ଶେଷ ସ˚କ୍ରମିତ

ବିଗତ ଦେଢ଼ ବର୍ଷ ଧରି କରୋନା ସହିତ କାଳ କାଟିଥିବା ମନୁଷ୍ୟ ସମାଜ ଏହା ଭଲ ରୂପେ ହୃଦୟଙ୍ଗମ କରିସାରିଲାଣି ଯେ ଭୂତାଣୁ ଓ ମଣିଷ ମଧୢରେ ଜାରି ରହିଥିବା ସ˚ଘର୍ଷରେ ନିଜକୁ ବଞ୍ଚାଇ ରଖିବା ଲାଗି ଭୂତାଣୁଟି ଯେଉଁ ବିଚକ୍ଷଣତାର ପରିଚୟ ଦେଇ ତା’ର ରୂପାନ୍ତର ଓ ସ୍ବଭାବାନ୍ତର ଘଟାଇ ଚାଲିଛି, ମଣିଷ ସେହି ଭଳି କରିପାରିନାହିଁ। କହିବାର ତାତ୍ପର୍ଯ୍ୟ ହେଲା, ସ˚କ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି ସମସ୍ତେ ଅବଗତ ଥିବା ଭଳି ଯେଉଁ ଶୃଙ୍ଖଳାବୋଧର ଆବଶ୍ୟକତା ରହିଛି, ତାହା ମନୁଷ୍ୟ ଏ ଯାବତ୍‌ ସ˚ପୂର୍ଣ୍ଣ ଭାବେ ଆୟତ୍ତ କରିପାରିନାହିଁ; ଯହିଁରେ ବାଧକ ସାଜିଛି ତା’ର ସ୍ବଭାବଗତ ଅହ˚କାର, ନିର୍ବୋଧତା, ଅପରିଣାମଦର୍ଶିତା ଏପରିକି ଅନ୍ୟମନସ୍କତା। କିନ୍ତୁ ଏହା ମଧୢ ଭୁଲିଗଲେ ହେବ ନାହିଁ ଯେ ଏହା ସତ୍ତ୍ବେ ଭୂତାଣୁର ଜୟଯାତ୍ରାକୁ ପ୍ରତିହତ କରିବା ଲାଗି ମଣିଷ ଦ୍ବାରା ଗଳଦ୍‌ଘର୍ମ ଉଦ୍ୟମରୁ ବିଭିନ୍ନ ଔଷଧ, ଚିକିତ୍ସା ପ୍ରଣାଳି ତଥା ଭ୍ୟାକ୍‌ସିନ୍‌ ଆଦିର ଆବିର୍ଭାବ ଘଟିଛି। କିନ୍ତୁ ଏ ସବୁର ପ୍ରତ୍ୟୁତ୍ତରରେ ଭୂତାଣୁଟି କେବଳ ଏତିକି ମାତ୍ର କରିଚାଲଛି ଯେ ଅତର୍କିତ ଭାବେ ସେ ତା’ର ରୂପ ଏବ˚ ସ୍ବଭାବରେ ପରିବର୍ତ୍ତନ ଘଟାଇ ତା’ ଉପରେ ହେଉଥିବା ଆକ୍ରମଣର ଘନଘଟା ମଧୢରେ ତିଷ୍ଠି ରହିବା ସହିତ ଅଧିକ ଭୀଷଣ ହୋଇଛି, ଯାହାର ପ୍ରମାଣ ‘ଡେଲ୍‌ଟା ଷ୍ଟ୍ରେନ୍‌’ ଏବ˚ ଯାହା ସ˚ପ୍ରତି ଏହି ପାନ୍‌ଡେମିକ୍‌ରେ ଏକ ଅଧିକ ବିଭୀଷିକାମୟ ଦୃଶ୍ୟନ୍ତର ଘଟାଇପାରେ ବୋଲି ଆଶଙ୍କା ଦୃଢ଼ୀଭୂତ ହେଉଛି। ଏହି ପରିପ୍ରେକ୍ଷୀରେ ଗଲା ଶୁକ୍ରବାର ଦିନ ‘ବିଶ୍ବ ସାସ୍ଥ୍ୟ ସ˚ଗଠନ’ର ମୁଖ୍ୟ ଟେଡ୍ରୋସ୍‌ ଆଧାନନ ଘେବ୍ରିୟେସସ୍‌ଙ୍କ ଏକ ଗମ୍ଭୀର ଚେତାବନୀ ପ୍ରଣିଧାନଯୋଗ୍ୟ, ଯହିଁରେ ସେ ଘୋଷଣା କରିଛନ୍ତି ଯେ ଅଧିକ ସ˚କ୍ରମଣଶୀଳ ଏବ˚ ଘାତକ ‘ଡେଲ୍‌ଟା’ ଖୁବ୍‌ ବିବର୍ତ୍ତନଶୀଳ ରହି ମାନବ ସମାଜ ଲାଗି ଏକ ଅତ୍ୟନ୍ତ ବିପଜ୍ଜନକ ସମୟ ସୃଷ୍ଟି କରିଛି ଓ ଆଗକୁ କରିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ମାତ୍ର ତିନି ମାସ ମଧୢରେ ପୃଥିବୀର ୯୮ଟି ଦେଶରେ ‘ଡେଲ୍‌ଟା’ ଚିହ୍ନଟ ହୋଇସାରିଲାଣି।

ନିକଟରେ ଅଷ୍ଟ୍ରେଲିଆର ସିଡ୍‌ନି ନଗରୀକୁ ଦୃଢ଼ କୋଭିଡ୍‌ କଟକଣା ମଧୢରେ ରଖାଗଲା। ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆର ଜନ-ସାନ୍ଦ୍ରତା ଅତ୍ୟନ୍ତ କମ୍‌ ହୋଇଥିବାରୁ ଏବ˚ ଏହା ଏକ ଅତ୍ୟନ୍ତ ବିକଶିତ ତଥା ଶିକ୍ଷିତ ଭୂଖଣ୍ତ ହୋଇଥିବାରୁ ଏଠାରେ କରୋନା ସ˚କ୍ରମଣର ପ୍ରାଦୁର୍ଭାବ ବିଶେଷ ନ ଥିଲା। କିନ୍ତୁ ‘ଡେଲ୍‌ଟା’ ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ସରକାର ପୁନର୍ବାର କଠୋର ପଦକ୍ଷେପ ନେବାକୁ ବାଧୢ ହୋଇଛନ୍ତି। ସେହିଭଳି ଇସ୍ରାଏଲ୍‌ ତା’ର ସମସ୍ତ ନାଗରିକଙ୍କ ସ˚ପୂର୍ଣ୍ଣ ଟିକାକରଣ କରି ନିଜକୁ ଏକ କରୋନାମୁକ୍ତ ରାଷ୍ଟ୍ର ବୋଲି ଘୋଷଣା କରି ସାରିବା ପରେ ସେହି ‘ଡେଲ୍‌ଟା’ କାରଣରୁ ଏବେ ପୁନଶ୍ଚ ମାସ୍କ୍‌ ପରିଧାନ ଓ ସାମାଜିକ ଦୂରତା ରକ୍ଷା ଭଳି ନିୟମକୁ କଡ଼ାକଡ଼ି କରିଛି। ସେହିଭଳି ଡେଲ୍‌ଟାର ବିତ୍ପାତ ୟୁନାଇଟେଡ୍‌ କି˚ଡମ୍‌ (ୟୁ.କେ.)କୁ ହତବାକ୍‌ କରି ପକାଇଛି, ଯେଉଁଠି ଗୋଟିଏ ସପ୍ତାହରେ ଡେଲ୍‌ଟା ସ˚କ୍ରମିତଙ୍କ ସ˚ଖ୍ୟାରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ଭାରତରେ କରୋନାର ଦ୍ବିତୀୟ ତରଙ୍ଗର ଅକଳ୍ପନୀୟ ଭୟାବହତା ପଛରେ ଯେ ‘ଡେଲ୍‌ଟା’ର ଅବଦାନ ସର୍ବାଧିକ, ତାହା କହିବା ବାହୁଲ୍ୟ ମାତ୍ର। ‘ଡେଲ୍‌ଟା’ର ସଦ୍ୟତମ ଭେରିଆଣ୍ଟ୍‌ ‘ଡେଲ୍‌ଟା ପ୍ଲସ୍‌’ ପ୍ରାୟ ସମସ୍ତ ପ୍ରତିଷେଧକ ଏବ˚ ଆଣ୍ଟି ଭାଇରାଲ ଔଷଧକୁ ଭୂତେଇବାରେ ସମର୍ଥ ବୋଲି ଅନେକ ଚିକିତ୍ସା ବିଜ୍ଞାନୀ ମତ ବ୍ୟକ୍ତ କରିଛନ୍ତି। ସେହି ଦୃଷ୍ଟିରୁ ଟେଡ୍ରୋସ୍‌ଙ୍କ ଚେତାବନୀର ଗୁରୁତ୍ବକୁ ନଜରଅନ୍ଦାଜ କରିହେବ ନାହିଁ।

ତେବେ ବିଗତ ଦେଢ଼ ବର୍ଷ ମଧ୍ୟରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ଏହି ଭାଇରସ୍‌ଟି ତା’ର ସ˚କ୍ରମଣରେ କୌଣସି ପାତରଅନ୍ତର ପ୍ରଦର୍ଶନ କରୁ ନ ଥିବା ବେଳେ (ଏହା ସମସ୍ତଙ୍କୁ ଓ ସବୁ ବର୍ଗକୁ ପ୍ରାୟ ଏକା ଭଳି ଆକ୍ରାନ୍ତ କରିଛି), ଏହାକୁ ପ୍ରତିରୋଧ କରିବାର ଯେଉଁ ରଣନୀତି ମନୁଷ୍ୟ ଅବଲମ୍ବନ କରିଛି, ତହିଁରେ ଭେଦଭାବ ଭରି ରହିଛି; ଯାହା ଚିକିତ୍ସା ବ୍ୟବସ୍ଥା, ଜ୍ଞାନ କୌଶଳ ଓ ଔଷଧର ଉପଲବ୍‌ଧତା ଇତ୍ୟାଦି‌େର ଅସାମ୍ୟ ଠାରୁ ଆରମ୍ଭ କରି ପ୍ରତିଷେଧକ ଅସାମ୍ୟ ପର୍ଯ୍ୟନ୍ତ ଦୃଷ୍ଟିଗୋଚର ହୋଇଛି। ସୁତରା˚, ସ˚ପ୍ରତି ଅନେକ ଦରିଦ୍ର ରାଷ୍ଟ୍ରରେ ଭ୍ୟାକ୍‌ସିନ୍‌ ଲାଗି ବୈକଲ୍ୟ ପରିଲକ୍ଷିତ ହେଉଥିବା ବେଳେ ଧନୀକ ରାଷ୍ଟ୍ରଗୁଡ଼ିକରେ ତା’ର ପ୍ରାଚୁର୍ଯ୍ୟ ଦେଖିବାକୁ ମିଳିଥାଏ। ଗଲା ୩ ତାରିଖରେ ‘ନ୍ୟୁୟର୍କ ଟାଇମ୍‌ସ’ ପତ୍ରିକାରେ ପ୍ରକାଶିତ ‘ଦ ଵାର୍ଲଡ୍‌ ଭ୍ୟାକ୍‌ସିନ ଟ୍ରାକର‌୍‌’ର ତଥ୍ୟାନୁସାରେ ଏ ଯାବତ୍‌ ପୃଥିବୀରେ ୩.୧୬ ବିଲିଅନ୍‌ ଡୋଜ୍‌ ଟିକା ଦିଆସରିଲାଣି, ଅର୍ଥାତ୍‌ ୧୦୦ ଜଣରୁ ୪୧ ଜଣ ଟିକା କବଚ ଧାରଣ କଲେଣି; କିନ୍ତୁ, ଏଥିରେ ଥିବା ଅସାମ୍ୟର ପ୍ରମାଣ ସ୍ବରୂପ ଟୋଙ୍ଗା, ଲେସୋଥୋ, ତୁର୍କମେନିସ୍ତାନ ଭଳି କିଛି ରାଷ୍ଟ୍ରରେ କେହି ଜଣେ ହେଲେ ଟିକା ନେଇ ନ ଥିବା ବେଳେ ଚାଦ, କଙ୍ଗୋ, ବର୍କିନା ପାଶୋ ଭଳି ରାଷ୍ଟ୍ରରେ ମାତ୍ର ୦.୧ ପ୍ରତିଶତ ଟିକା ନେଇଛନ୍ତି। ଏହା କେବଳ ଅଳ୍ପ କିଛି ଦୃଷ୍ଟାନ୍ତ। ଆଫ୍ରିକୀୟ ଓ ଏସୀୟ ରାଷ୍ଟ୍ରଗୁଡ଼ିକ ପ୍ରମୁଖ ଭାବେ ଏହି ଅସାମ୍ୟର ଅଧିକ ଶିକାର ହୋଇଛନ୍ତି। ଏଭଳି ଏକ ସ୍ଥିତିରେ ଫାଇଜର ଓ ମଡର୍ନା ଭଳି ଅତ୍ୟନ୍ତ ସଫଳ ଭ୍ୟାକ୍‌ସିନ ନିର୍ମାତାମାନେ ସେମାନଙ୍କ କବ୍‌ଜାରେ ଥିବା ‘ଏମ୍‌-ଆର‌୍‌.ଏନ୍‌.ଏ.’ ଜ୍ଞାନ କୌଶଳକୁ ହସ୍ତାନ୍ତର କରନ୍ତୁ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ମୁଖ୍ୟ ଟେଡ୍ରୋସ୍‌ଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। କହିବା ଅନାବଶ୍ୟକ ଯେ ଏହା ସମ୍ଭବ ହେଲେ ବିଭିନ୍ନ ଦେଶରେ ଏହାର ନିର୍ମାଣ ଓ ବିତରଣ ସମ୍ଭବ ହେବା ସହିତ ଟିକା ଅସାମ୍ୟ ଦୂର ହେବାର ବାଟ ଫିଟିବ। ଏଠାରେ ସ୍ମରଣଯୋଗ୍ୟ ଯେ ପୂର୍ବରୁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାର ଶାସନ ମୁଖ୍ୟଙ୍କ ପକ୍ଷରୁ ମଧୢ ସମାନ ଅନୁରୋଧ କରାଯାଇଥିଲା, ଯାହାକୁ ଔଷଧ କ˚ପାନି ଦ୍ବୟ କର୍ଣ୍ଣପାତ କରି ନ ଥିଲେ। ତାର କାରଣ ଯେ ଲାଭ ଅର୍ଜନ କରିବାର ଲୋଭ ତାହା ବେଶ୍‌ ଭଲ ଭାବେ ବୁଝି ହୁଏ।

କିନ୍ତୁ ଏହି ଟିକା ଅସାମ୍ୟର ଏକ ବିଡ଼ମ୍ବିତ ପରିଣାମ ହେଉଛି ଅଧିକ ଶକ୍ତିଶାଳୀ କୋଭିଡ୍‌ ଷ୍ଟ୍ରେନ୍‌ ସୃଷ୍ଟି ଲାଗି ଏକ ସୁଯୋଗ ପ୍ରଦାନ। କହିବା ବାହୁଲ୍ୟ ଯେ ବିକଶିତ ରାଷ୍ଟ୍ରଗୁଡ଼ିକ ଏହି ପାନ୍‌ଡେମିକ୍‌ଜନିତ ଆର୍ଥିକ ଦୁରବସ୍ଥା ସହ୍ୟ କରିବା ପରେ ଏବେ କଟକଣାମୁକ୍ତ ହେବା ଲାଗି ଅତ୍ୟନ୍ତ ବ୍ୟାକୁଳ ହୋଇ ପଡ଼ିଛନ୍ତି। କିନ୍ତୁ ‘ଡେଲ୍‌ଟା’ ତହିଁରେ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ଜାତ କଲାଣି। ଏଣେ, ସା˚ପ୍ରତିକ ପୃଥିବୀରେ ଧନୀ ରାଷ୍ଟ୍ରଙ୍କ ଲାଭ ଅର୍ଜନର ମୋହ ଏବ˚ ଗରିବ ରାଷ୍ଟ୍ରଙ୍କ ଜୀବିକା ଅର୍ଜନର ବାଧୢବାଧକତା ଉଭୟଙ୍କୁ ଛନ୍ଦାଛନ୍ଦି କରି ରଖିଛି। ଏଣୁ ଟିକା ଅଭାବୀ ଗରିବ ରାଷ୍ଟ୍ରଗୁଡ଼ିକରୁ ‘ଡଲ୍‌ଟା’ର ବିବର୍ତ୍ତିତ ଓ ଅଧିକ ଭୀଷଣ ବଂଶଜ ବିନା କୌଣସି ପାସ୍‌ପୋର୍ଟରେ ସ˚ପନ୍ନ ରାଷ୍ଟ୍ରଙ୍କ ସରହଦ ଅତିକ୍ରମ କରିବା ସମ୍ଭବ। ଡେଲ୍‌ଟାର ଆବିଷ୍କାର ପରେ ଅନେକ ରାଷ୍ଟ୍ର ଏହାର ପ୍ରବେଶକୁ ରୋକିବା ଲାଗି ଉଗ୍ର ପଦକ୍ଷେପ ନେଇଥିଲେ, କିନ୍ତୁ ତାହା ସଫଳ ହୋଇ ପାରିଲା କି? ସୁତରାଂ, ଏକ ବିଶ୍ବବ୍ୟାପୀ ସାର୍ବଜନୀନ ଟିକାକରଣ ପ୍ରୟାସରେ ଅଧିକ ବିଳମ୍ବ କରାଯିବା ଉଚିତ ନୁହେଁ। ସମଗ୍ର ପୃଥିବୀରେ ସ˚ପୂର୍ଣ୍ଣ ଓ ଦ୍ରୁତ ଟିକାକରଣ ହିଁ କେବଳ ସ˚କ୍ରମଣର ଶୃଙ୍ଖଳ ଭଗ୍ନ କରି ପୃଥିବୀକୁ କରୋନାମୁକ୍ତ କରିପାରିବ।

ଏହି ପରିପ୍ରେକ୍ଷୀରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ କହିଥିବା ଯେଉଁ ଗୋଟିଏ ବାକ୍ୟ ସର୍ବାଧିକ ପ୍ରାସଙ୍ଗିକ; ତାହା ହେଲା: ‘ଯେ ପର୍ଯ୍ୟନ୍ତ ଏ ପୃଥିବୀରେ ଜଣେ କେହି ବି ସ˚କ୍ରମିତ ରହିଛି, ପୃଥିବୀର କେହି ଜଣେ ହେଲେ ବି ନିରାପଦ ନୁହନ୍ତି।’ ସୁତରା˚, ପୃଥିବୀରେ ଶେଷତମ ବ୍ୟକ୍ତିଙ୍କୁ ଟିକା ଦିଆ ନ ଗଲା ପର୍ଯ୍ୟନ୍ତ ଏ ପୃଥିବୀ ସୁରକ୍ଷିତ ନୁହେଁ। କାରଣ ଏହି ଗ୍ରହର ‘ଶେଷତମ ସ˚କ୍ରମିତ’ ଜଣକ ମଧ୍ୟ ସୁପର ସ୍ପ୍ରେଡର‌୍‌ ହୋଇ ସ˚କ୍ରମଣର ଉତ୍ତାଳ ତରଙ୍ଗ ସୃଷ୍ଟି କରିପାରନ୍ତି।

ସମ୍ବନ୍ଧିତ ଖବର