ନାମକ ଏକ ବାଣିଜ୍ୟ ପୋତରେ ନାବିକ, ଏକ ଚାଉଳ କଳରେ ଓଜନକାରୀ, ଏକ ଛାପା କାରଖାନାରେ ଅକ୍ଷର-ଖଞ୍ଜାଳି…)।

୧୮୭୯ରେ ଏହି ଅସ୍ଥିର ଚିତ୍ତ ଅର୍ଥନୀତିଜ୍ଞଙ୍କ ଦ୍ବାରା ରଚିତ ପୁସ୍ତକ ‘ପ୍ରଗ୍ରେସ୍ ଆଣ୍ଡ ପଭର୍ଟି’ (‘ପ୍ରଗତି ଓ ଦାରିଦ୍ର୍ୟ’) ଯେତେବେଳେ ଆତ୍ମପ୍ରକାଶ କଲା, ତାହା ସାରା ଆମେରିକାର ଅର୍ଥନୈତିକ ଓ ରାଜନୈତିକ ପରିସରରେ ଯେଉଁଭଳି ଅସ୍ଥିରତାର ଲହରି ସୃଷ୍ଟି କଲା, ସେଭଳି କ୍ବଚିତ୍ ଦେଖାଯାଇଥାଏ। କାରଣ, ଅମଣିଆ ଜର୍ଜ‌୍ ବସ୍ତୁତଃ ଏକ ଭୟଙ୍କର ବିରୁଡ଼ି ବସାରେ ହାତ ମାରି ଦେଇଥିଲେ। ସେ ସମୟରେ ବ୍ୟାପକ ଓ ଦ୍ରୁତ ଶିଳ୍ପାୟନ ଘଟୁଥିବା ଆମେରିକାରେ ଭୂମି ମୂଲ୍ୟ ରାତାରାତି ଆକାଶଛୁଆଁ ହେବାରେ ଲାଗିଥିଲା, ଯାହା ଉତ୍ତରାଧିକାର ସୂତ୍ରରେ ମାଲିକାନା ହାସଲ କରିଥିବା ଭୂ-ସମ୍ପତ୍ତିର ମାଲିକମାନଙ୍କୁ ଅମାପ ଧନର ଅଧିକାରୀ କରି ଦେଇଥିଲା। ସେମାନଙ୍କର ଏହି ଧନ ଥିଲା ସମ୍ପୂର୍ଣ୍ଣ ରୂପେ ଅଣ-ଅର୍ଜିତ ଶ୍ରେଣୀର, ଯାହାକୁ ଅର୍ଥଶାସ୍ତ୍ରରେ କୁହାଯାଇଥାଏ- ‘ରେଣ୍ଟ୍’। ହେନ୍‌ରି ଜର୍ଜ‌୍ ଯେଉଁ ‘ମ୍ୟାଜିକ୍ ବୁଲେଟ୍’ ବ୍ୟବହାର କରି ସରକାର ତାଙ୍କର ଟିକସ ବନ୍ଧୁକ ଚଳାଇବାକୁ ତାଙ୍କ ପୁସ୍ତକରେ ସରକାରଙ୍କୁ ଆହ୍ବାନ ଦେଇଥିଲେ, ତାହା ଥିଲା ସମାଜରୁ ଏହି ‘ରେଣ୍ଟ୍‌’କୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବା ଭଳି କେବଳ ଗୋଟିଏ ମାତ୍ର ସମ୍ପଦ ଟିକସ। ଏହା କଲେ ସରକାରଙ୍କୁ ଅନ୍ୟ କୌଣସି ଟିକସ ବ୍ୟବହାର କରିବାକୁ ପଡ଼ିବ ନାହିଁ ବୋଲି ଜର୍ଜ‌୍ କହୁଥିଲେ, ଯାହା ‘ଜର୍ଜିଜ୍‌ମ’ ବା ଜର୍ଜ‌୍ବାଦ’ ରୂପେ ଖ୍ୟାତି ଲାଭ କରିଥିଲା।

ଜର୍ଜ‌୍ ଏହି ଏକକ ଟିକସର ସୁଫଳ ସବୁର ବର୍ଣ୍ଣନା ଏହିପରି କରିଥିଲେ: ‘‘ଏହା ମଜୁରିରେ ବୃଦ୍ଧି ଘଟାଇବ, ପୁଞ୍ଜିର ଆୟ ବୃଦ୍ଧି କରିବ, ଦାରିଦ୍ର୍ୟ ନିର୍ମୂଳ କରିବ, ପ୍ରତ୍ୟେକ ନିଯୁକ୍ତିକାମୀଙ୍କୁ ଲାଭଜନକ ନିଯୁକ୍ତି ପ୍ରଦାନ କରିବ, ମାନବୀୟ ଶକ୍ତିକୁ ପ୍ରସ୍ଫୁଟିତ କରିବ, ସରକାରର ଶୁଦ୍ଧୀକରଣ କରିବ ଏବଂ ସଭ୍ୟତାକୁ ଆହୁରି ମହତ୍ତର ଉଚ୍ଚତାକୁ ନେଇଯିବ।’’ ଏହା ଏକ ଯୁଦ୍ଧ ପାଇଁ ଡାକରା ଭଳି ଥିଲା ଏବଂ କୌଣସି ସରକାର ଏଭଳି ଯୁଦ୍ଧ ପାଇଁ ପ୍ରସ୍ତୁତ ନ ଥିଲେ।

ଦ୍ବିତୀୟ ଉଦାହରଣଟି ହେଉଛି ବର୍ତ୍ତମାନ ସମୟର, ଏବଂ ଏହା ମଧ୍ୟ ଏକ ଯୁଦ୍ଧ ଡାକରା, ଯାହା ଆମେ ପ୍ରଥମେ ଶୁଣିବାକୁ ପାଇଲୁ ୨୦୧୩ରେ। ଏଥର ଜର୍ଜ‌୍ଙ୍କ ଭଳି, କିନ୍ତୁ ସାମାନ୍ୟ ପୃଥକ୍ ଯୁଦ୍ଧ ଡାକରା ଯିଏ ଦେଇଥିଲେ, ସେ ହେଉଛନ୍ତି ସୁପର୍‌ଷ୍ଟାର୍ ଫରାସୀ ଅର୍ଥନୀତିଜ୍ଞ ଥମାସ୍ ପିକେଟି, ଯାହାଙ୍କ ନାମ ଶୁଣିଲେ ଏବେ ବି ଅତି-ଧନୀ ବିଲିଅନେଆର୍‌ମାନଙ୍କର ହୃତ୍‌କମ୍ପ ହୁଏ। ୨୦୧୩ରେ ପ୍ରକାଶିତ ତାଙ୍କର ଆଶ୍ଚର୍ଯ୍ୟଜନକ ଭାବେ ଲୋକପ୍ରିୟତା ହାସଲ କରିଥିବା ପ୍ରାୟ ସାତ ଶହ ପୃଷ୍ଠା ସମ୍ବଳିତ ପୁସ୍ତକ, ‘କ୍ୟାପିଟାଲ ଇନ୍ ଦି‌ ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରି’ରେ ପିକେଟି ଦର୍ଶାଇଥିଲେ ଯେ ଦୀର୍ଘ କାଳ ଧରି ପୁଞ୍ଜିପତିମାନେ ସେମାନଙ୍କର ପୁଞ୍ଜିନ‌ିବେଶରୁ ଲାଭ କରୁଥିବା ଆୟର ହାର ଦେଶର ଅର୍ଥନୀତିର ଅଭିବୃଦ୍ଧି ହାର ଠାରୁ ଅଧିକ ହୋଇଆସିଛି, ଯାହା ପୃଥିବୀ ସାରା ପ୍ରାୟ ପ୍ରତ୍ୟେକ ସମାଜରେ ଦେଖାଯାଉଥିବା ଚରମ ଅର୍ଥନୈତିକ ବୈଷମ୍ୟର ମୁଖ୍ୟ କାରଣ। ଏଥିଯୋଗୁଁ ପ୍ରତ୍ୟେକ ଦେଶରେ ଦେଶର ସମ୍ପଦ ଅଳ୍ପ ସଂଖ୍ୟକ ପୁଞ୍ଜିପତିମାନଙ୍କ ହାତରେ କେନ୍ଦ୍ରୀଭୂତ ହେବା ଦେଖା ଯାଉଛି, ଯାହା ଘୋର ସାମାଜିକ ଓ ରାଜନୈତିକ ଅସ୍ଥିରତାକୁ ଜନ୍ମ ଦେଇପାରେ। ଏଥିରୁ ବର୍ତ୍ତିବା ପାଇଁ ପିକେଟି ଯେଉଁ ଉପାୟ ବତାଇଛନ୍ତି, ତାହା ହେନ୍‌ରି ଜର୍ଜ‌୍୍କୁ ଅନୁସରଣ କଲା ପରି- ଏକ କ୍ରମବର୍ଦ୍ଧନଶୀଳ ବିଶ୍ବ ସମ୍ପଦ କର (ପ୍ରୋଗ୍ରେସିଭ୍ ଗ୍ଲୋବାଲ୍ ୱେଲ୍‌ଥ ଟ୍ୟାକ୍‌ସ)।

ଏକ ସଦ୍ୟ ପ୍ରକାଶିତ କ୍ଷୁଦ୍ର ଉଦାହରଣ ସମ୍ପଦର ଏହି କେନ୍ଦ୍ରୀକରଣ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ପ୍ରଦାନ କରିଥାଏ। ଜେଫ୍ ବେଜସ୍, ଏଲନ୍ ମସ୍କ୍‌, ୱାରେନ୍ ବଫେଟ୍ ଆଦିଙ୍କୁ ମିଶାଇ ଆମେରିକାର ୨୫ ଜଣ ସର୍ବାଧିକ ଧନୀମାନଙ୍କର ସମ୍ପଦରେ ୨୦୧୪ରୁ ୨୦୧୮ ମଧ୍ୟରେ ଘଟିଥିବା ମୋଟ ବୃଦ୍ଧିର ପରିମାଣ ଥିଲା ୪୦୦ ବିଲିଅନ୍ ଡଲାର୍‌ରୁ ଅଧିକ, କିନ୍ତୁ ସେମାନେ ଏହି ସମୟ ମଧ୍ୟରେ ଦେଇଥିବା ମୋଟ ଆୟକର ପରିମାଣ ଥିଲା ମାତ୍ର ପ୍ରାୟ ୧୪ ବିଲିଅନ୍ ଡଲାର୍- ବର୍ଦ୍ଧିତ ସମ୍ପଦର କାଣିଚାଏ ମାତ୍ର। ସମ୍ପଦର ଏହି ବିଷମ ବଣ୍ଟନ ପ୍ରକ୍ରିୟାରେ ଯେଉଁମାନେ ସର୍ବାଧିକ ଲାଭବାନ୍ ହୋଇଛନ୍ତି, ସେମାନେ ହେଲେ ଆଜିର ଆମାଜନ୍, ଫେସ୍‌ବୁକ୍, ଗୁଗ୍‌ଲ ଆଦି ଭଳି ବିଶାଳ ଡିଜିଟାଲ୍ ବହୁଦେଶୀୟ କମ୍ପାନିମାନ। ଏମାନେ ଏ ପର୍ଯ୍ୟନ୍ତ ନିଜର ଅସଲ ଆୟ ଅର୍ଜନ କରୁଥିବା ଦେଶରେ ଟିକସ ନ ଦେଇ ସେମାନଙ୍କ ମୁଖ୍ୟ କାର୍ଯ୍ୟାଳୟ ଥିବା ଆୟାର୍‌ଲ୍ୟାଣ୍ଡ୍ ଭଳି ଦେଶରେ ନୀଚା ହାରରେ ଟିକସ ଦେଇ ଆସୁଛନ୍ତି- ଯାହା ହେଉଛି ଏକ ବିଶୁଦ୍ଧ ଟିକସ ଫାଙ୍କି।

ଯଦି ‘ଜି-୭’ର ପ୍ରସ୍ତାବ ଜୁଲାଇରେ ହେବାକୁ ଥିବା ‘ଜି-୨୦’ ସମ୍ମିଳନୀରେ ଅନୁମୋଦିତ ହୁଏ, ତେବେ ଏହି କମ୍ପାନିମାନେ ସର୍ତ୍ତମୂଳକ ଭାବରେ ଭାରତ ଭଳି ଦେଶରେ ସେମାନଙ୍କ ଲାଭର ଏକ ନିର୍ଦ୍ଦିଷ୍ଟ ଅଂଶର ୧୫ ଶତାଂଶ ଟିକସ ଦେବେ, ଯାହାକୁ ‘ଗ୍ଲୋବାଲ୍ ମିନିମମ୍ ଟ୍ୟାକ୍‌ସ’ ଆଖ୍ୟା ଦିଆ ଯାଉଛି। ଭାରତକୁ କିନ୍ତୁ ସେଥିପାଇଁ ସେ ଆଦାୟ କରୁଥିବା ୨ ଶତାଂଶ ହାରରେ ‘ଡିଜିଟାଲ୍ ସର୍ଭିସ୍ ଟ୍ୟାକ୍‌ସ’ ଛାଡ଼ିବାକୁ ପଡ଼ିବ। ଯଦି ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ, ଯେଉଁ ଦେଶମାନେ ଏହି କମ୍ପାନିମାନଙ୍କ ପାଇଁ ଅସଲ ବଜାର ହୋଇଥିବା ସତ୍ତ୍ବେ ସେମାନେ ଅର୍ଜନ କରୁଥିବା ଲାଭରୁ କୌଣସି ଅଂଶ ପାଉନଥିଲେ, ସେ ଦେଶମାନେ ଏଥର କିଛି କିଛି ବାଣ୍ଟ ପାଇବେ। କିନ୍ତୁ ଏହା ସତ୍ତ୍ବେ ପିକେଟିଙ୍କ ଚିନ୍ତାରେ ଅନ୍ତ ଘଟିବ ନାହିଁ, କାରଣ ଏହି ‘ଆୟ’ ଉପରେ ନୂତନ କର ସେଇ କମ୍ପାନିମାନଙ୍କର ଦଖଲରେ ଥିବା ଅସମତୁଲ ‘ସମ୍ପଦ’ ଉପରେ ସାମାନ୍ୟତମ ଆଞ୍ଚ ଆଣିବ ନାହିଁ। ସେଥିପାଇଁ ଲୋଡ଼ା ହେନ୍‌ରି ଜର୍ଜ‌୍ କିମ୍ବା ଥମାସ୍ ପିକେଟି ଆହ୍ବାନ ଦେଇଥିବା ଭଳି- ତୀକ୍ଷ୍‌ଣ ‘ସମ୍ପଦ’ କର। ସେ ଯୁଦ୍ଧର ଡାକରା ଶୁଣି କାର୍ଯ୍ୟ କରିବା ପାଇଁ ଏବେ ବି କାହାର ସାହସ ନାହିଁ!

ସମ୍ବନ୍ଧିତ ଖବର