ଛଦ୍ମବେଶୀ ବିବେକ

ମନୁଷ୍ୟର ଚେତନାର ଉତ୍ତରଣ ତା’ର ଶିଖରରେ ପହଞ୍ଚିଲେ, ତା’ ଠାରେ ସାକ୍ଷୀ ଭାବ ଉତ୍ପନ୍ନ ହୋଇଥାଏ ବୋଲି ଆଧୢାତ୍ମିକବାଦୀମାନେ କହିଥାଆନ୍ତି। ତେବେ ଏହି ସାକ୍ଷୀ ଭାବଟି କ’ଣ ତାହା ବୁଝାଇବାକୁ ଯାଇ ସେମାନେ ଟେଲିଫୋନର ଉଦାହରଣ ଦିଅନ୍ତି। ଧରି ନିଆଯାଉ ଜଣେ ବ୍ୟକ୍ତି ଏକ ଟେଲିଫୋନ୍‌ରେ କିଛି କହିଲେ, ଯାହା ଟେଲି‌େଫାନ୍‌ର ‘ମାଉଥ୍‌ ପିସ୍‌’ ମଧୢ ଦେଇ ତାର ବା ତରଙ୍ଗ ମାଧୢମରେ ଗତି କରି ଅନ୍ୟ ଜଣଙ୍କ କର୍ଣ୍ଣରେ (ତାଙ୍କ ଟେଲିଫୋନ୍‌ର ‘ଇଅର ପିସ୍‌’ ଦେଇ) ପ୍ରବେଶ କଲା। କହିବା ବାହୁଲ୍ୟ ଯେ ସେହି କଥାଟି ମୁହଁରୁ ଯେମିତି ନିର୍ଗତ ହୋଇଛି, ଅବିକଳ ସେହିଭଳି ଭାବେ ଶ˚ସିତ ଶ୍ରୋତାଙ୍କ ନିକଟରେ ପହଞ୍ଚିଥିବ। ଏହାର କାରଣ କଥାଟି ଯେତେ ଗୁରୁତର ହୋଇଥିଲେ ମଧୢ ତାହା ଟେଲିଫୋନ୍‌ର ହୃଦୟରେ କୌଣସି କ˚ପନ ସୃଷ୍ଟି କରିବ ନାହିଁ; ତେଣୁ କଥାଟିକୁ ଚାପି ଦେବା ବା ତାକୁ ବଦଳାଇ ଏକ ଭିନ୍ନ ରୂପ ଦେବା ଲାଗି ଟେଲିଫୋନ୍‌ଟି ଉଦ୍‌ଗ୍ରୀବ ହେବ ନାହିଁ। ଆଧୢାତ୍ମିକବାଦୀମାନେ ଏହି ଉଦାହରଣ ପ୍ରଦାନ କରି କହିଥାଆନ୍ତି ଯେ ମୁନଷ୍ୟ ଠାରେ ଏକ ନିର୍ଜୀବ ଟେଲିଫୋନ୍‌ ସୁଲଭ ଅନାସକ୍ତି ଭାବ ଦେଖାଯିବା ହେଉଛି ତା’ ’ ଠାରେ ସାକ୍ଷୀ ଭାବ ଉତ୍ପନ୍ନ ହେବାର ପ୍ରମାଣ। ସେହି ପରିପ୍ରେକ୍ଷୀରେ ଅନେକ କାଳ ଧରି ଯେଉଁଭଳି ବିଚାର କରାଯାଉଥିଲା ଯେ ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକ ମଧ୍ୟ ସାକ୍ଷୀ ଭାବ ବହନକାରୀ ଗୋଟିଏ ଗୋଟିଏ ମାଧୢମ ମାତ୍ର, ଯାହା ଜରିଆରେ ଜନସାଧାରଣଙ୍କ ସୂଚନା, ତଥ୍ୟ ଓ ମନ୍ତବ୍ୟ ଦିବାଲୋକ ଦେଖିଥାଏ ଏବ˚ ଏଗୁଡ଼ିକ ନିର୍ବିଘ୍ନରେ ପ୍ରସାରିତ ହୁଅନ୍ତି; ସେ ଧାରଣା ଇତିମଧୢରେ ବଦଳି ଯାଇଛି। ସଂପ୍ରତି ସାମାଜିକ ଗଣମାଧୢମଗୁଡ଼ିକ ନିରାସକ୍ତ ମାଧୢମ ମାତ୍ର ନ ହୋଇ ପକ୍ଷପାତୀ ମଞ୍ଚ ରୂପେ ଆବିର୍ଭୂତ ହୋଇଛନ୍ତି ଓ ସେଥିଲାଗି ବିଭିନ୍ନ ବିବାଦର ସୂତ୍ରପାତ କରିଛନ୍ତି। ଏହି ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ନିକଟରେ ନାଇଜେରିଆରେ ‘ଟ୍ବିଟର‌୍‌’କୁ ନିଷେଧ କରାଯାଇଛି, ଯାହାର କାରଣ ନାଇଜେରିଆର ରାଷ୍ଟ୍ରପତି ମୁହାମଦୁ ବୁହାରିଙ୍କ ପକ୍ଷରୁ ତାଙ୍କ ବିରୋଧୀମାନଙ୍କ ପ୍ରତି ପ୍ରଦାନ କରାଯାଇଥିବା ହି˚ସାତ୍ମକ ଆକ୍ରମଣର ଧମକକୁ ‘ଟ୍ବିଟର୍‌’ରୁ ହଟାଇ ଦିଆଯିବା। କହିବା ବାହୁଲ୍ୟ ଯେ ଟ୍ବିଟର୍‌ ପକ୍ଷରୁ ନିଆଯାଇଥିବା ପଦକ୍ଷେପଟି ଏକ ବିବେକାନୁମୋଦିତ କାର୍ଯ୍ୟ, ଯହିଁରେ ନାଇଜେରିଆ ଭଳି ଗୋଟିଏ ଏକଛତ୍ରବାଦୀ ସରକାର ଦ୍ବାରା ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରାଯିବା ଏକ ସ୍ବାଭାବିକତା ମାତ୍ର। ଏଥିରେ ମଧୢ ଦ୍ବିରୁକ୍ତି ନାହିଁ ଯେ ସାମାଜିକ ଗଣମାଧୢମଗୁଡ଼ିକ ଅନେକ ପ୍ରକାର ଘୃଣା ବ୍ୟ˚ଜକ ତଥ୍ୟ, କୁତ୍ସା, ବିଭ୍ରାନ୍ତି ଓ ଗୁଜବ ଆଦି ଦ୍ବାରା ଭରପୂର ହୋଇ ଯାଉଥିବାରୁ ଏହି ମଞ୍ଚଗୁଡ଼ିକରେ ପରିଷ୍କରଣ ପ୍ରକ୍ରିୟାର ନିତାନ୍ତ ଆବଶ୍ୟକତା ରହିଛି। ତେବେ ଏହି ସ˚ଦର୍ଭରେ ପ୍ରଶ୍ନ ଉଠେ ଯେ ଏଭଳି ବିଶୋଧନ କାର୍ଯ୍ୟର ପ୍ରତିବାଦ କରାଯାଉଛି କାହିଁକି? ନାଇ‌େଜରିଆ କଥା ଦୂରେ ଥାଉ, ଯୁକ୍ତରାଷ୍ଟ୍ର ଆମେରିକା ଭଳି ଏକ ଅତ୍ୟନ୍ତ ଉଦାରବାଦୀ ରାଷ୍ଟ୍ର କାହିଁକି ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକର ପରିଷ୍କରଣ ପ୍ରକ୍ରିୟା ନେଇ ଅସନ୍ତୁଷ୍ଟ? ଏହାର କାରଣ ଏକ ଧାରଣା ବଦ୍ଧମୂଳ ହେବାରେ ଲାଗିଛି ଯେ ସାମାଜିକ ଗଣମାଧୢମଗୁଡ଼ିକ ଏହି ପରିଷ୍କରଣ ପ୍ରକ୍ରିୟା ଆଳରେ ସେମାନଙ୍କ ବ୍ୟାବସାୟିକ ସ୍ବାର୍ଥ ଚରିତାର୍ଥ କରିବାର ଅଧିକ ଉଦ୍ୟମ କରୁଛନ୍ତି ଏବ˚ ସେମାନଙ୍କ ଆଭିମୁଖ୍ୟରେ ବିବେକ ବଦଳରେ କପଟ ପ୍ରଦର୍ଶିତ ହେଉଛି।

ସାମାଜିକ ମଞ୍ଚଗୁଡ଼ିକରୁ ଅପ-ସୂଚନାର ପ୍ରଦୂଷଣ ବିଶୋଧନ କରିବାର ଆଳରେ ସ˚ସ୍ଥାଗୁଡ଼ିକର ଉଦ୍ୟମ କିଭଳି ସ୍ବାର୍ଥ ପ୍ରଣୋଦିତ, ତାହାର ଉଦାହରଣ ମିଳିଥାଏ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ଟ୍ବିଟର୍‌ ଦ୍ବାରା ନିଷିଦ୍ଧ କରାଯିବାରେ। ପାଠକ-ପାଠିକାମାନଙ୍କ ସ୍ମରଣରେ ଥାଇପାରେ ଯେ ଗଲା ଡିସେମ୍ବର ମାସରେ ପରାଜିତ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିଷୋଦ୍‌ଗାର ଭରା ଟ୍ବିଟ୍‌ କାରଣରୁ ତାଙ୍କ ସମର୍ଥକମାନେ କ୍ୟାପିଟଲ ହିଲ୍‌ରେ ଅନୁପ୍ରବେଶ କରି ହି˚ସାତ୍ମକ ଦଙ୍ଗା ସୃଷ୍ଟି କରିଥିଲେ, ଯାହା ଯୁକ୍ତରାଷ୍ଟ୍ର ଆମେରିକା ଲାଗି ଅଭୂତପୂର୍ବ ଓ ଅଶ୍ରୁତପୂର୍ବ ଥିଲା। ସେହି ଦୃଷ୍ଟିରୁ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଟ୍ବିଟର୍‌ ଦ୍ବାରା ନିଷିଦ୍ଧ କରାଯିବା ଆପାତତଃ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଭଳି ଦିଶିଥିଲା। ଏହାକୁ ସମସ୍ତେ ସ୍ବାଗତ କରିଥିଲେ। କିନ୍ତୁ ଟିକିଏ ଗହୀରେଇ ଦୃଷ୍ଟି ନିକ୍ଷେପ କରିବାରେ ସ୍ପଷ୍ଟ ହୋଇଥିଲା ଯେ କ୍ୟାପିଟଲ ହିଲ୍‌ ଦଙ୍ଗାକାରୀଙ୍କୁ ଉସୁକାଇବା ଭଳି ଟ୍ବିଟ୍‌ ଠାରୁ ଅଧିକ ବିଷାକ୍ତ, ଅପମାନସୂଚକ, ବିଭ୍ରାନ୍ତିମୂଳକ ଏବ˚ ଉତ୍ତେଜନା ସୃଷ୍ଟିକାରୀ ଟ୍ବିଟ୍‌ମାନ ଅଭ୍ୟାସଗତ ଭାବେ ଟ୍ରମ୍ପ୍ ପୂର୍ବରୁ ଅନେକ ଥର ପୋଷ୍ଟ କରି ଚାଲିଥିବା ସତ୍ତ୍ବେ ତାଙ୍କ ବିରୋଧରେ ସ˚ସ୍ଥା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନ ଥିଲା। କାରଣ ସେହି ସମୟରେ ଟ୍ରଂପ୍‌ ତାଙ୍କ ରାଷ୍ଟ୍ରପତି ଆସନରେ ଦୃଢ଼ ଥିଲେ। ସୁତରା˚, ନିର୍ବାଚନରେ ପରାଜିତ ଟ୍ରମ୍ପ୍‌ଙ୍କ ଠାରୁ ତତ୍‌କ୍ଷଣାତ୍‌ କୌଣସି ବିପଦର ଆଶଙ୍କା ନ ଦେଖି ଟ୍ବିଟର୍‌ ପକ୍ଷରୁ ଏଭଳି ପ୍ରତିବନ୍ଧ ଲଗାଇ ଦିଆଯାଇ ସମ୍ଭବତଃ ଆପଣା ଭାବମୂର୍ତ୍ତିକୁ ଉଜ୍ଜ୍ବଳ କରିବାର ପ୍ରଚେଷ୍ଟା କରାଯାଇଥିଲା। ସେହିଭଳି ଭାରତରେ ମଧୢ ଫେସ୍‌ବୁକ୍‌ର ଜଣେ ବରିଷ୍ଠ କର୍ମକର୍ତ୍ତା କେନ୍ଦ୍ର ସରକାରଙ୍କ ଅନୁଗାମୀ ଭଳି ବ୍ୟବହାର ପ୍ରଦର୍ଶନ କରି ଅନେକ ବିରୋଧୀ ମନ୍ତବ୍ୟକୁ ନିଶ୍ଚିହ୍ନ କରିଦେବାର ଉଦ୍ୟମ କରୁଛନ୍ତି ବୋଲି ସେହି କ˚ପାନିର କର୍ମଚାରୀମାନଙ୍କ ଦ୍ବାରା ଅଭିଯୋଗ ହେବା ପରେ ତାହା ଏକ ତୁମୁଳ ବିବାଦକୁ ଜନ୍ମ ଦେଇଥିଲା, ଯହିଁରେ ବିରୋଧୀମାନେ ସାମାଜିକ ଗଣମାଧୢମଗୁଡ଼ିକ ସରକାରୀ ଅନୁଗତ ହୋଇ ପଡ଼ିଥିବା ଅଭିଯୋଗ କରିଥିଲେ। ଅପର ପକ୍ଷରେ ବିଭିନ୍ନ ସମୟରେ ‘ଟୁଲ୍‌କିଟ୍‌’ଗୁଡ଼ିକର ଆବିର୍ଭାବ ଘଟି ସେଗୁଡ଼ିକ ସରକାରଙ୍କୁ ଅସ୍ଥିର ଓ ଅପଦସ୍ଥ କରିବା ଲାଗି ବିରୋଧୀ ଗୋଷ୍ଠୀର ଚକ୍ରାନ୍ତ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମଗୁଡ଼ିକ ବିଭିନ୍ନ ପକ୍ଷପାତ ଓ ପୂର୍ବାଗ୍ରହ ଦ୍ବାରା ପରିଚାଳିତ ବୋଲି ସନ୍ଦେହ ଦୃଢ଼ ହେବାରେ ଲାଗିଛି।

ଏହା ଏକ ନିରାଟ ସତ୍ୟ ଯେ ସାମାଜିକ ଗଣମାଧୢମଗୁଡ଼ିକ ନିରୋଳା ବ୍ୟାବସାୟିକ ସ˚ସ୍ଥା ହୋଇଥିବାରୁ ସେମାନଙ୍କ ଠାରେ ଉଦ୍ରେକ ହୋଇଥିବା ବିବେକ ଯେ ଛଦ୍ମବେଶୀ ହେବ; ଏହାର ସମ୍ଭାବନା ରହିଛି। ଏଭଳି ଛଦ୍ମବେଶୀ ବିବେକ ପରିଦୃଶ୍ୟ ହୁଏ ସେତିକି ବେ‌େଳେ, ଯେତେବେଳେ ଏହି ସାମାଜିକ ଗଣମାଧ୍ୟମଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକାରେ ଯେଉଁ ମୂଲ୍ୟବୋଧ ପ୍ରଦର୍ଶନ କରନ୍ତି, ଭାରତରେ ବା ଅନ୍ୟ ଦେଶରେ ସେଭଳି କରନ୍ତି ନାହିଁ। ଉଦାହରଣ ସ୍ବରୂପ ଘୃଣା ବ୍ୟଂଜକ ବିଭାଜନକାରୀ ତଥ୍ୟ ସବୁକୁ ଦୂର କରିବାରେ ଯୁକ୍ତରାଷ୍ଟ୍ର ଆମେରିକା ସଂଦର୍ଭରେ ଫେସବୁକ୍‌ ଦ୍ବାରା ଯେତିକି ତତ୍ପରତା ପ୍ରକାଶ ପାଇଥାଏ, ଭାରତରେ ସେଭଳି ପରିଦୃଷ୍ଟ ହୋଇ ନ ଥାଏ। କହିବା ବାହୁଲ୍ୟ ଯେ ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକର ଗଢ଼ଣ ଓ ଚରିତ୍ର ଯେମିତି ସେଗୁଡ଼ିକ କଦାପି ନିରୀହ ସାକ୍ଷୀ ଭାବ ପୋଷଣ କରି ତିଷ୍ଠି ରହିବା ସମ୍ଭବ ହୁଅନ୍ତା ନାହିଁ। ତଥ୍ୟ, ସୂଚନା ଓ ମନ୍ତବ୍ୟର ଧୂଳି ଝଡ଼ ଭିତରେ ପ୍ରଦୂଷଣକୁ ନିର୍ମଳ କରିବାର ପ୍ରୟାସ କରା ନ ଗଲେ ତାହା ନିଶ୍ଚିତ ଭାବେ ଏ ପୃଥିବୀକୁ ଅନ୍ଧ କରି ଦିଅନ୍ତା। ତେଣୁ ବୃହତ୍ତର ଜନସ୍ବାର୍ଥ ଦୃଷ୍ଟିରୁ ସାମାଜିକ ଗଣମାଧୢମଗୁଡ଼ିକରେ ବିବେକ ଉଦ୍ରେକ ହେବା ସ˚ପୂର୍ଣ୍ଣ ସ୍ବାଗତଯୋଗ୍ୟ। କିନ୍ତୁ, ସେମାନଙ୍କ ବିବେକରେ ମଧୢ ଦୁରଭିସନ୍ଧିର ସନ୍ଦେହ ରହୁଥିବାରୁ ଏହି ମଞ୍ଚଗୁଡ଼ିକ ସେମାନଙ୍କ ବିଶୋଧନ କାର୍ଯ୍ୟରେ ଅଧିକ ସ୍ବଚ୍ଛ ବା ପାରଦର୍ଶୀ ହେବା ଜରୁରୀ।

ସମ୍ବନ୍ଧିତ ଖବର