ଏଥର ଶର୍କରା

ଭାରତର ପ୍ରସିଦ୍ଧତମ ପରିବେଶ ଜଗୁଆଳି ସଂସ୍ଥା, ଦିଲ୍ଲୀସ୍ଥିତ ‘ସେଣ୍ଟର୍ ଫର୍ ସାଇନ୍‌ସ ଆଣ୍ଡ ଏନ୍‌ଭିରନ୍‌ମେଣ୍ଟ୍’ (‘ସିଏସ୍‌ଇ’)ର ମୁଖ୍ୟ ସୁନୀତା ନାରାୟଣଙ୍କ ଖୁସି ବର୍ତ୍ତମାନ ଦୁଇଗୁଣ ହେଉଥିବ। ଭାରତରେ ବିକ୍ରି ହେଉଥିବା ‘କୋକାକୋଲା’ ସମେତ ୧୨ଟି ଯାକ ମୃଦୁ ପାନୀୟରେ କୀଟନାଶକର ଉପସ୍ଥିତି ପରୀକ୍ଷାଗାରରେ ଯାଞ୍ଚ କରାଯିବା ପରେ ସାବ୍ୟସ୍ତ ହୋଇଛି ବୋଲି ୨୦୦୩ରେ ସେ ଦାବି କରି ଯେଉଁ ଘୋର ବିବାଦର ସୂତ୍ରପାତ କରିଥିଲେ, ୨୦୧୨ରେ ତାହା ଏକ ମିଳିତ ପାର୍ଲିଆମେଣ୍ଟାରି କମିଟି (ଜେପିସି) ଦ୍ବାରା କରାଯାଇଥିବା ଅନୁସନ୍ଧାନ ଦ୍ବାରା ସତ୍ୟ ପ୍ରମାଣିତ ହୋଇଥିଲା। ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ‘ଜେପିସି’ର ରିପୋର୍ଟ ‌ସେତେବେଳେ ଯଦି ସୁନୀତାଙ୍କ ଖୁସିର କାରଣ ହୋଇଥିଲା, ବର୍ତ୍ତମାନ ତାଙ୍କୁ ଯିଏ ଦ୍ବିତୀୟ ଥର ସେଭଳି ଖୁସି ପ୍ରଦାନ କରିଛନ୍ତି, ସେ ହେଉଛନ୍ତି ପୃଥିବୀର ବୋଧହୁଏ ପ୍ରସିଦ୍ଧତମ ଫୁଟ୍‌ବଲ୍ ସୁପର୍‌ଷ୍ଟାର୍ ପର୍ତ୍ତୁଗାଲ୍‌ର କ୍ୟାପ୍‌ଟେନ୍ ୩୬ ବର୍ଷୀୟ ଖ୍ରୀଷ୍ଟିଆନୋ ରୋନାଲ୍‌ଡୋ।

ବିଗତ ସୋମବାର ଦିନ ହଙ୍ଗେରୀର ବୁଦାପେଷ୍ଟ୍‌ ଠାରେ ଇଉରୋପିଆନ୍ ଚାମ୍ପିଅନ୍‌ସିପ୍ ପ୍ରତିଯୋଗିତା ଅନ୍ତର୍ଗତ ହଙ୍ଗେରୀ ସହିତ ପର୍ତ୍ତୁଗାଲ୍‌ର ଏକ ମ୍ୟାଚ୍ ଆରମ୍ଭ ପୂର୍ବରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାଗ ନେବା ଅବସରରେ ରୋନାଲ୍‌ଡୋ ପ୍ରଦର୍ଶନ କରିଥିବା ମାତ୍ର ପାଞ୍ଚ ସେକେଣ୍ଡ୍‌ର ଏହି ଆଚରଣ ସୁନୀତାଙ୍କ ଦ୍ବିତୀୟ ଥର ଖୁସିର କାରଣ ହୋଇଥିବ: ଏହି ପାଞ୍ଚ ସେକେଣ୍ଡ୍‌ରେ ରୋନାଲ୍‌ଡୋ କୋ‌କାକୋଲା କମ୍ପାନିର ସେଆର୍ ମୂଲ୍ୟରେ ଘଟାଇ ଦେଇଥିବା ସାମଗ୍ରିକ ହ୍ରାସର ଆକାର ଥିଲା ୪ ବିଲିଅନ୍ ଡଲାର୍! ରୋନାଲ୍‌ଡୋ କେବଳ ସମ୍ମିଳନୀରେ ତାଙ୍କ ଆସନ ସମ୍ମୁଖରେ ଟେବୁଲ୍ ଉପରେ ଥୁଆ ହୋଇଥିବା ଦୁଇଟି କୋକାକୋଲା ବୋତଲ (କୋକାକୋଲା ହେଉଛି ଟୁର୍ଣ୍ଣାମେଣ୍ଟ୍‌ର ଅନ୍ୟତମ ପ୍ରାୟୋଜକ) ହଟାଇ ଦେଇ ହାତରେ ଏକ ପିଇବା ପାଣି ବୋତଲ ଧରି ଦେଖାଇ କହିଥିଲେ- ‘ଆକୁଆ’ (ପର୍ତ୍ତୁଗୀଜ୍ ଭାଷାରେ- ‘ପାଣି’)। ସେଲିବ୍ରିଟି ରୋନାଲ୍‌ଡୋ ତାଙ୍କର କୋଟି କୋଟି ଅନୁଗାମୀମାନଙ୍କୁ ଏହା ମାଧ୍ୟମରେ ଯେଉଁ ସନ୍ଦେଶ ଦେଇଥିଲେ, ତାହା ହେଲା କୋକାକୋଲା ପିଇବା ହେଉଛି ସ୍ବାସ୍ଥ୍ୟ ଲାଗି ହାନିକାରକ ଏବଂ ପାଣି ପିଇବା ହେଉଛି ସ୍ବାସ୍ଥ୍ୟପ୍ରଦ। ଜଣେ ତୀବ୍ର ସ୍ବାସ୍ଥ୍ୟ-ସଚେତନ ଖେଳାଳି ରୂପେ ରୋନାଲ୍‌ଡୋ ସୁଖ୍ୟାତ ହୋଇଥିବାରୁ, ତାଙ୍କର ଏହି କ୍ଷୁଦ୍ର ସନ୍ଦେଶ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ଅବଶ୍ୟ ସୁନୀତା ନାରାୟଣ କୋକାକୋଲା ଭଳି ମୃଦୁ ପାନୀୟମାନଙ୍କରେ ଯେଉଁ ଖୁଣ ଆବିଷ୍କାର କରିଥିଲେ, ତାହା କୀଟନାଶକ ଥିବା ବେଳେ, ରୋନାଲ୍‌ଡୋ ଯେଉଁ ଖୁଣ ପ୍ରତି ଇସାରା କରିଛନ୍ତି, ତାହା ହେଉଛି ଏଥିରେ ଥିବା ଶର୍କରା।

ଏ ଘଟଣା ପରେ ଜଣେ ପର୍ଯ୍ୟବେକ୍ଷକଙ୍କ ମନରେ ଯେଉଁ ଭାବନା ସ୍ବାଭାବିକ ଭାବରେ ପ୍ରଥମେ ଉଙ୍କି ମାରିଥାଏ, ତାହା ହେଲା- ବିପୁଳ ଅର୍ଥ ବ୍ୟୟ କରି କୋକାକୋଲା କମ୍ପାନି ଇଉରୋପିଆନ୍ ଚାମ୍ପିଅନ୍‌ସିପ୍‌ର ପ୍ରାୟୋଜକ ଭାବରେ ନିଜକୁ ଯେଉଁଭଳି ପ୍ରଦର୍ଶିତ କରିଥିଲା, ସେଥିରୁ କୌଣସି ଲାଭ ମିଳିବା ପରିବର୍ତ୍ତେ ନିମିଷକରେ ତାହା କ୍ଷତିରେ ପରିଣତ ହେଲା। ଅନୁସନ୍ଧିତ୍ସୁମାନଙ୍କ ମନରେ ଏ ସମ୍ପର୍କରେ ଏକ ପ୍ରଶ୍ନର ଆବିର୍ଭାବ ଘଟିପାରେ- ଟେବୁଲ୍ ଉପରେ ଖାଲି ଦୁଇଟି କୋକାକୋଲା ବୋତଲ ଥୋଇବା ପାଇଁ କୋକାକୋଲା କମ୍ପାନି ବିପୁଳ ରାଶି ବ୍ୟୟ କରି ଟୁର୍ଣ୍ଣାମେଣ୍ଟ୍‌ର ପ୍ରାୟୋଜକ ପରିଚୟ କାହିଁକି କ୍ରୟ କରିଥାଏ? ଯାହାଙ୍କ ଠାରୁ ପ୍ରାୟ ଦୁଇ ଦଶନ୍ଧି ତଳେ ଏହି ତାତ୍ତ୍ବିକ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ମିଳିଥିଲା ସେ ହେଉଛନ୍ତି ୨୦୦୧ରେ ଅର୍ଥଶାସ୍ତ୍ର ପାଇଁ ଦିଆଯାଇଥିବା ନୋବେଲ୍ ପୁରସ୍କାରର ଅନ୍ୟତମ ଅଂଶୀଦାର ମାଇକେଲ୍ ସ୍ପେନ୍‌ସ।

ବଜାରରେ ଅନେକ ଏପରି ଜିନିଷ ମିଳିଥାଏ, ଯାହାର ଅସଲି ଅନ୍ତର୍ନିହିତ ଗୁଣ ସମ୍ବନ୍ଧରେ ଗ୍ରାହକମାନଙ୍କ ପାଖରେ ଯଥେଷ୍ଟ ସୂଚନା ଉପଲବ୍‌ଧ ନ ଥାଏ, ଯାହା ବିକ୍ରେତା ପାଖରେ ଉପଲବ୍‌ଧ ଥାଏ। କ୍ରେତା-ବିକ୍ରେତାଙ୍କ ମଧ୍ୟରେ ଦେଖାଯାଉଥିବା ଏହି ସୂଚନା-ବୈଷମ୍ୟକୁ ଅର୍ଥଶାସ୍ତ୍ରରେ ନାମ ଦିଆ ଯାଇଥାଏ ‘ଇନ୍‌ଫର୍ମେସନ୍ ଆସିମେଟ୍ରି’। ଯଦି ବଜାରରେ ଜିନିଷଟିର ଏକାଧିକ ପ୍ରତିଯୋଗୀ ଥା’ନ୍ତି, ଗ୍ରାହକମାନେ କେଉଁଟି ପ୍ରତି ସର୍ବାଧିକ ଆକର୍ଷିତ ହେବେ? ଜଣେ ପ୍ରତିଯୋଗୀ ପକ୍ଷରେ ଏଭଳି ସୂଚନା-ଶୂନ୍ୟ ଗ୍ରାହକମାନଙ୍କୁ ନିଜ ଜିନିଷ ବା ବ୍ରାଣ୍ଡ୍ ପ୍ରତି ଆକର୍ଷିତ କରିବାର ନିଶ୍ଚିତ ଉପାୟ ହେଉଛି ସେମାନଙ୍କୁ ଏପରି କିଛି ସୂଚନା ପ୍ରଦାନ କରିବା, ଯାହା ନିଜର ପ୍ରତିଦ୍ବନ୍ଦ୍ବୀମାନଙ୍କ ପହଞ୍ଚ ମଧ୍ୟରେ ନ ଥାଏ। ଦାମିକା ସୋ’ ରୁମ୍ ଛିଡ଼ା କରାଇବା ହେଉଛି ଏହିପରି ଏକ ସୂଚନା ପ୍ରଦାନ କୌଶଳ। ଫୁଟ୍‌ପାଥ୍‌ରେ ବିକ୍ରି ହେଉଥିବା ପୋଷାକର ଗୁଣାତ୍ମକ ମାନ ଦାମିକା ସୋ’ ରୁମ୍‌ରେ ମିଳୁଥିବା ପୋଷାକର ସମତୁଲ୍ୟ ହୋଇଥିଲେ ହେଁ ସୋ’ ରୁମ୍ ନିର୍ମାଣରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ଗ୍ରାହକ ମନରେ ବିଶ୍ବାସ ଜନ୍ମାଇଥାଏ ଯେ ଏହାର ମାଲିକ କେବେ ହେଲେ ଶସ୍ତା ମାନର ଜିନିଷ ବିକ୍ରି କରୁ ନଥିବେ।

ସୁନୀତା ନାରାୟଣ ଅଭିଯୋଗ ଆଣିଥିଲେ ୧୨ଟି ମୃଦୁ ପାନୀୟ ବ୍ରାଣ୍ଡ୍ ବିରୋଧରେ; କିନ୍ତୁ ଏମାନଙ୍କ ମଧ୍ୟରେ କେବଳ ଦୁଇଟି ମାଧିଆ ଥିଲେ ବାଇଶି ପଳ ଲେଖାଏଁ- ‘କୋକାକୋଲା’ ଓ ‘ପେପ୍‌ସି’। ଏମାନେ ପ୍ରସାର କରୁଥିବା ଯେଉଁ ସୂଚନା ଗ୍ରାହକମାନଙ୍କୁ ଏମାନଙ୍କ ପ୍ରତି ଆକର୍ଷିତ କରିଥାଏ, ତାହା ହେଉଛି ଏ ଦୁଇ କମ୍ପାନି ବିଜ୍ଞାପନରେ ଖର୍ଚ୍ଚ କରୁଥିବା ଅପର୍ଯ୍ୟାପ୍ତ ପରିମାଣର ଅର୍ଥ। ଗ୍ରାହକମାନଙ୍କ ବିଚାରରେ ଯିଏ ମାଇକେଲ୍ ଜ୍ୟାକ୍‌ସନ୍ ସୋ’ (କେତେକ ପାଠକଙ୍କର ଅତୀତରେ ଏହି ‘ପେପ୍‌ସି’-ପ୍ରାୟୋଜିତ ସୋ’ କଥା ମନେ ଥିବ) କିମ୍ବା ଇଉରୋପିଆନ୍ ଫୁଟ୍‌ବଲ୍ ଚାମ୍ପିଅନ୍‌ସିପ୍ ଭଳି ଦୁର୍ମୂଲ୍ୟ ସୋ’ର ପ୍ରାୟୋଜକ ହେବାରେ ଅମାପ ଅର୍ଥ ନିବେଶ କରିବାକୁ ଆଗେଇ ଆସୁଛି, ସେ କମ୍ପାନି ନିଶ୍ଚିତ ରୂପେ ଗ୍ରାହକମାନଙ୍କ ପାଇଁ ସର୍ବୋତ୍କୃଷ୍ଟ ମାନର ଦ୍ରବ୍ୟ ଉତ୍ପାଦନ କରି ଯୋଗାଇ ଦେବାରେ ତିଳେ ହେଲେ କାର୍ପଣ୍ୟ କରୁ ନଥିବ। ବିକ୍ରେତାମାନଙ୍କର ଏହି କୌଶଳ ଉପରେ ଦାର୍ଶନିକ-ଅର୍ଥନୀତିଜ୍ଞ ମାଇକେଲ୍ ସ୍ପେନ୍‌ସ ଆଲୋକପାତ କରିଥିଲେ।

ରୋନାଲ୍‌ଡୋଙ୍କ ସମ୍ମୁଖରେ ଟେବୁଲ୍ ଉପରେ ଦୁଇଟି କୋ‌କାକୋଲା ବୋତଲ ଥୋଇ ଦେବା ଥିଲା ସେ କମ୍ପାନି ଅବଲମ୍ବନ କରିଥିବା ଏହି କୌଶଳର ଅଂଶ ମାତ୍ର। ସେଠାରେ କୋକାକୋଲାର ଗୁଣ ବିଷୟରେ କୌଣସି ଚିତ୍ତାକର୍ଷକ ବର୍ଣ୍ଣନା ସମ୍ବଳିତ ବିଜ୍ଞାପନ ନ ଥିଲା- କାରଣ ତା’ର ଆବଶ୍ୟକତା ହିଁ ନ ଥିଲା। ଖୋଦ୍ ଦୁର୍ଲଭ ଓ ଦୁର୍ମୂଲ୍ୟ ରୋନାଲ୍‌ଡୋଙ୍କର କେବଳ ଉପସ୍ଥିତି ହିଁ ଥିଲା ସମ୍ମୁଖସ୍ଥ ବୋତଲ ଦୁଇଟିରେ ଥିବା ପାନୀୟ ବ୍ରାଣ୍ଡ୍‌ର ଅମିତ ଶକ୍ତିଶାଳୀ ପ୍ରଚାର। ଯାହାକୁ ବାଲିରେ ଲେଖା ହୋଇଥିବା ଅକ୍ଷର ସବୁକୁ ହାତ ପୋଛି ଲିଭାଇ ଦେବା ଭଳି ସୁପର୍‌ଷ୍ଟାର୍ ରୋନାଲ୍‌ଡୋ ହାତ ହଲାଇ ଦେଇ ନିମିଷକରେ ପୋଛି ସଫା କରି ଦେଇଛନ୍ତି।

କେତେକ ମହଲରେ ଏହାକୁ ରୋନାଲ୍‌ଡୋଙ୍କର ଏକ ଶଠତାପୂର୍ଣ୍ଣ ଆଚରଣ ରୂପେ ସମାଲୋଚନା କରାଯାଉଛି। କାରଣ ସେ ମଧ୍ୟ ଅତୀତରେ ‘କେଏଫ୍‌ସି’ ଭଳି ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରିକାରୀ ବ୍ରାଣ୍ଡ୍ ପାଇଁ ତଥାକଥିତ ଦୂତ ସାଜିଥିଲେ। କିନ୍ତୁ ଯଦି ‌ରୋନାଲ୍‌ଡୋଙ୍କର ଚରିତ୍ରର ବିଚାରକ ନ ସାଜି ତାଙ୍କର ଏହି ନିର୍ଦ୍ଦିଷ୍ଟ ଆଚରଣର ବିଚାର କରାଯାଏ, ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ। ଶର୍କରାଯୁକ୍ତ ଖାଦ୍ୟ ବହନ କରୁଥିବା ସ୍ବାସ୍ଥ୍ୟ ପ୍ରତି ବିପଦ ଯୋଗୁଁ କେତେକ ଦେଶରେ ଏ ଭଳି ଦ୍ରବ୍ୟ ଉପରେ ଏକ ‘ପାପ କର’ (‘ସିନ୍‌ ଟ୍ୟାକ୍‌ସ’) ଲାଗୁ ହେବା ଦେଖା ଗଲାଣି। ବିଶେଷତଃ ରୋନାଲ୍‌ଡୋଙ୍କୁ ଜଣେ ଅର୍ଦ୍ଧ ଦେବତା ମନେ କରୁଥିବା ଯୁବ ପିଢ଼ିର ଅସଂଖ୍ୟ ଅନୁଗାମୀମାନଙ୍କ ସ୍ବାସ୍ଥ୍ୟ ରକ୍ଷା ଦିଗରେ ତାଙ୍କର ଏହି ଇସାରା ସମସ୍ତଙ୍କୁ ସେଇ ଭଳି ଖୁସି କରିବା ଉଚିତ, ଯେଉଁ ଭଳି ସୁନୀତା ନାରାୟଣଙ୍କୁ କରୁଥିବ।

ସମ୍ବନ୍ଧିତ ଖବର