ନୂଆ ତାଲିବାନ, ପୁରୁଣା ତାଲିବାନ!

ବର୍ତ୍ତମାନ ଯାହା ଅତ୍ୟନ୍ତ ସ୍ପଷ୍ଟ ହେବାରେ ଲାଗିଛି, ଯାହା ଦ୍ବାରା ଅନେକ ରାଷ୍ଟ୍ର ଉଦ୍‌ବିଗ୍ନ ଏବ˚ ଯେଉଁ ପରିସ୍ଥିତିରେ ଭାରତ, ପାକିସ୍ତାନ, ଚୀନ, ରୁଷିଆ, ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ରାଷ୍ଟ୍ର ସେମାନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବା ଉଚିତ ସେ ନେଇ ଦୋଦୁଲ୍ୟମାନ; ତାହା ହେଲା ଆଫଗାନିସ୍ତାନରେ ତାଲିବାନର ଅପ୍ରତିହତ ଜୟଯାତ୍ରା। ତେବେ, ଏହି ପରିପ୍ରେକ୍ଷୀରେ କେତେକ ରାଷ୍ଟ୍ର ଯେଉଁ ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ପ୍ରକାରାନ୍ତରେ ଆଫଗାନିସ୍ତାନ ଉପରେ ତାଲିବାନର କର୍ତ୍ତୃତ୍ବକୁ ସ୍ବୀକୃତି ପ୍ରଦାନ କଲା ଭଳି ପ୍ରତୀୟମାନ ହୋଇଥାଏ। କହିବା ବାହୁଲ୍ୟ ଯେ ଏହା ତାଲିବାନକୁ ମଧୢ ଗଭୀର ଆତ୍ମତୃପ୍ତି ପ୍ରଦାନ କରୁଥିବ। କିନ୍ତୁ ଏକ ଦୂରଦୃଷ୍ଟିସ˚ପନ୍ନ ନଜର ପକାଇଲେ ଦିଶିଥାଏ ଯେ ତାହା ହେଲା ଭବିଷ୍ୟତ୍‌ରେ ଏହା କ୍ରମେ ତାଲିବାନକୁ ଶକ୍ତିହୀନ କରିବା ସହିତ ଆଫଗାନିସ୍ତାନକୁ ଏକ ବିସ୍ତୀର୍ଣ୍ଣ ଶ୍ମଶାନ ଭୂମିରେ ପରିଣତ କରିବ। ଏଭଳି ଏକ ଅନୁମାନର କାରଣ କ’ଣ ସେହି ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ବୋଲି ମନେ ହୋଇଥାଏ।

ଏ ନେଇ ସମସ୍ତେ ଅବଗତ ଯେ ଆଫଗାନିସ୍ତାନକୁ ବିଗତ ଦୁଇ ଦଶନ୍ଧି ଧରି ଆୟତ୍ତାଧୀନ କରି ରଖିିଥିବା ଯୁକ୍ତରାଷ୍ଟ୍ର ଆମେରିକା ତା’ର ସୈନ୍ୟବାହିନୀର ଅନ୍ତିମ ଦଳକୁ ଆସନ୍ତା ଅଗଷ୍ଟ ୩୧ରେ ସେହି ଭୂଖଣ୍ତରୁ ପ୍ରତ୍ୟାହାର କଲା ବେଳକୁ ଆଫଗାନିସ୍ତାନର ଅଧିକା˚ଶ ଅଞ୍ଚଳ ତାଲିବାନ ଦଖଲକୁ ଆସି ସାରିଥିବ। ଏହାକୁ ପ୍ରତିହତ କରିବାର ସାମର୍ଥ୍ୟ ଓ ମନୋବଳ ହରାଇ ଆମେରିକା ସହାୟତାରେ ସ୍ଥାପିତ ଆଫଗାନିସ୍ତାନ ସରକାର ନତଜାନୁ ହୋଇ ଆତ୍ମସମର୍ପଣ କରିଦେବାର ସମସ୍ତ ସମ୍ଭାବନା କ୍ରମେ ଉଜ୍ଜ୍ବଳ ହେବାରେ ଲାଗିଛି। ଅଧିକା˚ଶଙ୍କ ସ୍ମରଣରେ ଥିବ ଯେ ଆଜିକୁ ତେଇଶ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୯୮ ମସିହାରେ ମଧୢ ଆଫଗାନିସ୍ତାନରେ ଏକ ସମତୁଲ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ସୋଭିଏତ୍‌ ରୁଷିଆ ଆଫଗାନିସ୍ତାନକୁ ପରିତ୍ୟକ୍ତ କରି ଚାଲି ଯାଇଥିଲା। ତେବେ ଏହି ଦୁଇ ଦଶନ୍ଧି ମଧ୍ୟରେ ତାଲିବାନ ଦ୍ବାରା ଦୁଇ ଥର କ୍ଷମତା ଅଧିକାର ସ˚ଦର୍ଭରେ ଏକ ପ୍ରଭେଦ ଦେଖିବାକୁ ମିଳିଥାଏ, ଯହିଁରେ ପ୍ରଥମ ଦଫାର ତାଲିବାନ ଏକ ଆତଙ୍କବାଦୀ ଗୋଷ୍ଠୀ ରୂପେ ପୃଥିବୀର ଅଧିକା˚ଶ ରାଷ୍ଟ୍ରଙ୍କ ଲାଗି ଅସ୍ପୃଶ୍ୟ ହୋଇଯାଇଥିବା ବେଳେ ବର୍ତ୍ତମାନର ତାଲିବାନ ତା’ର ପୁରୁଣା ଭାବମୂର୍ତ୍ତି ଓ ଚରିତ୍ର ବଜାୟ ରଖିଥିବା ସତ୍ତ୍ବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର ଠାରୁ ବନ୍ଧୁତାପୂର୍ଣ୍ଣ କରମର୍ଦ୍ଦନ ଲାଗି ହାତ ପ୍ରସରି ଆସୁଥିବା ଦେଖୁଛି। ସେହି ଦୃଷ୍ଟିରୁ ଗଲା ବୁଧବାର ଦିନ ମୁଲ୍ଲା ଅବଦୁଲ ଘାନି ବରାଦରଙ୍କ ନେତୃତ୍ବରେ ତାଲିବାନର ଏକ ପ୍ରତିନିଧି ଦଳ ଚୀନ ସରକାରଙ୍କ ଆମନ୍ତ୍ରଣ କ୍ରମେ ତାନଜିନ ଠାରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଵାଙ୍ଗ ୟିଙ୍କ ସହିତ ସାକ୍ଷାତ କରି ଆଫଗାନିସ୍ତାନର ବିକାଶ ଓ ସ୍ଥାୟୀ ଶାନ୍ତି ବିଷୟରେ ଆଲୋଚନା କରିବା ସର୍ବାଧିକ ପ୍ରଣିଧାନଯୋଗ୍ୟ। କିନ୍ତୁ କେବଳ ଚୀନ ନୁହେଁ, ଇରାନ ଓ ରୁଷିଆର ଆଗ୍ରହ ଦୃଷ୍ଟିରୁ ତାଲିବାନର ଏକ ଦଳ ଉପରୋକ୍ତ ଦୁଇ ରାଷ୍ଟ୍ର ମଧ୍ୟ ପରିଦର୍ଶନ କରିଛନ୍ତି। ଏଠାରେ ପ୍ରଶ୍ନ ଉଠିପାରେ ଯେ ଏକଦା ଅସ୍ପୃଶ୍ୟ ତାଲିବାନ ଏବେ ହଠାତ୍‌ ଗ୍ରହଣୀୟ ହୋଇ ଉଠିଛି କେମିତି? ଏହାର ଉତ୍ତରଟି ନିହିତ ଅଛି ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ପରିପ୍ରେକ୍ଷୀରେ ଗଲା ବର୍ଷ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ ପ୍ରଦର୍ଶନ କରିଥିବା ଆଚରଣରେ; ଯହିଁରେ ଯୁକ୍ତରାଷ୍ଟ୍ର ଆମେରିକା ସେହି ତାଲିବାନ ସହିତ ଚୁକ୍ତି ସ୍ବାକ୍ଷର କଲା, ଯେଉଁ ତାଲିବାନକୁ ସମୂଳେ ନିପାତ କରିବାର ଶପଥ ନେଇ ଆମେରିକା ୨୦୦୧ ମସିହାରେ ଆଫଗାନିସ୍ତାନ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ସୁତରା˚, ଏହା ଯେ ତାଲିବାନ ଲାଗି ଯେ ବିଜୟ ସୂଚକ ହୋଇଛି, ତାହା କହିବା ବାହୁଲ୍ୟ ମାତ୍ର। ଏବ˚ ଏହା ତାଲିବାନକୁ ଏଭଳି ଏକ ବୈଧତା ପ୍ରଦାନ କରିଛି, ଯେଉଁଥି ପାଇଁ ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକ ମଧୢ ଆପଣା ସ୍ବାର୍ଥ ଲାଗି ତାଲିବାନ ସହିତ ସ˚ପର୍କ ସ୍ଥାପନ କରିବା ସକାଶେ ଉଦ୍‌ଗ୍ରୀବ। କେବଳ ସେତିକି ନୁହେଁ ଆମେରିକାର ପଳାୟନ ଏବ˚ ଗ୍ରୀକ୍‌ ପୁରାଣର ଫିନିକ୍‌ସ ପକ୍ଷୀ ଭଳି ପାଉଁଶ ଭିତରୁ ପୁଣି ମୁଣ୍ତ ଟେକି ଉଠିବାରେ ତାଲିବାନର ଅପୂର୍ବ ସାମର୍ଥ୍ୟ ଯେଉଁ ନୂତନ ସ୍ଥିତିକୁ ଜନ୍ମ ଦେଇଛି, ତାହା ହେଲା ଏକ ଅପ୍ରତିରୋଧୢ ତାଲିବାନ କର୍ତ୍ତୃତ୍ବାଧୀନ ଆଫଗାନିସ୍ତାନର ବାସ୍ତବତା।

ଏହି ପରିପ୍ରେକ୍ଷୀରେ ଚୀନ ଦ୍ବାରା ତାଲିବାନ ତୁଷ୍ଟୀକରଣ ପଦକ୍ଷେପ ଯଦିଓ ଆଲୋଡ଼ନ ସୃଷ୍ଟି କରିଛି; ବିଭିନ୍ନ ଦୃଷ୍ଟିକୋଣରୁ ଏହା ସ୍ବାଭାବିକ ଭଳି ମନେ ହୋଇଥାଏ। ଏବ˚ ଯାହା ଉଲ୍ଲେଖଯୋଗ୍ୟ ତାହା ହେଲା, ଏଥିରେ ଚୀନ୍‌ର ତିନିଟି ମହତ୍ତ୍ବପୂର୍ଣ୍ଣ ସ୍ବାର୍ଥ ନିହିତ ରହିଛି। ତହିଁରୁ ଗୋଟିଏ ହେଲା ଆଫଗାନିସ୍ତାନ ଅକଳ୍ପନୀୟ ଭାବେ ପ୍ରଚୁର ମୂଲ୍ୟବାନ ଖଣିଜ ସ˚ପଦର ଏକ କୁମାରୀ ଭୂମି ହୋଇ ରହିଛି। ୨୦୧୪ରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ହୋଇଥିବା ଏକ ସର୍ବେକ୍ଷଣମୂଳକ ଅନୁମାନରୁ ପ୍ରକାଶ ଯେ ଆଫଗାନିସ୍ତାନର ଭୂମି ତଳେ ରହିଛି ୬୦ ନିୟୁତ ଟନ୍‌ ପରିମେୟ ତମ୍ବା, ୨.୨ ବିଲିଅନ ଟନ୍‌ ଲୁହାପଥର, ୧.୪ ନିୟୁତ ଟନ୍‌ ଓଜନର ବିରଳ ମୃତ୍ତିକା ଏବ˚ ସୁନା, ରୁପା ପରି ମୂଲ୍ୟବାନ ଧାତୁର ଭଣ୍ତାର, ଯାହାର ମୂଲ୍ୟ ହେବ ପ୍ରାୟ ୩ ଟ୍ରିଲିଅନ ଡଲାର୍‌। ବର୍ତ୍ତମାନ କେତେକ ଚୀନା କ˚ପାନି ସେଠାରେ ତମ୍ବା ଉତ୍ତୋଳନରେ ବ୍ୟାପୃତ ଅଛନ୍ତି। ସୁତରା˚, ସେହି ଖଣିଜ ସ˚ପଦ ଉପରେ ଚୀନର ଲୋଲୁପ ଦୃଷ୍ଟି ତାକୁ ତାଲିବାନ ସହିତ ନିକଟତର ହେବାକୁ ବାଧୢ କରିଛି। ଦ୍ବିତୀୟ କାରଣଟି ହେଉଛି ଚୀନ୍‌ର ସର୍ବାଧିକ ଉଚ୍ଚାଭିଳାଷୀ ପ୍ରକଳ୍ପ ‘ବେଲ୍‌ଟ ରୋଡ୍‌’ର ନିର୍ମାଣ କାର୍ଯ୍ୟ ଏକ ଅସନ୍ତୁଷ୍ଟ ତାଲିବାନ ଅମଳରେ ସ˚ପୂର୍ଣ୍ଣ କରାଯିବା ଅସମ୍ଭବ। କହିବା ନିଷ୍ପ୍ରୟୋଜନ ଯେ ୭୮ଟି ରାଷ୍ଟ୍ର ମଧୢ ଦେଇ ଯାଉଥିବା ଏହି ସଡ଼କ ପ୍ରକଳ୍ପ ମାଧୢମରେ ଚୀନ ମଧୢ-ଏସିଆ, ୟୁରୋପ ଓ ଆଫ୍ରିକାରେ ତା’ର ଅର୍ଥନୈତିକ, ରଣନୈତିକ ଓ ରାଜନୈତିକ ପ୍ରଭାବ ବିସ୍ତାର କରିବାରେ ସମର୍ଥ ହେବ। ତୃତୀୟ ଏବ˚ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ କାରଣଟି ହେଲା ଚୀନ୍‌ର ଜିନଜିଆଙ୍ଗ ପ୍ରଦେଶରେ ସୃଷ୍ଟ ଉଇଘୁର ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପର ଦମନରେ ତାଲିବାନକୁ ପ୍ରୟୋଗ କରିବା; ଯେଉଁ ତାଲିବାନ ଏ ପର୍ଯ୍ୟନ୍ତ ଆଫଗାନିସ୍ତାନ ସୀମା ମଧୢରୁ ଏହି କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇ ଆସିଛି। ତାଲିବାନ ସହିତ ବନ୍ଧୁତା ଦ୍ବାରା ଚୀନ ସେହି ତାଲିବାନ-ଉଇଘୁର ସ˚ପର୍କକୁ ଛିନ୍ନ କରିବାକୁ ଇଚ୍ଛୁକ। ସ˚ପ୍ରତି ତାଲିବାନ ପ୍ରତିନିଧି ଦଳଙ୍କ ସହିତ ଆଲୋଚନା ପରେ ଚୀନ୍‌ର ବିଦେଶ ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ ଏହି ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି।

କିନ୍ତୁ ଏହି ପ୍ରକରଣରେ ଯାହା ଘଟିବାର ଏକ ସମ୍ଭାବନା ରହିଛି, ତାହା ହେଲା ତାଲିବାନର ଗୋଟିଏ ଅ˚ଶ ଚୀନ ଭଳି ଏହି ବିଶାଳ ଓ ଶକ୍ତିଶାଳୀ ପଡ଼ୋଶୀ ସହିତ ସ˚ପର୍କକୁ ଏକ ଆନ୍ତର୍ଜାତିକ ସ୍ବୀକୃତିର ଆଦ୍ୟ ପର୍ବ ବୋଲି ଧରି ନେଇ ଚୀନ ସ୍ବାର୍ଥ ରକ୍ଷାକୁ ମହତ୍ତ୍ବ ପ୍ରଦାନ କରିବ। ଏହି ଅ˚ଶ ନୂତନ ତାଲିବାନ ରୂପେ ଆବିର୍ଭୂତ ହେବେ, ଯେଉଁମାନେ ଭୂମି ଉପରେ ପ୍ରତ୍ୟକ୍ଷ ଯୁଦ୍ଧ ନ ଲଢ଼ି ବିଭିନ୍ନ ରାଷ୍ଟ୍ରକୁ ତାଲିବାନର ପ୍ରତିନିଧି ଗୋଷ୍ଠୀ ଭାବେ ଯିବେ; ସେ ସବୁ ରାଷ୍ଟ୍ରରେ ତାଲିବାନର କାର୍ଯ୍ୟାଳୟ ସ୍ଥାପନ ଲାଗି ଉଦ୍ୟମ କରିବେ (ଯେମିତି ବର୍ତ୍ତମାନ କାତାରରେ ତାଲିବାନର ଏକ ଦପ୍ତର ରହିଛି)। ଏହି ଗୋଷ୍ଠୀ ହେବେ ତାଲିବାନ କୂଟନୀତିଜ୍ଞ। କିନ୍ତୁ ଅବଶିଷ୍ଟ ତାଲିବାନ, ଯେଉଁମାନେ ପଦାତିକ ଭାବେ ଭୂମିରେ ଯୁଦ୍ଧ ଲଢ଼ିବେ, ଆଫଗାନିସ୍ତାନକୁ ମଧୢ-ଯୁଗୀୟ ଅନ୍ଧକାର ମଧୢକୁ ଭିଡ଼ି ନେବେ ଓ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିବେ; ସେମାନେ ପୁରୁଣା ତାଲିବାନ ରୂପେ ରହି ଉଇଘୁର ବିଚ୍ଛିନ୍ନତାବାଦୀଙ୍କୁ ମଧ୍ୟ ସମର୍ଥନ କରି ଚାଲିବେ ଏବ˚ ଅବଳୀଳା କ୍ରମେ କୂଟନୀତିଜ୍ଞ ତାଲିବାନ ଗୋଷ୍ଠୀ ଓ ତା’ର ସମର୍ଥକମାନଙ୍କ ସହିତ ସ˚ଘାତରେ ଲିପ୍ତ ହେବେ। ସ˚ପ୍ରତି ପାକିସ୍ତାନରେ ଚୀନା ନାଗରିକଙ୍କ ଉପରେ ଯେଉଁଭଳି ଆତଙ୍କବାଦୀ ଆକ୍ରମଣ କରାଯିବା ଆରମ୍ଭ ହୋଇଛି, ତା’ର ପୁନରାବୃତ୍ତିମାନ ଆଫଗାନିସ୍ତାନରେ ଘଟିବ; ସେଠାରେ ଚୀନା ଖଣି ମାଲିକ, ଉଦ୍ୟୋଗୀ ଏବ˚ ପୁନର୍ନିମାଣ କଣ୍ଟ୍ରାକ୍ଟର ପୁରୁଣା ତାଲିବାନର ଶିକାର ହେବେ। ଏଭଳି ଦୁଇ ପ୍ରକାର ସ୍ବାର୍ଥ ତାଲିବାନକୁ ବିଭାଜିତ କରିଦେବ। ଯୁକ୍ତରାଷ୍ଟ୍ର ଆମେରିକାର ମୁକାବିଲା କରି ସଫଳ ହୋଇଥିବା ପୁରୁଣା ତାଲିବାନ ଗୋଷ୍ଠୀ ଯେ ଚୀନ ଦ୍ବାରା ଭୟଭୀତ ହେବ ନାହିଁ, ଏହା ସହଜରେ ବୁଝିହୁଏ। ଏଭଳି ଏକ ସ୍ଥିତି ତାଲିବାନକୁ ଦୁର୍ବଳ କରିବାର ସମ୍ଭାବନା ଅଛି ସିନା; ଏହା ଦ୍ବାରା ସୃଷ୍ଟ ଏକ ଅପ୍ରତିରୋଧୢ ଅରାଜକତା ଆଫଗାନିସ୍ତାନକୁ ଏକ ଶ୍ମଶାନରେ ପରିଣତ କରିବ।

ସମ୍ବନ୍ଧିତ ଖବର