ପ୍ରତିରୋଧର ବ୍ୟାରିକେଡ୍‌

ଆଫଗାନିସ୍ତାନରେ ଘଟି ଚାଲିଥିବା ଘଟଣାମାନ ଏକ ଧାରାବାହିକତାରେ ପରିଣତ ହୋଇ ସେଠାକାର ଗମ୍ଭୀର ମାନବ ଟ୍ରାଜେଡି ସତ୍ତ୍ବେ ତାହା ପ୍ରତି ଜନ ଆଗ୍ରହ କ୍ରମେ ଊଣା ପଡ଼ି ଆସୁଥିବା ବେଳେ ଗଲା ଚାରି ପାଞ୍ଚ ଦିନ ମଧୢରେ ଏଭଳି କିଛି ଘଟଣା ଘଟିଯାଇଛି, ଯଦ୍ଦ୍ବାରା ପୁଣି ସେହି ଦେଶ ଆଲୋଚନାର କେନ୍ଦ୍ରକୁ ପ୍ରତ୍ୟାବର୍ତ୍ତନ କରିଛି। ଗଲା ଚାରି ଦିନ ପୂର୍ବ ପର୍ଯ୍ୟନ୍ତ ସମସ୍ତେ ସ୍ବୀକାର କରି ସାରିଥିଲେ ଯେ ତାଲିବାନର ଆଫଗାନିସ୍ତାନ ଦଖଲ ଅତ୍ୟନ୍ତ ସହଜସାଧୢ ହେବ ଏବ˚ ତାକୁ ପ୍ରମାଣିତ କରିବା ଲାଗି ଯେଉଁ ସମ୍ବାଦମାନ ମିଳିବାରେ ଲାଗିଥିଲା, ତହିଁରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ଅବଲୀଳା କ୍ରମେ ତାଲିବାନ କବ୍‌ଜାକୁ ଆସୁଥିଲା ଏବ˚ ଦଳ ଦଳ ହୋଇ ଆଫଗାନ ସରକାରୀ ସୈନିକମାନେ ଆତ୍ମସମର୍ପଣ କରିବା ଦେଖାଯାଉଥିଲା। ଏପରି କି ଗଲା ମାସ ଯୁକ୍ତରାଷ୍ଟ୍ର ଆମେରିକାର ‘ସେଣ୍ଟ୍ରାଲ କମାଣ୍ତ୍‌’ର ମୁଖ୍ୟ ଜେନେରାଲ କେନେଥ ମେକେ˚ଜି ଘୋଷଣା କରି ସାରିଛନ୍ତି ଯେ ତାଲିବାନ ଶୀଘ୍ର ଆଫଗାନିସ୍ତାନରେ ନୂତନ ଶାସନ ସ୍ଥାପନ କରିବ। କେବଳ ସେତିକି ନୁହେଁ, କିଛି ଦିନ ପୂର୍ବରୁ ଚୀନ ସରକାରଙ୍କ ଦ୍ବାରା ଆମନ୍ତ୍ରିତ ହୋଇ ଏକ ତାଲିବାନ ପ୍ରତିନିଧି ଦଳ ଚୀନ୍‌ର ଜିନଝିଆନ ସହରରେ ଏକ ମିଳିତ ଚୁକ୍ତିନାମା ସ୍ବାକ୍ଷର କରିଥିଲେ, ଯାହାକୁ ଦର୍ଶାଇ ବିଶେଷଜ୍ଞମାନେ ମତ ପ୍ରକାଶ କରିଥିଲେ ଯେ ତାଲିବାନର ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ଚୀନ ସରକାର ଉଚିତ ସମୟରେ ଠିକଣା ପଦକ୍ଷେପ ନେଇଛନ୍ତି, ଯଦ୍ଦ୍ବାରା ଚୀନର ସ୍ବାର୍ଥ ରକ୍ଷା ହୋଇପାରିବ। କିନ୍ତୁ, ଏହାର ବିପରୀତରେ ସ˚ପ୍ରତି ଯାହା ଦୃଶ୍ୟମାନ ହେଉଛି, ତାହା ହେଲା, ଆଫଗାନିସ୍ତାନରେ ତାଲିବାନର ଅଗ୍ରଗତି ପୂର୍ବରୁ ଆଶା ବା ଆଶଙ୍କା କରାଯାଉଥିବା ଭଳି ସାବଲୀଳ ହୋଇ ନ ପାରେ।

ଉଲ୍ଲେଖଯୋଗ୍ୟ ଯେ ଏଭଳି ଏକ ପରିବର୍ତ୍ତିତ ପରିସ୍ଥିତିର ସ˚କେତ ମିଳିଥିଲା ଗଲା ମଙ୍ଗଳବାର, ଯେଉଁ ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲ ସହରରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ବିସମିଲ୍ଲା ଖାଁ ମହମ୍ମଦୀଙ୍କ ବାସଭବନ ଉପରେ ଆତ୍ମଘାତୀ ବୋମା ଓ ସଶସ୍ତ୍ର ଆକ୍ରମଣ ହେଲା। କୁହାଯାଏ ଯେ ସେହି ସମୟରେ ନିଜ ଘରେ ମହମ୍ମଦୀ ଓ ପରଲୋକଗତ ଶକ୍ତିଶାଳୀ ଆଫଗାନୀ ‘ଵାର ଲର୍ଡ‌୍‌’ (ସର୍ଦ୍ଦାର) ଅହମ୍ମଦ ଶାହ ମାସୁଦଙ୍କ ପୁତ୍ର ଅହମ୍ମଦ ମାସୁଦଙ୍କ ମଧୢେର ଏକ ଗୁପ୍ତ ଆଲୋଚନା ଚାଲିଥିଲା। ସ୍ବାଭାବିକ ଭାବେ ସୁରକ୍ଷା ଦାୟିତ୍ବରେ ଥିବା ଆଫଗାନ କମାଣ୍ତୋଙ୍କ ସହିତ ଏହି ଆକ୍ରମଣକାରୀଙ୍କ ଏକ ରକ୍ତାକ୍ତ ସ˚ଘର୍ଷ ଘଟିଥିଲା, ଯହିଁରେ ପାଞ୍ଚ ଜଣ ଆକ୍ରମଣକାରୀଙ୍କ ମଧୢରୁ ଚାରି ଜଣ ନିହତ ହୋଇଥିଲେ। କିନ୍ତୁ ଏହା ସହିତ ସେହି ସମୟରେ ଆଉ ଯାହା ଦେଖିବାକୁ ମିଳିଥିଲା, ତାହା ହେଲା ବିସ୍ଫୋରଣର ଆଵାଜରେ କାବୁଲ ସହର ଥରି ଉଠିବା ପରେ ପରେ ସ୍ବତଃସ୍ଫୂର୍ତ୍ତ ଭାବେ ହଜାର ହଜାର ସହରବାସୀ ରାଜରାସ୍ତାକୁ ଓହ୍ଲାଇ ଆସି ‘ଆଲ୍ଲା ହୁ ଆକବର’ ନାଦ ଦ୍ବାରା ବାତାବରଣକୁ ପ୍ରକମ୍ପିତ କରି ପକାଇଥିଲେ, ଯହିଁରେ ସେମାନଙ୍କ ତାଲିବାନ ବିରୋଧୀ ମନୋଭାବ ପ୍ରଦର୍ଶିତ ହୋଇଥିଲା। ତେବେ କେବଳ କାବୁଲ ନୁହେଁ, ଆଫଗାନିସ୍ତାନର ଅନ୍ୟ ବଡ଼ ସହର ଯେମିତିକି ହେରାତ୍‌, ଲସକର-ଗା ଏବ˚ କାନ୍ଦାହାରରେ ମଧୢ ତାଲିବାନ ବିରୋଧୀ ମନୋଭାବ ପରିଲକ୍ଷିତ ହେବାରେ ଲାଗିଲାଣି, ଯାହା କ୍ରମେ ଘନୀଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିକଟରେ ହେରାତ୍‌ରେ ନିରସ୍ତ୍ର ଜନସାଧାରଣଙ୍କ ସତ୍ୟାଗ୍ରହସୁଲଭ ଶୋଭାଯାତ୍ରାରୁ ପ୍ରାରମ୍ଭ କରି ଶସ୍ତ୍ରଧାରୀ ସହରବାସୀଙ୍କ ସହର ପରିକ୍ରମା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି।

ପ୍ରଭାବଶାଳୀ ଜନ ନେତା ତଥା ‘କାନ୍ଦାହାର ସି˚ହ’ ଭାବେ ପରିଚିତ ମହମ୍ମଦ ଇସମାଇଲ ଗାଁ ନାମକ ‘ଵାର ଲର୍ଡ‌୍‌’ ପଚସ୍ତରି ବର୍ଷ ବୟସରେ ଉପନୀତ ହୋଇ ସାରିଥିଲେ ମଧୢ ବନ୍ଧୁକ ହସ୍ତରେ ହଜାର ହଜାର ସମର୍ଥକଙ୍କ ଶୋଭାଯାତ୍ରାର ନେତୃତ୍ବ ନେଉଛନ୍ତି। ସୁତରା˚, ଦଶ ଦିନ ପୂର୍ବେ ତାଲିବାନ ହସ୍ତରେ ଯେଉଁ ହେରାତ୍‌ ସହରର ପତନ ଅବଶ୍ୟମ୍ଭାବୀ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା, ତାହା ମଳିନ ପଡ଼ିବା ଆରମ୍ଭ କରିଛି। ଫଳରେ ଆଫଗାନିସ୍ତାନର ଦ୍ବିତୀୟ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସହର ହେରାତ୍‌ ତାଳିବାନ ଦଖଲକୁ ଆସିବା ସହଜସାଧୢ ହେବନାହିଁ। ଗଲା ୧ ତାରିଖରେ ତାଲିବାନ ପକ୍ଷରୁ କାନ୍ଦାହାର ବିମାନ ବନ୍ଦର ଉପରେ ରକେଟ୍‌ ଆକ୍ରମଣ କରାଯାଇ ତାକୁ କ୍ଷତିଗ୍ରସ୍ତ କରି ଦିଆଯାଇଥିଲା। ସେମିତି ସମ୍ବାଦ ଉପଲବ୍‌ଧ ହେବାରେ ଲାଗିଥିଲା ଯେ ତାଲିବାନ ସୈନିକମାନେ ଗଲା ଶନିବାର ଦିନ ଲସକର-ଗା ସହରର ଗଭର୍ନରଙ୍କ ଦପ୍ତର ଠାରୁ ମାତ୍ର କେତେ ଶହ ମିଟର ଦୂରରେ ଆସି ଉପସ୍ଥିତ ହେଲେଣି। କିନ୍ତୁ ପରବର୍ତ୍ତୀ ସମ୍ବାଦମାନ ଯାହା ଗଲା ରବିବାର ପାହାନ୍ତା ପ୍ରହରରେ ଆସିବାକୁ ଲାଗିଲା, ତହିଁରୁ ଜଣାପଡ଼ିଥିଲା ଯେ ତାଲିବାନ ସୈନିକଙ୍କ ଅଗ୍ରଗତି ଆଫଗାନିସ୍ତାନ ସରକାରୀ ସୈନିକଙ୍କ ଦ୍ବାରା ବାଧାପ୍ରାପ୍ତ ହୋଇଛି; ଯାହା ଫଳରେ ତାଲିବାନ ପଛଘୁଞ୍ଚା ଦେବାକୁ ବାଧୢ ହୋଇଛି। ଏବେ କେବଳ ଇସମାଇଲ ଖାଁ ନୁହନ୍ତି, ପୂର୍ବରୁ ବେଶ୍‌ ସକ୍ରିୟ ଥିବା ଅନ୍ୟାନ୍ୟ କେତେକ ‘ଵାର ଲର୍ଡ‌୍‌’ ଯେମିତି କି ଅବଦୁଲ ରସିଦ ଦୋସ୍ତମ, ଅହମଦ ମାସୁଦ, ଅଟ୍ଟା ମହମ୍ମଦ ନୁର, ଗୁଲବୁଦ୍ଦିନ ହେକମତ୍ୟାର ଇତ୍ୟାଦି ମଧୢ ତାଲିବାନ ପ୍ରତିରୋଧୀ ବ୍ୟାରିକେଡ୍‌ ଭାବେ ଛିଡ଼ା ହେଲେଣି। ହୁଏ’ତ ଏ ସମସ୍ତଙ୍କର ଆଫଗାନିସ୍ତାନ ସରକାର ପ୍ରତି ସମର୍ଥନ ନ ଥାଇପାରେ; ଆଫଗାନିସ୍ତାନ ନିଆଁରେ ସେମାନେ ଅତ୍ୟନ୍ତ ସୁବିଧାବାଦୀ ହୋଇ ନିଜ ନିଜ ରୁଟି ସେକିବା ମତଲବରେ ଥାଇ ପାରନ୍ତି; ଏହା ଦ୍ବାରା ଆଫଗାନିସ୍ତାନ ଏକ ଅତ୍ୟନ୍ତ ରକ୍ତାକ୍ତ ଗୃହଯୁଦ୍ଧ ପରିସ୍ଥିତିରେ ଉପନୀତ ହୋଇପାରେ; କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଏହା ତାଲିବାନର ଆଫଗାନିସ୍ତାନ ଦଖଲର ପ୍ରୟାସକୁ ସ୍ବଚ୍ଛନ୍ଦ ହେବାକୁ ଦେବନାହିଁ।

ତେବେ, ଭବିଷ୍ୟତ୍‌ରେ ଠିକ୍‌ କ’ଣ ଘଟିବ, ତାହା ଏବେ ଠାରୁ ନିଶ୍ଚିତ ଭାବେ କୁହାଯାଇ ନ ପାରେ। ତଥାପି ଯେଉଁ କଥାଟି ଅନ୍ତତଃ ସ୍ପଷ୍ଟ, ତାହା ହେଲା ଆଫଗାନିସ୍ତାନ ଖୁବ୍‌ ଶୀଘ୍ର ଏକ ରକ୍ତାକ୍ତ ଗୃହଯୁଦ୍ଧ ଦେଖିବାକୁ ଯାଉଛି। ୧୯୯୬ ମସିହାରେ ତାଲିବାନ ଯେଉଁଭଳି ଅନାୟାସରେ ସ˚ପୂର୍ଣ୍ଣ ଆଫଗାନିସ୍ତାନକୁ ପଦାନତ କରିପାରିଥିଲା, ଏଥର ତା’ର ପୁନରାବୃତ୍ତି ହେବନାହିଁ। ଏହି ଯୁଦ୍ଧରେ ଏକ ମନସ୍ତାତ୍ତ୍ବିକ ବିଜୟ ହାସଲ କରିବା ଲାଗି ତାଲିବାନ ସେନା ଅନ୍ତତଃପକ୍ଷେ କିଛି ଗୁରୁତ୍ବପୂର୍ଣ୍ଣ ସହର ଅଧିକାର କରିବାକୁ ଇଚ୍ଛୁକ। କିନ୍ତୁ ବିଗତ କୋଡ଼ିଏ ବର୍ଷ ଧରି ତାଲିବାନ ଶାସନରୁ ମୁକ୍ତ ରହିଥିବା ଆଫଗାନିସ୍ତାନ ସହରଗୁଡ଼ିକରେ ଜନସାଧାରଣଙ୍କ ଜୀବନ ଯାତ୍ରାରେ ଯେମିତି ଉନ୍ନତି ଆସିଛି ବା ଆମେରିକା ବା ଅନ୍ୟାନ୍ୟ ମିତ୍ର ଭାବାପନ୍ନ ରାଷ୍ଟ୍ରଗୁଡ଼ିକ ଦ୍ବାରା ସେଠାରେ ଯେଉଁଭଳି ପୁନର୍ନିମାଣ ତଥା ଭିତ୍ତିଭୂମି ଗଠନ କାର୍ଯ୍ୟ ସ˚ପନ୍ନ ହୋଇଛି ଏବ˚ ଏହି ଦୁଇ ଦଶନ୍ଧି ଧରି ସହରଗୁଡ଼ିକରେ ଯେଉଁଭଳି ଉଦାର ଚେତନାର ପବନ ପ୍ରବାହିତ ହେଉଛି; ସେଥିରେ ସେମାନେ ପୁନର୍ବାର ତାଲିବାନୀମାନଙ୍କ ଦ୍ବାରା କବଳିତ ହୋଇ ମଧୢ ଯୁଗୀୟ ଅନ୍ଧକାର ମଧୢକୁ ନିକ୍ଷେପିତ ହେବାକୁ ଚାହାନ୍ତି ନାହିଁ। ସୁତରା˚, ସହରମାନଙ୍କରେ ସ୍ବାଭାବିକ ଭାବେ ତାଲିବାନ ପ୍ରତି ତୀବ୍ର ବିରୋଧ ଭାବ ସୃଷ୍ଟି ହୋଇଛି।

ଉଲ୍ଲେଖନୀୟ ଯେ ଯୁକ୍ତରାଷ୍ଟ୍ର ଆମେରିକା ଓ ନାଟୋ ସେନାବାହିନୀର ମିଳିତ ଆକ୍ରମଣ ସତ୍ତ୍ବେ ଗଲା ଦୁଇ ଦଶନ୍ଧି ଧରି ତାଲିବାନ ନିଶ୍ଚିହ୍ନ ହୋଇ ତିଷ୍ଠି ରହିଥିବାର କାରଣ ହେଉଛି ଆଫଗାନିସ୍ତାନର ଦକ୍ଷିଣ ଓ ପଶ୍ଚିମାଞ୍ଚଳର ଗ୍ରାମାଞ୍ଚଳରେ ସେମାନେ ଲାଭ କରିଥିବା ଆଶ୍ରୟ ଓ ସମର୍ଥନ। ଯାହା ଫଳରେ ସେମାନେ ପୁଣି ଥରେ ଏକତ୍ର ହୋଇ ଆଫଗାନିସ୍ତାନ ଦଖଲ ଅଭିଯାନରେ ବାହାରିଛନ୍ତି। ସେମାନେ ଏହା ମଧୢ ହୃଦୟଙ୍ଗମ କରିଥାଆନ୍ତି ଯେ ସହରଗୁଡ଼ିକୁ ଅକ୍ତିଆର ନ କଲା ପର୍ଯ୍ୟନ୍ତ ସେମାନଙ୍କ ପ୍ରଭାବ ଆଖିଦୃଶିଆ ହେବନାହିଁ। ସୁତରା˚, ଆମକୁ ଭବିଷ୍ୟତ୍‌ରେ ଇରାକ୍‌ର ରକ୍ତର˚ଜିତ ସହର ମୋସୁଲ ଭଳି ରକ୍ତସ୍ନାତ କାବୁଲ ଦେଖିବାକୁ ମିଳିପାରେ ବା ଆଫଗାନିସ୍ତାନରେ ଆଉ ଏକ ସିରିଆ ମଞ୍ଚସ୍ଥ ହୋଇପାରେ!

ସମ୍ବନ୍ଧିତ ଖବର