୨୦୧୪ରେ ଯେତେବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ମଙ୍ଗଳ ଗ୍ରହର ପରିକ୍ରମା କରିବା ପାଇଁ ଏକ କୃତ୍ରିମ ଉପଗ୍ରହକୁ ସଫଳ ଭାବରେ କକ୍ଷ ପଥରେ ସ୍ଥାନିତ କରିପାରିଥିବାର ପ୍ରଥମ ସୂଚନା ପାଇଲା, ସେଇ ମୁହୂର୍ତ୍ତରେ ଯେଉଁ ଚିତ୍ରଟି ସେତେବେଳେ ସର୍ବାଧିକ ଚର୍ଚ୍ଚାର ବିଷୟରେ ପରିଣତ ହୋଇଥିଲା, ତାହା ହେଲା ଏହି ମିସନ୍ର ନିୟନ୍ତ୍ରଣ କକ୍ଷରେ ଦେଖାଯାଇଥିବା ଏକ ସ୍ବତଃସ୍ଫୂର୍ତ୍ତ ଉତ୍ସବ ପାଳନର ଦୃଶ୍ୟ। ଏ ଚିତ୍ରର ବିଶେଷତ୍ବ ହେଲା, ଚିତ୍ତାକର୍ଷକ ପାଟ ଶାଢ଼ି ପରିହିତା, କେଶରେ ଗଜରା ଝୁଲାଇଥିବା ଦଳେ ମହିଳା ପରସ୍ପରକୁ ସହାସ୍ୟ ବଦନରେ ଆଲିଙ୍ଗନ କରି ଅଭିନନ୍ଦନ କରିବା।
ଚିତ୍ରଟିର ପ୍ରସାର କରିଥିବା ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ‘ଏଏଫ୍ପି’ ଏହି ଲଳନାମାନଙ୍କୁ ‘ଇସ୍ରୋ’ର ବୈଜ୍ଞାନିକ ରୂପେ ପ୍ରଦର୍ଶିତ କରିଥିଲା, ଯେଉଁମାନଙ୍କର ମଙ୍ଗଳ ମିସନ୍ ସଫଳତା ପଛରେ ହାତ ଥିଲା। ‘ଇସ୍ରୋ’ କିନ୍ତୁ ରସଭଙ୍ଗ କରି ସ୍ପଷ୍ଟୀକରଣ ଦେଲା ଯେ ସେ ଉତ୍ସବ ପାଳନକାରିଣୀମାନେ ପ୍ରକୃତରେ ବୈଜ୍ଞାନିକ ନ ଥିଲେ, ସେମାନେ ଥିଲେ ପ୍ରଶାସନିକ କର୍ମଚାରୀମାନେ; କିନ୍ତୁ ମିସନଟିରେ ଅନେକ ମହିଳା ବୈଜ୍ଞାନିକ ମଧ୍ୟ କାର୍ଯ୍ୟରତ ଅଛନ୍ତି (‘ଇସ୍ରୋ’କୁ ନିଶ୍ଚିତ ରୂପେ ବ୍ରିଟେନ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ, ପୂର୍ବତନ ସାମ୍ବାଦିକ ବୋରିସ୍ ଜନସନ୍ଙ୍କ ଏ ବାବଦରେ ପ୍ରଦତ୍ତ ଉପଦେଶ ଜଣା ନ ଥିଲା: ‘ନେଭର୍ ଆଲାଓ ଫାକ୍ଟ୍ସ ଟୁ କମ୍ ଇନ୍ ଦି ୱେ ଅଫ୍ ଏ ଗୁଡ୍ ଷ୍ଟୋରି’- କେବେ ହେଲେ ସତ କଥା ଦ୍ବାରା ଏକ ରୋଚକ କାହାଣୀର ପଥ ରୋଧ କରନାହିଁ)।
‘ଏଏଫ୍ପି’ ଦ୍ବାରା ପ୍ରସାରିତ ଏହି ଚିତ୍ର ସେତେବେଳେ ପୃଥିବୀ ବ୍ୟାପୀ ଚମକ ସୃଷ୍ଟି କରିଥିବାର କାରଣ ଅବଶ୍ୟ କାହାକୁ ଅଜଣା ନୁହେଁ- ମହାକାଶ ଗବେଷଣା ଭଳି ବିଜ୍ଞାନ, ଗଣିତ ଓ ପ୍ରଯୁକ୍ତି ବିଦ୍ୟାର ସନ୍ଧିସ୍ଥଳୀରେ ଏତେ ସଂଖ୍ୟାରେ ମହିଳାମାନଙ୍କର ଉପସ୍ଥିତି କେହି ଆଶା କରନ୍ତି ନାହିଁ। ମହିଳାମାନଙ୍କ ବୌଦ୍ଧିକ କ୍ଷମତା ସମ୍ବନ୍ଧରେ ରହି ଆସିଥିବା ଏଭଳି ବଦ୍ଧମୂଳ ସନ୍ଦେହ ନେଇ ଆଶ୍ଚର୍ଯ୍ୟ ହେବାର ଅବଶ୍ୟ କିଛି ନାହିଁ। ଆଧୁନିକ ବିଜ୍ଞାନର ବିଧିବଦ୍ଧ ଜନ୍ମଦାତା ରୂପେ ସ୍ବୀକୃତ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟ୍ଲଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ଅନେକ ଅଗ୍ରଣୀ ବୁଦ୍ଧିଜୀବୀମାନଙ୍କ ପର୍ଯ୍ୟନ୍ତ ଇତିହାସ ସାରା ମହିଳାମାନଙ୍କ ପ୍ରତି ଏଇଭଳି ଆଭିମୁଖ୍ୟ ପ୍ରଦର୍ଶନ କରି ଆସିବା ଦେଖା ଯାଇଛି।
ଆରିଷ୍ଟୋଟ୍ଲଙ୍କର ‘ମେଟାଫିଜିକ୍ସ’ ବା ଆଧ୍ୟାତ୍ମ୍ୟବିଦ୍ୟା ଅନୁସାରେ ସଂସାରରେ ପ୍ରତ୍ୟେକ ସତ୍ତା ହେଉଛି ଉଭୟ ‘ରୂପ’ ଓ ‘ପଦାର୍ଥ’ର ସମାହାର। ‘ପଦାର୍ଥ’ ହେଉଛି ‘ରୂପ’ର କଞ୍ଚାମାଲ। ଉଦାହରଣ ସ୍ବରୂପ ବର୍ତ୍ତମାନ ଜଣେ ବୟସ୍କ ବ୍ୟକ୍ତିର ‘ରୂପ’ ଧାରଣ କରିଥିବା ମନୁଷ୍ୟର ‘ପଦାର୍ଥ’ ହେଉଛି ଏକ ‘ଶିଶୁ’; ଶିଶୁ ଯେତେବେଳେ ହୋଇଥାଏ ‘ରୂପ’, ସେତେବେଳେ ଭ୍ରୂଣ ହୋଇଥାଏ ତା’ର ପଦାର୍ଥ; ଭ୍ରୂଣ ଯେତେବେଳେ ହୋଇଥାଏ ‘ରୂପ’, ସେତେବେଳେ ଡିମ୍ବାଣୁ ଓ ଶୁକ୍ରାଣୁ ହୋଇଥାନ୍ତି ତା’ର ପଦାର୍ଥ...। ଏହି ପରି ପଛକୁ ପଛ ଚାଲିଲେ ଏକ ସମୟରେ ଆମେ ଏପରି ଏକ ‘ପଦାର୍ଥ’ ପାଖରେ ପହଞ୍ଚିବା, ଯିଏ କାହାର ହେଲେ ‘ରୂପ’ ହୋଇ ନ ଥାଏ- ଅର୍ଥାତ୍ ଏକ ‘ରୂପହୀନ ପଦାର୍ଥ’, ଯାହା ଅଚିନ୍ତନୀୟ। ବିପରୀତ ଦିଗରୁ ଦେଖିଲେ, ‘ପଦାର୍ଥ’ ସର୍ବଦା ‘ରୂପ’ର ସମ୍ଭାବନା ବହନ କରିଥାଏ। ଆରିଷ୍ଟୋଟ୍ଲଙ୍କ ବିଚାରରେ ‘ପଦାର୍ଥ’ର ଅନ୍ତର୍ନିହିତ ପ୍ରତିବନ୍ଧମାନ ଅତିକ୍ରମ କରି ‘ରୂପ’ ଆତ୍ମପ୍ରକାଶ କରିଥାଏ। ପ୍ରକୃତି ତେଣୁ ହେଉଛି ‘ପଦାର୍ଥ’ ଉପରେ ‘ରୂପ’ର ବିଜୟର ଏକ ଅନବରତ ଅଗ୍ରଗତି, ଯାହାକୁ କୁହାଯାଇପାରେ- ଜୀବନର ଜୟଯାତ୍ରା। ‘ରୂପ’ ଓ ‘ପଦାର୍ଥ’ ସମ୍ବନ୍ଧରେ ଧାରଣା ସ୍ପଷ୍ଟ କରିବା ପାଇଁ ସେ ବ୍ୟବହାର କରିଥିବା ଯେଉଁ ଉଦାହରଣ ଆରିଷ୍ଟାଟ୍ଲଙ୍କର ପ୍ରିୟ ଥିଲା, ତାହା ହେଲା- ନାରୀ ଓ ପୁରୁଷ। ପୁରୁଷ ସକ୍ରିୟ, ରୂପ ପରିଗ୍ରହଣକାରୀ ପ୍ରବୃତ୍ତିର ପ୍ରତିନିଧିତ୍ବ କରିଥାଏ; ନାରୀ ହେଉଛି ନିଷ୍କ୍ରିୟ କାଦୁଅ ମେଞ୍ଚାଏ, ଯାହା ରୂପଦାନକୁ ଅପେକ୍ଷା କରିଥାଏ। କନ୍ୟା ସନ୍ତାନ ହେଉଛି ‘ପଦାର୍ଥ’ ଉପରେ ପ୍ରଭୁତ୍ବ ହାସଲ କରିବାରେ ‘ରୂପ’ର ବିଫଳତାର ପରିଣତି। ନାରୀ ହେଉଛି ବିକାଶ ଶିଡ଼ିର ତଳ ପାହାଚରେ ଛିଡ଼ା ହୋଇଥିବା ଏକ ଅସମ୍ପୂର୍ଣ୍ଣ ପୁରୁଷ। ଆରିଷ୍ଟୋଟ୍ଲ ପୁରୁଷକୁ ପ୍ରଦାନ କରିଥିବା ଭଳି ନାରୀକୁ ମଧ୍ୟ ଏକ ଆତ୍ମା ପ୍ରଦାନ କରିଥିଲେ। ତେବେ ଏହା ଠଉରାଇବା କଷ୍ଟ ନୁହେଁ, ନାରୀ ଏକ ଅସମ୍ପୂର୍ଣ୍ଣ ପୁରୁଷ ହୋଇଥିବାରୁ ତା’ର ଆତ୍ମା ମଧ୍ୟ ସ୍ବାଭାବିକ ଭାବରେ ଅସମ୍ପୂର୍ଣ୍ଣ ହୋଇଥିବା ନିଶ୍ଚିତ।
ଆରିେଷ୍ଟାଟ୍ଲଙ୍କ ମତରେ ଆତ୍ମା ହେଉଛି ତିନି କିସମର: ବନସ୍ପତି ଆତ୍ମା, ଜାନ୍ତବ ଆତ୍ମା ଓ ହେତୁବାଦୀ ଆତ୍ମା। ଉଦ୍ଭିଦ ବହନ କରୁଥିବା ବନସ୍ପତି ଆତ୍ମା କେବଳ ପୁଷ୍ଟି ସାଧନ ଓ ପ୍ରଜନନ ସହିତ ସଂପୃକ୍ତ ଥିବା ବେଳେ ଜୀବଜନ୍ତୁଙ୍କର ଜାନ୍ତବ ଆତ୍ମା ଏଥି ସହିତ ଗତିଶୀଳତା ମଧ୍ୟ ପ୍ରଦାନ କରିଥାଏ। ମନୁଷ୍ୟ ଠାରେ ଥିବା ଆତ୍ମା ଏ ଦୁଇ ପ୍ରକାର ଶକ୍ତିର ପ୍ରତିନିଧିତ୍ବ କରିବା ସହିତ ଏକ ତୃତୀୟ କିସମର ଶକ୍ତି ମଧ୍ୟ ଧାରଣ କରିଥାଏ- ବିଚାର ଶକ୍ତି ବା ହେତୁବାଦ। କିନ୍ତୁ ସବୁ ମନୁଷ୍ୟଙ୍କ ଠାରେ ଏହି ଶକ୍ତି ସମାନ ମାତ୍ରାରେ ଉପସ୍ଥିତ ନ ଥାଏ। ଏହାର ଅନ୍ୟ ନାମ ହେଉଛି ଧୀଶକ୍ତି ଏବଂ ଆରିେଷ୍ଟାଟ୍ଲଙ୍କ କହିବା ଅନୁସାରେ କାହାର ଧୀଶକ୍ତି କେତେ ତାହା ଜଣାପଡ଼ିଥାଏ ତା’ର ଅଙ୍କ କଷିବା ଦକ୍ଷତାରୁ। ଏଥିରୁ ଯେଉଁ ସ୍ବାଭାବିକ ସିଦ୍ଧାନ୍ତ ମିଳିଥାଏ, ତାହା ହେଲା, ଯେହେତୁ ନାରୀ ହେଉଛି ଅସମ୍ପୂର୍ଣ୍ଣ ପୁରୁଷ, ନାରୀର ଅଙ୍କ କଷିବା ଦକ୍ଷତା ମଧ୍ୟ ପୁରୁଷ ତୁଳନାରେ ନିମ୍ନ ସ୍ତରର।
ଏହି ଆରିେଷ୍ଟାଟ୍ଲୀୟ ଚିନ୍ତାଧାରା ପ୍ରତିଫଳିତ ହେଉଥିଲା ଆମ ବିଦ୍ୟାଳୟମାନଙ୍କରେ ବାଳିକାମାନଙ୍କ ପାଇଁ କରାଯାଇଥିବା ଗଣିତ ବଦଳରେ ଗୃହବିଜ୍ଞାନ ଅଧ୍ୟୟନ ବ୍ୟବସ୍ଥାରେ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଖ୍ରୀ:ପୂ ଚତୁର୍ଥ ଶତାବ୍ଦୀର ଏହି ଚିନ୍ତାଧାରାର ପ୍ରଭାବ ଏପରି ଅପ୍ରତିହତ ହୋଇ ଆସିଛି ଯେ ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ସଭାପତି (କୁଳପତି) ଥିବା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଲାରୀ ସମର୍ସ ଠିକ୍ ଏଇଭଳି ମତ ପ୍ରକାଶ କରିବା କାରଣରୁ (ନାରୀମାନଙ୍କର ଗଣିତ, ପଦାର୍ଥ ବିଜ୍ଞାନ ଆଦି ଭଳି କଠିନ ଶାସ୍ତ୍ର ଆୟତ୍ତ କରିବା ପାଇଁ ଅନ୍ତର୍ନିହିତ ଦକ୍ଷତା ନ ଥାଏ) ୨୦୦୫ରେ ତାଙ୍କ ପଦରୁ ବିତାଡ଼ିତ ହୋଇଥିଲେ। ଏହି ପୃଷ୍ଠଭୂମିରେ ଦେଖିଲେ ସେଦିନ ‘ଇସ୍ରୋ’ରେ ଉତ୍ସବ ପାଳନର ଚିତ୍ର ପୃଥିବୀବାସୀଙ୍କୁ ଚମତ୍କୃତ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା, ଯଦିବା ଏଥିରେ ସାମାନ୍ୟ ପ୍ରାସଙ୍ଗିକତା ତ୍ରୁଟି ରହିଥିଲା।
ଏବେ କିନ୍ତୁ ସେଭଳି କୌଣସି ତ୍ରୁଟିର ସମ୍ଭାବନା ନ ଥାଇ ଗତ ସୋମବାର ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏଭଳି ଏକ ଚିତ୍ର ପ୍ରଦର୍ଶନ କରିଛନ୍ତି, ଯାହା ସେଦିନ ‘ଏଏଫ୍ପି’ ପ୍ରଦର୍ଶନ କରିଥିବା ସେ ଚିତ୍ର ଠାରୁ ବହୁଗୁଣ ଅଧିକ ବିସ୍ମୟ ସୃଷ୍ଟିକାରୀ। ମନ୍ତ୍ରୀ ମହୋଦୟ ବ୍ୟବହାର କରିଥିବା ବିଶ୍ବବ୍ୟାଙ୍କ୍ ସୂଚନା ଅନୁସାରେ ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଂଜିନିଅରିଙ୍ଗ୍ ଓ ଗଣିତ (‘ଷ୍ଟେମ୍’)ରେ ଶିକ୍ଷା ଲାଭ କରିଥିବା ମହିଳା ଗ୍ରାଜୁଏଟ୍ଙ୍କ ଅନୁପାତ (୪୩%), ଆମେରିକା (୩୪%), ବ୍ରିଟେନ (୩୮%), ଜର୍ମାନି(୨୭%) ଓ ଫ୍ରାନ୍ସ (୩୨%) ଠାରୁ ଅଧିକ ହୋଇଥିବା ଜଣାପଡ଼ିଛି। ସେତିକି ନୁହେଁ, ଆମ ଦେଶରେ ଗତ ତିନି ବର୍ଷ ମଧ୍ୟରେ ପୁରୁଷ ‘ଷ୍ଟେମ୍’ ଗ୍ରାଜୁଏଟ୍ଙ୍କ ସଂଖ୍ୟା ହ୍ରାସ ପାଇ ଚାଲିଥିବା ବେଳେ ମହିଳା ‘ଷ୍ଟେମ୍’ ଗ୍ରାଜୁଏଟ୍ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଅତୀତରେ ଜଣେ ମାତ୍ର ଲୀଳାବତୀ ଥିବା ବେଳେ, ବର୍ତ୍ତମାନ ସାରା ଦେଶ ଲୀଳାବତୀମୟ ହୋଇ ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନେ ମିଳିମିଶି ଶେଷରେ ଆରିେଷ୍ଟାଟ୍ଲଙ୍କ ଆତ୍ମା ଗଣିତକୁ ଭୁଲ୍ ସାବ୍ୟସ୍ତ କରିଦେଇଛନ୍ତି!