/* */

ସତେ କି ଶ୍ରୀକୃଷ୍ଣ!

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ରାଜ୍ୟ ପାଇଁ ଯେଉଁ ଜନସଂଖ୍ୟା ନୀତିର ପରିକଳ୍ପନା କରି ଦେଶର ତଥାକଥିତ ଉଦାର-ବାମପନ୍ଥୀ ମହଲରେ ଘୋର ହୈଚୈ ସୃଷ୍ଟି କରି ଦେଇଛନ୍ତି, ତାହାକୁ ଫିନ୍‌ଲ୍ୟାଣ୍ଡ୍‌ର ପ୍ରଖ୍ୟାତ ପରିବେଶବିତ୍ କୈବର୍ତ୍ତ-ଦାର୍ଶନିକ ସ୍ବର୍ଗତ ପେଣ୍ଟି ଲିଙ୍କୋଲାଙ୍କୁ ଅନୁସରଣ କରି ବସ୍ତୁତଃ ଏକ ଜନସଂଖ୍ୟା ଲାଇସେନ୍‌ସରାଜ୍ ବୋଲି ବର୍ଣ୍ଣନା କରାଯାଇ ପାରେ। ପୃଥିବୀରେ ମନୁଷ୍ୟ ସଂଖ୍ୟାକୁ ସୀମିତ କରାଯିବା ନିତାନ୍ତ ଜରୁରୀ ଏବଂ ଏହାର ଏକ ଉପାୟ ହେଉଛି ସନ୍ତାନ ଜନ୍ମ ପାଇଁ ରାଷ୍ଟ୍ର ଦ୍ବାରା ଲାଇସେନ୍‌ସ ପ୍ରଦାନ ବ୍ୟବସ୍ଥା (ଯେମିତି ବନ୍ଧୁକ ରଖିବା ପାଇଁ କିମ୍ବା ମଟର ଯାନ ଚଳାଇବା ପାଇଁ…)ର କଡ଼ାକଡ଼ି ପ୍ରବର୍ତ୍ତନ ବୋଲି ଲିଙ୍କୋଲା ଦୃଢ଼ ମତ ପୋଷଣ କରିଥିଲେ। ଦୁଇଟିରୁ ଅଧିକ ସନ୍ତାନ ଜନ୍ମ କରୁଥିବା ଦମ୍ପତିମାନଙ୍କୁ ଯୋଗୀ ସରକାର ଯେଉଁ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାଯିବା ପାଇଁ ପ୍ରସ୍ତାବିତ ନୀତିରେ ବ୍ୟବସ୍ଥା ରଖିଛନ୍ତି, ତାହାକୁ ଓଲଟାଇ ଦେଖିଲେ ତାହା ପେଣ୍ଟି ଲିଙ୍କୋଲା-ପ୍ରସ୍ତାବିତ ସନ୍ତାନ ଜନ୍ମ ଲାଇସେନ୍‌ସ ବ୍ୟବସ୍ଥାର ଅନ୍ୟ ନାମ ପରି ମନେ ହୋଇଥାଏ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଏକ ଚରମ ଆଭିମୁଖ୍ୟ ଅବଲମ୍ବନ କରିଥିବା ଲିଙ୍କୋଲାଙ୍କ ମତରେ ପୃଥିବୀ ନାମକ ଗ୍ରହ ପୃଷ୍ଠରେ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କ ପ୍ରତି କୌଣସି କ୍ଷତି ନ ପହଞ୍ଚାଇ ସର୍ବାଧିକ ଯେତିକି ସଂଖ୍ୟକ ମନୁଷ୍ୟ ବସବାସ କରିବା ପାଇଁ ସ୍ଥାନ ଉପଲବ୍‌ଧ, ତାହା ହେଉଛି ପାଞ୍ଚ ନିୟୁତ ମାତ୍ର (ଯାହା ନିଉଜିଲାଣ୍ଡର ଲୋକସଂଖ୍ୟା ସହିତ ପ୍ରାୟ ସମାନ)। କେବଳ ଯୋଗୀଙ୍କ ରାଜ୍ୟ ଉତ୍ତରପ୍ରଦେଶର ଲୋକସଂଖ୍ୟା କିନ୍ତୁ ହେଉଛି ଏହି ଲିଙ୍କୋଲା-ସଂଖ୍ୟାର ୪୬ ଗୁଣରୁ ଅଧିକ- ୨୩୦ ନିୟୁତରୁ ଅଧିକ। ଲିଙ୍କୋଲା ଦୃଢ଼ ଭାବରେ ବିଶ୍ବାସ କରୁଥିଲେ ଯେ ପୃଥିବୀ ଗ୍ରହରେ ବାସ କରିବା ପାଇଁ ମନୁଷ୍ୟର ଯେତିକି ଅଧିକାର ଅଛି, ସମସ୍ତ ମନୁଷ୍ୟେତର ପ୍ରାଣୀମାନଙ୍କର ମଧ୍ୟ ସେତିକି ଅଧିକାର ରହିଛି। ମନୁଷ୍ୟର ସଂଖ୍ୟା ବୃଦ୍ଧି ସେମାନଙ୍କୁ ସ୍ଥାନଚ୍ୟୁତ କରି ବିଲୟ ଭିତରକୁ ଠେଲିବାରେ ଲାଗିଛି।

ଯୋଗୀ ଅବଶ୍ୟ ଅନ୍ୟ ପ୍ରାଣୀମାନଙ୍କ ପ୍ରତି ଏକାତ୍ମ ଭାବ କିମ୍ବା ସମବେଦନା ଯୋଗୁଁ ଲୋକସଂଖ୍ୟା ବୃଦ୍ଧିକୁ ସୀମିତ କରିବାକୁ ବାହାରି ନାହାନ୍ତି; ଲୋକମାନଙ୍କ ମଙ୍ଗଳ ପାଇଁ ହିଁ ସେମାନଙ୍କ ସଂଖ୍ୟା ସୀମିତ କରିବାକୁ ଚାହୁଁଛନ୍ତି, ଯେମିତି ତିନି ଶତାବ୍ଦୀରୁ ଅଧିକ କାଳ ତଳେ ସର୍ବ ପ୍ରଥମେ ଏହି ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରି ବ୍ରିଟେନ୍‌ର ତତ୍‌କାଳୀନ ବୌଦ୍ଧିକ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଥମାସ୍ ରବର୍ଟ ମାଲ୍‌ଥସ୍।

୧୭୯୮ରେ ମାଲ୍‌ଥସ୍‌ଙ୍କର ପଚାଶ ହଜାର ଶବ୍ଦ ସମ୍ବଳିତ ଚାଞ୍ଚଲ୍ୟ ସୃଷ୍ଟିକାରୀ ତଥାକଥିତ ପ୍ରବନ୍ଧ (!), ‘ଆନ୍ ଏସେ ଅନ୍ ଦି ପ୍ରିନ୍‌ସିପ୍‌ଲ ଅଫ୍ ପପୁଲେସନ୍ ଆଜ୍ ଇଟ୍ ଆଫେକ୍ଟ୍‌ସ ଦି ଫିଉଚର୍ ଇମ୍ପ୍ରୁଭ୍‌ମେଣ୍ଟ୍ ଅଫ୍ ସୋସାଇଟି’ (‘ଭବିଷ୍ୟତ୍‌ରେ ସମାଜର ଉନ୍ନତିକୁ ପ୍ରଭାବିତ କରୁଥିବା ଜନସଂଖ୍ୟାର ନିୟମ ସମ୍ବନ୍ଧରେ ଏକ ପ୍ରବନ୍ଧ’) ପ୍ରକାଶିତ ହେବା ପୂର୍ବରୁ ତତ୍‌କାଳୀନ କେତେକ ଅଗ୍ରଣୀ ଚିନ୍ତାନାୟକ ମାନବ ସମାଜର ଭବିଷ୍ୟତ୍ ସମ୍ବନ୍ଧରେ ଯେଉଁ ସାମ୍ୟବାଦୀ ଗୋଲାପି ଚିତ୍ର ଅଙ୍କନ କରିବା ଦେଖାଯାଇଥିଲା, ଥମାସ୍ ମାଲ୍‌ଥସ୍‌ଙ୍କ ପ୍ରବନ୍ଧ ସେ ଚିତ୍ରକୁ ଏଭଳି ଖିନ୍‌ଭିନ୍ କରିଦେଲା ଯେ ପରବର୍ତ୍ତୀ ସମୟରେ ଏହି ପ୍ରବନ୍ଧ ପାଠ କରିବା ପରେ ହିଁ ଐତିହାସିକ ଥମାସ୍ କାର୍ଲାଇଲ୍ ଅର୍ଥଶାସ୍ତ୍ରକୁ ‘ବିଷାଦ ବିଜ୍ଞାନ’ ରୂପେ ଅଭିହିତ କରିଥିଲେ, ଯାହା ଏ ପର୍ଯ୍ୟନ୍ତ ଏହି ଶାସ୍ତ୍ରର ମୁଖ୍ୟ ପରିଚୟ ହୋଇ ରହିଛି।

ମାନବ ସମାଜର ଭବିଷ୍ୟତ୍‌ର ସବୁଠାରୁ ମନଲୋଭା ଗୋଲାପି ଚିତ୍ର ଯେଉଁଥିରେ ଦେଖିବାକୁ ମିଳିଥିଲା, ତାହା ଥିଲା ୧୭୯୩ରେ ପ୍ରକାଶିତ ଏକ ପୁସ୍ତକ, ‘ପଲିଟିକାଲ୍ ଜଷ୍ଟିସ୍’ (‘ରାଜନୈତିକ ନ୍ୟାୟ’)। ଏଥିରେ ଏହାର ରଚୟିତା ଧର୍ମାଧୀଶ ପ୍ରାବନ୍ଧିକ ୱିଲିଅମ୍ ଗଡ୍‌ୱିନ୍ ଏଭଳି ଏକ ଭବିଷ୍ୟତ୍‌ର ପରିକଳ୍ପନା କରିଥିଲେ, ଯେଉଁଠି ନା ଥିବ ଯୁଦ୍ଧ, ନା ଅପରାଧ, କିମ୍ବା ନ୍ୟାୟର ଶାସନ କିମ୍ବା କୌଣସି ସରକାର ନାମକ ଅନୁଷ୍ଠାନର ଆବଶ୍ୟକତା। ସେତିକି ନୁହେଁ, ଗଡ଼୍‌ୱିନ୍‌ଙ୍କର ଏହି କାଳ୍ପନିକ ଭୂ-ସ୍ବର୍ଗରେ ରୋଗ, ଶୋକ, ଦୁଃଖ, ଅବସାଦ ଆଦିର ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳିବ ନାହିଁ। ଏହା କିପରି ସମ୍ଭବ ହେବ? ଗଡ୍‌ୱିନ୍‌ଙ୍କ ବିଚାରରେ ଏକ ଚରମ ଅରାଜକତାପୂର୍ଣ୍ଣ ଉଗ୍ର ସାମ୍ୟବାଦ ପ୍ରତିଷ୍ଠା ଦ୍ବାରା।

ଯେଉଁ ବୁଦ୍ଧିଜୀବୀମାନଙ୍କ ପାଇଁ ଗଡ୍‌ୱିନ୍‌ଙ୍କ ପୁସ୍ତକ ଦୀର୍ଘ ବିତର୍କ ଓ ଆଲୋଚନା ନିମିତ୍ତ ଖୋରାକ୍ ଯୋଗାଇଥିଲା, ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଦାର୍ଶନିକ ଡେଭିଡ୍ ହ୍ୟୁମ୍‌ଙ୍କର ବନ୍ଧୁ ତଥା ରୁଷୋଙ୍କର ପ୍ରଶଂସକ ଡାନିଏଲ୍ ମାଲ୍‌ଥସ୍। ଗଡ୍‌ୱିନ୍‌ଙ୍କ ଭବିଷ୍ୟଚିତ୍ରରେ ବିଶ୍ବାସ କରୁଥିବା ଡାନିଏଲ୍ କିନ୍ତୁ ତର୍କପ୍ରିୟ ଥିଲେ ଏବଂ ବୌଦ୍ଧିକ ତର୍କରେ ତାଙ୍କର ପ୍ରତିପକ୍ଷ ରୂପେ ସେ ସାଧାରଣତଃ ନିଜର ବିଚକ୍ଷଣ ପୁତ୍ର ଥମାସ୍‌ଙ୍କୁ ହିଁ ବ୍ୟବହାର କରୁଥିଲେ। ତାହା ହିଁ ହେଲା ଗଡ୍‌ୱିନ୍‌ଙ୍କ ଦୁର୍ଭାଗ୍ୟ। ପୁତ୍ର ମାଲ୍‌ଥସ୍ ଗଡ୍‌ୱିନ୍‌ଙ୍କର ଗୋଲାପି ଭବିଷ୍ୟତ୍ ସାକାର ହେବା ପଥରେ ଗୋଟିଏ ନିର୍ଦ୍ଦିଷ୍ଟ ଅଲଂଘ୍ୟ ପ୍ରତିବନ୍ଧ ଚିହ୍ନଟ କରିବା ପରେ ପିତା ମାଲ୍‌ଥସ୍ ଏପରି ପ୍ରଭାବିତ ହୋଇଗଲେ ଯେ ସେ ତାହାକୁ ଏକ ବିଧିବଦ୍ଧ ସନ୍ଦର୍ଭ ଆକାରରେ ପ୍ରକାଶ କରିବାକୁ ଥମାସ୍‌ଙ୍କୁ ଉତ୍ସାହିତ କଲେ, ଯାହାର ଫଳ ହେଉଛି ପୂର୍ବୋକ୍ତ ସୁଦୀର୍ଘ ପ୍ରବନ୍ଧ।

ଏହି ପ୍ରବନ୍ଧରେ ମାଲ୍‌ଥସ୍ ଯାହା ପ୍ରଦର୍ଶିତ କରିଥିଲେ, ଏବଂ ଯାହା ସେବେଠାରୁ ସୁବିଦିତ ହୋଇ ଆସିଛି, ତାହା ହେଲା, ମନୁଷ୍ୟର ପ୍ରଜନନ ପ୍ରବୃତ୍ତି ଏପରି ଶକ୍ତିଶାଳୀ ଯେ, ସେଥିଯୋଗୁଁ ଜନସଂଖ୍ୟାରେ ଘଟୁଥିବା ବୃଦ୍ଧି ହାର ସର୍ବଦା ସେମାନଙ୍କର ବଞ୍ଚିବାର ଆବଶ୍ୟକତା ପୂରଣ କରୁଥିବା ସାଧନ ସବୁର ଯୋଗାଣକୁ ପଛରେ ପକାଇ ଚାଲିଥିବ। ପ୍ରକୃତି ଏହି ଅସମତୁଲ ଅବସ୍ଥାରେ ସୁଧାର ଆଣି ପୁଣି ସନ୍ତୁଳନ ଫେରାଇ ଆଣିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରିଥାଏ, ସେଥିରେ ଅନ୍ତର୍ଭୁକ୍ତ ଦୁର୍ଭିକ୍ଷ, ମହାମାରୀ, ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଆଦି। କେତେକଙ୍କୁ ଯଦି ଚୀନା କରୋନାଜନିତ ପ୍ୟାଣ୍ଡେମିକ୍‌ରେ ମାଲ୍‌ଥସ୍‌ଙ୍କ ହାତ ଦିଶୁଥାଏ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଏହି ସଂକଟକୁ ପ୍ରତିହତ କରିବା ପାଇଁ ମାଲ୍‌ଥସ୍‌ ପ୍ରଜନନ ପ୍ରବୃତ୍ତିରେ ଲଗାମ ଦେଇ ପ୍ରକୃତିକୁ ଏଭଳି କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ରଖିବା ପାଇଁ ଯେଉଁ ଆହ୍ବାନ ଦେଇଥିଲେ, ତାହା ହିଁ ଯୋଗୀ ଆଦିତ୍ୟନାଥଙ୍କ କାନରେ ପଡ଼ିଥିବା ଭଳି ମନେ ହେଉଛି, ଯାହା ତାଙ୍କର ସମାଲୋଚକମାନେ ଶୁଣି ପାରୁ ନାହାନ୍ତି। ଆଉ ଯେଉଁ ଜଣକଙ୍କର କର୍ଣ୍ଣ କୁହରରେ ମାଲ୍‌ଥସ୍‌ଙ୍କ ଡାକ ଆଦୌ ପ୍ରବେଶ କରି ନଥିବା ଭଳି ମନେ ହେଉଛି, ସେ ହେଉଛନ୍ତି ‘ଟେସ୍‌ଲା’ ଓ ‘ସ୍ପେସ୍ ଏକ୍‌ସ’ର ମାଲିକ ବିଲିଅନେଆର୍ ଏଲନ୍ ମସ୍କ୍‌, ଯିଏ ମାନବ ଜାତିକୁ ଭୁଶୁଡ଼ିବାରୁ ରକ୍ଷା କରିବା ପାଇଁ ନିଜର ଅଷ୍ଟମ ସନ୍ତାନ ଭୂମିଷ୍ଠ ହେବାକୁ ଯାଉଛି ବୋଲି ଏବେ ଘୋଷଣା କରିଛନ୍ତି! ସତେ କି ଶ୍ରୀକୃଷ୍ଣ!

ସମ୍ବନ୍ଧିତ ଖବର