ବିଷାଦ ବିୟୋଗ

ବିଗତ ଦେଢ଼ ବର୍ଷ ଧରି କରୋନା ପାନ୍‌ଡେମିକ୍‌ ସମଗ୍ର ମାନବ ସମାଜକୁ ‘ନିଃସଙ୍ଗ ବାସ’ ଏବ˚ ‘ସାମାଜିକ ଦୂରତା’ର କଟକଣା ମଧୢରେ ରଖିଥିବା ବେଳେ ଅନ୍ୟ ଯେଉଁ ଏକ ଅବା˚ଛିତ ଶାରୀରିକ ଅବସ୍ଥାଟି ପରିଲକ୍ଷିତ ହୋଇ କ୍ରମେ ଏକ ଗୁରୁତର ରୋଗର ରୂପ ଧାରଣ କରିବାକୁ ବସିଲାଣି, ତାହା ହେଉଛି ମେଦ ବହୁଳତା ବା ପୃଥୁଳତା। ଗଲା କେଇ ଦଶନ୍ଧି ଧରି ମେଦ ବହୁଳତା ଓ ତଜ୍ଜନିତ ଅନେକ ଜଟିଳ ରୋଗ ପୃଥିବୀର ଜନସ˚ଖ୍ୟାର ଏକ ବୃହଦା˚ଶକୁ ଆକ୍ରାନ୍ତ କରି ରଖି ଆସୁଥିଲା ବେଳେ ଏବେ ତହିଁରେ ଏକ ଅଚାନକ ବୃଦ୍ଧି ଘଟିବା ଦେଖିବାକୁ ମିଳିଲାଣି। ‘ବି.ଏମ୍‌.ଆଇ.’ ନାମକ ଏକ ସ˚ସ୍ଥା ଦ୍ବାରା କରାଯାଇଥିବା ଅନୁଶୀଳନରୁ ଏହା ସ୍ପଷ୍ଟ ହୋଇଛି। ତେବେ, ଏକ ଦୀର୍ଘ ‘ଲକ୍‌ଡାଉନ୍‌’ ହେତୁ ବ୍ୟାୟାମର ଅଭାବ ଓ ଶାରୀରିକ ଚଳପ୍ରଚଳ-ବିହୀନ ସ୍ଥାଣୁ ଜୀବନଚର୍ଯ୍ୟ‌ା କାରଣରୁ ଅନେକ ଲୋକ ମେଦ ବହୁଳତା ଓ ତଜ୍ଜନିତ ଅନ୍ୟାନ୍ୟ ରୋଗର ଶିକାର ହେଉଛନ୍ତି ବୋଲି ଯଦିଓ ଦର୍ଶାଯାଉଛି, ପ୍ରକୃତ ପକ୍ଷରେ ଏହା ପଛରେ ଆଉ ଯେଉଁ ବଡ଼ କାରଣଟିଏ ରହିଛି, ତାହା ହେଲା ଏହି ପାନ୍‌ଡେମିକ୍‌ ହେତୁ ସୃଷ୍ଟ ମାନସିକ ଉଦ୍‌ବେଗ, ଅବସାଦ ଏବଂ ବିଷାଦ ବୋଧ। ତଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ଉଚ୍ଚତର ଗବେଷଣାରୁ ଏହା ସ୍ପଷ୍ଟ ହୋଇସାରିଲାଣି ଯେ ଗଭୀର ବିଷାଦବୋଧ ହେଉଛି ମେଦ ବହୁଳତାର ଏକ ବଡ଼ କାରଣ। ସୁତରା˚, ସ˚ପ୍ରତି ଏକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଭାବେ ମୁଣ୍ତ ଟେକିଥିବା ମେଦ ବହୁଳତାର ଚିକିତ୍ସା ଲାଗି ଯେ ଏକ ନୂତନ ଆଭିମୁଖ୍ୟର ଆବଶ୍ୟକତା ହେଲାଣି, ତହିଁରେ ସନ୍ଦେହ ନାହିଁ।

ମେଦ ବହୁଳତା ସହିତ ବିଷାଦବୋଧର ସ˚ପର୍କକୁ ବୁଝିବାକୁ ହେଲେ ଚେନ୍ନାଇ ବିଶ୍ବବିଦ୍ୟାଳୟ ଦ୍ବାରା ୬୦୦ ଜଣଙ୍କ ଉପରେ କରାଯାଇଥିବା ଏକ ସର୍ବେକ୍ଷଣ ଉପରେ ଦୃଷ୍ଟି ଦେବାକୁ ହେବ, ଯେଉଁମାନଙ୍କ ମଧୢରୁ ଅଧିକା˚ଶ ଲକ୍‌ଡାଉନ୍‌ କାଳରେ ମାନସିକ ଅବସାଦ ଓ ଉଦ୍‌ବେଗ ଦୂର କରିବା ସକାଶେ ବିଭିନ୍ନ ଔଷଧ(ଉଦ୍‌ବେଗ ହ୍ରାସକାରୀ) ଉପରେ ନିର୍ଭର କରିଛନ୍ତି ଏବ˚ ଏମାନଙ୍କ ମଧୢରୁ ୧୫ ପ୍ରତିଶତ ସେହି ସମୟରେ ମନକୁ ଭୁଲାଇବା ଲାଗି ‘ଫାଷ୍ଟ୍ ଫୁଡ୍‌’ ଭକ୍ଷଣ ପ୍ରତି ମାତ୍ରାଧିକ ଦୁର୍ବଳତା ପ୍ରକାଶ କରିଛନ୍ତି, ଯାହା ସେମାନଙ୍କୁ ଅଧିକ ମେଦ ବହୁଳ କରିବା ସହିତ ସେମାନଙ୍କ ଜୀବନଶୈଳୀରେ ଏକ ଅସ˚ଗତି ସୃଷ୍ଟି କରିଛି ଓ ଅନ୍ୟାନ୍ୟ ବ୍ୟାଧି ଲାଗି ମାର୍ଗ ପ୍ରଶସ୍ତ କରିଛି। ମନୋଚିକିତ୍ସକମାନେ ମଧ୍ୟ କହିଥାଆନ୍ତି ଯେ ବିଷାଦ ବୋଧର ଶିକାର ବ୍ୟକ୍ତିମାନେ ଅଧିକ ଭୋଜନ ସକାଶେ ପ୍ରବଣତା ପ୍ରଦର୍ଶନ କରିଥାଆନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଅନୁଧୢାନରୁ ଜଣାପଡ଼ିଛି ଯେ ଏହି ପାନ୍‌ଡେମିକ୍‌ କାଳରେ ପ୍ରାୟ ୬୧ ପ୍ରତିଶତ ଭାରତୀୟ ବିଭିନ୍ନ ମାନସିକ ରୋଗ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି, ଯହିଁରୁ ୪୮ ପ୍ରତିଶତ ଗଭୀର ବିଷାଦ ଭୋଗ କରୁଛନ୍ତି। ସୁତରା˚, ଏହି ମହାମାରୀ ସମୟରେ ଆମ ଦେଶ (ସମଗ୍ର ପୃଥିବୀ ମଧୢ) ଅଧିକ ସ˚ଖ୍ୟକ ପୃଥୁଳକାୟଙ୍କ ଦ୍ବାରା ଭାରାକ୍ରାନ୍ତ ହୋଇଥିବା ପଛରେ ଥିବା କାରଣ କେବଳ ବ୍ୟାୟାମହୀନତା ନୁହେଁ, ଏହାର ଏକ ବଡ଼ କାରଣ ହେଉଛି ଗଭୀର ବିଷାଦବୋଧ।

୨୦୧୭ ମସିହାରେ ପ୍ରକାଶିତ ‘ଆଵାର ଵାର୍ଲଡ ଇନ୍‌ ଡାଟା’ରୁ ଜଣାପଡ଼ିଥାଏ ଯେ ସେ ସମୟରେ ପୃଥିବୀରେ ବାସ କରୁଥିବା ୯୭ କୋଟି ବିଷାଦଗ୍ରସ୍ତଙ୍କ ମଧୢରୁ ଅଧିକା˚ଶ ମେଦ ବହୁଳତାର ଶିକାର। ଏହି ରିପୋର୍ଟ କହିଥାଏ ଯେ ପୃଥୁଳକାୟମାନଙ୍କ ମଧୢରୁ ୨୦ରୁ ୬୦ ପ୍ରତିଶତ ବିଷାଦର ଶିକାର ହୋଇଥାଆନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ‘ସେଣ୍ଟର୍‌ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍ ଏଣ୍ତ୍‌ ପ୍ରିଭେନ୍‌ସନ’ ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ ଆମେରିକାର ମେଦ ବହୁଳ ବ୍ୟକ୍ତିଙ୍କ ମଧୢରୁ ପ୍ରାୟ ଅର୍ଧେକ ବିଷାଦଗ୍ରସ୍ତ। ସେହିପରି ୯୩୦୦ ଜଣ ବାଳକ ଓ ବାଳିକାମାନଙ୍କୁ କରାଯାଇଥିବା ଏକ ଅନୁଧୢାନରୁ ଜଣାପଡ଼ିଥାଏ ଯେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କ ‘ବଡି ମାସ୍‌ ଇନ୍‌ଡେକ୍‌ସ’ ବା ‘ଶାରୀରିକ ଘନତ୍ବ ସୂଚକାଙ୍କ’ ମାତ୍ରାଧିକ (ଅର୍ଥାତ୍‌ ଯେଉଁମାନେ ଖୁବ୍‌ ଅଧିକ ମୋଟା), ସେମାନେ ବିଷାଦର ଶିକାର। କିନ୍ତୁ ଏ ସ˚ଦର୍ଭରେ ଏକ ବିଡ଼ମ୍ବନା ହେଉଛି ଏ ଯାବତ୍‌ ମେଦ ବହୁଳତାର ଉପଚାର ପ୍ରାୟତଃ ଶାରୀରିକ ଲକ୍ଷଣ କୈନ୍ଦ୍ରିକ ହୋଇ ରହିଆସିଛି। କିନ୍ତୁ ସାଂପ୍ରତିକ ସ୍ଥିତିରେ ଏଭଳି ଆଭିମୁଖ୍ୟରେ ପରିବର୍ତ୍ତନ ଅଣାଯିବା ଜରୁରୀ।

ଏହା ସମସ୍ତେ ଜାଣନ୍ତି ଯେ କରୋନା ପାନ୍‌ଡେମିକ୍‌ ପରିପ୍ରେକ୍ଷୀରେ ରୋଗ ସ˚କ୍ରମଣର ଭୟ, ପରିବାରରେ ପୀଡ଼ିତ ସଦସ୍ୟ (ଅନେକ ସମୟରେ ଏକାଧିକ)ଙ୍କ ଅଚାନକ ମୃତ୍ୟୁ, ଲକ୍‌ଡାଉନ୍‌ କାରଣରୁ ପରିବାରରେ ଆୟର ସ˚କୋଚନ, ସ˚କ୍ରମଣ ଭୟରୁ ସୃଷ୍ଟ ନିଃସଙ୍ଗତା ଓ ତଜ୍ଜନିତ ଅସହାୟତା, କରୋନା ପ୍ରପୀଡ଼ିତଙ୍କ ଚିକିତ୍ସାରେ ହେଉଥିବା ଅତ୍ୟୁଚ୍ଚ ବ୍ୟୟ ତଥା ନିତାନ୍ତ ଅନିଶ୍ଚିତ ଭବିଷ୍ୟତ୍‌ ଇତ୍ୟାଦି କାରଣରୁ ମାନବ ସମାଜ ଉପରକୁ ବିଷାଦର ଘନ ବାଦଲ ଘୋଟି ଆସିଛି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ କରୋନା ପାନ୍‌ଡେମିକ୍‌ କାଳରେ ଯେଉଁ ଏକ ବୃହଦାକାର ପୃଥୁଳକାୟ ଜନ ସମୁଦାୟଙ୍କ ଆବିର୍ଭାବ ଘଟିବାରେ ଲାଗିଛି, ତାହାର କାରଣ ବିଷାଦ ହୋଇଥିବାରୁ ସେମାନଙ୍କ ଚିକିତ୍ସାର ଗୋଟିଏ ଦିଗ ମନୋଚିକିତ୍ସା ଉପରେ ପର୍ଯ୍ୟବସିତ ହେବା ଉଚିତ। ପ୍ରାଚୀନ କାଳରୁ ଭାରତୀୟ ଚିନ୍ତନରେ ମନକୁ ସୂକ୍ଷ୍ମ ଶରୀର ଏବ˚ ଶରୀରକୁ ସ୍ଥୂଳ ମନ ଭାବେ ଅଭିହିତ କରାଯାଇଛି। ଏହାର ଅର୍ଥ ମନ ଓ ଶରୀର ଏକ ମୁଦ୍ରାର ଦୁଇ ପାର୍ଶ୍ବ ଭଳି ରହିଥାଆନ୍ତି। କିନ୍ତୁ ଶାରୀରିକ ଲକ୍ଷଣକୁ ଗୁରୁତ୍ବ ପ୍ରଦାନ କରି ଚିକିତ୍ସା ପ୍ରଦାନ କରାଯିବାର ପଦ୍ଧତିରେ କେବଳ ଶରୀର ଗୁରୁତ୍ବ ଲାଭ କରିଥିବା ବେଳେ ପୀଡ଼ିତ ମନଟି ଉପଚାର ଅଭାବରୁ ଦହନ ଭୋଗିବାରେ ଲାଗିଛି। ଏହି ଦହନକୁ ଶୀତଳ କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯିବାର ସମୟ ଏବେ ଉପନୀତ।

ମହାଭାରତରେ ବର୍ଣ୍ଣିତ ଅଛି କିଭଳି ଯୁଦ୍ଧର ଅବ୍ୟବହିତ ପୂର୍ବରୁ ନିଜ ଜ୍ଞାତି ପରିଜନଙ୍କୁ ହତ୍ୟା କରାଯିବାର ବାଧୢବାଧକତାକୁ ଏଡ଼ାଯାଇ ନ ପାରିବା କାରଣରୁ ବିଷାଦବୋଧ ଦ୍ବାରା ଜର୍ଜରିତ ମହାବୀର ଅର୍ଜୁନ ଅସ୍ତ୍ର ପରିତ୍ୟାଗ କରିଥିଲେ। ସେତିକି ବେଳେ ତାଙ୍କ ନିକଟରେ ଏକ ମନୋଚିକିତ୍ସକ ରୂପରେ ଉପସ୍ଥିତ ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ସ˚ଳାପ ବଳରେ ଅର୍ଜୁନଙ୍କ ଠାରେ ଶକ୍ତି ଓ ସ୍ପୃହାର ସ˚ଚାର କରିଥିଲେ। ସେହି ବିଷାଦ ଯୋଗରୁ ଅର୍ଜୁନ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲେ ଯେ ମହାଭାରତ ଯୁଦ୍ଧର ସ୍ବରୂପ ଭିନ୍ନ ପ୍ରକାରେ ହୋଇଥାଆନ୍ତା, ତାହା କହିବା ବାହୁଲ୍ୟ ମାତ୍ର। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ କରୋନା ପାନ୍‌ଡେମିକ୍‌ କାଳରେ ମେଦ ବହୁଳତା ଏକ ଶାରୀରିକ ଅସ˚ଗତି ଭାବେ ଦୃଶ୍ୟମାନ ହେଉଥିଲେ ସୁଦ୍ଧା ଏହାର ଅନ୍ତର୍ନିହିତ କାରଣକୁ ଦୂର କରିବା ଲାଗି ମନୋଚିକିତ୍ସକଙ୍କ ନିତାନ୍ତ ଆବଶ୍ୟକତା ରହିଛି। ସେମାନେ ମନରୁ ‘ବିଷାଦ ବିୟୋଗ’ ନ କଲେ କରୋନା ପାନ୍‌ଡେମିକ୍‌ ଅପସରି ଯିବା ପରେ ମଧୢ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ମାନବ ସମାଜ ଉଭୟ ମାନସିକ ଓ ଶାରୀରିକ ଭାବେ ଦୁର୍ବିଷହ ଜୀବନ ଜିଇବାକୁ ବାଧୢ ହେବ।

ସମ୍ବନ୍ଧିତ ଖବର