ଭାରତରେ, ବିଶେଷ କରି ହିନ୍ଦୁ ସଂସ୍କୃତିରେ, ହାତୀକୁ ସର୍ବଦା ଦୈବୀ ଶକ୍ତି ଏବଂ ସାର୍ବଭୌମତ୍ବର ପ୍ରତୀକ ରୂପେ ବିଚାର କରା ହୋଇ ଆସିଛି। (ବାସ୍ତବରେ ଏହି ଅଞ୍ଚଳରେ ଦଶମ ଶତାବ୍ଦୀରେ ଗଜନବୀ ବଂଶର ମୁସଲମାନ ରାଜାମାନେ ମଧ୍ୟ ଏଠାକାର ସଂସ୍କୃତି ଅନୁସରଣ କରି ଉଭୟ ପ୍ରତୀକାତ୍ମକ ଭାବରେ ଏବଂ ବ୍ୟାବହାରିକ ଭାବରେ ହାତୀକୁ ଆପଣାଇ ନେବାରୁ ତାହା ସେମାନଙ୍କର ସାର୍ବଭୌମତ୍ବ ପାଇଁ ଏକ ସମସ୍ୟା ସୃଷ୍ଟି କରିଥିଲା। କାରଣ, କୋରାନ୍ର ପ୍ରସିଦ୍ଧ ‘ହସ୍ତୀ’ ଅଧ୍ୟାୟରେ ହୋଇଥିବା ବର୍ଣ୍ଣନା ଅନୁସାରେ ରାଜା ଆବ୍ରାହା ହାତୀମାନଙ୍କୁ ବ୍ୟବହାର କରି ଆରବସ୍ଥିତ ଇସଲାମ୍ର ପବିତ୍ରତମ ଧର୍ମପୀଠ ‘‘କା’ ବା’’ର ଧ୍ବଂସ ସାଧନ କରିବା ପାଇଁ ଉଦ୍ୟମ କରିଥିଲେ।)।
ଏକ ବହୁଳ ବ୍ୟବହୃତ ହିନ୍ଦୀ ବୋଲି ସହିତ ଆମେ ସମସ୍ତେ ସୁପରିଚିତ: ‘‘ମରଦ୍ କା ବାତ୍, ହାଥୀ କା ଦାନ୍ତ’! (ଲିଙ୍ଗ ବିଦ୍ବେଷ ଦୋଷ ଦୁଷ୍ଟ) ଏହି ବୋଲିର ଅର୍ଥ କାହାରିକୁ ଅବୋଧ୍ୟ ନୁହେଁ: ‘ମରଦ ପିଲା ଦେଇଥିବା ବଚନ ହେଉଛି ହାତୀର ଦାନ୍ତ ପରି ମଜଭୁତ’। ତା’ହେଲେ ଖୋଦ୍ ହାତୀ ଦେଇଥିବା ବଚନ କିଭଳି ମଜଭୁତ ହୋଇଥିବା ଉଚିତ, ତାହା ସହଜେ ଅନୁମେୟ। ହାତୀ ହେଉଛି ଯେଉଁ ସାର୍ବଭୌମତ୍ବର ପ୍ରତୀକ, ସେଇ ସାର୍ବଭୌମତ୍ବର ପ୍ରକୃତ ଅଧିକାରୀ ଏକ ରାଷ୍ଟ୍ର ଦେଇଥିବା ବଚନ ତେଣୁ ସେଇଭଳି ଶକ୍ତ ଓ ଭରସାଯୋଗ୍ୟ ହେବା ଆଶା କରାଯାଏ। ବିଶେଷକରି ନିଜର ମହାନ ପ୍ରାଚୀନ ପରମ୍ପରା ପାଇଁ ସର୍ବଦା ଗର୍ବ ଅନୁଭବ କରି ଆସୁଥିବା ଭାରତ ଭଳି ଏକ ସ୍ବାଧୀନ ସାର୍ବଭୌମ ରାଷ୍ଟ୍ର ପ୍ରତି ଏହା ସର୍ବାଧିକ ପ୍ରଯୁଜ୍ୟ ହେବା କଥା।
ସେଇ କାରଣରୁ ବର୍ତ୍ତମାନ ସାର୍ବଭୌମ ବଚନ ଭଙ୍ଗ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଆନ୍ତର୍ଜାତିକ ଦରବାରରେ ଭାରତର ଭାବମୂର୍ତ୍ତି ଯେଉଁ ଭଳି ଧୂଳିରେ ଲୋଟୁଛି, ତାହା ପ୍ରତ୍ୟେକ ସ୍ବାଭିମାନୀ ନାଗରିକ ଠାରେ ଘୋର ଲଜ୍ଜା ଓ ଅସ୍ବସ୍ତି ସୃଷ୍ଟି କରୁଥିବ। ବଚନ-ଭଙ୍ଗ ଅପରାଧର ଦଣ୍ଡ ସ୍ବରୂପ ଫ୍ରାନ୍ସର ଏକ ଅଦାଲତ ବାଦୀ ପକ୍ଷ ବ୍ରିଟେନ୍ର ‘କେଆର୍ନ ଏନର୍ଜି’କୁ କ୍ଷତିପୂରଣ ଦିଆଯିବା ନିମିତ୍ତ ପ୍ୟାରିସ୍ରେ ଥିବା ଭାରତ ସରକାରଙ୍କର ୨୦ଟି ସମ୍ପତ୍ତିକୁ ଅଚଳ କରି ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଛି। ସେତିକି ନୁହେଁ ‘କେଆର୍ନ ଏନର୍ଜି’ ଆମେରିକା, ଜର୍ମାନି, ହଲାଣ୍ଡ୍ ଆଦି ଦେଶର ଅଦାଲତମାନଙ୍କରେ ଭାରତ ସରକାରଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କରିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରିବାକୁ ଅନୁମତି ମାଗିଛି, ସେଥିରେ ଭାରତର ଜାତୀୟ ଏଆର୍ ଲାଇନ୍ ଏଆର୍ ଇଣ୍ଡିଆର ବିମାନ ମାନ ଉଡ଼ାଣରେ ବିଦେଶ ଯାଇଥିବା ବେଳେ ସେଠାରେ ସେଗୁଡ଼ିକୁ ମାଡ଼ି ବସିବା ଅନ୍ତର୍ଭୁକ୍ତ। ଏହା ଠାରୁ ବଳି ଅପମାନଜନକ ଆଉ କ’ଣ ହୋଇପାରେ?
ଯେଉଁ ବଚନ ଭଙ୍ଗ ପାଇଁ ଭାରତ ବର୍ତ୍ତମାନ ଏପରି ଆନ୍ତର୍ଜାତିକ ହଟହଟାର ସମ୍ମୁଖୀନ ହୋଇଛି, ତାହା ହେଲା ପରସ୍ପରର ନିବେଶକମାନଙ୍କ ପ୍ରତି ନିଷ୍ପକ୍ଷ, ନ୍ୟାୟୋଚିତ ଆଚରଣ ପ୍ରଦର୍ଶନ କରିବା ପାଇଁ ବ୍ରିଟେନ୍ ସହିତ ଭାରତ ସ୍ବାକ୍ଷର କରିଥିବା ବଚନବଦ୍ଧ ଚୁକ୍ତିର ଉଲ୍ଲଂଘନ। କେବଳ ‘କେଆର୍ନ ଏନର୍ଜି’ ନୁହେଁ, ଏହା ପୂର୍ବରୁ ହଲାଣ୍ଡ୍ ସହିତ କରିଥିବା ଏକ ଅନୁରୂପ ଚୁକ୍ତିର ଉଲ୍ଲଂଘନ କରି ଭୋଡ଼ାଫୋନ୍ ମୋବାଇଲ୍ ଫୋନ୍ କମ୍ପାନି ସହିତ ମଧ୍ୟ ଭାରତ ସରକାର ଠିକ୍ ଏଇଭଳି ଏକ ମାମଲାରେ ଛନ୍ଦି ହୋଇ ଆନ୍ତର୍ଜାତିକ ଅପଯଶ ଅର୍ଜନ କରିଛନ୍ତି, ଯେଉଁଥିରେ ଏ ପର୍ଯ୍ୟନ୍ତ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ।
ସୂଚନାଯୋଗ୍ୟ ‘କେଆର୍ନ ଏନର୍ଜି’ କନ୍ଦଳର ଚେର ମଧ୍ୟ ଲମ୍ବିଛି ଭୋଡ଼ାଫୋନ୍ ମାମଲା ପର୍ଯ୍ୟନ୍ତ। ୨୦୦୭ରେ ଭୋଡ଼ାଫୋନ୍ ସମାପନ କରିଥିବା ହଂକଂସ୍ଥିତ ମୋବାଇଲ୍ ଫୋନ୍ କମ୍ପାନି ‘ହଚିସନ୍ ହ୍ବାମ୍ପୋଆ’ର ଅଂଶପତ୍ର କ୍ରୟ ଉପରେ ଭାରତ ସରକାର ଯେଉଁ ୨୨,୧୦୦ କୋଟି ଟଙ୍କାର କ୍ୟାପିଟାଲ୍ ଗେନ୍ସ ଟିକସ ଦାବି କରିଥିଲେ, ୨୦୧୨ରେ ସୁପ୍ରିମ୍ କୋର୍ଟ ତାକୁ ଅବୈଧ ଘୋଷଣା କରି ଖାରଜ କରିଦେଲେ। ଭାରତରେ ସୁପ୍ରିମ୍ କୋର୍ଟ ସର୍ବୋଚ୍ଚ ଅଦାଲତ ହୋଇଥିବାରୁ ସରକାର ଏହି ନିର୍ଦ୍ଦେଶ ମାନିବା ବ୍ୟତୀତ ଅନ୍ୟ ଉପାୟ ନ ଥିବା କଥା। କିନ୍ତୁ ତତ୍କାଳୀନ କଂଗ୍ରେସ୍ ନେତୃତ୍ବାଧୀନ ଉପା ସରକାରରେ ଅର୍ଥମନ୍ତ୍ରୀ ଥିବା ପ୍ରଣବ ମୁଖାର୍ଜୀ କୋର୍ଟ ଆଦେଶ ଅମାନ୍ୟ କରିବା ପାଇଁ ଏକ ଅଭୂତପୂର୍ବ, ସମ୍ପୂର୍ଣ୍ଣ ଅନ୍ୟାୟୋଚିତ ଉପାୟ ବାହାର କରି ପାର୍ଲିଆମେଣ୍ଟ୍ରେ ଏ ସମ୍ପର୍କିତ ଆଇନରେ ଏକ ସଂଶୋଧନ ପାରିତ କରାଇଦେଲେ, ଯାହା ୬୦ ବର୍ଷ ତଳ ଠାରୁ, ଅର୍ଥାତ୍ ୧୯୬୨ ଠାରୁ ଲାଗୁ ହେବ ବୋଲି ବ୍ୟବସ୍ଥା ରହିଲା ଏବଂ ଯାହା ଫଳରେ ସୁପ୍ରିମ୍ କୋର୍ଟ ଅବୈଧ ଘୋଷଣା କରିଥିବା ଭୋଡ଼ାଫୋନ୍ ଉପରେ ଟିକସ ରାତାରାତି ବୈଧ ହୋଇଗଲା।
ସଚରାଚର ଟିକସର ମୌଳିକ ଚରିତ୍ର ହେଉଛି ଏହା ଯେ ଏହା ଆଗାମୀ ଦିନମାନଙ୍କରେ ଲାଗୁ ହୁଏ, ପିଛିଲା ଦିନରୁ ନୁହେଁ। ହଲାଣ୍ଡ୍ ସହିତ ଭାରତ କରିଥିବା ବଚନବଦ୍ଧ ଚୁକ୍ତି ଅନୁସାରେ ଦୁଇ ପକ୍ଷ ମଧ୍ୟରେ କୌଣସି ବିବାଦ ଉପୁଜିଲେ, ସମାଧାନ ପାଇଁ ସେମାନେ ଆନ୍ତର୍ଜାତିକ ଟ୍ରିବ୍ୟୁନାଲ୍ର ଦ୍ବାରସ୍ଥ ହେବେ। ଭାରତର ଏହି ଅନ୍ୟାୟ ଆଇନ ବିରୋଧରେ ଭୋଡ଼ାଫୋନ୍ ହଲାଣ୍ଡ୍ର ‘ଦି ହେଗ୍’ସ୍ଥିତ ଆନ୍ତର୍ଜାତିକ ଟ୍ରିବ୍ୟୁନାଲ୍ରେ ଆବେଦନ କରି ବିଜୟୀ ହୋଇଛି କିନ୍ତୁ ଭାରତ ସରକାର ଆଉ ଏକ ବଚନ ଭଙ୍ଗ କରି ଏଯାଏ ଭୋଡ଼ାଫୋନ୍କୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶିତ କ୍ଷତିପୂରଣ ପ୍ରଦାନ କରି ନାହାନ୍ତି।
ଭୋଡ଼ାଫୋନ୍ ଠାରୁ ଟିକସ ଆଦାୟ କରିବା ପାଇଁ ପିଛିଲା ଟିକସ ବା ‘ରେଟ୍ରୋସ୍ପେକ୍ଟିଭ୍ ଟ୍ୟାକ୍ସ’କୁ ଆଇନର ସଂଶୋଧନ ଦ୍ବାରା ବୈଧ କରି ଦିଆଯିବା ପରେ ସରକାରଙ୍କ ଆୟକର ବିଭାଗର ନଜର ପଡ଼ିଲା ‘କେଆର୍ନ ଏନର୍ଜି’ ଉପରେ। ୨୦୦୬ରେ ଏହି କମ୍ପାନିର ଭାରତୀୟ ଶାଖା ନିଜର ଅଂଶପତ୍ରରେ କରିଥିବା ପୁନର୍ଗଠନ ଯୋଗୁଁ ଅର୍ଜନ କରିଥିବା ଲାଭ ଉପରେ କ୍ୟାପିଟାଲ୍ ଗେନ୍ସ ଟ୍ୟାକ୍ସ ଲାଗୁ କରି ତାହା ଆଦାୟ କରିବା ବାବଦରେ କମ୍ପାନିର ୧୦ ଶତାଂଶ ଅଂଶଧନ ଛଡ଼ାଇ ନେଇ ଆୟକର ବିଭାଗ ବିକ୍ରି କରିଦେଲା। ‘କେଆର୍ନ ଏନର୍ଜି’ ମଧ୍ୟ ବ୍ରିଟେନ୍ ସହିତ ଭାରତ କରିଥିବା ଦ୍ବିପାକ୍ଷିକ ଚୁକ୍ତି ଅନୁସାରେ ଭୋଡ଼ାଫୋନ୍ ପରି ଆନ୍ତର୍ଜାତିକ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହେଲା। ପାଞ୍ଚ ବର୍ଷ କାଳ ବିଚାର ଚାଲିବା ପରେ ୨୦୨୦ ଡିସେମ୍ବରରେ ଚୁକ୍ତିଭଙ୍ଗ ଅପରାଧରେ ଟ୍ରିବ୍ୟୁନାଲ ଭାରତ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କରି ‘କେଆର୍ନ ଏନର୍ଜି’ ଭାରତ ସରକାରଙ୍କ ଠାରୁ ୧୨,୫୮୦ କୋଟି ଟଙ୍କା (୧.୭ ବିଲିଅନ୍ ଡଲାର୍)ର କ୍ଷତିପୂରଣ ପାଇବାକୁ ହକ୍ଦାର ବୋଲି ରାୟ ପ୍ରଦାନ କଲେ।
ସରକାର ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ ପାଳନ ନ କରିବାରୁ ‘କେଆର୍ନ ଏନର୍ଜି’ ଟ୍ରିବ୍ୟୁନାଲ୍ଙ୍କ ଆଦେଶକୁ ଭିତ୍ତି କରି ବିଭିନ୍ନ ଦେଶର ଅଦାଲତରେ ଭାରତ ସରକାରଙ୍କ ସମ୍ପତ୍ତି ଦଖଲ କରିବାକୁ ଆବେଦନ କରିଛି, ଯାହାର ଗୋଟିଏ ଫଳାଫଳ ଦେଖିବାକୁ ମିଳିଛି ପ୍ୟାରିସ୍ରେ। ବିଶ୍ବ ଜନ ମାନସରେ ନିଜର ଏକ ସମ୍ପୂର୍ଣ୍ଣ ଦାନ୍ତହୀନ ହାତୀର ପରିଚୟ ଦୃଢ଼ୀଭୂତ ହେବା ପୂର୍ବରୁ ଭାରତ ଏହି କମ୍ପାନିମାନଙ୍କ ସହିତ ଏକ ଆପୋସ ସମାଧାନ କରିବା ସହିତ ଆଉ ଏକ ସଂଶୋଧନ ଦ୍ବାରା ପିଛିଲା ଟିକସ ଆଇନ ଉଚ୍ଛେଦ କରିବା ଜରୁରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)