ଭାରତର ପେଟ୍ରୋଲିଅମ-ଦ୍ରବ୍ୟର ଆମଦାନି ବିଲ୍ ସ˚ପର୍କରେ ଏକ ବିଶେଷଜ୍ଞ କମିଟିର ଆକଳନ କହେ ଯେ ଯାନବାହନଗୁଡ଼ିକର ଏହି ଖାଦ୍ୟ(ଇନ୍ଧନ) ଉପଲବ୍ଧ କରିବା ସକାଶେ ଗଲା ବର୍ଷ ଭାରତ ତାହା ଆମଦାନି କରିବାରେ ବ୍ୟୟ କରିଥିଲା ଏକ ଅତ୍ୟନ୍ତ ବିଶାଳ ପରିମାଣର ଅର୍ଥ ରାଶି, ଅର୍ଥାତ୍ ୫୫ ବିଲିଅନ୍ ଆମେରିକୀୟ ଡଲାର। ସୁତରା˚, ପ୍ରତି ବର୍ଷ ହେଉଥିବା ଏଭଳି ନିୟମିତ ବ୍ୟୟ ଭାରକୁ ହ୍ରାସ କରିବା ଲାଗି ୨୦୧୮ରେ ପ୍ରସ୍ତୁତ ‘ଜୈବ ଇନ୍ଧନ ନୀତି’ (ବାୟୋ ଫୁଏଲ୍ ପଲିସି)ରେ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ଯେ ୨୦୩୦ ସୁଦ୍ଧା ଭାରତ ଉଦ୍ଭିଦଜାତ ଇଥାନଲ ପ୍ରସ୍ତୁତ କରି ଗାଡ଼ିରେ ବ୍ୟବହାର ଲାଗି ପେଟ୍ରୋଲ ସହିତ ତା’ର ଏକ ୨୦ ପ୍ରତିଶତ ‘ବ୍ଲେଣ୍ତ୍’ ବା ମିଶ୍ରଣର ବ୍ୟବସ୍ଥା କରିବ, ଯଦ୍ଦ୍ବାରା ଏହି ଆମଦାନି ବ୍ୟୟରୁ ବର୍ଷକୁ ପ୍ରାୟ ୩୩ ହଜାର କୋଟି ଟଙ୍କା ହ୍ରାସ ହେବ। ଏହା ଯେ ଏକ ପ୍ରଶ˚ସାଯୋଗ୍ୟ ନିଷ୍ପତ୍ତି, ତାହା କହିବା ଅନାବଶ୍ୟକ। କିନ୍ତୁ ଏହି ପରିପ୍ରେକ୍ଷୀରେ ସଦ୍ୟ ନିଆଯାଇଥିବା ଆଉ ଏକ ନିଷ୍ପତ୍ତି ଏକ ମୃଦୁ ବିବାଦ ସୃଷ୍ଟି କରିବା ସହିତ ଏହି ଉତ୍ତମ ଉଦ୍ୟମକୁ କେନ୍ଦ୍ର କରି ଏକ ନୈତିକତାର ପ୍ରଶ୍ନ ମଧୢ ଛିଡ଼ା କରାଇଛି, ଯେଉଁ ବିଷୟରେ ଏକ ସ˚କ୍ଷିପ୍ତ ଆଲୋଚନା ପ୍ରାସଙ୍ଗିକ ବୋଲି ମନେ ହୋଇଥାଏ।
ଗଲା ଜୁନ୍ ମାସରେ ‘ନିତି ଆୟୋଗ’, ପେଟ୍ରୋଲ ଏବ˚ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏବ˚ ସଡ଼କ ପରିବହନ ମନ୍ତ୍ରଣାଳୟର ପଦସ୍ଥ ଅଧିକାରୀମାନଙ୍କ ଦ୍ବାରା ଏ ସମ୍ବନ୍ଧରେ ଏକ ବିସ୍ତୃତ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ୨୦୨୦ ଡିସେମ୍ବର ମାସରେ ‘କ୍ୟାବିନେଟ୍ କମିଟି ଅଫ୍ ଇକୋନୋମିକ୍ସ ଆଫାୟାର୍ସ’ ଦ୍ବାରା ଧାନ, ଗହମ, ବାର୍ଲି, ଆଖୁ ଆଦିରୁ ଇଥାନଲ ପ୍ରସ୍ତୁତିକୁ ଅନୁମୋଦନ କରାଯାଇଥିଲା। କେବଳ ସେତିକି ନୁହେଁ, ଏହି ଉଦ୍ୟମରେ ଅଧିକ ବେଗ ସ˚ଚାର କରାଯାଇ ଗାଡ଼ିଗୁଡ଼ିକ ଲାଗି ଏହି ମିଶ୍ରିତ ଇନ୍ଧନର ବ୍ୟବହାରକୁ ୨୦୨୫ ସୁଦ୍ଧା ଅର୍ଥାତ୍ ପାଞ୍ଚ ବର୍ଷ ପୂର୍ବରୁ ସମ୍ଭବ କରାଯିବାର ପ୍ରୟାସ ମଧୢ ଆରମ୍ଭ ହେଲା। ତେବେ, ଏହି ସ˚ଦର୍ଭରେ ନିକଟରେ ‘ଇଣ୍ତିଆନ୍ ଏକ୍ସପ୍ରେସ୍’ରେ ପ୍ରକାଶିତ ଏକ ସମ୍ବାଦ ଭ୍ରୂକୁ˚ଚନ ସୃଷ୍ଟି କରିଥାଏ, ଯହିଁରେ କୁହାଯାଇଛି ଯେ ଇଥାନଲ ପ୍ରସ୍ତୁତି ଲାଗି ସାଧାରଣ ବଣ୍ଟନ ବ୍ୟବସ୍ଥା ବା ‘ପି.ଡି.ଏସ୍.’ରେ ଉପଲବ୍ଧ ଥିବା ଚାଉଳରୁ ୭୮୦୦୦ ଟନ୍ ଅପସାରଣ କରାଯିବାର ନିଷ୍ପତ୍ତି ନିଆଯାଇଛି। କହିବା ବାହୁଲ୍ୟ ଯେ ଭାରତ ଭଳି ଏକ ବୁଭୁକ୍ଷୁ ଏବ˚ ଅପପୁଷ୍ଟ ରାଷ୍ଟ୍ର ଲାଗି ଏଭଳି ଏକ ନିଷ୍ପତ୍ତି ଅନୈତିକ ବୋଲି ପ୍ରତୀୟମାନ ହୋଇଥାଏ। ସୂଚନାଯୋଗ୍ୟ ଯେ ୨୦୨୦ ମସିହାର ‘ବିଶ୍ବ କ୍ଷୁଧା ସୂଚକାଙ୍କ’ ତାଲିକା ଅନୁସାରେ ୧୦୭ ଦେଶ ମଧୢରେ ଭାରତର ସ୍ଥାନ ଥିଲା ଅତ୍ୟନ୍ତ ନିମ୍ନରେ ଅର୍ଥାତ୍ ୯୪ତମ ସ୍ଥାନରେ। ବା˚ଲାଦେଶ, ନେପାଳ, ମ୍ୟାମାର ଓ ଶ୍ରୀଲଙ୍କା ଭଳି ଭାରତର ପଡ଼ୋଶୀ ଦେଶଗୁଡ଼ିକ ଏହି ତାଲିକାରେ ଭାରତ ଠାରୁ ଉଚ୍ଚତର ସ୍ଥାନରେ ଅଛନ୍ତି। ଏଭଳି ସ୍ଥଳେ ଭାରତରେ ବୁଭୁକ୍ଷୁଙ୍କ ଲାଗି ଉଦ୍ଦିଷ୍ଟ ଖାଦ୍ୟାନ୍ନକୁ ଗାଡ଼ିମଟରର ଖାଦ୍ୟ ରୂପେ ବ୍ୟବହାର କରିବା ଯେ ଅସମୀଚୀନ, ଏଭଳି ମତ ପ୍ରକାଶ ପାଇବାରେ ଲାଗିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଗୋଦାମରେ ନଷ୍ଟ ହୋଇଯାଇ ମଣିଷର ବ୍ୟବହାର ଲାଗି ଅନୁପଯୋଗୀ ହୋଇ ଯାଇଥିବା ଧାନ ବା ଚାଉଳକୁ ଇଥାନଲ ପ୍ରସ୍ତୁତିରେ ବ୍ୟବହାର କରାଯିବ, ଯାହାର ବର୍ତ୍ତମାନର ପରିମାଣ ହେଉଛି ୪ ଲକ୍ଷ ଟନ୍। ତେବେ ‘ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ତିଆ’ର ଏକ ସୂଚନା ଅନୁସାରେ ୨୦୨୦-୨୧ରେ ୬୯୦ ଲକ୍ଷ ଟନ୍ ଖାଦ୍ୟାନ୍ନ ବିତରଣ କରାଯାଇଥିବା ବେଳେ ନଷ୍ଟ ହୋଇଥିବା ଖାଦ୍ୟାନ୍ନର ପରିମାଣ ଥିଲା ମାତ୍ର ୧୮୫୦ ଟନ୍। ସୁତରା˚, ଉପରେ ପ୍ରଦତ୍ତ ବିଶେଷଜ୍ଞ କମିଟିର ତଥ୍ୟ କେବଳ ଯେ ଏକ ବିଭ୍ରାନ୍ତି ସୃଷ୍ଟି କରିଥାଏ, ତାହା ନୁହେଁ; ଏହା ଏକ ସନ୍ଦେହ ମଧୢ ଉତ୍ପନ୍ନ କରିଥାଏ ଯେ ଇଥାନଲ ଲାଗି ଏକ ବୃହତ୍ ପରିମାଣର ଖାଦ୍ୟୋପଯୋଗୀ ଅନ୍ନର ଉପଯୋଗ କରାଯିବା ବେଶ୍ ସମ୍ଭବ।
ଏହି ପ୍ରସଙ୍ଗରେ ଗଲା ବର୍ଷ ‘ଅଜିମ ପ୍ରେମ୍ଜି ବିଶ୍ବବିଦ୍ୟାଳୟ’ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ କରୋନା ପାନ୍ଡେମିକ୍ର ପ୍ରଥମ ତରଙ୍ଗ କାଳରେ ଲକ୍ଡାଉନ୍ କାରଣରୁ ଭାରତର ଗ୍ରାମାଞ୍ଚଳରେ ଦରିଦ୍ରଙ୍କ ସ˚ଖ୍ୟାରେ ୧୫% ଏବ˚ ସହରାଞ୍ଚଳରେ ସେମାନଙ୍କ ସ˚ଖ୍ୟାରେ ୨୦% ବୃଦ୍ଧି ଘଟିଥିଲା। ଏବେ ସ˚କ୍ରମଣର ଦ୍ବିତୀୟ ତରଙ୍ଗ କାଳୀନ ଭୟାବହତା ଦୃଷ୍ଟିରୁ ଲକ୍ଡାଉନ୍ ଏବ˚ ଚିକିତ୍ସାଜନିତ ବ୍ୟୟ କାରଣରୁ ଯେ କେତେ ଗୁଣ ଅଧିକ ସ˚ଖ୍ୟକ ନୂତନ ଦରିଦ୍ର ତହିଁରେ ଯୋଡ଼ି ହୋଇଥିବେ, ତାର କଳନା କରିବା କଷ୍ଟକର। ସୁତରା˚, ଏହି ନୂଆ ଦରିଦ୍ରମାନଙ୍କ ସକାଶେ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ଲାଗି ସେମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ଯାହା ଅଧିକ ପରିମାଣର ଖାଦ୍ୟାନ୍ନ ଆବଶ୍ୟକ କରିବ। ଏଭଳି ସ୍ଥଳେ ଦରିଦ୍ରଙ୍କ ଥାଳିରୁ ନେଇ ଗାଡ଼ିର ଉଦର (ଟାଙ୍କି) ଶାନ୍ତି କରିବାର ନିଷ୍ପତ୍ତି କେବଳ ଅପରିଣାମଦର୍ଶୀ ନୁହେଁ, ଅମାନବୀୟ ଭଳି ଲାଗେ।
ଏହା ମଧୢ ବିବେଚନାଯୋଗ୍ୟ ଯେ ଇଥାନଲ ପ୍ରସ୍ତୁତି ସକାଶେ ଖାଦ୍ୟାନ୍ନର ବ୍ୟବହାର ଯେ ଏକ ନିର୍ବିକଳ୍ପ ବାଧୢବାଧକତା; ତାହା ମଧୢ ନୁୁହେଁ। ଉଲ୍ଲେଖଯୋଗ୍ୟ ଯେ ଆମ ଦେଶରେ ଚିନିର ଏକ ଅତ୍ୟନ୍ତ ବିଶାଳ ଅତିରିକ୍ତ ଷ୍ଟକ୍ ମହଜୁଦ ରହିଛି। ଭାରତରେ ପ୍ରତି ବର୍ଷ ପ୍ରାୟ ୩୦୦ ଲକ୍ଷ ଟନ୍ ଚିନି ପ୍ରସ୍ତୁତ ହୋଇଥାଏ, ଯହିଁରୁ ୨୫୦ ଲକ୍ଷ ଟନ୍ ଘରୋଇ ବ୍ୟବହାର ଲାଗି ବ୍ୟବହୃତ ହୋଇ ଅବଶିଷ୍ଟ ରପ୍ତାନି ହୋଇଥାଏ। ତେବେ, ସ˚ପ୍ରତି ଅନ୍ତର୍ଜାତୀୟ ବଜାରରେ ଚିନି ଦରରେ ହ୍ରାସ ହେତୁ ଭାରତର ରପ୍ତାନି-ଉଦ୍ଦିଷ୍ଟ ଚିନିର ଏକ ବିଶାଳ ଭଣ୍ତାର ରହିଛି। କେବଳ ସେତିକି ନୁହେଁ; ସ୍ବାସ୍ଥ୍ୟ ଲାଗି ଚିନି ଅହିତକର ବୋଲି ଦ୍ରୁତ ପ୍ରସାରିତ ଜ୍ଞାନ ଦ୍ବାରା ସଚେତନ ହୋଇଥିବା ଭାରତୀୟମାନେ ଚିନି ବ୍ୟବହାରରେ ମଧୢ ଉଲ୍ଲେଖନୀୟ ହ୍ରାସ ଘଟାଇଲେଣି। ସୁତରା˚, ଭାରତରେ ବଳକା ଚିନିର ଭଣ୍ତାର ଯେ ଆଗକୁ ଆହୁରି ସ୍ଫୀତ ହେବାକୁ ଲାଗିବ, ତାହା ଅନୁମାନ କରିହୁଏ। ଚିନି ବିକ୍ରି ଓ ରପ୍ତାନିରେ ହ୍ରାସ ହେତୁ ଚିନି କାରଖାନାର ମାଲିକମାନେ ଆଖୁ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ମୂଲ୍ୟ ମଧ୍ୟ ପଇଠ କରି ପାରୁ ନାହାନ୍ତି। କିନ୍ତୁ ଆଖୁ ଚାଷ ଏକ ଅତ୍ୟନ୍ତ ଅର୍ଥକରୀ ଫସଲ ହୋଇଥିବାରୁ ନିୟମିତ ଭାବେ ପାଉଣା ପାଉ ନ ଥିବା ସତ୍ତ୍ବେ ଉତ୍ତରପ୍ରଦେଶ ବା ମହାରାଷ୍ଟ୍ରର ଚାଷୀମାନେ ଆଖୁ ଚାଷ କରିବାରୁ ବିମୁଖ ହେଉ ନାହାନ୍ତି। ଏଭଳି ସ୍ଥଳେ ଇଥାନଲ ପ୍ରସ୍ତୁତିରେ ଆଖୁ ଏକ ଅତ୍ୟନ୍ତ ଫଳପ୍ରଦ ବିକଳ୍ପ ବୋଲି କହିଲେ ଭୁଲ ହେବନାହିଁ। ଭାରତରେ ସରକାର ଇଥାନଲର ମୂଲ୍ୟକୁ ଅନ୍ତର୍ଜାତୀୟ ଦର ତୁଳନାରେ ଅଧିକ ଉଚ୍ଚରେ ରଖିଥିବାରୁ ଆଖୁ ଚାଷୀମାନେ ସେମାନଙ୍କ ଉତ୍ପାଦର ଠିକଣା ମୂଲ୍ୟ ପାଇବାରେ ଅସୁବିଧା ହେବାର ସମ୍ଭାବନା ମଧ୍ୟକମ୍। ସୁତରା˚, ଚିନି କଳ ମାଲିକମାନଙ୍କୁ ‘ଡିଷ୍ଟିଲେରି’ ନିର୍ମାଣ ଲାଗି ପ୍ରୋତ୍ସାହନ ଓ ରିହାତି ଆଦିର ବ୍ୟବସ୍ଥା କରାଯିବା ଉଚିତ, ଯଦ୍ଦ୍ବାରା ଇଥାନଲ ପ୍ରସ୍ତୁତି ନେଇ ସରକାରଙ୍କ ଲକ୍ଷ୍ୟ ପୂରଣରେ ବିଶେଷ ଅସୁବିଧା ହେବନାହିଁ। ଅବଶ୍ୟ, ଚଳିତ ବର୍ଷ ୨୦ ଲକ୍ଷ ଟନ୍ ଚିନିକୁ ଇଥାନଲ ପ୍ରସ୍ତୁତିରେ ବ୍ୟବହାର କରାଯାଇଛି। ଏ ପ୍ରସଙ୍ଗରେ ଆଶା କରିବା କଥା ଯେ ଆଗକୁ ଖାଦ୍ୟାନ୍ନ ପରିବର୍ତ୍ତେ ଆଖୁ ଇଥାନଲର ଏକ ସମର୍ଥ କଞ୍ଚାମାଲ ରୂପେ ପ୍ରମୁଖତା ଲାଭ କରିବ।
ଆମ ଦେଶରେ ସର୍ବାଧିକ ଧାନ ଉତ୍ତର ପଶ୍ଚିମାଞ୍ଚଳ ରାଜ୍ୟଗୁଡ଼ିକରେ ଉତ୍ପନ୍ନ ହେଉଛି। କିନ୍ତୁ, ପରିବେଶଗତ କାରଣରୁ ସେମାନଙ୍କୁ ଧାନ ଚାଷରୁ ନିରୁତ୍ସାହିତ କରାଯାଉଥିବାରୁ ସମ୍ଭବତଃ ସେମାନେ କ୍ରମେ ତହିଁରୁ ଅପସରି ଯାଇ ପାରନ୍ତି। ତାହା ହେଲେ ଧାନ ପ୍ରାଚୁର୍ଯ୍ୟର ଯେଉଁ ସ୍ଥିତି ବର୍ତ୍ତମାନ ଦୃଶ୍ୟମାନ ହେଉଛି, ତାହା ହୁଏ’ତ ରହି ନ ପାରେ। ଗାଡ଼ିର ଖାଦ୍ୟ ପ୍ରସ୍ତୁତିରେ ଚାଉଳର ବ୍ୟବହାର କରାଯାଉଥିଲେ, ସେତିକି ବେଳେ ଭାରତୀୟମାନଙ୍କ ଏହି ମୁଖ୍ୟ ଖାଦ୍ୟର ସ୍ରୋତ କ୍ଷୀଣ ହୋଇଯାଇପାରେ ଏବ˚ ବୁଭୁକ୍ଷୁଙ୍କ କ୍ଷୁଧା ପ୍ରଶମନ ଏକ ଆହ୍ବାନରେ ପରିଣତ ହୋଇଯାଇପାରେ।