କରୁଣ କେରଳ

ପ୍ରଖ୍ୟାତ ଆନ୍ତର୍ଜାତିକ ସ୍ବାସ୍ଥ୍ୟ ବିଶେଷଜ୍ଞ, ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଓ ‘ୟୁନିସେଫ୍‌’ର ଏକଦା ପରାମର୍ଶଦାତା ତଥା ନିଜର ଅାଶାବାଦୀ ଆଭିମୁଖ୍ୟ ପାଇଁ ପୃଥିବୀବ୍ୟାପୀ ପ୍ରସିଦ୍ଧି ଲାଭ କରିଥିବା ସ୍ବିଡେନ୍‌ର ସ୍ବର୍ଗତ ଡାକ୍ତର ହାନ୍‌ସ ରସ୍‌ଲିଙ୍ଗ୍୍ କୌଣସି ଜନସ୍ବାସ୍ଥ୍ୟ ସଂକଟର ମୁକାବିଲା କରିବା ବେଳେ ସର୍ବଦା ସମସ୍ତ ପ୍ରକାରର ନାଟକୀୟତା ପରିହାର କରିବା ଉଚିତ ବୋଲି ଉପଦେଶ ଦେଉଥିଲେ। ଡାକ୍ତର ରସ୍‌ଲିଙ୍ଗ୍ ମଧ୍ୟ ଜାଣିଥିଲେ ଯେ ନିରପେକ୍ଷ ମନ୍ତବ୍ୟକାର ମଧ୍ୟ ନାଟକୀୟତା ନିଶାର ଶିକାର ହୋଇଥାନ୍ତି; ପକ୍ଷଭୁକ୍ତମା‌େନ ତ ସହଜେ ଜାଣିଶୁଣି ଏହି ନିଶା ଅଭ୍ୟାସ କରିଥାନ୍ତି।

ସେ ତାଙ୍କର ଡାକ୍ତରସୁଲଭ ଢଙ୍ଗରେ ନାଟକୀୟତା ନିଶାର ବିପଦ ବୁଝାଇବାକୁ ଚିନି ଓ ଚର୍ବିଳ ଖାଦ୍ୟ ପ୍ରତି ଆମର ସ୍ବାଭାବିକ ଦୁର୍ବଳତାର ଉଦାହରଣ ଦେଉଥିଲେ। ସେ କହୁଥିଲେ ଯେ ଏହି ଖାଦ୍ୟ ନିଶାର ପରିଣାମ ସ୍ବରୂପ ମେଦବହୁଳତା ଆଜି ପୃଥିବୀର ଏକ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା ହୋଇ ଉଭା ହୋଇଛି। ତତ୍‌କ୍ଷଣାତ୍‌ ଆନନ୍ଦ ପାଇବା ପାଇଁ ଭବିଷ୍ୟତ୍‌ ବିପଦକୁ ଖାତିର ନ କରି ଆମେ ଯେଉଁ ଭଳି ଏହି ଜାତୀୟ ସୁସ୍ବାଦୁ ଖାଦ୍ୟ ଉପରକୁ ଝାମ୍ପି ପଡ଼ିଥାଉ, ତତ୍‌କ୍ଷଣାତ୍ ଉଚ୍ଚାଟ ସନ୍ଧାନରେ ଆମେ ସେଇ ଭଳି ଚଟାପଟ୍ ସାଧାରଣ ଘଟଣାମାନଙ୍କରେ ନାଟକୀୟ ରଙ୍ଗ ବୋଳି ପକାଇଥାଉ। ରସ୍‌ଲିଙ୍ଗ୍ ଆମର ଏହି ପ୍ରବୃତ୍ତିର ନାମକରଣ କରିଥିଲେ- ନାଟକୀୟତା ପ୍ରବୃତ୍ତି। ସେ କହୁଥିଲେ ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ପାଇଁ ଶର୍କରା ଓ ଚର୍ବି ନିଶା ପରିହାର କରିବା ଯେଉଁ ଭଳି ଆବଶ୍ୟକ, ଗୋଷ୍ଠୀ ସ୍ବାସ୍ଥ୍ୟରକ୍ଷା ପାଇଁ ସେଇ ଭଳି ନାଟକୀୟତା ନିଶା ତ୍ୟାଗ କରିବା ଜରୁରୀ।

ଏଠାରେ ଉଲ୍ଲେଖଯୋଗ୍ୟ, ଭାରତର ଯେଉଁ ରାଜ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସେ ସମୟରେ ଉତ୍ତମ ପ୍ରଦର୍ଶନ ନିମିତ୍ତ ହାନ୍‌ସ ରସ୍‌ଲିଙ୍ଗ୍‌ଙ୍କର ବିଶେଷ ପ୍ରଶଂସାଭାଜନ ହୋଇଥିଲା, ସେ ରାଜ୍ୟ ହେଉଛି କେରଳ। ଏଣୁ ଏହା ବର୍ତ୍ତମାନ ଏକ କ୍ରୂର ବିଡ଼ମ୍ବନା ଭଳି ମନେ ହୁଏ ଯେ ନିକଟ ଇତିହାସରେ ସାରା ପୃଥିବୀ ସହିତ କେରଳ ମଧ୍ୟ ସମ୍ମୁଖୀନ ହୋଇଥିବା ସବୁଠାରୁ ଭୟାନକ ଜନସ୍ବାସ୍ଥ୍ୟ ସଂକଟ‌, ଚୀନା କରୋନା ଜନିତ କୋଭିଡ୍ ପ୍ୟାଣ୍ଡେମିକ୍‌ର ମୁକାବିଲାରେ କେରଳର ପ୍ରଦର୍ଶନ ବର୍ତ୍ତମାନ ଯେଉଁଭଳି କରୁଣ ଓ ଦୁର୍ଭାଗ୍ୟଜନକ ହୋଇଛି, ତାହା ମୂଳରେ ଯାହା ରହିଛି, ତାହା ହେଉଛି ରସ୍‌ଲିଙ୍ଗ୍ ସୂଚାଇଥିବା ସେଇ ଖଳନାୟକ- ନାଟକୀୟତା ପ୍ରବୃତ୍ତି।

କେରଳ ହେଉଛି ଏକ ବାମପନ୍ଥୀ କମ୍ୟୁନିଷ୍ଟ ଶାସିତ ରାଜ୍ୟ। ଦେଶର ତଥାକଥିତ ଉଦାର, ଧର୍ମ ନିରପେକ୍ଷ ବାମମୁଖୀ ମନ୍ତବ୍ୟକାରମାନଙ୍କ ପାଇଁ କେରଳ ହେଉଛି ଦେଶର ଦକ୍ଷିଣପନ୍ଥୀ ଶକ୍ତି ସବୁକୁ ସଫଳ ଭାବରେ ଟକ୍କର ଦେଇ ଚାଲିଥିବା ସେମାନଙ୍କର ଏକ ଆଦର୍ଶ ମଡେଲ୍, ଯାହାକୁ ଇଂରେଜୀରେ କୁହାଯାଇଥାଏ- ‘ପୋଷ୍ଟର୍ ବଏ’। କୋଭିଡ୍‌ର ଆରମ୍ଭ ସମୟରେ ଯେତେବେଳେ କେରଳ କିଛି ସମୟ ପାଇଁ ଏହାର ସଂକ୍ରମଣ ନିୟନ୍ତ୍ରଣ କରିବ‌ାରେ ଅନ୍ୟ ରାଜ୍ୟମାନଙ୍କ ଠାରୁ ଅଧିକ ସଫଳତା ହାସଲ କଲା, ଏହି ବର୍ଗର ମନ୍ତବ୍ୟକାରମାନେ ରସ୍‌ଲିଙ୍ଗ୍‌ଙ୍କର ମନା ନ ମାନିଲା ଭଳି ନିଜର ନାଟକୀୟତା ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଏହାକୁ ‘କେରଳ ମଡେଲ୍’ ଆଖ୍ୟା ଦେଇ ସଗର୍ବରେ ଦୁନିଆ ସମ୍ମୁଖରେ ପ୍ରଦର୍ଶିତ କରିଚାଲିଲେ। ସେ ମଡେଲ୍‌ର ରୂପରେଖ ଯାହା ହୋଇଥାଉ ନା କାହିଁକି, ତାହାର ଅନୁସରଣ ସେ ରାଜ୍ୟ ପାଇଁ କିଭଳି ଘାତକ ସାବ୍ୟସ୍ତ ହୋଇଛି, ବର୍ତ୍ତମାନର ଚିତ୍ର ଉପରେ ଏକ ନିରପେକ୍ଷ ଦୃଷ୍ଟି ନିକ୍ଷେପ କଲେ ‘କେରଳ ମଡେଲ୍’ ନାଟକର ରଚୟିତାମାନେ ମଧ୍ୟ ତାହା ସ୍ବୀକାର କରିବାକୁ ବାଧ୍ୟ ହେବେ।

ଏହି ମଡେଲ୍‌ର ଅଂଶ ସ୍ବରୂପ ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (‘ଆଇଏମ୍ଏ’) ଭଳି ବିଶେଷଜ୍ଞ ସଂସ୍ଥା ଠାରୁ ଆରମ୍ଭ କରି ସୁପ୍ରିମ୍ କୋର୍ଟ ପର୍ଯ୍ୟନ୍ତଙ୍କ ଉପଦେଶ ପ୍ରତି କର୍ଣ୍ଣପାତ ନ କରି ସେ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟଙ୍କୁ ତୁଷ୍ଟ କରିବା ଉଦ୍ଦେଶ୍ୟରେ କେରଳ ସରକାର ବକ୍‌ର-ଇଦ୍ ପର୍ବ ପାଳନ ଉପ‌ଲକ୍ଷେ ଜୁଲାଇ ୧୮-୨୦ ତିନି ଦିନ ପାଇଁ ରାଜ୍ୟରେ କୋଭିଡ୍ କଟକଣାମାନ ଉଠାଇ ଦେଇଥିଲେ। ସେ ସମୟରେ କେରଳରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଥିଲା ପ୍ରାୟ ୧୫,୦୦୦। ତା’ପରେ ସେ ସଂଖ୍ୟାରେ ବୃଦ୍ଧି ଘଟି ବର୍ତ୍ତମାନ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ୨୦,୦୦୦ ଛୁଇଁଲାଣି। ଗତ ସପ୍ତାହରେ କେରଳରେ ଦେଖାଯାଇଥିବା ମୋଟ ନୂତନ ସଂକ୍ରମଣ ସଂଖ୍ୟା ଥିଲା ୧,୪୦,୦୦୦, ଯାହା ତା’ ପୂର୍ବ ସପ୍ତାହରେ ଥିଲା ୧,୧୦,୦୦୦। ଗତ ସପ୍ତାହରେ ସାରା ଦେଶରେ ଯେତିକି ସଂଖ୍ୟକ ନୂତନ ସଂକ୍ରମଣ ଦେଖିବାକୁ ମିଳିଥିଲା, ତା’ର ପ୍ରାୟ ଅଧା ବା ୫୦ ଶତାଂଶ ଦେଖାଯାଇଥିଲା କେରଳରେ।

‘ଟେଷ୍ଟ ପଜିଟିଭିଟି ରେଟ୍’ ବା ‘ଟିପିଆର୍’ ହେଉଛି ସଂକ୍ରମଣର ତୀବ୍ରତାର ଏକ ସ୍ବୀକୃତ ପରିମାପକ। ପରୀକ୍ଷା କରାଯାଇଥିବା ସମସ୍ତଙ୍କ ମଧ୍ୟରୁ ସଂକ୍ରମିତ ଚିହ୍ନଟ ହୋଇଥିବା ଲୋକଙ୍କ ଅନୁପାତ କେତେ, ତାହା ‘ଟିପିଆର୍’ ସୂଚାଇ ଥାଏ। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (‘ହୁ’)ର ମାପକାଠି ଅନୁସାରେ ‘ଟିପିଆର୍’ ମୂଲ୍ୟ ୫ ଶତାଂଶ ବା ତା’ଠାରୁ କମ୍ ଥିଲେ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ଅଛି ବୋଲି ବିଚାର କରାଯାଏ। ସମଗ୍ର ଦେଶ ପାଇଁ ହାରାହାରି ‘ଟିପିଆର୍’ ମୂଲ୍ୟ ବର୍ତ୍ତମାନ ପ୍ରାୟ ୨ ଶତାଂଶ ହୋଇଥିବା ବେଳେ, କେରଳରେ କିନ୍ତୁ ‘ଟିପିଆର୍’ ରହିଛି ଦୁଇ ଅଙ୍କ ବିଶିଷ୍ଟ ଅବସ୍ଥାରେ- ୧୨ ଶତାଂଶରୁ ଅଧିକ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ, ବକ୍‌ର-ଇଦ୍ ପାଇଁ କଟକଣା କୋହଳ କରାଯିବାର ପର ସପ୍ତାହରେ ସେଠାରେ ‘ଟିପିଆର୍’ ୧୦ ଶତାଂଶରୁ ବୃଦ୍ଧି ପାଇ ୧୨ ଶତାଂଶ ହୋଇ ଯାଇଥିଲା। ତା’ପୂର୍ବରୁ ‘ଟିପିଆର୍’ ଏପରି ଉଚ୍ଚା ରହିବାର ଏକ ମୁଖ୍ୟ କାରଣ ହୋଇପାରେ ମଇ ଶେଷ ଆଡ଼ ଠାରୁ କେରଳ ଅନୁସରଣ କରି ଆସିଥିବା ‘କେରଳ ମଡେଲ୍’ ଅନ୍ତର୍ଗତ ଏକ ଅପେକ୍ଷାକୃତ କୋହଳ ଲକ୍‌-ଡାଉନ୍ ବ୍ୟବସ୍ଥା।

ସେ ରାଜ୍ୟରେ ସଂକ୍ରମଣ ପ୍ରସାର ହାର (‘ଟ୍ରାନ୍‌ସମିସନ୍ ରେଟ୍’) ମଧ୍ୟ ୧ରୁ ଅଧିକ ହୋଇ ଚିନ୍ତାର କାରଣ ପାଲଟିଛି (ଏହାର ଅର୍ଥ ଜଣେ ସଂକ୍ରମିତ ବ୍ୟକ୍ତି ଜଣକରୁ ଅଧିକ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମିତ କରି ଦେଇ ପାରୁଛନ୍ତି)। ଯାହା ଆହୁରି ଚିନ୍ତା ବଢ଼ାଉଛି, ତାହା ହେଲା, ‘ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ’ (‘ଆଇସିଏମ୍‌ଆର୍’) କରିଥିବା ଲୋକଙ୍କ ଠାରେ ସୃଷ୍ଟି ହୋଇଥିବା ପ୍ରତିରୋଧିନୀ ଶକ୍ତି ସର୍ବେକ୍ଷଣ ବା ‘ସେରୋ-ସର୍ଭେ’ରୁ ମିଳିଥିବା ସୂଚନା ଅନୁସାରେ ଭାରତର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ କେରଳରେ ପ୍ରତିରୋଧିନୀସୂଚକ ‘ଆଣ୍ଟିବଡି’ର ଉପସ୍ଥିତି ଅନୁପାତ ହେଉଛି ସର୍ବନିମ୍ନ। ସାରା ଦେଶ ପାଇଁ ଏହି ହାର ୬୭ ଶତାଂଶ ହୋଇଥିବା ବେଳେ, କେରଳର ଏହା ହେଉଛି ୪୪ ଶତାଂଶ। ଏହାର ଅର୍ଥ କେରଳର ୫୬ ଶତାଂଶ ଲୋକ ଏବେ ବି ସଂକ୍ରମଣ ପ୍ରବଣ ଅବସ୍ଥାରେ ଅଛନ୍ତି। ସେଠାରେ ମାତ୍ର ୨୧ ଶତାଂଶ ଲୋକଙ୍କର ସଂପୂର୍ଣ୍ଣ ଟିକାକରଣ ହୋଇଥିବାରୁ, ଏ ଉଭୟ ସ୍ଥିତି ମିଶି ଏକ ତୃତୀୟ ଲହର ବ୍ୟାପିବା ପାଇଁ (କେତେକଙ୍କ ମତରେ ଆରମ୍ଭ ହୋଇଗଲାଣି) କେରଳକୁ ଏକ ପ୍ରକୃଷ୍ଟ କ୍ଷେତ୍ରରେ ପରିଣତ କରିବ। ଏହାର ସଫଳ ମୁକାବିଲା ପାଇଁ ପ୍ରଥମ ଅାବଶ୍ୟକତା ହେଉଛି ‘କେରଳ ମଡେଲ୍’ ଭଳି ନାଟକବାଜିଠାରୁ ଦୂରେଇ ରହିବା।

ସମ୍ବନ୍ଧିତ ଖବର