ବୋନ୍‌ସାଇ ଅରଣ୍ୟ

ଯେଉଁମାନେ ସି ଜିନପିଙ୍ଗଙ୍କ ଚୀନ ଉପରେ ଦୃଷ୍ଟି ରଖିଛନ୍ତି, ସେମାନଙ୍କୁ ଚୀନ କମ୍ୟୁନିଷ୍ଟ ପାର୍ଟି ସରକାରର କେତେକ ଅନ୍ତର୍ଘାତୀ କାର୍ଯ୍ୟ ବିସ୍ମିତ କରୁଥାଇପାରେ, ଯାହା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ଭଳି ଅପାତତଃ ପ୍ରତୀୟମାନ ହେଉଛି। ଏହି କାର୍ଯ୍ୟଟି ହେଲା ଏଭଳି କିଛି କଠୋର ନିୟମ ପ୍ରଣୟନ କରିବା ବା ପଦକ୍ଷେପ ନେବା, ଯଦ୍ଦ୍ବାରା ଚୀନ୍‌ର ବିଶାଳ ବୈଭବର ପ୍ରତୀକ ଭାବେ ଗତ କିଛି ବର୍ଷ ହେଲାଣି ଆବିର୍ଭୂତ ହୋଇଥିବା ଅନେକ ଅର୍ବପତିମାନଙ୍କ ସ˚ପଦରେ ଅକଳ୍ପନୀୟ ହ୍ରାସ ଘଟିବା ସହିତ ସେ ଦେଶର ଅତ୍ୟନ୍ତ ଚଳଚଞ୍ଚଳ ପୁଞ୍ଜି ବଜାରରେ ନାହିଁ ନ ଥିବା ହତାଶା ସୃଷ୍ଟି କରିଛି। କହିବା ଅନାବଶ୍ୟକ ଯେ ଉଦାରୀକରଣ ଏବ˚ ଜଗତ୍‌କରଣର ବାତାବରଣରେ ଯଦି କୌଣସି ଗୋଟିଏ ରାଷ୍ଟ୍ର ଆଖି ଝଲସାଇ ଦେଲା ଭଳି ସଫଳତା ଲାଭ କରିଛି, ତାହା ହେଉଛି ଚୀନ। ଡିଜିଟାଲ ବ୍ୟବସାୟ କ୍ଷେତ୍ରରେ ଚୀନ୍‌ର ଆଧିପତ୍ୟ ପ୍ରାୟ ଅଙ୍କୁଶହୀନ ଭାବେ ବିସ୍ତାର ଲାଭ କରି ଚାଲିଥିବା ବେଳେ ଏକ ଆକଳନ ଅନୁସାରେ ୨୦୨୫ ସୁଦ୍ଧା ଚୀନ୍‌ର ଅର୍ଥନୀତିରେ ଡିଜିଟାଲ କାରବାରର ଅ˚ଶ ଏକ ବିଶାଳ ୫୫ ପ୍ରତିଶତ ହୋଇଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ, ଏହାର ବିପରୀତରେ ସ˚ପ୍ରତି ଯାହା ଦୃଶ୍ୟମାନ ହେଉଛି, ତାହା ହେଲା ଡିଜିଟାଲ ବ୍ୟବସାୟରେ ଅଗ୍ରଗଣ୍ୟ ଅନେକ ଚୀନା କ˚ପାନି ଧରାଶାୟୀ ହେବା ସ୍ଥିତିରେ ଏବ˚ ତାହାର କାରଣ କୌଣସି ଗଳାକଟା ପ୍ରତିଦ୍ବନ୍ଦ୍ବିତା ନୁହେଁ କି କୌଣସି ବାହ୍ୟ ଚକ୍ରାନ୍ତ ନୁହେଁ; ବର˚ ତା’ର କାରଣ ସେଠାକାର କମ୍ୟୁନିଷ୍ଟ ସରକାର କିମ୍ବା ସିଧାସଳଖ କହିଲେ ଚୀନ୍‌ର ଏକଛତ୍ରବାଦୀ ଶାସକ ସି ଜିନପିଙ୍ଗଙ୍କ ଦ୍ବାରା ଅତ୍ୟନ୍ତ ବ୍ୟବସ୍ଥିତ ଭାବେ ନିଆଯାଇଥିବା ନିଷ୍ପତ୍ତି। ତେବେ, ଏଭଳି ନିଷ୍ପତ୍ତି ପଛରେ ନିହିତ ଥିବା ସମ୍ଭାବ୍ୟ ଉଦ୍ଦେଶ୍ୟ କ’ଣ ହୋଇପାରେ?

ଏହି ସ୍ତମ୍ଭର ଅନେକ ପାଠକପାଠିକାଙ୍କ ସ୍ମରଣରେ ଥିବ ଯେ ଚୀନ୍‌ର ସର୍ବାଧିକ ଧନୀ ହେବାକୁ ବସିଥିବା ଜଣେ ଚୀନା ‘ଆଇକନ୍‌’ ଜ୍ୟାକ ମା ଗଲା ମାର୍ଚ୍ଚ ମାସରେ ହଠାତ୍‌ ନିରୁଦ୍ଦିଷ୍ଟ ହୋଇଯାଇଥିଲେ। ସେ ହେଉଛନ୍ତି ‘ଆଲିବାବା’ ନାମଧାରୀ ଏକ ଇ-ମାର୍କେଟ୍‌ କ˚ପାନିର ପ୍ରତିଷ୍ଠାତା। ସେ ନିରୁଦ୍ଦିଷ୍ଟ ହେବା ପୂର୍ବରୁ ତାଙ୍କର ଆଉ ଏକ କ˚ପାନି ‘ଆଣ୍ଟ ଗ୍ରୁପ୍‌’ ତାର ଅତ୍ୟନ୍ତ ଉଚ୍ଚାଭିଳାଷୀ ଓ ବହୁଳ ବିଜ୍ଞପିତ ‘ଆଇ.ପି.ଓ.’ ବା ପବ୍ଲିକ୍‌ ଇସ୍ୟୁ ଆରମ୍ଭ କରିବାର ଅବ୍ୟବହିତ ପୂର୍ବରୁ ଚୀନ ସରକାରଙ୍କ ଆଦେଶ କ୍ରମେ ବନ୍ଦ ହୋଇ ଯାଇଥିଲା। ପ୍ରାୟ ମାସକ ପରେ ଯଦିଓ ଜ୍ୟାକ ମାଙ୍କ ପୁନରାର୍ବିଭାବ ଘଟିଲା, ତହିଁରେ ଏକ ଅତ୍ୟନ୍ତ ନିଷ୍ପ୍ରଭ ଜ୍ୟାକ ମା ଦେଖିବାକୁ ମିଳିଲେ, ଯାହାଙ୍କ ଉଦ୍ୟୋଗର ମୂୂଲ୍ୟ ଇତିମଧ୍ୟରେ ଅଧା ହୋଇଯାଇଛି। (‘ଆଲିବାବା’ ଏବ˚ ‘ଆଣ୍ଟ ଗ୍ରୁପ୍‌’ର ମିଳିତ ମୂଲ୍ୟ ୧୩୨୬ ବିଲିଅନ ଡଲାର୍‌ରୁ ହ୍ରାସ ପାଇ ହୋଇ ଯାଇଛି ୬୯୬ ବିଲିଅନ ଡଲାର୍‌)। କେବଳ ସେତିକି ନୁହେଁ, ‘ଆଲିବାବା’କୁ ଅନେକ ‘ଆପ୍‌’ ପ୍ଲେ ଷ୍ଟୋର‌୍‌ ତାଲିକାରୁ ନିଶ୍ଚିହ୍ନ କରି ଦିଆଯାଇଛି। ‘ଆଲିବାବା’ ସହିତ ଚୀନ୍‌ର ଅନ୍ୟାନ୍ୟ କେତେକ ଅତ୍ୟନ୍ତ ସଫଳ ଡିିଜିଟାଲ କ˚ପାନି ଏଭଳି ଦୁର୍ଭାଗ୍ୟ ଭୋଗ କରୁଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅଛି ପୃଥିବୀ ପ୍ରସିଦ୍ଧ ‘ଟ୍ରେନଚେଣ୍ଟ’, ଯାହାର ମୂଲ୍ୟ ମାତ୍ର କିଛି ଦିନ ମଧୢରେ ୧୭୦ ବିଲିଅନ୍‌ ଡଲାର୍‌ ହ୍ରାସ ପାଇଛି। ତେବେ ପ୍ରଶ୍ନ ଉଠିଥାଏ ଯେ ଚୀନ ମାଟିରେ ପଲ୍ଲବିତ ହୋଇ ବିଶ୍ବ ସ୍ତରୀୟ ଆଧିପତ୍ୟ ବିସ୍ତାର କରିବାକୁ ବସିଥିବା ଏଭଳି ମହାଦ୍ରୁମଗୁଡ଼ିକୁ ଚୀନ ସରକାର କାହିଁକି କାଟି ପକାଇବାକୁ ଉଦ୍ୟତ? ଅଧିକା˚ଶ ପର୍ଯ୍ୟବେକ୍ଷକଙ୍କ ମତରେ ଏହାର କାରଣ ହେଲା ସି ଜିନପିଙ୍ଗଙ୍କ ଚୀନ ଏଭଳି କୌଣସି ବ୍ୟକ୍ତିବିଶେଷଙ୍କୁ ସହ୍ୟ କରି ନ ଥାଏ, ଯାହାଙ୍କ ଉଚ୍ଚତା ବୃଦ୍ଧି ପାଇ ସି ଜିନପିଙ୍ଗଙ୍କୁ ଖର୍ବକାୟ ଓ ଚମକହୀନ କରିଦେବାର ସମ୍ଭାବନା ସୃଷ୍ଟି କରିବ। ସୁତରା˚, ସି ଜିନପିଙ୍ଗ ଚୀନ୍‌ରେ ତାଙ୍କ ଇଚ୍ଛା ମୁତାବକ ଏକ ‘ବୋନ୍‌ସାଇ’ ଅରଣ୍ୟ ସୃଷ୍ଟି ହେବାକୁ ବସିଛି। ସି ଜିନପିଙ୍ଗଙ୍କ ଗୋଟିଏ ଆଶଙ୍କା ହେଲା ପ୍ରଭୂତ ବିତ୍ତଶାଳୀ ହୋଇ ଉଠିଥିବା କ˚ପାନି ଏବ˚ ସେଗୁଡ଼ିକର ସ୍ବତ୍ବାଧିକାରୀମାନେ ଚୀନ୍‌ର ଅର୍ଥନୀତି ସହିତ ରାଜନୀତିକୁ ପ୍ରଭାବିତ କରିପାରନ୍ତି; କାରଣ ସେମାନେ ଚୀନ୍‌ର ଅସୁମାରି ନାଗରିକମାନଙ୍କ ଲାଗି ‘ଆଇକନ୍‌’ରେ ପରିଣତ ହେବା ସହିତ ବିପୁଳ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି। ଏଣେ, ଅପର ପକ୍ଷରେ ଏଭଳି ବିତ୍ତଶାଳୀମାନଙ୍କ ହେତୁ ସେଠାରେ ଧନୀ ଓ ଦରିଦ୍ରଙ୍କ ମଧୢରେ ଯେଉଁ ବିରାଟ ବୈଷମ୍ୟ ସୃଷ୍ଟି ହୋଇଛି, ତାହା ମଧୢ କମ୍ୟୁନିଷ୍ଟ ଚୀନ୍‌ର ମୂଳ ଚରିତ୍ର ସହିତ ଖାପ ଖାଇ ନ ଥାଏ। ସୁତରାଂ, ସି ଜିନପିଙ୍ଗ ବଢ଼ନ୍ତା ଗଛଗୁଡ଼ିକୁ ଥୁଣ୍ଟା କରି ଦେବାକୁ ଉଦ୍ୟତ!

ଏହି କ୍ରମରେ ଚୀନ ସରକାରଙ୍କ ଦ୍ବାରା ପ୍ରଣୀତ କେତେକ ନିୟମ ହେତୁ ‘ଅନଲାଇନ୍‌’ ଶିକ୍ଷାରେ ବ୍ୟାପୃତ ଥିବା କେତେକ ‘ଏଡୁ-ଟେକ୍‌’ ବା ‘ଶିକ୍ଷା-ଟେକ୍‌’ କ˚ପାନି ମାତ୍ର ତିନି ଚାରି ଦିନ ମଧ୍ୟରେ ଏଭଳି କ୍ଷତିର ସମ୍ମୁଖୀନ ହୋଇଛନ୍ତି, ଯାହା ଇତିହାସରେ ବିରଳ। ଏଭଳି ହାତୁଡ଼ି ପ୍ରହାର ତୁଲ୍ୟ ନିୟମମାନ ଲାଗୁ କରିବା ପଛରେ ଚୀନ ସରକାର ଦର୍ଶାଇଥିବା କାରଣ ହେଉଛି ପାଠପଢ଼ାର ପୈଶାଚିକ ବୋଝରୁ ଚୀନା ବାଳକ-ବାଳିକାମାନଙ୍କୁ ମୁକ୍ତ କରିବା। କିନ୍ତୁ ପ୍ରକୃତରେ ଯେଉଁ ନିୟମମାନ କରାଯାଇଛି ତାହା ଏଡୁ-ଟେକ୍‌ କ˚ପାନିଗୁଡ଼ିକର ଆୟ ଓ ଅଭିବୃଦ୍ଧିର ସମସ୍ତ ପଥ ଅବରୋଧ କରି ପକାଇଛି। ଏହି କାରଣରୁ ୪୫୪ ବିଲିଅନ ଡଲାର୍‌ (୨୦୨୦ର ହିସାବ)ର ଚୀନା ‘ଏଡୁ-ଟେକ୍‌’ ବଜାରରେ ଏକ ମୁକ୍ତ ପତନ ଘଟି ମାତ୍ର ଚାରି ଦିନ ମଧୢରେ ସେମାନଙ୍କ ମୂଲ୍ୟରେ ପ୍ରାୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି।

ତେବେ, ଅନେକ ଚୀନା ବିଶେଷଜ୍ଞଙ୍କ ମତରେ ‘ଏଡୁ-ଟେକ୍‌’ କ˚ପାନିଗୁଡ଼ିକ ଉପରେ ଚୀନ ସରକାରଙ୍କ ଏଭଳି ହାତୁଡ଼ି ମାଡ଼ରେ ନିହିତ ଥିବା ପ୍ରକୃତ ଉଦ୍ଦେଶ୍ୟଟି ହେଉଛି ସେଠାରେ ସଦ୍ୟ ପ୍ରଣୀତ ହୋଇଥିବା ‘ଦ˚ପତି ପିଛା ତିନି ସନ୍ତାନ’ ନୀତିର ସଫଳ ରୂପାୟନ। କାରଣ ଚୀନ୍‌ରେ ସନ୍ତାନମାନଙ୍କ ଶିକ୍ଷା ଏଭଳି ବ୍ୟୟବହୁଳ ହୋଇପଡ଼ିଛି ଯେ ଅଧିକା˚ଶ ଦ˚ପତି ଗୋଟିଏରୁ ଅଧିକ ସନ୍ତାନ ଉତ୍ପାଦନ କରି ଅଯଥା ବ୍ୟୟ ଭାର ବହନ କରିବାକୁ ରାଜି ନୁହନ୍ତି। ଏଣେ ଏ ପର୍ଯ୍ୟନ୍ତ ପ୍ରଚଳିତ ଥିବା ‘ଦ˚ପତି ପିଛା ଗୋଟିଏ ମାତ୍ର ସନ୍ତାନ’ର ନୀତି (ଜନସ˚ଖ୍ୟା ନିୟନ୍ତ୍ରଣ ଲାଗି ଉଦ୍ଦିଷ୍ଟ ଥିଲା) ଦ୍ବାରା ଯେଉଁ ଏକ ଅପ୍ରତ୍ୟାଶିତ ସମସ୍ୟା ସୃଷ୍ଟି ହୋଇସାରିଲାଣି, ତାହା ହେଲା କମ୍‌ ସନ୍ତାନ ଜନ୍ମ ହେଉଥିବା କାରଣରୁ ଯେତିକି ସ˚ଖ୍ୟକ ଚୀନା ଯୁବକଯୁବତୀ ବାର୍ଦ୍ଧକ୍ୟରେ ପ୍ରବେଶ କରୁଛନ୍ତି, ସେମାନଙ୍କ ସ୍ଥାନ ପୂରଣ ହୋଇ ପାରୁନାହିଁ; ଯାହା ଚୀନ୍‌ର ଉତ୍ପାଦନଶୀଳତା ଓ କର୍ମ କ୍ଷମତାକୁ ଦୁର୍ବଳ କରିବାର ବିପଦ ସୃଷ୍ଟି କଲାଣି। ସୁତରା˚, ଶିକ୍ଷାକୁ ଅତ୍ୟନ୍ତ ଶସ୍ତା କରିବା ଲାଗି ଏଭଳି ନିୟମ କରାଯାଇଛି, ଯାହା ଦ˚ପତିମାନଙ୍କୁ ହୁଏ’ତ ଅଧିକ ସନ୍ତାନ ଉତ୍ପାଦନ କରିବା ଲାଗି ଉତ୍ସାହିତ କରିବ; କିନ୍ତୁ ଏହା ଦ୍ବାରା ସେଠାକାର ଡିଜିଟାଲ ଶିକ୍ଷାଦାନ କ୍ଷେତ୍ର ଏକ ମରୁଭୂମିରେ ପରିଣତ ହେବାର ଭୟ ମଧ୍ୟ ରହିଛି। ତେବେ, ଏହି ପରିପ୍ରେକ୍ଷୀରେ ଏକ ଅନୁମାନ କରାଯାଇଥାଏ ଯେ ଶିକ୍ଷା କ୍ଷେତ୍ର ଭଳି ସେଠାକାର ଅତ୍ୟନ୍ତ ବ୍ୟୟବହୁଳ ଚିକିତ୍ସା କ୍ଷେତ୍ର ଏବ˚ ‘ରିଏଲ୍‌ ଇଷ୍ଟେଟ୍‌’ ବ୍ୟବସାୟ ଉପରେ ମଧ୍ୟ ଚୀନ ସରକାରଙ୍କ ନିର୍ଦୟ ପ୍ରହାର ପଡ଼ିବ। କାରଣ ଏହା ଦ୍ବାରା ଚୀନ୍‌ର ସାଧାରଣ ଜୀବନଯାତ୍ରା ସହଜ ହେବା ସହିତ ସେଠାକାର ଅତ୍ୟନ୍ତ ବିଶାଳ ମଧୢବିତ୍ତ ବର୍ଗ ଏକ ବଡ଼ ପରିବାର ସୃଷ୍ଟି କରିବା ଲାଗି ଆଗଭର ହେବେ।

ତେବେ ଚୀନ୍‌ର ଏଭଳି ବ୍ୟବସ୍ଥିତ ଅନ୍ତର୍ଘାତ ଈପ୍‌ସିତ ଫଳ ପ୍ରଦାନ କରିବ ତ? କହିବା ବାହୁଲ୍ୟ ଯେ ଉଦାରୀକରଣ ଏବ˚ ଖୋଲା ଅର୍ଥନୀତିର ବାତାବରଣ ଚୀନ ଭଳି ଏକ ଏକଛତ୍ରବାଦୀ ରାଷ୍ଟ୍ରରେ ନାଗରିକମାନଙ୍କ ମଧୢରେ ମୁକ୍ତ ଚିନ୍ତନର ଅଙ୍କୁରୋଦ୍‌ଗମ କରିଛି। ସମ୍ଭବତଃ ଏହି କାରଣରୁ ସି ଜିନପିଙ୍ଗ ଲୌହ ମୁଷ୍ଟିର ଶାସନ କାଳ (ଆଠ ବର୍ଷ)ରେ ପ୍ରାୟ ୬ ଲକ୍ଷ ଚୀନା ନାଗରିକ ପାଶ୍ଚାତ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଆଶ୍ରୟ ଭିକ୍ଷା କରି ଆବେଦନ କରି ସାରିଲେଣି। କହିବା ଅନାବଶ୍ୟକ ଯେ ଏମାନଙ୍କ ମଧୢରୁ ଅଧିକା˚ଶ ବିତ୍ତଶାଳୀ ଏବ˚ ସେମାନେ ନିଜ ନିଜ ଉଦ୍‌ଯୋଗରୁ ହାସଲ କରିଥିବା ‘ବର୍ତ୍ତମାନ’କୁ ଭବିଷ୍ୟତ୍‌ରେ ସୁରକ୍ଷିତ ରଖିବାକୁ ଚାହାନ୍ତି। ସେମାନେ ଗୋଟିଏ ଗୋଟିଏ ପୂର୍ଣ୍ଣ ଅବୟବଧାରୀ ବରଗଛ ଭାବେ ବଢ଼ିବାକୁ ଇଚ୍ଛା କରନ୍ତି ଯାହା ଚୀନ୍‌ର ‘ବୋନସାଇ ଅରଣ୍ୟ’ରେ ସମ୍ଭବ ନୁହେଁ। ତେବେ ଏହା ମଧୢ ସମସ୍ତେ ଜାଣନ୍ତି ଯେ ଚୀନ ଦ୍ବାରା ପ୍ରଦର୍ଶିତ ଆଭିମୁଖ୍ୟ ଅଧିକା˚ଶ ସମୟରେ ପ୍ରହେଳିକାମୟ ହୋଇଥାଏ। ତେଣୁ ଏଭଳି ଅନ୍ତର୍ଘାତ ଭବିଷ୍ୟତ୍‌ରେ କି ପରିଣାମ ସୃଷ୍ଟି କରିବ ବା ଏହା ଆତ୍ମଘାତରେ ପରିଣତ ହେବ କି ନାହିଁ; ତାହା କେବଳ ସମୟ ହିଁ କହିବ।

ସମ୍ବନ୍ଧିତ ଖବର