ବିଗତ ବର୍ଷରେ ଭାରତୀୟ ଅର୍ଥନୀତିର ୭.୩ ଶତାଂଶ ହାରରେ ସଂକୋଚନ ଘଟିଥିବା ଜଣା ପଡ଼ିବା ପରେ ସରକାର ତୁରନ୍ତ ଏକ ବିଶାଳ ରାଜକୋଷୀୟ ପ୍ରୋତ୍ସାହନ ବା ‘ଫିସ୍‌କାଲ୍ ଷ୍ଟିମ୍ୟୁଲସ୍’ ମାଧ୍ୟମରେ ଲୋକଙ୍କ ପକେଟ୍‌ରେ ପଇସା ଭର୍ତ୍ତି କରନ୍ତୁ ବୋଲି ଉଦୟ କୋଟାକ୍‌ଙ୍କ ଭଳି ଛାମୁହାଁ ଉଦ୍ୟୋଗପତିଙ୍କ ଠାରୁ ଆରମ୍ଭ କରି ନୋବେଲ୍ ପୁରସ୍କାରପ୍ରାପ୍ତ ଅଭିଜିତ୍ ବାନାର୍ଜୀଙ୍କ ଭଳି ଛାମୁହାଁ ଅର୍ଥନୀତିଜ୍ଞମାନଙ୍କ ପର୍ଯ୍ୟନ୍ତ ସରକାରଙ୍କୁ ଆହ୍ବାନ ଦେବା ଦେଖା ଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିନ୍ତୁ ଏଯାଏଁ ଏଥି ପ୍ରତି କର୍ଣ୍ଣପାତ କରିନାହାନ୍ତି। ନିକଟରେ ସୀତାରମଣଙ୍କର ଏହି ଉଦାସୀନତାକୁ ସମର୍ଥନ କଲା ଭଳି ଏକ ମନ୍ତବ୍ୟ ଆଉ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ସରକାରୀ ତୁଣ୍ଡରୁ ଶୁଣିବାକୁ ମିଳିଛି, ସେ ହେଉଛନ୍ତି ଏ ସବୁ ବ୍ୟାପାରରେ ସରକାରଙ୍କୁ ଉପଦେଶ ଦେଉଥିବା ମୁଖ୍ୟ ‘ଥିଙ୍କ୍ ଟ୍ୟାଙ୍କ୍’ ରୂପେ ବିବେଚିତ ‘ନିତି ଆୟୋଗ’ର ମୁଖ୍ୟ ରାଜୀବ କୁମାର।

Advertisment

ଏଭଳି ‘ଫିସ୍‌କାଲ୍ ଷ୍ଟିମ୍ୟୁଲସ୍‌’କୁ ‘ହେଲିକପ୍ଟର୍ ପଇସା’ ରୂପେ ବର୍ଣ୍ଣନା କରି (ଅର୍ଥାତ୍ ଏଭଳି ସରକାରୀ ଖର୍ଚ୍ଚ ହେଲିକପ୍ଟର୍‌ରୁ ରିଲିଫ୍ ସାମଗ୍ରୀ ପକାଇବା ଭଳି ପଇସା ପକାଇବା ସହ ସମାନ), ଗଣମାଧ୍ୟମକୁ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ରାଜୀବ କୁମାର ଏହାକୁ ସମ୍ପୂର୍ଣ୍ଣ ରୂପେ ଏକ ନିଷ୍ଫଳା କୌଶଳ ରୂପେ ହେୟଜ୍ଞାନ କରି ଉଡ଼ାଇ ଦେଇଛନ୍ତି। ‘ଫିସ୍‌କାଲ୍ ଷ୍ଟିମ୍ୟୁଲସ୍’ ରୂପେ ଅଭିହିତ ବିଶାଳ ସରକାରୀ ଖର୍ଚ୍ଚର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ହାତରେ କ୍ରୟଶକ୍ତି ଉପଲବ୍‌ଧ କରାଇବା, ଯାହାକୁ ସେମାନେ ମାନ୍ଦା ଅବସ୍ଥାଗ୍ରସ୍ତ ବଜାରରେ ଖର୍ଚ୍ଚ କରି ଚାହିଦାରେ ସ୍ଫୀତି ଘଟାଇବେ। ଚାହିଦାରେ ବୃଦ୍ଧି ଘଟିଲେ ତା’ର ପ୍ରତିକ୍ରିୟାରେ ଯୋଗାଣରେ ବୃଦ୍ଧି ସମ୍ଭବ କରିବା ପାଇଁ ଉତ୍ପାଦନରେ ବୃଦ୍ଧି ଘଟିବ। ଉତ୍ପାଦନରେ ବୃଦ୍ଧି ଘଟିଲେ ନିଯୁକ୍ତିରେ ବୃଦ୍ଧି ଘଟିବ ଏବଂ ସେଥିଯୋଗୁଁ ଆୟରେ ବୃଦ୍ଧି ଘଟିବ, ଯାହା ଆପେ ଚାହିଦା ବୃଦ୍ଧିରେ ରୂପାନ୍ତରିତ ହେବ। ତା’ପରେ ଆଉ ଷ୍ଟିମ୍ୟୁଲସ୍ ଦରକାର ହେବ ନାହିଁ। ଏହି ଲାଭପ୍ରଦ କାର୍ଯ୍ୟ-କାରଣ ଚକ୍ରକୁ ଏକ ‘ପୁଣ୍ୟଚକ୍ର’ ରୂପେ ଅଭିହିତ କରାଯାଇଥାଏ। ରାଜୀବ କୁମାର ପ୍ରଶ୍ନ କରିଛନ୍ତି ଯେ ‘ହେଲିକପ୍ଟର ପଇସା’ ଲୋକଙ୍କ ପକେଟ୍‌ରେ ଭର୍ତ୍ତି କରାଯିବା ପରେ କ’ଣ ଗ୍ୟାରେଣ୍ଟି ଅଛି ଯେ ଲୋକମାନେ ବଜାରକୁ ଯାଇ ତାହା ଖର୍ଚ୍ଚ କରି ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟାଇବେ? ସେ ଆଶଙ୍କା କରିଛନ୍ତି ଯେ ଲୋକମାନେ ଏ ଅର୍ଥକୁ ବ୍ୟବହାର କରି ନିଜର ଖର୍ଚ୍ଚ ବୃଦ୍ଧି କରିବା ପରିବର୍ତ୍ତେ ସଞ୍ଚୟରେ ବୃଦ୍ଧି ଘଟାଇ ଚାଲିବେ।

ଭାରତୀୟ ଦର୍ଶନ ଶାସ୍ତ୍ରରେ ‘ନ୍ୟାୟ ସୂତ୍ର’ର ସଂକଳୟିତା ଗୌତମ ମୁନି (ରାମାୟଣବର୍ଣ୍ଣିତ ଅହଲ୍ୟାଙ୍କ ପତି) ସତ୍ୟର ସନ୍ଧାନ ନିମିତ୍ତ ଯେଉଁ ୧୬ଟି ବିଷୟରେ ପରିଚିତିକୁ ଗୁରୁତ୍ବ ପ୍ରଦାନ କରିଛନ୍ତି, ସେଥି ମଧ୍ୟରୁ ଅନ୍ୟତମ ହେଉଛି- ‘ବିତଣ୍ଡା’। କେତେକ ବୃକ୍ଷର ଫଳକୁ ଶତ୍ରୁମାନଙ୍କ ଠାରୁ ରକ୍ଷା କରିବା ପାଇଁ ପ୍ରକୃତି କଣ୍ଟା ବ୍ୟବହାର କଲା ଭଳି ନିଜର ମତକୁ ପ୍ରତିପକ୍ଷ ଠାରୁ ସୁରକ୍ଷିତ ରଖିବା ପାଇଁ ତାଙ୍କର ଶିଷ୍ୟମାନେ ‘ବିତଣ୍ଡା’ ବ୍ୟବହାର କରିପାରନ୍ତି ବୋଲି ଗୌତମ ସେମାନଙ୍କୁ ଉପଦେଶ ଦେଇଥିଲେ। ପ୍ରତିପକ୍ଷ ସହିତ ଯୁକ୍ତିଯୁକ୍ତ ଆଲୋଚନା କରିବା ପରିବର୍ତ୍ତେ ତା’ ଉପରେ ଏକତରଫା ଅଯୌକ୍ତିକ ଆକ୍ରମଣ ଚଳାଇ ତାକୁ କଣ୍ଟକବିଦ୍ଧ କରିବା ହେଉଛି ବିତଣ୍ଡା କୌଶଳର ମୂଳାଧାର। ତେଣୁ ବିତଣ୍ଡା ଯୁକ୍ତିକୁ ‘ବିତଣ୍ଡା’ ବୋଲି ଚିହ୍ନିଲେ ହିଁ କଣ୍ଟା ଭେଦ କରି ସତ୍ୟ ନିକଟରେ ପହଞ୍ଚି ହେବ। ଏବେ ରାଜୀବ କୁମାରଙ୍କ ଉପରୋକ୍ତ ଯୁକ୍ତି ଉପରେ ଆଉ ଥରେ ନଜର ପକାଯାଉ।

ସେ କହିଛନ୍ତି ‘ହେଲିକପ୍ଟର୍ ପଇସା’କୁ ଲୋକମାନେ ଖର୍ଚ୍ଚ ନ କରି ସଞ୍ଚୟ କରି ପକାଇବେ। ବିଶିଷ୍ଟ ଅର୍ଥନୀତିଜ୍ଞ ରାଜୀବ କୁମାରଙ୍କୁ ଭଲ ରୂପେ ଜଣା ଯେ ବ୍ୟକ୍ତିର ଖର୍ଚ୍ଚ ଆଚରଣ ଓ ସଞ୍ଚୟ ଆଚରଣ ତା’ର ସେ ସମ୍ପର୍କିତ ସୀମାନ୍ତ ପ୍ରବୃତ୍ତି ଉପରେ ନିର୍ଭର କରିଥାଏ। ଅର୍ଥାତ୍, ତା’ହାତରେ ଅତିରିକ୍ତ ଟଙ୍କାଟିଏ ପଡ଼ିଲେ, ସେଥିରୁ କେତେ ଅଂଶ ସେ ଖର୍ଚ୍ଚ କରି ପକାଇବ ଓ କେତେ ଅଂଶ ସାଇତି ହେବ, ତାହା ତା’ର ଏହି ପ୍ରବୃତ୍ତି ଉପରେ ନିର୍ଭର କରିଥାଏ। ଆୟର ଗୋଟିଏ ଅଂଶ ଖର୍ଚ୍ଚ କରିବା ପରେ ଯାହା ବଳକା ରହେ, ତାହାକୁ ହିଁ ସଞ୍ଚୟ କରିହୁଏ। ଆୟର ଏକ ଅଧିକ ଅଂଶ ବା ଉଚ୍ଚ ଅନୁପାତ ଖର୍ଚ୍ଚ କରିଦେବା ପାଇଁ କାହାର ପ୍ରବୃତ୍ତି ଅଧିକ ହେବା ସ୍ବାଭାବିକ- ଧନୀର ନା ଦରିଦ୍ରର? ଯେହେତୁ ଖାଦ୍ୟ, ବସ୍ତ୍ର, ଔଷଧପତ୍ର ଆଦି ମୌଳିକ ଆବଶ୍ୟକତା ପୂରଣକାରୀ ଦ୍ରବ୍ୟ ଓ ସେବା ମାନ ଆବଶ୍ୟକତା ଅନୁସାରେ କ୍ରୟ କରିବା ପାଇଁ ଗରିବଙ୍କ ପାଖରେ ଯଥେଷ୍ଟ ଅର୍ଥ ନ ଥାଏ, ହାତରେ କିଛି ପଇସା ପଡ଼ିବା ମାତ୍ରେ ସେମାନେ ତାହାକୁ ତତ୍‌କ୍ଷଣାତ୍ ଖର୍ଚ୍ଚ କରିବାକୁ ବାହାରି ପଡ଼ନ୍ତି। ତାହା ଉପାର୍ଜିତ ପଇସା ହେଉ କି ‘ହେଲିକପ୍ଟର୍ ପଇସା’ ହେଉ। ଖର୍ଚ୍ଚ ପରେ କିଛି ପଇସା ବଳିପଡ଼ିଲେ ସିନା ଯାଇ ସେମାନେ ସଞ୍ଚୟ କରିବେ! ଉଦ୍‌ବୃତ୍ତ ଆୟ ନ ଥିଲେ ସେମାନେ ସଞ୍ଚୟ କରିବେ କିପରି?

କୋଭିଡ୍ ଦ୍ବାରା ନିଯୁକ୍ତି ଓ ଆୟ ହରାଇଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଖରେ ଯଦି କିଛି ଷ୍ଟିମ୍ୟୁଲସ୍ ପଇସା ପହଞ୍ଚେ, ସେଥିରୁ ଖର୍ଚ୍ଚ ବାଦ୍ ସଞ୍ଚୟ ପାଇଁ ଉଦ୍‌ବୃତ୍ତ ହେବା ସମ୍ଭାବନା ପ୍ରାୟ ଶୂନ୍ୟ କହିଲେ ଚଳେ। ଅର୍ଥଶାସ୍ତ୍ରର ଭାଷାରେ ଏହି ବର୍ଗର ଲୋକମାନଙ୍କର ଏହି ସମୟରେ ସଞ୍ଚୟ କରିବାର ସୀମାନ୍ତ ପ୍ରବୃତ୍ତି (‘ମାର୍ଜିନାଲ୍ ପ୍ରପେନ୍‌ସିଟି ଟୁ ସେଭ୍’) ପ୍ରାୟ ଶୂନ୍ୟ କହିଲେ ଚଳେ ଏବଂ ଏହା ରାଜୀବ କୁମାରଙ୍କୁ ଭଲ ଭାବରେ ଜଣା। ତା’ ସତ୍ତ୍ବେ ‘ଷ୍ଟିମ୍ୟୁଲସ୍’କୁ ବିରୋଧ କରିବା ପାଇଁ ସେ ଗରିବଙ୍କର ସଞ୍ଚୟ ପ୍ରବୃତ୍ତି ଦୃଢ଼ ବୋଲି ଦାବି କରିବା ହେଉଛି ଗୌତମ ମୁନି ନିର୍ଦ୍ଦେଶିତ ବିତଣ୍ଡା କଣ୍ଟା ବ୍ୟବହାରର ଏକ ନିଚ୍ଛକ ନମୁନା।

ଗତ ମାସରେ ବାଙ୍ଗଲୋର୍‌ସ୍ଥିତ ଅଜିମ୍ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣା ପଡ଼ିଥିଲା ଯେ ଚୀନା କରୋନା ଯୋଗୁଁ ଗତ ବର୍ଷ ଅନ୍ୟୂନ ଦେଶର ୨୩ କୋଟି ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଇଛନ୍ତି। ଏମାନେ ଏଥିପୂର୍ବରୁ ଦାରିଦ୍ର୍ୟ ସୀମାରେଖା ଉପରେ ଥିଲେ, ଯେତେବେଳେ ହୁଏ’ତ ରାଜୀବ କୁମାରଙ୍କ ଯୁକ୍ତି ସେମାନଙ୍କ ପ୍ରତି କିଛି ମାତ୍ରାରେ ଲାଗୁ ହୋଇଥା’ନ୍ତା। କିନ୍ତୁ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯିବା ପରେ ସେମାନଙ୍କର ଖର୍ଚ୍ଚ କରିବାର ସୀମାନ୍ତ ପ୍ରବୃତ୍ତି ଶତ ପ୍ରତିଶତ ଏବଂ ସଞ୍ଚୟ କରିବାର ସୀମାନ୍ତ ପ୍ରବୃତ୍ତି ଶୂନ୍ୟ ପ୍ରତିଶତ ହୋଇ ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମାନଙ୍କ ହାତରେ ‘ହେଲିକପ୍ଟର୍ ପଇସା’ ପଡ଼ିଲେ ସେମାନେ ଯେ ରାଜୀବ କୁମାରଙ୍କୁ ମିଥ୍ୟା ସାବ୍ୟସ୍ତ କରି ସେ ସବୁ ପଇସା ଖର୍ଚ୍ଚ କରି ପକାଇବେ, ଏଥିରେ କୌଣସି ସନ୍ଦେହ ନାହିଁ। ଏମାନଙ୍କ ବ୍ୟତୀତ ପୂର୍ବରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏପରି ଅନେକ ଅଛନ୍ତି, ଯେଉଁମାନେ କରୋନା ଆଘାତରେ ଆହୁରି ତଳକୁ ଚାଲି ଯାଇଛନ୍ତି। ସେମାନଙ୍କ ଠାରେ ମଧ୍ୟ ଅଦମ୍ୟ ସଞ୍ଚୟ ପ୍ରବୃତ୍ତି ଭରି ହୋଇ ରହିଛି ବୋଲି ରାଜୀବ କୁମାର କହିବେ କି?

ବରଂ କେତେକ ଅର୍ଥନୀତିଜ୍ଞ ସୁପାରିସ କରୁଥିବା ଭଳି ‘ମନରେଗା’ ଭଳି ‘ହେଲିକପ୍ଟର୍ ପଇସା’-କ୍ଷେପଣ-କାରୀ ଯୋଜନାକୁ ସମ୍ପ୍ରସାରିତ ଓ ଗଭୀରତର କରିବା ପାଇଁ ରାଜୀବ କୁମାର ଯଦି ସରକାରଙ୍କୁ ଉପଦେଶ ଦିଅନ୍ତେ, ତେବେ ସେ ଏ ଦୁଃସମୟରେ ଅର୍ଥନୀତିର ଉଦ୍ଧାର ପାଇଁ ପ୍ରକୃତ ଉପଦେଷ୍ଟାର କାର୍ଯ୍ୟ କରନ୍ତେ।