ଖସି ଯାଇଥିବା ସୁଯୋଗ

ମହାଭାରତର ଅତି ପ୍ରସିଦ୍ଧ ଏକଲବ୍ୟଙ୍କ ଉପାଖ୍ୟାନଟି ଅନେକ ସମୟରେ ପ୍ରଶ୍ନଟିଏ ସୃଷ୍ଟି କରିଥାଏ ଯେ ସେ ଦିନ ଏକଲବ୍ୟଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରି ଗୁରୁ ଦ୍ରୋଣାଚାର୍ଯ୍ୟ ଗୋଟିଏ ସୁଯୋଗ ହାତଛଡ଼ା କରିଥିଲେ କି? କାହାଣୀଟି ଅନୁସାରେ ସମସ୍ତ ପ୍ରତିକୂଳତାର ଶରବ୍ୟ ହୋଇ ସୁଦ୍ଧା ଏକଲବ୍ୟ ଯଦିଓ ତାଙ୍କ ଦକ୍ଷତା ଓ ଗୁରୁ ଭକ୍ତିର ଏକ ଅଲ˚ଘ୍ୟ ପରାକାଷ୍ଠା ପ୍ରଦର୍ଶନ କରିପାରିଥିଲେ, ତହିଁରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଆଦୌ କୌଣସି ଭୂମିକା ନ ଥିଲା। ଏକଲବ୍ୟ ଥିଲେ ନିଶାଦ ବ˚ଶଜ, ଯାହା ଏକ ଜନଜାତି ସ˚ପ୍ରଦାୟ ଭାବେ ସୀମାନ୍ତରିତ ହୋଇ ରହିବାର ଅନିବାର୍ଯ୍ୟ ଦୁର୍ଭାଗ୍ୟ ଭୋଗ କରୁଥିଲା। କିନ୍ତୁ ସେ ଦିନ ଯଦି ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କ ସମୟର ଦାବି ଓ ଦାୟିତ୍ବର ବାଧୢବାଧକତାକୁ ନଜରଅନ୍ଦାଜ କରି ଏକଲବ୍ୟଙ୍କୁ ଶିଷ୍ୟତ୍ବ ପ୍ରଦାନ କରିଥାଆନ୍ତେ, ତେବେ ତାଙ୍କ ଆଶ୍ରମରୁ ଅର୍ଜୁନ ଅତିକ୍ରମୀ ଧନୁର୍ଦ୍ଧରଟିଏ ଏହି ପୃଥିବୀକୁ ଉପହାର ଦେଇ ପାରିଥାଆନ୍ତେ; ହୁଏ’ତ ଏକଲବ୍ୟଙ୍କୁ ତାଙ୍କ ସମସ୍ତ ସାମର୍ଥ୍ୟ ସତ୍ତ୍ବେ ମୁଖ୍ୟସ୍ରୋତରୁ ବାହାରେ ରହିବାକୁ ପଡ଼ି ନ ଥାଆନ୍ତା। କିନ୍ତୁ ଗୁରୁ ଦ୍ରୋଣ ସେଭଳି ଏକ ସୁଯୋଗର ହାତଛଡ଼ା କରି ପକାଇଲେ। ସେହି ପରିପ୍ରେକ୍ଷୀରେ ଏଠାରେ ଯେତେବେଳେ ଆଉ ଏକ ହାତଛଡ଼ା ହୋଇଥିବା ସୁଯୋଗ ବିଷୟରେ କୁହାଯିବାର ଉପକ୍ରମ ହେଉଛି, ସେତିିକିବେଳେ ଏହା ମଧୢ କୁହାଯିବା ଆବଶ୍ୟକ ଯେ ମହାଭାରତ କାଳ ଏବ˚ ଆଜି ମଧୢରେ ଦୀର୍ଘ ୫୦୦୦ ବର୍ଷର ବ୍ୟବଧାନ ରହିଥିବା ସତ୍ତ୍ବେ ଏବ˚ ପୃଥିବୀ ଅକଳ୍ପନୀୟ ଭାବେ ପରିବର୍ତ୍ତିତ ହୋଇସାରିଥିଲେ ମଧୢ ଯାହାଙ୍କୁ କେନ୍ଦ୍ର କରି ଏହି ଆଲୋଚନା ଗଢ଼ି ଉଠିବାକୁ ଯାଉଛି ସେ ମଧୢ ଗୋଟିଏ ଜନଜାତି ସ˚ପ୍ରଦାୟର ସଦସ୍ୟ; ଏବ˚ ବିଡ଼ମ୍ବନାଟି ହେଲା, ଜନଜାତି ବର୍ଗ ଏବେ ମଧୢ ସର୍ବାଧିକ ସୀମାନ୍ତରିତ ଗୋଷ୍ଠୀ ହୋଇ ରହିଛି।

ସେ ହେଉଛନ୍ତି ବାୟା ମାଙ୍କିଡ଼ିଆ। ଏହି ସ୍ତମ୍ଭର ଅଧିକା˚ଶ ପାଠକ-ପାଠିକା ଗଲା ଜୁଲାଇ ୨୪ ତାରିଖରେ ଏହି ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଏକ ସମ୍ବାଦ ସହିତ ତାଙ୍କୁ ହୁଏ’ତ ଅସ୍ପଷ୍ଟ ଭାବେ ମନେ ପକାଇ ପାରିଥିବେ, ଯିଏ ୨୦୧୦ ମସିହା ଜୁଲାଇ ମାସରେ ମାଙ୍କିଡ଼ିଆ ଜନଜାତି ସ˚ପ୍ରଦାୟର ପ୍ରଥମ ମାଟ୍ରିକୁଲେଟ୍‌ ଭାବେ ଏକ ବିରଳ ଉପଲବ୍‌ଧିର ଅଧିକାରୀ ହୋଇ ସମସ୍ତ ଓଡ଼ିଆ ଆ˚ଚଳିକ ଓ ଇ˚ରେଜୀ ସମ୍ବାଦପତ୍ରର ପୃଷ୍ଠା ମଣ୍ତନ କରିଥିଲେ। ବାୟାଙ୍କ ଏହି କୃତିତ୍ବ ସକାଶେ ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଶୁଭେଚ୍ଛା ବାର୍ତ୍ତା ମିଳିିଥିଲା। ମୁଖ୍ୟମନ୍ତ୍ରୀ ତାଙ୍କୁ ସ˚ବର୍ଦ୍ଧିତ କରିଥିଲେ ଏବ˚ ଜିଲ୍ଲା ପ୍ରଶାସନ ତାଙ୍କ ଭବିଷ୍ୟତ୍‌ ଗଠନ ଲାଗି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସେହି ସମୟରେ ଗଣମାଧୢମ ସୂତ୍ରରୁ ଜାଣିବାକୁ ମିଳିଥିଲା ଯେ ମୟୂରଭ˚ଜ ଜିଲ୍ଲାସ୍ଥ କପ୍ତିପଦାର ଡମସାହି ଗ୍ରାମର ବାୟା, ପାଠ ପଢ଼ିବା ଲାଗି ତାଙ୍କ ଅଦମ୍ୟ ଆଗ୍ରହ ହେତୁ ପ୍ରତ୍ୟହ ୧୩ କିଲୋମିଟର ଦୂର ସ୍କୁଲକୁ ଚାଲି ଚାଲି ଯାଉଥିଲେ। କିନ୍ତୁ ତାଙ୍କ ପିତାଙ୍କ ସହସା ନିଧନ ତଥା ତାଙ୍କ ପରିବାରର ଦାରୁଣ ଆର୍ଥିକ ଅନଟନ ତାଙ୍କ ଶିକ୍ଷାରେ ପ୍ରତିବନ୍ଧ ସୃଷ୍ଟି କରିଥିଲା। ତେବେ, ଜିଲ୍ଲା ପ୍ରଶାସନର କେତେକ ଅଧିକାରୀ ଏହା ଜାଣିବା ପରେ ତାଙ୍କୁ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରବର୍ତ୍ତାଇ ଥିଲେ, ଯହିଁରେ ସେ ସଫଳ ହୋଇ ଏକ ଇତିହାସ ରଚନା କରିବା ସହିତ ବ୍ୟାପକ ଚର୍ଚ୍ଚାର ପାତ୍ର ହୋଇଥିଲେ।

କିନ୍ତୁ, ବିଡ଼ମ୍ବନା ହେଲା, ବାୟାଙ୍କ ଏହି ସ˚ଘର୍ଷ ଓ ସଫଳତାର କାହାଣୀ ସାର୍ବଜନୀନ ହେବା ପରେ ପରେ ଖୁବ୍‌ ଶୀଘ୍ର ସେ ଜନ ସ୍ମୃତିରୁ ଅନ୍ତର୍ହିତ ହୋଇ ଯାଇଥିଲେ, ଯାହା ଗଲା ଜୁଲାଇ ୨୪ ତାରିଖରେ ପ୍ରକାଶିତ ଏକ ସମ୍ବାଦ ଜରିଆରେ ପୁନର୍ବାର ଉଜ୍ଜୀବିତ ହୋଇ ଉଠିଛି। କିନ୍ତୁ ଏହି ସମ୍ବାଦଟି ସମସ୍ତଙ୍କୁ ଏକ ଧକ୍କା ପ୍ରଦାନ କରି କହିଛି ଯେ ବାୟା ମାଙ୍କିଡ଼ିଆ ପୁନଶ୍ଚ ଦାରିଦ୍ର୍ୟ ମଧୢକୁ ଫେରି ଯାଇଛନ୍ତି, ତାଙ୍କ ଶିକ୍ଷାରେ ଡୋରି ବନ୍ଧା‌ ସରିଛି ଏବ˚ ସେ ବର୍ତ୍ତମାନ ଗୁଜୁରାଣ ମେଣ୍ଟାଇବା ଲାଗି ମୂଲ ଲାଗୁଛନ୍ତି। ଉଲ୍ଲେଖନୀୟ ଯେ ୨୦୧୦ରେ ସେ ମାଟ୍ରିକ ପାସ୍‌ କରିବା ପରେ ପ୍ରଶାସନ ପକ୍ଷରୁ ଯେତେବେଳେ ତାଙ୍କୁ ଏକ ଚାକିରି ଯଚା ଯାଇଥିଲା, ସେ ତାହା ଗ୍ରହଣ ନ କରି ଉଚ୍ଚ ଶିକ୍ଷା କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଏଥିରେ ମଧୢ ତାଙ୍କ ପୃଷ୍ଠପୋଷକତା ଲାଗି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା। ସୁତରା˚, ସେ ଯୁକ୍ତ ଦୁଇ ପାସ୍‌ କଲେ ଓ ଯୁକ୍ତ ତିନି ଶ୍ରେଣୀରେ ରାଜନୀତି ବିଜ୍ଞାନ ବିଭାଗରେ ନାମ ଲେଖାଇଥିଲେ। କିନ୍ତୁ ଯୁକ୍ତ ଦୁଇ ପାସ୍‌ କରିବା ପରେ ତାଙ୍କୁ ମିଳୁୁଥିବା ମାସିକ ଏକ ହଜାର ଟଙ୍କାର ସରକାରୀ ପ୍ରୋତ୍ସାହନ ରାଶିର ସ୍ରୋତ ବନ୍ଦ ହୋଇଯାଇଥିଲା; ଏବ˚ ଇତିମଧୢରେ ବିବାହ କରିସାରିଥିବା ବାୟା ଉତ୍କଟ ଦାରିଦ୍ର୍ୟ ମଧୢରେ ଆଉ ଆଗକୁ ଶିକ୍ଷା ଗ୍ରହଣ କରିବା ସମ୍ଭବପର ହୋଇ ନ ଥିଲା। ସୁତରା˚, ସ୍ବାଭାବିକ ଭାବେ ପରିବାର ଚଳାଇବା ଲାଗି ସେ ଦିନ ମଜୁରିଆରେ ପରିଣତ ହେଲେ।

ପ୍ରକାଶ ଥାଉ କି ଓଡ଼ିଶାର ସୁନ୍ଦରଗଡ଼, ମୟୂରଭ˚ଜ, କଳାହାଣ୍ତି ଏବ˚ ସମ୍ବଲପୁର ଜିଲ୍ଲାରେ ବସବାସ କରୁଥିବା ଏହି ଆ˚ଶିକ ଯାଯାବର ଜନଜାତି ଏକ ଅତ୍ୟନ୍ତ ସଂଖ୍ୟା ଲଘୁ ଗୋଷ୍ଠୀ, ଯାହାର ସଦସ୍ୟ ସ˚ଖ୍ୟା (୨୦୧୧ ଜନଗଣନା ଅନୁଯାୟୀ) ମାତ୍ର ଦୁଇ ହଜାର ଦୁଇଶହ ବାଇଶ। ଏହି ଜନଜାତି ସ˚ପ୍ରଦାୟ ଦେଶରେ ଦରିଦ୍ରତମ ଭାବେ ପରିଗଣିତ। ସାକ୍ଷରତା ହାର ଅନୁସାରେ ଓଡ଼ିଶାର ସମସ୍ତ ଜନଜାତିଙ୍କ ଠାରୁ ଏହି ସ˚ପ୍ରଦାୟ ପଛରେ; ଯାହା ହେଉଛି ମାତ୍ର ୧୬.୨ ପ୍ରତିଶତ, ଯାହା ଭାରତର ସର୍ବନିମ୍ନ ତିନିଟି ମଧୢରୁ ଗୋଟିଏ। (ଅବଶ୍ୟ ଆଣ୍ତାମାନ ଦ୍ବୀପରେ ରହୁଥିବା ଅତ୍ୟନ୍ତ ଆଦିମ ଜନଜାତି ସେଣ୍ଟିନେଲ ଏବ˚ ଜରଵା ସ˚ପ୍ରଦାୟ- ଯାହା ମନୁଷ୍ୟ ସମାଜ ଠାରୁ ସ˚ପୂର୍ଣ୍ଣ ବିଚ୍ଛିନ୍ନ-ରେ ସାକ୍ଷରତା ହାର ଶୂନ ପ୍ରତିଶତ)। କେବଳ ସେତିକି ନୁହେଁ ଏବେ ବି ଏହି ଜନଜାତି ଉତ୍ପୀଡ଼କ ବାସସ୍ଥାନ ଉଚ୍ଛେଦର ଶିକାର ହେଉଛନ୍ତି; ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନସ୍ଥ ଅରଣ୍ୟରୁ ସେମାନଙ୍କ ବିସ୍ଥାପନ ସମ୍ବାଦ ଗଣମାଧୢମର ଶିରୋନାମା ମଣ୍ତନ କରିଛି।

ସୁତରା˚, କହିବା ବାହୁଲ୍ୟ ଯେ ଆଜିକୁ ଦଶ ବର୍ଷ ତଳେ ବାୟାଙ୍କ ଆବିର୍ଭାବ ଥିଲା ଏକ ଚମତ୍କାର ଉଦାହରଣ, ଯାହାକୁ ଏକ ଦୀର୍ଘକାଳୀନ ପ୍ରତୀକରେ ପରିଣତ କରିବାର ସୁଯୋଗ ରହିଥିଲା। ଏହି ପରିପ୍ରେକ୍ଷୀରେ ଗଲା ଏପ୍ରିଲ ମାସରେ ‘ଡାଉନ୍‌ ଟୁ ଆର୍ଥ’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ପ୍ରଣିଧାନଯୋଗ୍ୟ। ସେହି ରିପୋର୍ଟ ଅନୁସାରେ କୋରାପୁଟର ଲକ୍ଷ୍ମୀପୁର ବ୍ଲକ୍‌ ଅନ୍ତର୍ଗତ କ˚ଜରିଗୁଡ଼ା ଗ୍ରାମର ନବୀନ ସାଉଁତା ନାମକ ଜଣେ କନ୍ଧ ତରୁଣ ଆର୍ଥିକ ଅନଟନ ସତ୍ତ୍ବେ କ˚ପ୍ୟୁଟର ବିଜ୍ଞାନରେ ଉଚ୍ଚତର ଶିକ୍ଷା ହାସଲ କରିବାର ତାଙ୍କ ସ୍ବପ୍ନକୁ ଚରିତାର୍ଥ କରିପାରିଛନ୍ତି। ଏହାର କାରଣ ହେଉଛି ଜଣେ ଶୁଭଚିନ୍ତକଙ୍କ ଏକ ଯଥାର୍ଥ ପରାମର୍ଶ, ଯାହା ତାଙ୍କୁ ଆମ ରାଜ୍ୟର ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ପହଞ୍ଚାଇଛି, ଯେଉଁ ଅନୁଷ୍ଠାନ ଜନଜାତି ସ˚ପ୍ରଦାୟର ବାଳକବାଳିକାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ସହିତ ସେମାନଙ୍କ ସମସ୍ତ ବ୍ୟୟ ଭାର ମଧୢ ବହନ କରିଥାଏ। ସମ୍ଭବତଃ ବାୟା ମାଙ୍କିଡ଼ିଆଙ୍କ ଲାଗି ଏଭଳି ଏକ ପରାମର୍ଶ ତଥା ମାର୍ଗଦର୍ଶନ ମିଳି ପାରିଲା ନାହିଁ। ପ୍ରଶାସନ ମଧୢ ପୃଷ୍ଠପୋଷକତାର ପ୍ରତିଶ୍ରୁତି ଭଙ୍ଗ କରିଦେଲେ। ପ୍ରଶାସନ ପକ୍ଷରୁ ଆସୁଥିବା ଏକ ଅନାସକ୍ତ ଆର୍ଥିକ ସାହାଯ୍ୟର ସ୍ରୋତ ଦୁଇ ବର୍ଷ ପରେ ଶୁଷ୍କ ହୋଇଯିବା ବୋଧହୁଏ ଅବଧାରିତ ଥିଲା! ତେଣୁ କହିଲେ ଅସ˚ଗତି ହେବ ନାହିଁ ଯେ ବାୟାଙ୍କୁ ଏକ ଭିନ୍ନ ଦୃଷ୍ଟାନ୍ତରେ ପରିଣତ କରିବାର ସୁଯୋଗ ହାତ ପାହାନ୍ତାରୁ ଖସି ଚାଲିଗଲା।

ସମ୍ବନ୍ଧିତ ଖବର