ବର୍ଷର ଏହି ଦିନଗୁଡ଼ିକରେ ଓଡ଼ିଶାରେ ଯେଉଁ ସାଧାରଣ ଦୃଶ୍ୟଟିଏ ଦେଖିବାକୁ ମିଳେ ତାହା ହେଉଛି ରାସ୍ତାଧାରର ଗଛଗୁଡ଼ିକରେ ସବୁଜିମା ଏବ˚ ବିଦ୍ୟାଳୟ ପରିସରରେ ନାଲି ସାଧବ ବୋହୂ ଏବ˚ ଧଳା ବଗ ପରି ୟୁନିଫର୍ମ ପିନ୍ଧା ଛାତ୍ରଛାତ୍ରୀମାନଙ୍କର ସମାବେଶ। ଦେଢ଼ ବର୍ଷ ହେଲା ଦ୍ବିତୀୟ ଦୃଶ୍ୟଟି ହଜିଯାଇଛି। କାରଣ, ସ୍କୁଲ ଫାଟକ ବନ୍ଦ। କେବେ ସ୍କୁଲଗୁଡ଼ିକର ଫାଟକ ଖୋଲିବ ସେକଥା ଏ ପର୍ଯ୍ୟନ୍ତ ସରକାର ସ୍ଥିର କରିନାହାନ୍ତି।

Advertisment

ପ୍ରଶ୍ନ ଉଠୁଛି, ଆମେ ଆମର ସ୍କୁଲଗୁଡ଼ିକୁ ଏଭଳି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବା ଉଚିତ କି? ଯଦି ପୁଣି ଥରେ କୋଭିଡ୍‌ର ତୃତୀୟ ଲହର ଆସେ, ତାହା ହେଲେ କ’ଣ ଆସନ୍ତା ବର୍ଷ ମଧୢ ସ୍କୁଲଗୁଡ଼ିକ ବନ୍ଦ ରହିବ? ଏ ପ୍ରଶ୍ନଟି ଆଜି ଦୋକାନ, ବଜାର, ପାର୍ଲର ଓ ମଲ୍‌ ଖୋଲିବା ପ୍ରଶ୍ନଠାରୁ ବଡ଼ ହୋଇ ଆମ ଆଗରେ ଉଭା ହୋଇଛି। କାରଣ ଗୋଟିଏ ସ୍ବାସ୍ଥ୍ୟଗତ ବିଭୀଷିକାର ମୁକାବିଲା କରିବା ପାଇଁ ଆମେ ଆଉ ଯେଉଁ ଆବେଗିକ ଓ ମନସ୍ତାତ୍ତ୍ବିକ ବିଭୀଷିକାକୁ ଆମନ୍ତ୍ରଣ କରି ଆଣୁଛୁ ତାହାର ବିପଜ୍ଜନକ ଫଳାଫଳ ବହୁବର୍ଷ ପର୍ଯ୍ୟନ୍ତ ଭୋଗ କରିବାକୁ ପଡ଼ିବ। ଆମର ଜାଣତରେ ହେଉ ବା ଅଜାଣତରେ ହେଉ ଆମେ ଗୋଟିଏ ପିଢ଼ିର ଭବିଷ୍ୟତ ନଷ୍ଟ କରିବାକୁ ଯାଉଛନ୍ତି। ଏଠି ଏଇ ଯେଉଁ ପ୍ରଶ୍ନ ଉତ୍‌ଥାପନ କରାଯାଉଛି ତାହା ଅବଶ୍ୟ କେବଳ ଓଡ଼ିଶା ମଧୢରେ ସୀମାବଦ୍ଧ ନୁହେଁ। ଏହା ସମଗ୍ର ଭାରତର। ତେଣୁ ଭାରତର ରାଜନେତା, ପ୍ରଶାସକ, ଶିକ୍ଷାବିତ୍‌ ଏବ˚ ଚିକିତ୍ସକ ଏକାଠି ହୋଇ ଏହାର ବିକଳ୍ପ ଚିନ୍ତା କରିବା ଜରୁରି। ମୁଣ୍ତବ୍ୟଥା ଯୋଗୁଁ ମୁଣ୍ତ କାଟିଦେବା ଯେମିତି ଏକ ଠିକ୍‌ ନିଷ୍ପତ୍ତି ନୁହେଁ, କାଳେ ସ˚କ୍ରମଣ ସମସ୍ୟା ଜଟିଳ ହେବ ସେଇଆ ଆଶଙ୍କା କରି ସ୍କୁଲଗୁଡ଼ିକୁ ବର୍ଷ ବର୍ଷ ଧରି ବନ୍ଦ ରଖିବା ଆଦୌ ଠିକ୍‌ ନିଷ୍ପତ୍ତି ନୁହେଁ।
କୋଭିଡ୍‌ ପରେ ପୃଥିବୀର ବହୁ ଦେଶ ପ୍ରତିଷେଧକ ବ୍ୟବସ୍ଥା ସହ ନିଜ ନିଜର ସ୍କୁଲଗୁଡ଼ିକ ଖୋଲି ସାରିଲେଣି। ପ୍ରାୟ ନବେ ପ୍ରତିଶତ ଦେଶ ସେମାନଙ୍କର ପିଲାମାନଙ୍କୁ ସ୍କୁଲ ଯିବା ଲାଗି ଅନୁମତି ଦେଇସାରିଲେଣି। ଏଥିମଧୢରୁ ୫୬ ପ୍ରତିଶତ ଦେଶରେ ପୂରା ସମୟ ସ୍ବାଭାବିକ ଭାବରେ ସ୍କୁଲଗୁଡ଼ିକ କାମ କରୁଥିବାବେଳେ ୨୩ ପ୍ରତିଶତ ଦେଶରେ ସତର୍କତା ମୂଳକ ପଦକ୍ଷେପ ସହ ସ୍କୁଲରେ ଶିକ୍ଷାଦାନ ଆରମ୍ଭ ହୋଇଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ପନ୍ଦର ମାସ ହେଲା ଆମର ପ୍ରାୟ ପଚିଶ କୋଟି ଛାତ୍ରଛାତ୍ରୀ ଘର ଭିତରେ ବନ୍ଦୀ। ସେମାନଙ୍କ ଦୁର୍ଦଶା ପଞ୍ଜୁରି ଭିତରେ ବନ୍ଦୀଥିବା ଚଢ଼େଇ ଠାରୁ ଅଧିକ ଭଲ ନୁହେଁ। ସ୍କୁଲ କେବଳ ପାଠପଢ଼ାର ଜାଗା ନୁହେଁ, ଏହା ତାହାଠାରୁ ବହୁତ ବେଶି ଗୁରୁତ୍ବପୂର୍ଣ୍ଣ ସ୍ଥାନ। ତାହା ସେମାନଙ୍କର ସାଙ୍ଗସାଥୀଙ୍କ ସହ ମିଶିବାର ସ୍ଥାନ, ଘର ଠାରୁ ଦୂର ଆଉ ଏକ ନିରାପଦ ଜାଗା ଯୋଉଠି ସେମାନେ ଖେଳିପାରନ୍ତି, ବୁଲି ପାରନ୍ତି। ସେଇଠି ଶିକ୍ଷକମାନେ ତାଙ୍କ ସାମ୍ନାରେ ଠିଆ ହୋଇ ଶିକ୍ଷାଦାନ କରନ୍ତି ଏବ˚ ସାଙ୍ଗମାନଙ୍କ ସହ ସୃଜନମୂଳକ ପ୍ରତିଯୋଗିତାର ଆୟୋଜନ କରି ପିଲାର ଆତ୍ମିକ ବିକାଶର ରାସ୍ତା ପ୍ରଶସ୍ତ କରିଥାନ୍ତି। ଘର ଭିତରେ ଟେଲିଭିଜନ ସାମ୍ନାରେ ବସି ରହୁଥିବା ପିଲାର ଏ ଧରଣର ବିକାଶ ଅସମ୍ଭବ। କୋଭିଡ୍‌ ସମୟର କଟକଣା ପିଲାମାନଙ୍କୁ ଭୟ ଭିତରେ ବାନ୍ଧି ରଖୁଛି ଯାହା ତା’ର ମନ ଉପରେ ଖରାପ ପ୍ରଭାବ ପକାଉଛି। ଦିନରେ ଘଣ୍ଟିକିଆ କିମ୍ବା ଦିଘଣ୍ଟିଆ ଅନଲାଇନ କ୍ଲାସ୍‌ ବିଶେଷ ଫଳପ୍ରଦ ହେଉନାହିଁ। କାରଣ ଏହି ପାଠପଢ଼ା ପ୍ରକିୟାରେ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରତ୍ୟକ୍ଷ ସ˚ପର୍କ ରହୁନାହିଁ। ଏହାଛଡ଼ା ଭାରତର ଷାଠିଏ ଭାଗ ଅଭିଭାବକଙ୍କ ପାଖରେ ଅନଲାଇନ କ୍ଲାସ୍‌ ପାଇଁ ଆବଶ୍ୟକ ସ୍ମାର୍ଟଫୋନ୍‌ କିମ୍ବା ଵାଇଫାଇ ସେବା କି କମ୍ପ୍ୟୁଟର ନାହିଁ। ସ୍କୁଲ ଯାଉନଥିବାରୁ ଭାରତର ୧୦ କୋଟି ପିଲା ମଧୢାହ୍ନଭୋଜନରୁ ବଞ୍ଚିତ ହେଉଛନ୍ତି।

‘ୟୁନେସ୍କୋ’ ରିପୋର୍ଟ ଅନୁସାରେ ଗୋଟିଏ ମାସର ପାଠପଢ଼ା କ୍ଷତିର ଭରଣା ଲାଗି ସର୍ବନିମ୍ନ ଦୁଇମାସ ଦରକାର। ଅର୍ଥାତ୍‌ ୧୫ ମାସ କ୍ଷତିର ଭରଣା କରିବା ଲାଗି ଅଢ଼େଇବର୍ଷ ଦରକାର। ପୂର୍ବରୁ ଆମ ଦେଶର ଶିକ୍ଷାର ମାନ ଉଦ୍‌ବେଗଜନକ ଭାବରେ ନିମ୍ନ ମାନର ଥିଲା, ଯେଉଁଠି ଅଷ୍ଟମ ଶ୍ରେଣୀର ପିଲା ସରଳ ବାକ୍ୟକେତୋଟି ଲେଖିପାରେ ନାହିଁ କି ସହଜ ମାନସାଙ୍କଟିଏ ସମାଧାନ କରିପାରେ ନାହିଁ। ଏବେ ନୂଆ ପ୍ରକାରର ସମସ୍ୟା ସେହି ଶିକ୍ଷାର ସ୍ତରକୁ ରସାତଳଗାମୀ କରିବାର ଆଶଙ୍କା ଉପୁଜିଲାଣି।

ଏକଥା ସତ ଯେ ଜୀବନ ସବୁଠାରୁ ମୂଲ୍ୟବାନ। ମାତ୍ର ଶିକ୍ଷା, ତାଲିମ ଏବ˚ ଯୋଗ୍ୟତା ନ ଥିବା ଜୀବନ ଜୀବନ ନୁହେଁ। ଗବେଷଣାରୁ ଜଣାପଡ଼ିଛି ଯେ କୋଭିଡ୍‌ର ତୃତୀୟ ଲହର ସାନ ସାନ ପିଲାଙ୍କୁ ଅଧିକ ସ˚କ୍ରମିତ କରିବାର ଆଶଙ୍କା ଠିକ୍‌ ନୁହେଁ। ଏପର୍ଯ୍ୟନ୍ତ ଦେଖାଯାଇଛି, ସାନ ପିଲାଙ୍କ ଠାରୁ ସ˚କ୍ରମଣ ହେଉନାହିଁ ବର˚ ଅଭିଭାବକମାନଙ୍କ ପାଖରୁ ସ˚କ୍ରମଣ ଆସିଛି। ଆମ ଦେଶର ୩୬ ଭାଗ ବାପ-ମା’ ଅନଲାଇନ ଅପେକ୍ଷା ସ୍ବାଭାବିକ ଶ୍ରେଣୀକକ୍ଷ-ପାଠପଢ଼ାକୁ ପସନ୍ଦ କରିଥା’ନ୍ତି ଏବ˚ ‘ଅନ୍ତରଙ୍ଗ ଫାଉଣ୍ତେସନ’ର ଏକ ସର୍ଭେ ରିପୋର୍ଟ ଅନୁସାରେ ଶହେରେ ୬୪ ଭାଗ ପିଲା ସ୍କୁଲ ଯିବା ପାଇଁ ଆଗ୍ରହୀ। ଘରେ ବସି ବସି ସେମାନେ ଚିଡ଼ିଚିଡ଼ା ହୋଇଗଲେଣି। କାହାରି ସାଙ୍ଗେ ସ˚ପର୍କର ପ୍ରଥମ ସୋପାନ ହେଲା ତାକୁ ଦେଖି ହସିଦେବା। ପନ୍ଦର ମାସ ହେଲା ମୁଖାପିନ୍ଧା ଚେହେରା ପ୍ରକୃତ ହସଠାରୁ ଦୂରରେ ରହିଛି। ସାଙ୍ଗସାଥୀ ନାହାନ୍ତି, ଖେଳକୁଦ ନାହିଁ, ହାଟ ବଜାର ନାହିଁ କି କୌଣସି ପ୍ରକାର ମନୋର˚ଜନ ନାହିଁ। ସେଇ ସମାନ ଲୋକମାନଙ୍କୁ ଦିନରାତି ଦେଖି ଦେଖି ପିଲା ବ୍ୟତିବ୍ୟସ୍ତ। ଏହାଦ୍ବାରା ତା’ର ସ୍ବାସ୍ଥ୍ୟଗତ ସମସ୍ୟାମାନ ଦେଖାଯାଉଛି। ଅଧିକ ସମୟ ବସି ରହି ଟେଲିଭିଜନ ଦେଖୁଥିବା ପିଲାମାନଙ୍କ ଆଖି ଶୀଘ୍ର ଖରାପ ହେବା ଆଶଙ୍କା ଯେମିତି ଅମୂଳକ ନୁହେଁ, ଗୋଟିଏ ଜାଗାରେ ଦୀର୍ଘ ସମୟ ବସି ରହିବା ଦ୍ବାରା ମୋଟାପଣ ରୋଗର ଶିକାର ହେବା ସେମିତି ଅମୂଳକ ନୁହେଁ।

୨୦୦୩ର ଚୀନା ‘ସାର୍ସ’ ସମୟରେ ଦେଖାଯାଇଥିଲା ଯେ ଗୋଟିଏ ଜାଗାରେ ବସି ରହୁଥିବା ସାନ ପିଲା ବିଳମ୍ବରେ ଚାଲିବା ଶିଖିଥିଲେ। ଏହି ପ୍ରକାର ପରିସ୍ଥିତି ପିଲା ମୁହଁରୁ ହସ ଛଡ଼େଇ ନିଏ। ସ୍କୁଲଗୁଡ଼ିକ ବନ୍ଦ ହେବା ଦ୍ବାରା ଯେ ଭାଇରସ୍‌ ନିୟନ୍ତ୍ରିତ ହେବ ତାହାର କୌଣସି ସତ୍ୟତା ନାହିଁ। କାରଣ ସ୍କୁଲଗୁଡ଼ିକ ସ˚କ୍ରମଣର ସ୍ଥାନ ନୁହେଁ। ବର˚ ରୢାଲି, ସମାବେଶ, ଶୋଭାଯାତ୍ରା, ଧାର୍ମିକ ଅନୁଷ୍ଠାନ ଏ ପ୍ରକାର ସ˚କ୍ରମଣ ଲାଗି ଅଧିକ ଦାୟୀ। ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ଓ ପାଠପଢ଼ା ସମସ୍ୟା ଏକ ଜାତୀୟ ସମସ୍ୟା। ଏଥିପାଇଁ ଗମ୍ଭୀର ମାନସ-ମନ୍ଥନ ଆବଶ୍ୟକ। ହୁଏ’ତ ସବୁଦିନ ଶହେ ପ୍ରତିଶତ ଉପସ୍ଥାନ ନ ନେଇ ପ୍ରତିଦିନ ଶତକଡ଼ା ୨୫ ପିଲାଙ୍କୁ ସ୍କୁଲକୁ ଆସିବା ଲାଗି ଅନୁମତି ଦିଆଯାଇପାରେ। ଏହାଦ୍ବାରା ଶିକ୍ଷକମାନଙ୍କ ଉପରେ ଅଧିକ ଚାପ ପଡ଼ିଲେ ବି ଅନଲାଇନ ପାଠପଢ଼ା ଠାରୁ ଏହା ଅଧିକ କଷ୍ଟଦାୟକ ନୁହେଁ। ଦ୍ବିତୀୟ କଥା ହେଲା ସ୍କୁଲ ପିଲାମାନଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟିକାକରଣ କାମ ପ୍ରାଥମିକତା ସହ ସ˚ପନ୍ନ ହେବା ଆବଶ୍ୟକ। ପିଲାମାନଙ୍କ ସ୍ବାସ୍ଥ୍ୟ ଜଗିବା ପାଇଁ ସ୍କୁଲଗୁଡ଼ିକ ‘ହେଲ୍‌ଥ ଆପ୍‌’ ପ୍ରସ୍ତୁତ କରି ନିଜ ଛାତ୍ରଛାତ୍ରୀଙ୍କ ସମସ୍ୟା ଉପରେ ନିରବଚ୍ଛିନ୍ନ ନଜର ରଖିପାରିବେ। ସ୍କୁଲରେ ଭିଡ଼ଭଡ଼କାର ଆଶଙ୍କାକୁ ସହଜରେ ହ୍ରାସ କରାଯାଇପାରିବ ଏବ˚ ସେଥିପାଇଁ ସମୟ ନିର୍ଘଣ୍ଟକୁ ବଦଳା ଯାଇପାରିବ। ସବୁଠାରୁ ବଡ଼କଥା ହେଉଛି, ନିୟମିତ ବ୍ୟବଧାନରେ ଶିକ୍ଷକ-ଅଭିଭାବକ ଆଲୋଚନା ଦ୍ବାରା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସ˚ପର୍କରେ ଖବର ରଖାଯାଇପାରିବ।

ବର୍ତ୍ତମାନ ସରକାର ପାଞ୍ଚବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ମାସ୍କ ପରିଧାନରେ ଥିବା କଟକଣା କୋହଳ କରିଛନ୍ତି। ଆଶା କରାଯାଉଛି, ଖୁବ୍‌ ଶୀଘ୍ର ସାନ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ଏବ˚ ଏହା ସମସ୍ତଙ୍କର ମନସ୍ତାତ୍ତ୍ବିକ ଶକ୍ତି ବୃଦ୍ଧି କରିବ। ତେଣୁ ବର୍ତ୍ତମାନ ଠାରୁ ସ୍କୁଲଗୁଡ଼ିକ କିଭଳି ପର୍ଯ୍ୟାୟକ୍ରମେ ଖୋଲି ପାଠପଢ଼ା କାର୍ଯ୍ୟ ଚାଲିପାରିବ ସେ ଦିଗରେ ଉଦ୍ୟମ ଆରମ୍ଭ ହେବା ଜରୁରି। ରୋଗର ମୁକାବିଲା ପାଇଁ ପାଠପଢ଼ା ବନ୍ଦ କରିବା କି ସ୍କୁଲ ଗୁଡ଼ିକରେ ତାଲା ପକେଇ ଦେବା ଆଦୌ ଏକ ସମାଧାନ ନୁହେଁ। ଏଥିଯୋଗୁଁ ଅନେକ ପିଲା ଏବେ ପାଠପଢ଼ା ଛାଡ଼ିଲେଣି। ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧୢ ଚାକିରି ହରାଉଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏ ଦିଗରେ ଟାସ୍କଫୋର୍ସ ଗଠନ କରି କିଭଳି ପୁଣି ସ୍କୁଲରେ ଘଣ୍ଟା ବାଜିବ ଏବ˚ ସ୍କୁଲର ପଡ଼ିଆ ସାନ ସାନ ପିଲାମାନଙ୍କର ଧାଁ ଦଉଡ଼ରେ ମୁଖରିତ ହେବ, ସେଥିପ୍ରତି ଧୢାନ ଦେବା ଜରୁରି।