ଅସରନ୍ତି ଦିଲୀପ

ଗଲା ଶତାବ୍ଦୀର ପଞ୍ଚମ ବା ଷଷ୍ଠ ଦଶକରେ ତାରୁଣ୍ୟରେ ଥିବା ଆଜିର କେତେକ ପ୍ରବୀଣ ମନେ ପକାଇ କହିଥାଆନ୍ତି ଯେ ସେହି ସମୟରେ ଦିଲୀପ କୁମାର ଓ ମଧୁବାଲାଙ୍କ ଅଭିନୀତ ଚଳଚ୍ଚିତ୍ର ଦେଖିବା ଲାଗି କୁଆଡ଼େ ଗାଁ ଲୋକେ ଢିଙ୍କି ବନ୍ଧା ପକାଇ ଦେଉଥିଲେ। ଏହି କଥାଟିର ସତ୍ୟତା ଉପରେ ବିଶେଷ ଗୁରୁତ୍ବ ନ ଦେଇ ତହିଁରେ ନିହିତ ଥିବା ପ୍ରତୀକାତ୍ମକତାକୁ ବିଚାରକୁ ନେଲେ ବୁଝି ହୋଇଥାଏ ଯେ ସମ୍ଭବତଃ ଦିଲୀପ କୁମାର ଓ ମଧୁବାଲାଙ୍କ ଚଳଚ୍ଚିତ୍ରଗୁଡ଼ିକ ସେମାନଙ୍କ ମନର କ୍ଷୁଧା ପୂରଣ କରିବା ଲାଗି ଯେଉଁ ଖାଦ୍ୟ ପରିବେଷଣ କରୁଥିଲେ, ତହିଁରେ ସେମାନଙ୍କ ପେଟ ମଧୢ ପୂରି ଯାଉଥିବ ଏବ˚ ସେଥି ଲାଗି ଧାନରୁ ଚାଉଳ ବାହାର କରୁଥିବା ଢିଙ୍କି ନାମକ କଳଟିର ମାଲିକାନା କିଛି ଦିନ ଲାଗି ହରାଇ ବସିବାରେ ହୁଏ’ତ ସେମାନଙ୍କ ବିଶେଷ ଅବସୋସ ନ ଥିବ। ଉଲ୍ଲେଖଯୋଗ୍ୟ ଯେ ମଧୁବାଲାଙ୍କ ଦେହାନ୍ତ ହୋଇଯାଇଥିଲା ମାତ୍ର ୩୬ ବର୍ଷ ବୟସରେ। କିନ୍ତୁ ଦିଲୀପ କୁମାରଙ୍କ ସଫଳତାର କାହାଣୀ ବିରାମଶୂନ୍ୟ ରହି ଏକ ଗାଥାରେ ପରିଣତ ହୋଇଥିଲା ଏବ˚ ତାଙ୍କ ଦ୍ବାରା ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ଏହା ପ୍ରମାଣ କରି ଚାଲିଥିଲା ଯେ ତାଙ୍କ ଭଳି ଚମକପ୍ରଦ ଅଭିନେତା ବୋଧହୁଏ ଏହି ଭୂଖଣ୍ତରେ କଦବା କେମିତି ସମ୍ଭବ ହୋଇଥାଆନ୍ତି। କହିବା ବାହୁଲ୍ୟ ଯେ ସେ ତାଙ୍କର ସମ୍ମୋହନକାରୀ ଅଭିନୟ ବଳରେ ଏକ ଯୁଗର ପ୍ରବର୍ତ୍ତନ କରିଥିଲେ। ତେଣୁ ଗଲା ବୁଧବାର ଦିନ ଅଠାନବେ ବର୍ଷ ବୟସରେ ତାଙ୍କର ଦେହାବସାନକୁ ଏକ ‘ଯୁଗର ପରିସମାପ୍ତି’ ବୋଲି ଅଭିହିତ କରାଯାଉଛି।

ଦିଲୀପଙ୍କ ଅଭିନୟ ସମ୍ବନ୍ଧରେ ମତ ପ୍ରଦାନ କରି କି˚ବଦନ୍ତୀୟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସତ୍ୟଜିତ ରାୟ ଏକଦା କହିଥିଲେ ଯେ ଦିଲୀପ କୁମାର ହେଉଛନ୍ତି ‘ମେଥଡ୍‌ ଆକ୍ଟି˚’ର ଏକ ଉଚ୍ଚତମ ଉଦାହରଣ। ଉଲ୍ଲେଖଯୋଗ୍ୟ ଯେ ‘ମେଥଡ୍‌ ଆକ୍ଟି˚’ ହେଉଛି ସେହି ଅଭିନୟ ଶୈଳୀ, ଯହିଁରେ ଅଭିନେତା କୌଣସି ଚରିତ୍ରରେ ଅଭିନୟ କଲା ବେଳେ ଅବଲୀଳା କ୍ରମେ ସତେ ଯେମିତି ସେହି ଚରିତ୍ରରେ ହିଁ ପରିଣତ ହୋଇ ଯାଇଥାଏ। ପୃଥିବୀର ସର୍ବୋକୃଷ୍ଟ ‘ମେଥଡ୍‌ ଆକ୍ଟର’ ଭାବେ ଅନେକ ସମୟରେ ଯେଉଁ ହଲିଉଡ୍‌ ଅଭିନେତା ମାର୍ଲନ ବ୍ରାଣ୍ତୋଙ୍କ ଦୃଷ୍ଟାନ୍ତ ଦିଆଯାଏ; ଦିଲୀପ କୁମାର ତାଙ୍କ ସହିତ ତୁଳନୀୟ ବୋଲି ବିଶିଷ୍ଟ ଚଳଚ୍ଚିତ୍ର ସମୀକ୍ଷକ ଏବ˚ ‘ଫିଲ୍‌ମଫେୟାର’ ପତ୍ରିକାର ପୂର୍ବତନ ସ˚ପାଦକ ଖଲିଦ ମହମ୍ମଦ ଏକଦା ମତ ଦେଇଥିଲେ। କହିବା ଅନାବଶ୍ୟକ ଯେ ଦିଲୀପ କୁମାରଙ୍କ ଅଭିନୟର ଐନ୍ଦ୍ରଜାଲିକ ପ୍ରଭାବକୁ ସ୍ବୀକୃତି ପ୍ରଦାନ କରି ପରବର୍ତ୍ତୀ ପିଢ଼ିର ତିନି ଜଣ ସୁପର‌୍‌ ଷ୍ଟାର୍‌ ରାଜେଶ ଖାନ୍ନା, ଅମିତାଭ ବଚନ ଏବ˚ ଶାହରୁଖ ଖାଁ ତାଙ୍କୁ ଅନୁସରଣ ଏପରି କି ଅନୁକରଣ କରିଥିବା ବିଷୟ ସ୍ବୀକାର କରିଛନ୍ତି। ଦୁଃଖାନ୍ତ ସିନେମାଗୁଡ଼ିକର ଅପ୍ରତିଦ୍ବନ୍ଦ୍ବୀ ନାୟକ ହୋଇଥିବାରୁ ଭାରତୀୟ ଚଳଚ୍ଚିତ୍ର-ପ୍ରେମୀମାନେ ତାଙ୍କୁ ‘ଟ୍ରାଜେଡି କିଙ୍ଗ୍‌’ ବୋଲି ସମ୍ବୋଧନ କରୁଥିଲେ। କିନ୍ତୁ ଏଣେ ଜଣେ ‘ମେଥଡ୍‌ ଆକ୍ଟର’ ଭାବେ ଚରିତ୍ରଟିର କାରୁଣ୍ୟକୁ ନିଜ ଜୀବନ ମଧୢରେ ବଞ୍ଚାଇ ରଖିବାର ପ୍ରୟାସ ତାଙ୍କୁ ଗଭୀର ମାନସିକ ଅବସାଦ ମଧୢକୁ ଠେଲି ଦେଇଥିଲା, ଯେଉଁ କାରଣରୁ ମନୋଚିକିତ୍ସକମାନେ ତାଙ୍କୁ ହାଲୁକା ମନୋର˚ଜନଧର୍ମୀ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ପରାମର୍ଶ ଦେଇଥିଲେ, ଯହିଁରୁ ‘ରାମ ଔର ଶ୍ୟାମ’ ବା ‘ଆନ’ ଭଳି ଚଳଚ୍ଚିତ୍ରର ଜନ୍ମ ହୋଇଥିଲା ଏବ˚ ସେ ଯେ ହାଲୁକା ଓ ହାସ୍ୟରସଧର୍ମୀ ଅଭିନୟ ମଧୢ ସମ ଦକ୍ଷତାର ସହିତ କରିପାରନ୍ତି, ତାହା ପ୍ରମାଣିତ ହୋଇଥିଲା।

ଅଭିନୟ ବ୍ୟତୀତ ଆଉ ଯେଉଁ ବିଷୟଟି ପ୍ରତି ତାଙ୍କର ଅସାମାନ୍ୟ ଦୁର୍ବଳତା ଥିଲା, ତାହା ହେଉଛି ଊର୍ଦ୍ଦୁ ଭାଷା। କହିଲା ବେଳେ ଊର୍ଦ୍ଦୁ ଶବ୍ଦଗୁଡ଼ିକର ଉଚ୍ଚାରଣ ଯେମିତି ଅପଭ୍ର˚ଶର ଶିକାର ନ ହୁଏ; ସେଥି ପ୍ରତି ସେ ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ। ଗାୟକ ମହମ୍ମଦ ରଫି ଦିଲୀପ କୁମାରଙ୍କ ଲାଗି ନିଜ ଚଳଚ୍ଚିତ୍ର କ୍ୟାରିଅର୍‌ର ପ୍ରଥମ ଗୀତଟି ଗାଇଥିଲେ; କିନ୍ତୁ ଗୀତଟି ଶୁଣିବା ପରେ ରଫି ସାହେବଙ୍କ ଊର୍ଦ୍ଦୁ ଉଚ୍ଚାରଣରେ ପଞ୍ଜାବୀ ଭାଷାର ମୃଦୁ ସ୍ପର୍ଶ ଲକ୍ଷ୍ୟ କରି ଉଚ୍ଚାରଣକୁ ଆହୁରି ମାର୍ଜିତ କରିବା ଲାଗି ଦିଲୀପ କୁମାର ତାଙ୍କୁ ଚେତାଇ ଦେଇଥିଲେ। ଦିଲୀପ କୁମାର ତାଙ୍କ ସିନେମାଗୁଡ଼ିକରେ ଗୀତିକାର ଭାବେ ସକୀଲ ବଦାୟୁଇଁ ଏବ˚ ସ˚ଗୀତକାର ରୂପେ ନୌସାଦଙ୍କୁ ଦେଖିବାକୁ ଚାହୁଥିଲେ, ଯାହା ପଛରେ ରହିଥିବା କାରଣଟି ହେଉଛି ଏହି ଯୋଡ଼ି ଦ୍ବାରା ଗୀତଗୁଡ଼ିକ ଊର୍ଦ୍ଦୁ ଭାଷାର ଠିକଣା ପ୍ରୟୋଗ ଓ ଧ୍ବନି ଦ୍ବାରା ଉଚ୍ଚାଟିତ ହୋଇ ପାରୁଥିଲା। ତାଙ୍କର ଅନେକ ସମସାମୟିକ ସମାଲୋଚକ ଏହା ମଧୢ କହିଥାଆନ୍ତି ଯେ ଦିଲୀପ କୁମାର ତାଙ୍କ ସମୟର ଅନ୍ୟ ଜଣେ ସୁପର୍‌ ଷ୍ଟାର୍‌ ରାଜକୁମାରଙ୍କ ସହିତ ଏକତ୍ର ଗୋଟିଏ ସିନେମାରେ ଅବତୀର୍ଣ୍ଣ ହେବାକୁ ଏଥି ଲାଗି ଆଗ୍ରହ ପ୍ରକାଶ କରୁ ନ ଥିଲେ, କାଳେ ଊର୍ଦ୍ଦୁ ଉଚ୍ଚାରଣରେ ରାଜକୁମାରଙ୍କ ଅଦ୍ବିତୀୟ ଚମତ୍କାରିତା ତାଙ୍କୁ ନିଷ୍ପ୍ରଭ କରିଦେବ!

୧୯୪୭ରୁ ୧୯୬୪ ମସିହାର ସମୟ ଖଣ୍ତ ମଧୢରେ ଦିଲୀପ କୁମାରଙ୍କ ୫୭ଟି ସିନେମା ମଧୢରୁ ୩୬ଟି ନିର୍ମିତ ହୋଇଥିଲା। ସେହି ସମୟଟି ମଧୢ ଥିଲା ପଣ୍ତିତ ଜଵହରଲାଲ ନେହରୁଙ୍କ ଶାସନ କାଳ। ଦିଲୀପ କୁମାର ପ୍ରଶ୍ନାତୀତ ଭାବେ ଥିଲେ ଜଣେ ନେହରୁ ଅନୁରକ୍ତ ଏବ˚ ପରବର୍ତ୍ତୀ କାଳରେ ରାଜନୈତିକ କ୍ଷେତ୍ରରୁ ରଜନୀ ପଟେଲ ଓ ବାଲ ଠାକରେ ତାଙ୍କର ବନ୍ଧୁ ହୋଇଥିଲେ। ଶୁଣାଯାଏ ଯେ ତାଙ୍କର ବହୁଚର୍ଚ୍ଚିତ ସିନେମା ‘ଗଙ୍ଗା ଯମୁନା’ ସେନ୍‌ସର ବୋର୍ଡ‌୍‌ ଦ୍ବାରା ଅନୁମୋଦିତ ନ ହେବାରୁ ଦିଲୀପ କୁମାର ପ୍ରସଙ୍ଗଟିକୁ ନେହରୁଙ୍କ ନିକଟକୁ ନେଇ ତତ୍‌କ୍ଷଣାତ୍‌ ଏକ ‘ହଁ’ ହାସଲ କରି ସିନେମାଟିକୁ ସେନ୍‌ସର ବୋର୍ଡ‌୍ର କଇଁଚି ଦ୍ବାରା କ୍ଷତବିକ୍ଷତ ହୋଇ ମୁକ୍ତିଲାଭ କରିବାରୁ ରକ୍ଷା କରିପାରିଥିଲେ। ସୂଚନାଯୋଗ୍ୟ ଯେ ସେନ୍‌ସର ବୋର୍ଡ‌୍‌ର ଆପତ୍ତି ରହିଥିଲା ଚଳଚ୍ଚିତ୍ରର ଅନ୍ତିମ ଦୃଶ୍ୟରେ ଯହିଁରେ ମୃତ୍ୟୁବରଣ କରୁଥିବା ନାୟକର ମୁହଁରୁ ‘ହେ ରାମ’ ନିର୍ଗତ ହୋଇଛି। ଏହି ଅଭିବ୍ୟକ୍ତିଟି ମହାତ୍ମା ଗାନ୍ଧୀଙ୍କ ମୁଖ ନିଃସୃତ ଅନ୍ତିମ ବାଣୀ ହୋଇଥିବାରୁ ଏବ˚ ଦିଲୀପ କୁମାର ପ୍ରକୃତରେ ଜଣେ ଇସଲାମ ଧର୍ମାବଲମ୍ବୀ ହୋଇଥିବାରୁ ତାହା ଏକ ବିବାଦକୁ ଜନ୍ମ ଦେଇପାରେ ବୋଲି ସେନ୍‌ସର ବୋର୍ଡ‌୍ର ଧାରଣା ଥିଲା। କହିବା ଅନାବଶ୍ୟକ ଯେ ତାଙ୍କର ପ୍ରକୃତ ନାମ ୟୁସୁଫ ଖାଁ କାଳେ ଦର୍ଶକମାନଙ୍କ ଦ୍ବାରା ଗ୍ରହଣୀୟ ହେବ ନାହିଁ, ଏହି ଆଶଙ୍କାରେ ବରିଷ୍ଠ ଅଭିନେତ୍ରୀ ଦେବିକା ରାଣୀ ତହିଁରେ ପରିବର୍ତ୍ତନ କରି ତାଙ୍କୁ ଦିଲୀପ କୁମାର ରୂପରେ ଭାରତକୁ ଉପହାର ଦେଇଥିଲେ। ତେବେ, ଇତି ମଧୢରେ ସମୟ ଅନେକ ଥର କଡ଼ ଲେଉଟାଇ ସାରିଲାଣି। ସ˚ପ୍ରତି ବଲିଉଡ୍‌ରେ ତିନି ଜଣ ‘ଖାଁ’ଙ୍କ ରାଜୁତି ଦୃଶ୍ୟମାନ ଏବ˚ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ବୟସ ନିର୍ବିଶେଷରେ ସେମାନେ ସବୁ ଭାରତୀୟଙ୍କ ହୃଦୟ ଜିଣି ପାରିଛନ୍ତି ଏବ˚ ଦିଲୀପ କୁମାରଙ୍କ ଭଳି ସେମାନଙ୍କୁ ନିଜ ପିତୃଦତ୍ତ ନାମ ପରିବର୍ତ୍ତନ କରିବାକୁ ପଡ଼ିନାହିଁ।

ଶୁଣିବାକୁ ମିଳେ ଯେ ଦିଲୀପ କୁମାରଙ୍କ ଏକ କି˚ବଦନ୍ତୀୟ ଚଳଚ୍ଚିତ୍ର ବିମଳ ରାୟଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଦେବଦାସ’ର ଏକ ‘ରିମେକ୍‌’ ସେହି ସମାନ ନାମରେ ସଞ୍ଜୟ ଲୀଳା ଭନଶାଳୀଙ୍କ ନିର୍ଦ୍ଦେଶନା ଓ ଶାହରୁଖ ଖାଁଙ୍କ ଅଭିନୟରେ ଦେଖି ସାରିବା ପରେ କୁଆଡ଼େ ବିଭୋର ଦିଲୀପ କୁମାର କହି ପକାଇଥିଲେ ଯେ ତାଙ୍କର ପୁତ୍ର ସନ୍ତାନଟିଏ ଥିଲେ ସେ ନିଶ୍ଚିତ ଶାହରୁଖ ଖାଁଙ୍କ ତୁଲ୍ୟ ହିଁ ହୋଇଥାଆନ୍ତା। ସେହି ପରିପ୍ରେକ୍ଷୀରେ ଏହା ମଧୢ କହିଲେ ଭୁଲ୍‌ ହେବ ନାହିଁ ଯେ ରାଜେଶ ଖାନ୍ନା ହୁଅନ୍ତୁ ବା ଅମିତାଭ ବଚନ ଅଥବା ହୁଅନ୍ତୁ ଶାହରୁଖ ଖାଁ; ସେମାନେ ସମସ୍ତେ ଦିଲୀପଙ୍କ ଅଭିନୟ ଐତିହ୍ୟର ସନ୍ତାନ ଓ ଉତ୍ତରାଧିକାରୀ। ସେହି ଦୃଷ୍ଟିରୁ ଦିଲୀପ କୁମାରଙ୍କ ପରଲୋକରେ ‘ଗୋଟିଏ ଯୁଗର ଅବସାନ ଘଟିଲା’ ଭଳି ଅଭିବ୍ୟକ୍ତି ବୋଧହୁଏ ଠିକଣା ଅର୍ଥ ପ୍ରଦାନ କରି ନ ଥାଏ। କାରଣ ପ୍ରତି ପିଢ଼ିରେ ଯେ ଭାରତୀୟମାନେ ଦିଲୀପ କୁମାରମାନଙ୍କ ଅସରନ୍ତି ଆବିର୍ଭାବ ଦେଖିବାକୁ ପାଇବେ, ତହିଁରେ ସନ୍ଦେହ ନାହିଁ। ଏହା ହେଉଛି ହିନ୍ଦୀ ସିନେମା ଅଭିନୟ ଉପରେ ଦିଲୀପ କୁମାରଙ୍କ ଗଭୀର ପ୍ରଭାବର ଫଳ।

ସମ୍ବନ୍ଧିତ ଖବର