କୋଷ୍ଠ-କାଠିନ୍ୟ

ସୋମବାର ଦିନ କେନ୍ଦ୍ର ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଏକ କୋଭିଡ୍ ଷ୍ଟିମ୍ୟୁଲସ୍ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ଆଠ-ସୂତ୍ରୀ ପ୍ୟାକେଜ୍‌ର ଆକାର ୬.୨୮ ଲକ୍ଷ କୋଟି ଟଙ୍କା ବୋଲି ସେ ସୂଚନା ଦେଇଛନ୍ତି। ଏହି ପ୍ୟାକେଜ୍‌ରେ ଯାହା ସବୁ ଅନ୍ତର୍ଭୁକ୍ତ, ତାହା ହେଲା- ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିର ସମ୍ପ୍ରସାରଣ; ପର୍ଯ୍ୟଟନ ଶିଳ୍ପକୁ ଉତ୍ସାହିତ କରିବା ପାଇଁ ମାଗଣା ଭିସା ପ୍ରଦାନ ବ୍ୟବସ୍ଥା ଏବଂ ଟ୍ରାଭେଲ୍ ଏଜେନ୍‌ସିମାନଙ୍କୁ ଋଣ; ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ସ୍କିମ୍; ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ସ୍କିମ୍ (‘ଇସିଏଲ୍‌ଜିଏସ୍’)ର ସର୍ବୋଚ୍ଚ ସୀମାରେ ୧.୫ ଲକ୍ଷ କୋଟି ଟଙ୍କାର ବୃଦ୍ଧି; ରପ୍ତାନି ବୀମା ସମ୍ପ୍ରସାରଣ ନିମିତ୍ତ ଅଧିକ ପାଣ୍ଠି ବ୍ୟବସ୍ଥା; ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଅବଧିରେ ସମ୍ପ୍ରସାରଣ; ପବ୍ଲିକ୍-ପ୍ରା‌ଇଭେଟ୍-ପାର୍ଟନର୍‌ସିପ୍ (‘ପିପିପି’), ବିଦ୍ୟୁତ୍ ବଣ୍ଟନ କମ୍ପାନି (‘ଡିସ୍‌କମ୍’) ଏବଂ ‘ଭାରତ ନେଟ୍’ ମାଧ୍ୟମରେ ଗ୍ରାମାଞ୍ଚଳରେ ବ୍ରଡ୍‌ ବ୍ୟାଣ୍ଡ୍ ଯୋଗାଣ ଆଦି ପାଇଁ ପାଣ୍ଠି ବ୍ୟବସ୍ଥା; ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ସାର ସବ୍‌ସିଡି ପାଇଁ ପାଣ୍ଠି ବ୍ୟବସ୍ଥା।
ଯଦି ତଳେଇ କରି ଦେଖାଯାଏ, ତେବେ ଯାହା ଜଣାପଡ଼େ, ତାହା ହେଲା ଘୋଷିତ ୬.୨୮ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟରୁ ସରକାରଙ୍କୁ ପ୍ରକୃତରେ ବଜେଟ୍ ମାଧ୍ୟମରେ ଯେତିକି ଅତିରିକ୍ତ ଖର୍ଚ୍ଚ କରିବାକୁ ହେବ, ତାହା ହେଉଛି ୪୯,୦୦୦ କୋଟି ଟଙ୍କା ମାତ୍ର। ଉପରେ ଦିଆଯାଇଥିବା ତାଲିକାରୁ ଯାହା ଅନୁମାନ କରିବା କଷ୍ଟକର ନୁହେଁ, ତାହା ହେଲା ଏହି ପ୍ୟାକେଜ୍‌ର ମୁଖ୍ୟ ଅଂଶ ହେଉଛି ଏକ ଦୀର୍ଘସୂତ୍ରୀ ସଂସ୍କାର କାର୍ଯ୍ୟକ୍ରମ ସକ୍ରିୟ କରିବା ପାଇଁ ଉଦ୍ୟମ- ସ୍ବାସ୍ଥ୍ୟ ସେବାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ବ୍ରଡ୍ ବ୍ୟାଣ୍ଡ୍ ପ୍ରସାର ପର୍ଯ୍ୟନ୍ତ। ଯେ କୌଣସି କ୍ଷେତ୍ରରେ ସଂସ୍କାର ଉଦ୍ୟମ ହେଉଛି ସର୍ବଦା ସ୍ବାଗତଯୋଗ୍ୟ, କିନ୍ତୁ ତାହା ଷ୍ଟିମ୍ୟୁଲସ୍ ଛଦ୍ମବେଶ ପରିଧାନ କରି ଆମକୁ ବହଲାଇବା ପାଇଁ ଉଦ୍ୟମ କରିବା ଉଚିତ ନୁହେଁ।

କୋଭିଡ୍-୧୯ ଆରମ୍ଭ ସମୟରୁ ଅର୍ଥମନ୍ତ୍ରୀ ଯେତେବେଳେ ଏହାର ମୁକାବିଲା ପାଇଁ ଷ୍ଟିମ୍ୟୁଲସ୍ ପ୍ୟାକେଜ୍ ଧରି ବାହାରି ପଡ଼ିଛନ୍ତି, ଦେଖାଯାଇଛି ତାହା ବସ୍ତୁତଃ ଋଣ-କୈନ୍ଦ୍ରିକ ହୋଇ ଆସିଛି: ଋଣ ମହଲତ, ଋଣ ପ୍ରସାର ଇତ୍ୟାଦି। ଏହାର ଅର୍ଥ ସରକାର ନିଜର ରାଜକୋଷ ବ୍ୟବହାର କରି ସଂକଟର ମୁକାବିଲା କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ବ୍ୟାଙ୍କ୍‌ମାନଙ୍କୁ ସମ୍ମୁଖ ସମରକୁ ପଠାଇବାକୁ ପସନ୍ଦ କରିଛନ୍ତି। ବର୍ତ୍ତମାନର ପ୍ୟାକେଜ୍‌ରେ ସରକାରଙ୍କର ସେଇ କୌଶଳର ପୁନରାବୃତ୍ତି ଜଳ ଜଳ ହୋଇ ଦେଖାଯାଉଛି।

ପ୍ୟାକେଜ୍‌ରେ ବ୍ୟାଙ୍କ୍‌ମାନଙ୍କର ଋଣଦାନ ଜନିତ ବିପଦ ଲାଘବ କରିବା ପାଇଁ ଯେଉଁ ବିଭିନ୍ନ ଗ୍ୟାରେଣ୍ଟି ବ୍ୟବସ୍ଥା କରାଯାଇଛି, ତାହାର ଆକାର ହେଉଛି ୨.୬୭ ଲକ୍ଷ କୋଟି ଟଙ୍କା। ଏଥିରୁ କେହି ଧାରଣା କରିବା ଉଚିତ ନୁହେଁ ଯେ ସରକାରଙ୍କ ବଜେଟ୍ ଉପରେ ଏହି ଆକାରର ଏକ ତତ୍‌କ୍ଷଣାତ୍ ବୋଝ ସୃଷ୍ଟି ହେବ, ଅର୍ଥାତ୍ ସରକାରଙ୍କୁ ତତ୍‌କ୍ଷଣାତ୍ ଏହି ଆକାରର ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ। ଏହା କେବଳ ସରକାରଙ୍କ ପାଇଁ ଏକ ସର୍ତ୍ତମୂଳକ ଦେୟ (କଣ୍ଟିନ୍‌ଜେଣ୍ଟ୍ ଲାଏବିଲିଟି) ସୃଷ୍ଟି କରିଥାଏ ମାତ୍ର। ଯଦି ଭବିଷ୍ୟତ୍‌ରେ କୌଣସି ଋଣଦାନକାରୀ ବ୍ୟାଙ୍କ୍ ଋଣ ଖିଲାପିର ସମ୍ମୁଖୀନ ହୁଏ, ସେତେବେଳେ ଯାଇ ସରକାର ତହବିଲରୁ ଖର୍ଚ୍ଚ କରି ବ୍ୟାଙ୍କ୍‌ର ସେ କ୍ଷତି ଭରଣା କରିବେ। ଏହି ଭବିଷ୍ୟତ୍‌ର କେବେ ଆବିର୍ଭାବ ନ ଘଟିପାରେ ବା ଯଦି ଘଟେ ସେତେବେଳକୁ ହୁଏ’ତ କୋଭିଡ୍ ଅନ୍ତର୍ଦ୍ଧାନ ହୋଇ ସାରିଥିବ।

କେହି ହୁଏ’ତ କହିପାରନ୍ତି ଯେ ଏହି ଋଣ ଗ୍ୟାରେଣ୍ଟି ସ୍କିମ୍‌ର ଲକ୍ଷ୍ୟ ନୁହେଁ ସରକାରୀ ଖର୍ଚ୍ଚରେ ବୃଦ୍ଧି ଘଟାଇବା, ଏହାର ଲକ୍ଷ୍ୟ ହେଉଛି ଅଧିକ ଅଧିକ ଋଣ ପ୍ରଦାନ କରିବା ପାଇଁ ବ୍ୟାଙ୍କ୍‌ମାନଙ୍କୁ ପ୍ରୋତ୍ସାହିତ କରିବା। କଥା ହେଲା, ସରକାରଙ୍କର ଏହି ଲକ୍ଷ୍ୟ କେତେ ଦୂର ସାଧିତ ହେବ, ତାହା ସମ୍ପୂର୍ଣ୍ଣ ରୂପେ ନିର୍ଭର କରେ ଋଣ ଦେବା ପାଇଁ ବ୍ୟାଙ୍କ୍‌ମାନଙ୍କର ଆଗ୍ରହ ଉପରେ। ସେ ପୁରୁଣା ଆପ୍ତ ବାକ୍ୟରେ କୁହାଯାଇଥିବା ଭଳି, ତୁମେ ଘୋଡ଼ାକୁ ଟାଣି ଟାଣି ପାଣି ପାଖକୁ ନେଇ ଯାଇ ପାର, କିନ୍ତୁ ଘୋଡ଼ାର ନିଜର ପିଇବାକୁ ଇଚ୍ଛା ନ ଥିଲେ ତାକୁ ତୁମେ ଜୋର୍ ଜବରଦସ୍ତ ପିଆଇ ପାରିବ ନାହିଁ। ଗତ ବର୍ଷାଧିକ କାଳ ଧରି ଯାହା ଦେଖାଯାଇଛି, ତାହା ହେଲା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ୟାଙ୍କ୍‌ମାନଙ୍କୁ ଋଣଦାନ କରିବା ପାଇଁ ଅପେକ୍ଷାକୃତ ଶସ୍ତାରେ ପାଣ୍ଠି ଉପଲବ୍‌ଧ କରାଇବା ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିଥିଲେ ହେଁ ସେମାନେ ଏହାର ବିଶେଷ ସଦ୍‌ବ୍ୟବହାର କରି ନାହାନ୍ତି। ବ୍ୟାଙ୍କ୍‌ମାନେ ଯାହା ବି ଋଣ ଦାନ କରିଛନ୍ତି, ତାହା ମୁଖ୍ୟତଃ ଉତ୍ତମ ପରିଶୋଧ କରିବା କ୍ଷମତାର ଅଧିକାରୀ ହୋଇଥିବା ଗ୍ରାହକମାନଙ୍କୁ ହିଁ।

ଗତ ବର୍ଷ ଦେଶରେ ବ୍ୟାଙ୍କ୍‌ମାନେ ପ୍ରଦାନ କରିଥିବା ଋଣରେ ଘଟିଥିବା ବୃଦ୍ଧି ହାର ଥିଲା ଏକ ଅପେକ୍ଷାକୃତ ନୀଚା ୫.୭ ଶତାଂଶ; ଏହି ସମୟରେ ବ୍ୟାଙ୍କ୍‌ମାନେ ଗ୍ରାହକମାନଙ୍କ ଠାରୁ ସଂଗ୍ରହ କରିଥିବା ମୋଟ ଜମା ରାଶିରେ ଘଟିଥିବା ବୃଦ୍ଧି ହାର ଥିଲା ଏହା ଠାରୁ ବହୁ ଅଧିକ- ୯.୭ ଶତାଂଶ। ଏଥିରୁ ଋଣ ଦାନ ପାଇଁ ବ୍ୟାଙ୍କ୍‌ମାନଙ୍କର କୁଣ୍ଠା କିଭଳି ଦୃଢ଼, ତାହା ସହଜରେ ବୁଝି ହୁଏ। କୋଭିଡ୍‌ର ଦ୍ବିତୀୟ ଲହର ଦେଶକୁ ଧରାଶାୟୀ କରିବା ପୂର୍ବରୁ ବ୍ୟାଙ୍କ୍‌ମାନେ ଯଦି ଋଣଜନିତ ବିପଦ ବରଣ ପ୍ରତି ଏଭଳି ବିମୁଖତା ପ୍ରଦର୍ଶନ କରୁଥିଲେ, ଦ୍ବିତୀୟ ଲହର ପରେ ସେମାନଙ୍କର ମାନସିକତା କିଭଳି ଭୂତଳ ସ୍ପର୍ଶ କରିଥିବ, ତାହା ସହଜେ ଅନୁମେୟ। ଋଣ ପ୍ରସାର ମାଧ୍ୟମରେ ବର୍ତ୍ତମାନ ଦେଖା ଦେଇଥିବା ଅର୍ଥନୈତିକ ଅବସ୍ଫୀତିର ମୁକାବିଲା କରିବା ଉଦ୍ୟମର ଏହା ହିଁ ହେଉଛି ପ୍ରଧାନ ଦୁର୍ବଳତା।

ଏଭଳି ସମୟରେ ଯାହା ଆବଶ୍ୟକ, ତାହା ହେଉଛି କୌଣସି ପ୍ରୋତ୍ସାହନ ଉପରେ ନିର୍ଭର କରୁ ନ ଥିବା ସିଧାସଳଖ ଖର୍ଚ୍ଚ, ଯାହା କେବଳ ସରକାର ହିଁ କରିପାରିବେ। ସରକାର ରାଜକୋଷରୁ ଖର୍ଚ୍ଚ କରି ସହରାଞ୍ଚଳରେ ବେକାର ହୋଇ ପଡ଼ିଥିବା ନିମ୍ନ ଆୟ ବର୍ଗର ସଦସ୍ୟମାନଙ୍କ ପକେଟ୍‌କୁ ସିଧାସଳଖ ଅର୍ଥ ପ୍ରେରଣ ବ୍ୟବସ୍ଥା କରିବା ପାଇଁ କେତେକ ଅର୍ଥନୀତି ବିଶେଷଜ୍ଞମାନେ କେବେ ଠାରୁ ଆହ୍ବାନ ଦେଇ ଆସୁଛନ୍ତି। ଏହାର ଗୋଟିଏ ଅର୍ଥପୂର୍ଣ୍ଣ ଉପାୟ ହେଉଛି ପଡ଼ିରହିଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପମାନ ତୁରନ୍ତ ସକ୍ରିୟ କରି ନୂତନ ନିଯୁକ୍ତି ଓ ଆୟର ସ୍ରୋତ ସୃଷ୍ଟି କରିବା। ଏହି ସରକାରୀ ବ୍ୟୟ-ସୃଷ୍ଟ ନୂତନ ଆୟ ଖାଉଟିଙ୍କ ଖର୍ଚ୍ଚ ମାଧ୍ୟମରେ ବଜାରରେ ପ୍ରବେଶ କରି ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟାଇବ। ଚାହିଦାରେ ଏହି ବୃଦ୍ଧି ଛୋଟବଡ଼ ଉଦ୍ୟୋଗମାନଙ୍କୁ ଉତ୍ପାଦନ ଓ ନିଯୁକ୍ତି ବୃଦ୍ଧି କରିବାରେ ପ୍ରବୃତ୍ତ କରିବ। ଏକ ପୁଣ୍ୟ ଚକ୍ରର ଆବିର୍ଭାବ ଘଟିବ।
ଏ ସମସ୍ତ ନିର୍ଭର କରେ ଏକ ଅସଲି ଫିସ୍‌କାଲ୍ ଷ୍ଟିମ୍ୟୁଲସ୍ ମାଧ୍ୟମରେ ସରକାରଙ୍କ ହାତଖୋଲା ଖର୍ଚ୍ଚ ଉପରେ। କିନ୍ତୁ ଦୁର୍ଭାଗ୍ୟର କଥା ବର୍ତ୍ତମାନର ନକଲି ଷ୍ଟିମ୍ୟୁଲସ୍ ପରେ ମଧ୍ୟ ଯାହା ଦେଖିବାକୁ ମିଳୁଛି- ଏକ କୋଷ୍ଠ କାଠିନ୍ୟଗ୍ରସ୍ତ ସରକାର।

ସମ୍ବନ୍ଧିତ ଖବର