‘ମଥା ଓଢ଼ଣି’ ଜ୍ଞାନ

ଏହା କହିବାରେ ଦ୍ବିଧା ନାହିଁ ଯେ ପ୍ରଖ୍ୟାତ ଜର୍ମାନ ଦାର୍ଶନିକ ଫ୍ରେଡରିଚ୍ ହେଗେଲଙ୍କ ଯେଉଁ ପ୍ରସିଦ୍ଧ ଉଦ୍ଧୃତିଟି ସତ୍ୟ ବୋଲି ପ୍ରମାଣିତ ହୋଇ ବାରମ୍ବାର ଇତିହାସର ପୁନରାବୃତ୍ତିମାନ ଘଟାଇବାରେ ଲାଗିଛି, ତାହା ହେଲା: ‘ଇତିହାସରୁ ଆମେ ଏହି ଶିକ୍ଷା ପାଉ ଯେ ଆମେ ପ୍ରକୃତରେ ଇତିହାସରୁ କୌଣସି ଶିକ୍ଷା ପାଇ ନ ଥାଉ। ଏହା କହିବାର ପରିପ୍ରେକ୍ଷୀ ହେଲା ଏହାର ଏକ ସଦ୍ୟତମ ଉଦାହରଣ ସଂପ୍ରତି ଆଫଗାନିସ୍ତାନରେ ଦେଖିବାକୁ ମିଳୁଛି, ଯେଉଁଠି ବିଶାଳ ଅର୍ଥରାଶି (୨.୬ ବିଲିଅନ ଡଲାର) ବ୍ୟୟରେ ଗୋଟିଏ ଯୁଦ୍ଧ ଏବ˚ ଗୋଟିଏ ରାଷ୍ଟ୍ରର ବିଧ୍ବ˚ସୀକରଣ ପରେ ସୁଦ୍ଧା ଆକ୍ରମଣକାରୀ ଯୁକ୍ତରାଷ୍ଟ୍ର ଆମେରିକା ବିଫଳ ମନୋରଥ ଓ ପରାହତ ହୋଇ ପଳାୟନ କରିବାକୁ ଉଦ୍ୟତ। ଗଲା ଷଷ୍ଠ ଓ ସପ୍ତମ ଦଶଗରେ ପ୍ରାୟ ୧୯ ବର୍ଷ କାଳ ଏକ ଅତ୍ୟନ୍ତ ରକ୍ତାକ୍ତ ଯୁଦ୍ଧ ସ˚ଘଟିତ କଲା ପରେ ସେହି ଆମେରିକା ଭିଏତ୍‌ନାମରୁ ମଧୢ ବିଫଳ ମନୋରଥ ହୋଇ ତଥା ପୃଥିବୀ ବ୍ୟାପୀ ସମାଲୋଚନାର ଶରବ୍ୟ ହୋଇ ଘରକୁ ବାହୁଡ଼ିବାକୁ ବାଧୢ ହୋଇଥିଲା। ସ˚ପ୍ରତି ଆଫଗାନିସ୍ତାନରେ ପ୍ରାୟ ସମତୁଲ ଘଟଣା ଘଟିଛି। ସେଠାରେ ଚରମପନ୍ଥୀ ମୌଳବାଦୀ ତାଲିବାନୀମାନଙ୍କୁ ନିର୍ମୂଳ କରି ଏକ ଗଣତନ୍ତ୍ର ପ୍ରତିଷ୍ଠା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ଅଭିଯାନ କେବଳ ଯେ ଏକ ଦୟନୀୟ ନିଷ୍ଫଳତାରେ ସମାପ୍ତ ହୋଇଛି, ତାହା ନୁହେଁ; ଓଲଟି ସେହି ଦେଶକୁ ଏକ ଭୟାବହ ଗୃହଯୁଦ୍ଧ ଏବ˚ ରକ୍ତପାତର ଗହ୍ବର ମଧୢକୁ ନିକ୍ଷେପ କରିଛି।

ସ୍ମରଣଯୋଗ୍ୟ ଯେ ୨୦୦୧ ମସିହା, ସେପ୍‌ଟେମ୍ବର ୧୧ରେ ଅଲ କାଇଦା ଆତଙ୍କବାଦୀଙ୍କ ଆକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକାର ‘ବିଶ୍ବ ବାଣିଜ୍ୟ କେନ୍ଦ୍ର’ ଭୂଲୁଣ୍ଠିତ ହେବା ପରେ ଅଲ କାଇଦାକୁ ନିଃଶେଷ କରିବା ତଥା ତା’ର ମୁଖ୍ୟ ଓସାମା ବିନ ଲାଡ଼େନକୁ ଚରମ ଶାସ୍ତି ପ୍ରଦାନ କରିବା ଲାଗି ଜର୍ଜ ବୁଶଙ୍କ ଆଦେଶରେ ଆମେରିକା ପକ୍ଷରୁ ଆଫଗାନିସ୍ତାନ ଆକ୍ରମଣ କରାଇଥିଲା, ଯାହାକୁ ସେହି ସମୟରେ ଅତ୍ୟନ୍ତ ଯଥାର୍ଥ ବୋଲି ପାଶ୍ଚାତ୍ୟ ଗଣମାଧୢମ ଅଭିହିତ କରି ସାମୁଏଲ୍‌ ହଣ୍ଟି˚ଟନ୍‌ଙ୍କ ପ୍ରସିଦ୍ଧ ପୁୁସ୍ତକର ନାମ ଅନୁସାରେ ‘ସଭ୍ୟତାର ସ˚ଘର୍ଷ’ (କ୍ଲାସ୍‌ ଅଫ୍‌ ସିଭିଲାଇଜେସନ୍‌) ବୋଲି ଆଖ୍ୟା ପ୍ରଦାନ କରିଥିଲା। କେବଳ ସେତିକି ନୁହେଁ, ଆମେରିକୀୟ ବିମାନ ବାହିନୀ ଦ୍ବାରା ଆଫଗାନିସ୍ତାନ ଉପରେ କରାଯାଉଥିବା ‘କାର୍ପେଟ୍‌’ ବୋମାମାଡ଼କୁ ଲକ୍ଷ୍ୟ କରି ସ୍ବୟ˚ ଜର୍ଜ ବୁଶ୍‌ ଏହାକୁ ‘ସମସ୍ତ ଯୁଦ୍ଧର ଜନନୀ’ ବା ‘ମଦର ଅଫ୍‌ ଅଲ୍‌ ୱାର୍‌ସ’ ବୋଲି ବର୍ଣ୍ଣନା କରିଥିଲେ। ସେହି ସମୟରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆମେରିକୀୟ ସୈନିକମାନଙ୍କ ପ୍ରବେଶକୁ ସ୍ବାଗତ ଜଣାଉଥିବା ନାଗରିକମାନଙ୍କୁ ଦେଖି ଏହି ଧାରଣା ମଧୢ ଜନ୍ମିଥିଲା ଯେ ତାଲିବାନୀଙ୍କ କବଳରୁ ସୁରକ୍ଷା ଦେବା ଲାଗି ସେଠାରେ ତ୍ରାଣକର୍ତ୍ତାଙ୍କ ଆବିର୍ଭାବ ଘଟିଛି। କିନ୍ତୁ ଅସଲରେ ଅଧିକାଂଶଙ୍କ ଅଲକ୍ଷ୍ୟରେ ଯାହା ଘଟିଥିଲା, ତାହା ହେଉଛି ଗୋଟିଏ ପଟେ ଆତ୍ମରକ୍ଷା ଲାଗି ପଳାୟନ କରିଥିବା ତାଲିବାନୀମାନେ ଦକ୍ଷିଣ ଆଫଗାନିସ୍ତାନର ପଖତୁନ ବହୁଳ ଗ୍ରାମାଞ୍ଚଳରେ ଆଶ୍ରୟ ‌ନେବା ସହିତ ପରବର୍ତ୍ତୀ କାଳରେ ଏକ ଅସରନ୍ତି ଯୁଦ୍ଧ ଲାଗି ଶକ୍ତି ସ˚ଗ୍ରହ କରିବାକୁ ଲାଗିଥିଲେ ଏବ˚ ଅପର ପକ୍ଷରେ ତାଲିବାନୀମାନଙ୍କୁ ବିରୋଧ କରୁଥିବା ସ୍ପର୍ଦ୍ଧବାନ ଆଫଗାନମାନେ ମଧ୍ୟ କ୍ରମେ ସେମାନଙ୍କ ଭୂମି ଉପରେ ଏକ ବିଦେଶୀ ଶକ୍ତିର ଉପସ୍ଥିତିକୁ ଘୃଣାପୂର୍ଣ୍ଣ ଦୃଷ୍ଟିରେ ଦେଖିବାକୁ ଲାଗିଲେ। ସୁତରା˚, ଯୁକ୍ତରାଷ୍ଟ୍ର ଆମେରିକାର ହୃଦ୍‌ବୋଧ ମଧୢ ହୋଇଥିବ ଯେ ଆଫଗାନିସ୍ତାନରେ ଗଣତନ୍ତ୍ର ଦୃଢ଼ମୂଳ ହେବାର ଆଶା ଅତ୍ୟନ୍ତ କ୍ଷୀଣ। ଫଳରେ ଅଧିକ କାଳ ବିଳମ୍ବ ନ କରି ଯୁକ୍ତରାଷ୍ଟ୍ର ଆମେରିକା ସେଠାରୁ ପ୍ରତ୍ୟାବର୍ତ୍ତନ କରିବାର ପ୍ରକ୍ରିୟା ଆରମ୍ଭ କରିଛି। କ

ହିବା ଅନାବଶ୍ୟକ ଯେ ଏହା ସହିତ ଆଫଗାନିସ୍ତାନର ଅଧିକରୁ ଅଧିକ ଜିଲ୍ଲା ପୁନର୍ବାର ତାଲିବାନମାନଙ୍କ ଦ୍ବାରା ଅଧିକୃତ ହେବାରେ ଲାଗିଛି ଏବ˚ ସେଠାରେ ଆମେରିକା ଦ୍ବାରା ସ୍ଥାପିତ ଗଣତାନ୍ତ୍ରିକ ସରକାରକୁ ସୁରକ୍ଷା ପ୍ରଦାନ କରିବା ଲାଗି ଆଫଗାନ ସରକାରୀ ସେନା (ଆମେରିକା ଦ୍ବାରା ପ୍ରଶିକ୍ଷିତ ଏବ˚ ଅସ୍ତ୍ରଶସ୍ତ୍ର ଦ୍ବାରା ସଜ୍ଜିତ) ସମର୍ଥ ନୁହେ।

ଅନେକ ପାଠକପାଠିକା ପାଶୋରି ଯାଇ ନ ଥିବେ ଯେ ୧୯୮୯ ମସିହାରେ ମଧୢ ଏକ ଅନୁରୂପ ଘଟଣାରେ ସୋଭିଏତ୍‌ ସେନା ଆଫଗାନିସ୍ତାନରୁ ବିଫଳ ମନୋରଥ ହୋଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ, ଯହିଁରେ ଆଫଗାନିସ୍ତାନରେ କମ୍ୟୁନିଷ୍ଟ ଶାସନ ପ୍ରବର୍ତ୍ତନ କରିବା ଲାଗି ସୋଭିଏତ୍‌ ରୁଷିଆ ପକ୍ଷରୁ ଉଦ୍ୟମ କରାଯାଇଥିଲା। ସେଠାରେ ପ୍ରାୟ ଏଗାର ବର୍ଷ କାଳ ରୁଷୀୟ ସେନା ଉପସ୍ଥିତ ରହି ନଜିବୁଲ୍ଲାଙ୍କୁ ଶାସନ କରିବାର ସୁଯୋଗ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବିଧିର ଏକ ବିଡ଼ମ୍ବନା ସ୍ବରୂପ ଆଫଗାନିସ୍ତାନକୁ ରୁଷୀୟ ସେନାଙ୍କ କବଳରୁ ମୁକ୍ତ କରିବା ସକାଶେ ସେହି ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥ ଓ ଅସ୍ତ୍ରଶସ୍ତ୍ର ସହାୟତାରେ ପାକିସ୍ତାନ ଦ୍ବାରା ତାଲିବାନ ସୃଷ୍ଟି ହୋଇଥିଲେ; ଯେଉଁମାନେ ପରବର୍ତ୍ତୀ କାଳରେ ଆମେରିକାର ଚରମ ଶତ୍ରୁରେ ପରିଣତ ହେଲେ। ତେବେ ରୁଷୀୟ ସେନାଙ୍କ ଅପସାରଣ ପରେ ଆଫଗାନିସ୍ତାନରେ ଗୃହଯୁଦ୍ଧ ଓ ରକ୍ତପାତ ସୃଷ୍ଟି ହେବାର ଅନିବାର୍ଯ୍ୟତା ସୋଭିଏତ୍‌ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କୁ ଏଭଳି ଗ୍ଳାନିବୋଧ ଦ୍ବାରା ଜର୍ଜରିତ କରିଥିଲା ଯେ ତାଙ୍କ ନିର୍ଦ୍ଦେଶ ଅନୁସାରେ ରୁଷୀୟ ସେନା ସେମାନଙ୍କର ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ନଜିବୁଲ୍ଲାଙ୍କ ସେନାବାହିନୀ ଦ୍ବାରା ବ୍ୟବହୃତ ହେବା ଲାଗି ଛାଡ଼ି ଯାଇଥିଲେ। ଅବଶ୍ୟ, ଏହା ଏକ ଭିନ୍ନ ପ୍ରସଙ୍ଗ ଯେ ତାହା ଏକ ଅପରିଣାମଦର୍ଶୀ ନିଷ୍ପତ୍ତି ଥିଲା, କାରଣ ପ୍ରକୃତରେ ସେ ସବୁ ଅସ୍ତ୍ରଶସ୍ତ୍ର ତାଲିବାନୀମାନଙ୍କ ହସ୍ତଗତ ହୋଇ ସେମାନଙ୍କୁ ଅଧିକ ଶକ୍ତିଶାଳୀ କଲା। ଅପର ପକ୍ଷରେ ଆମେରିକାର ସୈନିକମାନେ ସେଠାରେ କୌଣସି ଅସ୍ତ୍ରଶସ୍ତ୍ର ଛାଡ଼ି ଯାଉ ନାହାନ୍ତି ଏବ˚ ସେମାନଙ୍କ ଦ୍ବାରା ପରିତ୍ୟକ୍ତ ଚଳନକ୍ଷମ ଗାଡ଼ିଗୁଡ଼ିକ ମଧୢ ଚାବିବିହୀନ ହୋଇ ପଡ଼ି ରହିଛି। କେବଳ ସେତିକି ନୁହେଁ, ସୋଭିଏତ୍‌ ରୁଷିଆର ସୈନିକମାନେ ସୌଜନ୍ୟମୂଳକ ଭାବେ ବିଦାୟ ଘେନି ଆଫଗାନିସ୍ତାନ ଛାଡ଼ିଥିଲେ, କିନ୍ତୁ ଗଲା ସପ୍ତାହରେ କାବୁଲ ସନ୍ନିକଟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବାଗ୍ରାମ ସାମରିକ ବିମାନ ଘାଟୀରେ ବିଦ୍ୟୁତ୍‌ ସ˚ଯୋଗ ଛିନ୍ନ କରି ନିଶାର୍ଦ୍ଧର ଅନ୍ଧକାରରେ ନିଃଶବ୍ଦରେ ଆମେରିକା ସେନାବହିନୀର ଏକ ବଡ଼ ଦଳ ସେଠାରୁ ପଳାୟନ କରିଛନ୍ତି। ଏହା ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା କାବୁଲରେ ଅବସ୍ଥାପିତ ଅତ୍ୟନ୍ତ ଜୀର୍ଣ୍ଣଶୀର୍ଣ୍ଣ ଗଣତାନ୍ତ୍ରିକ ସରକାରକୁ ହତଭମ୍ବ କରିବା ସହିତ ଆମେରିକାର ଭାବମୂର୍ତ୍ତିକୁ ଯଥେଷ୍ଟ ମଳିନ କରିଛି।

ଆଫଗାନିସ୍ତାନରେ ଆମେରିକାର ବିଫଳତାର କାରଣ ଖୋଜିଲେ ଏକ ଉତ୍ତରର ଆଭାସ ମାଲାଲା ୟୁସୁଫଜାୟୀ(ଶାନ୍ତି ଲାଗି ନୋବେଲ ପୁରସ୍କାର ପ୍ରାପ୍ତ) ଙ୍କ ସହିତ ଏକ ସାକ୍ଷାତକାରରୁ ମିଳିଥାଏ, ଯାହା ପ୍ରସିଦ୍ଧ ବ୍ରିଟିସ୍‌ ମହିଳା ପତ୍ରିକା ‘ଭଗ୍‌’ରେ ପ୍ରକାଶିତ ହୋଇଛି। ଏଠାରେ ପାଠକ-ପାଠିକାମାନଙ୍କୁ ମନେ ପକାଇ ଦିଆଯାଇ ପାରେ କି ପାକିସ୍ତାନରେ ବାଳିକାମାନେ ଶିକ୍ଷା ଲାଭ କରନ୍ତୁ ବୋଲି ଏକ ଅଭିଯାନ ଆରମ୍ଭ କରିଥିବା କାରଣରୁ କିଶୋରୀ ମାଲାଲାଙ୍କୁ ଜଣେ ତାଲିବାନୀ ଯୁବକର ଗୁଳି ମାଡ଼ର ଶିକାର ହେବାକୁ ପଡ଼ିଥିଲା, ଯହିଁରୁ ସୌଭାଗ୍ୟ କ୍ରମେ ସେ ବଞ୍ଚି ଯାଇଥିଲେ। ଏହିଭଳି ଜଣେ ଉଦାର ଚେତା ଓ ନାରୀ ମୁକ୍ତି ସପକ୍ଷବାଦୀ ଯୁବତୀ ତାଙ୍କ ମଥାରେ ସର୍ବଦା ଧାରଣ କରିଥିବା ଓଢ଼ଣିଟି କ’ଣ ନାରୀ ନିଷ୍ପେଷଣର ପ୍ରତୀକ ନୁହେଁ ବୋଲି ‘ଭଗ୍‌’ ପତ୍ରିକା ପକ୍ଷରୁ ଏକ ଶାଣିତ ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତରରେ ମାଲାଲା କହିଥିଲେ, ଜଣେ ପଖତୁନ ସ˚ପ୍ରଦାୟର ସୁନ୍ନୀ ମୁସଲମାନ ଝିଅ ହିସାବରେ ଏହା ତାଙ୍କର ପାର˚ପରିକ ବେଶଭୂଷାର ଅ˚ଶ। ଏହା ତାଙ୍କୁ ତାଙ୍କ ମୂଳ ସହିତ ସ˚ଲଗ୍ନ କରି ରଖିଛି। କୌଣସି ରୂପେ ଏହା ନାରୀ ନିପୀଡ଼ନର ସ˚କେତ ନୁହେଁ। ମାଲାଲାଙ୍କ ସାକ୍ଷାତକାର ଏଠାରେ ଦ୍ରଷ୍ଟବ୍ୟ କାରଣ ପ୍ରାଚ୍ୟ ସଭ୍ୟତାର ସ˚ସ୍କୃତି ଓ ପ୍ରାଚୀନ ମୂଲ୍ୟବୋଧକୁ ନେଇ ପାଶ୍ଚାତ୍ୟ ବିଶ୍ବରେ ଥିବା ଜ୍ଞାନ ଅନେକ ସମୟରେ ଉପର ଠାଉରିଆ; ଅନେକା˚ଶରେ ଉପରୋକ୍ତ ‘ମଥା ଓଢ଼ଣି ଜ୍ଞାନ’ ଭଳି ଅର୍ଦ୍ଧ ପରିପକ୍ବ ଏବ˚ ଭ୍ରାନ୍ତି ବିଜଡ଼ିତ। କିନ୍ତୁ ବିଡ଼ମ୍ବନା ହେଲା, ଏଭଳି ଜ୍ଞାନକୁ ଆଧାର କରି ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ଅନୁଗାମୀମାନେ ବିଭିନ୍ନ କାରଣରୁ ଭିଏତ୍‌ନାମ, ଆଫଗାନିସ୍ତାନ ଓ ଇରାକ୍‌ରେ ସେମାନଙ୍କ ସ˚ଜ୍ଞାନୁମୋଦିତ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଛନ୍ତି ଓ ଅତି ଦୟନୀୟ ଭାବେ ଭଗ୍ନ ମନୋରଥ ହୋଇଛନ୍ତି।

ଏବେ ଆମେରିକାର ବିଦେଶ ମନ୍ତ୍ରାଳୟ ପକ୍ଷରୁ ସଫେଇ ଦିଆଯାଇଛି ଯେ ଆଫଗାନିସ୍ତାନରେ ନିର୍ମଳ ଗଣତନ୍ତ୍ର ପ୍ରତିଷ୍ଠା କରିବାର ଦାୟିତ୍ବ କେବଳ ଆ‌େମରିକାର ନୁହେଁ; ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସେ ଦିଗରେ ସକାରାତ୍ମକ ଏବ˚ ସକ୍ରିୟ ଭୂମିକା ନିର୍ବାହ କରନ୍ତୁ। କହିବା ବାହୁଲ୍ୟ ଯେ ଆମେରିକା ଆଫଗାନିସ୍ତାନକୁ ନୂଆ ଭାବେ ନିର୍ମାଣ କରିବାକୁ ଯାଇ ତାକୁ ଏକ ବିଶାଳ ଭଗ୍ନ ସ୍ତୂପରେ ପରିଣତ କରିସାରିଛି। ଏବେ କେବଳ ଆଫଗାନମାନେ ନୁହନ୍ତି, ବର˚ ତା’ର ପଡ଼ୋଶୀମାନେ ମଧୢ ଏହି ବିଧ୍ବଂସୀକରଣ ଦ୍ବାରା ସୃଷ୍ଟ ଧୂଳିର ପଟଳ ଦ୍ବାରା ଅଣନିଃଶ୍ବାସୀ ହେବେ। ଏବେ ଆଫଗାନିସ୍ତାନ କେବଳ ରକ୍ତପାତ ଓ ନରସ˚ହାର ଦେଖିବ ନାହିଁ, ବରଂ ତାହା ଆତଙ୍କବାଦର ଏକ ଉପନିବେଶରେ ମଧ୍ୟ ପରିଣତ ହୋଇପାରେ।

ସମ୍ବନ୍ଧିତ ଖବର