ସହଯୋଗର ହାତ

ପିଠା ବା ସାଣ୍ତଉଇଚ ମଧ୍ୟରେ ଅଦୃଶ୍ୟ ଭାବେ ରହି ଯାହା ତାହାର ସ୍ବାଦ ବର୍ଦ୍ଧନ କରିବା ସହିତ ତାକୁ ନିର୍ଦ୍ଦିଷ୍ଟ ଚରିତ୍ର ପ୍ରଦାନ କରିଥାଏ, ସେହି ‘ପୁର’ର ଯଦି ଏକ ରୂପକଳ୍ପ ଆମ ସମାଜ ମଧୢରେ ଖୋଜିବା, ତେବେ ତାହା ଯେ ମଧୢବିତ୍ତ ବର୍ଗ ରୂପେ ଆବିଷ୍କୃତ ହେବ, ତହିଁରେ ଅତ୍ୟୁକ୍ତି ନାହିଁ। କାରଣ ଏହି ବର୍ଗ ରାଷ୍ଟ୍ରର ରାଜନୀତି, ଅର୍ଥନୀତି ଓ ସମାଜ ନୀତିକୁ ସର୍ବାଧିକ ପ୍ରଭାବିତ କରୁଥିବା ସତ୍ତ୍ବେ ଏହାକୁ ନେଇ ଯେତିକି ବିଚାର ଆଲୋଚନା କରାଯିବା କଥା, ତାହା ହେଉ ନ ଥିବାରୁ ଏବ˚ ମୁକ୍ତ-ବାଣିଜ୍ୟ ଓ ସମାଜ-ମଙ୍ଗଳ ଭଳି ଦୁଇଟି ସ୍ତମ୍ଭ ଉପରେ ଛିଡ଼ା ହୋଇଥିବା ଭାରତ ଭଳି ରାଷ୍ଟ୍ରରେ ପ୍ରଚଳିତ ବ୍ୟାଖ୍ୟାନମାନଙ୍କରେ ‘ଧନୀକ’ ଏବ˚ ‘ଦରିଦ୍ର’ ସବୁଠାରୁ ଅଧିକ ଗୁରୁତ୍ବ ଲାଭ କରୁଥିବାରୁ ମଧୢବିତ୍ତ ବର୍ଗକୁ ଏକ ଅଦୃଶ୍ୟ ବା ସ୍ପଳ୍ପ ଦୃଶ୍ୟ ବର୍ଗ ବୋଲି ଅଭିହିତ କଲେ ଭୁଲ୍‌ ହେବ ନାହିଁ। ତେଣୁ ସମ୍ଭବତଃ କରୋନା ପାନ୍‌ଡେମିକ୍‌ର ଭୟାବହତା ଦ୍ବାରା ଏହି ବର୍ଗ ସର୍ବାଧିକ କ୍ଷତି, ହତାଶା ଓ ଅସହାୟତାର ଶିକାର ହୋଇଥିବା ବେଳେ ଆର୍ଥିକ ସହାୟତା ବା ‘ଷ୍ଟିମ୍ୟୁଲସ୍‌’ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବା କୌଣସି ରିହାତି ପ୍ରଦାନ ଭଳି ବ୍ୟବସ୍ଥାରେ ସେମାନଙ୍କୁ ସ୍ଥାନ ମିଳିନାହିଁ। କହିବା ଅନାବଶ୍ୟକ ଯେ ସମସ୍ତ ଯୋଜନା ପ୍ରାୟତଃ ଦରିଦ୍ର ବର୍ଗଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି। ସେହିଭଳି ଏହି ପାନ୍‌ଡେମିକ୍‌ କାଳରେ ଅତି ଧନୀକ ଭାରତୀୟଙ୍କ ସ˚ଖ୍ୟା ଓ ସଂପଦରେ ଘଟିଥିବା ଅଭୂତପୂର୍ବ ବୃଦ୍ଧି ଗଣମାଧୢମ ତଥା ଅନ୍ୟାନ୍ୟ ମଞ୍ଚରେ ଖୁବ୍‌ ଚର୍ଚ୍ଚିତ ହେଉଛି। ଅଥଚ, ଏହି ଦୁର୍ଦିନରେ ମଧୢବିତ୍ତମାନେ କ’ଣ କରୁଛନ୍ତି, ସେ ନେଇ ମୁଖ୍ୟତଃ ଏକ ନିରବତା ଦୃଶ୍ୟମାନ ହେଉଛି। ଏହି ପରିପ୍ରେକ୍ଷୀରେ ସଂପ୍ରତି ମଧ୍ୟବିତ୍ତମାନଙ୍କ ସ୍ଥିତି ସମ୍ବନ୍ଧରେ ଏକ ସ˚କ୍ଷିପ୍ତ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଗଲା ମାର୍ଚ୍ଚ ୩ ତାରିଖରେ ‘ପିଉ’ ରିସର୍ଚ୍ଚ ସେଣ୍ଟର ଦ୍ବାରା ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ ଦେଢ଼ ବର୍ଷ ବ୍ୟାପୀ ଏହି ପାନ୍‌ଡେମିକ୍‌ ସମୟ ଖଣ୍ତ ମଧୢରେ ଭାରତରେ ମଧୢବିତ୍ତ ବର୍ଗର ପ୍ରାୟ ୩୨ ନିୟୁତ ଲୋକ ଉତ୍କଟ ଦାରିଦ୍ର୍ୟ ମଧୢକୁ ଠେଲି ହୋଇ ଯାଇଛନ୍ତି। ଚାକିରି ବା ବ୍ୟବସାୟ ହରାଇବା ଜନିତ ଉପାର୍ଜନ ହାନି ସହିତ କରୋନା ସ˚କ୍ରମିତ ହେବା ଉତ୍ତାରୁ ଚିକିତ୍ସା ବ୍ୟୟ (ସ୍ବାସ୍ଥ୍ୟ ବୀମା ଅଭାବରେ) ଭାରତର ଅସ˚ଖ୍ୟ ମଧୢବିତ୍ତୀୟ ପରିବାରକୁୁ ନିଃସ୍ବ ଓ ସମ୍ବଳଶୂନ୍ୟ କରି ପକାଇଛି। ‘ପିଉ’ ରିସର୍ଚ୍ଚ ତଥ୍ୟରୁ ଜଣାପଡ଼ିଥାଏ ଯେ ଦୈନିକ ୧୦ ଡଲାର୍‌ରୁ ୫୦ ଡଲାର୍‌ ପର୍ଯ୍ୟନ୍ତ ରୋଜଗାର କରୁଥିବା ଭାରତୀୟ ମଧୢବିତ୍ତୀୟ ଜନସ˚ଖ୍ୟା ଇତିମଧୢରେ ୯୯ ନିୟୁତରୁ ହ୍ରାସ ପାଇ ୬୬ ନିୟୁତରେ ପହଞ୍ଚିଛି। କହିବା ବାହୁଲ୍ୟ ଯେ ଏହି ଆୟକାରୀ ବର୍ଗ ହିଁ ସର୍ବଦା ବଜାରରେ ଚଳଚଞ୍ଚଳ ରହି କାରବାରକୁ ଚମକ ପ୍ରଦାନ କରିଥାଆନ୍ତି ଏବ˚ ମୋଟର ଗାଡ଼ି ଉଦ୍ୟୋଗ ଠାରୁ ପ୍ରାରମ୍ଭ କରି ରିଏଲ୍‌ ଇଷ୍ଟେଟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସମ୍ଭବ ହୋଇଥିବା ଅତ୍ୟନ୍ତ ଦ୍ରୁତ ଅଭିବୃଦ୍ଧିର କାରଣ ହେଉଛି ଏହି ବର୍ଗ ଦ୍ବାରା ସେମାନଙ୍କ ସ୍ବପ୍ନ ଚରିତାର୍ଥ କରିବାର ଅଭିଳାଷ। ସୁତରା˚, ଏବେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ନିୟମିତ ‘ଇ.ଏମ୍‌.ଆଇ.’ ପ୍ରଦାନ କରିବାରେ ଅସମର୍ଥ ହୋଇ ସେମାନେ ନିଜ ଗାଡ଼ି ଏବ˚ ଗୃହକୁ ବିକ୍ରି କରିବା ବା ଭଲ ଘରୋଇ ସ୍କୁଲ୍‌ରୁ ନିଜ ସନ୍ତାନମାନଙ୍କୁ ଅପସାରଣ କରି ନିକୃଷ୍ଟ ବିଦ୍ୟାଳୟରେ ନାମ ଲେଖାଇବା ବା ସହରରେ ଘର ଭଡ଼ା ଦେଇ ନ ପାରି ଏବ˚ ଚଳି ନ ପାରି ଗ୍ରାମାଞ୍ଚଳର ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରିବା ଅଥବା କୌଣସି ମତେ ପରିବାର ପ୍ରତିପୋଷଣ ଲାଗି ଶିକ୍ଷା, ଦକ୍ଷତା ଏବ˚ ଯୋଗ୍ୟତା ସହିତ ଖାପ ଖାଉ ନ ଥିବା ଭଳି ବୃତ୍ତି ଅନୁସରଣ କରିବାକୁ ବାଧୢ ହେବା। ଏହି ସ˚ଦର୍ଭରେ ‘ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାାଙ୍କ୍‌’ର ଏକ ରିପୋର୍ଟ କହିଥାଏ ଯେ ଭାରତ ସମେତ ୭୦ ସରିକି ବିକାଶଶୀଳ ଦେଶର ଉଚ୍ଚ ଶିକ୍ଷିତ ଯୁବକଯୁବତୀ ‘ଗିକ୍‌ ଇକୋନୋମି’ରେ ଦୃଶ୍ୟମାନ, ଯେଉଁଠି ସେମାନେ ପିଜା (ଅନ୍ୟାନ୍ୟ ଜିନିଷ) ଡେଲିଭରି କରିବା ଭଳି ଅସୁରକ୍ଷିତ ବୃତ୍ତି ଗ୍ରହଣ କରିବାକୁ ବାଧୢ ହୋଇଛନ୍ତି। କିନ୍ତୁ, ବିଡ଼ମ୍ବନାଟି ହେଲା ରାଷ୍ଟ୍ରର ଅର୍ଥନୀତିକୁ ଚମକ ପ୍ରଦାନ କରି ଆସୁଥିବା ଏହି ବର୍ଗର ଦୁରବସ୍ଥା ପ୍ରତି ସରକାର ସ˚ପୂର୍ଣ୍ଣ ଉଦାସୀନ ରହିଛନ୍ତି।

ଅର୍ଥନୀତିର ଗବେଷକଙ୍କ ମତରେ ଯଦିଓ ୨ ଡଲାର୍‌ରୁ ଆରମ୍ଭ କରି ୫୦ ଡଲାର୍‌ ପର୍ଯ୍ୟନ୍ତ ଦୈନିକ ଆୟକାରୀ ବର୍ଗକୁ ସେମାନଙ୍କ ରୋଜଗାର ଅନୁସାରେ ନିମ୍ନ ମଧୢବିତ୍ତ, ମଧୢବିତ୍ତ ଓ ଉଚ୍ଚ ମଧୢବିତ୍ତ ଭାବେ ଚିହ୍ନିତ କରାଯାଇଥାଏ ଏବ˚ ହାରାହାରି ଆୟର ୭୫%ରୁ ୧୨୫% ପର୍ଯ୍ୟନ୍ତ ଖର୍ଚ୍ଚ କରିଦେବା ସେମାନଙ୍କର ଏକ ଗୁଣ ଭାବେ ଅଭିହିତ ହୋଇଥାଏ; ତଥାପି, ଆୟ-ବ୍ୟୟ ହିସାବକୁ ଅତିକ୍ରମ କରି ଆଉ ଯେଉଁ ନିର୍ଦ୍ଦିଷ୍ଟ ଚରିତ୍ର ସେହି ବର୍ଗକୁ ଏକ ପରିଚୟ ପ୍ରଦାନ କରେ, ତାହା ହେଲା ଉଚ୍ଚାଭିଳାଷ। କହିବା ନିଷ୍ପ୍ରୟୋଜନ ଯେ ଏହି ଉଚ୍ଚାଭିଳାଷ ସେମାନଙ୍କୁ ସର୍ବଦା ଗତିମାନ କରି ରଖିଥାଏ, ଯେଉଁ କାରଣରୁ ସମାଜ ଓ ରାଷ୍ଟ୍ର ଚଳଚଞ୍ଚଳ ରହନ୍ତି ଏବ˚ ଉଚ୍ଚାଭିଳାଷ ପୂରଣ କରିବାରେ ଏମାନଙ୍କ ସାମୂହିକ ପ୍ରୟାସ ରାଷ୍ଟ୍ରର ଅନେକ ଉପଲବ୍‌ଧିରେ ପ୍ରତିଫଳିତ ହୋଇଥାଏ। ସୁତରା˚, ଭାରତର ସର୍ବାଧିକ ଧନୀ ବା ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ସଫଳ ବ୍ୟକ୍ତିିମାନେ ଏହି ବର୍ଗରୁ ଆସିଥିବାରେ ବିସ୍ମିତ ହେବାର କାରଣ ନାହିଁ। ତେବେ, ଏହି ପାନ୍‌ଡେମିକ୍‌ ବେଳେ ଏହି ବର୍ଗ ଯେଉଁ ମର୍ମନ୍ତୁଦ ସତ୍ୟଟିକୁ ଆବିଷ୍କାର କରିଛି ତାହା ହେଲା ଏକ ଅନିଶ୍ଚିତ ଭବିଷ୍ୟତ୍‌ର ଗର୍ତ୍ତ ଭିତରକୁ ସେମାନେ ଖସି ପଡୁଥିବା ବେଳେ ସେମାନଙ୍କୁ ଧରି ରଖିବା ଲାଗି ସରକାର ବା ବ୍ୟବସ୍ଥା ଦ୍ବାରା କୌଣସି ‘ସୁରକ୍ଷା ଜାଲ’ ବା ‘ସେଫ୍‌ଟି ନେଟ୍‌’ ଅନୁପସ୍ଥିତ। ପି.ଡି.ଏସ୍‌.ର ସୁବିଧା ବା ଅନ୍ୟ କିଛି ରିହାତି ବ୍ୟବସ୍ଥାର ଅଭାବରୁ ସ˚ପ୍ରତି ଭାରତୀୟ ମଧୢବିତ୍ତ ବର୍ଗ ତା’ର ଜୀବନ ସାରା ସ˚ଚିତ ଅର୍ଥ ଅଥବା ଅର୍ଜନ କରିଥିବା ସ˚ପତ୍ତିକୁ କ୍ଷୟ କରିବାରେ ଲାଗିଛି। ଏଭଳି ସ୍ଥିତିରେ ମଧୢବିତ୍ତ ବର୍ଗ ଲାଗି ବିଧିବଦ୍ଧ ଯୋଜନା ତତ୍‌କ୍ଷଣାତ୍‌ କାର୍ଯ୍ୟକାରୀ କରାଯିବାର ଯେ ନିତାନ୍ତ ଆବଶ୍ୟକତା ରହିଛି, ତାହା ଅନୁଭବ କରିହୁଏ।
ସେହି କ୍ରମରେ ଯାହା ସର୍ବାଧିକ ଜରୁରୀ, ତାହା ହେଲା ମଧୢବିତ୍ତ ବର୍ଗଙ୍କ ସହାୟତା ଲାଗି ଏକ ପାଣ୍ଠିର ସୃଷ୍ଟି, ଯାହା ସେମାନଙ୍କୁ ନୂତନ ଜୀବିକା ଆରମ୍ଭ କରିବା ଲାଗି ପୁ˚ଜି ଉପଲବ୍‌ଧ କରିବ। ଦ୍ବିତୀୟଟି ହେଲା କିଛି ସମୟ ପର୍ଯ୍ୟନ୍ତ ‘ଇ.ଏମ୍‌.ଆଇ.’ ପ୍ରଦାନ କରିବାରୁ ସେମାନଙ୍କୁ ନିଷ୍କୃତି ପ୍ରଦାନ। ଅସ˚ଖ୍ୟ ମଧ୍ୟବିତ୍ତ ପରିବାର ସେମାନଙ୍କ ମୁଖ୍ୟ ଭରଣପୋଷଣକାରୀମାନଙ୍କୁ କରୋନା କାରଣରୁ ହରାଇଛନ୍ତି। ସେଭଳି ପରିବାର ଏବ˚ ଉଭୟ ପିତା ଓ ମାତାଙ୍କୁ ହରାଇଥିବା ଅନାଥ ସନ୍ତାନମାନଙ୍କ ଲାଗି ବ୍ୟବସ୍ଥିତ ଢଙ୍ଗରେ କୌଣସି ପଦକ୍ଷେପ ନେବା ସରକାରଙ୍କ ତୃତୀୟ ଅଗ୍ରାଧିକାର ହେବା ଉଚିତ। କହିବା ବାହୁଲ୍ୟ ଯେ ମଧୢବିତ୍ତ ବର୍ଗର ଦୁର୍ଦଶା ନେଇ ନିରବତା ଭଙ୍ଗ ହେବାର ସମୟ ଆସି ସାରିଛି।

ଏ ନେଇ ସମସ୍ତେ ଅବଗତ ଯେ ଭାରତରେ ଏକ ବିଶାଳ ଓ ସକ୍ରିୟ ମଧୢବିତ୍ତ ବର୍ଗ ରହିଥିବାରୁ ଏହା ସମଗ୍ର ପୃଥିବୀ ଲାଗି ଏକ ଆକର୍ଷଣୀୟ ଏବ˚ ଈର୍ଷଣୀୟ ବଜାର ସୃଷ୍ଟି କରି ପାରିଛି। ଏହି ବର୍ଗ ମଧୢ ରାଷ୍ଟ୍ରର ଅନେକ ଉପଲବ୍‌ଧିର ରୂପକାର। ସବୁଠାରୁ ବଡ଼ କଥା ହେଲା, ଏହି ବର୍ଗ କେବଳ ଆପଣା ପରିଶ୍ରମ ଉପରେ ବିଶ୍ବାସ ସ୍ଥାପନ କରି ବିନା କୌଣସି ସୁରକ୍ଷା ରଜ୍ଜୁରେ ଶିଖର ଆରୋହଣର କଷ୍ଟସାଧୢ ଉଦ୍ୟମ କରିଆସିଛି। ତେବେ କରୋନା ପାନ୍‌ଡେମିକ୍‌ ଭାରତୀୟ ମଧୢବିତ୍ତ ବର୍ଗର ଅସୁମାରି ସ୍ବପ୍ନ ଚୂର୍ଣ୍ଣ କରି ଦେଇଥିବା ବେଳେ ସେମାନେ ପୁଣି ସଳଖି ଛିଡ଼ା ହେବା ଲାଗି ଯାହା ଲୋଡ଼ନ୍ତି, ତାହା ହେଲା ସରକାରଙ୍କ ପକ୍ଷରୁ ସହଯୋଗର ହାତ। ରାଷ୍ଟ୍ର ଗଠନରେ ମଧୢବିତ୍ତ ବର୍ଗଙ୍କ ଅବଦାନର ପ୍ରତିବଦଳରେ ସରକାର ସହଯୋଗର ହାତ ବଢ଼ାଇବା ଉଚିତ।

ସମ୍ବନ୍ଧିତ ଖବର