ଓଡ଼ିଆରେ ଏକ ସୁପରିଚିତ ଢଗ ଅଛି: ‘‘ବଡ଼ ନାଆଟି ଯେଉଁ ବାଟେ ଯାଏ, ସାନ ନାଆଟି ସେଇ ବାଟେ ଯାଏ।’’ ଅର୍ଥାତ୍, ଯେଉଁ ବାଟଟି ବଡ଼ ଆକାରର ନାଆଟି ଯିବା ପାଇଁ ପ୍ରତିବନ୍ଧଶୂନ୍ୟ ହୋଇଥିବ (ପାଣିର ଗଭୀରତା ଯଥେଷ୍ଟ ହୋଇଥିବ, ଲୁକ୍କାୟିତ ପଥରଖଣ୍ତ ଆଦି ନ ଥିବ, ଇତ୍ୟାଦି), ସେ ବାଟ ଦେଇ ସାନ ଆକାରର ନାଆଟି ସୁରୁଖୁରୁରେ ଯାଇପାରିଥାଏ; ତେଣୁ ସାନ ନାଆଟି ସ୍ବାଭାବିକ ଭାବେ ବଡ଼ ନାଆକୁ ଅନୁସରଣ କରେ। ଆଉ ଯଦି ସାନ ନାଆଟିର ଆଖି ସାମ୍ନାରେ ଦୁଇ ଦୁଇଟି ବଡ଼ ନାଆ ଗୋଟିଏ ନିର୍ଦ୍ଦିଷ୍ଟ ବାଟ ଦେଇ ଚାଲିଯିବା ଦେଖାଯାଏ, ତା’ ହେଲେ ସାନ ନାଆଟି କାଳ ବିଳମ୍ବ ନ କରି ସେମାନଙ୍କୁ ଅନୁସରଣ କରି ସେଇ ବାଟ ହିଁ ଆପଣେଇ ନେବାରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି?
ଗତ ମାସରେ ଦେଖା ଯାଇଥିଲା ଭାରତୀୟ ନ୍ୟାୟପାଳିକାର ଦୁଇଟି ବଡ଼ ନାଆ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି- ନ୍ୟାୟ ମୂର୍ତ୍ତି ଇନ୍ଦିରା ବାନାର୍ଜୀ ଓ ନ୍ୟାୟମୂର୍ତ୍ତି ଅନିରୁଦ୍ଧ ବୋଷ- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କ˚ଗ୍ରେସ ସମ୍ପର୍କିତ ଦୁଇଟି ଭିନ୍ନ ଭିନ୍ନ ମାମଲାର ବିଚାରରେ ଜଡ଼ିତ ହେବାକୁ କୁଣ୍ଠାପ୍ରକାଶ କରି ସମ୍ପୃକ୍ତ ବେଞ୍ଚ୍ରୁ ଓହରି ଯାଇଥିଲେ। ଉଭୟ ନ୍ୟାୟମୂର୍ତ୍ତି ଅତୀତରେ କଲିକତା ହାଇକୋର୍ଟରେ ବିଚାରପତି ଆସନ ଅଳଙ୍କୃତ କରିଥିଲେ। ଗତ ସପ୍ତାହରେ ଏ ଦୁଇ ବଡ଼ ନାଆଙ୍କୁ ଅନୁସରଣ କଲା ଭଳି ସାନ ନାଆଟିଏ- କଲିକତା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି କୌଶିକ ଚନ୍ଦା ସେଇ ମମତା ବାନାର୍ଜୀ ସମ୍ପର୍କିତ ଆଉ ଏକ ମାମଲାର ବିଚାରରେ ଜଡ଼ିତ ହେବାକୁ ଅନିଚ୍ଛା ପ୍ରକାଶ କରି ଓହରି ଯାଇଛନ୍ତି।
ନ୍ୟାୟମୂର୍ତ୍ତିମାନେ କୌଣସି ମାମଲାର ବିଚାରରୁ ସ୍ବ-ଇଚ୍ଛାରେ ଏପରି ଓହରି ଯିବାକୁ ‘ରେକ୍ୟୁଜାଲ୍’ ରୂପେ ଅଭିହିତ କରାଯାଇଥାଏ। ନ୍ୟାୟମୂର୍ତ୍ତି ଚନ୍ଦାଙ୍କ ବେଞ୍ଚରେ ବିଚାର ଅପେକ୍ଷାରେ ଥିବା ମାମଲାଟି ଥିଲା ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ନିର୍ବାଚନ ମଣ୍ତଳୀରେ ମମତାଙ୍କ ପ୍ରତିଦ୍ବନ୍ଦ୍ବୀ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଅସିଦ୍ଧ କରିବା ପାଇଁ ମମତା ଆଗତ କରିଥିବା ଆବେଦନ। ମମତାଙ୍କ ଓକିଲ ଦ୍ବୟ, ଅଭିଷେକ ସି˚ହଭି ଓ ଏସ୍ଏନ୍ ମୁଖାର୍ଜୀ ଅଦାଲତରେ ଦାବି କରିଥିଲେ ଯେ ଅତୀତରେ ଓକିଲ ଥିବା ସମୟରେ ନ୍ୟାୟମୂର୍ତ୍ତି ଚନ୍ଦାଙ୍କର ଶୁଭେନ୍ଦୁ ଅଧିକାରୀଙ୍କ ଦଳ ଭାରତୀୟ ଜନତା ପାର୍ଟି ସହିତ ସମ୍ପର୍କ ଥିବା ଯୋଗୁଁ ମାମଲାର ବିଚାରରେ ସେ ପକ୍ଷପାତିତା ପ୍ରଦର୍ଶନ କରିବାର ସମ୍ଭାବନା ରହିଛି। ସେମାନଙ୍କ ସେଇ ଦାବି ଆଗରେ ମୁଣ୍ତ ନୁଆଁଇ ନ୍ୟାୟମୂର୍ତ୍ତି ଚନ୍ଦା ମାମଲାଟିର ବିଚାରରୁ ଓହରି ଯାଇଛନ୍ତି, କିନ୍ତୁ ଏଭଳି ଅଭିଯୋଗ ଦ୍ବାରା ନ୍ୟାୟପାଳିକାକୁ କଳଙ୍କିତ କରିବା ପାଇଁ ମମତା କରିଥିବା ପ୍ରଚେଷ୍ଟାର ଦଣ୍ତ ସ୍ବରୂପ ତାଙ୍କ ଉପରେ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥଦଣ୍ତ ଲାଗୁ କରିଛନ୍ତି।
ଅବଶ୍ୟ କହିବା ଦରକାର ନାହିଁ, ଏହି ଅର୍ଥଦଣ୍ତ ଦ୍ବାରା ନ୍ୟାୟମୂର୍ତ୍ତି ଚନ୍ଦାଙ୍କ ‘ରେକ୍ୟୁଜାଲ୍’ ଯୋଗୁଁ ନ୍ୟାୟପାଳିକା ଠାରେ ଲାଗିଥିବା ଦାଗ ପୋଛି ହୋଇଯିବ ନାହିଁ। ନ୍ୟାୟମୂର୍ତ୍ତି ଚନ୍ଦା ଲଗାଇଥିବା ଏହି ଦାଗ ହେଉଛି ମାମଲାଟିରୁ ତାଙ୍କର ଆତ୍ମ-ଅପସାରଣ ଯୋଗୁଁ ପ୍ରକଟିତ ହୋଇଥିବା ନ୍ୟାୟପାଳିକାର ଦୁର୍ବଳ ଭାବମୂର୍ତ୍ତି। ‘ଅଷ୍ଟାବକ୍ରଗୀତା’ରେ ଅଷ୍ଟାବକ୍ର ଋଷି ରାଜା ଜନକଙ୍କୁ କହିଥିବା ଭଳି ‘‘ଅଜ୍ଞମାନେ କର୍ମରୁ ନିବୃତ୍ତ ହେବା ହେଉଛି ଏକ ସକାରାତ୍ମକ କାର୍ଯ୍ୟ; ବିଜ୍ଞମାନେ କର୍ମରେ ପ୍ରବୃତ୍ତ ହେବା ହିଁ ହେଉଛି ପ୍ରକୃତ ନିବୃତ୍ତି।’’ ସମାଜର ବିଜ୍ଞତମ ବ୍ୟକ୍ତି ରୂପେ ବିବେଚିତ ନ୍ୟାୟମୂର୍ତ୍ତିମାନଙ୍କ ଠାରୁ ଅଜ୍ଞ-ସୁଲଭ ନିବୃତ୍ତି ଆଶା କରାଯାଏ ନାହିଁ। ମହାନ୍ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟ୍ଲ ଅଷ୍ଟାବକ୍ର ଋଷିଙ୍କୁ ସମର୍ଥନ କଲା ଭଳି କହିଥିଲେ: ‘‘ସିଏ ହେଉଛି ସର୍ବଶ୍ରେଷ୍ଠ, ଯିଏ ନିଜର ଦୃଢ଼ ଆତ୍ମବିଶ୍ବାସ ଅନୁସାରେ କାର୍ଯ୍ୟ କରେ; ଅପର ପକ୍ଷେ ଯିଏ ଅନ୍ୟର ଉପଦେଶ ମାନି ନେଇ କାର୍ଯ୍ୟ କରେ, ସେ ହେଉଛି ନିମ୍ନ ସ୍ତରର।’’ ନ୍ୟାୟମୂର୍ତ୍ତିମାନେ ସର୍ବଶ୍ରେଷ୍ଠ ଶ୍ରେଣୀର ହୋଇଥିବା ସମାଜ ଆଶା କରିଥାଏ।
ଏଥିରେ ସନ୍ଦେହ ନାହିଁ ଯେ ନ୍ୟାୟମୂର୍ତ୍ତି କୌଶିକ ଚନ୍ଦାଙ୍କ ‘ରେକ୍ୟୁଜାଲ୍’ ନିଷ୍ପତ୍ତି ପଛରେ ରହିଥିବା କାରଣ ହେଉଛି ତାଙ୍କର ଅନ୍ତର୍ନିହିତ ନ୍ୟାୟ-ଅନ୍ୟାୟବୋଧ। ସେ କହିଥିବା ଭଳି ସେ ଯଦି ଓହରି ନ ଯାଇ ମାମଲାଟିର ବିଚାର କରନ୍ତେ, ତା’ହେଲେ ମନ୍ଦବୁଦ୍ଧି ସମ୍ପନ୍ନ ସମାଲୋଚକମାନଙ୍କୁ ନ୍ୟାୟପାଳିକାର ନିନ୍ଦାଗାନ କରିବାକୁ ସୁଯୋଗ ଦିଅନ୍ତେ, ଯାହା ତାଙ୍କ ଦୃଷ୍ଟିରେ ନ୍ୟାୟପାଳିକା ପ୍ରତି ଅନ୍ୟାୟ ହୁଅନ୍ତା। କିନ୍ତୁ ନ୍ୟାୟ-ଅନ୍ୟାୟ ଧାରଣା କିପରି ନିଜର ବ୍ୟକ୍ତିଗତ ବିଚାର ଅପେକ୍ଷା ସମାଜ ବ୍ୟବସ୍ଥାର ବୃହତ୍ତର ହିତସାଧନ ଉପରେ ଅଧିକ ନିର୍ଭର କରିଥାଏ, ତାହାର ବଳିଷ୍ଠ ବର୍ଣ୍ଣନା ଦେଖିବାକୁ ମିଳିଥାଏ ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ସ୍କଟିସ୍ ଦାର୍ଶନିକ ଡେଭିଡ୍ ହ୍ୟୁମ୍ଙ୍କର ଯୁଗାନ୍ତକାରୀ ଗ୍ରନ୍ଥ ‘ଟ୍ରିଟିଜ୍ ଅଫ୍ ହ୍ୟୁମାନ୍ ନେଚର୍’ (‘ମାନବୀୟ ପ୍ରକୃତିର ସନ୍ଦର୍ଭ’)ରେ।
ଏଥିରେ ସେ ଠାଏ କହିଛନ୍ତି, ମନେ କରାଯାଉ ଜଣେ ଦୁଃସ୍ଥ ଛୋଟିଆ ବେପାରୀ ଜଣେ ମହାଜନଠାରୁ ଆଣିଥିବା ଋଣ ପରିଶୋଧ କରିବାରେ ନିଜର ଅକ୍ଷମତା ଯୋଗୁଁ ଖିଲାପ କରୁଛନ୍ତି। ମନେକର ମହାଜନ ଜଣକ ଜଣେ ଦୃଷ୍ଟ ପ୍ରକୃତିର କୃପଣ ରୂପେ ଜଣାଶୁଣା। ସ୍ବାଭାବିକ ଭାବରେ ଛୋଟିଆ ବେପାରୀ ଜଣକ ପ୍ରତି ନ୍ୟାୟମୂର୍ତ୍ତିଙ୍କ ମନରେ ସମବେଦନା ଭରପୂର ହୋଇ ରହିଥିଲେ ହେଁ, ସମାଜ ବ୍ୟବସ୍ଥା ସୁରୁଖୁରୁରେ ଚାଲିବା ପାଇଁ ପ୍ରଣୟନ କରାଯାଇଥିବା ଆଇନ କାନୁନ ଅନୁସାରେ ନ୍ୟାୟମୂର୍ତ୍ତି ଦୁଷ୍ଟ କୃପଣ ମହାଜନର ଋଣ ଫେରି ପାଇବାର ଅଧିକାରକୁ ସମର୍ଥନ କରି ଦୁଃସ୍ଥ ଛୋଟିଆ ବେପାରୀଙ୍କୁ ତାହା ତୁରନ୍ତ ପରିଶୋଧ କରିବାକୁ ନିର୍ଦ୍ଦେଶ ଦେବେ। ସେହିପରି ଏଠାରେ ଯାହା ଉଚିତ ହୁଅନ୍ତା, ତାହା ହେଲା ମମତାଙ୍କ ସମାଲୋଚନା ଯେତେ ତୀକ୍ଷ୍ଣ ହୋଇଥିଲେ ବି ନ୍ୟାୟ ବ୍ୟବସ୍ଥା ଦ୍ବାରା ନିୟନ୍ତ୍ରିତ ସମାଜ ବ୍ୟବସ୍ଥା ସୁରୁଖୁରୁରେ ଚାଲିବା ପାଇଁ ନିଜର ଭାବନା ଦ୍ବାରା ପ୍ରଭାବିତ ନ ହୋଇ ନିଜର ଆତ୍ମବିଶ୍ବାସରେ ଦୃଢ଼ ରହି ନ୍ୟାୟମୂର୍ତ୍ତି କୌଶିକ ଚନ୍ଦା ଓହରି ନ ଯାଇ ମାମଲାର ନିରପେକ୍ଷ ବିଚାର କରିଥା’ନ୍ତେ।
କେଉଁ ପରିସ୍ଥିତିରେ ଜଣେ ବିଚାରପତି ‘ରେକ୍ୟୁଜ୍’ କରିବେ, ଭାରତରେ ସେ ନେଇ କୌଣସି ଆଇନ ପ୍ରଣୟନ କରାଯାଇ ନାହିଁ ଓ ତାହାର ନିଷ୍ପତ୍ତି ସମ୍ପୃକ୍ତ ନ୍ୟାୟମୂର୍ତ୍ତିଙ୍କ ସିଦ୍ଧାନ୍ତ ଉପରେ ଛାଡ଼ି ଦିଆଯାଇଛି। ଅତୀତରେ ଦେଖାଯାଇଛି କେତେକ ଘଟଣାରେ ପ୍ରକୃତ ବ୍ୟକ୍ତିଗତ ସ୍ବାର୍ଥ ସ˚ଘାତ ଯୋଗୁଁ ସମ୍ପୃକ୍ତ ନ୍ୟାୟମୂର୍ତ୍ତି ମାମଲାର ବିଚାରରୁ ଓହରି ଯାଇଥିବା ବେଳେ, ଅନେକ ଘଟଣାରେ ଜଟିଳ ମାମଲା ବିଚାର ଦାୟିତ୍ବରୁ ଖସି ଯିବା ପାଇଁ କୌଣସି ନ୍ୟାୟମୂର୍ତ୍ତି ଆପଣାଛାଏଁ, କିମ୍ବା ଅନ୍ୟ ଘଟଣାରେ କୌଣସି ଏକ ପକ୍ଷର ଉଦ୍ଦେଶ୍ୟ ପ୍ରଣୋଦିତ ଚାପ ଆଗରେ ମୁଣ୍ତ ନୁଆଁଇ ସମ୍ପୃକ୍ତ ନ୍ୟାୟମୂର୍ତ୍ତି ମାମଲାର ବିଚାରରୁ ଓହରି ଯାଇଛନ୍ତି। ଶେଷୋକ୍ତ ଦୁଇଟି କିସମର ‘ରେକ୍ୟୁଜାଲ୍’ ନ୍ୟାୟ ବ୍ୟବସ୍ଥା ତଥା ସମାଜ ପ୍ରତି ଶୁଭଙ୍କର ନୁହେଁ।
ଜଷ୍ଟିସ କୌଶିକ ଚନ୍ଦାଙ୍କର ବର୍ତ୍ତମାନର ନିଷ୍ପତ୍ତିରେ ଥିବା ଅନ୍ତର୍ନିହିତ ବିରୋଧାଭାସ ବେଶ୍ ସୁସ୍ପଷ୍ଟ: ସେ ପ୍ରଦାନ କରିଥିବା ଅର୍ଥଦଣ୍ତ ଯଦି ସୂଚାଉଥାଏ ଯେ ମମତାଙ୍କ ଅଭିଯୋଗ ହେଉଛି ଭିତ୍ତିହୀନ, ତା’ହେଲେ ଜଷ୍ଟିସ୍ ଚନ୍ଦା ‘ରେକ୍ୟୁଜ୍’ କଲେ କାହିଁକି? ଅପରପକ୍ଷେ ଜଷ୍ଟିସ୍ ଚନ୍ଦାଙ୍କ ‘ରେକ୍ୟୁଜାଲ୍’ ଯଦି ପ୍ରମାଣ କରୁଥାଏ ଯେ ମମତାଙ୍କ ଅଭିଯୋଗ ଭିତ୍ତିହୀନ ନୁହେଁ, ତେବେ ସେ ମମତାଙ୍କୁ ଅର୍ଥଦଣ୍ତରେ ଦଣ୍ତିତ କଲେ କାହିଁକି?