‘‘ଏ ପର୍ଯ୍ୟନ୍ତ ଅର୍ଥନୈତିକ ସଂସ୍କାରମାନ ଭାରତୀୟମାନଙ୍କୁ ଅସମତୁଲ ଭାବରେ ଲାଭବାନ୍ କରିଛି। ଏହି ତାରତମ୍ୟ ହେଉଛି ନା ବାଞ୍ଛନୀୟ, ନା ଧାରଣକ୍ଷମ। ତେଣୁ ଭାରତୀୟ ଅର୍ଥନୈତିକ ବିକାଶ ମଡେଲ୍ ଅର୍ଥନୈତିକ ପିରାମିଡ୍ର ପାଦଦେଶରେ ଥିବା ଲୋକମାନଙ୍କ ପାଇଁ ସମ୍ପଦ ସୃଷ୍ଟି କରିବାରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଉଚିତ।’’ ଗତ ସପ୍ତାହରେ ଦେଶର ଜଣେ ବିଶିଷ୍ଟ ବ୍ୟକ୍ତି ଏ ସମ୍ପର୍କରେ ପ୍ରଦାନ କରିଥିବା ମନ୍ତବ୍ୟର ଏହା ହେଉଛି ଏକ ଉଦ୍ଧୃତାଂଶ। ଯେଉଁମାନେ ମନ୍ତବ୍ୟ ପ୍ରଦାନକାରୀଙ୍କ ପରିଚୟ ସମ୍ବନ୍ଧରେ ଅବଗତ ନଥିବେ, ଯଦି ସେମାନଙ୍କୁ ତାଙ୍କର ସମ୍ଭାବ୍ୟ ପରିଚୟ ସମ୍ବନ୍ଧରେ ପଚରାଯାଏ, ସେମାନେ ନିଃସନ୍ଦେହରେ ଏହା କୌଣସି ବାମପନ୍ଥୀ ଅର୍ଥନୀତିଜ୍ଞ, ରାଜନେତା କିମ୍ବା ସାମାଜିକ କର୍ମୀ ପ୍ରକାଶ କରିଥିବା ମତାମତ ବୋଲି କହିବେ, ଯିଏ ନିଶ୍ଚିତ ରୂପେ ପୁଞ୍ଜିବାଦୀ ଅର୍ଥନୈତିକ ବ୍ୟବସ୍ଥାର ଘୋର ବିରୋଧୀ ହୋଇଥିବେ।
ସେମାନେ ତେଣୁ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଯେତେବେଳେ ଜାଣିବାକୁ ପାଇବେ ଯେ ଏଭଳି ମନୋଭାବ ଯିଏ ପ୍ରକାଶ କରିଛନ୍ତି, ସିଏ ହେଉଛନ୍ତି କେବଳ ଭାରତର ନୁହେଁ, ସମଗ୍ର ଏସିଆ ମହାଦେଶର ଅର୍ଥନୈତିକ ପିରାମିଡ୍ର ସର୍ବୋଚ୍ଚ ଶିଖରରେ ଅଧିଷ୍ଠିତ ଥିବା ଏହି ମହାଦେଶର ସର୍ବଶ୍ରେଷ୍ଠ ଧନୀ, ପୁଞ୍ଜିବାଦୀ ଅର୍ଥନୈତିକ ବ୍ୟବସ୍ଥାର ସଫଳତମ ପ୍ରତିନିଧି, ଭାରତର ସର୍ବାଧିକ ମୂଲ୍ୟବାନ୍ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍’ର ଚେଆର୍ମ୍ୟାନ୍ ଓ ମ୍ୟାନେଜିଙ୍ଗ୍ ଡାଇରେକ୍ଟର୍, ୬୪ ବର୍ଷୀୟ ମୁକେଶ ଅମ୍ବାନୀ। ଯେଉଁ ପିରାମିଡ୍ର ପାଦଦେଶ ସମ୍ବନ୍ଧରେ ମୁକେଶ ଚିନ୍ତା ପ୍ରକଟ କରିଛନ୍ତି, ସେଇ ପିରାମିଡ୍ର ଯେଉଁ ସର୍ବୋଚ୍ଚ ସ୍ଥାନରେ ସେ ଆସ୍ଥାନ ଜମାଇଛନ୍ତି, ସେଠାରୁ ଯେ ସେଇ ପାଦଦେଶକୁ ସେ ଦେଖିପାରୁଥିବେ, ଏହା ଅନେକଙ୍କୁ ଅତ୍ୟନ୍ତ ସନ୍ଦେହଜନକ ମନେ ହେଉଥାଇପାରେ। କିନ୍ତୁ ଭାରତରେ ୧୯୯୧ ଜୁଲାଇରେ ଆରମ୍ଭ ହୋଇଥିବା ଅର୍ଥନୈତିକ ସଂସ୍କାର ଉଦ୍ୟମର ତିରିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁକେଶ ଅମ୍ବାନୀ ପ୍ରକାଶ କରିଥିବା ଉପରୋକ୍ତ ଉଦ୍ଧୃତି ବହନ କରୁଥିବା ତାଙ୍କର ଏକ ଲେଖା ଏତେ ଆନ୍ତରିକତାପୂର୍ଣ୍ଣ ମନେ ହୁଏ ଯେ ତାହା ଅନୁରୂପ ଚିନ୍ତାଧାରା ପାଇଁ ପ୍ରସିଦ୍ଧ ଅଷ୍ଟାଦଶ ଶତାବ୍ଦୀର ଧନୀକ ସମ୍ଭ୍ରାନ୍ତ ବଂଶଜ ଅଣପାରମ୍ପରିକ ଅର୍ଥନୀତିଜ୍ଞ ସେଣ୍ଟ୍- ସାଇମନ୍ଙ୍କ କଥା ମନେ ପକାଇ ଦେଇଥାଏ।
ପିରାମିଡ୍ର ପାଦଦେଶରେ ଥିବା ମେହନତୀ ଲୋକମାନଙ୍କ ମଧ୍ୟରେ ସମାଜର ସମ୍ପଦର ସୁଷମ ବଣ୍ଟନ କରାଯିବା କାହିଁକି ଜରୁରୀ, ତାହା ବୁଝାଇବା ପାଇଁ ସେଣ୍ଟ୍-ସାଇମନ୍ (ସଂଯୋଗବଶତଃ ତାଙ୍କର ସନ୍ଥ-ସୂଚକ ନାମ ସହିତ ତାଙ୍କର ଚରିତ୍ର ମେଳ ଖାଉଥିଲା) ଯେଉଁ ଏକ କାଳ୍ପନିକ ଉଦାହରଣ ବ୍ୟବହାର କରିଥିଲେ, ତାହା ଏଠାରେ ସଂକ୍ଷେପରେ ଉପସ୍ଥାପନ କରାଯାଇପାରେ। ଉଦାହରଣଟିର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବା ପାଇଁ ସେ ସମୟର ଫ୍ରାନ୍ସ ପରିପ୍ରେକ୍ଷୀରେ ଏହାକୁ ଦେଖିବା ଆବଶ୍ୟକ। ସେଣ୍ଟ୍-ସାଇମନ୍ ଲେଖିଥିଲେ, ମନେକରାଯାଉ ଫ୍ରାନ୍ସ ହଠାତ୍ ତା’ର ପଚାଶ ଜଣ ପ୍ରମୁଖ ପଦାର୍ଥ ବିଜ୍ଞାନୀ, ପଚାଶ ଜଣ ପ୍ରମୁଖ ରସାୟନଶାସ୍ତ୍ରବିତ୍, ପଚାଶ ଜଣ ପ୍ରମୁଖ ଚିକିତ୍ସକ, ସେହି ସଂଖ୍ୟକ ଗଣିତଜ୍ଞ, ମେକାନିକ୍ ଆଦିଙ୍କୁ ହରାଇ ବସେ, ଯାହା ଫଳରେ ଦେଶର ତିନି ହଜାର ବିଦ୍ବାନ, କଳାକାର ଏବଂ କାରିଗରମାନେ ଲୋପ ପାଇ ଯାଆନ୍ତି; ଏହାର ପରିଣାମ କ’ଣ ହେବ? ପରିଣାମ ହେବ- ଫ୍ରାନ୍ସ ପାଇଁ ଘୋର ବିପର୍ଯ୍ୟୟ, ଯେଉଁଥିରେ ସେ ତା’ର ଆତ୍ମାକୁ ହିଁ ହରାଇ ବସିବ।
କିନ୍ତୁ ଏହା ବଦଳରେ ଅନ୍ୟ ଏକ ଦୃଶ୍ୟର କଳ୍ପନା କରାଯାଉ, ଯେଉଁଥିରେ ଏ ତିନି ହଜାରଙ୍କ ସ୍ଥାନରେ ଯେଉଁମାନେ ଲୋପ ପାଇଯିବେ ସେମାନେ ହେଉଛନ୍ତି ପିରାମିଡ୍ର ଉପରିଭାଗରେ ଥିବା ରାଜାଙ୍କ ଭାଇ, ପାତ୍ର ମନ୍ତ୍ରୀ, ବିଚାରପତି ଆଦି ଓ ଦଶ ହଜାର ସର୍ବାଧିକ ଧନୀ ଜମିଦାରଙ୍କୁ ମିଶାଇ ମୋଟ ତିରିଶ ହଜାର। ଏହାର ଫଳାଫଳ କ’ଣ ହେବ? ସେଣ୍ଟ୍ ସାଇମନ୍ଙ୍କ ମତରେ ଏମାନଙ୍କର ବିଲୟ ଦୁଃଖଦାୟକ ହେବ ସତ, କିନ୍ତୁ ଏମାନଙ୍କ ଶୂନ୍ୟସ୍ଥାନ ଏତେ ସହଜରେ ପୂରଣ ହୋଇଯିବ ଯେ ରାଷ୍ଟ୍ରର କାର୍ଯ୍ୟ ଚାଲିବାରେ ଆଦୌ ଅସୁବିଧା ଅନୁଭୂତ ହେବ ନାହିଁ। ସତେ ଯେମିତି ସେମାନଙ୍କର ଉପସ୍ଥିତି କେବଳ ଆଳଙ୍କାରିକ ମାତ୍ର ଥିଲା।
ଏ ଉଦାହରଣ ଆମକୁ କେଉଁ ଶିକ୍ଷା ଦେଇଥାଏ? ସେଣ୍ଟ୍- ସାଇମନ୍ଙ୍କ ଉତ୍ତର ହେଲା, ସମାଜର ବିଭିନ୍ନ ସ୍ତରରେ ଥିବା କାମିକା ଲୋକମାନେ ହିଁ ସମାଜ ଠାରୁ ସର୍ବାଧିକ ପୁରସ୍କାର ପାଇବା ପାଇଁ ହକ୍ଦାର ହୋଇଥିବା ବେଳେ ଉପରୋକ୍ତ ତିନି ହଜାର ଅଳସୁଆଙ୍କ ଭଳି ପରାଙ୍ଗପୁଷ୍ଟମାନେ ସମାଜ ଠାରୁ କୌଣସି ପାରିଶ୍ରମିକ ପାଇବା ପାଇଁ ହକ୍ଦାର ନୁହନ୍ତି। କିନ୍ତୁ ନ୍ୟାୟର ନଗ୍ନ ଅପପ୍ରୟୋଗ ଘଟି ସମାଜ ପ୍ରତି ଯେଉଁମାନଙ୍କ ଅବଦାନ ହେଉଛି ସର୍ବନିମ୍ନ, ସେଇମାନେ ହିଁ ପାଇଥାନ୍ତି, ସମାଜର ସମ୍ପଦରେ ସର୍ବାଧିକ ଭାଗ। ସେଣ୍ଟ୍- ସାଇମନ୍ ତେଣୁ ଏହି ପିରାମିଡ୍ର ପୁନର୍ଗଠନ ପାଇଁ ଆହ୍ବାନ ଦେଇଥିଲେ, ବର୍ତ୍ତମାନ ଯେଉଁଭଳି ‘ସେଣ୍ଟ୍- ମୁକେଶ’ ଦେଇଛନ୍ତି। ଅନ୍ୟ ପ୍ରକାରେ କହିଲେ ଏହି ପିରାମିଡ୍କୁ ଓଲଟାଇ ଦିଆଯିବା ଦରକାର। ଏହା କିନ୍ତୁ କିପରି ହାସଲ କରାଯିବ, ସେ ସମ୍ବନ୍ଧରେ ସେଣ୍ଟ୍- ସାଇମନ୍ ଦେଇଥିବା ପ୍ରସ୍ତାବମାନ ଯେଉଁଭଳି ଅନିର୍ଦ୍ଦିଷ୍ଟ ଥିଲା, ମୁକେଶ ଅମ୍ବାନୀ ଦେଇଥିବା ପ୍ରସ୍ତାବମାନ ମଧ୍ୟ ସେଇଭଳି ଅନିର୍ଦ୍ଦିଷ୍ଟ ହୋଇଛି।
ଯାହା କିନ୍ତୁ ଗୁରୁତ୍ବପୂର୍ଣ୍ଣ ତାହା ହେଲା ମୁକେଶଙ୍କର ଏହି ଆହ୍ବାନ ପଛରେ ନିହିତ ଥିବା ମନୋଭାବ। କେବଳ କଥାରେ ନୁହେଁ, ଏକ ସତସତିକା ପିରାମିଡ୍ ସଦୃଶ ସତେଇଶ ତଳ ବିଶିଷ୍ଟ ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ବାସ କରୁଥିବା ଅମ୍ବାନୀ ଯେ ତାଙ୍କୁ ସେଠାରେ ପହଞ୍ଚାଇଥିବା ଅର୍ଥନୈତିକ ବିକାଶ ମଡେଲ୍ ତ୍ରୁଟିପୂର୍ଣ୍ଣ ହୋଇଥିବା ହୃଦୟଙ୍ଗମ କରୁଛନ୍ତି, ତାହା ନିଶ୍ଚିତ ରୂପେ ଅନେକଙ୍କୁ ଅବିଶ୍ବାସ୍ୟ ମନେ ହେଉଥିବ ଓ କେତେକଙ୍କୁ ଛଳନାପୂର୍ଣ୍ଣ ବୋଧ ହେଉଥିବ। ହୁଏ’ତ ମନସ୍ତତ୍ତ୍ବର ଛାତ୍ରମାନଙ୍କୁ ମୁକେଶଙ୍କର ଏହି ଭାବୋଚ୍ଛ୍ବାସ ପଛରେ ଏକ ଗୋପନ ଅପରାଧ ବୋଧ ଦୃଷ୍ଟିଗୋଚର ହେଉଥାଇପାରେ। ଯଦି ତାହା ସତ ହୋଇଥାଏ, ଏବଂ ମୁକେଶ ସେଥିରୁ ମୁକ୍ତିର ବାଟ ଖୋଜୁଥାନ୍ତି, ସେ ସେଇ ଅଷ୍ଟାଦଶ ଶତାବ୍ଦୀର ବିଚକ୍ଷଣ ଓଲନ୍ଦାଜ ଚିକିତ୍ସକ-ଅର୍ଥନୀତିଜ୍ଞ, ବର୍ଣ୍ଣାଡ୍ ମାଣ୍ଡେଭିଲ୍ଙ୍କର ଚାଞ୍ଚଲ୍ୟ ସୃଷ୍ଟିକାରୀ ଦୀର୍ଘ କବିତା ‘ଫେବ୍ଲ ଅଫ୍ ଦି ବିଇଜ୍’ (‘ମହୁମାଛିଙ୍କ କାହାଣୀ’) ପାଠ କରିବାକୁ ତଥା ଉପଭୋଗ କରିବାକୁ କିଛି ସମୟ ଦେଇପାରନ୍ତି।
ସେଥିରେ ମାଣ୍ଡେଭିଲ୍ ଦର୍ଶାଇଛନ୍ତି ଯେ ଅମ୍ବାନୀଙ୍କ ଅଟ୍ଟାଳିକା ‘ଆଣ୍ଟିଲିଆ’ ଭଳି ଯାହା ପାପାତ୍ମା ଧନୀକମାନଙ୍କର ବିଳାସୀ ବଦ ଖର୍ଚ୍ଚର ନମୁନା ରୂପେ ନିନ୍ଦିତ ହୋଇଥାଏ, ତାହା ପ୍ରକୃତରେ ପିରାମିଡ୍ର ପାଦଦେଶର ବାସିନ୍ଦାମାନଙ୍କ ପାଇଁ ନିଯୁକ୍ତି ଓ ଆୟ ସୃଷ୍ଟି କରିଥାଏ। ମାଣ୍ଡେଭିଲ୍ଙ୍କ କହିବା ଅନୁସାରେ କୃପଣ ଧର୍ମାତ୍ମାମାନଙ୍କର ମିତବ୍ୟୟିତା ଏ ଦୃଷ୍ଟିରୁ ସମାଜ ପାଇଁ ଏକ ବୋଝ ଛଡ଼ା ଆଉ କିଛି ନୁହେଁ। ‘ମହୁମାଛିଙ୍କ କାହାଣୀ’ ପାଠ କଲା ପରେ ତାଙ୍କର ‘ରିଲାଏନ୍ସ ଇଣ୍ଡଷ୍ଟ୍ରି’ର ଯେଉଁ କୋଟି କୋଟି ଦେଶବାସୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ଓ ଆୟ ସୃଷ୍ଟି କରିଛି, ସେମାନଙ୍କ କଥା ମନେ ପକାଇ ‘ସେଣ୍ଟ୍- ମୁକେଶ’ ଆଶ୍ବସ୍ତ ହୋଇ ଶୋଇ ପଡ଼ିବେ।