ଅରଣ୍ୟ ରୋଦନ

ମଙ୍ଗଳବାର ଦିନ ସୁପ୍ରିମ୍ କୋର୍ଟ ବକ୍‌ର ଇଦ୍ ପାଳନ ଅବସରରେ ସେ ରାଜ୍ୟରେ ତିନି ଦିନ ପାଇଁ କୋଭିଡ୍-ଲକ୍‌ଡାଉନ୍ କୋହଳ କରିଥିବା ଯୋଗୁଁ କେରଳ ସରକାରଙ୍କୁ କରିଥିବା ଭର୍ତ୍ସନା ଯଦି କାହାକୁ ସର୍ବୋଚ୍ଚ ଅଦାଲତ ଚେଇଁ ଶୋଇବା ପରେ ଏବେ ଅରଣ୍ୟ ରୋଦନ କରୁଥିବା ପରି ମନେ ହେଉଥାଏ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ, ଏଇମାତ୍ର ଅଳ୍ପଦିନ ତଳେ କୋଭିଡ୍‌ର ପ୍ରସାର ଘଟାଇ ନ ଦେବା ପାଇଁ ସୁପ୍ରିମ୍ କୋର୍ଟ ଆପଣାଛାଏଁ ଉତ୍ତରପ୍ରଦେଶ ସରକାରଙ୍କ ପ୍ରତି ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି ସେଠାରେ କାଉଡ଼ିଆ ଯାତ୍ରା ନିଷିଦ୍ଧ କରିବା ପାଇଁ ରାଜ୍ୟ ସରକାରଙ୍କୁ ବାଧ୍ୟ କରିଥିଲେ।

ଅଥଚ କେରଳ ସରକାର ପବିତ୍ର ବକ୍‌ର ଇଦ୍ ପର୍ବ ପାଳନ ସମୟରେ କୋଭିଡ୍ କଟକଣା କୋହଳ କରିବା ଖବର ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା ବେଳେ, ସୁପ୍ରିମ୍ କୋର୍ଟ ଚୁପ୍ ରହିବାକୁ ପସନ୍ଦ କଲା ପରେ ‘ଆଇଏମ୍ଏ’ ଦ୍ବାରା ଆଗତ ଏକ ପିଆଇଏଲ୍‌ର ବିଚାର କରି ଯେତେବେଳେ କେରଳ ସରକାରଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇ ଏହା ଏକ ‘ଦୁଃଖଦାୟକ ପରିସ୍ଥିତି’ ବୋଲି କ୍ଷୋଭ ପ୍ରକାଶ କଲେ, ସେତେବେଳକୁ କେରଳ ସରକାର କଟକଣା କୋହଳ କରିଥିବା ତିନି ଦିନର ସମୟ ସୀମା ପୂର୍ଣ୍ଣ ହେବା ପାଇଁ ଆଉ ମାତ୍ର କେତେ ଘଣ୍ଟା ବାକି ଥିଲା। ବୁଧବାର ଦିନ ଉତ୍ସବ ପାଳନ ପାଇଁ ପ୍ରସ୍ତୁତିରେ ମାତିଥିବା ଶ୍ରଦ୍ଧାଳୁମାନେ ଇତି ମଧ୍ୟରେ ସରକାରଙ୍କ ଦ୍ବାରା କଟକଣା କୋହଳର ଭରପୂର ଉପଯୋଗ କରି ସାରିଥିଲେ।

ଖୋଦ୍ ସୁପ୍ରିମ୍ କୋର୍ଟ ଏହା ହୃଦୟଙ୍ଗମ କରି ମନ୍ତବ୍ୟ ଦେଇଛନ୍ତି ଯେ ଏବେ କେରଳ ସରକାରଙ୍କ କଟକଣା କୋହଳ ଆଦେଶ ରଦ୍ଦ କରିବା ଅର୍ଥହୀନ, କାରଣ ଘୋଡ଼ାଶାଳରୁ ଘୋଡ଼ା ବାହାରି ପଳାଇ ଯାଇ ସାରିଲାଣି (ଆଉ ଘୋଡ଼ାଶାଳର ଫାଟକ ବନ୍ଦ କରିବା ଅର୍ଥହୀନ)। ସର୍ବୋଚ୍ଚ ଅଦାଲତ ଏହା ବିଳମ୍ବରେ ହୃଦୟଙ୍ଗମ କଲା ପରେ କେରଳ ସରକାରଙ୍କୁ ଧମକ ଦେଇଛନ୍ତି ଯେ ଯଦି କଟକଣା କୋହଳ ହୋଇଥିବା କାରଣରୁ ‘କୋଭିଡ୍‌ର ଅବାଞ୍ଛିତ ପ୍ରସାର’ ଘଟିଥିବାର କୌଣସି ପ୍ରମାଣ ତାଙ୍କ ଦୃଷ୍ଟିକୁ ଆସେ, ତେବେ ‘ଅଦାଲତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରିବେ।’ ସେଭଳି ପରିସ୍ଥିତି ଉପୁଜିଲେ ଅଦାଲତ ଯାହା ବି କାର୍ଯ୍ୟାନୁଷ୍ଠାନ କଲେ ବି ଯଦି ‘କୋଭିଡ୍‌ର ଅବାଞ୍ଛିତ ପ୍ରସାର’ ଯୋଗୁଁ ଗୋଟିଏ ବି ଜୀବନ ହାନି ଘଟିଥାଏ, ଅଦାଲତ ତାଙ୍କର କାର୍ଯ୍ୟାନୁଷ୍ଠାନ ଦ୍ବାରା ମୃତ ବ୍ୟକ୍ତିଙ୍କ ଠାରେ ପୁଣି ପ୍ରାଣ ସଞ୍ଚାର କରିଦେଇ ପାରିବେ କି?

କୌଣସି ଧର୍ମୋତ୍ସବ ପାଳନ ଯୋଗୁଁ କିଭଳି କୋଭିଡ୍ ପ୍ରସାରର ବିପଦ ସୃଷ୍ଟି ହୋଇପାରେ ତାହାର ଏକ ଅପେକ୍ଷାକୃତ ସଦ୍ୟ ଉଦାହରଣ ଦେଖିବାକୁ ମିଳିଥିଲା ହରଦ୍ବାର ଠାରେ କୁମ୍ଭମେଳା ସମୟରେ। ଏପରି ବିପଦ ସତ୍ତ୍ବେ ଯେ ଅଗଣିତ ଲୋକ ଏଭଳି ଧର୍ମୋତ୍ସବ ପାଳନ କରିବାକୁ ତଥାପି ଆଗଭର ହେଉଛନ୍ତି, ତାହା ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରଶ୍ନ। କିନ୍ତୁ ବିପଦ ହେଲା, ଏକ ଲୋକତନ୍ତ୍ରରେ ସରକାରଙ୍କର ସ୍ବାଭାବିକ ପ୍ରବୃତ୍ତି ହେଉଛି ଲୋକମାନଙ୍କ ଇଚ୍ଛା ପୂରଣ କରି ସେମାନଙ୍କୁ ତୁଷ୍ଟ କରିବା। ଏକ ବିଚାରବନ୍ତ ସରକାର କିନ୍ତୁ ବର୍ତ୍ତମାନ ଭଳି ଘୋର ଜୀବନ-ମରଣ ସଂକଟ ସମୟରେ ତୁଷ୍ଟୀକରଣକୁ ପ୍ରାଥମିକତା ପ୍ରଦାନ କରିବା ପରିବର୍ତ୍ତେ ସେଇ ନୀତି ଅବଲମ୍ବନ କରିବାକୁ ପସନ୍ଦ କରିବେ, ଯାହା ଜୀବନ-ଅନୁକୂଳ ହୋଇଥିବ, ଯାହାର ଏକ ଶ୍ରେଷ୍ଠ, ଅନୁକରଣୀୟ ନମୁନା ହେଉଛି ଓଡ଼ିଶା ସରକାର ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ପାଳନ ଉପରେ ଲାଗୁ କରିଥିବା କଟକଣା।

ପ୍ରାୟ ପ୍ରତ୍ୟେକ ସମାଜ ଓ ସଂସ୍କୃତିରେ ଧର୍ମର ଉପସ୍ଥିତି ଦେଖିବାକୁ ମିଳିଥିବା ବେଳେ ଏଭଳି ସଂକଟ ସମୟରେ ଧର୍ମ କାହିଁକି ତା’ର ପ୍ରାଥମିକତା ହରାଇ ବସେ? ଏ ପ୍ରଶ୍ନର ଉତ୍ତର ନିହିତ ଅଛି ଡାର୍‌ୱିନ୍‌ଙ୍କ ବିବର୍ତ୍ତନବାଦ ଓ ଏହାର ମୂଳମନ୍ତ୍ର ‘ପ୍ରାକୃତିକ ଚୟନ’ରେ। ଧର୍ମର ଉପଯୋଗିତା ଥାଇ ପାରେ ଏହା ମନୁଷ୍ୟକୁ ଦେଉଥିବା ସାନ୍ତ୍ବନା ଓ ଆଶ୍ବାସନାରେ; ସହଯୋଗ ସୃଷ୍ଟିକାରୀ ଗୋଷ୍ଠୀ ଗଠନରେ; କିମ୍ବା ଜୀବନ ଜିଜ୍ଞାସାର ଉତ୍ତର ସନ୍ଧାନରେ। କିନ୍ତୁ ଦୁଃଖର କଥା ଆମେ ହେଉଛୁ ସମସ୍ତେ ‘ପ୍ରାକୃତିକ ଚୟନ’ ନିୟମ ଦ୍ବାରା ପରିଚାଳିତ ଡାର୍‌ୱିନୀୟ ବିବର୍ତ୍ତନର ସନ୍ତାନ ଏବଂ ‘ପ୍ରାକୃତିକ ଚୟନ’ର ନିଷ୍କରୁଣ ଦୃଷ୍ଟିରେ ଧର୍ମ ହେଉଛି ‘ଯୋଗ୍ୟତମର ବଞ୍ଚିରହିବା ନିୟମ’ ଅନୁସାରେ ଏକ ସମ୍ପୂର୍ଣ୍ଣ ଉପଯୋଗିତାହୀନ, ସମ୍ବଳ-ନଷ୍ଟକାରୀ ଅଳିଆ ମାତ୍ର।

ଡାର୍‌ୱିନୀୟ ଚୟନର ବିଶେଷତ୍ବ ହେଲା ଏହା ଅନବରତ ଅଳିଆ ଠାବ କରି ସେଗୁଡ଼ିକର ବିଲୋପ ସାଧନରେ ବ୍ୟାପୃତ ଥାଏ। ଡାର୍‌ୱିନ୍‌ଙ୍କର ନିଜ ଭାଷାରେ: ‘‘ପ୍ରାକୃତିକ ଚୟନ ପୃଥିବୀ ସାରା ପ୍ରତି ମୁହୂର୍ତ୍ତରେ କ୍ଷୁଦ୍ରାତିକ୍ଷୁଦ୍ର ରୂପଭେଦକୁ ମଧ୍ୟ ଯାଞ୍ଚ କରିବାରେ ଲାଗିଥାଏ ଏବଂ ଯାହା ଖରାପ ତାହାକୁ ପରିତ୍ୟାଗ କରି ଯାହା ଭଲ, ସେ ସବୁକୁ ସାଇତି ଏକାଠି କରିଥାଏ…।’’ ଏହି ନିୟମ ଅନୁସାରେ ଯଦି ଏକ ବନ୍ୟ ପ୍ରାଣୀ ଅଭ୍ୟାସଗତ ଭାବରେ କୌଣସି ଉପଯୋଗିତାହୀନ କାର୍ଯ୍ୟ କରି ଚାଲେ, ତା’ହେଲେ ‘ପ୍ରାକୃତିକ ଚୟନ’ ତା’ର ସେଇ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପସନ୍ଦ କରି ସେମାନଙ୍କୁ ତିଷ୍ଠି ରହିବାରେ ସାହାଯ୍ୟ କରିବ, ଯେଉଁମାନେ ନିଜର ସମୟ ଓ ଶକ୍ତିକୁ ଏଭଳି ଅପଚୟ ନ କରି ବଞ୍ଚି ରହି ପ୍ରଜନନ କରିବା ଭଳି ଉପଯୋଗିତାପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଥାନ୍ତି। ଉଭୟ ପ୍ରକୃତି ଓ ଇତିହାସ ଆମର ପାପ-ପୁଣ୍ୟ ଧାରଣା ସହିତ ଏକମତ ହୋଇ ନଥାନ୍ତି: ସେମାନଙ୍କ ମତରେ ସେ ହିଁ ହେଉଛି ଉତ୍ତମ, ଯିଏ ବଞ୍ଚି ରହିବାରେ ସଫଳ ହୁଏ, ଏବଂ ସେ ହେଉଛି ଅଧମ ଯିଏ ବଞ୍ଚି ରହିବାରେ ବିଫଳ ହୁଏ।

କେରଳ ରାଜ୍ୟରେ କୋଭିଡ୍ କେସ୍ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଛି; ସେଠାରେ ସାପ୍ତାହିକ ହାରାହାରି ‘ଟେଷ୍ଟ ପଜିଟିଭିଟି ରେଟ୍’ (‘ଟିପିଆର୍’) ହେଉଛି ଏକ ଉଚ୍ଚା ୧୧ ଶତାଂଶ। ରାଜ୍ୟର ୩୫ ନିୟୁତ ଲୋକ ସଂଖ୍ୟା ମଧ୍ୟରୁ ମାତ୍ର ସାଢ଼େ ଚାରି ନିୟୁତଙ୍କର ସମ୍ପୂର୍ଣ୍ଣ ଟିକାକରଣ ସମ୍ପନ୍ନ ହୋଇଥିବା ବେଳେ ଗୋଟିଏ ପାନ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ହେଉଛି ୧୨ ନିୟୁତ। ଏଭଳି ପରିସ୍ଥିତିରେ ସେ ରାଜ୍ୟରେ ଆଶଙ୍କା କରାଯାଉଥିବା କୋଭିଡ୍‌ର ଆସନ୍ନ ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ କଟକଣା କଡ଼ାକଡ଼ି କରିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (‘ଆଇଏମ୍‌ଏ’) ଓ ଅନ୍ୟ ବିଶେଷଜ୍ଞମାନେ ଚେତାବନୀ ଦେବାରେ ଲାଗିଛନ୍ତି। ଏହି ସମୟରେ ଯେଉଁମାନେ କୋଭିଡ୍ କଟକଣା ଉଲ୍ଲଂଘନ କରି ଧର୍ମୋତ୍ସବ ପାଳନ କରିବାକୁ ବାହାରି ପଡ଼ିବେ, ‘ପ୍ରାକୃତିକ ଚୟନ’ ସେମାନଙ୍କୁ ଅଳିଆ ଭାବି ଆଦୌ ପସନ୍ଦ କରିବ ନାହିଁ, ଯାହାର ପରିଣାମ ସୂଚାଇବା ଅନାବଶ୍ୟକ। ଏଥିରେ କେରଳ ସରକାର ଏବଂ ସୁପ୍ରିମ୍ କୋର୍ଟ ‘ପ୍ରାକୃତିକ ଚୟନ’ର ସହାୟକ ପାଲଟିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମ୍ବନ୍ଧିତ ଖବର