ନିଜକୁ ଜାଣ!

ଗତ ବୁଧବାର ଦିନ ଭାରତର ମୁଖ୍ୟ ବିଚାରପତି ଏନ୍‌ ଭି ରମଣା ଏକ ଅଭିଭାଷଣ ପ୍ରଦାନ କରିବା ଅବସରରେ ଉଲ୍ଲେଖ କରିଥିବା ଭଳି ବହୁମତ ଭିତ୍ତିକ ନିର୍ବାଚନ ମାଧ୍ୟମରେ ସରକାର ଗଠନ ଦ୍ବାରା ଯେ ନିଷ୍ଠୁର ସ୍ବେଚ୍ଛାଚାରୀ ଶାସନକୁ ଅଟକାଇ ଦିଆ ଯାଇ ପାରେ ନାହିଁ, ତାହା ହୃଦୟଙ୍ଗମ କରିବାରେ ସେ ପ୍ରଥମ ନୁହନ୍ତି। ଜଣାଶୁଣା ଭାବେ ଏଇଭଳି ଏକ ରାଜନୈତିକ ବ୍ୟବସ୍ଥାର ନାମ ହେଉଛି ‘ଗଣତନ୍ତ୍ର’। ଲଗାତାର ବଳବତ୍ତର ରହି ଆସିଥିବା ସମ୍ବିଧାନ ଭିତ୍ତିରେ (୨୧ ଜୁନ୍, ୧୭୮୮ ଠାରୁ) ପୃଥିବୀର ସର୍ବପୁରାତନ ଗଣତନ୍ତ୍ର ହେଉଛି ଯୁକ୍ତରା‌ଷ୍ଟ୍ର ଆମେରିକା। ୧୮୩୨ ସାଲରେ ଫ୍ରାନ୍‌ସର ପ୍ରସିଦ୍ଧ ଯୁବ ଦାର୍ଶନିକ ଆଲେକ୍‌ସି ଡି ଟକେଭିଲ୍ ଆମେରିକା ଗସ୍ତରେ ଯାଇ ସେଠାରେ ନଅ ମାସ ବିତାଇ ସେଠାରେ ଚାରି ଦଶନ୍ଧି ପୂର୍ଣ୍ଣ କରି ସାରିଥିବା ଗଣତନ୍ତ୍ର କିଭଳି କାର୍ଯ୍ୟ କରୁଛି, ତାହା ଅନୁଧ୍ୟାନ କରିଥିଲେ। ସେଠାରେ ସେ ଯାହା ଦେଖିଲେ ତାହା ତାଙ୍କ ପାଇଁ ବିଶେଷ ଉତ୍ସାହଜନକ ନ ଥିଲା।

ତାଙ୍କର ସେଇ ଅନୁଭୂତିକୁ ଟ‌କେଭିଲ୍ ତିନି ବର୍ଷ ପରେ ଯେଉଁ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ, ତାହାର ଶୀର୍ଷକ ଥିଲା: ‘‘ଡେମୋକ୍ରାସି ଇନ୍ ଆମେରିକା’’ (‘‘ଆମେରିକାରେ ଗଣତନ୍ତ୍ର’’)। ସେଥିରେ ସେ ମତବ୍ୟକ୍ତ କରିଥିଲେ ଯେ ଯଦି ବା ଆମେରିକୀୟ ରାଜନୈତିକ ବ୍ୟବସ୍ଥା ମୁକ୍ତିର ଆଦର୍ଶ ଉପରେ ପ୍ରତିଷ୍ଠିତ, ତାହା ଏକ ନୂତନ କିସମର ନିଷ୍ଠୁର ସ୍ବେଚ୍ଛାଚାରକୁ ଜନ୍ମ ଦେଇଛି, ଯାହାକୁ ସେ ବର୍ଣ୍ଣନା କରିଥିଲେ: ‘‘ସଂଖ୍ୟାଗରିଷ୍ଠଙ୍କ ସ୍ବେଚ୍ଛାଚାର।’’

ତେବେ ଗଣତନ୍ତ୍ରର ଏପରି ବିପଦ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାରେ ଟକେଭିଲ୍ ପ୍ରଥମ ଦାର୍ଶନିକ ନୁହନ୍ତି। ତାଙ୍କର ବହୁ ପୂର୍ବରୁ ଗଣତନ୍ତ୍ରର ଖୁଣ ପ୍ରତି ଦୃ‌ଷ୍ଟି ଆକର୍ଷଣ କରିବା ଅପରାଧରେ ଗଣତନ୍ତ୍ରର ପୂଜାରୀମାନଙ୍କ ହାତରେ ଦଣ୍ଡ ପାଇ ଯେଉଁ ଦାର୍ଶନିକଙ୍କୁ ବିଷ ପାନ କରି ପ୍ରାଣତ୍ୟାଗ କରିବାକୁ ପଡ଼ିଥିଲା, ସେ ହେଉଛନ୍ତି ପାଶ୍ଚାତ୍ୟ ଦର୍ଶନ ଶାସ୍ତ୍ରର ଜନକ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍। ସକ୍ରେଟିସ୍ ଏଥେନ୍‌ସର ସର୍ବସାଧାରଣ ମିଳନସ୍ଥଳୀମାନଙ୍କରେ ବୁଲି ବୁଲି ଏକ ପ୍ରଶ୍ନ ପଚାରୁଥିଲେ: ‘‘ଏହା ଏକ ନିମ୍ନ ସ୍ତରର ଅନ୍ଧବିଶ୍ବାସ ନୁହେଁ କି ଯେ କେବଳ ମାତ୍ର ସଂଖ୍ୟାଗରିଷ୍ଠତାରୁ ବିଜ୍ଞତାର ଆବିର୍ଭାବ ଘଟିବ?’’ ଅପର‌ ପକ୍ଷେ ସେ ପଚାରୁଥିଲେ, ଜଣେ ଏକଲା ବ୍ୟକ୍ତିଙ୍କ ଅପେକ୍ଷା ଏକ ଗୋଠ ଭିତରେ ଥିବା ଲୋକମାନେ ଅଧିକ ମୂର୍ଖ, ଅଧିକ ହିଂସ୍ର ଏବଂ ଅଧିକ ନିଷ୍ଠୁର ହୋଇ ନଥାନ୍ତି କି? ସେ ପୁଣି ପ୍ରଶ୍ନ କରୁଥିଲେ, ଏକ ସମାଜ ତା’ର ବିଜ୍ଞତମ ବ୍ୟକ୍ତିମାନଙ୍କର ନେତୃତ୍ବ ବିନା କିପରି ମଜଭୁତ ହୋଇପାରିବ ବା ଉଦ୍ଧାର ପାଇବ?

ଏଇଭଳି ଚିନ୍ତାଧାରା ପୁଣି ପ୍ରକାଶ କରିଥିଲେ ସପ୍ତଦଶ ଶତାବ୍ଦୀର ପ୍ରସିଦ୍ଧ ବ୍ରିଟିସ୍ ଦାର୍ଶନିକ ଥମାସ୍ ହବ୍‌ସ। ଯେଉଁ ସବୁ ବିଭିନ୍ନ କିସମର ଶାସନ ବ୍ୟବସ୍ଥାମାନଙ୍କ ମଧ୍ୟରେ ସାଧାରଣତଃ ତୁଳନା କରା ହୋଇ ଆସିଛି, ସେ ଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛନ୍ତି- ରାଜତନ୍ତ୍ର, ସମ୍ଭ୍ରାନ୍ତତନ୍ତ୍ର, ମୁଷ୍ଟମେୟତନ୍ତ୍ର ଏବଂ ଗଣତନ୍ତ୍ର। ହବ୍‌ସଙ୍କ ମତରେ ଏଥି ମଧ୍ୟରୁ କୌଣସି ଏକ ‘ତନ୍ତ୍ର’ ଚୟନ କରିବା ହେଉଛି ସମ୍ପୂର୍ଣ୍ଣ ଗୁରୁତ୍ବହୀନ; ଯାହା ହେଉଛି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ‘ଶାସନ’ର ଆବଶ୍ୟକତା ବା ଅରାଜକତାର ମୂଳୋତ୍ପାଟନ।

ହବ୍‌ସ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଲେଭିଆଥାନ୍’ (ବାଇବ୍‌ଲର ଓଲ୍‌ଡ ଟେଷ୍ଟାମେଣ୍ଟ୍‌ରେ ବର୍ଣ୍ଣିତ ବିଶାଳକାୟ ସମୁଦ୍ର ସର୍ପର ନାମ)ରେ ରାଷ୍ଟ୍ରକୁ ଏକ ମନୁଷ୍ୟ ସୃଷ୍ଟ ଅତିକାୟ, ଶକ୍ତିଶାଳୀ ପ୍ରାଣୀ ରୂପେ ପରିକଳ୍ପନା କରିଥିଲେ। ହବ୍‌ସ ସେଥିରେ ଦର୍ଶାଇବାକୁ ଚାହିଁଥିଲେ ଯେ ଏହି ‘ଲେଭିଆଥାନ୍’ ହେଉଛି ମନୁଷ୍ୟମାନେ ସୃ‌ଷ୍ଟି କରିଥିବା ଏକ ସାର୍ବଭୌମତ୍ବଧାରୀ ‘କୃତ୍ରିମ ମାନବ’। ସେ ସ୍ପଷ୍ଟ କରି ଦେଇଥିଲେ ଯେ ଏହି ଶକ୍ତିଶାଳୀ କୃତ୍ରିମ ମାନବକୁ ସେମାନେ ନିଜର ଚିତ୍ତ ବିନୋଦନ ନିମିତ୍ତ ସୃଷ୍ଟି କରି ନଥାନ୍ତି; ସୃଷ୍ଟି କରିଥାନ୍ତି ଏକ ଜରୁରୀ ବାସ୍ତବ ସମସ୍ୟାର ସମାଧାନ ନିମିତ୍ତ: କୌଣସି ଆଇନକୁ ନ ମାନି ଅରାଜକତା ସୃଷ୍ଟି କରୁଥିବା ମୁନିବହୀନ ମନୁଷ୍ୟମାନଙ୍କର ହାତକୁ ଏକ ଦଣ୍ଡଦାନକାରୀ କ୍ଷମତା ଦ୍ବାରା ବାନ୍ଧିବା ପାଇଁ। ଯଦି ତା’ ନ ହୁଏ, ତା’ର ବିଷମ ପରିଣତି କ’ଣ ହେବ, ତାହାର ହବ୍‌ସ-ବର୍ଣ୍ଣିତ ଲୋମହର୍ଷଣକାରୀ ଚିତ୍ର ସହିତ ଆମେ ସମସ୍ତେ ଊଣାଅଧିକେ ସୁପରିଚିତ: ‘‘ଏବଂ ମନୁଷ୍ୟର ଜୀବନ ହେବ ଏକାକୀ ଦରିଦ୍ର, କଦର୍ଯ୍ୟ, ପଶୁତୁଲ୍ୟ ଏବଂ ସଂକ୍ଷିପ୍ତ।’’

ଏକ ଗଣତନ୍ତ୍ରରେ ଯଦି ସଂଖ୍ୟା ପ୍ରସୂତ ସ୍ବେଚ୍ଛାଚାର ଏଇ ଭଳି ଅରାଜକତା ସୃଷ୍ଟି କରେ, ତେବେ ନିଶ୍ଚିତ ରୂପେ ସେ ସମାଜ ଯାହା ଅାବଶ୍ୟକ କରେ ତାହା ଗଣତନ୍ତ୍ର ନୁହେଁ, ତାହା ହେଉଛି ଶାସନ ବା ‘କୃତ୍ରିମ ମାନବ’ର ସାର୍ବଭୌମତ୍ବର ପୁନଃ ପ୍ରତିଷ୍ଠା। ଅବଶ୍ୟ, ଏହାର ଅର୍ଥ ନୁହେଁ ଗଣତନ୍ତ୍ରର ପରିତ୍ୟାଗ। ଗଣତନ୍ତ୍ରର ଗଣ୍ଡି ଭିତରେ ଥାଇ ଯେ ଏଭଳି ସ୍ବେଚ୍ଛାଚାରକୁ ପ୍ରତିହତ କରାଯାଇ ପାରିବ, ତାହାର ଏକ ଇସାରା ନିଜର ଅଭିଭାଷଣରେ ଦେଇଛନ୍ତି ମୁଖ୍ୟ ବିଚାରପତି ରମଣା। ଏ ଗୁରୁ ଦାୟିତ୍ବ ନିର୍ବାହ କରିପାରିବ ଏକ ସ୍ବାଧୀନ, ଶକ୍ତିଶାଳୀ ନ୍ୟାୟପାଳିକା।
ଜଷ୍ଟିସ୍ ରମଣାଙ୍କର ଏତାଦୃଶ ମନ୍ତବ୍ୟ କିପରି ତାତ୍‌କାଳିକ ଗୁରୁତ୍ବ ବହନ କରିଥାଏ, ତାହା କୌଣସି ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟି ଏଡ଼ାଇ ନ ଥିବ। ବର୍ତ୍ତମାନ ଯେଉଁଠାରେ ସଂଖ୍ୟାଗରିଷ୍ଠ ସ୍ବେଚ୍ଛାଚାରକୁ କେନ୍ଦ୍ର କରି ସର୍ବାଧିକ ଆଲୋଡ଼ନ ସୃଷ୍ଟି ହେବାରେ ଲାଗିଛି, ତାହା ହେଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାସିତ ପଶ୍ଚିମବଙ୍ଗ ରାଜ୍ୟ। ସେଠାରେ ବିରାଜମାନ କରୁଥିବା ନିର୍ବାଚନ-ପରବର୍ତ୍ତୀ ହବ୍‌ସୀୟ ପରିବେଶର ବର୍ଣ୍ଣନାରେ ଗଣମାଧ୍ୟମ ଏଭଳି ଭରପୂର ଯେ ତାହାର ଅଧିକ ବର୍ଣ୍ଣନା ଏଠାରେ ନିଷ୍ପ୍ରୟୋଜନ। ତେବେ ଏଠାରେ ଏତିକି ସୂଚାଇବା ଯଥେଷ୍ଟ ହେବ ଯେ ଏ ବାବଦରେ ହେଉଥିବା ଅଭିଯୋଗମାନଙ୍କର ଅନୁସନ୍ଧାନ ପାଇଁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେଠାକୁ ଗସ୍ତ କରିଥିବା ଜାତୀୟ ମାନବାଧିକାର କମିସନ୍‌ଙ୍କର ଏକ ପ୍ରତିନିଧି ଦଳ ସେଠାରେ ଟେକାପଥର ମାଡ଼ର ସମ୍ମୁଖୀନ ହୋଇଛନ୍ତି।

ଏ ଭଳି ପରିସ୍ଥିତିର ମୁକାବିଲା ପାଇଁ ମାନ୍ୟବର ସୁପ୍ରିମ୍ କୋର୍ଟର ବିଚାରପତିମାନେ କେତେଦୂର ନିଜର ନିର୍ଭୟ ସ୍ବାଧୀନତା ବଜାୟ ରଖି ପାରିଛନ୍ତି, ଦେଖାଯାଉ। ଅଳ୍ପଦିନ ତଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଓ ତାଙ୍କ ଦଳ ବିରୋଧରେ ଆଗତ ଦୁଇଟି ଭିନ୍ନ ଭିନ୍ନ ଆବେଦନର ବିଚାର କରିବାକୁ ସେ ରାଜ୍ୟର ବାସିନ୍ଦା ଦୁଇଜଣ ମାନବ୍ୟର ବିଚାରପତି ନିଜର ନୈତିକ କୁଣ୍ଠା ପ୍ରକାଶ କରି ଓହରି ଯିବା ଦେଖାଯାଇଥିଲା। ଏହା କେବେହେଲେ ଏକ ସ୍ବାଧୀନ, ନିର୍ଭୀକ ନ୍ୟାୟପାଳିକାର ଲକ୍ଷଣ ନୁହେଁ। ଏଭଳି ପରିସ୍ଥିତିରେ ଜଣେ ବିଚାରପତିଙ୍କର ଆଦର୍ଶ ଆଚରଣ କିଭଳି ହେବା ଉଚିତ ତାହା ଅର୍ଥଶାସ୍ତ୍ରର ଜନକ ଦାର୍ଶନିକ ଆଡାମ୍ ସ୍ମିଥ୍ ୧୭୫୯ରେ ପ୍ରକାଶିତ ତାଙ୍କର ନୀତିଶାସ୍ତ୍ର ପୁସ୍ତକ ‘ଦି ଥିଓରି ଅଫ୍ ମୋରାଲ୍ ସେଣ୍ଟିମେଣ୍ଟ୍‌ସ’ (‘ନୈତିକ ମାନସିକତା ତତ୍ତ୍ବ’)ରେ ଦର୍ଶାଇଛନ୍ତି: ‘‘ସାଧାରଣ ସଦ୍‌ଗୁଣମାନଙ୍କର ଅନୁସରଣକୁ ଆମ ନିଜ ପସନ୍ଦ ଉପରେ ଛାଡ଼ି ଦିଆଯାଇପାରେ, କିନ୍ତୁ ଯେତେବେଳେ ନ୍ୟାୟର କଥା ଉଠେ- ଅପରାଧର ପ୍ରତିରୋଧ ଓ ଦଣ୍ଡ ଦାନ କଥା- ସେତେବେ‌େଳ ଆମକୁ ଆଇନର ଅନୁପାଳନରେ କଠୋରତା ଅବଲମ୍ବନ କରିବାକୁ ହେବ ଏବଂ ଆବଶ୍ୟକ ହେଲେ ବଳ ପ୍ରୟୋଗ କରିବାକୁ ହେବ।’’

ସେଇଭଳି ଗୁରୁତ୍ବପୂର୍ଣ୍ଣ ମାମଲାମାନଙ୍କରେ (ଯେମିତି ଶାହିନ୍‌ବାଗ୍ ରାସ୍ତା ଅବରୋଧ) ସୁପ୍ରିମ୍ କୋର୍ଟ ପ୍ରଦର୍ଶନ କରି ଆସିଥିବା କାଳ କ୍ଷେପଣ ନୀତିର ବହୁ ସଂଖ୍ୟକ ଉଦାହରଣର ଜଷ୍ଟିସ୍ ରମଣାଙ୍କ ମନ୍ତବ୍ୟରେ ନିହିତ ଆଭିମୁଖ୍ୟ ସହିତ ଆଦୌ ମେଳ ଖାଇ ନ ଥାଏ। ଏହି ପୃଷ୍ଠଭୂମିରେ ତେଣୁ ସେଇ ସକ୍ରେଟିସ୍‌ଙ୍କୁ ଉଦ୍ଧାର କରି ଏତିକି କୁହାଯାଇ ପାରିବ: ‘‘ଗ୍ନୋଥି ସେଅଟନ୍!’’ (‘‘ନିଜକୁ ଜାଣ!’’)

ସମ୍ବନ୍ଧିତ ଖବର