ଦଲାଇ ଲାମା, କିରେନ ରିଜିଜୁ

ଗଲା ୬ ତାରିଖ ଏବ˚ ୮ ତାରିଖରେ ଦୁଇଟି ଏମିତି ଘରୋଇ ଘଟଣା ଘଟିଛି, ଯାହାର ପ୍ରଭାବ କିନ୍ତୁ ଆମ ସୀମା ଅତିକ୍ରମ କରି ଚୀନ ଉପରେ ପଡ଼ିଥିବାର ସମ୍ଭାବନା ଖୁବ୍‌ ଅଧିକ। ତହିଁରୁ ଗୋଟିଏ ହେଲା ଦଲାଇ ଲାମାଙ୍କ ଛୟାଅଶୀତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରକାଶ୍ୟରେ ଶୁଭେଚ୍ଛା ଜ୍ଞାପନ ଏବ˚ ଦ୍ବିତୀୟଟି ହେଉଛି ସଦ୍ୟ ଗଠିତ କେନ୍ଦ୍ର ମନ୍ତ୍ରୀମଣ୍ତଳରେ କିରେନ ରିଜିଜୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରୁ ଉନ୍ନୀତ କରି ଏକ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବିଭାଗ ପ୍ରଦାନ। ଏହି ଦୁଇଟି ବ୍ୟାପାର ଦ୍ବାରା ଚୀନ କାହିଁକି ଏକ ଦ˚ଶନ ଜ୍ବାଳା ଅନୁଭବ କରିଥିବ, ସେ ସ˚ପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

କହିବାରେ ଦ୍ବିଧା ନାହିଁ ଯେ ଭାରତ ଓ ଚୀନ୍‌ର ସ˚ପର୍କ ପରିପ୍ରେକ୍ଷୀରେ ତିବ୍ବତ ବା ଦଲାଇ ଲାମାଙ୍କୁ ବାଦ୍‌ ଦେଇ ଚିନ୍ତା କରାଯାଇ ନ ପାରେ। ୧୯୫୯ ମସିହାରେ ଚୀନ ଦ୍ବାରା ତିବ୍ବତ ଅତିକ୍ରମଣ ହେବା ପରେ ତିବ୍ବତୀୟମାନଙ୍କ ଧର୍ମ ଗୁରୁ ଦଲାଇ ଲାମା ମାତ୍ର ୨୩ ବର୍ଷ ବୟସରେ ଭାରତରେ ରାଜନୈତିକ ଆଶ୍ରୟ ଭିକ୍ଷା କରିଥିଲେ, ଯାହା ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଜଵହରଲାଲ ନେହରୁ ତତ୍‌କ୍ଷଣାତ୍‌ ପ୍ରଦାନ କରିଥିଲେ। କହିବା ବାହୁଲ୍ୟ ଯେ ଦଲାଇ ଲାମା ଏବ˚ ତାଙ୍କ ସହିତ ଆସିଥିବା ତିବ୍ବତୀୟ ଶରଣାର୍ଥୀମାନଙ୍କୁ ଭାରତ ସରକାରଙ୍କ ଦ୍ବାରା ଆଶ୍ରୟ, ପ୍ରୋତ୍ସାହନ ଓ ସମ୍ମାନ ପ୍ରଦାନ ଚୀନ ଠାରେ ତୀବ୍ର ବିରକ୍ତି ସୃଷ୍ଟି କରିଥିବ; ଯାହା ପ୍ରକାରାନ୍ତରେ ୧୯୬୨ ମସିହାରେ ଚୀନ ଦ୍ବାରା ଭାରତ ଆକ୍ରମଣରେ ତଥା ପରବର୍ତ୍ତୀ କାଳରେ ଏକ ଶତ୍ରୁତାପୂର୍ଣ୍ଣ ମନୋଭାବରେ ପରିଦୃଶ୍ୟ ହୋଇଛି। ସେହି ଦିନ ଠାରୁ ଭାରତରେ ତିବ୍ବତର ଏକ ନିର୍ବାସିତ ସରକାର ପ୍ରତୀକାତ୍ମକ ଭାବେ ରହି ଆସିଛି ଏବ˚ ବିଗତ ଛଅ ଦଶକ ଧରି ତିବ୍ବତର ସ୍ବାଧୀନତା ବା ସ୍ବାୟତ୍ତତା ଲାଗି ଉଦ୍ୟମ ଅବ୍ୟାହତ ରଖିଛି। ତେବେ ଏଭଳି ଘଟଣା ସବୁର ଘନଘଟା ଭିତରେ ଯାହା ଦେଖିବାକୁ ମିଳିଛି, ତାହା ହେଲା କ୍ରମେ ଦଲାଇ ଲାମା ସାରା ପୃଥିବୀର ଅନ୍ୟତମ ସର୍ବାଧିକ ସମ୍ମାନାସ୍ପଦ ବ୍ୟକ୍ତିତ୍ବରେ ପରିଣତ ହେବା ସହିତ ଶାନ୍ତି ଲାଗି ନୋବେଲ ପୁରସ୍କାର ଲାଭ (୧୯୮୯ ମସିହାରେ) କରିଥିବା ସ୍ଥଳେ ଚୀନ ଲାଗି ଜୋତାର ଏକ କଣ୍ଟା ତୁଲ୍ୟ ହୋଇ ରହିଛନ୍ତି। ସେହି ପରିପ୍ରେକ୍ଷୀରେ ବିଭିନ୍ନ ସମୟରେ ଦଲାଇ ଲାମା ଏହା ପ୍ରକାଶ କରିଥିବା ଶୁଣାଯାଇଛି ଯେ ତାଙ୍କୁ କେନ୍ଦ୍ର କରି ଯାହା ବି ଘଟିବ, ତାହା ଚୀନ ସକାଶେ କିଛି ନା କିଛି ପ୍ରତିକ୍ରିୟା ସୃଷ୍ଟିର କାରଣ ହେବ।

ଏହି ପରିପ୍ରେକ୍ଷୀରେ ଯାହା ଉଲ୍ଲେଖଯୋଗ୍ୟ, ତାହା ହେଲା ଭାରତ ଓ ଚୀନ ମଧୢରେ ଥିବା ସ˚ପର୍କ ପରିପ୍ରେକ୍ଷୀରେ ୨୦୧୪ ପର ଠାରୁ ଦଲାଇ ଲାମାଙ୍କ ପ୍ରତି ଭାରତ ସରକାରଙ୍କ ଦ୍ବାରା ପ୍ରଦର୍ଶିତ ଆଚରଣରେ ଏକ ତାରତମ୍ୟ। ୨୦୧୫ ଠାରୁ ଦଲାଇ ଲାମାଙ୍କୁ ତାଙ୍କ ଜନ୍ମ ଦିବସରେ ଭାରତର ପ୍ରଧାନମନ୍ତ୍ରୀ ପ୍ରକାଶ୍ୟରେ ଶୁଭେଚ୍ଛା ଜ୍ଞାପନ କଲେ ନାହିଁ। ୨୦୧୮ ମସିହାରେ ଦଲାଇ ଲାମାଙ୍କ ଭାରତ ପ୍ରବେଶର ଷାଠିଏ ବର୍ଷ ପୂର୍ତ୍ତି ଉତ୍ସବ ଆୟୋଜନକୁ ସରକାର ବନ୍ଦ କରି ଦେଇଥିଲେ। ଏହାର କାରଣ ଥିଲା ସେହି ବର୍ଷ ଭାରତ ଗସ୍ତ କରୁଥିବା ଚୀନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଅସନ୍ତୁଷ୍ଟ ନ କରିବା। ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବ˚ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ ଟେଲିଫୋନ୍‌ ଯୋଗେ ଦଲାଇ ଲାମାଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜ୍ଞାପନ କରିଥିଲେ ସୁଦ୍ଧା ତାହାକୁ ପ୍ରକାଶ୍ୟ କରାଯାଇ ନ ଥିଲା। ୨୦୨୦ ମସିହାରେ ଗଲଵାନ ଉପତ୍ୟକାରେ ଦୁଇ ଦେଶ ମଧୢରେ ଦାରୁଣ ରକ୍ତାକ୍ତ ସ˚ଘର୍ଷର ଘୂର୍ଣ୍ଣିଝଡ଼ ପରେ ଯେତେବେଳେ ଚୀନ ଦ୍ବାରା ଗଲଵାନ ଉପତ୍ୟକାରୁ ସେନା ଅପସାରଣ କରାଯାଉଥିଲା, ସେତିକିବେଳେ ଦଲାଇ ଲାମାଙ୍କ ଜନ୍ମ ଦିନଟି ସରକାରୀ ନିରବତା ମଧୢରେ କଟିଥିଲା। ସେହି ଦୃଷ୍ଟିରୁ ଚଳିତ ବର୍ଷ ଦଲାଇ ଲାମାଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରକାଶ୍ୟ ଶୁଭେଚ୍ଛା ଜ୍ଞାପନ ବିଶେଷ ଗୁରୁତ୍ବ ବହନ କରିଥାଏ; କାରଣ ଏହା ଦ୍ବାରା ଚୀନ ପରିପ୍ରେକ୍ଷୀରେ ଭାରତର ମନୋଭାବ ନେଇ ଏକ ଧାରଣା ମିଳିଥାଏ। କହିବା ଅନାବଶ୍ୟକ ଯେ ଏହା ଚୀନ ଶାସନ ବ୍ୟବସ୍ଥାରେ ଏକ ଅସହଜ ଭାବ ସୃଷ୍ଟି କରିଥିବ। ଏହି ପରିପ୍ରେକ୍ଷୀରେ ଏହା ମଧୢ ପ୍ରଣିଧାନଯୋଗ୍ୟ ଯେ ଚୀନ ସରକାର ସେଠାରେ କମ୍ୟୁନିଷ୍ଟ ଶାସନର ଶତବାର୍ଷିକୀ ଉତ୍ସବ ଅତ୍ୟନ୍ତ ସମାରୋହର ସହିତ ପାଳନ କରୁଥିବା ବେଳେ ଭାରତ ପକ୍ଷରୁ ସୌଜନ୍ୟମୂଳକ ଶୁଭେଚ୍ଛା ଜ୍ଞାପନ ମଧ୍ୟ କରାଯାଇନାହିଁ। ଏହି ସଂଦର୍ଭରେ ଚୀନ ସରକାରଙ୍କ ମୁଖପତ୍ର ଭାବେ ଜଣାଶୁଣା ଇ˚ରେଜୀ ଦୈନିକ ‘ଗ୍ଲୋବାଲ ଟାଇମ୍‌ସ’ର ସ˚ପାଦକୀୟରେ କୁହାଯାଇଛି ଯେ ଭାରତର ପ୍ରଧାନମନ୍ତ୍ରୀ ତଥା ଯୁକ୍ତରାଷ୍ଟ୍ର ଆମେରିକାର ବିଦେଶ ସଚିବ (ମନ୍ତ୍ରୀ)ଙ୍କ ଦ୍ବାରା ଦଲାଇ ଲାମାଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜ୍ଞାପନ ପଛରେ ଯାହା ନିହିତ ରହିଛି, ତାହା ହେଉଛି ନିରୋଳା ଓ ନିଷ୍ଫଳ ‘ଫୁଟାଣି’। କିନ୍ତୁ ଭାରତ ପ୍ରଧାନ ମନ୍ତ୍ରୀଙ୍କ ଏ ଆଭିମୁଖ୍ୟ ଯେ ତୁଚ୍ଛା ‘ଫୁଟାଣି’ ନୁହେଁ, ବରଂ ଏକ ଉଦ୍ଦେଶ୍ୟସଂପନ୍ନ ଦୃଢ଼ତା ତାହା ବୁଝିବା କଷ୍ଟକର ନୁହେଁ।

ଗୋଟିଏ ପକ୍ଷରେ ଦଲାଇ ଲାମାଙ୍କୁ ପ୍ରକାଶ୍ୟରେ ଜନ୍ମ ଦିବସର ଶୁଭେଚ୍ଛା ଜ୍ଞାପନ କରାଯିବା ପଛରେ ଯଦି ସରକାର ଆପଣା ଦମ୍ଭ ପ୍ରଦର୍ଶନର ଏକ ଉଦ୍ଦେଶ୍ୟ ପୋଷଣ କରିଛନ୍ତି ବୋଲି ଧରି ନିଆଯାଏ, ଅନ୍ୟ ପକ୍ଷରେ କିରେନ ରିଜିଜୁଙ୍କୁ ନେଇ ଚୀନ୍‌ରେ ଯେଉଁ ଅସ୍ବସ୍ତି ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରନ୍ତି, ତାହା ପଛରେ ସମ୍ଭବତଃ କେନ୍ଦ୍ର ସରକାରଙ୍କ ସେଭଳି କୌଣସି ଅଭୀଷ୍ଟ ନାହିଁ। କିରେନ ରିଜିଜୁଙ୍କୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଆଇନ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ପଦ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ସେ ଯୁବ ବ୍ୟାପାର ବିଭାଗରେ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଛନ୍ତି। ସେହି ଦୃଷ୍ଟିରୁ ଅତ୍ୟନ୍ତ ସତର୍କତାର ସହିତ ଗଠନ କରାଯାଇଥିବା ମୋଦୀଙ୍କ ନୂତନ ମନ୍ତ୍ରୀମଣ୍ତଳରେ ତାଙ୍କର ପଦୋନ୍ନତି ତାଙ୍କ ଦକ୍ଷତାକୁ ହିଁ ପ୍ରତିପାଦନ କରିଥାଏ। କିନ୍ତୁ ଏଥିରେ ଯେଉଁ କଥାଟି ନିହିତ ରହି ଚୀନ୍‌ର ଗାତ୍ର ଦାହ କରୁଥିବ, ତାହା ହେଲା ଏହା ଦ୍ବାରା ଅରୁଣାଚଳ ପ୍ରଦେଶରେ ଏକ ରାଜନୈତିକ ଇତିହାସର ସୃଷ୍ଟି, ଯହିଁରେ ରିଜିଜୁଙ୍କୁ କେନ୍ଦ୍ର ସରକାରରେ ପ୍ରଥମ ଅରୁଣାଚଳୀ କ୍ୟାବିନେଟ୍‌ ମନ୍ତ୍ରୀ ରୂପେ ଦେଖିବାକୁ ମିଳିଛି। ଯେଉଁମାନେ ଚୀନ୍‌ର ଆଚରଣ ଉପରେ ଦୃଷ୍ଟି ନିବଦ୍ଧ କରି ଆସିଛନ୍ତି, ସେମାନଙ୍କୁ ଏହା ବୁଝିବାରେ ଅସୁବିଧା ହେବ ନାହିଁ ଯେ ଚୀନ ଲାଗି ଦଲାଇ ଲାମାଙ୍କ ଭଳି ଅରୁଣାଚଳ ପ୍ରଦେଶ ମଧୢ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ। ତେଣୁ ରିଜିଜୁଙ୍କ କାରଣରୁ ସେଠାରେ ସୃଷ୍ଟ ଉଲ୍ଲାସ ତାକୁ ଅସହ୍ୟ ବୋଧ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଅରୁଣାଚଳ ପ୍ରଦେଶ ଚୀନ ସାମ୍ରାଜ୍ୟର ଏକ ଅ˚ଶ ବୋଲି ଚୀନ ବାରମ୍ବାର ଅଯଥାର୍ଥ ଭାବେ ଦାବି କରି ଆସିଛି। କିନ୍ତୁ ସାର୍ବଭୌମ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ଅରୁଣାଚଳ ପ୍ରଦେଶ ୧୯୮୭ ମସିହାରେ ସୃଷ୍ଟି ହେବା ପର ଠାରୁ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଏକ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ଅଧୀନରେ ରହିଛି ଏବ˚ ଭାରତୀୟ ସ˚ଘୀୟ ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଅ˚ଶ ହୋଇଛି। ଏବେ କିରେନଙ୍କ ଜରିଆରେ ଅରୁଣାଚଳ ପ୍ରଦେଶ ଭାରତ ସହିତ ଅଧିକ ଦୃଢ଼ତାର ସହିତ ଅଙ୍ଗୀଭୂତ ହୋଇଛି, ଯାହା ଚୀନ ଲାଗି ଅପ୍ରୀତିକର ହେବା ସ୍ବାଭାବିକ।

ତେବେ, ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦଲାଇ ଲାମାଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜ୍ଞାପନ ଓ କିରେନ ରିଜିଜୁଙ୍କ ପଦୋନ୍ନତି ପରେ ଯଦି ଚୀନ କିଛି ସନ୍ଦେଶ ପାଇଥାଏ, ତେବେ ତାହା ଏହା ହେବା ଉଚିତ ଯେ ୨୦୧୪ ପରେ ଚୀନ ପ୍ରତି ଭାରତ ତା’ର ଆଚରଣରେ ଯେଉଁ ସ˚ଭ୍ରମତା ପ୍ରକାଶ କରିଥିଲା, ଏବେ ତାହା ପରିହାର କରି ଦୃଢ଼ତା ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତ ହେଲାଣି।

ସମ୍ବନ୍ଧିତ ଖବର