ଆମ୍‌ ଆଦ୍‌ମୀ!

୨୦୧୨ ମସିହାରେ ରବର୍ଟ ଭଦ୍ରା ‘ଫେସ୍‌ବୁକ୍‌’ରେ ପ୍ରଦାନ କରିଥିବା ଏକ ମନ୍ତବ୍ୟ ବିଶେଷ ଚର୍ଚ୍ଚାର ବିଷୟ ହୋଇଥିଲା, ଯହିଁରେ ସେ କହିଥିଲେ: ‘ମ୍ୟାଙ୍ଗୋ ପିପୁଲ ଇନ ଏ ବାନାନା ରିପବ୍ଲିକ୍‌’। ‘ବାନାନା ରିପବ୍ଲିକ୍‌’ ହେଉଛି ମୂଳତଃ ଏକ ଇ˚ରେଜୀ ଅଭିବ୍ୟକ୍ତି ଯାହାର ଅର୍ଥ ହେଲା ‘ଅରାଜକ ବା ଅସ୍ଥିର ସାଧାରଣତନ୍ତ୍ର।’ କିନ୍ତୁ ‘ମ୍ୟାଙ୍ଗୋ ପିପୁଲ’ ଭଳି ଏକ ଅଭିବ୍ୟକ୍ତି ଇ˚ରେଜୀ ଅଭିଧାନରେ ଉପଲବ୍‌ଧ ହୋଇ ନ ଥାଏ। ତେବେ ଏହା ଦ୍ବାରା ରବର୍ଟ ଭଦ୍ରା ଯାହା କହିବାକୁ ଚାହିଁଥିଲେ ତାହା ହେଉଛି ‘ସାଧାରଣ ଜନତା’ ବା ‘ଆମ୍‌ ଆଦ୍‌ମୀ’। ହିନ୍ଦୀ ଭାଷାରେ ‘ଆମ୍‌’ ଶବ୍ଦଟିର ଦୁଇଟି ଅର୍ଥ ରହିଛି; ଯେମିତି କି ‘ସାଧାରଣ’ ଏବ˚ ‘ଆମ୍ବ’। ସୁତରାଂ, ରବର୍ଟ ଭଦ୍ରା ଏକ ପରିହାସସୁଲଭ ଢଙ୍ଗରେ ‘ଆମ୍‌ ଆଦ୍‌ମୀ’କୁ ‘ଆମ୍ବ ଜନତା’ ବା ‘ମ୍ୟାଙ୍ଗୋ ପିପୁଲ’ ଭାବେ ଭାଷାନ୍ତର କରିଥିଲେ। ଏଠାରେ ସ୍ମରଣଯୋଗ୍ୟ ଯେ ସେହି ସମୟରେ ‘ଇଣ୍ତିଆ ଏଗେନ୍‌ଷ୍ଟ କରପ୍‌ସନ୍‌’ ନାମକ ସ˚ଗଠନର ଦୁଇ ଜଣ କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ଭୂଷଣ ଏବ˚ ଅରବିନ୍ଦ କେଜ୍ରିଵାଲଙ୍କ ପକ୍ଷରୁ ରବର୍ଟ ଭଦ୍ରାଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା ଯେ ସେ ଦୁର୍ନୀତିପୂର୍ଣ୍ଣ ଉପାୟରେ କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି ଅକ୍ତିଆର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭଦ୍ରା ଅଭିଯୋଗକାରୀ ଦ୍ବୟଙ୍କୁ କଟାକ୍ଷ କରି କହିବାକୁ ଚାହିଁଥିଲେ ଯେ ସେମାନଙ୍କ ଭଳି ସମାଜ-କର୍ମୀମାନେ ନିଜକୁ ‘ଆମ୍‌ ଆଦ୍‌ମୀ’ ବୋଲି ପରିଚୟ ପ୍ରଦାନ କରୁଥିବା ଏକ ଛଳନା ମାତ୍ର; ସେମାନେ ପ୍ରକୃତରେ ‘ମ୍ୟାଙ୍ଗୋ ପିପୁଲ୍‌’ (ଇ˚ରେଜୀ ପଢୁଆ ଓ କୃତ୍ରିମ)। କହିବା ଅନାବଶ୍ୟକ ଯେ ଇତିମଧୢରେ ଇତିହାସର ଅନେକ ପୃଷ୍ଠା ଓଲଟି ଯାଇଛି ଏବ˚ ଅରବିନ୍ଦ କେଜ୍ରିଵାଲ ‘ଆମ୍‌ ଆଦ୍‌ମୀ ପାର୍ଟି’ ନାମରେ ଏକ ରାଜନୈତିକ ଦଳ ଗଢ଼ି ଦିଲ୍ଲୀ ନିର୍ବାଚନରେ ଚମକପ୍ରଦ ସଫଳତା ହାସଲ କରି ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହେବା ସହିତ ଆଉ ପୂର୍ବ ଭଳି ‘ଆମ୍‌ ଆଦ୍‌ମୀ’ ହୋଇ ରହି ନାହାନ୍ତି। ତେବେ, ଏଠାରେ ଯେଉଁ ସ˚ଦର୍ଭରେ ଜନୈକ ‘ଆମ୍‌ ଆଦ୍‌ମୀ’ଙ୍କ ବିଷୟରେ ଆଲୋଚନା ଲାଗି ଅବକାଶ ସୃଷ୍ଟି ହୋଇଛି, ସେ କୌଣସି ସମାଜ- କର୍ମୀ ବା ରାଜନେତା ନୁହନ୍ତି; ସେ ଜଣେ ଅତ୍ୟନ୍ତ ସାଧାରଣ ବ୍ୟକ୍ତି ଅର୍ଥାତ୍‌ ବାସ୍ତବରେ ଜଣେ ‘ଆମ୍‌ ଆଦ୍‌ମୀ’, କିନ୍ତୁ ଯାହାଙ୍କ ସ˚ପର୍କ ‘ଆମ୍ବ’ ସହିତ ରହିଛି। ପୁନଶ୍ଚ ବର୍ତ୍ତମାନ ଆମ୍ବ ଅମଳର ଋତୁ ହୋଇଥିବା ବେଳେ କରୋନା ପାନ୍‌ଡେମିକ୍‌ଜନିତ ଲକ୍‌ଡାଉନ୍‌ ଦ୍ବାରା ଏହା କିଭଳି ଭାବେ କ୍ଷତିଗ୍ରସ୍ତ ହୋଇଛି, ତାହା ଉପରେ ମଧୢ ଏଠାରେ କିଞ୍ଚିତ ଆଲୋକପାତ କରାଯାଇପାରେ।

ପାଠକପାଠିକାମାନଙ୍କ ଅବଗତି ନିମନ୍ତେ ଉଲ୍ଲେଖ କରାଯିବା ଆବଶ୍ୟକ ଯେ ଆମ୍ବ (ଭାରତର ଜାତୀୟ ଫଳ) ଉତ୍ପାଦନରେ ଭାରତ ହେଉଛି ପୃଥିବୀରେ ପ୍ରଥମ ଏବ˚ ବିଶ୍ବର ଆମ୍ବ ବଜାରର ଅଧିକା˚ଶ ଭାଗ ଭାରତର ଅକ୍ତିଆରରେ। କେବଳ ସେତିକି ନୁହେଁ, ବିନା କୌଣସି ମତାନୈକ୍ୟରେ ଭାରତର କଙ୍କୋଣ ଅଞ୍ଚଳରେ ଉତ୍ପାଦିତ ହେଉଥିବା ‘ଅଲଫନ୍‌ସୋ’ ଆମ୍ବ ହେଉଛି ପୃଥିବୀର ସର୍ବଶ୍ରେଷ୍ଠ ଏବ˚ ସର୍ବାଧିକ ଆଦୃତ ଆମ୍ବ। ତେବେ, ଚଳିତ ବର୍ଷ ଭାରତରେ ବ˚ପର୍‌ ଆମ୍ବ ଅମଳ ହୋଇଥିବା ବେଳେ କରୋନା ପାନ୍‌ଡେମିକ୍‌ କାଳୀନ ‘ଲକ୍‌ଡାଉନ୍‌’ ହେତୁ ସେ ସବୁର ବିକ୍ରୟ ସୁଯୋଗ ଅବରୁଦ୍ଧ ହୋଇ ଚାଷୀମାନଙ୍କ ଲାଗି ବିରାଟ ସମସ୍ୟା ସୃଷ୍ଟି କରିଛି। ଏ ପରିପ୍ରେକ୍ଷୀରେ ‘ଡାଉନ୍‌ ଟୁ ଆର୍ଥ‌୍‌’ ପତ୍ରିକାରେ ପ୍ରକାଶିତ ଏକ ଆଲେଖ୍ୟ କହିଥାଏ ଯେ ଆମ୍ବର ଏକ ପ୍ରମୁଖ ଉତ୍ପାଦନ ସ୍ଥଳ ପଶ୍ଚିମବଙ୍ଗର ମାଲଦା ଅଞ୍ଚଳରେ ଗଲା ବର୍ଷ ତୁଳନାରେ ଚଳିତ ବର୍ଷ ୩୦% ଅଧିକ ଆମ୍ବ ଅମଳ ହୋଇଛି। କିନ୍ତୁ ବିକ୍ରୟ ସୁଯୋଗ ଅଭାବରୁ ସେଠାକାର ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧୢ ହେଲେଣି। ଉଲ୍ଲେଖଯୋଗ୍ୟ ଯେ ଭାରତରେ ୨୩୧୨ ହଜାର ହେକ୍ଟର ଜମିରେ ଆମ୍ବ ଚାଷ କରାଯାଇଥାଏ, ଯହିଁରୁ ହାରାହାରି ୧୫.୦୩ ନିୟୁତ ଟନ୍‌ ଆମ୍ବ ଉତ୍ପାଦିତ ହୋଇଥାଏ। ଏଥିରୁ ପ୍ରାୟ ୪୦ ପ୍ରତିଶତ ବିଦେଶକୁ ରପ୍ତାନି କରାଯାଉଥିବା ବେଳେ ଅବଶିଷ୍ଟ ଘରୋଇ ଚାହିଦା ପୂରଣ କରିଥାଏ। ସ˚ପ୍ରତି ଘରୋଇ ବଜାର ସ˚ପୂର୍ଣ୍ଣ ମାନ୍ଦା ପଡ଼ିଯାଇଥିବା ଦୃଷ୍ଟିରୁ ବ˚ପର‌୍‌ ଅମଳ ପରିପ୍ରେକ୍ଷୀରେ ତାହା ଚାଷୀମାନଙ୍କ ଲାଗି କିଭଳି ସ˚କଟ ସୃଷ୍ଟି କରୁଥିବ, ତାହା କେବଳ ଅନୁମାନସାପେକ୍ଷ। ସୁତରା˚, ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଏପରିକି ଓଡ଼ିଶାର ଆମ୍ବ ଚାଷୀମାନେ ଅଭାବୀ ବିକ୍ରିର କଷଣ ସହିବାକୁ ବାଧ୍ୟ ହେଉଛନ୍ତି।

ତେବେ ଆମ୍ବର ଅଭାବୀ ବିକ୍ରି ସମ୍ବନ୍ଧୀୟ ଖବର ଗଣମାଧୢମରେ ଆସ୍ଥାନ ଜମାଇଲା ବେଳକୁ ଗଲା ବୁଧବାର ଦିନ ପ୍ରସାରିତ ହୋଇଥିବା ଆମ୍ବ ସ˚କ୍ରାନ୍ତ ଏକ ଭିନ୍ନ ଧରଣର ସମ୍ବାଦ ଦୃଷ୍ଟି ଆକର୍ଷଣ କରିଛି, ଯାହାର କେନ୍ଦ୍ରରେ ଅଛନ୍ତି ସ˚କଳ୍ପ ପରିହାର ନାମକ ସେହି ସାଧାରଣ ବ୍ୟକ୍ତି, ଯାହାଙ୍କ ବିଷୟରେ ଉପକ୍ରମରେ ବର୍ଣ୍ଣନା କରାଯାଇଛି। ସେହି ସମ୍ବାଦର ପୃଷ୍ଠଭୂମି ଏହି ପରି: କିଛି ବର୍ଷ ତଳେ ମଧୢ ପ୍ରଦେଶର ଜବଲପୁର ଅଞ୍ଚଳର ପରିହାର ମହାଶୟ ରେଳରେ ଚେନ୍ନାଇ ଯାତ୍ରା କରୁଥିବା ବେଳେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କୁ କିଛି ଆମ୍ବ ଚାରା ପ୍ରଦାନ କରି କେବଳ ଏତିକି କହିଥିଲେ ଯେ ‘ନିଜ ଛୁଆଙ୍କ ଭଳି ଯତ୍ନ ନେବେ।’ ପରିହାର ଏବ˚ ତାଙ୍କ ପତ୍ନୀ ନିଜ ବଗିଚାରେ ସେଗୁଡ଼ିକ ରୋପଣ କରି ସନ୍ତାନସୁଲଭ ଯତ୍ନ ନେଇ ବଢ଼ାଇବା ପରେ ଦେଖିଥିଲେ ଯେ ବୃକ୍ଷଗୁଡ଼ିକରେ ଅତ୍ୟନ୍ତ ମନୋରମ, ସ˚ପୂର୍ଣ୍ଣ ଲୋହିତ ରଙ୍ଗର ଆମ୍ବ ଫଳିବା ଆରମ୍ଭ କରିଛି। ସେମାନଙ୍କ ଲାଗି ଯାହା ଅବିଶ୍ବସନୀୟ ଥିଲା, ତାହା ହେଉଛି ସେ ସବୁ ଥିଲା ‘ମିୟାଜାକି’ ଆମ୍ବ, ଯାହା ଜାପାନରେ ଉତ୍ପାଦିତ ହୋଇଥାଏ ଏବ˚ ଯାହା ହେଉଛି ପୃଥିବୀର ସର୍ବାଧିକ ମୂଲ୍ୟବାନ ଆମ୍ବ। ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ‘ମିୟାଜାକି’ ଆମ୍ବର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ କିଲୋଗ୍ରାମ ପିଛା ହୋଇଥିଲା ୨ ଲକ୍ଷ ୭୦ ହଜାର ଟଙ୍କା। କହିବା ନିଷ୍ପ୍ରୟୋଜନ ଯେ ସ˚ପ୍ରତି ଆମ୍ବଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ପରିହାର ଦ˚ପତିଙ୍କ ଲାଗି ଏକ ଆହ୍ବାନରେ ପରିଣତ ହୋଇଛି। ସେଥି ଲାଗି ସେମାନେ ଏକାଧିକ ସୁରକ୍ଷା କର୍ମଚାରୀ ଏବ˚ ପ୍ରଶିକ୍ଷିତ କୁକୁର ନିୟୋଜିତ କଲେଣି।

ସ୍ବାଭାବିକ ଭାବେ ଏଭଳି ବିରଳ ଆମ୍ବର ଖବର ପ୍ରସାରିତ ହେବା କ୍ଷଣି ତାହାକୁ ଖର୍ଦ୍ଦି କରିବା ଲାଗି ଆଗ୍ରହୀ କ୍ରେତା ମଧୢ ଧାଡ଼ି ଦେଲେଣି, ଯେଉଁମାନଙ୍କ ମଧୢରୁ ଜନୈକ ଧନୀକ ପ୍ରତି ଆମ୍ବ ପିଛା ୨୨,୦୦୦ ଟଙ୍କା ଦେବାକୁ ପ୍ରସ୍ତୁତ; ମୁମ୍ବାଇ ମହାନଗରୀର ଜଣେ ଅଳଙ୍କାର ବ୍ୟବସାୟୀ ଆମ୍ବତକ ବଦଳରେ ପରିହାର ଦ˚ପତି ଯେଉଁ ମୂଲ୍ୟ ଉଚ୍ଚାରଣ କରିବେ, ତାହା ଦେବାକୁ ଆଗ୍ରହୀ। ତେଣୁ ସ୍ବାଭାବିକ ଭାବେ ଆଶା କରାଯିବା କଥା ଯେ ଏହି ଆମ୍ବର ବିକ୍ରୟ ଲାଗି ସେମାନଙ୍କୁ ବିଦେଶ ବଜାରକୁ ଯିବାର ଆବଶ୍ୟକତା ପଡ଼ନ୍ତା ନାହିଁ। କାରଣ ନିଜ ସଉକ ପୂରଣ କରିବା ଲାଗି ଅତ୍ୟନ୍ତ ଧନୀ ଭାରତୀୟ କ୍ରେତାଙ୍କ ସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହା ଭିନ୍ନ ଏକ ପ୍ରସଙ୍ଗରେ ପ୍ରକାଶିତ ଖବର ଦ୍ବାରା ପ୍ରମାଣିତ; ଯହିଁରୁ ଜଣାପଡ଼ିଥାଏ ଯେ ଜର୍ମାନିର କାର‌୍‌ ନିର୍ମାତା ‘ମର୍ସେଡିଜ୍‌ ବେନ୍‌ଜ ଏଜି’ ତା’ର ନୂତନ ‘ମେବ୍ୟାଚ୍‌’ ଶୃଙ୍ଖଳାର ୫୦ଟି ‘ଏସ.୍‌ୟୁ.ଭି. ଏହି ବର୍ଷ ଶେଷ ସୁଦ୍ଧା ଭାରତୀୟ ବଜାରରେ ବିକ୍ରି କରିବାର ଲକ୍ଷ୍ୟ ସ୍ଥିର କରିଥିବା ବେଳେ କରୋନାର ଦ୍ବିତୀୟ ତରଙ୍ଗର ଭୟାବହତା ଭିତରେ ମଧୢ ମାତ୍ର ଗୋଟିଏ ମାସରେ ଭାରତୀୟ କ୍ରେତାମାନେ ଏହି ୪ ଲକ୍ଷ ଡଲାର ବା ୨.୭ କୋଟି ଟଙ୍କା ମୂଲ୍ୟର ମୋଟର ଗାଡ଼ିଗୁଡ଼ିକୁ କିଣି ନେଇଛନ୍ତି। ସୁତରା˚, ପରିହାର ଦ˚ପତି ‘ମିୟାକାଜି’ ଆମ୍ବଗୁଡ଼ିକୁ ସହଜରେ ବିକ୍ରୟ କରି କେଇ ଲକ୍ଷ ଟଙ୍କା ଉପାର୍ଜନ କରିବା ବେଶ୍‌ ସହଜସାଧୢ ହୁଅନ୍ତା। କିନ୍ତୁ ସେମାନେ ସେହି ଆମ୍ବଗୁଡ଼ିକୁ କୌଣସିମତେ ବିକ୍ରୟ କରିବେ ନାହିଁ ବୋଲି ସିଦ୍ଧାନ୍ତ ଗ୍ରହଣ କରିଛନ୍ତି। ସମ୍ଭବତଃ ନିଜ ସନ୍ତାନ ଭଳି ପ୍ରତିପୋଷଣ କରିଥିବା ଚାରାଗୁଡ଼ିକ ବୃକ୍ଷ ରୂପ ଲାଭ କଲା ପରେ ଯାହା ପ୍ରଦାନ କରିଛନ୍ତି, ତହିଁରୁ କୌଣସି ମୂଲ୍ୟ ବା ଲାଭ ଅର୍ଜନ କରି ପରିହାର ଦ˚ପତି ସେହି ପବିତ୍ର ସଂପର୍କରେ କଳଙ୍କ ଲଗାଇବାକୁ ଅନିଚ୍ଛୁକ। ସୁତରା˚, ଆମେ କହିପାରିବା ଯେ ପରିହାର ଦ˚ପତି ହେଉଛନ୍ତି ସେହି ଭାରତୀୟ ‘ଆମ୍‌ ଆଦ୍‌ମୀ’, ଯାହା ଅରବିନ୍ଦ କେଜ୍ରିଵାଲ କି ପ୍ରଶାନ୍ତ ଭୂଷଣ ନୁହନ୍ତି ବୋଲି ରବର୍ଟ ଭଦ୍ରା ସେ ଦିନ ଆକ୍ଷେପ କରିଥିଲେ ଏବ˚ ଅପର ପକ୍ଷରେ ଯାହାର ଚରିତ୍ରକୁ ଆଧାର କରି ଅରବିନ୍ଦ କେଜ୍ରିଵାଲ ତାଙ୍କ ଦଳର ନାମକରଣ କରିଥିଲେ।

ସମ୍ବନ୍ଧିତ ଖବର