ତ୍ରୁଟି ରେଖା

ଦକ୍ଷିଣ ଆଫ୍ରିକାରେ ଚର୍ମର ବର୍ଣ୍ଣ ଆଧାରରେ ସୃଷ୍ଟ ଅତ୍ୟନ୍ତ ଘୃଣ୍ୟ ବୈଷମ୍ୟର ରାଜନୈତିକ ପରିସମାପ୍ତି ଘଟିଥିଲା ୧୯୯୪ ମସିହାରେ; କିନ୍ତୁ ସେତେବେଳକୁ ଦକ୍ଷିଣ ଆଫ୍ରିକାର ସମାଜରେ ବିଭାଜନର ଯେଉଁ ‘ତ୍ରୁଟି ରେଖା’ ବା ‘ଫଲ୍‌ଟ ଲାଇନ୍‌’ ପଡ଼ି ସାରିଥିଲା, ତାହା ଯେ କେବେ ଯୋଡ଼ିହେବ ନାହିଁ, ସେ କଥା ଅଧିକା˚ଶ ରାଜନୈତିକ ପର୍ଯ୍ୟବେକ୍ଷକ ହୃଦୟଙ୍ଗମ କରି ପାରିଥିଲେ। କେବଳ ସେତିକି ନୁହେଁ, ଭବିଷ୍ୟତ୍‌ରେ ସେହି ‘ତ୍ରୁଟି ରେଖା’ ଯେ ଏକ ଭୟାବହ ଭୂଚଳନ ସୃଷ୍ଟି କରିପାରେ, ସେ ନେଇ ମଧୢ ପୂର୍ବାନୁମାନ କରି ହେଉଥିଲା। ସୁତରା˚, ସ˚ପ୍ରତି ସେଠାରେ ସ˚ଘଟିତ ହୋଇଥିବା ବ୍ୟାପକ ଦଙ୍ଗା ଏବ˚ ତହିଁରେ କୃଷ୍ଣକାୟମାନଙ୍କ ଆକ୍ରମଣର ନିଶାଣରେ ଭାରତୀୟମାନେ ରହିବା କେବଳ ସେହି ଆଶଙ୍କାକୁ ହିଁ ପ୍ରାଞ୍ଜଳ କରିଥାଏ।
ଏହି ସ୍ତମ୍ଭର ପାଠକପାଠିକାମାନଙ୍କ ମଧୢରୁ ଯେଉଁମାନେ ଦକ୍ଷିଣ ଆଫ୍ରିକାରେ ସଂଘଟିତ ହେଉଥିବା ସାଂପ୍ରତିକ ଘଟଣାବଳୀ ଉପରେ ବିଶେଷ ନଜର ରଖି ନ ଥିବେ, ସେମାନଙ୍କ ଲାଗି ଚୁମ୍ବକରେ ତାର ପୃଷ୍ଠଭୂମି ଉପରେ ଆଲୋକପାତ କରାଯାଇପାରେ। ଏହି ଦଙ୍ଗାର ମୂଳ କାରଣ ହେଉଛି ବ୍ୟାପକ ଦୁର୍ନୀତି ଅଭିଯୋଗରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କୁ ନଅ ବର୍ଷ ଲାଗି ଜେଲ୍‌ ଦଣ୍ତାଦେଶ ପ୍ରଦାନ କରାଯିବା; ଯାହା ବିରୋଧରେ ତାଙ୍କ ସମର୍ଥକମାନେ ପ୍ରତିବାଦ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ‘ବର୍ଣ୍ଣ ବୈଷମ୍ୟବାଦ’ ବିରୋଧରେ ଦୀର୍ଘ ସ˚ଗ୍ରାମ ଚଳାଇ ପରିଶେଷରେ ସଫଳ ହୋଇଥିବା ‘ଆଫ୍ରିକାନ ନେସନାଲ କ˚ଗ୍ରେସ’ ବା ଏ.ଏନ୍‌.ସି.ର ଜଣେ ତୁଙ୍ଗ ନେତା ଜାକବ ଜୁମାଙ୍କୁ ଅଦ୍ୟାପି ଅନେକ କୃଷ୍ଣକାୟ ଦରିଦ୍ରଙ୍କ ସାଥୀ ରୂପେ ବିବେଚନା କରିଥାଆନ୍ତି। ତେବେ, ସେ ଯାହା ହେଉ, ଅବିଳମ୍ବେ ଏହି ପ୍ରତିବାଦ ହି˚ସ୍ର ହୋଇ ଉଠିଲା; ଏବ˚ ସହସା ଏହା ଏକ ସା˚ପ୍ରଦାୟିକ ମୋଡ଼ ନେଇ ଦକ୍ଷିଣ ଆଫ୍ରିକୀୟ ଭାରତୀୟମାନଙ୍କୁ ଶିକାର କରିବାକୁ ଆରମ୍ଭ କରିଛି। କୃଷ୍ଣକାୟ ଦଙ୍ଗାକାରୀମାନେ ଭାରତୀୟମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ଓ ମଲ୍‌ ଆଦି ଭଙ୍ଗାରୁଜା କରି ଲୁଟ୍‌ପାଟ କରୁଛନ୍ତି; ଯେଉଁଥିରେ ୧୧୭ ଜଣ (ଏହା ଲେଖା ହେଲା ବେଳକୁ) ପ୍ରାଣ ହରାଇ ସାରିଲେଣି। ଏହି ପରିପ୍ରେକ୍ଷୀରେ ସ୍ବାଭାବିକ ଭାବେ ଏଠାରେ ଯେଉଁ ପ୍ରଶ୍ନଟି ଉଠିଥାଏ, ତାହା ହେଲା ଦୀର୍ଘ ଦୁଇ ଶହ ବର୍ଷରୁ ଅଧିକ କାଳ ଧରି ସେଠାରେ ବସବାସ କରି ଆସୁଥିବା ଓ ବର୍ଣ୍ଣ ବୈଷମ୍ୟର ସ˚ଗ୍ରାମରେ କୃଷ୍ଣକାୟମାନଙ୍କ ସତୀର୍ଥ ଭାବେ ଅବତୀର୍ଣ୍ଣ ହୋଇଥିବା ଭାରତୀୟମାନେ ଏଭଳି ବିଦ୍ବେଷମୂଳକ ଆକ୍ରମଣର ଶିକାର ହେଉଛନ୍ତି କାହିଁକି? ଏହାର ଉତ୍ତର ହେଲା ଜାକବ ଜୁମାଙ୍କ ଦୁର୍ନୀତିକୁ ପରିପୁଷ୍ଟ କରିବାରେ ଭାରତର ‘ଗୁପ୍ତା ପରିବାର’ର ବିବାଦୀୟ ଭୂମିକା।

ଉଲ୍ଲେଖ ଥାଉ କି ୧୯୯୩ ମସିହାରେ ‘ଗୁପ୍ତା ଭ୍ରାତା’ଗଣ ଉତ୍ତର ପ୍ରଦେଶରୁ ଯାଇ ଦକ୍ଷିଣ ଆଫ୍ରିକାରେ ବସବାସ ଓ ବ୍ୟବସାୟ କରିବା ଆରମ୍ଭ କରିଥିଲେ। ବ୍ୟବସାୟରେ ସେମାନଙ୍କ ଅକଳ୍ପନୀୟ ଅଭିବୃଦ୍ଧି (ଯାହା ଏବେ ସେଠାରେ ଏକ ଲୋକକଥାର ସ୍ବରୂପ ପରିଗ୍ରହଣ କଲାଣି) ପଛରେ ପୂର୍ବତନ ରାଷ୍ଟ୍ରପତି ଜାବକ ଜୁମାଙ୍କ ଦୁର୍ନୀତିପୂର୍ଣ୍ଣ ଅବଦାନ ନିର୍ବିବାଦୀୟ ଭାବେ ସ୍ପଷ୍ଟ। ସୁତରା˚, ‘ଗୁପ୍ତା ଭ୍ରାତା’ଗଣ ସେଠାରେ ଦୁର୍ନୀତି-ପ୍ରୋତ୍ସାହନକାରୀଙ୍କ ଉଦାହରଣ ପାଲଟିଥିବା ସହ ଘୃଣାର ପାତ୍ର ହୋଇପଡ଼ିଛନ୍ତି। ତେଣୁ, ଦାରିଦ୍ର୍ୟ, ବେକାରି ଓ ଦୁର୍ନୀତି ଦ୍ବାରା ସର୍ବାଧିକ ଜର୍ଜରିତ ସ˚ଖ୍ୟାଗରିଷ୍ଠ କୃଷ୍ଣକାୟମାନଙ୍କ କ୍ରୋଧାଗ୍ନିର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ‘ଗୁପ୍ତା ଭ୍ରାତା ଗଣ’ଙ୍କ ଗୋଷ୍ଠୀ; ଦକ୍ଷିଣ ଆଫ୍ରିକୀୟ ଭାରତୀୟ ସ˚ପ୍ରଦାୟ।

କିନ୍ତୁ, ଏହି ତାତ୍କାଳିକ କାରଣକୁ ଅତିକ୍ରମ କରିଗଲେ ଯାହା ଦେଖିବାକୁ ମିଳିଥାଏ, ତାହା ହେଉଛି ଏହି ଲେଖାର ଉପକ୍ରମରେ ବର୍ଣ୍ଣିତ ହୋଇଥିବା ‘ତ୍ରୁଟି ରେଖା’ ଯାହା କ୍ରମେ ଏକ ଭୂଚଳନକୁ ରୂପ ଦେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜୈନାବ ପ୍ରିୟା ଦାଲାଙ୍କ ଦ୍ବାରା ଲିଖିତ ‘ହ୍ବାଟ୍‌ ଗାନ୍ଧୀ ଡିଡ୍‌ ନଟ୍‌ ସି-ବିଙ୍ଗ ଆନ ଇଣ୍ତିଆନ୍‌ (ଭାରତୀୟ ହୋଇ ମଧୢ ଗାନ୍ଧୀ ଯାହା ଦେଖିନଥିଲେ) ଶୀର୍ଷକ ଏକ ଚମତ୍କାର ପୁସ୍ତକ ପ୍ରଣିଧାନଯୋଗ୍ୟ। ତହିଁରେ ବର୍ଣ୍ଣିତ ଅଛି, କିଭଳି ଦକ୍ଷିଣ ଆଫ୍ରିକାରେ ଜନ୍ମ ଲାଭ କରି, ସେଠାରେ ବଡ଼ ହୋଇ, ଭାରତ ସହିତ କୌଣସି ସ˚ପର୍କ ନ ରଖି ଏବ˚ ସେଠାକାର ସ୍ବାଭାବିକ ନାଗରିକ ହୋଇ ଜୀବନ ବିତାଇଥିବା ସତ୍ତ୍ବେ ସେମାନଙ୍କ ବ˚ଶ ବୃକ୍ଷର ମୂଳ ଭାରତରେ ରହିଥିବା କାରଣରୁ କୃଷ୍ଣକାୟମାନେ ଦକ୍ଷିଣ ଆଫ୍ରିକୀୟ ଭାରତୀୟମାନଙ୍କୁ ବହିରାଗତ ରୂପେ ଦେଖି ଥାଆନ୍ତି। କେବଳ ସେତିକି ନୁହେଁ, କୌଣସି ଏକ ଦେଶରେ ଆଗନ୍ତୁକ ବିଦେଶୀମାନେ ଯେମିତି ସନ୍ତର୍ପଣରେ ତଥା ନିରବରେ ବିଚରଣ କରିଥାଆନ୍ତି, ଭାରତୀୟମାନେ ମଧୢ ସେହିଭଳି କରନ୍ତୁ ବୋଲି ସେଠାରେ ଆଶା କରାଯାଇଥାଏ। ସେହି ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ଅସମ୍ଭବ ସମୃଦ୍ଧିକୁ ଅଧିକା˚ଶ କୃଷ୍ଣକାୟ ସହ୍ୟ କରି ପାରି ନ ଥାଆନ୍ତି। ଏ କଥା ସତ ଯେ ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟ ବିରୋଧୀ ସ˚ଗ୍ରାମରେ ଭାରତୀୟମାନେ ଗୋଟିଏ ଅବିଚ୍ଛେଦ୍ୟ ଓ ମହତ୍ତ୍ବପୂର୍ଣ୍ଣ ଅ˚ଶ ଥିଲେ ଏବ˚ ସେମାନେ ନିଜକୁ ‘କଲର‌୍‌ଡ’ ବା ଅଣଶ୍ବେତାଙ୍ଗ ବୋଲି ନ କହି ନିର୍ଦ୍ଦିଷ୍ଟ ଭାବେ ‘କୃଷ୍ଣକାୟ’ ବୋଲି ଅଭିହିତ ମଧୢ କରୁଥିଲେ। କିନ୍ତୁ, ଏହା ସତ୍ତ୍ବେ ଦକ୍ଷିଣ ଆଫ୍ରିକୀୟ କୃଷ୍ଣକାୟ (ଯେଉଁମାନଙ୍କୁ ଶ୍ବେତାଙ୍ଗମାନେ ତାଚ୍ଛଲ୍ୟରେ ‘ବାଣ୍ଟୁ’ ବୋଲି ସମ୍ବୋଧନ କରୁଥିଲେ)ମାନେ କେବେ ହେଲେ ଭାରତୀୟମାନଙ୍କୁ ସେମାନଙ୍କ ଭିତରୁ ଜଣେ ବୋଲି ଗ୍ରହଣ କରି ପାରୁ ନ ଥିଲେ।

ଏହା ପଛରେ ମଧୢ ଏକ କାରଣ ନିହିତ ଥିଲା। ତାହା ହେଉଛି ଦକ୍ଷିଣ ଆଫ୍ରିକାରେ ଶ୍ବେତାଙ୍ଗ-ନିପୀଡ଼ିତମାନଙ୍କ ଭିତରେ ମଧୢ ଏକ ଅସାମ୍ୟ ଥିଲା; ଯହିଁରେ କୃଷ୍ଣକାୟମାନେ ଭାରତୀୟଙ୍କ ତୁଳନାରେ ଅନେକ କମ୍‌ ସୁବିଧା ଲାଭ କରୁଥିଲେ; ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ ଭଳି ମୌଳିକ ସୁବିଧା ଭାରତୀୟମାନଙ୍କୁ ମିଳୁଥିଲା, ଯାହା କୃଷ୍ଣକାୟମାନଙ୍କୁ ମିଳୁ ନ ଥିଲା। ଅଷ୍ଟମ ଦଶକରେ ଦକ୍ଷିଣ ଆଫ୍ରିକାର ଶ୍ବେତାଙ୍ଗ ସରକାର ବର୍ଣ୍ଣ ବୈଷମ୍ୟକୁ ଆହୁରି ଗଭୀର କରି ତଥା ତାକୁ ଏକ ଉଦ୍ଭଟ ରୂପ ଦେଇ ଯେଉଁ ତ୍ରିସ୍ତରୀୟ ପାର୍ଲାମେଣ୍ଟ୍‌ ବ୍ୟବସ୍ଥାର ପ୍ରାରମ୍ଭ କଲେ, ସେଥିରେ ଶ୍ବେତାଙ୍ଗ, ଅଣଶ୍ବେତାଙ୍ଗ (କଲର‌୍‌ଡ) ଏବ˚ ଭାରତୀୟଙ୍କ ସକାଶେ ସ୍ବତନ୍ତ୍ର ପ୍ରତିନିଧିତ୍ବର ସୁଯୋଗ ରହିଲା ସିନା, କୃଷ୍ଣକାୟମାନେ ସେହି ବ୍ୟବସ୍ଥାରେ ସ˚ପୂର୍ଣ୍ଣ ଅନୁପସ୍ଥିତ ଥିଲେ। ପ୍ରିୟା ଦାଲାଙ୍କ ବର୍ଣ୍ଣନା ଅନୁସାରେ ଅନେକ ସୁବିଧାବାଦୀ ଭାରତୀୟ ଏହି ନୂଆ ବ୍ୟବସ୍ଥାର ହିତାଧିକାରୀ ହୋଇ ନୂତନ ଭାବେ ସୃଷ୍ଟ ‘ହାଉସ୍‌ ଅଫ୍‌ ଡେଲିଗେଟ୍‌ସ’ର ସଦସ୍ୟ ହେଲେ; ଯହିଁରୁ ଦକ୍ଷିଣ ଆଫ୍ରିକାର ଭାରତୀୟ ସମୁଦାୟଙ୍କ ସକାଶେ ରାଜନୈତିକ ତଥା ଅନ୍ୟାନ୍ୟ ସୁବିଧା ହାସଲ କରିବାର ମାର୍ଗ ପ୍ରଶସ୍ତ ହୋଇଗଲା। ସୁତରା˚, ନିଜକୁ କୃଷ୍ଣକାୟ ବୋଲି ଅଭିହିତ କରୁଥିବା ଭାରତୀୟମାନେ ସେତେବେଳକୁ କୃଷ୍ଣକାୟମାନଙ୍କ ଅବଧାରଣାରେ କପଟାଚାରୀରେ ପରିଣତ ହୋଇସାରିଥିଲେ।ତେବେ, ୧୯୯୪ରେ ବର୍ଣ୍ଣ ବୈଷମ୍ୟର ପରିସମାପ୍ତି ପରେ ପ୍ରାୟ ସତେଇଶ ବର୍ଷ ବିତି ଯାଇଥିଲେ ସୁଦ୍ଧା ସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିନାହିଁ; ସେଠାରେ ବାସ କରୁଥିବା ଅଧିକା˚ଶ ଭାରତୀୟ ମୂଳୋଦ୍ଭବ ଶିକ୍ଷିତ ଓ ସ୍ବଚ୍ଛଳ ହୋଇଥିବା ବେଳେ କୃଷ୍ଣକାୟମାନେ ଦରିଦ୍ର ଓ ବେକାର ହୋଇ ରହିଛନ୍ତି। ସେହି ପୁସ୍ତକରେ ବର୍ଣ୍ଣିତ ଅଛି କିଭଳି ଏବେ ବି ଭାରତୀୟମାନଙ୍କ ଘରେ କୃଷ୍ଣକାୟ ପରିବାର ମହିଳାମାନେ ପାଇଟି କରନ୍ତି; କିଭଳି ଜୋହାନସବର୍ଗ ସଡ଼କରେ ଭିକ୍ଷା ବୃତ୍ତି କରୁଥିବା ଜନୈକା ସବଳା ଭାରତୀୟ ନାରୀ ସଦର୍ପେ କହନ୍ତି ଯେ ସେ ଭିକ୍ଷା କରିବେ ସିନା କଦାପି ପର ଘରେ ପାଇଟି କରିବେ ନାହିଁ!

ଏହି ସ˚ଦର୍ଭରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଚର୍ମର ବର୍ଣ୍ଣ ଆଧାରରେ ଯେଉଁ ବୈଷମ୍ୟ ସୃଷ୍ଟି ହୋଇଥିଲା, ତାହା କେବଳ ଚର୍ମ ଗଭୀର ମାତ୍ର ନ ଥିଲା। ତାହା ଦକ୍ଷିଣ ଆଫ୍ରିକୀୟ ସମାଜର ଚର୍ମକୁ ଭେଦ କରି ଅସ୍ଥିମଜ୍ଜାକୁ ସ୍ପର୍ଶ କରି ସାରିଲାଣି। ଏହାର ଏକ ଦୃଷ୍ଟାନ୍ତ ଏହି ଦଙ୍ଗାରେ ଦେଖିବାକୁ ମିଳିଛି। କହିବା ଅନାବଶ୍ୟକ ଯେ ଭବିଷ୍ୟତ୍‌ରେ ଏହା ଏକ ଜଟିଳ ରୂପ ଧାରଣ କରିବାର ଆଶଙ୍କା ସେଠାକାର ଭାରତୀୟମାନଙ୍କୁୁ ଏଣିକି ଉଦ୍‌ବିଗ୍ନ କରି ରଖିବ।

ସମ୍ବନ୍ଧିତ ଖବର