ଅସ୍ୱାଦୁ ଘାଣ୍ଟ

ସ˚ପ୍ରତି ଆନ୍ତର୍ଜାତିକ ସ˚ପର୍କର ଏକ ନୂତନ ସମୀକରଣରେ ଭାରତ ନିଜକୁ ଏକୁଟିଆ ପରିସ୍ଥିତିରେ ଆବିଷ୍କାର କରିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଦୁଇ ଦଶାବ୍ଦୀ କାଳ କବ୍‌ଜା କରି ରଖିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନକୁ ପରିତ୍ୟକ୍ତ କରି ସ୍ବଦେଶକୁ ବାହୁଡ଼ି ଯିବା ଆରମ୍ଭ କରିଥିବା ବେଳେ ସେଠାରେ ଅତ୍ୟନ୍ତ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ସେହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବରେ ପାକିସ୍ତାନ, ଆଫଗାନିସ୍ତାନ ଏବ˚ ଉଜବେକିସ୍ତାନକୁ ନେଇ ଏକ ଚତୁର୍ଦେଶୀୟ ରାଷ୍ଟ୍ର ଗୋଷ୍ଠୀ ବା ‘କ୍ବାଡ୍‌’ର ଗଠନ କରାଯାଇଛି। କିନ୍ତୁ ଏହି ଗୋଷ୍ଠୀ ସଂରଚନାରେ ଆମେରିକା ଦ୍ବାରା ଭାରତକୁ ବାଦ୍‌ ଦିଆଯିବା ତଥା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ପାକିସ୍ତାନକୁ ଗ୍ରହଣ କରାଯିବା ଭ୍ରୂକୁଂଚନ ସୃଷ୍ଟି କରିବା ସହିତ ଭାରତ ଲାଗି ଅସ୍ବସ୍ତିକର ସାବ୍ୟସ୍ତ ହୋଇଛି।

ସମସ୍ତେ ଜାଣନ୍ତି ଯେ ସ˚ପ୍ରତି ଆଫଗାନିସ୍ତାନରେ ଏକ ଗୃହଯୁଦ୍ଧର ସ୍ଥିତି ସୃଷ୍ଟି ହୋଇଛି, ଯହିଁରେ ଘମାଘୋଟ ଯୁଦ୍ଧ ମଧୢରେ ତାଲିବାନ ଅବଲୀଳା କ୍ରମେ ସେହି ଭୂଖଣ୍ତକୁ ଅକ୍ତିଆର କରିବାକୁ ବସିଲାଣି। କହିବା ଅନାବଶ୍ୟକ ଯେ ୟୁରୋପ ଏବ˚ ମଧୢ ଏସିଆକୁ ସ˚ଯୋଗ କରୁଥିବା ଏକ ମୁଖ୍ୟ ବାଣିଜ୍ୟ ପଥ ‘ସିଲ୍‌କ ରୁଟ୍‌’ ହେତୁ ପ୍ରାଚୀନ କାଳରୁ ଆଫଗାନିସ୍ତାନ ବାଣିଜ୍ୟିକ ଓ ରଣନୈତିକ ଗୁରୁତ୍ବ ହାସଲ କରିଆସିଥିଲା, ଯାହା ଏବେ ମଧୢ ବଳବତ୍ତର ରହିଛି। ତେଣୁ, ସ˚ପ୍ରତି ସେଠାରେ ସ˚ଘର୍ଷର ବହ୍ନି ହୁତୁହୁତୁ ହୋଇ ଜଳୁଥିବା ବେଳେ ଏବ˚ ସେଠାକାର ରାଜନୈତିିକ ସ୍ଥିତି ଅତ୍ୟନ୍ତ ତରଳ ଥିବା ସତ୍ତ୍ବେ ଆଫଗାନିସ୍ତାନକୁ ପ୍ରଭାବାଧୀନ କରି ମଧ୍ୟ-ଏସିଆରେ ବାଣିଜ୍ୟିକ ତଥା ରାଜନୈତିକ ପ୍ରାଧାନ୍ୟ ବିସ୍ତାର କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଉଦ୍‌ଗ୍ରୀବ। ‌ତେଣୁ, ଆଫଗାନିସ୍ତାନରେ ସ୍ଥାପିତ ସରକାରକୁ ଅତ୍ୟନ୍ତ ଅସହାୟ କରି ଛାଡ଼ି ଚାଲିଯିବାକୁ ବସିଥିବା ଆମେରିକା କିନ୍ତୁ ପ୍ରକୃତରେ ତା’ର ପାଦଚିହ୍ନକୁ ସ˚ପୂର୍ଣ୍ଣ ଲିଭାଇ ଦେବାକୁ ପ୍ରସ୍ତୁତ ନୁହେଁ। ସୁତରା˚, ତାଲିବାନର ପରମ ମିତ୍ର ତଥା ଆଫଗାନିସ୍ତାନର ଦକ୍ଷିଣ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ସହିତ ‘କ୍ବାଡ୍‌’ ସ˚ରଚନା କରାଯାଇଛି। କିନ୍ତୁ ଏଭଳି ସ˚ପର୍କ ଯେ ଏକ ଅସ୍ବାଦୁ ଘାଣ୍ଟ ତରକାରିରେ ପରିଣତ ହେବ, ତାହା କହିବା ବାହୁଲ୍ୟ ମାତ୍ର, କାରଣ ଏହି ତରକାରିରେ ଆମେରିକା ଓ ପାକିସ୍ତାନ ନାମକ ଯେଉଁ ଦୁଇଟି ପରିବା ଏକତ୍ର ହୋଇଛନ୍ତି, ସେମାନଙ୍କ ମଧୢରେ ତାଳମେଳର ଘୋର ଅଭାବ ରହିଛି। କେବଳ ସେତିକି ନୁହେଁ, ଏଭଳି ଏକ ଗୋଷ୍ଠୀ ସ˚ରଚନା ପଛରେ ଆମେ ଯେଉଁ ଯୁକ୍ତରାଷ୍ଟ୍ର ଆମେରିକାକୁ ଦେଖୁ, ତହିଁରେ ପୃଥିବୀର ସର୍ବଶକ୍ତିମାନ ରାଷ୍ଟ୍ର ଦିଶି ନ ଥାଏ; ବର˚ ସେଥିରେ ଆମେ ଏକ ଉଦ୍‌ବେଗ ଜର୍ଜର ତଥା ଆଶଙ୍କା ବିଜଡ଼ିତ ଆମେରିକାକୁ ପାଉ।

ଉଲ୍ଲେଖଯୋଗ୍ୟ ଯେ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ତିମ ସୈନ୍ୟ ଦଳ ଆସନ୍ତା ଅଗଷ୍ଟ ୩୧ ତାରିଖରେ ଆଫଗାନିସ୍ତାନ ପରିତ୍ୟାଗ କରିବେ। କିନ୍ତୁ, ଏବେ ଠାରୁ ଆଫଗାନିସ୍ତାନର ରାଜନୈତିକ ସ୍ଥିତିରେ ଯେଉଁ ତାରଲ୍ୟ ଦୃଷ୍ଟିଗୋଚର ହେଉଛି, ତା’ର ସୁଯୋଗ ଆଫଗାନିସ୍ତାନର ଉତ୍ତର ଦିଗର ପଡ଼ୋଶୀ ଚୀନ ନେବାକୁ ପ୍ରୟାସ କରିବା ଯେ ଅବଶ୍ୟମ୍ଭାବୀ, ତହିଁରେ ସନ୍ଦେହ ନାହିଁ। ଉଲ୍ଲେଖଯୋଗ୍ୟ, ଯେ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ହେବା ଲାଗି ଚୀନ୍‌ର ଉଚ୍ଚାଭିଳାଷ ବର୍ତ୍ତମାନ ଏକ ସର୍ବଜ୍ଞାତ ପ୍ରସଙ୍ଗ। ତାହାର ଏହି ମହତ୍ତ୍ବାକା˚କ୍ଷାର ଏକ ଝଲକ ମିଳିଥାଏ ‘ବେଲ୍‌ଟ ରୋଡ୍‌’ ପ୍ରକଳ୍ପରେ, ଯାହା ପାକିସ୍ତାନ ଓ ଆଫଗାନିସ୍ତାନ ସମେତ ଏସିଆ, ୟୁରୋପ ଏବ˚ ଆଫ୍ରିକାର ୪୦ଟି ରାଷ୍ଟ୍ରକୁ ସ˚ଯୋଜିତ କରିବା ଉଦ୍ଦେଶ୍ୟରେ ନିର୍ମାଣାଧୀନ। ଏହା ଦ୍ବାରା ମଧୢ-ଏସିଆରେ ଚୀନ୍‌ର ଅର୍ଥନୈତିକ, ବାଣିଜ୍ୟିକ ଏବ˚ ରାଜନୈତିକ ପ୍ରଭାବରେ ଅତ୍ୟନ୍ତ ବୃଦ୍ଧି ପରିଦୃଷ୍ଟ ହେବ। ସୁତରା˚, ଏହାକୁ ପ୍ରତିହତ କରିବାକୁ ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଆଫଗାନିସ୍ତାନ ଅଞ୍ଚଳରେ ଏକ ପ୍ରଭାବ କ୍ଷେତ୍ର ସୃଷ୍ଟି କରିବାକୁ ହେବ; ଯହିଁରୁ ଏଭଳି ଏକ ‘କ୍ବାଡ୍‌’ର ପରିକଳ୍ପନା ଆମେରିକା ପକ୍ଷରୁ କରାଯାଇଛି। ତେଣୁ ଏହା ପଛରେ ଆମେରିକାର ଉଦ୍‌ବେଗ ପ୍ରସୂତ ତରବରିଆ ଭାବ ଲକ୍ଷ୍ୟ କରିହୁଏ। ଯଦିଓ ଆମେରିକା ପକ୍ଷରୁ କୁହାଯାଇଛି ଯେ ଏଭଳି ଏକ ଗୋଷ୍ଠୀ ସୃଷ୍ଟି ପଛରେ ନିହିତ ଉଦ୍ଦେଶ୍ୟ ହେଉଛି ପାରସ୍ପରିକ ସହଯୋଗ ବଳରେ ଏହି ଅଞ୍ଚଳରେ ବ୍ୟବସାୟ ବାଣିଜ୍ୟ ଲାଗି ଏକ ଦୀର୍ଘକାଳୀନ ସୁଯୋଗ ସୃଷ୍ଟି କରିବା; ଏହାର ପ୍ରକୃତ କାରଣ ହେଉଛି ରାଜନୈତିକ ପ୍ରାଧାନ୍ୟ ଲାଗି ଏହି ଅଞ୍ଚଳରେ ତା’ର ପଦଧ୍ବନିକୁ ଅବ୍ୟାହତ ରଖିବା ଲାଗି ଆମେରିକାର ଇଚ୍ଛା।

କିନ୍ତୁ, ପ୍ରଶ୍ନ ଉଠେ ଯେ ଏହି ସ୍ତମ୍ଭର ଉପକ୍ରମଣିକାରେ ଏହି ନୂତନ ‘କ୍ବାଡ୍‌’କୁ ଏକ ଅସ୍ବାଦୁ ଘାଣ୍ଟ ତରକାରି ବୋଲି ଅଭିହିତ କରାଯିବାର କାରଣ କ’ଣ ହୋଇପାରେ? ସେହି ସ˚ଦର୍ଭରେ ବିଚାର କଲେ ଦେଖାଯାଇଥାଏ ଯେ ଆଫଗାନିସ୍ତାନକୁ ନେଇ ‘କ୍ବାଡ୍‌’ର ଦୁଇ ପ୍ରମୁଖ ସଦସ୍ୟ ଆମେରିକା ଓ ପାକିସ୍ତାନ ପରସ୍ପର ବିରୋଧୀ ଆଭିମୁଖ୍ୟ ବହନ କରି ଥାଆନ୍ତି। ସୁତରା˚, ଯୁକ୍ତରାଷ୍ଟ୍ର ଆମେରିକା ଯେଉଁ ଆଫଗାନିସ୍ତାନକୁ ଦେଖିବାକୁ ଇଚ୍ଛା କରେ, ତାହା ନିଶ୍ଚିତ ଭାବେ ଏକ ତାଲିବାନ ଶାସିତ ଆଫଗାନିସ୍ତାନ ନୁହେ; କିନ୍ତୁ ଅପର ପକ୍ଷରେ ତାହା(ତାଲିବାନ ଶାସିତ ଆଫଗାନିସ୍ତାନ) ହୁଅନ୍ତା ପାକିସ୍ତାନର ସ୍ବପ୍ନର ଆଫଗାନିସ୍ତାନ। ଏହାର ବିଭିନ୍ନ ଉଦାହରଣ ଏବେ ଦେଖିବାକୁ ମିଳୁଛି। ତାଲିବାନର ଦ୍ରୁତ ଅଗ୍ରଗତି ସତ୍ତ୍ବେ ଆଫଗାନିସ୍ତାନରେ ଏ ପର୍ଯ୍ୟନ୍ତ ତିଷ୍ଠି ରହିଥିବା ସରକାର ପକ୍ଷରୁ ଅଭିଯୋଗ ହୋଇଥାଏ ଯେ ପାକିସ୍ତାନର ପ୍ରତ୍ୟକ୍ଷ ସହଯୋଗରେ ପ୍ରାୟ ୧୦ ହଜାର ସରିକି ଆତଙ୍କବାଦୀ ତାଲିବାନ ସହିତ ଯୋଗ ଦେଇଛନ୍ତି। ତାଲିବାନ ଆତଙ୍କବାଦୀମାନେ ଯେ ପାକିସ୍ତାନ ସେନା ବାହିନୀର ପୃଷ୍ଠପୋଷକତା ଲାଭ କରିଥାଆନ୍ତି, ତାହା କାହାରିକୁ ଅଛପା ନାହିଁ। ଏହା ବର୍ତ୍ତମାନ ଆହୁରି ଅଧିକ ସ୍ପଷ୍ଟ ହୋଇଛି, ଯେତେବେଳେ ଦେଖିବାକୁ ମିଳିଛି ଯେ ତାଲିବାନ ଫୌଜ ସହିତ ଯୁଦ୍ଧରତ ଆଫଗାନିସ୍ତାନ ସ୍ଥଳ ବାହିନୀକୁ ଆକାଶ ମାର୍ଗରୁ ସାହାଯ୍ୟ କରିବା ଲାଗି ଆମେରିକା ଦ୍ବାରା ପ୍ରଶିକ୍ଷିତ ଆଫଗାନ ବିମାନ ବାହିନୀ ପାକିସ୍ତାନର ଧକମ ହେତୁ ବସ୍ତୁତଃ କାର୍ଯ୍ୟକ୍ଷମ ହିଁ ହେଉ ନାହାନ୍ତି। ପାକିସ୍ତାନ ଦ୍ବାରା ଦିଆଯାଉଥିବା ଧମକ ଅନୁସାରେ ଆଫ୍‌ଗାନ ବିମାନଗୁଡ଼ିକ ଆଫଗାନିସ୍ତାନ ସୀମା ମଧୢରେ ଉଡ଼ିଲେ ବି ଯଦି ପାକିସ୍ତାନର ସୀମାକୁ ଲାଗି ପନ୍ଦର କିଲୋମିଟର ବଳୟ ମଧୢରେ ପ୍ରବେଶ କରନ୍ତି, ତେବେ ସେଗୁଡ଼ିକୁ କ୍ଷେପଣାସ୍ତ୍ର ପ୍ରହାର ଦ୍ବାରା ଧରାଶାୟୀ କରି ଦିଆଯିବ। ଏଥିରେ ସନ୍ଦେହ ନାହିଁ ଯେ ଆଫଗାନିସ୍ତାନ ବିମାନ ବାହିନୀର ସ˚ପୃକ୍ତି ଭୂମି ଉପରେ ଚାଲିଥିବା ଯୁଦ୍ଧର ମୋଡ଼ ବଦଳାଇ ଦିଅନ୍ତା। ଗୋଟିଏ ପକ୍ଷରେ ପାକିସ୍ତାନର ଏଭଳି ଏକ ଆଭିମୁଖ୍ୟ ଥିବା ବେଳେ ଆମେରିକା ପକ୍ଷରୁ ଘୋଷଣା କରାଯାଇଛି ଯେ ଆଫଗାନିସ୍ତାନ ସରକାରଙ୍କ ପ୍ରତିରକ୍ଷା ଶକ୍ତିର ବୃଦ୍ଧି ଲାଗି ଏହା ପ୍ରତି ବର୍ଷ ୩.୩ ବିଲିଅନ ଡଲାର ପରିମିତ ଆର୍ଥିକ ସାହାଯ୍ୟ ପ୍ରଦାନ କରିବ। ଏଭଳି ସ୍ଥିତିରେ ଏହି ‘କ୍ବାଡ୍‌’ଟି ଯେ କାହିଁକି ଈପ୍‌ସିତ ସଫଳତା ଲାଭ କରିବ ନାହିଁ, ତାହା ସହଜରେ ବୁଝି ହୁଏ।

ସୁତରା˚, ଏହି ‘କ୍ବାଡ୍‌’କୁ ସଫଳ କରିବାକୁ ହେଲେ ପାକିସ୍ତାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧୢରୁ କୌଣସି ଗୋଟିଏ ରାଷ୍ଟ୍ରକୁ ନିଜ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ ପଡ଼ିପାରେ। ଯଦି ଯୁକ୍ତରାଷ୍ଟ୍ର ଆମେରିକାର ନିକଟବର୍ତ୍ତୀ ହେବା ଲାଗି ପାକିସ୍ତାନ ସେଭଳି କରେ; ତେବେ ତା’ର ପୁରୁଣା ଓ ଅତ୍ୟନ୍ତ ଶକ୍ତିଶାଳୀ ମିତ୍ର ଚୀନ ଉତ୍‌କ୍ଷିପ୍ତ ହେବ, ଯାହା ପାକିସ୍ତାନ ଆଦୌ ଚାହିବ ନାହିଁ। ଅଧିକନ୍ତୁ ଏଭଳି ସ୍ଥିତିରେ ତାଲିବାନ ନାମକ ଯେଉଁ ଅସ୍ତ୍ରକୁ ପାକିସ୍ତାନ ଏ ଯାବତ୍‌ ଅନ୍ୟ ବିରୋଧରେ ବ୍ୟବହାର କରି ଆସିଛି; ତାହା ଓଲଟ ମୁହାଁଁ ହୋଇ ପାକିସ୍ତାନକୁ ଶରବ୍ୟ କରିବାକୁ ଉଦ୍ୟତ ହୋଇପାରେ। ଏଣେ ପାକିସ୍ତାନକୁ ନିଜ ସହିତ ରଖିବା ଲାଗି ଆମେରିକା ତାଲିବାନର ଶାସନକୁ ସମର୍ଥନ ଓ ସ୍ବୀକୃତି ପ୍ରଦାନ କରିବା ଅସମ୍ଭବ। କାରଣ ତାହା ଏକ ଅବିମୃଶ୍ୟକାରିତା ହେବ; ଯାହା ଫଳରେ ପୃଥିବୀର ସର୍ବଶକ୍ତିମାନ ଉଦାରବାଦୀ ଗଣତନ୍ତ୍ର ଆମେରିକାର ସମର୍ଥନରେ ଆତଙ୍କବାଦର ଏକ ଉପନିବେଶ ଗଢ଼ି ଉଠିବ। ତାର ଅପଯଶ ଆମେରିକାକୁ ମୁଣ୍ତାଇବାକୁ ହେବ; କେବଳ ସେତିକି ନୁହେଁ, ଅଚିରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ସେହି ଆତଙ୍କବାଦର ଉପନିବେଶର ପ୍ରମୁଖ ଶତ୍ରୁରେ ପରିଣତ ହେବା ସହିତ ସାରା ପୃଥିବୀ ବିପଦାପନ୍ନ ହୋଇଯିବ। ତେଣୁ ଏଭଳି ଏକ ‘କ୍ବାଡ୍‌’ ଯାହା ଅଚିରେ ବିଫଳ ଓ ଅଚଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି, ତହିଁରୁ ଅଲଗା ପଡ଼ିଯାଇଥିବାରୁ ଭାରତ ବିବ୍ରତ ହେବାର ବିଶେଷ କାରଣ ନାହିଁ।

ସମ୍ବନ୍ଧିତ ଖବର